Unknown

 

 

 

 

 

 

 

 

 

ହା-ଅନ୍ନ

କାହ୍ନୁଚରଣ ମହାନ୍ତି

 

–୧–

 

ବଡ଼ି ସକାଳ । ଗାଁ ଗୋହରି ପାରି ହୋଇ ଜଗୁ ଯୋଡ଼ ନିକଟରେ ହେଲା । ସେ ଦେଖିଲା, ଯୋଡ଼ ପାଖ ବନ୍ଧ ଉପରେ କେତେଗୁଡ଼ିଏ ପିଲା କୋଳାହଳ କରୁଛନ୍ତି । ସେମାନଙ୍କ ମଧ୍ୟରୁ ବେଶି ହେଉଛନ୍ତି ଝିଅ । କାହା ହାତରେ ଫୁଲ ଚାଙ୍ଗୁଡ଼ି, କାହା ହାତରେ ଛୋଟ ନଗୀ । କିଏ ଅଣ୍ଟାରେ କାନି ଭିଡ଼ି ପାଖ କନିଅର ଗଛରେ ଚଢ଼ି ଫୁଲ ତୋଳୁଛି, କେହି ବା ତଳେ ଠିଆ ହୋଇ ହୋ ହୋ ହେଉଛି ।

 

ପିଲାଙ୍କର କୌତୁକ ଦେଖିବାକୁ ଜଗୁ ପାଖକୁ ଆସି ପଚାରିଲା, ଆଜି କଅଣ କିଲୋ ?

କିଏ ଜଣେ ଉତ୍ତର ଦେଲା, ଆଜି ପରା ଖୁଦୁରୁକୁଣୀ ।

 

ଜଗୁ ଆଗକୁ ଚାଲିଲା । ଖଣ୍ଡେଦୂର ଯାଇ ବନ୍ଧ ଉପରୁ ତଳକୁ ଗଡ଼ି ଯୋଡ଼ର ଗୋଟିଏ ତୁଠକୁ ମୋହିଲା । ଏପାଖ ତୁଠରେ କେତେଜଣ ସ୍ତ୍ରୀଲୋକ ଗାଧୋଉଛନ୍ତି । ଆରପାଖର ଅବସ୍ଥା ମଧ୍ୟ ଠିକ୍‌ ସେହିପରି । ଯୋଡ଼ ଚାରିପାଖେ ଅତୁଠରେ କେତେ ଝିଅ ପାଣିରେ ପଶି କଇଁଫୁଲ ଓଟାରୁଛନ୍ତି । ଆଜି ତାଙ୍କୁ ତିନିଖୁଣ ମାଫ୍‌ । ଆନନ୍ଦରେ ମନ ଫୁଲିଉଠୁଛି । ବାଟ ଅବାଟ, ତୁଠ ଅତୁଠ, ଚନ୍ଦ୍ର ସୂର୍ଯ୍ୟ ମାନୁ ନାହାଁନ୍ତି ।

 

ଏପାଖ ତୁଠରୁ ମୋତି–ମା ଡାକ ଛାଡ଼ି ସାବଧାନ କରିଦେଉଛି, ବୁଝି ହୁସିଆର, ସେପାଖରେ ବେଶି ପାଣି, ଭିତରକୁ ଯାଅନା, ଉପରେ ଠିଆ ହୋଇ ଫୁଲ ତୋଳ । ତାର କଥା କାହାରି କାନରେ ପଶୁ ନାହିଁ ।

 

ଜଗୁ ତୁଠକୁ ଆସିଲା । ପନ୍ଦର ଷୋଳ ବର୍ଷର ଟୋକା । ଦେହଟି ବଳିଲା ପରି । ରଙ୍ଗ କଳା ହେଲେ ବି ଗଠଣ ସୁନ୍ଦର । ଗାଁ ମାଇପେ ଆଡ଼ ହେବାର ବୟସ ତାର ହୋଇନାହିଁ । ତେଣୁ ସେ ନିଃସଙ୍କୋଚରେ କୁଳକୁ ଯାଇ ମୋତି ମା’କୁ କହିଲା, ଜେଠେଈ, ତୁ ତ ଗାଧୋଇ ସାରିଲୁଣି, ଟିକେ ବେଣୁକୁ ରଖ ମୁଁ ବୁଡ଼ି ପଡ଼ି ଆସେ । ବେଣୁ ତାର ପୁତୁରା, ବାପ ଛେଉଣ୍ତ ।

 

ମୋତି–ମା ଗରିବ । ହେଲେ, ଅତି ଭଲ ମଣିଷ । ପର ଆପଣା ଜାଣେ ନାହିଁ । ଛନ୍ଦ କପଟ, ହିଂସା ବାଦ ପାଖ ପଶେ ନାହିଁ । ଦୁନିଆଁଟା ତା ଆଖିରେ ସବୁ ଭଲ । ନରିପୁର ଗାଁରେ ସବୁ ପିଲାଙ୍କର ସେ ପ୍ରିୟ । କେହି ତାକୁ ଅଚିହ୍ନା ବାରନ୍ତି ନାହିଁ । ଲୋକେ କହନ୍ତି, ସେ କଅଣ ମନ୍ତର ଜାଣେ । ଜଗୁର କଥା ଶୁଣି ସେ ବେଣୁକୁ ହାତ ବଢ଼ାଇଲା । ବେଣୁ ତା କୋଳକୁ ଡେଇଁପଡ଼ିଲା ।

 

ବେଣୁର ଦାୟିତ୍ୱରୁ ଖଲାସ ହୋଇ ଜଗୁ ମନଖୁସିରେ ଯୋଡ଼ର ଚାରିପଟେ ଆଖି ପକାଇଲା । ଏଡ଼େ ବଡ଼ ପୋଖରୀ, ଅନ୍ଦାଜ ଚାରିଶ ହାତ ଲମ୍ବ, ଦୁଇଶ ହାତ ଓସାର । ମଝିରୁ ସୋହରାଏ ଛାଡ଼ି ପୋଖରୀଯାକ କଇଁ ନଟା ଦଳରେ ପୂର୍ଣ୍ଣ । କଇଁଫୁଲରେ ପୋଖରୀଟି ଛାଇ ହୋଇ ପଡ଼ିଛି । ତୋଳିଲେ ଦଶ ଗାଡ଼ି ବାହାରିବ । ଗାଁ ପିଲାଏ ଖୁଦୁକୁଣୀ ପୂଜିବାକୁ କୁଳରେ ଥାଇ ଡହଳ ବିକଳ ହେଉଛନ୍ତି । କାଦୁଅ ପାଣି ଚକଟି ନଗୀ ବଢ଼ାଇ ଗୋଟାଏ ଗୋଟାଏ ଆଣୁଛନ୍ତି । ଜଗୁ ଏହା ସହି ପାରିଲା ନାହିଁ । ଏଣିକି ତେଣିକି ଚାହିଁ ସେ ପାଇକଛା ଭିଡ଼ିଲା । ଗାମୁଛାଟି ଅଣ୍ଟାରେ ଭଲ କରି ଗୁଡ଼ାଇ ପାଣି ଭିତରକୁ ପଶିଲା ।

 

ମୋତିମା ତା ମନ କଥା ବୁଝିପାରି ପଛରୁ ଡରେଇ କହିଲା, ଆରେ ପୁଅ, ବେଶି ଭିତରକୁ ଯାଆ ନା ରେ, ଗୋଡ଼ରେ ଲଟା ଛନ୍ଦୁରି ହେବ । ସେ ମାନିଲା ନାହିଁ । ଏକ୍‌ଜିଦିଆ ଅମାନିଆ ପିଲା । ଯାହା ବୁଝିଥିବ ସେଇଆ । ଭଲମନ୍ଦ କିଛି ଘେନିବ ନାହିଁ । ଚେଙ୍ଖ ନ ପାଇବା ଯାକେ ଗୁରୁବ୍ରହ୍ମା ଆସି ଉପଦେଶ ଦେଇ ଫାଟିଫୁଟି ଗଲେ ବି ରୁକୁଣାରଥ ଅଣବାହୁଡ଼ା । ପାଠ ପଢ଼ିଲା ନାହିଁ । ଶ୍ରୀ ଅକ୍ଷର ବରୁଣେଈ ପାହାଡ଼ । ଅବଧାନକୁ କେତେ ବାଟରେ ଚିତା କାଟି ଚାହାଳିରୁ ଖସି ଗଛଚଢ଼ା, ପାଣି ପହଁରା, ମାଙ୍କଡ଼ ହୁରୁଡ଼ା, ମାଛଧରା ଇତ୍ୟାଦିରେ ପିଲାଦିନ ପଢ଼ିଲାବେଳ କଟିଗଲା । ଏ ବୟସରେ ବି ସେ ଅଭ୍ୟାସ ଯାଇନାହିଁ । ସେ କି ମୋତିମା କଥା ଶୁଣନ୍ତା ।

 

ବେକାଏ କଇଁଫୁଲ ତୋଳି ଜଗୁ କୁଳକୁ ଫେରିଲା । ତୁଠ ପଥର ଦେହକୁ ଆଉଜାଇଦେଇ ପୁଣି ପାଣି ଭିତରକୁ ପଶିବାକୁ ମନ କରିଛି, ମୋତିମା ବାଧାଦେଇ ଆକଟ କରି କହିଲା, ମୋ ସାନ କୁହା ମାନ ବାପ, ଆଉ ପାଣି ଭିତରକୁ ଯାଅନା, କଇଁ ମୂଳରେ ସାପ ଥାଆନ୍ତି ।

 

ଜଗୁ ଧୀରେ ଧୀରେ ଭିତରକୁ ପଶିଲା । ମୋତିମା କହିଲା, ବେଣୁଆକୁ ଏଇଠି ବସେଇଦେଇ ଯାଉଛିରେ, ମୋର ତାକୁ ଧରିବାକୁ ବେଳ ନାହିଁ । ଘରେ ତେଣେ କାମ ପଡ଼ିଛି । ମୋତିମା ସତକୁ ସତ ବେଣୁକୁ ପାଣି କୁଳରେ ଛାଡ଼ି ବନ୍ଧଆଡ଼କୁ ଖଣ୍ଡେଦୂର ଆଗେଇଗଲା । ଜଗୁ ଜାଣେ, ମୋତିମା ତାକୁ ଡରାଇବାକୁ ଏପରି କହୁଛି । ଛୁଆ ରଙ୍କୁଣୀ, ଛୁଆଙ୍କୁ ତିଳେ ହୋଇ ଆଖିଆଗରୁ ଛାଡ଼ିବ ନାହିଁ । ଜଗୁ ଆହୁରି ଦଶହାତ ପହଁରିଗଲା । ମୋତିମା ଫେରିଆସି ପୁଣି ବେଣୁକୁ କାଖ କରି ଛାତିରେ ଜାକି ଧରିଲା । ବାଣୁଆର ବାଣ ଶବ୍ଦ ଶୁଣିଲେ ପାରାପଲ ଯେପରି ପ୍ରାଣବିକଳରେ ଉଡ଼ି ପଳାନ୍ତି, କଅଣ ହେଲା କେଜାଣି, ପିଲାଗୁଡ଼ିକ ପୋଖରୀକୁଳରୁ ସେହିପରି ଧାଇଁ ପଳାଇଲେ ବନ୍ଧ ଉପରକୁ । କାହାରି ପାଟିରେ କଥା ନାହିଁ । କେହି ପଛକୁ ଫେରି ଚାହୁଁନାହିଁ । କାହା ହାତରୁ ଫୁଲଗୋଛା ଖସିପଡ଼ୁଛି, ସେ ଗୋଟାଇ ନେବାକୁ ବେଳ ପାଉନାହିଁ । ନଗୀ ହାତରେ ଧରି ଦଉଡ଼ି ପଳାଇବାକୁ ଅସୁବିଧା ହେବ ମନେକରି କିଏ ନଗୀ ଛାଡ଼ି ଦଉଡ଼ିଛି । ଧାଉଁ ଧାଉଁ ଲୁଗା ଛନ୍ଦି ହୋଇ କିଏ ପୋଖରୀ ହୁଡ଼ାରେ ଝୁଣ୍ଟି ପଡ଼ୁଛି । ବନ୍ଧ ଉପରେ ଯେଉଁ ପିଲାମାନେ ଫୁଲ ତୋଳୁଥିଲେ, ଘଟଣା ବୁଝନ୍ତୁ ନ ବୁଝନ୍ତୁ, ଫୁଲଡାଲା, ନଗୀ ଛାଡ଼ି ଦଉଡ଼ି ପଳାଇବାକୁ ଆରମ୍ଭ କଲେ-

 

ପୋଖରୀରେ ଗାଧୋଉଥିବା ଗାଁ ମାଇପେ କଥା କଅଣ ବୁଝି ନ ପାରି ତ୍ରସ୍ତ ହୋଇ କୁଳକୁ ଉଠିଲେ । ବିଚଳିତ ହୋଇ ଚାରିଆଡ଼କୁ ଚାହିଁବାକୁ ଲାଗିଲା । କଥା କଅଣ, ସଭିଙ୍କ ମନରେ ଏହି ପ୍ରଶ୍ନ ଉଠିଲା । କେହି କାହାରିକୁ କିଛି ପଚାରିବାକୁ ଅବସର ପାଇଲେ ନାହିଁ ।

 

ମୋତିମା ମନରେ ପାପ ଛୁଇଁଲା । ସେ ପୋଖରୀ ମଝିକୁ ଚାହିଁଦେଲେ । ଜଗୁ କାହିଁ ? ତାର ହଲକ ଶୁଖିଗଲା । ମୁଣ୍ତ ଘୂରିଗଲା । ଛାତି ପଡ଼ିଲା ଉଠିଲା । ସେ କ୍ଷଣକରେ ପୁଣି ପୋଖରୀ ଚାରି ପଟକୁ ଆଖି ପକାଇଲା ।

 

ଏଁ, ଜଗୁ ?

 

ପୋଖରୀର ବାଁହାତି ତୁଠକୁ ଛାଡ଼ି ପ୍ରାୟ ପଚାଶ ହାତ ଦୂରରେ ଅତୁଠର ଖରା ଦିନେ ମାଟି ଖୋଳି ଗହୀଡ଼ା ଟୁବ କରି ଯେଉଁଠି ତେଣ୍ତା ଲଗାଇ ଗାଁ ଲୋକେ ପାଣି ବୋହି ଆଖୁ କିଆରୀରେ ମଡ଼ାଇବାକୁ ନେଉଥିଲେ, ଠିକ୍‌ ସେଇଠି, ସେହି ଟୁବ ଭିତରୁ ଆଗ ଜଗୁର ମୁଣ୍ତ ପାଣି ଉପରକୁ ଉଠିଲା । ମୋତିମା’ର ପିଣ୍ତରେ ପ୍ରାଣ ପଶିଲା । ଆଖି ପିଞ୍ଛଡ଼ାରେ ଜଗୁ କୁଳକୁ ଉଠିଲା । ଧରିଛି ଗୋଟିଏ ପିଲାର ହାତ । ତାକୁ ଉପରକୁ ଟାଣିଆଣି କୁଳରେ ଠିଆ କରିଦେଲା ।

 

ବାସୁ ଗୁଡ଼ିଆର ଦଶ ଏଗାର ବର୍ଷର ଝିଅ ଉମା । ସେ ତ ଜାଣି ନ ଥିଲା, ପୋଖରୀରେ କେଉଁଠି ଖାଲ କେଉଁଠି ଢିପ । ବାପାଙ୍କର ଅଳିଅଳ ଝିଅ ସେ । ଦିନ ଦି’ ପହରେ ଘରୁ ପଦାକୁ ବାହାରିଲେ ମା ପଛରେ ଆସେ, କାଳେ କେଉଁଠି ପିଲାଟି ଚମକି ପଡ଼ିବ । ଘର ଚାରିପାଖ ଛଡ଼ା ଗାଁର କେଉଁଠି କ’ଣ ଅଛି, ସେ ଜାଣେ ନାହିଁ । ଖୁଦୁରୁକୁଣୀ ବୋଲି ପିଲାଙ୍କ ସାଥିରେ ଫୁଲ ତୋଳିବାକୁ ଚାଲି ଆସିଥିଲା । ସାହାସିଆପଣ କରି ପାଣିରେ ପଶି ଫୁଲ ତୋଳୁ ତୋଳୁ ଗଣ୍ତ ଭିତରକୁ ଗୋଡ଼ ଖସିଗଲା । ତେଣିକି ନାଚାର । କାହାରି ଆଖିରେ ନ ପଡ଼ୁଣୁ ଆଗ ପଡ଼ିଲା ଜଗୁ ଆଖିରେ । ଫୁଲ ତୋଳା ଛାଡ଼ି ସେ ସେଇଠି ଡୁବ ମାରିଲା । ଧନ୍ୟ କହିବ ! ଏକ ନିଃଶ୍ୱାସରେ ଲଟାପତ୍ର ଠେଲି ସେ ଭିତରେ ଭିତରେ ଯାଇ ପହଞ୍ଚିଗଲା ଟୁବ ପାଖରେ । ଭଲାରେ ସାହସ, ଉଠିଲା ତ ଟୋକୀଟାର ହାତ ଧରି ଆଣି ଠିଆ କରିଦେଲା ଉପରେ ।

 

ଊମାର କିଛି କ୍ଷତି ହୋଇନାହିଁ । ଦି’ ଚାରି ଢୋକ ପାଣି ପିଇବା ମାମୁଲି କଥା । ସେ ଏଣିକି ତେଣିକି ବଲ ବଲ କରି ଚାହିଁଲା । ଦେଖୁ ଦେଖୁ ପଳାଇ ଯାଇଥିବା ଆଉ ପିଲାଏ ଧୀରେ ଧୀରେ ବାଆଁରେଇ ହୋଇ ଆସି ସେଠାରେ ପହଞ୍ଚିଲେ । ଗାଧୁଆ ଛାଡ଼ି ଗାଁ ମାଇପେ ଚୁ ଚୁ କରି ସହାନୁଭୂତି ଦେଖାଇବାକୁ ତାଆର ଚାରିପାଖରେ ଘେରିଗଲେ । ବନ୍ଧ ଉପରେ ଚାଲିଯାଉଥିବା ବାଟୋଇ କେତେଜଣ ଠିଆହୋଇ କଥା କଅଣ ବୁଝିବାକୁ ଚାହିଁ ରହିଲେ ।

 

ମୋତିମା କହିଲା, ଜଗୁ ନ ଥିଲେ ଆଜି ଉମା ଘରେ କାନ୍ଦବୋବାଳି । ବାସୁ ଆଜି ମୁଣ୍ତରେ ହାତ ଦେଇ ବସନ୍ତ। ।

 

କୁସୁନ ସାଉ ଘରଣୀ କହିଲା, ଠାକୁରେ ବଡ଼ ଲୋକ ।

 

ଜଗୁ କହିଲା, ଆଜି ତୋଓର ରିଷ୍ଟ ଥିଲା ଉମା, ଯା, ଘରକୁ ଯା । ବେକାଏ କଇଁଫୁଲ ତୋଳି କୁଳରେ ପଥରକୁ ଆଉଜାଇ ଦେଇଛି, ମନଇଛା ନେଇ ଯା ।

 

ଉମାର ଛୋଟ ଛୋଟ ଆଖି ଦିଓଟି ଲୁହରେ ଢଳଢଳ ହେଲା । ସେ ମୁହଁ ଶୁଖାଇ କହିଲା, ବୋଉ ପାଣିରେ ପଶିବାକୁ ମନା କରିଥିଳା । ଶୁଣିଲେ ମାରିବ ।

 

ଜଗୁ ହସିଲା । ମୋତିମା’କୁ ଚାହିଁ କହିଲା, ବେଣୁକୁ ନେଇଯା, ଘରେ ଛାଡ଼ିଦେବୁ । ମୁଁ ଉମାକୁ ନେଇ ତା ବୋଉ ଜିମା କରିଦିଏଁ । ପିଲାଲୋକ, ଡରୁଛି ।

 

–୨–

 

ଦୁଇ ବର୍ଷ ପରର କଥା ।

କୁଆଁର ପୁନେଇଁ । ସଞ୍ଜ ପହର । ଜହ୍ନିଫୁଲ ପରି ତୋରା ଜହ୍ନ ଆକାଶ କୋଳକୁ ଉଠି ଆସିଲାଣି । ତାଆର ତୋରା କଅଁଳ ଆଲୁଅରେ ସାରା ପ୍ରକୃତି ନୂଆ ଆନନ୍ଦରେ ହସିଉଠୁଛି । ସଫାସୁତୁରା ମେଘହୀନ ନେଳିଆ ଆକାଶର ଦେହକୁ କିଏ ରୂପେଲୀ ପାଣିରେ ଧୋଇ ଦେଇଛି । ଚାରିଆଡ଼େ ଆନନ୍ଦ । ଚାରିଆଡ଼େ ଫୂର୍ତ୍ତି । କାହାରି ମନରେ ବିରସ ଭାବ ନାହିଁ । ମୁହଁରେ ବିଷାଦର ମଳିନତା ଦେଖାନାହିଁ । ପିଲାଛୁଆରୁ ବୁଢ଼ାବୁଢ଼ୀ ଯାଏ ସଭିଏଁ ଆଜି ଉତ୍ସବରେ ମଜ୍ଜି ରହିଛନ୍ତି ।

ଗାଁ ମଝି ବରମୂଳ ବାଲିଦାଣ୍ତରେ ଗାଁ ଭେଣ୍ତିଆଙ୍କର ଖେଳ । ଅଧେ ଛାଇ ଅଧେ ଆଲୁଅ ଜାଗା । ଦାଣ୍ତ ମଝିରେ ପାହି କାଟି ଦଳେ ଟୋକା ଡୁ ଡୁ ଖେଳରେ ବ୍ୟସ୍ତ । ଦଳେ ପିଲା ବୋହୂଚୋରି ଖେଳୁଛନ୍ତି । ବୁଢ଼ା ଦରବୁଢ଼ା ଗଛମୂଳେ ବସି ପିଲାଙ୍କର ଖେଳ ଦେଖୁଛନ୍ତି । ତାଳି ମାରି ସେମାନଙ୍କୁ ଉତ୍ସାହିତ କରୁଛନ୍ତି । କେବେ କେବେ ମଧ୍ୟସ୍ଥ ହୋଇ କଜିଆ ଭାଙ୍ଗୁଛନ୍ତି । ଅଳ୍ପ ବୟସର ଛୁଆଯାକ କଣା କହ୍ନାର ବୁଢ଼ାକୁ ବୁଢ଼ିଆଣୀ କରି ଲୁଚିକାଳି ଖେଳରେ ଲାଗିଛନ୍ତି ।

ପ୍ରତି ସାହିରେ ଝିଅମାନେ କୁଆଁର ପୁନେଇଁ ଖେଳରେ ମନପ୍ରାଣ ଢାଳି ଦେଇଛନ୍ତି । ବରଷରେ ମାସେ । ଆଜି ପୁଣି ଶେଷ ରାତି । ଝିଅଙ୍କର ତର ନାହିଁ । ରାତି ପାହିଲେ ପୁଣି ବର୍ଷେ, ଏଇ ଫୂର୍ତ୍ତି ଏଇ ଆନନ୍ଦଟିକ ପାଇଁ ଚାହିଁ ରହିବାକୁ ପଡ଼ିବ । ବର୍ଷେ, କିଛି କମ୍‌ ନୁହେଁ । କେତେ ପରିବର୍ତ୍ତନ ଘଟିବାର ସମ୍ଭାବନା, ବିଶେଷତଃ ଝିଅଙ୍କ ଜୀବନରେ । ଆଜି ଯେ ଏକାଠି ଖେଳୁଛନ୍ତି, ଆର ବରଷ ଏଇ ଦିନେ କିଏ ଯାଇ କେଉଁଠି ଥିବ, କାହା ଚୁଲି ଫୁଙ୍କୁଥିବ । ଦେଖିବା ତ ଭାଗ୍ୟର କଥା, ଖବର ପାଇବା, ଗଲା ଅଇଲା ଲୋକଙ୍କ ତୁଣ୍ତରୁ କଥା ପଦେ ଶୁଣିବା ସାତ ସପନ ।

ଝିଅ ଖେଳୁଛନ୍ତି କେତେ ପ୍ରକାର ଖେଳ, ପୁଉଁଚି, ମୁଦି ପରଷୁଣୀ, ବରଗୁଡ଼ି, ବରଗୁଡ଼ିନଟା, ଲୁଚକାଳି । ଯିଏ ଯାହା ଗୀତ ଶିଖିଛନ୍ତି, ପାଞ୍ଚ ସାତ ଜଣ ଏକାଠି ହୋଇ ଏକା ସ୍ୱରରେ ପାଟି କରି ବୋଲୁଛନ୍ତି । କାନ ଅତଡ଼ା ପଡ଼ୁଛି । ଏ ସାହି ଝିଏ, ସେ ସାହି ଝିଅଙ୍କର ଅବିଗୁଣ । କାହାର ବାପ କୋଳଥ ଚୋରି କରୁ କରୁ ବାଉରି ହାତରେ ମାଡ଼ ଖାଇଥିଲା, କାହାର ଅଜା ଛୁଞ୍ଚିମୁନରେ ଘିଅ ଖାଉଥିଲେ, କାହା ଘରେ ତିଅଣରେ ଫୁଟଣ ଫୁଟେ ନାହିଁ ଇତ୍ୟାଦି କଥା ଗୀତରେ ଗୀତରେ ବୋଲି ପର ଘରର ଛିଦ୍ର ଉଣ୍ତି ପଦାରେ ପକାନ୍ତି ।

ଆର ସାହି ଝିଏ, ସେହିପରି କେତେ ଉଲୁଗୁଣା ଦେଇ ଗୀତରେ ଗୀତରେ ଗାଳିଯାକ ଓଲଟାଇ ଦିଅନ୍ତି । ଶିକ୍ଷା ଦେବାକୁ, ମନ୍ତ୍ରଣା ଦେଇ ତେଜିଦେବାକୁ ପାଖରେ ପୋଖତା ପୋଖତା ମାଇପେ ବସି ତାଙ୍କ ପିଲା ଝିଅମାନଙ୍କୁ ଏହିପରି କେତେ କେତେ ପୁରୁଣା ଛିଦ୍ର କହି ଉପଦେଶ ଦିଅନ୍ତି । ଏ ବି ଏକପ୍ରକାର ଶିକ୍ଷା । ପରଘରକୁ ଗଲେ କିପରି ପର ଛିଦ୍ର ଖୋଜି ଗଣ୍ଠି କରିବାକୁ ହେବ, ଅତି ଛୋଟ ଛୋଟ କଥାରୁ ଖିଅ ଧରି କିପରି ଭାଇରେ ଭାଇରେ ମନ ଫଟେଇ ଗୋଟାଏ ସଂସାର, ଗୋଟିଏ ଘରକୁ ଭାଙ୍ଗି ପାଞ୍ଚ ଘର କରିବାକୁ ହେବ, ଏ ସବୁ କଥା ମା, ଖୁଡ଼ୀ, ବଡ଼ମା, ଆଈ ମା’ଙ୍କଠୁଁ ନ ଶିଖିଲେ ଆଉ ଶିଖେଇବ କିଏ ?

ଏସବୁ ତ ପରର କଥା । ଝିମିଟି ଖେଳରୁ ମହାଭାରତ ଯୁଦ୍ଧ ହେଲାପରି ଏଇ କୁଆଁର ପୁନେଇଁ ଖେଳରେ ଝିଅଙ୍କ ଗୀତରୁ ସାହି ସାହି ଭିତରେ ଯେଉଁ ଦ୍ୱନ୍ଦ୍ୱ ଲାଗିଯାଏ, ତାର ପ୍ରଭାବ ଗାଁରେ ରହିଯାଏ କିଛିଦିନ ଲାଗି । ଗତ ବର୍ଷର କଥା, କାଲିପରି ଲାଗୁଛି । ବଢ଼େଇ ସାହିର ଝିଏ କେଉଟ ସାହିଆଙ୍କ ନାଁରେ ଚାରି ପଦ ଗୀତ ଫାନ୍ଦି ବୋଲିଦେଲେ । ପିଲାରେ ପିଲାରେ କଥା । ଠେଙ୍ଗାବାଡ଼ି ଧରି ନରିପୁର ଗାଁ ମଝିକି ଚିହିଁକି ଆସିଲେ ଦି ସାହିର ମରଦେ । ପଧାନେ ଆଗ ହାଁ ହାଁ କରି, ପରେ ନିଶାପ କରି କଜିଆ ଭାଙ୍ଗି ସିନା କଥାଟାକୁ ମେଣ୍ଟାମେଣ୍ଟି କରିଦେଲେ; କିନ୍ତୁ ଭିତରେ ଭିତରେ ଗୋଟିଏ ହିଂସା-ବାଦ ବରାବର କୁହୁଳା ପଡ଼ିରହିଲା । ଯେଉଁ ଝିଅ ଗୀତ ଫାନ୍ଦି ବୋଲିଥିଲେ ସେମାନେ ଯାଇଁ ସାତ ଗାଁରେ ଘରକରଣା କଲେଣି; କିନ୍ତୁ କଜିଆଟା ନରିପୁରର ଛାତି ଭିତରେ ଦୁକୁଦୁକି ପଡ଼ିଲା ପରି ଦୁକୁଦୁକୁ ହେଉଛି ଆଜିଯାଏ ।

ଏହି ସବୁ କଥା ମନେ ପଡ଼ିବାରୁ ଗୋବିନ୍ଦ ସାହୁ ସଞ୍ଜବୁଡ଼େ ଡୁ ଡୁ ଖେଳ ଦେଖି ଯିବା ଆଗରୁ ଉମାକୁ ଡାକି ତିଆରି କହିଲା, ବୁଝି ହୁସିଆର, ଘର ଦୁଆର ମୁହଁ ଡେଇଁ କୁଆଡ଼କୁ ଯିବୁ ନାହିଁ । ନିଜ ଦୁଃଖକୁ ହାରିଗୁହାରି ନାହିଁ, ବାଜେ କଥାରେ ଉପରେ ପଡ଼ି ସାହି ଲୋକଙ୍କ ସଙ୍ଗେ କଜିଆ ଦଙ୍ଗା କରିବାକୁ ମୋର ବଳ ନାହିଁ । ପିଲାରେ ପିଲାରେ ଖେଳୁ ଖେଳୁ, ଗୀତ ବୋଲୁ ବୋଲୁ ପାଟିରୁ କଅଣ ନାଇଁ କଅଣ ବାହାରି ପଡ଼ୁଥିବ, ଶେଷକୁ ଆମରି ମୁଣ୍ତରେ ବାଟିଆ । କିଏ ପାରେ ? ଏତିକି କହି ଗୋବିନ୍ଦ ସାହୁ ଚାଲିଗଲେ । ଉମା ମନ ମାରି ଆସି ଖୁଡ଼ୀ ଆଗରେ ଗୁହାରି କଲା–ତା ପାଇଁ ପଦେ କହିବାକୁ ।

ରେଣୁବୋଉ ନାକ ଟେକି ଫୋପାଡ଼ିଲାପରି କହିଲେ, ମଲାମୋର, ତୋର କହିବାକୁ ତୁଣ୍ତ ନ ଥିଲା କି, ନା ଜିଭ ଛିଣ୍ତି ପଡ଼ିଥିଲା ବା ? ଖେଳରେ ଏତେ ସଉକ ତ ଚାଲି ଯାଉନୁଁ ।

ଖୁଡ଼ୀର ଏ ନାକ ଛିଞ୍ଚଡ଼ା ଅନୁମତି ନାହିଁ କଲାଠୁଁ ବଳି । ରେଣୁ ଯଦି ଆଜି ଦେଢ଼ବରଷର କୋଳ ପିଲା ନ ହୋଇ ବଡ଼ ଝିଅଟିଏ ହୋଇଥାନ୍ତା, ଖୁଡ଼ୀ ଏମିତି କଠୋର କଥା କହିଥାନ୍ତା ତାକୁ ? ଏହି କଥା ଭାବି ଉମା ଧୀରେ ଧୀରେ ସେଠାରୁ ଚାଲି ଆସୁଥିଲା, ରେଣୁବୋଉ ଡାକି ପଚାରିଲେ, ତୋର ବୋଉ ଏତେବେଳଯାଏ ଗାଁରୁ ଫେରିନାହିଁ କିଲୋ ? କୋଉ ଚୁଲିରେ ପଶିଛି କେଜାଣି ?

ରାଗରେ ଉମା ଦେହ ଥରିଗଲା । ଭାବିଲା, ମୁହେଁ ମୁହେଁ ଖୁଡ଼ୀକି ଚାରିପଦ ବତାଇଦେବ, ମନର ଓରମାନ ମେଣ୍ଟେଇ ଦେବ; କିନ୍ତୁ କେଉଁ ଭରସାରେ, କାହା ଟାଣରେ ପାଟି ଖୋଲିବ ? ବାପ ମରିବାର ଦେଢ଼ ବରଷ ହେଲା । ବାପ ସଙ୍ଗେ ସଙ୍ଗେ ତା ଅଲିଅଳପଣ ଯାଉଛି । ବୋଉର କରାମତି ହଜିଛି । ନିଜ ଘରେ ସେମାନେ ଆଜି ପର । ନିଜ ଦରବରେ ସେମାନେ ଆଜି ଚୋର । ବାପ ଥିଲାବେଳେ ତାଆରି ବୋଉ ଘର ଚଳାଉଥିଲା, ତା’ରି ବୋଉ ହାତରେ ସବୁ ଥିଲା । ଦିନେ କେବେ ଯେ ପାତରଅନ୍ତର, ହିଂସାବାଦ ଦେଖି ନଥିଲା । ବେଳେ ବେଳେ ଦାଦି, ଖୁଡ଼ୀକି ମାରେ ବୋଲି ସେ ଦାଦିକୁ ଗାଳିଦିଏ । ଖୁଡ଼ୀକି ଆହ୍ଲାଦ କରେ, ବୋଧଶୋଧ ଦିଏ । ବାପ ମଲାରୁ ଆଜି କାଳ ଓଲଟିଗଲା । ବୋଉ ପୁଣି ମୁଣ୍ତରେ ମୁଢ଼ି ଉଖୁଡ଼ା ପସରା ଧରି ଘର ଘର ବୁଲିବ, ଯିଏ କେବେ ଘର ଏରୁଣ୍ତି ଡେଇଁ ନ ଥିଲା । ସିଏ ଘରର ସବୁ କାମ କରିବ, ପୁଣି ଗୁହାଳ ପୋଛିବ !

ବାସୁର ବାପ ମଲାବେଳକୁ କାହିଁ କେଉଁଠି ଗୁଣ୍ଠେ କି ବିଶ୍ୱାଏ ଜାଗା ନ ଥିଲା । ପିଲାଦିନୁ ଗୋବିନ୍ଦ ଫୁଲାଫାଙ୍କିଆ ହୋଇ ବୁଲୁଥାଏ । ବାସୁ ବଞ୍ଚିଥିବାଯାଏ ସେ ଘରକଥା କିଛି ବୁଝେ ନାହିଁ । ଯେଉଁ ଦଶ ପନ୍ଦରମାଣ ଜମି ଥିଲା, ସେତକ ବାସୁ ସାଉର କମେଇ । ନିଜ ଦିହ ମିହନ୍ତ ଓ ବୁଦ୍ଧିର ଖେଳରେ ହୋଇଛି । ସେ ଆଖି ବୁଜିଲାରୁ ଆଜି ସିନା ୟା ! ହଉ, ଠାକୁରେ ଅଛନ୍ତି ।

ଉମା କାନ୍ଦ କାନ୍ଦ ହୋଇ ବାଡ଼ିଆଡ଼କୁ ଗଲା । ବାଡ଼ିପଟ ସଜାନାଗଛ ମୂଳରେ ଠିଆହୋଇ ସେ ତା ବାପକୁ ମନେକରି କାନ୍ଦିଲା । ମନ ବୁଝିଗଲାରୁ ଆଖିର ଲୁହ ହାତରେ ପୋଛି ଭାବିଲା, ହଁ, ସେ ଏବେ ତାଙ୍କ ସାହିକି ଖେଳିବାକୁ କାହିଁକି ଯିବ ? ପାଞ୍ଚଘରର ଝିଅଙ୍କ ସଙ୍ଗେ ସାଙ୍ଗସରିସା ହେବ କେଉଁ ମୁହଁରେ ? ଏତେ ବଡ଼ ପରବ, କୁଆଁର ପୁନେଇଁ, ଖଣ୍ଡେ ନୂଆଲୁଗା କିଣିଦେବାକୁ ଦାଦି ଖୁଡ଼ୀଙ୍କର ମନ ହେଲା ନାହିଁ । ସେ ନିଜେ ଯାଇଁ ଦାଦିକି କହିଲା, ବୋଉ ତାର ନେହୁରା ହେଲା । ସେ ପଠାଇ ଦେଲେ ଖୁଡ଼ୀ ପାଖକୁ । ଖୁଡ଼ୀ ଯେ ଆରକ । ମୁହଁ ଶୁଖାଇ କହିଲେ, ଟଙ୍କା କାହିଁ ?

ସବୁ କଥାକୁ ଟଙ୍କା ଅଛି, ତା ପାଇଁ ଲୁଗା ଖଣ୍ଡେ କିଣିବାକୁ ଟଙ୍କା ନାହିଁ ! ବୋଉ ତ ମଲା ସାପ । ଖୁଡ଼ୀର ହାତଟେକାରେ ଥାଏ, ତାଆର କି ଚାରା ? ଗୋଟିଏ ପଇସାକୁ ସଖ୍ୟ ନୁହେଁ । ପସରା ବୁଲେଇ ବିକି ଯେଉଁ ପଇସା ଆଣେ ଦାଦିଖୁଡ଼ୀ କଡ଼ାକ୍ରାନ୍ତି ହିସାବକରି ନିଅନ୍ତି । ହାତ ଖରଚପାଇଁ ପଇସାଟାଏ ମାଗିଲେ ବି ଦେବାକୁ ତାଙ୍କ ମନ ବଳେ ନାହିଁ । ଟିକିଏ ହୋଇ ମୁଲାଇଜା ନ ଥାଏ ।

ଉମା ଉପରକୁ ଚାହିଁଲା । କେଡ଼େ ସୁନ୍ଦର ଆକାଶ, କେଡ଼େ ସୁନ୍ଦର ଜହ୍ନ ! ତାଆର ବାଳିକା ହୃଦୟ ଉଲୁସି ଉଠିଲା । ଗାଁ ଦାଣ୍ତରୁ ଗାଁ-ଭେଣ୍ତିଆଙ୍କ ଛେଲ ଡୁଗ୍‌ଡୁଗ୍‌ ଶବ୍ଦ, ସାହି ଝିଅଙ୍କର ‘‘କୁଆଁର ପୂନେଇଁ ଜହ୍ନ, ପଡ଼ିଥାଏ, ଘନ ଘନ’’, ଗୀତ ଶୁଣି ତାର ଖେଳପ୍ରିୟ ଚପଳ ମନ ଉଚ୍ଛନ୍ନ ହେଲା । କାହାରି କଥା ନ ମାନି ସେ ଖେଳିବାକୁ ଯିବ, ଗାଳିମାଡ଼ ଖାଇଲେ ଖାଇବ ପଛେ ।

ଛି, ଏଡ଼େ ମଇଳା ପୁରୁଣା ଗନ୍ଧ ଲୁଗାପଟା ପିନ୍ଧି ସାହି ଝିଅଙ୍କ ପାଖକୁ ଯିବ କେମିତି ? ଉମା ଲୁଗାକୁ ଚାହିଁ ମୁହଁ ଶୁଖେଇଲା ।

ଉମା !

ପରିଚିତ କଣ୍ଠସ୍ୱର ଶୁଣି ଉମା ପଛଆଡ଼କୁ ଫେରି ଚାହିଁଲା ।

ତୁ ଆସି ବାରିଆଡ଼େ, ମୁଁ ତତେ ଘରେ ଖୋଜୁଛି ? ତୋ ଖୁଡ଼ୀ କାହିଁକି ତୋ ଉପରେ ଆଜି ଭାରି ଖପା । କଅଣ କରିଛୁ କି ? ପଚାରିବାରୁ କହୁଛନ୍ତି, ତାକୁ ମୁଁ ଅଣ୍ଟାରେ ଖୋସିଛି କି ? କହୁ କହୁ ଜଗବନ୍ଧୁ ବାଡ଼ି କବାଟ ପାଖରୁ ଧୀରେ ଧୀରେ ସଜନା ମୂଳକୁ ଆସିଲା । ପଚାରିଲା, ବୋଉ କାହିଁ ?

ସେ ଫେରିନାହିଁ ।

ଫେରିନାହିଁ, ଏତେ ରାତି ହେଲାଣି ? ସଞ୍ଜ ଆଗରୁ ଆମ ଘରକୁ ଯାଇଥିଲା । ମୁଁ ତୋ କଥା ପଚାରୁଥିଲି । ତୁ କାହିଁକି ଆମ ଘରକୁ କେତେ ଦିନ ହେଲା ଯାଇନାହୁଁ ? ବେଣୁ ତତେ ଖୋଜୁଥିଲା ।

ଯିବାକୁ ବେଳ ପାଉନାହିଁ । ଦାଦି ଦେହ ଭଲ ନାହିଁ । ଗାଈଗୋରୁଙ୍କ ଖବର ମୋତେ ବୁଝିବାକୁ ପଡ଼ୁଛି ।

ଆଜି ପରା କୁଆଁର ପୂନେଇଁ ? ତୁ ଖେଳିବାକୁ ଯାଇନୁ ସାହି ପିଲାଙ୍କ ସାଙ୍ଗରେ ? ତୋତେ ଖୋଜା ପଡ଼ିଛି ସେ ସାହିରେ ଝିଏ ଜମା ହୋଇ ଖେଳୁଛନ୍ତି ଦେଖି ଅଇଲି ।

ଦାଦି ଖୁଡ଼ୀ ମୋତେ ଖେଳି ଯିବା ପାଇଁ ମନା କରିଛନ୍ତି ।

କାହିଁକି ଲୋ ?

ଆର ବର୍ଷ କଜିଆ ଲାଗିଥିଲା ପରା !

ତୁ ତ କଜିଆ କରିନୁ । ଆଇଲୁ ତୋ ଖୁଡ଼ୀ ପାଖକୁ ।

ଉମାର ଇଚ୍ଛା ନ ଥିଲା । ଜଗୁ ତାର ହାତ ଧରି ଓଟାରି ଆଣିଲା ଖଞ୍ଜା ଭିତରକୁ । ଜଗୁକୁ ଦେଖି ରେଣୁବୋଉ ଆଗରୁ ଆସି ଦୁଆରେ ଠିଆ ହୋଇଥଲେ । ପଧାନଙ୍କର ପୁଅ । ମନରେ ଭକ୍ତି ପରିବର୍ତ୍ତରେ ଭୟ ଥାଏ । ଜଗୁ ଯେତିକି ଭଲ, ସେତିକି ମନ୍ଦ । ରାଗିଗଲେ କଅଣ ନାହିଁ କଅଣ କରିବ । ଉମାକୁ ସେ ଭଲପାଏ. ଏକା ପେଟର ଭାଇ ଭଉଣୀ ଏମିତି ହେବେନାହିଁ । ଉମାକୁ କିଏ ଗାଳି ଦେଇଛି ଜାଣିଲେ ସେ ମୁହେଁ ମୁହେଁ ଚାରି ପଦ ଝାଡ଼ିଦେବ ।

ଏହି ସବୁ କଥା ଭାବି ରେଣୁବୋଉ ଆଗ ବଳିପଡ଼ି କହିଲେ, ଆରେ ପୁଅ, କହିଲୁ ଭଲା, ଲୁଣ ତେଲ ଟିକେ କିଣିବାକୁ ଘରେ ପାହୁଲାଟିଏ ନାହିଁ । ଅଭାବ ଲାଗି ରହିଛି । ଏଡ଼େବଡ଼ ଦିନଟା ଆଜି, ଉମା ପାଇଁ ଖଣ୍ଡେ ନୂଆ ଲୁଗା ହୋଇପାରିଲା ନାହିଁ । ମଇଳା କୋତରା ହୋଇ ଅଭେକାଙ୍କ ପରି ପରଘରକୁ କେମିତି ଖେଳିବାକୁ ଯାଆନ୍ତା ?

ଜଗୁ ରୁକ୍ଷ ସ୍ୱରରେ କହିଲା, ମୁଁ ସେ କଥା ଜାଣେ । ସବୁ କରିବାକୁ ଟଙ୍କା ଅଛି, ବଣିଆ ଘରେ ତମର କଣ୍ଠି ଗଢ଼ା ହେଉଛି, ତମ ଝିଅପାଇଁ ଅଣ୍ଟାସୂତା ବରଦା ଦିଆ ହୋଇଛି । ଖାଲି ଉମା ପାଇଁ ଚାଖଣ୍ଡେ ନୂଆ ଲୁଗା କିଣିବାକୁ ପଇସା ନାହିଁ । ସେ ତ କାହୁଁ ଅଇଲାଟାଏ !

ରେଣୁବୋଉ କହିଲେ, ଯାହା ଘର କଥା ସିଏ ସିନା ଜାଣେ ।

ଜଗୁ କହିଲା, ଠିକ୍‌ । ବାସୁ ମଉସା ଥିଲେ ଏ କଥା କହିବାକୁ ଜିଭ ଲେଉଟି ନ ଥାନ୍ତା । ସେ ମରିଗଲା ବୋଲି ଆଜି ତା ଝିଅ ଆଖିରେ ଲୁହ । ଏତିକି କହି ଜଗୁ କାଖତଳୁ ଖଣ୍ଡେ ନୂଆ ଶାଢ଼ୀ କାଢ଼ି ଉମାଆଡ଼କୁ ପକାଇଦେଇ କହିଲା, ନେ ଲୋ ଉମା, ପିନ୍ଧିକରି ଜଲଦି ବାହାରିପଡ଼ । ଖଣ୍ଡେ ଲୁଗା ପାଇଁ ତୁ ମନ ମାରି ଘରେ ବସିଛୁ, ମୋତେ ଖବର ଦେଇନୁ । ମିଛଟାରେ କଅଣ ତୋ ବୋଉ ମୋତେ ମାହାର୍ଦ ଦେଇଛି ?

ଉମାର ମଉଳା ମୁହଁଟି ପୁଣି ସଜ ଗୋଲାପ ପରି ଉଜ୍ଜଳ ହୋଇଗଲା । ତାର ସୁନ୍ଦର ଓଠ ଦିଓଟି ହସରେ ପୂରି ଉଠିଲା । ସତରେ ଏକା ଜଗୁଭାଇ ତାକୁ ଭଲପାଏ । ସେ ଲୁଗାଟି ତଳୁ ଉଠାଇ ପିନ୍ଧିବାକୁ ଘର ଭିତରକୁ ଚାଲିଗଲା ।

ରେଣୁବୋଉ ପଚାରିଲେ, ଲୁଗା କେଉଁଠୁ ପାଇଲ ଜଗୁ ?

ଚୋରି କଲି । ତମେ ସେଥିରୁ କଅଣ ପାଇବ ?

ପଧାନେ ଯଦି.... ।

ବାପାଙ୍କ କାନକୁ ଯଦି ଏ କଥା ଯାଏ, ମତେ ଚିହ୍ନଟି ? ମୁଁ କାହାରି ନୁହେଁ । ବାପାଙ୍କୁ ଜବାବ ଦେବା ଆଗରୁ ତମ ଘରେ ନିଆଁ ଲଗାଇବି ଜାଣିଥା ।

ନାଇଁ, ମୁଁ ପଚାରୁଥିଲି ନା ।

ବୁଝିଲ ତ ?

 

ଉମା ନୂଆ ଲୁଗାଟି ପିନ୍ଧି ତରତର ହୋଇ ଆସି ଜଗୁ ପାଖରେ ଠିଆ ହେଲା । ତାର ଅଲରା ମୁଣ୍ତରେ ଫୁର୍‌ଫୁର୍‌ ବାଳ ମୁହଁ ଉପରେ କେରା କେରା ହୋଇ ପଡ଼ିଥାଏ । ଜଗୁ ସ୍ନେହରେ ସେତକ ସଜାଡ଼ୁ ସଜାଡ଼ୁ କହିଲା, ଦେଖିଲ, ଏଥର ଉମା କେଡ଼େ ସୁନ୍ଦର ଦିଶୁଛି । ଗାଁଟା ଯାକରେ ଗୋଟାଏ ଝିଅ ତ ! ତାକୁ ଦେଖି ତମ ପେଟ ପୂରେ ନାହିଁ ।

 

ମୁହଁ ମୋଡ଼ି ସାମାନ୍ୟ ହସି ବିଦ୍ରୂପ କରି ରେଣୁବୋଉ କହିଲେ, ତୋରି ପେଟ ପୂରୁରେ-

 

ଜଗୁ ଗମ୍ଭୀର ହୋଇ ଉମାର ହାତ ଧରି କହିଲା, ଆ ଲୋ ଉମା, ତତେ ଛାଡ଼ିଦେଇ ମୁଁ ଡୁ ଡୁ ଖେଳିବାକୁ ଯିବି । ରେଣୁବୋଉକୁ ଲକ୍ଷ୍ୟ କରି କହିଲା, ମାଉସୀ ଆସିଲେ କହିଦେବ ।

 

ଜଗୁ ପଛେ ପଛେ ଉମା ଗଲା ।

 

ରେଣୁବୋଉ ମନକୁ ମନ ଭୁଟ୍‌ଭୁଟ୍‌ ହୋଇ କହିଲେ, ଏ କିଏରେ ଖଣ୍ତିଆ ଭାଇ ନା ବନ୍ଧୁ-। ଉମାକୁ ଦେଖି ସୁଆଗ ଗଳି ପଡ଼ୁଛି ଆଁ । କିଏ କହିବ ଲୋ ମା, ହୁଣ୍ତାଟାଏ, ସମସ୍ତଙ୍କୁ ଡରେଇ ରଖିଛି ।

 

ଆହୁରି ଦିବର୍ଷ କଟିଗଲାଣି ।

 

ବେଣୁ ଏବେ ବଡ଼ ହେଲାଣି । ପାଞ୍ଚ ଛଅ ବର୍ଷର ପିଲା । ଦେଖିବାକୁ ଡଉଲ ଡାଉଲ ସୁନ୍ଦର ଚେହେରା । ଗୁଲୁ ଗୁଲୁ କଥାଗୁଡ଼ିକ ତା ପାଟିରେ କେଡ଼େ ଭଲ ଶୁଭେ । ବଡ଼ ବିଚକ୍ଷଣ ବୁଦ୍ଧି-। ଗାଁ ଚାହାଳିରେ ବସି ପଢ଼େ । ଛ’ମାସ ହେଲା ପାଠ ଆରମ୍ଭ କରିଛି । ଏ ଭିତରେ ସତରଫଳା ଶେଷ କରି ପାହି ପଣିକିଆ ଅଧା କଲାଣି । ଯାହା ଥରେ ପଢ଼େ ଆଉ ଭୁଲେ ନାହିଁ । ସେଥିପାଇଁ ମାୟାଧର ମାଷ୍ଟ୍ରେ ତାକୁ ଭାରି ଶ୍ରଦ୍ଧା କରନ୍ତି ।

 

ପଧାନ ବୁଢ଼ାଙ୍କର ସେ ପ୍ରାଣ । ହେବାର କଥା । ବଡ଼ ପୁଅ ରଘୁ-ଭେଣ୍ତାପୁଅ, କି ଫୁର୍ତ୍ତି, କି ବୁଦ୍ଧି, କେଡ଼େ, ବିଚକ୍ଷଣ ଟୋକା ! ମୁହୂର୍ତ୍ତେ କେଉଁଠି ଅଳସ ହୋଇ ବସିବ ନାହିଁ । ବାଜେ କଥା, ବୃଥାତର୍କର ପାଖରେ ପଶିବ ନାହିଁ । କାମ, କାମ, ସବୁବେଳେ କାମରେ ମନ । ଚାରିଆଡ଼କୁ ନିଘା-। ସବୁ କଥାରେ ନଜର । ହିସାବପତ୍ର, ଦେଢ଼ି ମହାଜନୀରେ ଭାରି ପକ୍‌କା । ପଧାନେ ଭାବିଥିଲେ, ପୁଅ ଏଥର ମଣିଷ ହେଲା, ତାଙ୍କର ଦୁଃଖ ଯିବ । ହାତକ ଦିହାତ କରି ଦେଲେ । ମା’ ତ ନାହିଁ, ଘର କାମ ଚଳିବ ବୋଲି ଷୋଳ ବର୍ଷର ସୁବର୍ଣ୍ଣ ପ୍ରତିମା ବୋହୂ ରୁକୁଣାକୁ ଘରକୁ ଆଣିଥିଲେ ।

 

ଚାରି ମାସ ପୂରିଲା ନାହିଁ । ତାଙ୍କର ଛାତିରେ ଆଘାତ ଦେଇ ରଘୁ ଚାଲିଗଲା ସାମାନ୍ୟ ଟିକିଏ ଜରରେ । ବେଣୁ ଥିଲା ପେଟରେ । ଯେତେବେଳେ ଘର ଉଜ୍ଜଳକରି ସେ ଜନ୍ମ ହେଲା, ପଧାନେ ପୁଅ ମରିବା ଦୁଃଖ ପାଶୋରିଲେ । ସେଇଥିପାଇଁ ସେ ତାଙ୍କର ଅତି ଆଦରର ଧନ, ଆଖିର ପିତୁଳା । ତାକୁ ଦଣ୍ଡେ ନ ଦେଖିଲେ ସେ ବଣା ହୁଅନ୍ତି । ବେଣୁ ବି ତାଙ୍କୁ ଆଦରି ଥାଏ ।

 

ସେଦିନ ଦିପହରେ ବେଣୁର ଆଖିରେ ଲୁହ ଦେଖି ଜଗୁ ବିସ୍ମିତ ହେଲା । ସେ ପିଲା କାନ୍ଦିବାର ପିଲା ନୁହେଁ । ଦୁଃଖ ଅଭାବ କିଛି ଜାଣେ ନାହିଁ । ତା ମନରେ ଏପରି କଅଣ କଷ୍ଟ ହୋଇଛି ଯେ ଆଖିରେ ଲୁହ ! ଜଗୁ ବନ୍‌ସୀଖଡ଼ାଟା ପୋଖରୀ କୁଳର କଦଳୀ ଗଛକୁ ଆଉଜାଇ ରଖି ବେଣୁକୁ କାଖ କରି ପଚାରିଲା, କାନ୍ଦୁଛୁ କାହିଁକି ବାପ ?

 

ବେଣୁ କିଛି ନ କହି ଟିକି ମୁହଁଟିକି ଦାଦାର କାନ୍ଧ ଭିତରେ ଲୁଚାଇଦେଲା । ଜଗୁ ତାର ମୁଣ୍ତ ଟେକି ଦେଖିଲା, ସତରେ ସେ କାନ୍ଦୁଛି । ସେ ବେଣୁକୁ କଅଁଳେଇ ପଚାରିଲା, କିରେ, ନେତୀ ତତେ କଅଣ କହିଛି କି ? ବେଣୁ ଉତ୍ତରକୁ ଅପେକ୍ଷା ନ କରି କହିବାକୁ ଲାଗିଲା, ଛତରଖାଇର ମୁହଁ ବଢ଼େଇ ଦେଇଛନ୍ତି ବାପା । କିଏ କଅଣ କରିବ ? ନଈଲେ ଦି’ ବିଧାରେ ତାକୁ ସିଧା କରିଦିଅନ୍ତି । ବିଦା ହୋଇ ପଳାଇବାକୁ ତର ସହନ୍ତା ନାହିଁ । ଆଚ୍ଛା ରହ, ଦିନେ ଅନ୍ଧାରିଆ ଦି ପୁଞ୍ଜା ଥୋଉଛି । ବେଣୁକୁ ତଳେ ଓହ୍ଲାଇ କହିଲା, ତୁନି ହ । ଆ, ଆମର ମାଛ ଧରିବା । ଏତିକି କହି ପୁଣି ବନ୍‌ସୀଖଡ଼ା ଉଠାଇ କଣ୍ଟାରେ ଜିଆ ଗୁନ୍ଥିବାରେ ସେ ଲାଗିଗଲା ।

 

ନେତୀ କେତେବେଳୁ ଆସି ଗୋଟାଏ କଦଳୀବୁଦାର ପଛପଟେ ନଇଁପଡ଼ି କଞ୍ଚା କଙ୍କାମରିଚ ତୋଳୁଥିଲା । ଜଗୁର କଥା କାନରେ ବାଜିବାରୁ ସେ ଧୀରେ ଧୀରେ ଆସି ଟୁବ ପାଖରେ ଠିଆ ହୋଇ ପଚାରିଲା, କଅଣ କହୁଥିଲୁ ଜଗୁ ?

 

ଜଗୁ ଜିଭ କାମୁଡ଼ିଲା । ନେତୀ କେତେବେଳୁ ପଛରେ ଠିଆହୋଇ କାନପାରି ସବୁ କଥା ଶୁଣୁଥିଲା । ସର୍ବନାଶ । ସେ ସିନା ପଛରେ ତାକୁ ବାର କଥା କହେ, ସାମନା ଉପରେ ଭରସିକରି କିଛି କହିବାକୁ ସାହସ କରି ପାରେ ନାହିଁ ।

 

ନେତୀ, ଖଣ୍ଡେଇତ ଘର ଝିଅ, ଗରିବ । ରାଣ୍ତୀ ମାଆଟି ତା ହାତକୁ ମୂଲିଆ ମୂର୍ଖ ଦେଖି ଯାହା ହାତରେ ଛନ୍ଦିଦେଇ ନିଶ୍ଚିନ୍ତ ହୋଇ ଆଖି ବୁଜିଲା, ସେହି ଲୋକଟି ଭାରି ନପାରିଲା, ରୋଗା; କାମ ଖୋଜିବାକୁ ଯାଇ କୁଆଡ଼େ ଯେ ରହିଲା, କେହି ସେ କଥା କହିପାରିଲେ ନାହିଁ । ଏ ଆଖି ଲୁହ ସେ ଆଖିରେ ମାରି ଦୁଃଖଧନ୍ଦା କରି ପେଟ ପୋଷିଲା । ଗେରସ୍ତ ଗଲା ବାଟକୁ ଚାହିଁ ବେଳ କାଟିଲା । ମାସେ ଗଲା, ବର୍ଷେ ଗଲା, ଅନଉଁ ଅନଉଁ ପୂରା ପାଞ୍ଚ ବର୍ଷ କଟିଗଲା, ତଥାପି ସେ ଫେରିଲା ନାହିଁ । ଆଉ କେତେଦିନ ଚାହିଁ ବସନ୍ତା ? ମଣିଷ ମନ ! ପେଟ ପୋଷ, ନାହିଁ ଦୋଷ । ପେଟ ବିକଳରେ ଆସି ଦାଣ୍ତରେ ଠିଆ ହେଲା । ସାହା ସମ୍ବଳ କେହି ନାହିଁ । ଚାରିଆଡ଼ ଶୂନ୍ୟ । ସେ ଏକମୁହାଁ ହୋଇ ଚାଲିଲା–

 

ଶେଷକୁ ନରିପୁରର ମହାଜନ ପଧାନଙ୍କର ନଜରରେ ପଡ଼ିଲା ସେ । ସେ କିଛି ବୁଢ଼ା ହଡ଼ା ନୁହେଁ । ବଅସ ଥିଲା ମାଇପିଟା । ଆଖି ସହା ଚେହେରା । କାମଦାମକୁ ସଖ୍ୟ । ତାଙ୍କର ତ ଘର ଭିତରର ଅବସ୍ଥା ଖରାପ । ସ୍ତ୍ରୀ, ଘରର ଘରଣୀ, ଚାଲି ଯାଇଥିଲେ, ବେଶି ବାଧି ନ ଥିଲା ! ରଘୁ ଥିଲାରୁ ଘର କାମରେ ଖଇଚା ହୋଇ ନ ଥିଲା । ଏଣେ ଗେହ୍ଲାପୁଅ ରଘୁର କାଳ ହୋଇଗଲା-। ମୁଣ୍ତରେ ତାଙ୍କର ଚଡ଼କ ପଡ଼ିଲା । ତହିଁରେ ପୁଣି ଲେଖାଯୋଖାର ପିଉସାଝିଅ ଭଉଣୀର ଖୁଡ଼ୁତା ଦେଢ଼ୁତା ଝିଆରୀ ହେବ ଅନୀ, ଚୁଲୀରେ ହାଣ୍ତି ବସାଇ ମୁଠାଏ ଫୁଟାଇ ସେ ଉତାରି ଦେଉଥିଲା । କିଛି ଗୋଟାଏ ଛୋଟ କଥା ନେଇ ତା ସଙ୍ଗେ କଜିଆ ହେବାରୁ ସେ ଚାଲିଗଲା ତା ବାପଘରକୁ ।

 

ଜଗୁଟା ମଣିଷ ହେଲା ନାହିଁ । ଭଲ କଥାଟିଏ କହିଲେ ବୋଲକୁ ବାନ୍ତି କରିବ । ମାନ୍ୟଗଣ୍ୟ ଲୋକ ବାପ, ତାଙ୍କର କଥାକୁ ତେଢ଼ିଦେଇ ବାଁଖାଡ଼ା ଦେଇ ବୁଲୁଥିବ । ବାଜେଣୀ ଘଣ୍ଟା-। ଯେତେ କହିଲେ ଶୁଣିବ ନାହିଁ, କାମ ଚଳେ କେମିତି ? ପଧାନଙ୍କର ଦିନକୁ ଦିନ ବୟସ ଖସୁଛି । ଦେହରୁ ତାକତ କମୁଛି । କାହାକୁ ଗୋଟାଏ ଆପଣାର କରି ନ ରଖିଲେ ଚାରିଆଡ଼ୁ ଦହଗଞ୍ଜ । ବୋହୂ ତ ପିଲା । ତହିଁରେ ପୁଣି ଅସଜ । ପିଲା ବଅସରୁ ମୁଣ୍ତରୁ ସିନ୍ଦୂର ଲିଭାଇ, କାନ୍ଦି କାନ୍ଦି ବେଳ କାଟୁଛନ୍ତି । ତାଙ୍କୁ ଏବେ କହିବ କଅଣ ?

 

ନେତୀ ଆସିଲା । କଥା ଚାରିପଦ ଶୁଣି ପଧାନେ ସନ୍ତୁଷ୍ଟ ହୋଇ ତାକୁ ଘରେ ରାହା ଦେଲେ । ଅଜାତି ନୁହେଁ । ଦାଣ୍ତରେ କେହି ପଦେ ଖୁଣି କହିବାକୁ ବାଟ ପାଇଲେ ନାହିଁ । ନେତୀ ବେଶ୍‌ କାମିକା ଲୋକ । ଦିନ କେଇଟାରେ ସମସ୍ତଙ୍କର ବଡ଼ ପ୍ରିୟ ହୋଇପଡ଼ିଲା । ଏପରିକି ପଧାନେ ବି ତା କଥାରେ ଭୁଲିଲେ । ସେ ଯାହା କହିବ ସେଇଆ । ଧୀରେ ଧୀରେ ଚେର ଲାଗିଗଲା । ଘଟଣାର ଚଳନ୍ତି ବତାସରେ ଟଳି ପଡ଼ିବାର ସବୁ ଭୟ ତାର ଗଲା । ସେ ହେଲା ଘରର ଜଣେ ମାଲିକ । ସବୁ ଚିଜ ପ୍ରତି ଲୋଭ । ସବୁ କଥାରେ ନଜର । ଆଖି ଆଗରୁ କୁଟାଖିଏ କି ଶାଗ କେରାଏ କେହି ନେଇପାରିବ ନାହିଁ । କୋଠିଆ, ଚାକର, ଗଲାଅଇଲା ତାଆରି ସଙ୍ଗେ କଥାଭାଷା । ତାଆରି ପାଖରେ ଓଜନ ଆପତ୍ତି, ଦୁଃଖ ଜଣାଣ । ଏପରିକି ପିଲାଛୁଆଙ୍କଠାରୁ ଆରମ୍ଭ କରି, ନିଜେ ପଧାନ ବୁଢ଼ାଙ୍କର ବି ଦେହମୁଣ୍ତକୁ ସାହା ଏକା ସେଇ, ଗୋଡ଼ଘଷାଠାରୁ ତେଲଲଗା ଯାଏ ।

 

କେତେମାସ କଟିଗଲା । ବେଣୁ ଜନ୍ମ ହେଲା । ନେତୀର ଚେର ମାଟି ଭିତରେ ମାଡ଼ି ମାଡ଼ି ଶେଷକୁ ତା ମୂଳକୁ ଟାଣ କରିଦେଲା । ପଧାନଙ୍କର ଅମାର ଘର, ଟଙ୍କା ବାକ୍‌ସର ଚାବି ତା ହାତକୁ ଆସିଲା । ସେ ହେଲା ଏକ ପ୍ରକାର ଘରର ମୁରବୀ । ତାକୁ ନ ପଚାରି ପଧାନେ କିଛି କରନ୍ତି ନାହିଁ । ତାର ବିନା ପରାମର୍ଶରେ ବାହାରେ କାହାକୁ ପଦେ କହିବାକୁ ସେ ସାହସ କରନ୍ତି ନାହିଁ । ଏହିସବୁ କାରଣକୁ ନେତୀ ବଳ ପାଇଲା, ତାହାର ମୁହଁ ବଢ଼ିଲା । ସାହସ ବଢ଼ିଲା । ବାରବୁଲା କୁକୁରକୁ ମୁହଁ ଦେଲେ ସେ ଆହ୍ଲାଦରେ ମୁହଁରେ ବୋକ ଦେବ । ନେତୀ ତ ଥୋଇଲି ପୋଇଲୀ । ମୁହଁ ପାଇ ନିଜ ପ୍ରକାଶ ନ କରିବ କାହିଁକି ?

 

ବର୍ଷ ପରେ ବର୍ଷ କଟିଗଲା । ସେ ହୋଇଗଲା ଘରର ମାଲିକ । ପଧାନ ବୁଢ଼ା ତା ହାତମୁଠାରେ ରହିଲେ । ସେ ଯାହା କହେ ସେଇଆ । ଯାହା ବୁଝାଏ ସେଇଆ ବୁଝନ୍ତି । ଯେମିତି ନଚାଏ, ସେମିତି ନାଚନ୍ତି । ନେତୀ ଭଲମନ୍ଦରେ, କଥା ଅକଥାରେ ଓଲଟି ଜବାବ ଦିଏ । ଦାଉ ପଡ଼ିଲେ ନାଲିଆଖି ଦେଖାଇ ଚପାଇଦିଏ । ସମସ୍ତେ ସହନ୍ତି । ଜଗୁ ପଛରେ ଗୁଣୁ ଗୁଣୁ ହେଲେ ବି ଆଗରେ କିଛି କହିପାରେ ନାହିଁ । ଧନଦରଦ ସବୁ ତାରି ହାତରେ । ନିଜର ଉପାର୍ଜନ କରିବାର ସାହାସ ନାହିଁ । ଶକ୍ତି ନାହିଁ । ଦରକାର ବେଳେ ନେତୀକୁ ଚାରି ପଇସା ମାଗିଲେ ସେ ନାହିଁ କରେ ନାହିଁ । ବାପାଙ୍କ ଅଜାଣତରେ ଦିଏ । ସେଇଥିପାଇଁ ଜଗୁ ତୁନି ରହେ । ନିଜ କାମ, ନିଜ ଗରଜ ଚଳିଲେ ସେ ଖୁସି ।

 

ସହି ପାରନ୍ତି ନାହିଁ ଏକା ବେଣୁବୋଉ । ଭଲାରେ ଭଲା, ତାଙ୍କରି ଆଗରେ ଶଶୁର କାଲି ତାକୁ ବାଟରୁ ଧରିଆଣି ଘରକାମ କରିବାକୁ ରଖିଛନ୍ତି । ସେ ପୁଣି ଆଜି ପୋଇଲୀଟାର ହାତଟେକାରେ ରହିବେ ? ତାଆରି କଥା ମାନି ଚଳିବେ ? ସେ କଥା ପଟିବ ନାହିଁ । ବେଣୁ ବୋଉ ମୁହେଁ ମୁହେଁ ତାକୁ ବତାନ୍ତି । କଥା ଯାଇଁ କେଉଁଠି ବାଜେ, ସେ କଥା କି ସେ ବୁଝନ୍ତି ? ଏହି କାରଣରୁ ଶଶୁର ତାଙ୍କ ଉପରେ ବିରକ୍ତ । କେବଳ ଏହି କାରଣରୁ ସେ ବେଶି ଦିନ ବାପଘରେ ରହିଥାନ୍ତି, ରହିବାକୁ ଭଲପାନ୍ତି । ଶଶୁରଘରେ ଗୋଡ଼ ଦେଲେ ମିଛଟାରେ ହେଲେ ଖିଟ୍‌ଖାଟ୍‌ ଲାଗିବ, ଘରେ ଅଶାନ୍ତି ବଢ଼ିବ । କାହା କଥା କାହା ଦେହରେ ଯାଏ ନାହିଁ । କିଏ କାହିଁକି କାହାର ବଡ଼ପଣ ସହିବ ?

 

ବେଣୁ ବୋଉ ବାପଘରେ ଅଧିକ ଦିନ ରହନ୍ତି ବୋଲି ଯେ ବୁଢ଼ା ପଧାନଙ୍କ ମନରେ ଦୁଃଖ ହୁଏ ସେ କଥା ନୁହେଁ, ବରଂ ସେ ସେଇଆ ଚାହାଁନ୍ତି । ବେଳ ଯେପରି ପଡ଼ିଲାଣି, ମଣିଟିଏ ପୋଷିଲେ ଯିଏ, ହାତୀଟିଏ ପୋଷିଲେ ସିଏ । ଯାହାର କାମ କରି ଚାରି ପଇସା ରୋଜଗାର କରିବାର କାଢ଼ ନାହିଁ, ଯାହାର ଘରଦ୍ୱାର ହାନିଲାଭ ପ୍ରତି ନଜର ନାହିଁ, ବିନାକାରଣରେ ସେପରି ଲୋକକୁ ପୋଷିବା ଯାହା, ଧାନ ଟୋକେଇ ଖତ କୁଢ଼ରେ ଅଜାଡ଼ିବା ସେଇଆ । ପର ଝିଅ ତ, ଉପରେ ଚଳିଗଲେ ଯାଏ ।

 

ପଧାନେ ତାଙ୍କର ଆଖିର ପିତୁଳା ବେଣୁଟିକୁ ଆଖି ଆଗରୁ ଛାଡ଼ିବାକୁ ରାଜି ନୁହନ୍ତି । ସେଇଥିପାଇଁ ବେଣୁବୋଉ ଅଧେ ଦିନ ବାପଘରେ ରହିଲେ ବି ବେଣୁ ବୁଢ଼ାଙ୍କ ନିକଟରେ ରହେ । ବେଶି କାନ୍ଦକଟା କଲେ କି ଅଝଟ ଲଗାଇଲେ, ମାଆକୁ ଦେଖିବାକୁ ଦିନକ ପାଇଁ ପଠାଇ ପିଲାକୁ ଗୋଡ଼େ ଗୋଡ଼େ ଫେରାଇ ଆଣନ୍ତି । ବେଣୁ ବୁଢ଼ାଙ୍କୁ ଆଦରି ଯାଇଛି । ଫେରି ଆସିବାକୁ ଆପତ୍ତି କରେ ନାହିଁ । ଆପତ୍ତି କଲେ ଶୁଣୁଛି କିଏ ?

 

ବେଣୁବୋଉ ଆଜିକି ଚାରିମାସ ହେବ ବାପଘରକୁ ଗଲେଣି । ତାଙ୍କର ମଲା ହଜିଲା କେହି ଖୋଜନ୍ତି ନାହିଁ । ତିନି ଦିନ ପୂର୍ବେ ଆଗ ବଳିପଡ଼ି ତାଙ୍କ ବାପଘର ଲୋକ ପଠାଇଥିଲେ । ଖବର ଦେଇଥିଲେ, ତମ ବୋହୂକୁ ତମେ ନେଇ ଯା । ବେଉରା ଗଲା । ସବାରି ଗଉଡ଼ ମିଳୁନାହାନ୍ତି, ଦିନବାର ବି ଭଲ ନାହିଁ, ବେଳ ଗଣି କଣ୍ଟ ପଠାଇବେ । ଲୋକ ଫେରିଗଲା ।

 

ସେହି ଦିନରୁ ବେଣୁ ମନରେ ସୁଖ ନାହିଁ । ପିଲା ଲୋକ, ମାଆକୁ ଝୁରୁଛି । ଭରସି କରି କହିପାରୁନାହିଁ । ସେଦିନ ସେ କଅଣ ଭାବିଲା କେଜାଣି ଦିନ ଦି’ ପହରେ ଦାଦାକୁ ଏକୁଟିଆ ଦେଖି କାନ୍ଦି ପକାଇଲା ।

 

ନେତୀର କଥା ଶୁଣି ଜଗୁ କହିଲା, ବେଣୁ କାନ୍ଦୁଛି ବୋଲି ମୁଁ ତାକୁ ଏଣୁ ତେଣୁ କହି ବୁଝାଉଥିଲି । ତୁ ଏଠୁ ଯାଉନୁ ।

 

ନେତୀ ଓଠ ଉପରକୁ ହସଟାଏ ଟାଣିଆଣି କହିଲା, ଭଲରେ ମନ୍ଦରେ ସବୁବେଳେ ତୋର ମୋ ଉପରେ ଅଦଉତି । ମୁଁ ତୋର ସବୁବେଳେ ଶୁଭ ମନାସୁଥାଏଁ । ମୋର ଛାଇ ପଡ଼ିଲେ ତୋର ନାହିଁ ଡିଆଏଁ କାହିଁକି ?

 

ଜଗୁ ଲାଜ ଲାଜ ହୋଇ କହିଲା, ତୁ ଭୁଲ୍‌ ବୁଝିଛୁ ନେତୀ । ପିଲା ଭୁଲାଇବାକୁ କଅଣ ମିଛରେ କହିଦେଲି ବୋଲି ମୋ କଥାକୁ ଧରି ବସିଛୁ !

 

ନେତୀ ଜାଣେ, ଜଗୁ ସୁବିଧା ପାଇଲେ ତାର କହିଲା କାମ କରିବାକୁ ପଛେଇବ ନାହିଁ । ସେ କେତେ ଗୋଳେଇ ପୋଳେଇ ହେଲେ ପଇସା କଉଡ଼ି ଲାଞ୍ଚ ଦେଲେ ଜଗୁକୁ ଆପଣାରେ କରିପାରିଲା ନାହିଁ । ଆଉ ଗୋଟାଏ ବାଟ ଅଛି । ସେ କେତେ ଦିନ ଭାବି ସ୍ଥିର କରିଛି । ମନ କଥା ମନରେ । ଯଦି ତାର ମନ୍ତ୍ର ଲାଖେ, ତେବେ ଏ ପାଖ, ନୋହିଲେ ସେ ପାଖ ।

 

ନେତୀ ଆଖିରୁ ଲୁହ ପୋଛି କହିଲା, ତୋ କଥା ଯଦି ମୁଁ ଧରି ବସୁଥାନ୍ତି, ତେବେ କେବଠୁଁ ଦଉଡ଼ି ଦେଇ ମରନ୍ତିଣି । କାଲିକା ଛୁଆଟା ତୁ, ଦି ବିଧା ମାଇଲେ ମୁଁ ସହିବି । କାହା ଆଗରେ କହିବାକୁ ମୋର ଜିଭ ଲେଉଟିବ ? ତମରି ଜଞ୍ଜାଳ ଯଦି ମୁଁ ନ ସହିବି, ଆଉ ସହିବ କିଏରେ ?

 

ଜଗୁ ମନରେ ଦୁଃଖ ହେଲା । ଆହା ବୃଥାରେ ସେ ତାକୁ ଏମିତି କଥା କହିଲା କାହିଁକି ? ନ କହିଲେ ତ ଚଳିଥାନ୍ତା । କାଲି ସେ ବନସୀକଣ୍ଟା, ଡୋର କିଣିବାକୁ ଚାରି ପଇସା ଦେଇଥିଲା, ବାପା ଜାଣିଥିଲେ ତାକୁ ଆଉ ରଖିଥାନ୍ତେ ? ନା, ସେ ଏପରି କହି ଅନ୍ୟାୟ କରିଛି ! ମନେ ମନେ ଅନୁତାପ କରି ସେ କହିଲା, ମୋତେ କ୍ଷମା କର ।

ନେତୀ ଜାଣେ, ଜଗୁ ବୋଳଝାଞ୍ଜି । କେତେବେଳେ କେଉଁ କଡ଼କୁ ଆଉଜି ପଡ଼େ । ଆଜି ଯଦି ଭଲ ତ କାଲି ପୁଣି ବିଗିଡ଼ି ଗଲା । ସେ ଆଇ କିଛି ନକହି ବେଣୁକୁ କାଖ କଲା । ତାର ଆଖିର ଲୁହ ପୋଛି କହିଲା, ମରିଯାଉଥାଏ ଲୋ, ଦେଖିଲୁ ଛୁଆଟା କେତେ କାନ୍ଦୁଛି । ଆ, ଉମା ତୋ ପାଇଁ ଖଜା ଦେଇଛି, ଚାଲ ଖାଇବୁ । ଏତିକି କହି ନେତୀ ଚାଲି ଯାଉଥିଲା । ଜଗୁ ବନସୀଖଡ଼ା କୂଳରେ ପୋତିଦେଇ ପଛରୁ ଡାକି ପଚାରିଲା, ଉମା ଆସିଛି କି ?

 

ନେତା ବୁଲି ପଡ଼ି କହିଲା, ହଁ ସେ ତା ଅନ୍ଧୁଣୀ ବୋଉକୁ ନେଇ ଉଦୁଉଦିଆ ଦିପହରଟାରେ ଯୋଡ଼ ଆଡ଼େ ଯାଉଥିଲା । ମୋ ହାବୁଡ଼େ ପଡ଼ିଲା ଯେ, ମୁଁ ତାକୁ ଘରକୁ ଡାକି ଆଣିଛି । ସେ ଆସୁଥିଲା କି ? କେତେ ରାଣ ନିୟମ ଦେଇ, ହାତ ଧରି ଟାଣି ଆଣିଛି । ମୁହୂର୍ତ୍ତେ ତୁନିରହି ପୁଣି କହିଲା, ଆହା, ମା ଝିଅ ଦୁହିଙ୍କି ଦେଖିଲେ ଭାରି ବିକଳ ମାଡ଼େ । କଅଣ ପରି ଘର କରୁଥିଲେ । ବାସୁ ଥିଲେ ଆଜି ତାଙ୍କ ଅବସ୍ଥା ଏପରି କାହିଁକି ହୁଅନ୍ତା ? ଯାହା ବା ଥିଲା, କୁଆଡୁ ନିଆଁଲଗା ବସନ୍ତ ଆସି ଉମା ବୋଉର ଆଖି ଦି’ଟା ଚୋରାଇ ନେଲା । ସେହିଦିନରୁ ମା ଝିଅଙ୍କ ଅବସ୍ଥା କହିଲେ ନ ସରେ ! ଏଡ଼େ ବଡ଼ ଟୋକୀଟା, ଦାଦିଖୁଡ଼ୀ ତାକୁ କାମ କରେଇ କରେଇ କୁଜା କରି ଦେଲେଣି । କପାଳ !

 

ନେତୀ ଚୁ ଚୁ କରି ପୁଣି କହିଲା, ଉମାବୋଉ ତତେ ଖୋଜୁଥିଲା ରେ ଜଗୁ ! କାମ ସାରି ବେଳ ପାଇଲେ ଟିକେ ଯିବୁ । ନେତୀ ଚାଲିଗଲା ।

 

ଜଗୁ ମନେ ମନେ କଅଣ ବିଚାରି ପାଣିରୁ ବନ୍‌ସୀ ଉଠାଇ କୂଳରେ ରଖିଲା । ମୁଣ୍ତରୁ ଗାମୁଛା ଖୋଲି ଅଣ୍ଟାରେ ଗୁଡ଼ାଇ ଉମାକୁ ଦେଖିବ ବୋଲି ଘର ଆଡ଼କୁ ଗଲା ।

 

–୩–

 

ଉମା ତା ବୋଉର ହାତ ଧରି ବିଦାୟ ନେଲା ପରେ ଘର ଭିତରେ ସମସ୍ତେ ଚୁପ୍‌ ରହିଲେ । ଦୁଆର ମୁହଁରେ ଦୁଇ ଗୋଡ଼ ଲମ୍ବାଇ ବସି ତଳକୁ ମୁହଁ ପୋତି ନେତୀ ସେହିମାନଙ୍କର କଥା ଭାବୁଥିଲା । ଜଗୁ ମଧ୍ୟ କାନ୍ଥକୁ ଆଉଜି ଉମାର ଗଲା ବାଟକୁ ଚାହିଁ ଭାବୁଥାଏ । ପାଖରେ ବେଣୁ ନ ଥାଏ ।

 

ନେତୀ ଦୀର୍ଘଶ୍ୱାସ ଛାଡ଼ି କହିଲା, ଶୁଣିଲୁରେ ପୁଅ, ଅନ୍ଧୁଣୀ କଅଣ କହିଗଲା ? ଧର୍ମ କେମିତି ସହି ରହିଛି ! ଓହୋ, ଆମ ଦେଖନ୍ତି କଥା, କିଛି ବେଶି ଦିନର ନୁହେଁ । ସେହି ଦିଅର, ସେହି ଜାଆକୁ ସେ ପୁଅଝିଅଠୁଁ ଅଧିକ କରିଥିଲା । ସେହିମାନେ ଏବେ ତାକୁ ବାର ହୀନସ୍ଥା କରୁଛନ୍ତି । ଚାରି ଓଳିରେ ମନ୍ଦାଏ ତୋରାଣି ଦେଉନାହାନ୍ତି ।

 

ଜଗୁ ମୁଣ୍ତ ହଲାଇ ଖାଲି କହିଲା, ହୁଁ । ସେ ଭାବୁଥିଲା ଅନ୍ୟ କଥା, ଉମାର କଥା । ଦିନରେ ଥରେ ହେଲେ ତା ସଙ୍ଗେ ଦେଖାହୁଏ । ଜଗୁକୁ ଦେଖି ସେ ମୁଣ୍ତରେ ଲୁଗା ଦେଇ ସବୁ କାମ ଛାଡ଼ି ପାଖକୁ ଆସେ । ନିଃସଙ୍କୋଚରେ ସେ ଯାହା ପଚାରେ, ଉତ୍ତର ଦିଏ; କିନ୍ତୁ କେବେ ହେଲେ ସେ ତା ଦୁଃଖର କଥା ତା ଆଗରେ କହି ନାହିଁ । ତାକୁ ଦେଖି ମନ ମାରି ମୁହଁ ଶୁଖାଇ ସେ କେବେ ହେଲେ ଚାହିଁ ନାହିଁ । ସବୁବେଳେ ହସ ହସ । ସବୁବେଳେ ଆନନ୍ଦ । ଉମା ତେବେ କଣ ତାକୁ ଧର୍ମର ଭାଇ ବୋଲି ବିଶ୍ୱାସ କରେ ନାହିଁ ? ତାଆରି ଆଗରେ ଦିନେ ପରା ତା ବୋଉ ଜଗୁ ହାତକୁ ମାହାର୍ଦ ଦେଇ ପୁଅ କରିଥିଲା । ତେବେ କାହିଁକି ଉମା ତାକୁ ସବୁ ଲୁଚାଏ ?

 

ନେତୀ ଜଗୁ ମୁହଁକୁ ଚାହିଁ ତାର ମନ କଥା କଅଣ ବୁଝିଲା କେଜାଣି, ଖୁସି ହୋଇ କହିଲା, ପନ୍ଦର ବର୍ଷର ଝିଅ. ଲକ୍ଷ୍ମୀ ପ୍ରତିମା ପରି ରୂପ । ତା ଦିହରେ ହାତ ଦେବାକୁ କେମିତି ତା ଖୁଡ଼ୀର ମନ ହୁଏ କେଜାଣି ? କାମ କରେଇ କରେଇ ମୁଠାଏ ଭଲ କରି ଖାଇବାକୁ ତ ଦିଏ ନାହିଁ-। ଏଡ଼େ ବଡ଼ ଝିଅ, ଚିରା ଲୁଗା ଖଣ୍ଡେ ବେଢ଼େଇ ହୋଇ ପଦାକୁ ବାହାରୁଛି । ତାକୁ ଟିକେ ମାଡ଼ି ପଡ଼ୁନାହିଁ । ତହିଁରେ ପୁଣି ଯାଉଣୁ ଆସୁଣୁ ମାଡ଼ ! ଏତେ ଗୁଡ଼ାଏ ଅତ୍ୟାଚାରର କିଛି ଗୋଟାଏ ପ୍ରତିକାର କରିବ ବୋଲି ଜଗୁ ମନରେ ପାଞ୍ଚୁଥିଲା । ନେତୀର କଥା ଶୁଣି ପଚାରିଲା, ତା ଦାଦି ଏ ସବୁ କିଛି ଦେଖେ ନାହିଁ ?

 

ନେତୀ ହସି ହସି କହିଲା, ମଲାରେ ଚୁଲି ପାଉଁଶ ଦାଦି ! ଗଞ୍ଜେଇ ଚିଲମ ଟାଣି ଟାଣି ତ ସେ ଭୋଳ । ଭାରିଯା ଯାହା କହିବ ସେଇଆ । ନ ଶୁଣିଲେ ଖଡୁଭୂଷା । ଏତେ ବଡ଼ ଝିଅଟାଏ ହେଲାଣି, ଦୁଃଖୀ ରଙ୍କୀ ଘର ଦେଖି ଯେଉଁଠି ହେଲେ ଥୋଇ ଦେଇ ନିଶ୍ଚିନ୍ତ ହେବ କଅଣ, ଓଲଟି ନାଟ ଦେଖୁଛି । ବାର ଲୋକଙ୍କର ବାର କଥା ଶୁଣୁଛି । ଛିଆ ଲୋ !

 

ଜଗୁ ପୁଣି ଭାବିବାକୁ ଲାଗିଲା ।

 

ନେତୀ ମନକୁ ମନ କହିଲା, ଉମା ଯଦି ଆଜି ଗୁଡ଼ିଆ ଘର ଝିଅ ନ ହୋଇ ଖଣ୍ଡେଇତ ଘରେ ଜନ୍ମିଥାନ୍ତା । ପଧାନଙ୍କ କଥାକୁ ମାନୁଛି କିଏ ? ଏ ଘରକୁ ସେ ଏକା ସୁନ୍ଦର ଦିଶନ୍ତା । ଆହା, କି ରୂପ, କି ମିଠା କଥା ! ଗାଁଟାଯାକରେ ଝିଅଟାଏ ତ । ଖତକୁଢ଼ରେ ପଦ୍ମ । ସତେ କି ଚନ୍ଦ୍ରଉଦିଆ-। ଯେମିତି ସୁନ୍ଦର ସେମିତି ସୁଲକ୍ଷଣୀ । କାମଧନ୍ଦା ତ ହାତ ଆଗରେ । କଅଣ ହେବ, ଜାତିଆଣ କଥା....-

 

ଜଗୁ କଅଣ ଭାବୁଥିଲା କେଜାଣି, ଅନ୍ୟମନସ୍କ ହୋଇ କହି ପକାଇଲା, ହଁ ଜାତିଆଣ କଥା ।

 

ନେତୀ ଉତ୍ସାହିତ ହୋଇ କହିଲା, ଏବ କାଳକୁ କିଏ ମାନୁଛି ଜାତି ? ମନ ରାଜି ଥିଲେ, ପାଞ୍ଚ ଲୋକଙ୍କ କଥାକୁ ଶୁଣୁଛି କିଏ ? ହାତରେ ଧନ ଥିଲେ ଜାତି ଆସି ଗୋଡ଼ତଳେ ମୁଣ୍ତ ମାରିବ-। ତେବେ, ଏତେ ବଡ଼ କଥାଟା ପଧାନଙ୍କର ଆଖି ସହିବ ନାହିଁ । ମରହଟି ଲୋକ ! ନିଜର ଦେଖିଲା କାମ ନିଜେ କରିଗଲେ ଗଲା ।

 

ଜଗୁ କଅଣ ଭାବି ନେତୀ ମୁହଁକୁ ଚାହିଁଲା । ସେ ଯେ ଉପହାସ କରୁନାହିଁ, ଏହି କଥା ତାର ଗମ୍ଭୀର ମୁହଁ ଓ ସଜଳ ଆଖିପତାରୁ ବୁଝିପାରି ସେ ବୁଲିପଡ଼ି ଚାଲି ଯାଉଁ ଯାଉଁ କହିଲା, ମୁଁ ଆସୁଚି ।

 

ନେତୀ ମନେ ମନେ ଖୁସି ହୋଇ ଭାବିଲା, ମନ୍ତ୍ର କାଟୁ କରିଛି ।

 

ଉମାବୋଉର ଦୁଃଖ କାହାଣୀ, ତହିଁରେ ପୁଣି ନେତୀର ଟୀକା ଟିପ୍‌ପଣୀ ଶୁଣି ଜଗୁ ଉତ୍ତେଜିତ ହୋଇଥିଲା । ଗାଁ ଦାଣ୍ତକୁ ଆସି ସେ ପ୍ରଥମେ ବିଚାରିଲା, କଅଣ କରିବ ? ଉମାର ଦାଦିଖୁଡ଼ୀଙ୍କ ଉପରେ ତାର କି ଅଧିକାର ଅଛି ଯେ ସେ ତିଆରି କହିବ ? ଅନୁରୋଧ କରି ନେହୁରା ହୋଇ କହିଲେ ତା କଥା ସେମାନେ ଶୁଣିବେ କାହିଁକି ? ବରଂ ବାର କଥା ଭାବି ହସିବେ-। ନ କହିଲେ ନ ଚଳେ । ନିରୀହ ପ୍ରାଣୀ ଦିଓଟି ! କେତେ ଦିନ ଆଉ ତାଡ଼ନା ସହି ବଞ୍ଚି ରହିବେ ? ଏତେ ବଡ଼ ଗାଁଟା ! ଭଲରେ ପଦେ କେହି ହେଲେ କହୁ ନାହାନ୍ତି ?

 

ଏହିପରି କେତେ ବିଚାରି ସେ ଆସି ଗୁଡ଼ିଆଘର ଆଗରେ ମିଳିଲା । ଦାଣ୍ତ କବାଟ ବନ୍ଦ ଥିଲା । ତଥାପି, ସେ ଜଞ୍ଜିର ହଲାଇ ଗୋବିନ୍ଦ ସାଉର ନାଁ ଧରି ଡାକିଲା । କାହାରି ଜବାନ ନ ପାଇ ପିଣ୍ତା ଉପରୁ ଓହ୍ଲାଇ ଫେରି ଆସିବାକୁ ପାଞ୍ଚୁଛି, ଗାଁ ଦାଣ୍ତରେ ଚାଲି ଯାଉଁ ଯାଉଁ ମୋତିମା କହିଲା, ଆରେ ପୁଅ, ଗୋବିନ୍ଦାକୁ ଖୋଜୁଛୁ ? ସେ ପରା ପରିଆ ଦୋକାନରେ ବସି ଗଞ୍ଜେଇ ଟାଣୁଛି । ଛାଡ଼ ତା କଥା । ଏଡ଼େ ବଡ଼ ଭେଣ୍ତାଟା । ଧୂଆଁ ଫୁଙ୍କି ଫୁଙ୍କି କଣ୍ଟା ଦୋହଲିଲାଣି । ଜାଣି ଜାଣି ମଣିଷପଣିଆରୁ ରହିଲାଣି । ତା ସାଙ୍ଗରେ ସାଙ୍ଗ ହୁଅନା ଟି ! ଆଗରୁ କହୁଛି, ସାନକୁହା ମାନ ।

 

ଜଗୁ ମୋତିମା କଥା ଶୁଣି କହିଲା, ନାହିଁ ମୁଁ ତା ପାଖକୁ ଆସିନାହିଁ । ଏତିକି କହି ସେ ବାରିବାଟେ ବୁଲିଗଲା । ବାରି କବାଟ ମୁକୁଳା ଥିଲା । ସେ କାହାକୁ ନ ଡାକି ଘର ଭିତରକୁ ପଶିଗଲା । ଗୁଡ଼ିଆଘର, ମୁଢ଼ି ଉଖୁଡ଼ା, ଖଜା, ମୁଆଁର ସବୁବେଳେ କାରବାର । ଖରିଦ କରିବାକୁ ଗାଁ ଲୋକେ ବରାବର ଯା ଆସ କରନ୍ତି । କିଏ ମନା କରିବ ?

 

ଉମାବୋଉର ଆଖି ଗଲାଦିନୁ ସବୁ କାମ ରେଣୁବୋଉ ହାତରେ କରନ୍ତି । ଉମା ସାହାଯ୍ୟ କରେ, କିନ୍ତୁ ବିକାକିଣା କାମ ରେଣୁବୋଉ ଛଡ଼ା ଆଉ କେହି କରନ୍ତି ନାହିଁ । ଜଗୁ ଖଞ୍ଜା ଭିତରକୁ ଯାଇ ଦେଖିଲା, ରେଣୁବୋଉ ପଛପାଖ ଚାଳିରେ ବସି ମୁଢ଼ିମୁଆଁ ତିଆରି କରୁଛନ୍ତି । ତାଙ୍କ ପଛରେ ବସି ରେଣୁ ଗୋଟାଏ ମାଟି କଣ୍ଢେଇ ଧରି ଖେଳୁଛି ।

 

ମଣିଷର ଉତ୍ତେଜନା, ମଣିଷର ରାଗ ପରୋକ୍ଷରେ ଯେପରି ତେଜିଉଠେ, ଆଗକୁ ଆସିଲେ ତାରିହଟା ସେତିକି କମିଆସେ । ଜଗୁ ଯେପରି ଉତ୍ତେଜିତ ହୋଇ ଘରୁ ବାହାରିଥିଲା, ଭାବିଥିଲା, କିଛି ଗୋଟାଏ କରିବ । ଗୋବିନ୍ଦ ସାହୁର ଘରେ ପାଦ ଦେଇ ସବୁ ପାସୋରି ଗଲା ।

 

ପଚାରିଲା, ଗୋବିନ୍ଦ ମଉସା କାହାନ୍ତି କି ?

 

ରେଣୁବୋଉ ପଛକୁ ଫେରି ଚାହିଁ ଜଗୁକୁ ଦେଖି ଓଠ ନେଫେଡ଼ି କହିଲେ, କେଜାଣି ? କାହିଁକି ?

 

କଥା ଥିଲା ।

 

ରେଣୁବୋଉ ଉତ୍ତର ନ ଦେଇ ମୁଆଁ ବଳାରେ ମନ ଦେଲେ । ଜଗୁ ପଚାରିଲା, ସେ କେତେବେଳେ ଫେରିବେ ?

 

ଜଗୁଆଡ଼କୁ ପଛ କରି ମୁଆଁ ଗଢ଼ୁ ଗଢ଼ୁ ରେଣୁବୋଉ କହିଲେ, ମୋତେ କହି ଯାଇ ନାହିଁ-। ତାକୁ ସବୁ ଖେଳ ପରି ଲାଗିଛି । ଯେଉଁଠି ଯାହା ଲୁଚେଇ ସଞ୍ଚି ରଖିଲି, କେମିତି ସେ ଗନ୍ଧ ପାଏ କେଜାଣି ମୂଷା ପରି ସବୁ ଗୁଳୁଗୁଳୁ କରି ବୋହିନେଇ ପରିଆ ଦୋକାନରେ ଦେଇ ଗଞ୍ଜେଇ ଖାଉଛି । ତା ଜାଳାରେ ମୁଁ ଆଉ ଚଳିପାରିବି ନାହିଁ । ବିଲରେ ଫସଲ ମଲା । ଘରେ ଯାହା ଧାନ ଅଛି ଖାଇଦେଲେ ମାସକୁ ନିଅଣ୍ଟ । ପିଲାଛୁଆଙ୍କ ମୁହଁରେ ଢୋକେ ଢୋକେ ତୋରାଣି ଦେଇ ତାଙ୍କୁ ଏପରି ଅସମୟରେ କେମିତି ବଞ୍ଚେଇ ରଖିବା, ସେଥିର କିଛି ବନ୍ଦୋବସ୍ତ ନ କରି କହିଲେ ପିଠି ଆଡ଼େଇ ଚାଲିଯାଏ । ଆଉ ଏ ମା ଝିଅଙ୍କ ଗଉଁକୁ ଲଙ୍ଗଳ ଦଉଡ଼ା ପାଇବ ନାହିଁ ।

 

ଜଗୁ ସେମାନଙ୍କ ବିଷୟରେ କଥା ଉଠାଇବାର ସୁବିଧା ପାଇଲା । ପଚାରିଲା ଉମା କାହିଁ କି ?

 

ତାଆରି ପାଖରେ ତମର କାମ ଅଛି ପରା ? ଏତିକି କହି ହସିବାକୁ ଲାଗିଲେ ।

 

ତାଙ୍କ ହସ ଦେଖି ଜଗୁ ବିବ୍ରତ ହୋଇପଡ଼ିଲା । ତାର ମନ ଯେଡ଼େ ପବିତ୍ର ଥିଲେ ବି ଗାଁ ଭେଣ୍ତିଆଏ ଏହି ଉମା କଥା ନେଇ ପରିହାସ କରି ତାକୁ ପଦେ ଅଧେ କହନ୍ତି । କହିବାର କଥା । ଝିଅ ବଡ଼ ହୋଇ ଘରେ ରହିଲେ ଗନ୍ଧ । ତହିଁରେ ପୁଣି ଉମାର ବଅସ ଟିକେ ବଳେଇଗଲାଣି । ବାପ ଛେଉଣ୍ତ । ମା ଅନ୍ଧୁଣୀ । ଯେତେ ରାମ୍ପି ବିଦାରି ହେଲେ କିଏ ଶୁଣୁଛି ? ଏଣ୍ତୁଅ ଧାଉଡ଼ି କିଆ ବାଡ଼କୁ । କହି କହି ସେ କହିବେ ଗୋବିନ୍ଦାକୁ ନୋହିଲେ, ତାଙ୍କର ବାଘୁଣୀ ଜାଆକୁ । ଗୋବିନ୍ଦଟା ମଣିଷ ନୁହେଁ । ଜାଆ ଠାକୁରାଣୀଙ୍କ କଥା ଛାଡ଼ ! କିଏ ଉମା ପାଇଁ ବର ଘର ଖୋଜିବ ? ଜଗୁ ଟିକିଏ ପଚରା ଉଚୁରା କରେ । ଉମା ତାର ଆଗରେ ହୁଏ । ଭାଇଭଉଣୀ କରି ତା ସଙ୍ଗେ କଥାଭାଷା କରେ । ଏହାହିଁ ଲୋକଙ୍କର ପରିହାସର କାରଣ । ସେମାନେ ଜାଣନ୍ତି ନାହିଁ, ଉମାବୋଉ ତାକୁ ମାହାର୍ଦ୍ଦ ଦେଇ ପୁଅ କରିଛି । ସେ କାହାକୁ କହିବାକୁ ଯିବ କାହିଁକି ? ତା ମନଟା ନିର୍ମଳ !

 

ଜଗୁ ରାଗ ଚାପିନେଇ କହିଲା, ନା, ତା ପାଖରେ କାମ ନାହିଁ । କାମ ତମରି ପାଖରେ-

 

ରେଣୁବୋଉ ହସି ହସି ଆଗ ପରି ପରିହାସରେ କହିଲେ, ମୋ ଠେଇଁ କି କାମ ବା ? ମୁଁ ତ ଚହଟ ଚିକଣ ଛଇ ଛଟକୀ ଟୋକୀ ନୁହେଁ । ଆଉ କଅଣ କହିବାକୁ ବସିଥିଲେ, ଫେରିଚାହିଁ ଜଗୁର ଗମ୍ଭୀର ମୁହଁ, ନାଲି ଆଖି ଦେଖି ଭୟରେ ତୁନି ହେଲେ । ଟିକିଏ ରହି କଥାର ସୁଅ ବଦଳାଇ କହିଲେ, ପଧାନେ ପରା ତମ ପାଇଁ କେଉଁଠି କନିଆଁ ଖୋଜୁଥିଲେ ? ଏ ସାଲେ ନିମିତ୍ୟ କରିବେଟି ? ପୁଅ ଆସି ଭେଣ୍ତା ହେଲା, ଆଉ ବସିଛନ୍ତି କାହିଁକି ? ବେଳ ବଅସ କଅଣ ବସିଛି ?

 

ରେଣୁବୋଉଙ୍କର କଥା ଶୁଣି ଜଗୁର ହାଡ଼ରେ ନିଆଁ ଲାଗିଲା । ସେ ପିଲାଛୁଆ ନୁହେଁ ଯେ କଥାଟାକୁ ବାଁରେଇ ଦେଇ ଚଳାଇ ନେବାକୁ ବସିଲେ ଭୁଲିଯିବ । ରେଣୁବୋଉଙ୍କ ମନରେ କଅଣ ଅଛି, ସେ କଅଣ ମନେ କରୁଛନ୍ତି କି ? ସେ କଅଣ ଜଗୁକୁ ଚିହ୍ନନ୍ତି ନାହିଁ ? ସେ କାହାର ନୁହେଁ ।

 

ଜଗୁ କହିଲା, ରଖ ରଖ ତମ ଭଲେଇପଣ । ଜଗୁର ବାହାଘର ହବ କି ନ ହେବ ସେ ଖବର ବୁଝିବା ଆଗରୁ ନିଜ ଖବର ବୁଝ । ଉମାକୁ ଆସି...... ।

 

ରେଣୁବୋଉ କହିଲେ, ମଲାମୋର, ସବୁବେଳେ ଖାଲି ସେଇ ଉମା ଉମା ।

 

ଜଗୁ ଆହୁରି ତେଜି ଉଠି କହିଲା, ବାସୁ ସାହୁର ସବୁ ସମ୍ପତ୍ତି ଭୋଗ କରି ତା ଅନ୍ତେ ତା ପିଲା ମାଇପଙ୍କୁ ଚାରି ଓଳିରେ ମନ୍ଦାଏ ପେଜ ଦେଉନାହିଁ । ଗାଁ ଲୋକେ କଅଣ ଏ କଥା ଦେଖୁନାହାନ୍ତି ନା ଜାଣୁନାହାନ୍ତି ? ଉମା ଏଡ଼େ ହେଲାଣି, ତା ପାଇଁ ବରଘର ଖୋଜିବାକୁ ମନ ଦେଉନା । ଏଇଥିରୁ ତମ ମଣିଷପଣିଆ, ଭଲଲୋକୀ ଜଣା ଯାଉନାହିଁ ଯେ ?

 

ରେଣୁବୋଉ ଥଟ୍ଟା କରି କହିଲେ, ଓହୋ, ବାସୁ ସାହୁର ଭେଣ୍ଡା ପୁଅ ଆସିଗଲେ ପରା-?

 

ଜଗୁ କହିଲା, ତା ହୋଇଥିଲେ କେବେଠୁ ତମ ବେକରେ ଧକ୍‍କା ଦେଇ ଗାଁ ସୀମା ପରି କରି ଦେଇ ଆସନ୍ତିଣି । ଆଜି ଜିଭ ଲେଉଟାଇବାକୁ ଏଠି ନ ଥାନ୍ତ ।

 

ରେଣୁବୋଉ କହିଲେ, କିରେ ଖଣ୍ତିଆ, କଅଣ ବଢ଼ି ବଢ଼ି କଥା କହୁଛୁ ? କାହା ମୁହଁ ପାଇଛୁ ? ହଇରେ ! ଆସୁ ସେ ଚୁଲିପଶୀ ଆଜି । ମୁଁ କହୁଛି, ପହରେ ହେଲା ଗଲାଣି, କୁଆଡ଼େ ରହିଲା ? ସେ ଯାଇଁ କାହା ଘରେ ପଶି ମୋରି ଅବିଗୁଣ ଗାଉଛି । ମା ରାଣ୍ତ ତହୁଁ ବଳି । ଆସୁ ସେ ଆଜି, ଏଇ କାଠଫାଳିଆରେ ତାର ମୁହଁ ଭାଙ୍ଗୁଛି ! ତୁ, ଯା ଯା, ଯିବୁଟି ମୋ ଘରୁ, ଯିବୁଟି ।

 

ଏତେ ଅପମାନ ଏତେ ଧିକ୍‌କାର ସହି ତୁନି ହୋଇ ଜଗୁ ଫେରିବା ପିଲା ନୁହେଁ । ଥରେ ରାଗିଗଲେ ତାକୁ ତିନିପୁର ଅନ୍ଧାର ଦିଶେ । ଭଲମନ୍ଦ ଜ୍ଞାନ ରହେ ନାହିଁ । କଥା ଅକଥା ବୁଝିବାକୁ ତର ସହେ ନାହିଁ । ମୁଣ୍ତକୁ ରକ୍ତ ଚଢ଼ିଯାଏ ।

 

ରେଣୁବୋଉ କଥା ଶୁଣି ସେ ଖଣ୍ଡେ କାଠଫାଳିଆ ଧରି ଚମକି ଯାଇ କହିଲା–କାହାକୁ କଅଣ କହୁଛୁ ? ଏଇଖିଣା ଦେଖିବୁ ? କହି ସେ ଓଠ କାମୁଡ଼ି କାଠଫାଳିଆ ମୁଣ୍ତ ଉପରକୁ ଟେକିଲା ।

 

ରେଣୁବୋଉ ପ୍ରମାଦ ଗଣିଲେ । ସେ କଣ ଜାଣିଥିଲେ, ଜଗୁ ଏପରି ହଠାତ୍‌ ରାଗିଯାଇ ମାରିବାକୁ ଧାଇଁ ଆସିବ ? କହୁ କହୁ କଅଣ ସିନା କହି ପକାଇଲେ । ଜଗୁର ବିଶ୍ୱମୂର୍ତ୍ତି ଦେଖି ତାଙ୍କର ଜ୍ଞାନ ହଜିଗଲା । ହୁଣ୍ତାଟା, ଦୁଇ ପାହାର ପକେଇଲେ କିଏ ଅଛି ପିଠିରେ ପଡ଼ିବ ? ସେ ଭୟରେ ରେଣୁକୁ କାଖ କରି କାନ୍ଥ କଡ଼କୁ ଘୁଞ୍ଚି ଠିଆ ହେଲେ । ଦେହ ଗୋଟାଛାଏଁ ଥରୁଥାଏ । ତୁଣ୍ତରୁ କଥା ବାହାରିଲା ନାହିଁ ।

 

ରାଗ ଯେ ବ୍ରହ୍ମଚଣ୍ତାଳ । ଯେତେବେଳେ ଜଗୁ ରାଗରେ ଦାନ୍ତ ଚିପି ରେଣୁବୋଉଙ୍କ ଆଡ଼କୁ ଚିହିଙ୍କିଗଲା, ଉମା ପଛଆଡ଼କୁ ଧାଇଁଆସି ତାର ହାତ ଧରି ପକାଇଲା । ଜଗୁ ପଛକୁ ଚାହିଁବାରୁ ଉମା ତାର ଖୁଡ଼ୀ ପାଖକୁ ଘୁଞ୍ଚିଯାଇ ବଡ଼ କରୁଣ ସ୍ୱରରେ କହିଲା, ଛିଃ ଏ କଅଣ ଜଗୁଭାଇ ? ଏ କଅଣ ?

 

ଜଗୁ କହିଲା, ଆଗରୁ ଉଠ ଉମୀ ।

 

ସେ ଆହୁରି ପାଖକୁ ଘୁଞ୍ଚି ଆସିଲା । ଉମା ବାହୁ ଦିଓଟି ଉପରକୁ ଟେକି କହିଲା, ମୋ ରାଣ ଜଗୁଭାଇ, ଘୁଞ୍ଚିଯାଅ । ଏ କଅଣ ? ତାର ଦୁଇ ଆଖିରେ ଲୁହ ଢଳ ଢଳ ହେଲା । କହିଲା, ଘୁଞ୍ଚିଯାଅ ଜଗୁଭାଇ ନୋହିଲେ ମୋଓରି ମୁଣ୍ତରେ....... । ଆଉ କହିପାରିଲା ନାହିଁ । ଦୁଃଖରେ, କ୍ଷୋଭରେ ତାର ଗୋଲାପୀ ଓଠ ଦିଓଟି ଥରି ଉଠିଲା । ମନ୍ତ୍ରମୁଗ୍‌ଧ ପରି କ୍ଷଣକାଳ ଜଗୁ ଉମାର କରୁଣା ମୂର୍ତ୍ତିକୁ ଚାହିଁରହିଲା । ଯାହା ପାଇଁ ସେ ଆଜି ଏତେ ବଡ଼ ଅନ୍ୟାୟ କରିବାକୁ ଯାଉଛି, ସେହି ସେ ଉମା !

 

ଫୁଟିଲା ଚମ୍ପାଫୁଲ ପରି ତୋରା ଦେହଟି, ସତେ କି ବିଜୁଳୀ ପରି ଚଞ୍ଚଳ ହୋଇଉଠିଲା କ୍ଷଣକ ପାଇଁ । ଦେହସାରା ଆଦ୍ୟ ଯୌବନର କୋମଳ ଶ୍ରୀ ଖେଳି ଯାଉଛି । ସୁନ୍ଦର ପୂରିଲା ମୁହଁଟିରେ ସଦ୍ୟଫୁଟା କନିଆର ଫୁଲର ଦୀପ୍ତ । କେଡ଼େ ଗମ୍ଭୀର । ବିସ୍ମୟ ବିସ୍ପାରିତ ଆଖି ଦିଓଟିରୁ ଫୁଟି ଉଠିଛି ନିରୀହତା, ଝରି ପଡ଼ୁଛି ଅଶ୍ରୁକଣା । ଭୟରେ ଭ୍ରୂଲତା ଦିଓଟି ଉପରକୁ ଉଠୁଛି । କପାଳ ରେଖାଙ୍କିତ ହୋଇଛି । ବାହୁ ଦୁଇଟି ତୋରଣ ପରି ମୁଣ୍ତ ଉପରକୁ ଟେକି, ଲୀଳାୟିତ ଗତିରେ ପୁଣି ତଳକୁ ଆଣି ସେ ଯେତେବେଳେ ତାର କୋମଳ ଓଠ ପାଖୁଡ଼ା ଦିଓଟି ଥରାଇ ଭଙ୍ଗାସ୍ୱରରେ କହିଲା, ଏ କଅଣ କରୁଛ, ଜଗୁଭାଇ, ଛି..... ।

 

ଜଗୁ ମୁଗ୍‌ଧ ଆଖିରେ ତାର ସେ ଶୋଭାସମ୍ପଦକୁ ଚାହିଁଲା । ପର ମୁହୂର୍ତ୍ତରେ କଅଣ ଭାବି ଆଖି ତଳକୁ କଲା । ଶିଥିଳ ହାତମୁଠା ଭିତରୁ କାଠଖଣ୍ତି ତଳେ ଖସିପଡ଼ିଲା ।

 

କ୍ଷଣକ ପରେ ଜଗୁ ପୁଣି ମୁହଁ ଟେକିଲା । ଆଖି ଦିଓଟି ଉମାର ମୁହଁରେ ନ୍ୟସ୍ତ କଲା । ଉମାର ଆଖି ଲୁହରେ ପୂର୍ଣ୍ଣ । ନାକପୁଡ଼ା ଫୁଲି ଫୁଲି ଉଠୁଛି ।

 

ତଳକୁ ଚାହିଁ ଉମା କହିଲା, ଯାଅ, ଜଗୁଭାଇ ! ତମେ ଏଠୁ ଚାଲିଯାଅ ।

 

ଜଗୁ କିଛି କହିଲା ନାହିଁ, କିଛି କହିପାରିଲା ନାହିଁ । ଉମାର ଆଦେଶ ଭାଙ୍ଗିବା ଯେପରି ତା ପକ୍ଷରେ ଅସମ୍ଭବ । ସେ ଛୋଟ ପିଲାଟି ପରି ଧୀରେ ଧୀରେ ଗୋବିନ୍ଦ ସାହୁର ଘର ଛାଡ଼ି ପଦାକୁ ବାହାରି ଆସିଲା ।

 

–୪–

 

ଅଠରଶ ଛଅଷଠି ସାଲ ମେ ମାସ ପନ୍ଦର ତାରିଖ ।

 

ଗାଧୁଆବେଳ ଗଡ଼ିଗଲାଣି । ବୈଶାଖର ତତଲା ବାହା ଦୟାନଦୀ ଉପରୁ ବାଲିକଣା ଉଡାଇ ଗାଁଯାକ ବିଛେଇ ଦେଉଛି । ନଈକୁଳ ବଡ଼ ଆମ୍ବତୋଟାରେ ମାଙ୍କଡ଼ଗୁଡ଼ା ଖେଁ ଖାଁ ଦେଉଛନ୍ତି । ତଳେ ଏକା ଜଗୁ । ହାତରେ ଛିଟକିଣୀ, ସେମାନଙ୍କୁ ହୁରୁଡ଼େଇବାରେ ବ୍ୟସ୍ତ । ଯେତେ ଟେକା ମାରିଲେ ଶୁଣୁନାହାନ୍ତି । ଏ ଗଛରୁ ସେ ଗଛକୁ ଡେଇଁ ଦାନ୍ତ ଦେଖାଇ ତାକୁ ଗୋଡ଼ାଇ ଆସୁଛନ୍ତି । ଜଗୁ ଛାଡ଼ିବାର ପିଲା ନୁହେ । ସେ ଦ୍ୱିଗୁଣ ଉତ୍ସାହରେ କୁହାଟ ମାରି ସେମାନଙ୍କୁ ଟେକା ଫୋପାଡ଼ିବାରେ ବ୍ୟସ୍ତ । କଅଣ କରିବ, ଏକୁଟିଆ, ଶେଷକୁ ସେ ଥକିଯାଇ ଗୋଟିଏ ଗଛକୁ ଆଉଜି ଠିଆହେଲା ।

 

ନଈକୁଳରୁ ଗାଁ ଭିତରକୁ ବାଟ ପଡ଼ିଛି ତୋଟା ମଝିରେ । ତୋଟା ପାଖରୁ ନଈକୁଳ ଗଦାଏ ବାଟ । ମଝିରେ ପୁଣି ଉଚ୍ଚ କିଆବାଡ଼ । ତୋଟା ଭିତରକୁ ନ ଆସିବାଯାଏ ଆସିବା ଲୋକ ଦେଖାଯାଏ ନାହିଁ ।

 

ଜଗୁ ଠିଆ ହୋଇ ଗଛ ଉପରକୁ ଚାହିଁ ମାଙ୍କଡ଼ ଉଣ୍ତୁଛି । ତା କାନରେ କାହାର ଥିରି କଥା ବାଜିଲା, ବୋଉ ମ, ମୋ ପାଇଁ ତୁ ଦୁଃଖ କରିବୁ ନାହିଁ । ଠାକୁରେ ଯେତେବେଳେ ଯାହା କରୁଛନ୍ତି, ସେଥିରେ ମଣିଷର କି ଚାରା ଅଛି ? ଯାହା ଭାଗ୍ୟରେ ଥିବ ।

 

ଆଲୋ ମା, ମୋରି ପାଇଁ ତୁ ଦହଗଞ୍ଜ । ମୁଁ ତୋର ବୋଝ । ମୁଁ ଯଦି ମରନ୍ତି..... ।

ସେକଥା କହନା ବୋଉ..... କେଡ଼େ କରୁଣ ସ୍ୱରରେ ସେ କହିଲା ।

 

ମୁଁ ଯଦି ମରନ୍ତି, ତୋତେ ତିନି ଓଳିରେ ତୋରାଣି ଟୋପାଏ ଦେବାକୁ ହେଲେ ତାଙ୍କ ମନ ତଟନ୍ତା । ଏପରି ଉପାସ ଭୋକରେ କେତେ ଦିନ ଚଳିବ ?

 

ଆମେ କିଛି ଏକା ଉପାସ ରହୁନୁ । ଗାଁରେ ଅଧେ ଲୋକଙ୍କର ବର୍ତ୍ତମାନ ସେହି ଅବସ୍ଥା-। ବାଉରିସାହିଆ ତ କଇଁମୂଳ, ଘାସପତ୍ର ସିଝେଇ ସିଝେଇ କିଛି ଦିନ ଖାଇ ଚଳିଗଲେ । ଏବେ ସେତକର ଅଭାବ ହେଲାରୁ ପିଲାଛୁଆ ଘେନି କୁଆଡ଼େ ପଳେଇଲେଣି ।

 

ହୁଁ ।

 

କହୁ କହୁ ମା ଝିଅ ଦିହେଁ କିଆବାଡ଼ କଡ଼ ଦେଇ ତୋଟା ଭିତରକୁ ପଶିଲେ । ଜଗୁ ଅଣଆଡ଼ିଆ ହୋଇ ଗଛ ଉହାଡ଼ରେ ଥିବାରୁ ତାକୁ ଉମା ଦେଖିପାରିଲା ନାହିଁ । ସେମାନେ ଟିକିଏ ଆଗକୁ ଚାଲିଯିବାରୁ ଜଗୁ ଗଛଉହାଡ଼ରୁ ଧୀରେ ଧୀରେ ବାଟକୁ ଆସି ତାଙ୍କର ପଛେ ପଛେ ଚାଲିଲା । ଉଦ୍ଦେଶ୍ୟ, ସେମାନେ କଅଣ କଥାଭାଷା ହେଉଛନ୍ତି, ଶୁଣିବ ।

 

ଉମା ଆଗରେ ଚାଲିଛି । କାଖରେ ଗୋଟିଏ ମାଠିଆ । ସୁନା ପରି ଉଜ୍ଜଳ, ମାଂସଳ ବାହୁଲତାଟି ମାଠିଆଟାକୁ ବେଷ୍ଟନ କରି କହିଛି, ସତେ କି କଳା ମେଘ ଦେହରେ ବିଜୁଳିର ରେଖା । ମୁଣ୍ତ ଉପରେ ମଧ୍ୟ ଗୋଟିଏ ଜଳପୂର୍ଣ୍ଣ ମାଠିଆ । ଲୁଗାକାନିର ଅବଶିଷ୍ଟ ଅଂଶଟି ମୋଡ଼ି ମଳା କରି ମୁଣ୍ତ ଉପରେ ରଖିଛି, ମାଠିଆଟି ଖସିପଡ଼ିବ ନାହିଁ । ପାଣି ଚହଲି ମୁଣ୍ତ ଉପରୁ ନିଗିଡ଼ି ପିଠିବାଟେ ଗୋଡ଼ ତଳିପାକୁ ବୋହି ଆସୁଛି । ଅଧଘୋରା ପିଠି ଉପରର ଦରଫୁଟା ମଇଳା ଲୁଗାଟି ଓ ଜଙ୍ଘଯାଏ ଲମ୍ବି ଦୋହଲୁଥିବା କଳା କେଶ ପାଣିରେ ଜୁଡୁବୁଡୁ ହୋଇଗଲାଣି । ଆର ହାତଟିରେ ସେ ବୋଉର ହାତ ଧରି ବାଟ କଢ଼ାଉଛି ।

 

ଜଗୁ କିଛି ନ କହି ଖଣ୍ଡେଦୂର ସେମାନଙ୍କ ପଛେ ପଛେ ଚାଲିଆସିଲା । ତାର ଆଖି ଦି’ଟା ଉମାର ସୁନ୍ଦର ଦେହ, ମନ୍ଥର ଗତି, ଲୀଳାୟିତ ଭାଙ୍ଗିରେ ଲାଖି ରହିଛି । ପଲକ ପକାଇବାକୁ ଇଚ୍ଛା ହେଉନାହିଁ ।

 

ବୋଉ, ମୋ ବେକ କଅଣ ହେଲାଣି । ଟିକିଏ ରହ । ମୁଁ ମାଠିଆଟି ଓହ୍ଲାଏଁ-କହି, ଉମା ଠିଆ ହେଲା ।

 

ତାର ମୁଣ୍ଡରେ ଭାର ଲାଘବ କରିବାକୁ ଜଗୁ ତରତର ହୋଇ ଆଗକୁ ଯାଇ କହିଲା, ରହ, ମୁଁ ଧରୁଛି... ।

 

ଜଗୁକୁ ଦେଖି ଉମା ଚମକିପଡ଼ିଲା ।

 

ଜଗୁଭାଇ ଆସି ଆଗରେ, ଅଥଚ ସେ ଟିକିଏ ଭଲଭାବରେ ଦେହହାତ ଘୋଡ଼ାଇ ପାରିଲା ନାହିଁ । ମୁଣ୍ଡ ଉପରୁ ଲୁଗା ଖସିଯାଇଛି । ପିଠି ଫୁଙ୍ଗୁଳା ଛୋଟ ଲୁଗା ପିନ୍ଧି ଆଣ୍ଠୁ ଲୁଚୁନାହିଁ-। ବାଳ ମୁକୁଳା, ତହିଁରେ ପୁଣି ଓଦା ଲୁଗା । ଉପାୟ କ’ଣ ? ତାର ହାତ ଦୁଇଟି ବନ୍ଦ ।

 

ଲାଜରେ ତାର ମୁହଁ ରଙ୍ଗା ପଡ଼ିଗଲା । ସେ ଆଖି ତଳକୁ କଲା ।

ଜଗୁ ତା ଉତ୍ତରକୁ ଅପେକ୍ଷା ନ କରି ଦୁଇ ହାତ ବଢ଼ାଇ ତାର ମୁଣ୍ଡ ଉପରୁ ମାଠିଆ ଓହ୍ଲାଇ ହାତରେ ଧରିଲା । ଉମା ଆର ମାଠିଆକୁ କାଖରୁ ଓହ୍ଲାଇ ତଳେ ରଖିଲା । ମୁଣ୍ଡ ଉପରୁ କାନି କାଢ଼ି ଲୁଗା ସଜାଡ଼ିବାକୁ ଚେଷ୍ଟା କଲା । ଆହା, କେଡ଼େ ଦୁରାଶା ! ପୁରୁଣା ଚିରା ଲୁଗାଟିକୁ ଯେତେ ଟଣାଟଣି କଲେ ମଧ୍ୟ ତାର ଆଶା ମେଣ୍ଟିଲା ନାହିଁ । ମୁଣ୍ଡ ଉପରକୁ ଓଢ଼ଣା ଟାଣିଲେ, ପିଠିରୁ ଖସିଲାଣି । ପିଠି ଘୋଡ଼ାଇବାକୁ ବସିଲେ, ବାହୁ ଉପରେ ଚିରା ପଡ଼ିଲାଣି । ନିରସ୍ତ ହେଲା ।

 

ଜଗୁ ଉମାର ଦୂରବସ୍ଥା ବୁଝିପାରି ପଚାରିଲା, ତୋର ତ ଭାରି ସାହସ, ଉମୀ, ଏକା ସଙ୍ଗେ ଦି ମାଠିଆ ପାଣି !

 

ଉମାବୋଉ ଜଗୁର କଣ୍ଠ ବାରି ଖୁସି ହୋଇ କହିଲେ, କିଏ, ଜଗୁ କିରେ ? କଅଣ କରିବ ସେ ? ନ ନେଲେ ତ୍ରାହି ଅଛି ? ଦିପହର, ନିଆଁ ପରି ଖରା ତାଉରେ ପୁଣି ପାଣି ପାଇଁ ତା ଖୁଡ଼ୀ ତାକୁ ଏକୁଟିଆ ତଡ଼ିବ । ଟିକିଏ ଦୟାମାୟା ତାର ଅଛି ? ଏତେ କଲାଠେଇଁ ତ ତିନି ଓଳିରେ ମୁଠାଏ ମିଳୁନାହିଁ ।

 

ଉମା ମୁହଁକୁ ଚାହିଁ ଜଗୁ ପଚାରିଲା, ହଇଲୋ, ସତରେ ? ତମକୁ ସେଇଆ । ସେଦିନ ପରା ମୋ ହାତରୁ କାଠଫାଳିଆ ଛଡ଼େଇ ମୋତେ ଘରୁ ବାହାର କରିଦେଲୁ ! ସେଇଦିନଠୁଁ ତମ ଦୁଆରମୁହଁ ମାଡ଼େ ନାହିଁ ।

 

ଉମା ବିକଳ ହୋଇ ପଚାରିଲା, ସତରେ ଜଗୁଭାଇ ? ତମେ ମୋ ଉପରେ ରାଗିଛ ? ମୁଁ କହୁଛି, ଜଗୁଭାଇର କାହିଁକି ଦେଖା ନାହିଁ ?

 

ଜଗୁ ହସି ହସି କହିଲା, ମୁଁ ତୋ ଉପରେ କେବେ ରାଗି ନ ପାରେ ଉମୀ ? ଗୋଟାଏ ଆନ୍‍ରେ ମୁଁ ରହିଛି । ତୁ ବି ଆମ ଘରଆଡ଼େ ଯାଉନୁ ଏବେ ।

 

ମତେ ମରିବାକୁ ତର କାହିଁ ?

 

ଉମାବୋଉ କହିଲା, ନଈରୁ ପାଣି ବୋହୁ ବୋହୁ ତାର ବେଳ ଯାଉଛି । ଯୋଡ଼ ଫାଟି ଆଁ କଲାଣି; ନୋହିଲେ ସେଠିକି ଯାଆନ୍ତା । ଆଜିଠୁ ଆମ ସାହିର ସବୁ କୂଅରୁ ପାଣି ଶୁଖିଲାଣି । ଅସଲ ଖରାଦିନ ତ ରହିଛି ।

 

ଏତେ ବାଟକୁ ନ ଆସି ଆମ କୂଅରୁ ପାଣି ଆଣୁନୁ ?

ଆଉ କେଉଁଠିକି ଯିବାକୁ ଖୁଡ଼ୀଙ୍କର ମନା ।

 

ଜଗୁ ଭାବିଲା । କହିଲା, ମନା ଫନା ମୁଁ ଜାଣେ ନାହିଁ । କାଲିଠୁଁ ତୁ ଆମ ବଗିଚା କୂଅରୁ ପାଣି ଆଣିବୁ । ଦେଖିବି, ମନା କରିବାକୁ କାହାର ସାହସ ଅଛି । ତାଙ୍କ ଦେହକୁ କଅଣ ଲାଗୁଛି ? ପର ହାଣିଲା କୋଡ଼ି ପାଣି ପରି ଯାଉଛି ପରା !

 

ଟିକିଏ ରହି ଉମାର ହାତ ଧରି ହଲାଇ ଦେଇ କହିଲା, ଶୁଣିଲୁ, ତ ?

ଉମା ଧୀରେ ଧୀରେ କହିଲା, ହଁ ।

 

ଯିବୁ ତ ? ତୋ ମୁଣ୍ଡରେ ଏ କଅଣ ଲାଗିଛି ? ଜଗୁ ଉମା କପାଳରୁ ବାଲି ଝାଡ଼ିଦେଲା-

 

ଉମା ସଙ୍କୁଚିତ ହୋଇ ତଳକୁ ଚାହିଁ କହିଲା, ହଉ ।

ଜଗୁ ଉମାବୋଉକୁ ପଚାରିଲା, ଉମୀର ଆଉ ଲୁଗା ନାହିଁ ?

 

ନାଇଁରେ ପୁଅ, ସେଇ ଖଣ୍ଡିକ ସେ ନିତି ପିନ୍ଧେ । ଦିହରେ ଓଦା ହୁଏ, ପୁଣି ଦିହରେ ଶୁଖେ । କଅଣ କରିବ ? ଏଡ଼େ ବଡ଼ ଝିଅ । ସେହି ଛିଣ୍ଡା ପୋରିଆ ଲୁଗା ପିନ୍ଧି ପଦାକୁ ବାହାରୁଛି ।

 

ଯାହା କହ ପଛେ, ଉମୀ କପଟୀ । ତା ମନ ସଫା ନୁହେ । ମୁଁ ଯଦି ଏକଥା ଆଗରୁ ଜାଣିଥନ୍ତି–ସେ କଅଣ କହିବ କି ? ଖାଲି ମୁହଁରେ ସିନା ଜଗୁଭାଇ । ଦେଖିଲ, କେମିତି ଅଭେକୀଙ୍କ ପରି ପଦାକୁ ଆସିଛି ।

 

ଉମା ଆହୁରି ସଙ୍କୁଚିତ ହେଲା । କି ଦୁଃଖରେ କେଜାଣି ତାର ଆଖି ଲୁହରେ ଢଳ ଢଳ ହୋଇଆସିଲା । କଅଣ କହିବାକୁ ବସିଥିଲା, କଥାକୁ ଢୋକିନେଇ ତୁନି ରହିଲା ।

 

ଉମାବୋଉ କହିଲେ, ତତେ କହିବାକୁ ତାକୁ ଲାଜ ମାଡ଼େ ।

 

ଜଗୁ ଥଟ୍ଟା କରି କହିଲା, ମୋତେ ପର ମନେ କରେ ବୋଲି ସିନା ! ଯଦି ମୋତେ ଭାଇ ବୋଲି ସେ ସ୍ନେହ କରୁଥାନ୍ତା, କିଲୋ ଉମୀ, ମୁଁ ମିଛ କହୁଛି ?

 

ଜଗୁ ତା ମୁହଁକୁ ଚାହିଁଲା ।

ଆଖିରୁ ଲୁହ ଝରାଇ ଉମା କହିଲା, ସେ କଥା ନୁହେଁ ଭାଇ, ଖୁଡ଼ୀ ପରା..... !

ମନା କରୁଛି ?

ନା, ଏଣୁ ତେଣୁ କହେ ।

ସେ ମୁହଁ ପୋତି କାନ୍ଦିଲା ।

 

ଲୋକ ନିଜ ପରି ସମସ୍ତଙ୍କୁ ଭାବେ । ଆଚ୍ଛା, ତୁ କାନ୍ଦୁଛୁ କାହିଁକି ? ନିଜ ହାତରେ ତା ଆଖିରୁ ଲୁହ ପୋଛି କହିଲା, ତୁନି ହ । ତୋ ଖୁଡ଼ୀର ମଜାଟା ମୁଁ କାଲି ଦେଖୁଛି । ଆଚ୍ଛା ଲୋକ ତ ସେ ! ନିଜେ ଯିବ ନାହିଁ କି ବାଟ ଛାଡ଼ିବ ନାହିଁ । ମୁଁ ଲୁଗା ଦେବି, ସେ କଣ କହିବ ଦେଖିବି ।

 

ଉଛୁର ହେବ ବୋଲି ଉମା କଳସୀ କାଖକୁ ନେଲା । ଜଗୁ ଆରଟି ଧରି କହିଲା, ଚାଲେ, ଗାଁ ମୁଣ୍ଡରେ ନେବୁ ।

 

ଜଗୁ ଘରକୁ ଫେରିଲା । ବାଟରେ କେତେ କଅଣ ଚିନ୍ତା କରିବାକୁ ଲାଗିଲା । ଉମା କେଡ଼େ ସୁନ୍ଦର ପିଲା । କେଡ଼େ ଲାଜକୁଳୀ । ଧୀରସ୍ଥିର । ଆହା ! ଏପରି ଅସମୟରେ ଦିଟା ଅମଣିଷଙ୍କ ହାତରେ ପଡ଼ି ସେ କେଡ଼େ ହରକତ ହେଉଛି । ତୁନି ହୋଇ ସବୁ ଦୁଃଖ, ସବୁ ତାଡ଼ନା ସହୁଛି । ମୁହଁ ଖୋଲି ଦାଦି ଖୁଡୀଙ୍କର ଅତ୍ୟାଚାର କାହାରି ଆଗରେ କହୁନାହିଁ । ଧନ୍ୟ ତାର ଧୈର୍ଯ୍ୟ, ଧନ୍ୟ ତାର ସହଣିଗୁଣ ! କିନ୍ତୁ ସେ ତା ପାଇଁ କଅଣ କରିପାରେ ? କିଛି କରିବାର ଇଚ୍ଛା ଥିଲେ ବି ତାର ସେ ସ୍ୱାଧୀନତା କାହିଁ ? ଘରେ ବାପା, ସେ ତ ମହାନ୍ ଲୋକ । ଜାଣୁ ଜାଣୁ ଯେ ନେତୀର ଶିକ୍ଷାରେ ପଡ଼ି ଭାଉଜଙ୍କୁ ତାଙ୍କର ବାପଘରୁ ଆଣିବାକୁ ମନ ଦେଉନାହାନ୍ତି, ସରିଯିବ ବୋଲି, ସେ କି କେବେ ମାଗିଲେ କିଛି ଧାନ ଚାଉଳ ଦେବେ, ପର ପାଇଁ ? ଅସମ୍ଭବ । ତେବେ ସେ କଅଣ କରିବ ?

 

ଗୋଟାଏ ଉପାୟ ଅଛି । ସେ ଉମାକୁ ଲୁଗା ଦେବ ବୋଲି କହିଆସିଛି । ସେ କଥା ସେ ନେତୀକୁ କହିବ । ନେତୀ କେଜାଣି କାହିଁକି ଆଜିକାଲି ତାର କଥା ମାନୁଛି । ଏ ବିଷୟ କହିଲେ ସେ ଅବଶ୍ୟ ମଙ୍ଗିବ । ନ ମଙ୍ଗିବ କାହିଁକି ? ଯାହା କିଛି ଦେଉ, ସେ ତ ତାଙ୍କରି ମାଲ, କିଛି ନେତୀର ଗଣ୍ଠି ମାଲ ନୁହେଁ । ଗୋଟାଏ ଦେଲେ ଆଉ ଗୋଟାଏ ପାଇବ । ଖରାପ ଦେଇ ଭଲ ପାଇବ । ବେଶ୍, କିନ୍ତୁ ପେଟକୁ ମୁଠାଏ ନ ଦେଲେ ହେବ ନାହିଁ । ଖାଲି ଲୁଗା ଖଣ୍ଡେ ପନ୍ଧିଲେ ପ୍ରାଣ ରହେ ନାହିଁ । ଅସଲ ଭାତ ମୁଠାଏ । ସେ ଯଦି ଭଣ୍ଡାରଘରୁ ଚାଉଳ ଚୋରି କରି ଦିଏ ? ତା ହେଲେ ଏକା ଉମାପାଇଁ ତାକୁ ଗୋବିନ୍ଦ ସାହୁର ବଂଶଟାକୁ ଚଳାଇବାକୁ ପଡ଼ିବ । କାହାରି ଅଜ୍ଞାତରେ ସେ ରୋଷଇବାସ କରିପାରିବ ନାହିଁ । ଫଳରେ ଦେବା ନ ଦେବା ସମାନ ହେବ । ଉମା ପାଇଁ ଘରୁ ନିଜେ ଚୋରି କରିବା ସାର୍ଥକ ହେବ ନାହିଁ ।

 

ନେତୀ ମନ କଲେ ସବୁ ହୋଇପାରେ । ଏ କଥା ବି ସେ ନେତୀକୁ କହିବ । ସେ ଉମାକୁ କହି ଆସିଛି, ନିରାଟ ଖରାରେ ପାଣି ପାଇଁ ନଈକୁ ନ ଯାଇ ପଧାନଙ୍କର ଗହିଡ଼ା କୂଅକୁ ଆସିବାକୁ । ପାଣି ଶୁଖିଯିବ ବୋଲି ଗାଁ ଲୋକଙ୍କୁ ସେଥିରୁ ପାଣି ନେବାକୁ ବାପା ମନା କରିଛନ୍ତି । ସେଦିନ ଭାଗ ରାଉଳ ନୋଟାଏ ପାଣି କାଢ଼ିଲା ବୋଲି ସେ କେତେ ଶୋଧା ଖାଇଛି । ଜାଣିଲେ ଅବଶ୍ୟ ଗାଳିଦେବେ । ନେତୀ ନ କହିଲେ ସେ ଜାଣିବେ କିପରି ? ଏ ବିଷୟରେ ନେତୀକି ହାତ କରିବାକୁ ହବ । ଉମା ପାଣି ପାଇଁ ଆସିଲେ, ଜଗୁ ଥାଉ ନ ଥାଉ, ତାକୁ ସେ ଯେମିତି ହେଲେ ସବୁଦିନେ ମୁଠାଏ ଖାଇବାକୁ ଦେବ । ଏଥିରେ ନେତୀ ଯଦି ରାଜି ନ ହୁଏ, ସେ ତାର ଗୋଡ଼ ଧରିବ ।

 

ନେତୀ ଉମାକୁ ଭଲ ପାଏ । ଦେଖା ହେଲେ ପାଖରେ ବସାଇ ଦୁଃଖସୁଖ ହୁଏ । ତା ଆଖିରୁ ଲୁହ ପୋଛିଦିଏ । ପିଠିରେ ହାତ ବୁଲାଇ ବୋଧଶୋଧ କରେ । ସ୍ନେହରେ ସେଦିନ ତାକୁ କୁଣ୍ଢେଇ ଧରି ତା କାନରେ କେତେ କଣ ତୁନି ତୁନି କହିଲା । କେଜାଣି, ଉମା ଟିକିଏ ଘୁଞ୍ଚି ଆସି କରୁଣ ଭାବରେ ତା ମୁହଁକୁ ଚାହିଁଲା । ଆଖିରୁ ଠକ୍ ଠକ୍ ହୋଇ ଲୁହ ଝରି ପଡ଼ିଲା । ନେତୀ କଅଣ ବୁଝିଲା କେଜାଣି ପୁଣି ତାକୁ କୋଳକୁ ଆଉଜାଇ ନେଲା । ଟିକିଏ ବଡ଼ ପାଟିକରି କହିଲା, ମୁଁ କଅଣ ଖରାପ କଥା କହିଲି, ଉମା... ? ଯା କହିଲି, ତା ହେଲେ ତ ମୋ ଛାତି ଉପରୁ ତୋତେ ଅଲଗା କରନ୍ତି ନାହିଁ ।

 

ଏତିକି କହି ସେ ହସ ହସ ମୁହଁରେ ଜଗୁଆଡ଼କୁ ଚାହିଁଲା । ଜଗୁ ଟିକିଏ ଦୂରରେ ଆଢ଼ୁଆଳରେ ଠିଆ ହୋଇ କିଛି ନ ଦେଖିଲା ପରି, କିଛି ନ ଶୁଣିଲା ପରି, ତାର ବାଟୁଳିଖଡ଼ାରେ ଗୁଣ ଚଢ଼ାଉଥିଲା । ସେ ସବୁ ଦେଖିଛି । ଉମା ଯେତେବେଳେ ତାର ଗମ୍ଭୀର ମୁହଁଟି ଜଗୁଆଡ଼େ ବୁଲାଇ ଜଗୁର ଉଜ୍ଜ୍ୱଳ ଆଖି ଦୁଇଟାର ତେଜ ସହି ନ ପାରି, ମୁହଁରେ ରଙ୍ଗ ଉକୁଟାଇ, ଆଖି ଫେରାଇ, ଧୀରେ ଧୀରେ କହିଲା, ଛି, ତୁ ବଡ଼ ଦୁଷ୍ଟ ନେତୀ ମାଉସୀ । ଛାଡ଼, ମୁଁ ଯାଏଁ । ଜଗୁ ଗୋଟାଏ କାନ୍ଥ ଆଢ଼ୁଆଳକୁ ଘୁଞ୍ଚିଗଲା । ନେତୀ ଆହ୍ଲାଦ କରି କହିଲା, ଯିବୁ କୁଆଡ଼େ ଲୋ ଫୁଲେଇ ?

 

ଜଗୁ ଭାବିଲା, ନେତୀ ନିଶ୍ଚୟ ତାର ଅନୁରୋଧ ରଖିବ । କହିଲା କଥା ତଳେ ପକାଇବ ନାହିଁ । ସେ ଛାଏଁ ଛାଏଁ ଆଗ ବଳିପଡ଼ି ତା ଆଗରେ ଉମାର ପ୍ରଶଂସା ଗାଏ । ଉମାର ରୂପ ବଖାଣେ । ତା ପ୍ରତି ସବୁବେଳେ ଦୟା ରଖିବାକୁ ବୁଝାଏ ।

 

ଜଗୁକୁ ଶୁଣାଇ ମନକୁ କହିହୁଏ, ଜଗୁ ନାଖି ଏକା ! ଆହା ! ପୋଡ଼ାକପାଳୀକି ବିଧାତା ଯଦି ଖଣ୍ଡେଇତ ଘରେ ଜନ୍ମ ଦେଇଥାନ୍ତା..... !

 

ପୁଣି ଗୁଣୁ ଗୁଣୁ ହୋଇ ବଡ଼ ପାଟି କରି ଭାବେ, ସରଗ ଚାନ୍ଦ ପାଖରେ ଦେଖି, ହାତରେ ପାଇ, ଯିଏ ଜାତି ଘେନି ପାଇଲା ଦରବ ଛାଡ଼ିଦେଇ ବସେ, ତାଆଠୁଁ ବଳି ଓଲୁ କିଏ ଅଛି ? ଜାତି, ଓହୋରେ ଜାତି ! ଜାତି କଅଣ ମଣିଷ ଦେହରେ ଲାଗି ରହିଛି ? ଦକ୍ଷିଣୀ ସୁନାକୁ ଆଉଟି, ଢାଳି, ପିଟିପାଟି, ଯେଉଁ ଗହଣା ଗଢ଼ିଲେ ଯିଏ କହିବ ଖାଣ୍ଟି ସୁନା, ତମ୍ବା କି ପିତ୍ତଳ କେହି କହିବ ନାହିଁ ।

 

କେବେ କେବ ନେତୀ କାନ୍ଥ ବାଡ଼କୁ ଦେଖାଇ କହେ, ଜଗୁକୁ ଶୁଣାଇ, କାହା ବାପ ମା ସବୁଦିନେ ବଞ୍ଚି ରହିଛନ୍ତି ? କାହାର କେଉଁକଥା ବାକୀ ରହିଯିବ ? ପର ମୁହଁରୁ ନିନ୍ଦା ଶୁଣିଲେ ସମ୍ପତ୍ତିରୁ କେହି ଭାଗ ବାଣ୍ଟ ଚାହିଁବେ ନାହିଁ । ଜାତିଭାତ ମୁଠାଏ ଦେଲେ ଜାତିଭାଇଙ୍କ ମୁହଁ ଭଡ଼କ କୁଆଡ଼େ ଯିବ । ପାଟି ବାନ୍ଧି ହୋଇଯିବ । ତେଣିକି ସବୁ ଚୁପ୍ । ଜଗୁଟା ବେଡ଼ାଟାଏ, କିଛି କାଣ୍ଡଜ୍ଞାନ ନାହିଁ ।

 

ଦିନେ ସେ ମୁହେଁ ମୁହେଁ ଜଗୁକୁ କହିଲା, ଉମା ତତେ ଭଲ ପାଏରେ, ତୋ କଥା ପଡ଼ିଲେ କାନଡେରି ଶୁଣେ । ତୋ କଥା କହିଲେ ଲାଜରେ ମୁହଁ ପୋତେ । ତୋତେ ଦେଖିବାକୁ କେଉଁ ଛଟକରେ ଧାଇଁଆସି ଏଣେ ତେଣେ ଆଖି ପକାଇ ଖୋଜେ । ତୁ ତାକୁ ମୋଟେ ବୁଝୁ ନାହୁଁ । ମୁହଁରେ କହୁ ସିନା, ସତରେ ତାକୁ ତୁ ମୋଟେ ଭଲ ପାଉ ନାହିଁ ।

 

ଜଗୁର ତରୁଣ ମନ ଚଞ୍ଚଳ ହୋଇ ଉଠିଲା । ସତେ, ଉମା ତାକୁ ଭଲ ପାଏ ! ଆଉ ସେ-? ସେ କଅଣ ଉମାକୁ ଭଲ ପାଏ ନାହିଁ ? ଭଲ ପାଇବା ଭିତରେ ଜାତିର ବ୍ୟବଧାନ କିଛି ନୁହେଁ । ଉମା ସୁନ୍ଦର, କେଡ଼େ ସୁନ୍ଦର ! ଜଗୁର ଛାତିରେ କେଉଁ ତନ୍ତ୍ରୀଟି ଥରି ଉଠିଲା ସେ ଜାଣେ ନାହିଁ । ଆପେ ଆପେ ଗୋଟାଏ ମାୟାପୁରୀରେ ସ୍ୱପ୍ନରାଜ୍ୟ ସୃଷ୍ଟି କଲା । କେତେ ସୁନେଲୀ ଚିତ୍ର କ୍ଷଣକ ଭିତରେ ଆଖି ଆଗରେ ଚାଲିଗଲା । ସେ ଭାବିବାକୁ ଲାଗିଲା, ଉମା ତ ଅମରପୁରୀର ଅପ୍‌ସରା ! ସେ ତେବେ ସତରେ ତାକୁ ଭଲପାଏ !

 

ଜଗୁ ଯାଉଁ ଯାଉଁ ମଝି ବାଟରେ ଠିଆହୋଇ ରହିଲା । ଉମା ଅନେକ ବେଳୁଁ ଅଦୃଶ୍ୟ ହୋଇଗଲାଣି । କେଜାଣି କାହିଁକି ତାର ଛାତି ଭିତର ଥରି ଉଠିଲା । ନା, ସେ ଫେରିଯିବ, ଉମାକୁ ସେ ଆଖି ପୂରାଇ ଦେଖିନାହିଁ, ଆଜି ଦେଖିବ । ଆଜି ତାର ହୃଦୟ ବୀଣାର ସୂକ୍ଷ୍ମ ତନ୍ତ୍ରୀଟିରେ ଗୋଟିଏ ଅବୁଝା ଗୀତର ଅପରିଚିତ ରାଗିଣୀର ଯେଉଁ ମୂର୍ଚ୍ଛନା ଉଠୁଛି, ଉମାକୁ ସେ ତାହା ଶୁଣାଇ ମୁଗ୍ଧ କରିବ । ଆଉ ତାର ଉଜ୍ଜ୍ୱଳ ଆଖିରେ ଲୁହ ଦେଖି ତାର ପ୍ରାଣର ଭାଷା ବୁଝିବ ।

 

ଦେହସାରା ଗୋଟାଏ ଅଜଣା ଉତ୍ତେଜନାରେ ଥରିଉଠିଲା । ଆଗକୁ ଚାହିଁଲା, କେହି ନାହିଁ । ଭୟ କଅଣ ? ଭୟ କାହାକୁ କରିବ ସେ ? ଫେରିଯିବାକୁ ମନ କଲା । ଗୋଡ଼ ଚଳିଲା ନାହିଁ । କିଏ ଯେପରି ତାକୁ ଧରି ଅଟକାଇ ରଖୁଛି । ବିଜୁଳି ପରି ବହୁଦିନ ତଳେ ଗୋଟିଏ ଘଟଣା ତା ମନରେ ଚମକି ଉଠିଲା । ଆପେ ଆପେ ତାର ଭ୍ରୂଲତା ଦୁଇଟି ଉପରକୁ ଉଠିଲା । ଆଖିପତା ବିସ୍ତାରିତ ହେଲା । ପର ମୁହୂର୍ତ୍ତରେ ଲାଜରେ ମୁଣ୍ଡ ତଳକୁ ଝୁଙ୍କାଇଲା । ଛିଃ, ସେ ଏଣୁ ତେଣୁ କଣ ଗୁଡ଼ାଏ ଭାବୁଛି ? ଉମା ତାର ଧର୍ମର ଭଉଣୀ ।

 

ଜଗୁ ଫେରି ଚାଲିଲା । ଉମା ତାକୁ ଭଲ ପାଏ । ସେ ମଧ୍ୟ ତାକୁ ଭଲ ପାଏ । ଭାଇ ଭଉଣୀ । ଭଲ ପାଇବା ତ ସ୍ୱାଭାବିକ । ଲୋକେ ବାର କଥା ଭାବିବେ, କହିବେ । ସେଥିକି ସେ ଛଳ କରିବ କାହିଁକି ? ସେ ଯାହା ଠିକ୍ ବୋଲି ମନେକରେ ଯାହା ନିଜର କର୍ତ୍ତବ୍ୟ ବୋଲି ଘେନେ, ଅବଶ୍ୟ କରିବ, ପର ହାତକୁ ଚାହିଁ ବସିବ କାହିଁକି ? ପର କଥା ବା ଶୁଣିବ କିଆଁ ?

 

ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠିଲେ । ବୈଶାଖର ଚାଇଁଚାଇଁଆ ଖରାରେ ତାର ଦେହମୁଣ୍ଡ ଗରମ ହୋଇଗଲା । ଚାଲିବା ବାଟର ବାଲି ଏଣେ ତାତି ଗଲାଣି । ଜଗୁର ଗାଧୁଆ ହୋଇନାହିଁ । ନେତୀ ତେଣେ ଚାହିଁ ବସିଥିବ । ମନେ ମନେ ଭାରି ଚିଡ଼ୁଥିବ । ଜଗୁ ଗାମୁଛା ଖୋଲି ମୁଣ୍ଡରେ ପକାଇଲା । ଘରେ ଜଲ୍‍ଦି ପହଞ୍ଚିବ ବୋଲି ଶୀଘ୍ର ଶୀଘ୍ର ଗୋଡ଼ ପକାଇଲା ।

 

ଜଗୁ କିରେ ?

 

ଗାଁ ମଝି ଦାଣ୍ଡ ବରଗଛ ଆଡ଼ୁ କିଏ ଜଣେ ଡାକି କହିଲା- କୁମ୍ଭୀର ନେଇ ଅଧନଈରେ କଲାଣି, ପୁଅ ଛିଟିକିଣି ଧରି ମାଙ୍କଡ଼ ତଡ଼ୁଛି !

 

ଆଉ ଜଣେ କିଏ କହିଲା ବଡ଼ ପାଟିରେ, ତାଙ୍କର କଅଣ, ହେଲେ ନା ଡୋଲେ ! ବାପ ଧାନଚାଉଳ ସାଇଚି ରଖିଛି । ମୁଠିଏ ମାରିଦେଇ ଯା ବୁଲୁଥା ।

 

ବାଡ଼ ଆଢ଼ୁଆଳରୁ ଜଗୁ କାହାରିକି ଚିହ୍ନିପାରିଲା ନାହିଁ । ତୁଣ୍ଡ ବାରି ସେ ବଡ଼ପାଟିରେ କହିଲା, କଅଣ ହେଲା କି ମଉସା ?

 

ଆରେ, ଗରିବଙ୍କ ଗୁହାରି ଟିକେ ଶୁଣ ।

ଜଗୁ ବାଟ ଭାଙ୍ଗି ଗାଁ ଦାଣ୍ଡ ବରଗଛ ଆଡ଼େ ମୋହିଲା । ବରଗଛ ଛାଇରେ ଗାଁର ଲୋକମାନେ ଠୁଳ ହୋଇଛନ୍ତି । କାହାରି ମୁହଁରେ ସରସତା ନାହିଁ । କାହାରି ତୁଣ୍ଡରୁ ଖୁସି କଥା ପଦେ ବାହାରୁ ନାହିଁ । ଶହେ ଷାଠିଏ ହଜାଇଲା ପରି ସମସ୍ତେ ଗମ୍ଭୀର, ସମସ୍ତେ ବିରସ, ସତେ କି ବୁଢ଼ାମାନଙ୍କୁ ସମାଧି ଟାଣୁଛି, ଆଉ ଟୋକାମାନଙ୍କର ଅକାଳବାର୍ଦ୍ଧକ୍ୟ ଆସି ପହଞ୍ଚିଛି । କିଏ ମୁଣ୍ଡରେ ହାତଦେଇ ତଳକୁ ଚାହିଁ ବିଧବା ଷୋଡ଼ଶୀ ପରି ମୌନ । କିଏ ବା ଗାଲରେ ହାତ ଦେଇ ଯୋଗମଗ୍ନ ଋଷି ପରି ବରଗଛ ଉପରକୁ ଚାହିଁ ରହିଛି । କଥା କଅଣ ? ହଠାତ୍ ଗାଁରେ ଏଡ଼େ ବଡ଼ ବିପଦ କଅଣ ପଡ଼ିଲା ?

 

ବର ଦାଣ୍ଡରେ ଏତେ ଲୋକ ରୁଣ୍ଡ ହୁଅନ୍ତି ସାଧାରଣତଃ ପୂଣ୍ୟପର୍ବ ଦିନରେ, ନୋହିଲେ ଜାତିଆଣ ସଭାରେ । ଲୋକଙ୍କ କୋଳାହଳରେ ଗାଁ ସାରା କମ୍ପିଯାଏ । ଟୋକାଙ୍କର ଫୁର୍ତ୍ତିରେ ଗାଁଦାଣ୍ଡ ଦୁଲୁକି ଉଠେ । ପିଲାଙ୍କର ଖେଳ, ଦୌଡ଼ାଦୌଡ଼ିରେ ଧୂଳି ଉଡ଼ି ପବନରେ ମିଶେ । ଆଜି କାହିଁକି ସବୁ ଓଲଟା ? ଗାଁ ଲୋକଙ୍କ ପିଣ୍ଡରେ ପ୍ରାଣ ନାହିଁ । ମରହଟ୍ଟା ବର୍ଗିଆସିଲା ପରା ! ବହୁ ବର୍ଷ ପୂର୍ବର କଥା । ବର୍ଗି ଆସିଲା ! ଓହୋ, କି ଉତ୍ତେଜନା, କି ଭୟ, କି ଚହଳ ! ଗାଁ ଗାଁରେ ଆତଙ୍କ ପଡ଼ିଯାଏ । ଧନ, ଜନ, ଜୀବନ ରକ୍ଷା କରିବାକୁ ଲୋକେ ତତ୍ପର ହୋଇଉଠନ୍ତି । ନୋହିଲେ ସର୍ବନାଶ । ବର୍ଗି ଆସିବେ, ବଳାତ୍କାରରେ ଘରେ ପଶି ବାସନକୁସନ, ଟଙ୍କାସୁନା ଯାହା ପାଇବେ ସବୁ ବୋହିନେବେ । ଘରେ, ପାଚିଲା ଧାନ କିଆରୀରେ ନିଆଁ ଲଗାଇବେ । ସୁନ୍ଦର ବୋହୂଝିଅ ଦେଖିଲେ ନେଇଯିବେ । ବାଧା ଦେବାକୁ ବସିଲେ ପ୍ରାଣ ଯାଏ । ବାଧା ଦେବ କିଏ ? ବାଧା ଦେବାକୁ ଆସିବ କିଏ ? ପ୍ରାଣ ବିକଳରେ ପିଲାଛୁଆ ଘେନି ପଳାଇବାକୁ ବାର ସହେ ନାହିଁ । ମୁଣ୍ଡରେ ହାତଦେଇ ବରଦାଣ୍ଡରେ ବସି ଭାଳେଣି କରିବାକୁ ବେଳ କାହିଁ ?

 

ବର୍ଗିର ଅତ୍ୟାଚାର, ଓଡ଼ିଆର ପଳାୟନ ! ଚୋର ପରି ପଳାଇଯାଇ ଆତ୍ମରକ୍ଷା କରିବାକୁ ଓଡ଼ିଆ ବଣ ଜଙ୍ଗଲରେ ଲୁଚେ ! ଓଡ଼ିଆ ପରା ଏଡ଼େ ବୀର ଜାତି ! ଇତିହାସ, କିମ୍ବଦନ୍ତୀ ତାର ବୀରକାହାଣୀ ସହସ୍ର ମୁଖରେ ଗାଉଛି । ବର୍ଗି ଆସିଲା, ହଠାତ୍ ତାର ସମରସ୍ପୃହା, ବୀର ହୃଦୟ ନଇଁପଡ଼ିଲା କାହିଁକି ? ଖାରବେଳ, ଅନଙ୍ଗ, ପୁରୁଷୋତ୍ତମଙ୍କ ପିଲାଏ ଜୀବନଭୟରେ ପଳାଇ ଯାଇ ଲୁଚିବାର ବ୍ୟବସ୍ଥା କଲେ ! ହୁଏତ ଇତିହାସ ମିଛ, କିମ୍ବଦନ୍ତୀ ମନଗଢ଼ା, ନୋହିଲେ, ଏ ଜାତିର ସମରସ୍ପୃହା, ବୀର ମନର ପତନର ଅନ୍ୟ କାରଣ ଅଛି, ଯେଉଁଥିପାଇଁ ଓଡ଼ିଆ ଆଜି ଭୀରୁ, ଓଡ଼ିଆ କାପୁରୁଷ, ଓଡ଼ିଆ ନିଃସ୍ୱ ।

 

କି ଦୁର୍ଯ୍ୟାଗରେ ସେଦିନ ଓଡ଼ିଆର ସ୍ୱାଧୀନ ସମ୍ରାଟ ପ୍ରତାପରୁଦ୍ରଙ୍କର ଦେଖା ହେଲା ନିମାଇଁ ସନ୍ନ୍ୟାସୀ ସଙ୍ଗରେ, କି ଅସମୟରେ ଓଡ଼ିଆର ବୀର ସେନାପତି ରାମାନନ୍ଦର ମିଳନ ହେଲା ନିମାଇଁ ସନ୍ନ୍ୟାସୀଙ୍କ ସହିତ ଗୋଦାବରୀ ତୀରରେ ! ସେହି ଦିନରୁ ଏ ଜାତିର ସମରସ୍ପୃହାର କ୍ରମିକ ହ୍ରାସ ।

 

ଜୀବନ ଅନିତ୍ୟ । ଧନସମ୍ପତ୍ତି ଅଳୀକ । ବାପ ପୁଅ, ବନ୍ଧୁ ବାନ୍ଧବ ସବୁ ମିଛ । ନିତ୍ୟ, ଶାଶ୍ୱତ, ସତ୍ୟ ଏକା କୃଷ୍ଣ । ମାଳା ଧରି, ମୁଣ୍ଡରେ ଦେହରେ ଛପା ମାରି, ଖାଲି କୃଷ୍ଣକୁ ଭଜ । ମୁକ୍ତି ପାଇବ । ଅନିଶ୍ଚିତ ସ୍ୱର୍ଗରେ ସୁଖ ଲାଭ କରିବ । ଶତ୍ରୁକୁ କ୍ଷମା କର । ଭଗବାନ ତୁମକୁ କ୍ଷମା କରିବେ । ଓଡ଼ିଆ, ସମରପ୍ରିୟ ଓଡ଼ିଆ, ଯାହାର ବାଁ ହାତରେ ମାଳା, ଡାହାଣ ହାତରେ ଖଣ୍ଡା, ସେ ଟୋକା ସନ୍ନ୍ୟାସୀର ଗାରଡ଼ି ମନ୍ତ୍ରରେ ଭୁଲିଲା । ନିଜର ବୀରଧର୍ମ ଭୁଲି, ସେ ହେଲା ବୈଷ୍ଣବ !

 

ଜୀବନ ତ ଅନିତ୍ୟ । ଐହିକ ସୁଖରେ କି ପ୍ରୟୋଜନ ? ଧନସମ୍ପତ୍ତି ଅଳୀକ । କି ଲାଭ ମିଳିବ ଅର୍ଜନ କରି ? ସୁଖେଦୁଃଖେ ଜୀବନର କେଇଟା ଦିନ ବିଭୁ ନାମ ଗାଇ କଟାଇ ଦେଲେ ତେଣିକି ସ୍ୱର୍ଗରେ ଅମୃତ ପାରଣା ଭୋଗ । ବନ୍ଧୁବାନ୍ଧବ, ପିଲା କୁଟୁମ୍ବ ସବୁ ମିଛ । କାହା ପାଇଁ ତେବେ ଅକ୍ଳାନ୍ତ ପରିଶ୍ରମ କରି ଧନ ସଞ୍ଚୟ ? କେଇଦିନ ବଞ୍ଚିବା, ଶତ୍ରୁମିତ୍ର ଧରି ବସିବା ? ନୂଆ ଧର୍ମରେ ଦୀକ୍ଷିତ ଓଡ଼ିଆ କ୍ରମେ ତାର ସବୁ ହରାଇ ବସିଲା ପ୍ରଭୁଙ୍କର ପାଦପଦ୍ମରେ ଲୟ ରଖି । ସେ ଜଗନ୍ନାଥ ମୂର୍ତ୍ତି ପରି ଜଡ଼ ହୋଇ ବସିଲା ସତେ !

 

ଜଗୁ ବରଗଛ ମୂଳକୁ ଆସି ଲୋକଙ୍କର ଏପରି ଅବସ୍ଥା ଦେଖି କିଛି ଭାବିପାରିଲା ନାହିଁ-। ବଲ ବଲ କରି ୟା ମୁହଁ ତା ମୁହଁକୁ ଚାହିଁଲା । ଗୋବିନ୍ଦ ସାଉ ମୁଣ୍ଡ କୁଣ୍ଡାଉ କୁଣ୍ଡାଉ ଆରମ୍ଭ କଲା, ତମରି ଘରକୁ ଆମେ ସବୁ ବାହାରିଛୁରେ ଜଗୁ ! ପ୍ରାଣ ବଞ୍ଚାଇବାର ଅନ୍ୟ ବାଟ ଆଉ ଦେଖାଯାଉ ନାହିଁ । ଗାଁ ଲୋକ ଉପାସରେ ସଢ଼ୁଛନ୍ତି ।

 

ମଧୁ ସ୍ୱାଇଁ, ମୁଣ୍ଡରୁ ହାତ କାଢ଼ି କହିଲେ, ଆମ ଘରେ ତିନି ଓଳି ହେଲା ଚୁଲିରେ କୁହୁଳା ପଡ଼ି ନାହିଁ । ପିଲାଛୁଆ ଉପାସରେ କାଉକାଉ ହେଉଛନ୍ତି । ତୁଣ୍ଡରେ ଆଧାର ବାଜିନାହିଁ । ଗହଣା ଗାଣ୍ଠି ଯାହା ଥିଲା ବିକିରିବାକିରି କରି ଏ ଗାଁ ସେ ଗାଁ ଦଉଡ଼ି ଟଙ୍କାରେ ପାଁସେର ଭାଉରେ ଯେଉଁ ଚାଉଳ ଆଣି ଘରେ ସାଇତି ରଖିଥିଲି, ସେତକ ସରିଲା । ଏବେ କରେ କଅଣ ?

 

ରାମ ଭୋଇ କହିଲା, ସାନ୍ତେ, ଏ ଗରିବର ଗୁହାରି ଟିକିଏ ଶୁଣିବା ହେଉ । ଆମ ସାହିଆ ଛତରରେ ପଶିଲେ। ଅଧେ ଲୋକ ଗାଁ ଛାଡ଼ି ପଳାଇଲେଣି । ବାକିତକ ପାଣଙ୍କ ସଙ୍ଗେ ମିଶି ଗୋରୁ କାଟି ଖାଉଛନ୍ତି । ପ୍ରାଣବିକଳରେ ଜାତି ଟାଣ ରଖୁଛି କିଏ ? ପୋଖରୀ ଯୋଡ଼ ଶୁଖି ଠକ୍ ଠକ୍ ହେଲାଣି । ଗେଣ୍ଡା କୋଚିଆ ମିଳିବା ତେଣିକି ଥାଉ ଅନାବନା ଶାଗ ପତରର ଦେଖା ନାହିଁ । କଅଣ ଖାଇ ବଞ୍ଚିବା ?

 

ଗୋପୀ ମହାରଣା କହିଲା, ବାବୁ, ଆମର ତ କିଛି ଜମିବାଡ଼ି ନାହିଁ । ବଟାଳି ଠୁକ୍ ଠୁକ୍ କରି ପର ଘରେ ମୂଲ ଲାଗି ବେଳ କାଟୁଥିଲୁ । ଗାଁ ଲୋକଙ୍କ ଅବସ୍ଥା ବାରଣ୍ଡା ଦି କଡ଼ା । କାମ କରାଉଛି କିଏ ? ମାଣେ କି ପୋଷେ କାହାକୁ ଉଧାର ମାଗିଲେ କେହି ଦେଉ ନାହାନ୍ତି । ଚଳିବୁ କେମିତି ?

 

ଭଗୀ ଜେନା କହିଲା, ଗାଈ ଗୋରୁ ପଘାରେ ମଲେ । ମୁହଁ ଆଗରେ ପକାଇବାକୁ କୁଟାଖିଅ ଘରେ ନାହିଁ । ଗୁହାଳ ସବୁ ପଦା ହୋଇଗଲାଣି । କି ବିପଦ ପଡ଼ିଲା, ଆହା ଭଗବାନ ! ପିଲାଛୁଆଙ୍କ ପ୍ରାଣ ବଞ୍ଚାଇବା କେମିତି ? ନଡ଼ା ବିଡ଼ାଏ ମାଗିଲେ ଗାଁ ଲୋକେ ଦେଉ ନାହାନ୍ତି । ଖରା ଦିନ । ବିଲବାଡ଼ିରେ ଘାସପତ୍ର ନାହିଁ । ଭୂଇଁ ଶୁଙ୍ଘି ଶୁଙ୍ଘି କେଇ ଦିନ ଗାଈଗୋରୁ ଆଉ ବଞ୍ଚିବେ ? ବୁଦ୍ଧି ଦିଶୁନାହିଁ, କଅଣ କରିବା ।

 

ବୁରୁନ୍ଦା କେଉଟ କହିଲା, ଆରେ, ନଡ଼ା କଥା କଅଣ କହୁଛ ? ବର୍ଷାଦିନ ମାଡ଼ିଆସୁଛି । ଚାଳ ଉପରେ ଖିଏ ନଡ଼ା ପକାଇବା କେମିତି ? ସେ କଥା ଆଗ କହ । ନଈକୁଳିଆ ପବନରେ ଘରଦ୍ୱାର ସବୁ ଉଡ଼ିଗଲା । ଯାହା କିଛି ଥିଲା, କାହୁଁ ଏ ହନୁପଲ ଆସିଲେ ଯେ...

 

ଏତେବେଳେକେ ଜଗୁ ତୁଣ୍ଡରୁ କଥା ବାହାରିଲା । ସେ କହିଲା, ସମସ୍ତେ ଯଦି ମନ କରନ୍ତେ, ଘଡ଼ିକରେ ଏ ମାଙ୍କଡ଼ପଲ ଗାଁ ଛାଡ଼ି ପଳାନ୍ତେ । ମୁଁ ଏକାଟିଆ କଅଣ କରିବି ? ସକାଳୁ ତାଙ୍କ ପଛରେ ଲାଗିଛି । ତଡ଼ି ତଡ଼ି ତାଙ୍କୁ ନଈକୁଳ ତୁଠଯାଏ ନେଲି । ଏଗଛରୁ ସେ ଗଛକୁ ଡେଇଁ ମୋତେ ହଇରାଣ କରି ପକାଇଲେ । ଶେଷକୁ ଫେରିଲି, ଆଉ ଏକୁଟିଆ କଅଣ କରନ୍ତି ମୁଁ ?

 

ତା କଥା ଶୁଣି କେହି କିଛି ଉତ୍ତର ଦେଲେ ନାହିଁ ।

 

ଟିକିଏ ରହି ଗୋବିନ୍ଦ ସାଉ କହିଲା, ଗାଁ ଲୋକେ ଆଜି ତମରି ଦୁଆରକୁ ଏକଯୋଟ ହୋଇ ଯିବାକୁ ବସିଛନ୍ତି । ବୁଢ଼ା ପଧାନେ ଯଦି ଦୟା କରନ୍ତି, ଗାଁଟା ଥାଇତି ହେବ, ନୋହିଲେ ଅଘରଦ୍ୱାରୀ ସମସ୍ତେ ପେଟ ବିକଳରେ ଛତରରେ ପଶିବେ ।

 

ଭଗୀ ଯେନା କହିଲା, କଥା ତ ସେଇଆ । ଚାଲ, ସମସ୍ତେ ତାଙ୍କ ଗୋଡ଼ତଳେ ଲମ୍ବ ହୋଇ ପଡ଼ିବା । ସେହି ମାରିଲେ ମାରିବେ, ତାରିଲେ ତାରିବେ । ଗାଁରେ ଧାନ ଚାଉଳ, ନଡ଼ାକୁଟା ଥାଉଁ ଥାଉଁ ଆମେ ଆଉ କାହା ଦ୍ୱାରକୁ ଯିବା?

 

ମଧୁ ସ୍ୱାଇଁ କହିଲେ, ଆମର ହୋଇ ଜଗବନ୍ଧୁ ଯଦି ବାପାଙ୍କୁ ଚାରିପଦ କହନ୍ତେ ବୁଢ଼ା ଅବଶ୍ୟ ତାଙ୍କ କଥା ଶୁଣନ୍ତେ । ଆମେ ସବୁ କିଛି ଦେବାକୁ କହୁନାହୁଁ । ନିଜ ଖର୍ଚ୍ଚକୁ ବର୍ଷକ କାହିଁକି, ଦି’ବର୍ଷର ଖର୍ଚ୍ଚ ରଖି ବାକି ଧାନ ନଡ଼ା ଆମକୁ ଦେଢ଼ୀ ଦିଅନ୍ତୁ, ନୋହିଲେ ଯଦି ବିଶ୍ୱାସ ନ ପାଉଛି, ଜମିବାଡ଼ି ବନ୍ଧା ରଖି ଦେଉନ୍ତୁ, ଯେମିତି ଇଚ୍ଛା ।

 

ବନ୍ଧୁ ବୈଶାଖ ଓଠ ନେଫେଡ଼ି କହିଲା, ଜଗବନ୍ଧୁ ତ ଜଗବନ୍ଧୁ, ହରବ୍ରହ୍ମା ଆସି କହିଲେ ତ ବୁଢ଼ା ଶୁଣିବେ ନାହିଁ । ଏକବାଗିଆ ଲୋକ । ମହାରାଢ଼ ! ମନ ନ ମାନିଲେ ମୁଣ୍ଡ ପିଟିଦେଲେ ବି ସେ ବଙ୍କେଇବା ଲୋକ ନୁହନ୍ତି । ମିଛଟାରେ ବୁଦା ବାଡ଼େଇ କି ଫଳ ? ଅନ୍ୟ ଉପାୟ ବିଚାର କର-

 

ଭୋକ ଦାଉରେ ସେତେବେଳକୁ ଜଗୁର ପେଟରେ ନିଆଁ ଜଳିଲାଣି । ପିଲାଦିନୁ ସୁଖରେ ବଢ଼ି ଆସିଛି । ଉପାସ ଭୋକ ସହି ମଣିଷ ହୋଇନାହିଁ । ଭୋକ ହେଲେ ତାକୁ ତିନିପୁର ଅନ୍ଧାର ଦିଶେ । ଘଡ଼ିକରେ ସେ ଦୁନିଆରେ ନିଆଁ ଲଗେଇଦେବା ଲୋକ । ଗାଁଲୋକଙ୍କ କବଳରୁ ମୁକ୍ତ ହୋଇ ସେ ଶୀଘ୍ର କିପରି ସେଠାରୁ ଖସି ଚାଲିଯିବ, ଏହି କଥା ଉଣ୍ଡୁଥିଲା । ବନ୍ଧୁର କଥା ଶୁଣି ତାକୁ ପଳାଇଯିବାର ଗୋଟାଏ ଉପାୟ ମିଳିଗଲା ।

 

Unknown

ସେ କହିଲା, ବନ୍ଧୁଭାଇ ଯାହା କହିଲା, ସବୁ ଅକ୍ଷରେ ଅକ୍ଷରେ ସତ । ବାପା କାହାରି କଥା ଶୁଣିବା ଲୋକ ନୁହନ୍ତି । ବରଂ ତୁମ୍ଭେମାନେ କହିଲେ ସେ ଶୁଣିବେ । ମୁଁ କହିଲେ ସେ ମୋଟେ ଶୁଣିବେ ନାହିଁ, ଠେଙ୍ଗାଧରି ଗୋଡ଼ାଇବେ । ବଦ୍‍ରାଗୀ ସେ, ତୁମେ ସବୁ କଅଣ ଏହା ଜାଣ ନାହିଁ ।

 

ଏତିକି କହି ଜଗୁ ବିଦାୟ ନେଲା ।

ଲୋକେ ନୀରବ ହେଲେ ।

 

ଉପାୟ କଅଣ ଅଛି ? ନିଜ କଲା କର୍ମ ଅବଶ୍ୟ ଭୋଗିବାକୁ ପଡ଼ିବ । ନେଡ଼ି ଗୁଡ଼ କହୁଣୀକି ବୋହି ଯାଇଛି । ଯେତେ ଜିଭ ବଢ଼ାଇଲେ ଏବେ ପାଉଛି କେଉଁଠି ? ଯେତେବେଳେ ହୁସିଆର ହେବାର କଥା, ସେତେବେଳେ ହୁଡ଼ିଛନ୍ତି, ବର୍ତ୍ତମାନ କାମୁଡ଼ି କଚାଡ଼ି ହେଲେ କି ଫଳ ଫଳିବ ? ବଡ଼ ବଡ଼ଙ୍କ କଥା ନ ମାନିଲେ ବିପଦ ପଡ଼ିବାର କଥା ।

 

ଆର ବର୍ଷ ଏହି ଦିନେ, ଏହି ବୈଶାଖ ମାସରେ, କୁମୁଟି ମହାଜନମାନେ ଗାଁ ଗାଁ, ଘର ଘର ବୁଲି ଧାନ କିଣିବାକୁ ଲାଗିଲେ । ଆଗରୁ ଭାଉ ଥିଲା ଟଙ୍କାର ପଚାଶ ଗଉଣୀ । ମହାଜନମାନେ ଦର ଟଙ୍କାରେ ତିରିଶ ଗଉଣୀ କଲେ । ଲୋକେ ସୁବିଧା ଦର ପାଇ ବଲୁରି ଲାଗିଲା ପରି ଘରଦ୍ୱାର ଖାଲି କରି ଧାନ ବୁହା ଲଗାଇଲେ । କମ୍ କଥା ! ଅଧକୁ ଅଧେ, ଏ ସୁବିଧା କି ଛାଡ଼ିବା କଥା ? ଏ ବର୍ଷଟା ଯଦି ଠାକୁରେ କରନ୍ତି, ଫସଲ ଫଳେ, ତେବେ ଆଉ ଭାବନା କଅଣ ? ଜ୍ୟେଷ୍ଠ ମାସର ବୁଣାବୁଣି । ପୌଷ ସରିକି ଫସଲ ଉଠିବ । ନୂଆ ଧାନ ଅମଳ ହେବ । ତେଣିକି ନିଶ୍ଚିନ୍ତ । ବିହନ ଗଣ୍ଡାକ ଛଡ଼ା ଛଅ ସାତ ମାସ ମାନିଆ ହିସାବ କରି ଧାନ ରଖି, ଚାଷୀମାନେ ବହକା ଧାନ ଛଡ଼ାଇଦେଇ ଅଣ୍ଟାରେ ଟଙ୍କା ଖୋସିଲେ । ଗରିବ ଚାଷୀର ଆନନ୍ଦ କହିଲେ ନ ସରେ । ନୂଆ ନୂଆ ଚିକ୍ ଚିକ୍ ସୁନ୍ଦର ଟଙ୍କା । କେଡ଼େ ବାଜେଣି । ପ୍ରଲୋଭନ ସମ୍ଭାଳି ରହିବା କି ଗରିବ ଓଡ଼ିଆ ପକ୍ଷରେ ସମ୍ଭବ ?

 

ପଛବୁଦ୍ଧିଆ ଜାତିଭାଇ ମୋର । ମାଡ଼ ଖାଇଲେ, କଷ୍ଟ ସହିଲେ ବୁଦ୍ଧି ବାହାରେ । କୁମୁଟି ବେପାରୀମାନେ ଶଗଡ଼ ଶଗଡ଼ କରି ଧାନ ବୁହା ଲଗାଇଲେ । ସମୁଦ୍ର କୁଳରେ ଜାହାଜ ଠିଆ ହୋଇଛି । ଟଙ୍କାରେ କୋଡ଼ିଏ ଗଉଣୀ ଦରରେ ଧାନ ନେଇ ନୂଆ ବାଜେଣି ଟଙ୍କା ଦେବାକୁ ଆଗ୍ରହରେ ଚାହିଁ ରହିଛି ।

 

ଦେଶରୁ ଯେତେ ଧାନ ଦୁଇ ମାସ ଧରି ବୁହା ଲାଗିଲା, ସବୁ ଯାଇ ପଶିଲା ଜାହାଜ-ରାକ୍ଷାସ ପେଟରେ । କେତେ ରାକ୍ଷସ ପୁରୀ ଜିଲ୍ଲାର ସମୁଦ୍ରକୁଳରୁ ଧାନ ଗ୍ରାସ କରି, ପାଲ ବାନ୍ଧି, ଆନନ୍ଦରେ ଡେଣା ଉଡ଼ାଇ ସମୁଦ୍ର ସେପାରିକୁ ଚାଲିଗଲେ, ତାର କଳନା ନାହିଁ । କୁମୁଟି ବେପାରୀ ଅଣ୍ଟାରେ ଟଙ୍କା ମାରି ମନଖୁସିରେ ଘରକୁ ଫେରିଲେ । ଦେଶଲୋକ ବି ନିଶ୍ଚିନ୍ତରେ ଘରଣୀମାନଙ୍କ ପାଇଁ ଗହଣା ବରାଦ ଦେଲେ । ନୋହିଲେ ଟଙ୍କାତକ କରନ୍ତେ କଅଣ ?

 

ବୈଶାଖ ଯାଇ ଜ୍ୟେଷ୍ଠ ଆସିଲା । ବର୍ଷାର ଦେଖା ନାହିଁ । ଚାଷୀ ମହଲରେ ଆତଙ୍କ ପଡ଼ିଲା । ବିଲବାଡ଼ି ଫାଟି ଆଁ କରିଛି । ଲଙ୍ଗଳ ଲୁହା ଶୁଣୁନାହିଁ ! କି ବୁଦ୍ଧି କରିବେ ? କେତେ ହୋମ ଧୂମ, କେତେ ଯାଗଯଜ୍ଞ ଠାକୁରମାଜଣା; ଠାକୁରାଣୀ ଗାଧୁଆ ବ୍ୟର୍ଥ ହେଲା । ଗରିବ ପ୍ରଜାର ଡାକ ଇନ୍ଦ୍ର ରଜାର କାନରେ ବାଜିଲା ନାହିଁ ।

 

ସର୍ବନାଶ ! ଚାରିଆଡ଼େ ହାହାକାର ପଡ଼ିଗଲା । ଚାଷୀ ମହଲରେ କାନ୍ଦ ବୋବାଳି ପଡ଼ିଗଲା । ସରିଲା, ସବୁ ସରିଲା ! ନରିପୁର ଗାଆଁର ମୁଣ୍ଡ ଉପର ଦେଇ କେତେ କେତେ ରଙ୍ଗରଙ୍ଗିଆ ମେଘ ନିତି ଭାସିଯାଆନ୍ତି; ଲୋକଙ୍କର ଆକୁଳ ପ୍ରାର୍ଥନା ତାଙ୍କର କାନରେ ପଶେ ନାହିଁ-। କେବେ ହେଲେ ଆଖି ଫେରାଇ ଚାହାନ୍ତି ନାହିଁ । ଲୋକେ ହତାଶ ହୁଅନ୍ତି ।

 

ଜ୍ୟେଷ୍ଠ ଯାଇ ଆଷାଢ଼ ଆସିଲା । ଲୋକଙ୍କର ହତାଶ ଭାଙ୍ଗିବାକୁ ଝଡ଼ିବର୍ଷା କୁଟିଗଲା । ଚାଷୀ ମନ-ଆନ୍ଦରେ ବିଲକୁ ହଳ ନେଲେ । ବୁଣାବୁଣି କାମ ଆରମ୍ଭ ହେଲା, ଶେଷ ହେଲା । ଶ୍ରାବଣ ଆସିଲା, ହେଲା ବର୍ଷା ! ଆହା ! ଇନ୍ଦ୍ର ରଜାର କେଡ଼େ ଦୟା ! ଲୋକଙ୍କ ବିକଳ ସହିପାରିଲେ ନାହିଁ । କି ସୁନ୍ଦର ପାଳକ ! ଧାନବିଲକୁ ଚାହିଁଲେ ପେଟ ପୂରିବ । ବଛାବଛି ସରିଲା । ପ୍ରଜାର ଗୁହାରି ଶୁଣି ଇନ୍ଦ୍ରରଜା ଟିକିଏ ଆଖି ଫେରାଇଲେ ହେଲା । ବେଳ ଦେଖି ଅସରାଏ ବର୍ଷା ହେଲେ ହେଲା ।

 

ବର୍ଷା କାଇଁ ? ଓହୋ, ଏ କି ନିରାଟ ଖରା ! ବିଲବାଡ଼ି ଶୁଖି ଝଣ ଝଣ ହେଲାଣି । ହେ ଇନ୍ଦ୍ରରଜା, ଟିକିଏ ସୁଦୃଷ୍ଟି ପକାଭଲା । ଏତିକିବେଳକୁ ସେ ଶୋଇଲେ ।

 

ଆହା, ଚାଷୀକୁ ଡହଳ ବିକଳ କରି ତାର ବିହନଗଣ୍ଡିକ ସରିଲା, ଧାନବିଲରେ ଗଛ ଶୁଖିଲା । ପ୍ରଜାଙ୍କ ଆଖିର ଲୁହ ଆଖିରେ ମଲା । କଅଣ କରିବେ ? ହାତର କଥା କି ? ଏଥର ମନରେ ପଶିଲା, ଆରେ ଧାନଗୁଡ଼ାକ ପାଖରେ ଥିଲା, ଛାଡ଼ିଦେଇ ବସିଲେ, ଏଣିକି କରିବେ କଅଣ-? ଟଙ୍କା ସୁନାକୁ ଚାଟିଲେ ରସ ବାହାରିବ ନାହିଁ । ଧନଦଉଲତକୁ ଅନାଇ ବସିଲେ ପେଟ ପୂରିବ ନାହିଁ ।

 

ଉପାୟ ?

 

ଲୋକେ ତୁନି ହୋଇ ରହିଲେ । ହେଉ, ଦେଖାଯାଉ, କଷ୍ଟମଷ୍ଟେ କେତେଦିନ ଚଳୁଛି । ନିଅଣ୍ଟ ବେଳକୁ ଅବଶ୍ୟ ବେପାରୀମାନେ ଆସି ଧାନବେଉସା କରିବେ । ବନ୍ଧାଛନ୍ଦା ପାକାଇ କୌଣସିମତେ ବର୍ଷକ କଟିଗଲେ ଆର ଫସଲତକ ଚାଲିଯିବ ।

 

ଛମାସ କଟିଗଲା । ବେପାରୀ କେହି ଧାନ ନେଇ ଆସିଲେ ନାହିଁ । ଚାରିଆଡ଼େ ସେହି ଅବସ୍ଥା, ଧାନ ଆସିବ କାହୁଁ ? ଧୀରେ ଧୀରେ ଧାନର ଭାଉ ବଢ଼ିଲା । ବିକ୍ରୀବାକ୍ରି, ବନ୍ଧାଛନ୍ଦା ପକାଇ ଓଳିଏ ଖାଇ ଦିଓଳି ଉପାସ ରହି ଲୋକେ ବେଳ କାଟିଲେ । ଫଗୁଣ ଯାଇ ଚଇତ ପଶିଲା-। ଲୋକଙ୍କର ଦୁର୍ଭାବନା ବଢ଼ିଲା । ଦୁର୍ଭିକ୍ଷର ଆଶଙ୍କାରେ ଜମିଦାର, ମଠମହନ୍ତ, ଦେଶର ଛୋଟ ଛୋଟ ମହାଜନମାନେ ବିକ୍ରୀ ଖର୍ଦ୍ଦି ବନ୍ଦ କରିଦେଲେ । ଯାହାପାଖରେ ଯାହା ଥିଲା, ଲୋକେ ଜାକି ରଖିଲେ ।

 

ଲୋକଙ୍କ ଭିତରେ ଚହଳ ପଡ଼ିଲା, ଦୁର୍ଭିକ୍ଷ ! ଲୋକଙ୍କ ମନରେ ଆତଙ୍କ ପଶିଲା, କଅଣ କରିବେ ? ଲକ୍ଷ୍ମୀ ଠାକୁରାଣୀଙ୍କୁ ଜାଣୁ ଜାଣୁ ହତାଦର କରି, ଜାହାଜ ଚଢ଼ାଇ ବିଦେଶ ପଠାଇଲେ, ତାଙ୍କର ତ ଋଷିବାର କଥା । ଘରଦ୍ୱାରା, ଜମିବାଡ଼ି, ଟଙ୍କାସୁନା ସବୁ ପଡ଼ିରହିଛି, ଏକା ଲକ୍ଷ୍ମୀ ନାହାନ୍ତି । ଲୋକେ ଆକାଶକୁ ଚାହିଁ ହାହାକାର କଲେ । କେତେ ଲୋକ ଗାଁ ଗଣ୍ଡା ଛାଡ଼ି ମାଗି ଖାଇ ଜୀବନ ରଖିବାକୁ ବାହାରିଗଲେ । କାଳ ପଡ଼ିଲା ।

 

ଚଲାଖ ଲୋକ ଏକା ପଧାନେ । ତାଙ୍କର ମଉରସି ସମ୍ପତ୍ତି ଭିତରେ, ଘର, ଖାନାବାଡ଼ିକୁ ଛାଡ଼ି ଜମିବାଡ଼ି ଯାହା ଥିଲା, ଫସଲ ଆମଦାନୀରୁ ବର୍ଷକର ଖରଚବାରଚ ଯାଇ ଧାନ କୋଡ଼ିଏ ପଚିଶ ଭରଣ ବଳିପଡ଼େ । ସେତକ ସେ ଦେଢ଼ୀ ମହାଜନୀରେ ଲଗାନ୍ତି । ନିଜ ଦିହାତିରେ ସେ କାହିଁ କେଉଁଠି ଗୁଣ୍ଠେ କି ବିଶ୍ୱାଏ ଜମି କିଣିନାହାନ୍ତି । କଅଣ ହେବ ? ଯେତିକି ଅଛି, ସେତେକ ତ ନେଇ ଆଣି ଥୋଇପାରିବା ମୁସ୍କିଲ୍‍ ।

 

ଯାହା କହ, ଦେଢ଼ୀ ମହାଜନୀ ବିଦ୍ୟାରେ ସେ ଅତି ପାରଙ୍ଗମ । ପଇସାକ ଚାରି ପଇସା କରି ପାଖରେ ନିରୋଳା ସୁନା ସଞ୍ଚି ରଖିବାକୁ ସେ ଭଲ ପାଆନ୍ତି । ନରିପୁର ଗାଁରେ ଏପରି କେହି ଲୋକ ନାହିଁ, ଯେ ତାଙ୍କଠୁଁ ଧାରଉଧାର କରି କେବେ ହେଲେ ନ ଚଳିଛି । ଆଜି ବୁଝିଆସିଲେ, ଅଧେ ଲୋକ ତାଙ୍କର ଧାରୁଆ ବାହାରିବେ । ଆହୁରି ଏକ କଥା ପଧାନଙ୍କର ଆଗପଛକୁ ସବୁବେଳେ ନଜର । ଯେତେବେଳେ ଗାଁଯାକ ଉଲୁରି ଲାଗିଲା ପରି ଧାନସବୁ ବିକିବାକୁ ବସିଲେ, ଏକା ପଧାନେ ବିକିବା ପରିବର୍ତ୍ତରେ ବରଂ କିଣି ଧାନ ମରେଇ ବାନ୍ଧି ରଖିଲେ । ଭାଉ ତ ବଢ଼ୁଛି, ବେଳ ପଡ଼ିଲେ ଅବଶ୍ୟ ଚାରି ପଇସା ଲାଭରେ ଛଡ଼ାଇ ଦେଇପାରିବେ । ଲାଭ ଆଶାରେ ଦୁନିଆ ଆତଯାତ । ପଧାନେ ଏବେ ତିନିଶ ଭରଣ ଧାନ ତିନିଟା ମରେଇ କରି ବାଡ଼ିରେ ଜମା କରି ରଖଛନ୍ତି । ସେଥିକି ଲୋକ କାହିଁକି ଆଖି ପକାଇବେ । ନିଜେ ଓଲୁ କାମ କରିଛନ୍ତି । ଏହିକ୍ଷଣି ପର ମାଲରେ ଆଖି ପକାଇ ପର ଚିଜ ଦେଖି ହାଇଁପାଇଁ ହେଲେ କିଏ ଶୁଣୁଛି ? ପଧାନେ ଭିନ୍ନ ଧାତୁରେ ଗଢ଼ା । ପରର ହାନୀରେ ନ ଥାନ୍ତି କି ଲାଭରେ ନ ଥାନ୍ତି । ତେବେ, ବିନା ଲାଭରେ ସେ କେବେ ବେଉସା ଚଳାନ୍ତି ନାହିଁ । ଯେତେବେଳେ ଦର ସୁବିଧା ହେଲା ବୋଲି ସେ ବୁଝିବେ, ସେତିକିବେଳେ ସେ ବେଉସା ମରେଇ ଭାଙ୍ଗିବେ ।

 

ଏହିସବୁ କଥା ଭାବି ବିଚାରି ଗୋବିନ୍ଦ ସାଉ ଗାଁ ଲୋକଙ୍କୁ କହିଲେ, ଆରେ, ପଧାନେ ଶୁଖିଲା କାଠ, ସେ କି ଆମର ଗୁହାରି ଶୁଣିବେ ? ମୁଁ କହୁଚି, ଚାଲ ଗ୍ରାମବାସୀଏ ଆଜି ଏକଜୋଟ ହୋଇ ଜମିଦାରଙ୍କର କଚେରୀକୁ ଯିବା । ନାଏବବାବୁଙ୍କ ଗୋଡ଼ତଳେ ପଡ଼ି ଦୁଃଖ ଜଣାଣ କରିବା । ମୁଁ ଶୁଣିଛି, ଜମିଦାରଙ୍କ ଆମାରରେ ଧାନ ଜମା ଅଛି । ଦୟା କରି ସେ ଯଦି ଧାରଉଧାର ଦିଅନ୍ତି, ତେବେ ପଧାନଙ୍କ ଗୋଡ଼ ଧରିବା କିଛି ଦରକାର ହେବ ନାହିଁ ।

 

ମଧୁ ସ୍ୱାଇଁ କହିଲା, ଯିବାକୁ ମୁଁ ମନା କରୁନାହିଁ, ଚାଲ, କିନ୍ତୁ ସେକାଳ ପଖାଳ ଆଉ ନାହିଁରେ ବାଇଆ ! ଜମିଦାରକୁ ବାପ ବୋଲି ମାନି ଚଳୁଥିଲ । ସେ ବି ତମକୁ ପୁଅ ପରି ପାଳୁଥିଲେ । ଆଜି କାଲିକା ଜମିଦାର ତ ସହସ୍ର କୋଶରେ ରହିଲେ । ତମର ଦୁଃଖ ଶୁଣିବ କିଏ ? ଯେଉଁମାନେ ଏଠି ରହିଲେ, ସେମାନେ ଚାକରବାକର ଲୋକ । ଟଙ୍କାର ପିଆରା ।

 

ଗୋପୀ ମହାରଣା କହିଲା, ସମସ୍ତେ ସେଇଆ । ତେବେ, ବଥ ବଥାଏ ନା ଆବୁ ବଥାଏ ? ଆମ ପୁରୁଣା ଜମିଦାର ଥିଲେ ଆମରି ଲୋକ, ଏକା ରକ୍ତ ଦି ଧାର, ଏକା ନାହି ଦି ଖଣ୍ଡ-। ଆଉ, ଏ କାହୁଁ ଅଇଲା ଜମିଦାର, ପୋଷା ପୁଅ ଗୁଞ୍ଜାରୁଅ । ତେଲରେ ସିନା ତେଲ ମିଶେ ରେ ଭାଇ, ପାଣି ମିଶିବ କେଉଁଠୁ ? ସତେ ଭାଇ, ବିନା ଦୋଷରେ ମାହାଲ ହରାଇ, ସାଆନ୍ତେ ଆମର ପିଲାଛୁଆ ଘେନି ଗଡ଼ଜାତକୁ ଗଲେ ଜଙ୍ଗଲରେ ପଶିଲେ । ଦେଶରୁ ଲକ୍ଷ୍ମୀ ଛାଡ଼ିଲା ।

 

ଭଗୀ ଜେନା କହିଲା, ନାଏବ ଯଦି ମନା କରନ୍ତି ?

ଗୋବିନ୍ଦ ସାଉ କହିଲେ, ତେଣିକି ପଧାନଙ୍କୁ କହିବା ।

ମଧୁ ସ୍ୱାଇଁ-ସେ ବି ଯଦି ନ ମଙ୍ଗନ୍ତି ?

ଗୋପୀ-ଖାଇବା ବିନା ତ କିଛି ମରିବା ନାହିଁ ! ତା ଆଗରୁ ଦେଖିଲା କାମ କରିବା ।

 

–୫–

 

ସେହିଦିନ ଉପର ଓଳି । ଜଗୁ ମୁହଁରୁ ସବୁ କଥା ଶୁଣି ନେତୀ ସନ୍ଦେହ କଲା । ଭାବିଲା, ଆଉ ଯାହା ହେଉ, ଏଥର ଜଗୁ ତା ହାତମୁଠା ଭିତରକୁ ଆସିବ । ପୋଳୁହ ଭିତରେ ମାଛ । ଯେତେ ଛଟପଟ ହେଲେ ଯିବ କୁଆଡ଼େ ?

ସେ ମୁହଁ ଶୁଖେଇ କହିଲା, ପଧାନଙ୍କ କଥା କି ତତେ ଅଛପା ଅଛିରେ ଜଗୁ ? ଲୁଗା ଖଣ୍ଡେ ନ ହେଲା, ପେଡ଼ିରୁ କାଢ଼ିଦେବି । ତା’ର ହିସାବ କିଏ ରଖୁଛି ? ପଧାନେ ନ ଜାଣିଲେ ହେଲା । କିଏ ନ ଦେବ ? ଉମା ଯେପରି ପିଲା, ତାକୁ ଦେଖିଲେ, ତା ମୁହଁରୁ ଦି ପଦ କଥା ଶୁଣିଲେ, ଯେଡ଼େ ଶତ୍ରୁ ହେଲେ ମନ ଟଳିବ । ତୁ ଯେତେବେଳେ ଶରଧାରେ କହୁଛୁ, ତୋ କଥା ତଳେ ପକାଇବି କେମିତି ? ତମରି ସୁଖ, ତମରି ଆନନ୍ଦ ଦେଖିଲେ ମୋ ଆଖି ପୂରିଉଠେ ।

ନେତୀର ବ୍ୟବହାରରେ ଜଗୁର ବିଦ୍ରୋହୀ ମନ କେତେଦିନୁ ବଶ ହୋଇଥିଲା । ତାର କଅଁଳ ମନଭୁଲାଣିଆ କଥା ଶୁଣି ସେ କହିଲା, ଲୁଗା କଥାଟା ବଡ଼ ନୁହେଁ । ଲୁଗା ଖଣ୍ଡେ ପିନ୍ଧିଲେ ପେଟ ପୂରେ ନାହିଁ କି ପ୍ରାଣ ରହେ ନାହିଁ । ମୁଠାଏ ଖାଇବା କଥା ହେଉଛି ଆଗ ।

ନେତୀ କହିଲା, ଠିକ୍ କଥା । ଜଣେ ଲୋକକୁ ଦିନରେ ମୁଠାଏ ଖାଇବାକୁ ଦେଲେ ଆମର ସରିଯିବ ନାହିଁ । ଦିପହରେ ଯେତେବେଳେ ସେ ପାଣି ପାଇଁ ଆସିବ, ସେତିକିବେଳେ ତୁ ତାକୁ ଘରଭିତରକୁ ଡାକିନେଇ ମୁଠାଏ ଖାଇବାକୁ ଦେବି । ଆଉ କିଏ ଜାଣିବ କାହିଁକି ? ହେଲେ, ବେଣୁଆକୁ କଅଣ କମ୍ ଦେଖିଛୁ କିରେ.... ! ସେ ଭାରି ଜଣେ... !

ବେଣୁକୁ ମୁଁ ବାଁରେଇ ସାଙ୍ଗରେ ନେଇଯିବି ।

ଉମା ଆମ ଘରେ ଖାଇବାକୁ ମଙ୍ଗିବ ତ ?

ନ ମଙ୍ଗିବ କାହିଁକି ?

ଆରେ, ତା ଦାଦି ଖୁଡ଼ୀଙ୍କ କଥା ଜାଣୁନାହିଁ ? ସେମାନେ ଜାଣିଲେ ତାକୁ ବାରକଥା କହି ଝିଙ୍ଗାସିବେ ।

ସେମାନେ ଜାଣିବେ କିପରି ? ସେ ଯଦି ନ ମଙ୍ଗେ ତୁ ମୋତେ ଡାକି ଆଣିବୁ । ଜଗୁ ତାର କଥା ଶେଷ କରି ଦାଣ୍ଡଘରକୁ ଗଲା । ନେତୀ ସଜନା ଶାଗ ବାଛୁ ବାଛୁ ମନକୁ ମନ ଗୁଣୁ ଗୁଣୁ ହୋଇ କହିଲା, ଓହୋ ରେ, କି ସୋହାଗ ! ଏଇ ସୋହାଗରୁ ରୋଗ ବାହାରେ । ଦେଖାଯାଉ, କେଉଁ ପାଣି କେଉଁ ସୁଅରେ ଯାଉଛି ।

ଦାଣ୍ଡଘର କଡ଼କୁ ଆସି ସେ ଉଙ୍କିମାରି ଦାଣ୍ଡକୁ ଚାହିଁଲା, କେହି ନାହାନ୍ତି । ଅମାରଘରୁ ପଧାନଙ୍କର ପାଟି ଶୁଭୁଛି । ସେ ବୋଧହୁଏ କାହାକୁ କଅଣ ବୁଝାଇ କହୁଛନ୍ତି । ବେଳେ ବେଳେ ବେଣୁର ପାଟି ଶୁଭୁଛି ।

ଦିପହରଟା ଏପାଖ ସେପାଖ ନସର ପସର ହୋଇ ତାର କିଛି କାମ ହୋଇପାରିଲା ନାହିଁ । ପୋଖରୀ ଶୁଖିଲା, ମାଛ ଧରିବାର ସୁବିଧା ଆଉ ନାହିଁ । ବର୍ତ୍ତମାନ ଜଗୁଆର ପ୍ରଧାନ କାମ ହେଉଛି ମାଙ୍କଡ଼ ତଡ଼ିବା । ଛିଟିକିଣିର ଟେକାମାଡ଼କୁ ଆଉ ସେମାନେ ଖାତିର କରୁନାହାନ୍ତି । ବିନା ବାଟୁଳିଖଡ଼ା ନ ହେଲେ ସେମାନେ ସାଧ୍ୟ ହେବେ ନାହିଁ କି ବୋଲ ମାନିବେ ନାହିଁ । ଚକଟା ମାଟି ବାଡ଼ିଆଡ଼ କଦଳୀଗଛ ମୂଳରେ ଜମା ହୋଇଛି । ବାଟୁଳି ବଳିବାକୁ ତର କାହିଁ ? ଖରା ଆସି ନଇଁଲାଣି । ବେଣୁ ଯଦି ତା ସାଙ୍ଗରେ ମିଶି ସାହାଯ୍ୟ କରନ୍ତା, ତେବେ ହୁଏତ କାଲିସରିକି ବାଟୁଳି ଶୁଖି ପାରନ୍ତା, ଏହି ଉଦ୍ଦେଶ୍ୟରେ ଜଗୁର ବେଣୁକୁ ଖୋଜିବାର କଥା । ବେଣୁକୁ ପାଟିକରି ଡାକିବାକୁ ସାହସ ହେଲା ନାହିଁ । ଅପେକ୍ଷା କରିବାକୁ ଆଉ ବେଳ ନାହିଁ । କ’ଣ କରିବ ସେହି କଥା ଭାବୁଛି ।

ବେଣୁ ହାତରେ ଖଣ୍ଡେ କାଗଜ ଧରି ଦଉଡ଼ି ଦଉଡ଼ି ଆସି ତା ପାଖରେ ପହଞ୍ଚିଲା ଜଗୁକୁ ଦେଖି ଖୁସି ହୋଇ କହିଲା, ଦାଦା, ମୁଁ କାଲି ମାମୁଁଘରକୁ ଯାଉଛି ।

ଜଗୁ ଟିକିଏ ବିସ୍ମିତ ହୋଇ କହିଲା, କାହିଁକି ରେ ?

ମାମୁଁ ଲୋକ ପଠାଇଛନ୍ତି ।

ତତେ ନେଇ ଯିବାକୁ ?

ନା ।

ଆଉ ?

ବୋଉ ଆସିବାକୁ ଖବର ପଠାଇଛନ୍ତି ।

ତୁ ତେବେ ଯିବୁ କାହିଁକି ?

ମୋ ଯିବା କଥା ସେ କିଛି ଲେଖି ନାହାନ୍ତି । ଜେଜେ କହିଲେ-ଏବେ ବେଳ ଭଲ ନୁହେଁ-। ବୋଉର ଆସିବା ଦରକାର ନାହିଁ । ବୋଉ ମତେ ଦେଖିବାକୁ କାନ୍ଦୁଛି । ସେଥିପାଇଁ ମୁଁ ଯିବି । ବୋଉ ପାଖରେ ରହିବି ।

ଜଗୁ ଗମ୍ଭୀର ହେଲା । ହଠାତ୍‍ ତା ମୁଣ୍ଡ ଭିତରେ ତୋଫାନର ସୃଷ୍ଟି ହେଲା । ବାପାଙ୍କ ବିରୁଦ୍ଧରେ ତାର ମନ ବିଦ୍ରୋହୀ ହୋଇଉଠିଲା । ବେଳ କଅଣ କେବେ ଭଲ ପଡ଼ିବ ନାହିଁ ବୋଲି ଭାଉଜବୋଉ ସାରାଜୀବନ ବାପଘରେ ପଶିଥିବେ ? ବୈଷ୍ଣବବାବୁ, ତାଙ୍କ ଭାଇ ବାରମ୍ବାର ଖବର ପଠାଉଛନ୍ତି, ଅଥଚ ସେ ତାଙ୍କର କଥା ଶୁଣୁ ନାହାନ୍ତି । ବେଣୁକୁ ପାଖରୁ ଅନ୍ତର କରିବାକୁ ବସିଛନ୍ତି-। ଯେତିକି ବୁଢ଼ା ହେଉଛନ୍ତି, ତାଙ୍କର ବୁଦ୍ଧି ସେତିକି ବାମ ହେଉଛି । ଏସବୁ ନିଶ୍ଚୟ ନେତୀର ଶିକ୍ଷା । ଡେଣା ଧରି ଦାଣ୍ଡକୁ ବାହାର କରିଦେଲେ କାଲି ଯାଇଁ ଛତରରେ ପଶିବ । ଘରେ ବସି ସାଆନ୍ତାଣୀ ହୋଇ ସୁସ୍ଥରେ ମୁଠିଏ ଖାଇବାକୁ ମିଳୁଛି ବୋଲି ଚାତର ବାହାରୁଛି ।

ଜଗୁର ମୁଣ୍ଡ ଗରମ ହୋଇଉଠିଲା । ଇଚ୍ଛା ହେଲା, ସାଙ୍ଗେ ସାଙ୍ଗେ ଯାଇ ନେତୀକୁ ମୁହେଁ ମୁହେଁ ଅସଲ କଥା ପଚାରିଦେବ । ଯଦି ଆବଶ୍ୟକ ପଡ଼େ ଉତ୍ତମ ମଧ୍ୟମ ଦେବାକୁ ଛାଡ଼ିବ ନାହିଁ । କିନ୍ତୁ, ଉମା ? ଉମାକୁ ସାହାଯ୍ୟ କରିବ ବୋଲି ସେ ପ୍ରତିଜ୍ଞା କରିଛି । ତାକୁ ଯଦି ସେ କଟୁକଥା କହେ, ତେବେ ସେ ଉମା ପ୍ରତି ଆଉ ସଦୟ ହେବ ନାହିଁ । ଜଗୁର ରାଗଟା ଆପେ ଆପେ କମିଆସିଲା । ଭାବିଲା, ପଧାନଙ୍କର ଏପରି ଅବିବେକ କାମକୁ ସେ ସଫଳ କରାଇଦେବ ନାହିଁ ।

କେତେ କଅଣ ଭାବି ବେଣୁର ହାତ ଧରି ସେ ଦପ୍ତର ଘରକୁ ଟାଣିନେଲା । ତା କାନ ପାଖକୁ ମୁହଁ ନେଇ ଧୀରେ ଧୀରେ ପଚାରିଲା, ସେ ଲୋକ କାହିଁ ?

ବେଣୁ କିଛି ବୁଝିପାରିଲା ନାହିଁ । ତା ଆନନ୍ଦରେ ବାଧା ପଡ଼ିବାରୁ ସେ ମୁହଁ ମଉଳାଇ କହିଲା, କୁଆଡ଼େ ଯାଇଛି ମୁଁ ଜାଣେ ନାହିଁ । ସଞ୍ଜବେଳେ ଆସି ମୋଠୁଁ ଚିଠି ନେଇଯିବ, କହିଛି ।

ବାପା କଅଣ କରୁଛନ୍ତି ?

ସେ ମଇଦାନ ଯିବାକୁ ଗାମୁଛା ପାଲଟୁଛନ୍ତି ।

ବେଣୁ, ମୁଁ ଯାହା କହିବି, ତୁ କରିବୁ ?

ବେଣୁ ଡରି ଡରି କହିଲା, ହଁ ।

ଆଉ କାହାକୁ କହିବୁ ନାହିଁ ତ ?

ନାହିଁ ।

ଅମାରଘରେ ଆଉ କିଏ ଅଛି ?

ବଇଆ ଥିଲା । ସେ ଗୁହାଳକୁ ଗଲାଣି ।

ଜଗୁ ପୁଣି କଅଣ ଭାବିଲା । ଚୁପ୍ ଚୁପ୍ କରି କହିଲା, ତୁ ଦଉଡ଼ି ଯା, ତୋ ମାମୁଁଙ୍କ ଚିଠିଖଣ୍ଡ ନେଇଆସିବୁ ।

ଦାଦାର ଆଦେଶ ପାଇ ବେଣୁ ଚିଲପରି ଛୁଟିଗଲା । ଅମାରଘରେ କେହି ନଥିଲେ । ସେ ଚିଠି ଖଣ୍ଡିକୁ ଖୋଜିଲା, ପାଇଲା ନାହିଁ । ପଧାନେ କେଉଁଠି ଲୁଚାଇ ଦେଇଛନ୍ତି । ତାର ମନ ପଡ଼ିଲା, ଚିଠି ପଢ଼ିଲାବେଳେ ପଧାନେ ବଟୁଆ ଖୋଲି ବସିଥିଲେ । ହୁଏତ ତାଆରି ଭିତରେ ରଖି ଦେଇଥିବେ । ସେ ଘରର ଚାରିଆଡ଼େ ନିଘା ପକାଇଲା । ବଟୁଆଟି କାନ୍ଥରେ ଝୁଲୁଛି । ଆଣିବାକୁ ବହୁତ ଚେଷ୍ଟା କଲା । ଯେତ ଡିଆଁ ଡେଇଁ କଲେ ବି ତାର ହାତ ପାଇଲା ନାହିଁ । ଗୋଟାଏ ବୁଦ୍ଧି ପାଞ୍ଚିଲା । ଧାନରଖା ବଡ଼ ବେତାଟାକୁ ତଳେ ଉଗାଡ଼ି ତା ଉପରେ ଗଉଣୀ ଓଲଟାଇ ରଖିଲା । ଗଉଣୀ ଉପରେ ଚଢ଼ି ବଟୁଆଟି କାଢ଼ିଲା । ସତକୁ ସତ ବଟୁଆ ଭିତରେ ଚିଠି ଅଛି । ସେ ଚିଠିଟି ଆଣି ତା’ର ଦାଦା ହାତରେ ଦେଲା ।

ଜଗୁ ସ୍ନେହରେ ତାକୁ ଆଲିଙ୍ଗନ କଲା । ଚିଠିକୁ ଏପାଖ ସେପାଖ ଓଲଟପାଲଟ କଲା । ପିଲାଦିନଟା ଅବଧାନକୁ ଫାଙ୍କି ମାରି ପାଠ ପଢ଼ି ନାହିଁ । ଆଜି ଯୁବା ବୟସରେ ମନ ମାରି ଚିଠି ଓଲଟପାଲଟ କଲେ ପଢ଼ିପାରୁଛି କେଉଁଠି ? ଏତେଦିନେ ବୁଝିଲା, ଚଗଲାମି କରି ସେ ଅବଧାନକୁ ଠକି ନାହିଁ ଯେ ନିଜକୁ ଠକିଛି । ଯାହା ହେଉ, ନିଜର ଦୁର୍ବଳତାଟା ସେ ଛୁଆଟାକୁ ଦେଖାନ୍ତା କିପରି-?

ସେ ପୁଣି ବେଣୁକୁ ଗେହ୍ଲା କରି କହିଲା, ଆଚ୍ଛା, ବେଣୁ, ତୁ ତ ପାଠ ପଢ଼ିଛୁ ! ଏ ଚିଠିଟା ପଢ଼ିଲୁ ଭଲା, ଦେଖିବା ଅବଧାନେ ତତେ କେମିତି ପାଠ ପଢ଼େଇଛି ।

ବେଣୁ ଚଲାଖ ପିଲା । ସେ ଏତେ ଦିନ ପାଠ ପଢ଼ିଛି, ଛାର ଚିଠିଟା ସେ ପଢ଼ିପାରିବ ନାହିଁ ? ସେ ଚିଠିଖଣ୍ଡ ଜଗୁ ହାତରୁ ନେଇ ପଢ଼ିବାକୁ ଆରମ୍ଭ କଲା ।

ମଉସା,

 

ଆପଣ କଅଣ ମୋର ଅବସ୍ଥା ଜାଣନ୍ତି ନାହିଁ ? ଘରେ ପିଲାଛୁଆ ଧରି ପାଞ୍ଚ ପ୍ରାଣୀ କୁଟୁମ୍ବ । ଗତ ବର୍ଷ ବିଲରୁ ମାଣେ କି ପୋଷେ ଫସଲ ମିଳିଲା ନାହିଁ । ବିହନ ବୁଡ଼ିଲା । ତିଦସ୍ତାର ବହକା ଫସଲରେ କଷ୍ଟେମଷ୍ଟେ ଆଜିଯାଏ ଚଳାଇ ଆଣିଲି । ନୂଆ ଫସଲ ହେବାଯାଏ କିପରି ପିଲାଙ୍କ ମୁହଁରେ ପାଣି ଦେଇ ତାଙ୍କୁ ବଞ୍ଚାଇ ରଖିବି, ମୋର ସେହି ଭାବନା । ଗାଁ ଛାଡ଼ି ଅଧେ ଲୋକ କୁଆଡ଼େ ପଳେଇଲେଣି ! ଯେଉଁମାନେ ମାଟି କାମୁଡ଼ି ରହିଛନ୍ତି ତାଙ୍କର ଅବସ୍ଥା କହିଲେ ନ ସରେ । ଏଣୁ ତେଣୁ ଖାଇ ପ୍ରାଣ ବଞ୍ଚାଇବାକୁ ବସିଛନ୍ତି, କିନ୍ତୁ ଏଣୁ ତେଣୁ ଖାଇ ଓଲଟା ପେଟ ବିଗିଡ଼ି ହଇଜା ହେଉଛି । ହଇଜାରେ ନିତି ତିନି ଚାରିଜଣ ମରୁଚନ୍ତି । ଗାଈଗୋରୁ ମରି ପଦା ହୋଇଗଲେଣି । ଖାଇବାକୁ ନ ପାଇ, ଲାଜରେ ପଦାକୁ ବାହାରି ନ ପାରି ଘର ଭୁଆଷୁଣୀ ସବୁ ଗଳାରେ ଦଉଡ଼ି ଦେଇ ମରୁଛନ୍ତି । ଗାଁଟା ଛିନ୍‍ଛତ୍ର ହୋଇଗଲାଣି । ଚାରିଆଡ଼ର ଅବସ୍ଥା ତ ଏକା ପରି । ଅଧିକା ଗୁଡ଼ାଏ କଅଣ ଲେଖିବି ?

 

କେଉଁ କେଉଁ ଗାଁରୁ ଭିକାରୀ ପଲ ଆସି ଗାଁରେ ପଶୁଛନ୍ତି । ଟିକିଏ ସୁବିଧା ପାଇଲେ ଯାହା ପାଉଛନ୍ତି, କେଉଁ ଛଟକରେ ଚୋରାଇ ନେଉଛନ୍ତି । ଘର ଛାଡ଼ି ପଦାକୁ ଗୋଡ଼ କାଢ଼ିବାକୁ ଡର ମାଡ଼ୁଛି । ନୋହିଲେ ନିଜେ ମୁଁ ଆପଣଙ୍କ ପାଖକୁ ନ ଯାଇ, କୋଠିଆକୁ ପଠାନ୍ତି କାହିଁକି ? ଦିନରାତି ଡରି ଡରି ବେଳ କାଟୁଛି । ମନରେ ସୁଖ ନାହିଁ ।

 

ଲେଖିବାକୁ ଲାଜ ମାଡ଼ୁଛି, ନ ଲେଖି ରହି ପାରୁନାହିଁ । ରୁକ ମୋର ଗୋଟାଏ ବୋଲି ଭଉଣୀ । ତାକୁ ମୁଁ କିପରି ଭଲପାଏ ଆପଣତ ଜାଣନ୍ତି । ତାର କପାଳ ଫାଟିଲାଦିନୁ ତାକୁ ମୁଁ ଆପଣଙ୍କ ଘରେ ପୂରା ମାସେ ରଖାଇଦିଏ ନାହିଁ । ସେ ଆପଣଙ୍କର ବୋହୂ । ମୋ ଅପେକ୍ଷା ଆପଣଙ୍କର ଯେ ତା ପ୍ରତି ବେଶି ସ୍ନେହ, ଏ କଥା ଯେ କେହି କହିବେ । ସେ ସିନା ଗରିବର ଭଉଣୀ, ବଡ଼ଲୋକର ବୋହୂ ତ ! ସେ କାହିଁକି ଏ ଅସମୟରେ ଆମ ସଙ୍ଗେ ହଇରାଣ ହେବ ? ତିନି ଓଳିରେ ପେଜପାଣି ଟିକେ ପାଇବ ନାହିଁ ? ତାକୁ ଦେଖି ମୋର ଦୁଃଖ ହେଉଛି । ଗଉଡ଼ସାହିଆ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଯେତେ ଖୋସାମତ କଲି, କେହି ଶୁଣିଲେ ନାହିଁ । ନୋହିଲେ ମୁଁ ସଙ୍ଗରେ ନେଇ ତାକୁ ଆପଣଙ୍କ ଜିମା କରି ଆସିଥାନ୍ତି । ସେ ବେଣୁକୁ ଦେଖିବାକୁ ଭାରି କାନ୍ଦୁଛି ।

 

ଅନୁରୋଧ କରୁଛି, ଆପଣ ଯେତେ ଶୀଘ୍ର ପାରନ୍ତି, ସବାରି ଗଉଡ଼ ପଠାଇ ତାକୁ ଏଠାରୁ ନେଇଯିବେ । ମୁଁ ଏକୁଟିଆ ଲୋକ, ଘର ଛାଡ଼ି ତା ସଙ୍ଗରେ ଯାଇପାରିବି ନାହିଁ । ଜଗୁକୁ ପଠାଇବେ । ଇତି ।

 

ଆପଣଙ୍କର, ବୈଷ୍ଣବ

 

ଜଗୁ ଚିଠିଟାକୁ ମନ ଦେଇ ଶୁଣିଲା । ଚିଠି ପଢ଼ା ସରିଲାରୁ ସେ ଭାବିଲା, ବୈଷ୍ଣବ ଭାଇ ଯାହା ଲେଖିଛନ୍ତି, ସେଥିରେ ଅନ୍ୟାୟ ଅସଙ୍ଗତ କିଛି ନାହିଁ । ଲୋକ ବିପଦରେ ପଡ଼ିଲେ ଅନ୍ୟର ଯାହା ଲୋଡ଼େ । ଦେଶଟାକୁ ଗ୍ରାସିବାକୁ ଗୋଟାଏ ବଡ଼ ବିପଦ ଘୋଟି ଆସୁଛି । କେତେବେଳେ କି ବିପଦ ଆସି ଅଜାଣତରେ ଚଡ଼କ ପରି ମୁଣ୍ଡରେ ପଡ଼ିବ, ସେ କଥା କେହି କହିପାରିବେ ନାହିଁ । ଏପରି ଅସମୟରେ ଆତ୍ମୀୟ ଲୋକଙ୍କୁ ଦୂରରେ ଛାଡ଼ି ରହିବା ନିର୍ବୁଦ୍ଧିଆ କାମ ।

 

ଜଗୁ ଦୀର୍ଘଶ୍ୱାସ ଛାଡ଼ି କହିଲା, ସେ ଚିଠି ଖଣ୍ଡି କଅଣ ?

ବେଣୁ କହିଲା, ଜେଜେଙ୍କ ନାମରେ ମାମୁଁଙ୍କୁ ମୁଁ ଲେଖିଛି ।

ଜଗୁ ଆଶ୍ଚର୍ଯ୍ୟ ହେଇ ପଚାରିଲା, ତତେ ଚିଠି ଲେଖି ଆସିଲାଣି ?

 

ବେଣୁ କହିଲା, ଜେଜେ ଯାହା ଡାକିଛନ୍ତି, ମୁଁ ସେଇଆ ଲେଖିଛି । ମୋତେ କହିଛନ୍ତି, ୟାକୁ ଗୋଟାଏ ଲଫାଫାରେ ବନ୍ଦ କରି ସେ ଲୋକ ସଞ୍ଜବେଳେ ଆସିଲେ ତାକୁ ଦେଇଦେବି ।

 

କଅଣ ଲେଖିଛୁ, ପଢ଼ ତ

ବେଣୁ ଖୁସି ହୋଇ ପଢ଼ିଲା –

 

ବାବୁ ବୈଷ୍ଣବ,

 

ତମର ଚିଠିପାଇ ସବୁକଥା ବୁଝିଲି । ପୃଥ୍ୱୀସାରା ବିପଦ ପଡ଼ିଛି । ଠାକୁରଙ୍କୁ ଡାକିବା ଛଡ଼ା ଏପରି ଅସମୟରେ ଆଉ ଉପାୟ କଅଣ ଅଛି ! ତମ ଗାଁର ହାଲଚାଲ ଯାହା ଲେଖିଛ, ଆମ ଗାଁ ଅବସ୍ଥା ତାଠୁଁ ବଳି । ଲୋକେ ଘରଦ୍ୱାର ଛାଡ଼ି ପଳାଇବାକୁ ବସିଲେଣି । କେତେ ଲୋକ ପିଲାଛୁଆ ଛାଡ଼ି ପଳାଇ ଗଲେଣି ।

 

ସେ ଯାହା ହେଉ, ବର୍ତ୍ତମାନ ବୋହୂଙ୍କର ଆସିବା କଥା ସ୍ଥଗିତ ରହିଲା । ସମୟ ଖରାପ-। ସବାରି ଗଉଡ଼ ମିଳୁ ନାହାନ୍ତି । ଜଗୁଟା ତ ଚଗଲା ପିଲା, ସେ ଯିବାକୁ ରାଜି ନୁହେଁ । ଏପରି ଅବସ୍ଥାରେ ବୋହୂ ଆସିବେ କିପରି ? ମୋ ବିଚାରରେ ତାଙ୍କର ଆସିବା ବର୍ତ୍ତମାନ ବନ୍ଦଥାଉ ।

 

ବେଣୁକୁ ଦେଖିବାକୁ ଯଦି ସେ ନିତାନ୍ତ ବ୍ୟସ୍ତ ହେଉଛନ୍ତି, ଦିନେ ଦି ଦିନ ଛାଡ଼ି ଲୋକ ପଠାଇଲେ ମୁଁ ତାକୁ ପଠାଇଦେବି । ସେ ତା ବୋଉ ପାଖରେ କିଛି ଦିନ ରହି ମନ ଭୁଲିଗଲେ ପୁଣି ଫେରିଆସିବ ।ଇତି ।

 

ତମର, ମଉସା

 

ଚିଠି ଶୁଣି ଜଗୁ ମୁଣ୍ଡରେ ହାତ ଦେଇ ବସିଲା । ଓହୋ ! ବାପାଙ୍କର ଏତେ ଲୋଭ ? ଏଡ଼େ ଅମଣିଷ ସେ ? କାହାପାଇଁ ଏ ଘରଦ୍ୱାର ? କାହା ପାଇଁ ବା ଏ ସମ୍ପତ୍ତି ? କୂଳର ଉଜ୍ଜ୍ୱଳ ଦୀପ ବେଣୁ ! ଘର ଛାଡ଼ି ପର ଘରକୁ ଯିବ ! ଜଗୁ କି ଏହା ସହିପାରେ ? ଏଥିପାଇଁ ଦାୟୀ ନେତୀ-

 

ଜଗୁ କେତେ କଅଣ ଚିନ୍ତା କରି ବେଣୁକୁ କୋଳ କରି ତା ମୁହଁରେ ବୋକ ଦେଲା । ଟିକି ମୁହଁଟିକୁ ଛାତି ଭିତରେ ଜାକି ଧରି କାନ ପାଖରେ କହିଲା, ମୋତେ ଛାଡ଼ି ତୁ ଯିବୁ କିପରି ବେଣୁ ?

 

ମୋଟେ ଦି ଦିନ ରହି ମୁଁ ପଳାଇ ଆସିବି ଯେ ।

 

ଜଗୁ ତାକୁ କୋଳରୁ ଓହ୍ଲାଇ କହିଲା, ନା ତୋତେ ଯିବାକୁ ହେବ ନାହିଁ । ତୋ ବୋଉ ଏଠିକି ଆସିବ । ମୁଁ ତାର ବରାଦ କରୁଛି । ଯାହା କହିବି, ତୁ କରିବୁ ।

 

ବେଣୁ ଖୁସି ହୋଇ ମୁଣ୍ଡ ହଲାଇ ସମ୍ମତି ଜଣାଇଲା ।

 

ଜଗୁ କହିଲା, ଯା ଦୁଆତ କଲମ ଆଉ କାଗଜ ନେଇଆ । ଯାହା କହିବି ତୁ ଲେଖିବୁ, ଏଁ ।

 

ବେଣୁ ସଙ୍ଗେ ସଙ୍ଗେ ଧାଇଁଯାଇ କାଗଜ, କଲମ ଓ ଦୁଆତ ଅମାର ଘରୁ ନେଇ ଆସିଲା । କାନ୍ଥକୁ ଆଉସି ବସି ଦୁଇ ଆଣ୍ଠୁ ଯୋଡ଼ି ଲେଖିବାକୁ ପ୍ରସ୍ତୁତ ହୋଇଗଲା । ପିଲାଲୋକ, ଛନ୍ଦ କପଟ, ବାଦହିଂସା, ତକ, ଛଳନା କିଛି ଜାଣେ ନାହିଁ । ଯେ ଯାହା କହିଲା, ସବୁ ଭଲ । ଟିକିଏ ପ୍ରଶଂସା ଶୁଣିଲେ, ଗେହ୍ଲା ପାଇଲେ ନିଆଁକୁ ଗୋଡ଼ ବଢ଼ାଇବ । ସାପ ଲାଙ୍ଗୁଳରେ ହାତ ମାରିବ ।

 

ସେ ତା ଦାଦା ମୁହଁର ଆଦେଶ ଅପେକ୍ଷାରେ ଚାହିଁ ରହିଲା ।

ଜଗୁ ଚିଠି ଡାକିଲା–

 

ବାବୁ ବୈଷ୍ଣବ,

 

ତମର ଚିଠି ପାଇ ସବୁ କଥା ବୁଝିଲି । ଚାରିଆଡ଼େ ଏକା ପରି ଦୁର୍ଭିକ୍ଷ ପଡ଼ିଛି । ଠାକୁରଙ୍କ ଛଡ଼ା ଏ ବିପଦରୁ ତାରିବାକୁ ଆଉ କେହି ନାହିଁ । ଆମ ଗାଁର ଅବସ୍ଥା ବଡ଼ ଖରାପ । ସବାରି ଗଉଡ଼ ମିଳୁନାହାନ୍ତି । ତମ ଗାଁରୁ ଧରାଧରି କରି ଗଉଡ଼ ସଜିଲ କରି ଯେମିତି ହେଲେ ଆସନ୍ତା ସଁବାର ଦିନ ବୋହୂଙ୍କୁ ଏଠାକୁ ପଠାଇଦେବ । ବେଣୁ ତା ବୋଉକୁ ଦେଖିବାକୁ ସବୁବେଳେ କାନ୍ଦୁଛି । ବୋଉଙ୍କୁ ନିଶ୍ଚୟ ପଠାଇବାରେ ହେଳା କରିବ ନାହିଁ । ଏପରି ଅସମୟରେ ଦିନରାତି ଧରି ବସିଲେ ଚଳିବ ନାହିଁ । ଏ କିଛି ପ୍ରଥମ ଥର ପୁଆଣିଘର ନୁହେଁ ଯେ ଘଡ଼ି ନକ୍ଷତ୍ର ଧରି କାମ ହେବ ।

 

ଜରୁରୀ କାମ ଥିବାରୁ କାଲି ଜଗୁ ତା ମାମୁଁ ଘରକୁ ଯାଉଛି । କେବେ ଫେରିବ କେଜାଣି-। ସେ ବୋହୂଙ୍କୁ ଆଣିବାକୁ ଯାଇପାରିବ ନାହିଁ । ବେଣୁ ପିଲାଟା । ତାର ଯିବା ନ ଯିବା ସମାନ । ତମେ ନିଜେ ଛାଡ଼ିବାକୁ ଆସିବ । ନୋହିଲେ ଆର ଥର ପରି ଗଉଡ଼ ଭଣ୍ଡାରିଙ୍କ ସଙ୍ଗରେ ପଠାଇବ-। ମୁଁ ଏଇଠି ବିଦାକି ଦେବି । ବାଟ ଚାରିକୋଶ । ଘର ଭଣ୍ଡାରି ସାଙ୍ଗରେ ଆସିଲେ କିଛି କ୍ଷତି ନାହିଁ-। ଇତି ।

 

ତମର, ମଉସା

 

ଚିଠି ଲେଖା ଶେଷ ହେଲାରୁ ବେଣୁ ଖୁସି ହୋଇ କହିଲା, ବୋଉ ଆସିବାକୁ ଲେଖୁଛ, ଜେଜେ ଗାଳିଦେବେ ନାହିଁ ?

 

ଜଗୁ ବେଣୁ ହାତରୁ ଆର ଚିଠି ଖଣ୍ଡି ନେଇ ଟିକି ଟିକି କରି ଚିରିଦେଲା । ବେଣୁକୁ ଆଖି ଦେଖାଇ କହିଲା, ଚୁପ୍, କାହାକୁ କିଛି କହ ନା । ତୁ ଏଇ ଚିଠିଖଣ୍ଡି ଲଫାପାରେ ପୂରାଇ ବନ୍ଦ କରି ରଖିଥା, ସେ ଲୋକ ଆସିଲେ ଦେଇଦେବୁ । ବାପାଙ୍କୁ ଦେଖାଇବୁ ନାହିଁ । ସେ ଜାଣିବେ କିପରି ? ତୁ ଆଗ ଏ ଚିଠିଖଣ୍ଡ ତାଙ୍କ ବଟୁଆରେ ପୂରାଇ ବଟୁଆକୁ ଆଗପରି କାନ୍ଥରେ ଝୁଲାଇ ଦେଇ ଆ । ବାପା ଯେମିତି କିଛି ନ ଜାଣନ୍ତି, ବୁଝିଲୁ ?

 

ବେଣୁ ପଚାରିଲା, ତମେ ତମ ମାମୁଁ ଘରକୁ ଯାଉଛ, ଦାଦା ?

 

ଜଗୁ କହିଲା, ଆଜି ମଙ୍ଗଳବାର । ମୁଁ ଯିବି କାଲି ସକାଳୁ । ବେଶି ଦିନ ରହିବି ନାହିଁ । ସଁବାର, ନୋହିଲେ ମଙ୍ଗଳବାର ଦିନ ଫେରିବି । ତୋ ବୋଉ ଆସିସାରିଥିବ । ସୁନାଟି ପରା, ମୁଁ ଯାହା କହିଲି, ଆଗ କର ଯା ।

 

ବେଣୁ ସେଠାରୁ ଚାଲିଯିବା ପରେ ଜଗୁ ନେତୀ ପାଖକୁ ଯାଇ କହିଲା, ମୁଁ କାଲି ମାମୁଁ ଘରକୁ ଯାଉଛି ନେତୀ, ମାମୁଁ କାହିଁକି ଖବର ପଠାଇଛନ୍ତି । ଟିକିଏ ରହି ପୁଣି କହିଲା, ଗରିବ ଉମାଟିକୁ ଭୁଲିଯିବୁ ନାହିଁ ।

 

ନେତୀ ମୁରୁକି କହିଲା, ସେ କଥା ଆଉ କହୁଛୁ କାହିଁକି ପୁଅ ? ଉମା କଅଣ ଏକା ତୋଓର, ମୋଓର କିଛି ନୁହେଁ ? ତୁ ତାକୁ ଟିକେ କହି ଯାଇ ଥା ।

 

–୬–

 

ଜମିଦାର ପଶୁପତି ବାବୁଙ୍କର କଚେରି ଘର ।

 

ନରିପୁର ଗାଁର ନିରୀହ ନିରାଶ୍ରୟ ପ୍ରଜାଗୁଡ଼ିକ ଭୋକିଲା ପେଟରେ ଜେଷ୍ଠମାସର ଉଦୁଉଦିଆ ଦ୍ୱିପ୍ରହରର ଝାଳବୁହା ଝୋଲାମରା ଖରା ସମୁଦ୍ର ପାରି ହୋଇ କେତେ ଆଶା ଭରସା କରି ଅଧାମଲା ପିଲାଛୁଆଙ୍କୁ ଆଶାମୁଖରେ ବସାଇ ଦେଇ ସାତକୋଶ ବାଟ ଧାଇଁ ଆସିଛନ୍ତି । ଖରା ତାଉ କମି ଆସିଲାଣି । ତତଲା ଭୂଇଁର ଉତ୍‍କ୍ଷିପ୍ତ ଉତ୍ତାପର ଗୁଳୁଗୁଳିରେ ଦେହ ଜଳିଯାଉଛି । ଆଗରେ ଜମିଦାରଙ୍କର ସାତସେଣିଆ ଉଚ୍ଚ ମହୁଡ଼ମରା କଚେରି । ହତା ଭିତରେ ଆମ୍ବ, ନଡ଼ିଆ ଜାମୁଗଛଗୁଡ଼ିକ ଘରକୁ ବେଢ଼ି ରହିଛି । ପୁରୁଷେ ଉଚ୍ଚ ପଥର ପାଚେରିର ଭିତର ପାଖର ଗଛ ଦେହରୁ ଖଣ୍ଡେ ଖଣ୍ଡେ ଡାଳ ପାଚେରି ଏ ପାଖକୁ ଝୁଙ୍କି ପଡ଼ିଛନ୍ତି । ପାଖରେ ଆଉ ଗଛବୃକ୍ଷ ନାହିଁ । ଡାକେ ବାଟ ଛାଡ଼ି ରାହାଙ୍ଗ ଗାଁ । ଦଉଡ଼ି ଦଉଡ଼ି ଆସି କ୍ଳାନ୍ତ ହୋଇ ପଡ଼ିଛନ୍ତି । କଚେରି ପାଖ ଛାଡ଼ି, ଛାଇ ଆଶ୍ରା ଲୋଡ଼ି ଗାଁ ଭିତରକୁ ଯିବାକୁ ଆଉ ମନ ଡାକୁନାହିଁ, ଗୋଡ଼ ଚଳୁନାହିଁ ।

 

ମଧୁ ସ୍ୱାଇଁ ଦୀର୍ଘଶ୍ୱାସ ଛାଡ଼ି କହିଲା, ଆସ ଏହି ଗଛ ଛାଇରେ ବସି ଦମ୍ ନେବା ।

 

ଗୋପୀ ମହାରଣା କହିଲା, ଶୋଷରେ ହଂସା ଉଡ଼ୁଛି । ପାଣି ମୁନ୍ଦାଏ ନ ପିଇଲେ ପ୍ରାଣ ରହିବ ନାହିଁ । ଚାଲ, ସଦର ଦରଜାକୁ ଯାଇ ପାଣି ପିଇବାକୁ ମାଗିବା ।

 

ଭଗୀ ଯେନା କହିଲା, କାହାରି ତ ସ୍ୱର ଶବଦ ନାହିଁ ।

 

ବୁରୁନ୍ଦା କେଉଟ କହିଲା, ଆରେ, ଖରାବେଳ, କିଏ କେଉଁଠି ଦମ୍ ନେଉଥିବେ । ଡାକିଲେ ଶୁଣିବେ ନାହିଁ ।

 

ଶେଷକୁ ସମସ୍ତେ ଉଠି ପାଚେରି କଡ଼େ କଡ଼େ ସଦର ଦରଜାଆଡ଼େ ଚାଲିଲେ । ହତାଟା ତ କମ୍ ନୁହେଁ । ଏ ପାଖରୁ ଚାହିଁଲେ ଆର ପାଖରେ କେଉଁଠି ସରିଛି ଆଖି ପାଏ ନାହିଁ । ରଜାଘର - ଉଭା ଯେତେ, ପୋତା ସେତେ । କିଏ କଳନା କରିବ ?

 

ସଦର ଦରଜା ବନ୍ଦ । ଭିତରୁ ତାଲା ପଡ଼ିଛି । ପାଣି ମୁନ୍ଦାଏ ପାଇଁ ନରିପୁର ଗାଁର ଲୋକେ ଯେତେ ରଡ଼ିଲେ, କେହି ଜବାବ ଦେଲେ ନାହିଁ । ହତା ମଝିରେ ସଦମ୍ଭରେ ଠିଆହୋଇ ରହିଥିବା କଚେରି ଘରକୁ ଆଶା ମୁଖରେ ଚାହିଁବା ହିଁ ସାର ହେଲା । ଫାଟକ ପାଖରୁ ଛୋଟ ପକ୍କା ରାସ୍ତାଟି ସିଧା ହୋଇ କଚେରି ପିଣ୍ଡା ତଳକୁ ଲମ୍ବି ଯାଇଛି । ଦୁଇ ପାଖରେ ଦୁଇ ଧାଡ଼ି ଛୋଟ ଛୋଟ ନଡ଼ିଆଗଛ । ଝୋଲା ମାରିଲା ପରି ଡାଳ ପତ୍ର ନୁଆଇଁ ରହିଛନ୍ତି । ଆଉ କାହାରି ଦେଖା ଦର୍ଶନ ନାହିଁ । ଜାଗାଟା ବଡ଼ ନିଛାଟିଆ ଲାଗୁଛି । ନରିପୁରର ଗରିବ ପ୍ରଜାଏ ପାଣି ମୁନ୍ଦାଏ ନ ପାଇ ସେଇ ଫାଟକ ପାଖରେ ଛାଇ ଜାଗା ଦେଖି ଗାମୁଛା ବିଛାଇ ପଡ଼ିଗଲେ ।

 

ଏ ଜାଗାଟା ଥିଲା କଅଣ, ଆଜି ହୋଇଛି କଅଣ ! ପଟ୍ଟନାୟକେ ଲୋକଙ୍କୁ ଅନାଥ କରି ମାନ ମହତ୍ତ୍ୱ ରଖିବାକୁ, ଭଲରେ ଭଲରେ ଚଉଦ ପୁରୁଷର ଜନ୍ମମାଟି ଛାଡ଼ି ଲୋକଙ୍କୁ କନ୍ଦାଇ କନ୍ଦାଇ ଗଡ଼ଜାତରେ ପଶିଲେ । ତାଙ୍କ ସଙ୍ଗେ ସଙ୍ଗେ ଲକ୍ଷ୍ମୀ ଦେଶ ଛାଡ଼ି ଗଲେ । ସ୍ୱର୍ଣ୍ଣମୟୀ ଦେଶର ମାଟି ଉପରେ ବିଜାତୀୟ ପ୍ରତିବେଶୀ ଆସନ ମାଡ଼ି ବସିଲା । ଲୋକଙ୍କର ସବୁ ଓଜର ଆପତ୍ତି, ଅଳି ଅରଦଳି ସରିଲା । ଲୋକଙ୍କର ସୁଖଦୁଃଖ ଆଉ କିଏ ବୁଝିବ ? ପଟ୍ଟନାୟକଙ୍କ ବିନା କିଏ ନିଜ ଆଖିରୁ ଲୁହ ଗଡ଼ାଇ ନିଜ ହାତରେ ରଜା ପୁଅର ଆଖିରୁ ଲୁହ ପୋଛିବ ରେ ? ପଟ୍ଟନାୟକେ ନା ପଶୁପତି ଘୋଷେ ? କିଏ ଖାଇଲା ଥାଳିର ଭାତ ଆଣି ଭୋକିଲା ପ୍ରଜାର ପତରରେ ଅଜାଡ଼ିବ ? ପଟ୍ଟନାୟକେ ନାଁ ଘୋଷେ ? ଏକା ନାହି ଦି ଖଣ୍ଡ କାହାର ? ଗରିବ ପ୍ରଜା ପାଇଁ କାହାରି ମନ ଟାଣିବ ? କାହାର ରକ୍ତ ଘାଣ୍ଟି ହେବ ? ପୁଅ ଯେ ପଟ୍ଟନାୟକେ । ମାରିବେ ସେହି, ତାରିବେ ସେହି । ଭଲକୁ ସେହି, ମନ୍ଦକୁ ସେହି ।

 

ଏହି ସେ ପଟ୍ଟନାୟକଙ୍କ ବଂଶର ଉଆସ । ଓଡ଼ିଆ ପୁଅର ରକ୍ତ ଦେଇ ଗଢ଼ା ! ଖରାଦିନେ ଏଠି ଜଳଛତ୍ର ବସୁଥିଲା ! ଭୋକୀ ଶୋଷିର ପାଟିରେ ଆଧାର ଦେବାକୁ ଖଞ୍ଜା ଥିଲା । ନାମ ଶୁଣି କେତେ ରାଜ୍ୟରୁ ଅତିଥି ଅଭ୍ୟାଗତ, ଜମାଉତ ଦଳ ଆସି ପହଞ୍ଚୁଥିଲେ । ଆଜି ସେ ସବୁ ଲୁଚିଛି । ପ୍ରଜାଏ ସୁଦ୍ଧା ବସିବାକୁ ଖଣ୍ଡେ ଆସନ ପାଉନାହାନ୍ତି । ହେଲା କଅଣ ? ସବୁ ତ ସେହିପରି ଅଛି । ତେବେ ଅଭାବ କେଉଁ କଥାର ? ସମସ୍ତେ ଜାଣନ୍ତି, ଅଭାବ କଅଣ । ପୂରଣ କରିବାର ଶକ୍ତି ଯେପରି କାହାରି ନାହିଁ । ୧୮୦୩ ସାଲର କଥା । ମରହଟ୍ଟାମାନେ ତୃତୀୟ ମରହଟ୍ଟା ସମରରେ ଇଂରେଜମାନଙ୍କ ଦ୍ୱାରା ପରାସ୍ତ ହେଲେ । ଗୋଟିଏ ନୂଆ ସରକାର ଓଡ଼ିଶାର ରାଜଗାଦି ମାଡ଼ିବସିଲା । ଶାସନର ପରିବର୍ତ୍ତନ- ଏତେ ବଡ଼ ଗୋଟାଏ ଦେଶରେ କେତେ ବିଶୃଙ୍ଖଳା ଘଟିବାର କଥା । ଏଣେ ଭିତରେ ଭିତରେ ବିଦ୍ରୋହର ସୂତ୍ରପାତ ହେଉଛି । ନୂଆ ସରକାର ଉପରେ ଲୋକଙ୍କର ଷୋଳପଣ ବିଶ୍ୱାସ ଆସିନାହିଁ । ରାଜ-କରର କୌଣସି ଧରାବନ୍ଧା ନିୟମ ନାହିଁ । ଜମିବାଡ଼ିର ସ୍ୱତ୍ୱ, ଜମିଜମାର ତାଲିକା କଅଣ ଅଛି, କିପରି ସୂତ୍ରରେ କର ଧାର୍ଯ୍ୟ ହେବ, ସେ ସମ୍ୱନ୍ଧରେ ନୂଆ ସରକାରଙ୍କର କିଛି ଜ୍ଞାନ ନାହିଁ । ସବୁ ନୂଆ କରି କରିବାକୁ ହେବ । ଲୋକଙ୍କର ବିଶ୍ୱାସଭାଜନ ହେବାକୁ ପଡ଼ିବ ।

 

ରାଜତ୍ୱର ପ୍ରଥମ କେତେ ବର୍ଷ ସରକାରଙ୍କୁ ବଡ଼ ହଇରାଣ ହେବାକୁ ପଡ଼ିଲା । ବିଦ୍ରୋହ ଦମନ ସଙ୍ଗେ ସଙ୍ଗେ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବାପାଇଁ କେତେ ଆଶାର ବାଣୀ ଶୁଣାଇବାକୁ ହେଲା । ଜମି ଜମିଦାରୀର କର ଧାର୍ଯ୍ୟ କରିବାପାଇଁ ବର୍ଷକୁ ବର୍ଷ ବନ୍ଦୋବସ୍ତ ପରେ ବନ୍ଦୋବସ୍ତ କରାଗଲା । ଏଣେ କଚେରି ଅଦାଲତ ସ୍ଥାପନ ।
 

ଏତେ କାମ ଚଳାଇବାକୁ ଶିକ୍ଷିତ ଲୋକ ଦରକାର । ଏ ଦେଶରେ ତ ଇଂରେଜୀ ଜାଣିବାଲୋକ କେହି ନାହାନ୍ତି । ବାଧ୍ୟ ହୋଇ ବଙ୍ଗଦେଶରୁ ଲୋକ ଆଣିବାକୁ ହେଲା ।

 

ବର୍ଷକୁ ବର୍ଷ ଜମିଦାରୀର କର ବଢ଼ିବାକୁ ଲାଗିଲା । ଲୋକଙ୍କର ଆପତ୍ତି ଶୁଣୁଛି କିଏ; ବୁଝୁଛି କିଏ ? ବୁଝାଇ କହିବାକୁ ଯେଉଁମାନେ ନିଯୁକ୍ତି ହୋଇଛନ୍ତି, ସେମାନେ ନିଜର ସ୍ୱର୍ଥ ସାଧନ ପାଇଁ କଳାକୁ ଧଳା ବୁଝାଇଲେ, ତିଳକୁ ତାଳ କରି କହିଲେ । ମରହଟ୍ଟା ଅତ୍ୟାଚାରିତ ଓଡ଼ିଆ ଆଶା କରିଥିଲା, ତାର ଦୁଃଖ ଯିବ । କିନ୍ତୁ ଫଳ ହେଲା ଓଲଟା । ତା ମନରେ ବେଦନା ପ୍ରାଣର ଭାଷା କେହି ବୁଝିପାରିଲେ ନାହିଁ । ଦୁଃଖ ପରେ ଦୁଃଖ ମାଡ଼ି ଆସିଲା । ଆଖିରୁ ଲୁହ ଝରନ୍ତା କଅଣ ଲହୁ ଝରିଲା ।

 

୧୮୧୪-୧୮୧୫ ର ଅନାବୃଷ୍ଟି ଫଳରେ ଓଡ଼ିଆ ଜମିଦାରମାନେ ରାଜସ୍ୱ ଦେଇପାରିଲେ ନାହିଁ । ସମସ୍ତେ ମିଶି ସରକାରଙ୍କଠାରେ ଆବେଦନ କଲେ । ଆବେଦନ ପତ୍ର ଲିଖିତ ହେଲା । ଶହ ଶହ ଓଡ଼ିଆ ସତ୍ୱାଧିକାରୀ ତହିଁରେ ସ୍ୱାକ୍ଷର କରି ଲୋକଦ୍ୱାରା ପତ୍ର କଲିକତା ସରକାରଙ୍କ ନିକଟକୁ ପଠାଇଲେ । ଆବେଦନ ପତ୍ର ଦାଖଲ କରାଗଲା । ଲୋକେ ବଡ଼ ଆଶା କରି ଫଳାଫଳ ପାଇଁ ଦେଶରେ ଚାହିଁ ରହିଛନ୍ତି, ଇଂରେଜ ସରକାର ନିଶ୍ଚୟ ସୁବିଚାର କରିବେ ।

 

କିନ୍ତୁ ହେଲା କଅଣ ? ଟୟନ୍‌ବି ସାହେବଙ୍କୁ ପଚାରିଲେ ସେ କହିପାରିବେ, ହେଲା କଅଣ । ଖଣ୍ଡିଏ ଆବେଦନ ପତ୍ର ! ଓଡ଼ିଆର ଜୀବନ ମରଣ ସମସ୍ୟା ! ଗଲା କୁଆଡ଼େ ? ତାଆର ଖବର କେହି ଜାଣିଲେ ନାହିଁ । କି ରହସ୍ୟ ଅଛି ତହିଁରେ ? ମହାତ୍ମା ଟୟନିବ୍‌ ସେ ରହସ୍ୟ ଭେଦ କରି ଦୁଃଖରେ ଓଡ଼ିଆ ପାଇଁ ଦିଓଟି ଦୀର୍ଘଶ୍ୱାସ ପକାଇଛନ୍ତି । ଟିକିଏ ଭୁଲ ପାଇଁ ଏ ଜାତି ଯେ ଚିରଦିନ କାନ୍ଦିବ, ସେ କଥା ସେ ସହଜ ଭାଷାରେ ସ୍ପଷ୍ଟଭାବରେ କହି ଯାଇଅଛନ୍ତି । ଆହା ? ଓଡ଼ିଆର ଜୀବନ, ସେହି ଆବେଦନପତ୍ର ଖଣ୍ଡି ଚାପା ପଡ଼ିଗଲା । କିଏ ଚାପି ରଖିଲା ? କାହିଁକି ? କିନ୍ତୁ ଯେଉଁମାନେ ତାକୁ ଚାପି ରଖିଥିଲେ, ସେମାନେ ଜୟଯୁକ୍ତ ହେଲେ, ଉଦ୍ଦେଶ୍ୟ ସଫଳ ହେଲା ।

 

ଓଡ଼ିଆ ଆକାଶକୁ ଚାହିଁ ରହିଥିଲା ସତୃଷ୍ଣ ନୟନରେ । ଆଶା କରିଥିଲା, ତାର ଭାଗ୍ୟକୁ ଅମୃତ ବର୍ଷିବ । କିନ୍ତୁ ବର୍ଷିଲା ବଜ୍ର ! ସେ ଚମକି ଚାହିଁଲା, ସବୁ ତାର ସରିଛି । ତା’ର ବିରତ୍ୱ ଅପହରଣ କରିଥିଲା, ବହୁ ଶତାବ୍ଦୀ ପୂର୍ବେ, ଜଣେ ପ୍ରତିବେଶୀ ସନ୍ନ୍ୟାସୀ ନିମାଇଁ । ଖଣ୍ଡାଧାରରେ ନୁହେଁ, ଖୋଳ କରତାଳ କୃଷ୍ଣ ମନ୍ତ୍ରରେ । ସେ ତାହା ଜାଣି ଜାଣି ସହିଲା । ଫଳରେ ସେ ତା’ର ସ୍ୱାଧୀନତା ସମ୍ପଦ ହଜାଇ ମୁସଲମାନ, ମରହଟ୍ଟାଙ୍କର ଅତ୍ୟାଚାର ସହିଲା ବଡ଼ ଅନିଚ୍ଛାରେ । କିନ୍ତୁ ଭାତଥାଳି ତାର କେହି ଛଡ଼ାଇ ନେଇ ନ ଥିଲେ । ମନେ କରିଥିଲା, ସୁଖରେ ରହିବ । ଆହା ! ବଡ ଦୁରାଶା ! ରାଜତ୍ୱର କୋଡ଼ିଏଟା ବର୍ଷ ନ ଯାଉଣୁ ସେ ତାର ଖାଇବା ଗଣ୍ଡାକ ହରାଇ ବସିଲା ।

 

୧୮୧୭ ସାଲ । ରାଜସ୍ୱ ବାକୀରେ ତାର ବଡ଼ ଛୋଟ ଅସଂଖ୍ୟ ଜମିଦାରୀ ମାହାଲ କଲିକତା ସହରରେ ନିଲାମ ହୋଇଗଲା । କେହି ଜାଣିଲେ ନାହିଁ, କେହି ଶୁଣିଲେ ନାହିଁ । ଏତେ ଶୀଘ୍ର ଯେ ଏ ଜାତିର ସର୍ବନାଶ ହେବାକୁ ଯାଉଛି, ସେ ଖବର କେହି ପାଇଲେ ନାହିଁ । ରେଳରାସ୍ତା, ପୋଷ୍ଟ, ଟେଲିଗ୍ରାମର ଭଲ ବନ୍ଦୋବସ୍ତ ନ ଥିଲା । ଖବର ବା ଦିଅନ୍ତା କିଏ ? ଫଳରେ କଲିକତାର ଧନୀ ନିର୍ଦ୍ଧନ, ଯେ ପାରିଲେ, ଶାଗ ମାଛ ଦରରେ ଜମିଦାରୀମାନ ନିଲାମ ଧରିଲେ ।

 

ଆହୁରି ଗୋଟିଏ କଥା । ନିଲାମ ଧରିଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଫୋର୍ଟ ଉଇଲିୟମରେ ନିଯୁକ୍ତି ଥିବା କମ୍ପାନୀଙ୍କର ବଙ୍ଗାଳି କର୍ମଚାରୀ କିମ୍ୱା ସେମାନଙ୍କର ଭାଇ ବିରାଦର । ଅତଏବ, କାହିଁକି ଯେ ଓଡ଼ିଆ ଜମିଦାରମାନଙ୍କର ଆବେଦନପତ୍ର ଚାପି ରହିଲା, କିଏ ଚାପି ରଖିଲା ଏକଥା ଯେ କେହି ସହଜରେ ଅନୁମାନ କରିପାରିବେ । କିଏ ସିନା ଖଣ୍ଡା ଦାଢ଼ରେ ଦେଶ ଜୟ କରି ପ୍ରଭୁ ହୁଏ, ବିଜେତା ହୁଏ, ବଙ୍ଗାଳି କିରାଣୀ କଲମ ମୁନରେ ଓଡ଼ିଶା ଜୟ କଲା । ଓଡ଼ିଶାର ପ୍ରଭୁ, ଓଡ଼ିଶାର ଭାଗ୍ୟବିଧାତା ହୋଇ ବସିଲେ ବଙ୍ଗାଳି । ତିନିଶ ବର୍ଷ ପୂର୍ବ ଚୈତନ୍ୟ ଯେଉଁ ମୂଳୁଦୁଆ ମାଡ଼ି ଯାଇଥିଲେ, ବଙ୍ଗାଳି କିରାଣୀ ତାରି ଉପରେ ଅଟ୍ଟାଳିକା ଗଢ଼ିଲେ, ଓଡ଼ିଆ ଗଡ଼ି ମଲେ ।

 

ସେତିକିରେ ଓଡ଼ିଆର ଦୁର୍ଦ୍ଦଶା ଶେଷ ହେଲା ନାହିଁ । ଶହେ ପୁରୁଷର ସମ୍ପତ୍ତି ଛାଡ଼ି ସହଜବିଶ୍ୱାସୀ, ସରଳପ୍ରାଣ, ନିରୀହ, ପ୍ରଭୁଭକ୍ତ ଓଡ଼ିଆ ପୁରୁଣା ସ୍ୱତ୍ୱାଧିକାରୀମାନେ ବିନା ଦୋଷ, ବିନା କାରଣରେ ବାଟର ଭିକାରୀ ହୋଇ କାଙ୍ଗାଳ ହୋଇ ମନକୁ ମନ ପଚାରିବାକୁ ଲାଗିଲେ, ରାଜା କିଏ ? ଇଂରେଜ ନା ବଙ୍ଗାଳୀ?

 

କାହିଁକି ଏ ପ୍ରଶ୍ନ ?

 

ଭିତରେ ବାହାରେ ଯେଉଁଠି ଦେଖ, ସେଠି ବଙ୍ଗାଳି, ସରକାରଙ୍କର ଦକ୍ଷିଣ ହସ୍ତ । ଅଦାଲତ କିଲଟରିର କିରାଣୀଗିରିଠୁଁ ଆରମ୍ଭ କରି ବଡ଼ ବଡ଼ ହାକିମହୁକୁମାଙ୍କ ଯାଏ ଯୁଆଡ଼େ ଚାହିଁ, ଦେଖିବ ବଙ୍ଗାଳି । ଉପାୟ କଅଣ ? ଜମିଦାରୀଗୁଡ଼ା ତ ଆଗରୁ ହାତକୁ ଆସିଥିଲା, ସରକାରୀ ଚାକିରୀଗୁଡ଼ାକ ହାତକୁ ଆସିଲା । ଇଂରେଜୀ ଶିକ୍ଷିତ ଓଡ଼ିଆଙ୍କର ଅଭାବରୁ ଆଇନ ବ୍ୟବସାୟ ଏକଚାଟିଆ ହୋଇଗଲା ତାଙ୍କରି ହାତରେ । ଆଉ ଭାବନା କଅଣ ? ଏଥର କୂଟନୀତି ପ୍ରୟୋଗ କରି, ରାଜ୍ୟବିସ୍ତାରର ଚେଷ୍ଟା କରାଯାଉ । ଓଡ଼ିଆ ମେଣ୍ଢା, ଓଡ଼ିଆ ପଶୁ, ପାଞ୍ଚଣ ଉଠାଇଲେ ଲାଙ୍ଗୁଳ ଯାକିବେ । ଏଥର କଲମବଲ୍ଲମ ପ୍ରୟୋଗ କଲେ ମୁସଲମାନବହୁଳ, ମେଲେରିଆ ପ୍ରପୀଡ଼ିତ ବଙ୍ଗଦେଶ ଛାଡ଼ି ମଷେପଲ ଭିତରେ ସହଜରେ ଉପନିବେଶ ସ୍ଥାପନ କରାଯାଇ ପାରିବ-। ମାଦିନୀପୁର, ବାଙ୍କୁଡ଼ା ତ ହସ୍ତଗତ ହେଲା, ଆଉ ବା କେଇଟା ? ଦେଖାଯାଉ !

 

ମହାତ୍ମା ଟୟନ୍‌ବି ! ତମର ଆତ୍ମାର ସଦ୍‌ଗତି ହେଉ । ଏ ନିର୍ଯ୍ୟାତିତ ଓଡ଼ିଆ ଜାତି ପାଇଁ ତମର ଛାତି କରତି ହୋଇଥିଲା । ଲେଖୁ ଲେଖୁ ତମର କଲମ ଥରି ଉଠୁଥିଲା । ନିଜେ କାନ୍ଦିଥିଲ । ଓଡ଼ିଆକୁ ଚିରଦିନ କନ୍ଦାଇବାକୁ ସତ୍ୟ ପ୍ରକାଶ କରିଗଲ, କିନ୍ତୁ ଅନ୍ଧ ଓଡ଼ିଆ, ସହଜପ୍ରାଣ, ସରଳବିଶ୍ୱାସୀ, ମୂର୍ଖ, ଚୈତନ୍ୟଭକ୍ତ ଓଡ଼ିଆର ଆଖି ଫିଟିଲା ନାହିଁ । କେବେ ଫିଟିବ କେଜାଣି ?

 

ଓଡ଼ିଆର ପୁରୁଣା ସ୍ୱତ୍ୱାଧିକାରୀମାନେ ନିଃସ୍ୱ କାଙ୍ଗାଳ ହୋଇ ଗଡ଼ଜାତରେ ଆଶ୍ରା ଲୋଡ଼ିଲେ । ଯେଉଁମାନେ ରହିଲେ, ସେମାନଙ୍କର ଅବସ୍ଥା କହିଲେ ନ ସରେ । ଚାରିଆଡ଼େ ବଙ୍ଗାଳି ଜମିଦାର ଘେରି ରହିଛନ୍ତି । ବିନା କାରଣରେ ଛୋଟ ଛୋଟ କଥା ନେଇ ଝଗଡ଼ା ଆରମ୍ଭ କରୁଛନ୍ତି-। ଅଦାଲତର ସାହାଯ୍ୟ ଲୋଡ଼ିଲେ ସଲାମି, ଲାଞ୍ଚ, ହାତଗୁଞ୍ଜା ଦେଇ ଖର୍ଚ୍ଚାନ୍ତ ହେବା ଛଡ଼ା ଫଳ କିଛି ହେଉନାହିଁ । ପଦେ କଥା କହିବାକୁ ବସିଲେ ଫିସ୍‍ ଲୋଡ଼ା । ହେ ଭଗବାନ୍‍ ! ଏତେ ଦେଇ ଦେଇ ବି କିଛି ଉପକାର ହେଉଛି ?

 

ହାକିମମାନଙ୍କର ସେତେବେଳେ ଏହି ବଙ୍ଗାଳି ଜାତି ଉପରେ ପ୍ରଗାଢ଼ ବିଶ୍ୱାସ ଥିଲା । ଏମାନେ ଯାହା ବୁଝାଉଥିଲା, ସେମାନେ ସହଜରେ ତାହା ବିଶ୍ୱାସ କରୁଥିଲେ । ଗରିବ ଓଡ଼ିଆର ପିଠିରେ ପଡ଼ିବାକୁ କେହି ନାହିଁ । ଏତେ କଳିଗୋଳ କରିବା ଅପେକ୍ଷା ନିଜର ମହତ ଜଗି, ଜମିଦାରୀ ବିକ୍ରି କରି ଅନ୍ୟତ୍ର ବସବାସ କଲେ ବରଂ ଭଲ । ଟୟନ୍‍ବି ସାହେବ କହିଛନ୍ତି, ଏପରି ଭାବରେ ମଧ୍ୟ ଡରି ରହି ଅନେକ ଛୋଟ ଛୋଟ ଜମିଦାରୀ, ଓଡ଼ିଆ ସ୍ୱତ୍ୱାଧିକାରୀମାନେ ବଙ୍ଗାଳି ଜମିଦାରଙ୍କ ହାତକୁ ହସ୍ତାନ୍ତର କଲେ ।

 

ଏହିପରି ଅକଳରେ ପଡ଼ି ରାହାଙ୍ଗ ମାହାଲର ବୁନିଆଦି ଜମିଦାର ଧର୍ମପ୍ରାଣ ପଟ୍ଟନାୟକ ବାଧ୍ୟ ହୋଇ ଯଥାଲାଭ ରୀତି ଅବଲମ୍ୱନ କରି ତତ୍‌କାଳୀନ ଅଦାଲତର ଟ୨୦ଙ୍କା ବେତନରେ ଜଣେ ପେସ୍‌କାର ଶ୍ରୀଯୁକ୍ତ ଉମାପତି ଘୋଷ ମହାଶୟଙ୍କୁ ଦଶହଜାର ଟଙ୍କାରେ ବିକ୍ରୟ କରି ଗଡ଼ଜାତରେ ପଶିଲେ । ଏହିପରି କେତେ ରାହାଙ୍ଗ, କେତେ ଘର, କେତେ ଘରଡିହ ଘୋଷ, ବୋଷ, ମୁଖାର୍ଜିଙ୍କ ହାତକୁ ଯାଇଛି, ଭଲ କରି ଗବେଷଣା କଲେ, ତଦନ୍ତ କଲେ ସବୁ ଜଣା ପଡ଼ିବ । ଟ ୨୦ଙ୍କା କିରାଣୀର ଦଶହଜାର ଟଙ୍କାର ଜମିଦାରୀ । କାହୁଁ ଅଇଲାରେ ? ଚୁପ୍‌, ଚୁପ୍‌ ! ସେ ପ୍ରଶ୍ନ ଉଠାଇବାର ଅଧିକାର ବିଶେଷତଃ ପେସ୍‌କାରଙ୍କ ବିରୁଦ୍ଧରେ କାହାରି ନାହିଁ ! ତାଙ୍କ ସ୍ତ୍ରୀଙ୍କର ଯୌତୁକ ଟଙ୍କା ଯେ ନୁହେଁ, ତାର କି ପ୍ରମାଣ ଅଛି ?

 

ବଙ୍ଗାଳିତ ତ ଓଡ଼ିଆର ଜମିଦାର ହେଲେ । କିନ୍ତୁ ପ୍ରଜାଏ ଯେ ଜମିଦାରଙ୍କ ଦେଖାଦର୍ଶନ ପାଇଲେ ନାହିଁ । ଜମିଦାରଙ୍କ ନାଁ ଶୁଣିବା ଛଡ଼ା ପ୍ରଜାଏ ତାଙ୍କ ବିଷୟରେ କିଛି ଜାଣନ୍ତି ନାହିଁ । ହାନିଲାଭରେ ବାପ ବୋଲି ହାରିଗୁହାରି କରିବେ କାହା ଆଗରେ । ଦୁଃଖ ଜଣାଇବାକୁ ତ ଲୋକେ ଆଉ କଲିକତା ଧାଇଁଯାଇ ପାରିବେ ନାହିଁ । ଗଲେ ବା ଚିହ୍ନୁଚି କିଏ । ତା ପରେ ଓଡ଼ିଆ ତ ପଶୁ, ପଶୁର ପୁଣି ଦୁଃଖ କଅଣ !

 

ରାହାଙ୍ଗ ମାହାଲର ବିଗତ ଜମିଦାର ଶ୍ରୀଯୁକ୍ତ ଉମାପତି ଘୋଷଙ୍କର ମୃତ୍ୟୁପରେ ତାଙ୍କର ଏକମାତ୍ର ସୁଯୋଗ୍ୟ ପୁଅ ଶ୍ରୀଯୁକ୍ତ ପଶୁପତି ଘୋଷ ମହାଶୟ ଜମିଦାରୀର ଅଧିକାରୀ ହେଲେ । ଏହି ସୁଦୀର୍ଘ ୩୦ ବର୍ଷ ଭିତରେ କଲିକତା ସହରସ୍ଥ ଦ୍ୱିତଳ ପ୍ରାସାଦ ଛାଡ଼ି ଥରେ ହେଲେ କେବେ ନିଜର ଜମିଦାରୀକୁ ଆସି ପରିଦର୍ଶନ କରିବାର ସୁଯୋଗ କି ଦୁର୍ଯୋଗ ତାଙ୍କ ଭାଗ୍ୟରେ ଘଟିଲା ନାହିଁ । ରାସ୍ତାଘାଟର ସୁବିଧା ନାହିଁ । ଶ୍ରୀଅଙ୍ଗକୁ କ୍ଲେଶ ଦେଇ, ଲକ୍ଷ୍ମୀଙ୍କର ବରପୁତ୍ର ସେ, ଏତେ ଶ୍ରମ ସ୍ୱୀକାର କରନ୍ତେ କାହିଁକି । ଟଙ୍କା ଦେଇ ଜମିଦାରୀ କିଣା ହୋଇଛି, ଆଦେଶ ମତେ ନାଏବ ବାବୁ ଟଙ୍କା ଯୋଗାଇ ପାରିଲେ ହେଲା ।

 

ନାଏବବାବୁ ସ୍ୱଜାତୀୟ । ସୁଦକ୍ଷ ଲୋକ । ଜମିଦାରଙ୍କର ଯେତେବେଳେ ଯାହା ଦରକାର, ମାରି ପିଟି ପ୍ରଜାଙ୍କଠାରୁ ଆଦାୟ କରି ସେ ତାହା ଅକ୍ଲେଶରେ ଯୋଗାଇ ପାରନ୍ତି । ତେଣୁ ସେ ଜମିଦାରଙ୍କର ଗେହ୍ଲା ପୁଅ । ଉତ୍ତରୋତ୍ତର ଉନ୍ନତି ଛଡ଼ା ତାଙ୍କର ଅବନତି ହେବାର କଥା ନୁହେଁ । ଜମିଦାରଙ୍କୁ ପଚାରେ କିଏ ? ନାଏବ ବାବୁଙ୍କ ନାମ ଶୁଣିଲେ ଗର୍ଭିଣୀ ଗାଈ ବାଟ ଛାଡ଼େ । ଆଉ କାହା କଥା ପଚାରୁଛି କିଏ ? ସତ କି ମିଛ କେଜାଣି, ଲୋକେ ସଜମାଛରେ ପୋକ ପକାନ୍ତି । ଏତେ ବଡ଼ ପ୍ରତାପୀ ଲୋକ ନାମରେ କେତେ କୁତ୍ସା ରଟାନ୍ତି । ସେ କୁଆଡ଼େ ଚୋରି ଚାରି କରି କୁଜଙ୍ଗଆଡ଼େ ନିଜର କରି ଖଣ୍ଡିଏ ଜମିଦାରୀ କିଣିଲେଣି । ଭଲ କଥା ! ତା ତ ତାଙ୍କ ପାରିଲାପଣ ! ଜମିଦାରଙ୍କର ତ କିଛି କ୍ଷତି ହେଉନାହିଁ । ସେ ଯେତେବେଳେ ଯାହା ଖୋଜୁଛନ୍ତି, ପାଉଛନ୍ତି ।

 

ଖବର ଆସିଲା, ଦେଶର ଶୋଚନୀୟ ଅବସ୍ଥା । ବର୍ଦ୍ଧମାନ, ମେଦିନୀପୁର, ଚବିଶ ପ୍ରଗଣା ଓ ହୁଗୁଳି ଜିଲାମାନଙ୍କରେ ଭୀଷଣ ଦୁର୍ଭିକ୍ଷର ସମ୍ଭାବନା । ଦେଶରେ ଗଣ୍ୟମାନ୍ୟ ଲୋକଙ୍କ ଉପରେ ମହା ଦାୟିତ୍ୱର ବୋଝ ଲଦା ହୋଇଛି । ଠାଏ ଠାଏ ଅନ୍ନଛତ୍ର ଖୋଲି ଲୋକଙ୍କର ପ୍ରାଣରକ୍ଷା କରିବାକୁ ଦେଶଲୋକେ ବଦ୍ଧ ପରିକର । ପ୍ରଚୁର ଧନର ପ୍ରୟୋଜନ । ଯେତେ ପାରୁଛ, ଶୀଘ୍ର ପଠାଅ ।

 

ଆଦେଶ ପାଇ ନାଏବ ମହାଶୟ ଧାନ ଚାଉଳର ଅମାରମାନ ଖୋଲି ବିକ୍ରୀ ଆରମ୍ଭ କରିଦେଲେ । ଦଶକୋଶରୁ ଲୋକ ଆସି ଟଙ୍କା ସୁନା ଦେଇ ଧାନ କିଣି ନେଲେ । ଚାରିଟା ଦିନରେ ସବୁ ସାଫ୍‌ । କେବଳ ଚାକରବାକରଙ୍କର ଖାଇପିଇ ଚଳିବା ମାନିଆଁ ଯାହା କିଛି ବାକି ଅଛି । ଟଙ୍କା ନେଇ ସଙ୍ଗରେ ଲୋକବାକ ଧରି ନାଏବ ବାବୁ ଚାରିଦିନ ହେବ କଲିକତା ଯାତ୍ରା କଲେଣି । ସେ ଖବର ତ ଆଉ ନରିପୁରର ଲୋକେ ଜାଣନ୍ତି ନାହିଁ ! ଜାଣିଥିଲେ ଏ ନିରାଟ ଖରାରେ ପଥଶ୍ରମ କରି ଉପାସ ଭୋକରେ ଆଶାମୁଖରେ ଧାଇଁ ଆସିଥାନ୍ତେ କାହିଁକି ?

 

ଗରିବ ଓଡ଼ିଆ ପ୍ରଜାଙ୍କର ରକ୍ତ ନେଇ ତାଙ୍କ ଦେଶଲୋକଙ୍କୁ ପିଆଇ ଜମିଦାରମାନେ ଦେଶପ୍ରୀତିର ପରିଚୟ ଦେଲେ । ପତ୍ରପତ୍ରିକାରେ ବଡ଼ ବଡ଼ ଅକ୍ଷରରେ ନାମ ଛପା ହୋଇ ମହାଦାନୀ, ମହାଧାର୍ମିକ ବୋଲି କେତେ ପ୍ରଶଂସା ଗାନ କରାକଲା । ଇତିହାସ ଏହାର ମୂକସାକ୍ଷୀ-। ମୂକ ଓଡ଼ିଆ, ନିର୍ଜୀବ ଓଡ଼ିଆର ପାଟି ଫିଟିଲା ନାହିଁ । ପାଟି ଫିଟାଇବାର ଅଧିକାର ତାର ଆସିଲା କାହୁଁ ?

 

–୭–

 

ଛାଇଲେଉଟ ବେଳ । ଜମିଦାରଙ୍କ କଚାରୀର ସଦର ଫାଟକ ଫିଟିଲା । ନରିପୁରର କ୍ଲାନ୍ତ ପ୍ରଜାଗୁଡ଼ିକ ଉଠି ଠିଆ ହେଲେ । ଦେଖିଲେ, ଆଗରେ ଭୀମ ରାଉତ ଗୁମାସ୍ତା ଠିଆ ହୋଇଛନ୍ତି । ସମସ୍ତେ ବେକରେ ଗାମୁଛା ପକାଇ ଲମ୍ୱ ଲମ୍ୱ ହୋଇ ତାଙ୍କର ଗୋଡ଼ତଳେ ପଡ଼ି ବଖାଣିଲେ ।

 

ରାଉତେ ସବୁ ଶୁଣି ଶେଷକୁ ଗଳା ଖଙ୍କାରି କହିଲେ, ତମେ ସବୁ ଆଜି ଯାକେ ଶୋଇଥିଲ କିରେ ? ଘରେ ନିଆଁ ଲାଗି ଅଧେ ଜଳି, ନିଆଁ ଦଲକା ଛିଣ୍ଡି ଉପରେ ପଡ଼ିବାରୁ ନିଦ ଭାଙ୍ଗିଲା ? କିହେ, ଧାନଚାଉଳ କାହିଁ ?

 

ଆଜ୍ଞା ସାଆନ୍ତେ, ଏତେବେଳକୁ ନିରାଶ କଲେ ଆମେ ଗରିବ ପ୍ରଜାଏ ଭାସିଯିବୁଁ ।

 

ଆରେ, ତମେ ଭାସିଯାଅ କି ବୁଡ଼ିଯାଅ, ଅମାରରେ ମୋଟେ ଧାନ ନାହିଁ । ବଙ୍ଗଦେଶରେ ଦୁର୍ଭିକ୍ଷ ପଡ଼ିଛି ବୋଲି ଜମିଦାର ଚିଠି ଦେଲେ-ଲୋକଙ୍କୁ ସାହାଯ୍ୟ ଦେବାକୁ ଚାଉଳ ଯାହା ପାଉଛ, ଜଲଦି ନେଇଆସ । ନାଏବ ବାବୁ ଚିଠି ପାଇ ଯାହା ଯେଉଁଠି ଧାନ ଥିଲା, ଅଧେ ବିକ୍ରି କରିଦେଲେ । ପୁଣି ପଚାଶ ଖଣ୍ଡ ବଳଦଗାଡ଼ି ବୋଝେଇ କରି ଚାଉଳ ନେଇ, ପଇସା କଉଡ଼ି ଯାହା ପାଇଲେ ସବୁ ସଙ୍ଗରେ ନେଇ ସେ ବଙ୍ଗଦେଶ ବାହାରି ଗଲେଣି । ଧାନ ବିକ୍ରି ହେଲାବେଳେ ତେମେ ଆସିଲ ନାହିଁ, ଅବିକା ଆସିଲେ କଅଣ ହେବ ?

 

ସାଆନ୍ତେ, ଆମେ ସେ ଖବର ପାଇନାହୁଁ ।

ସେଟା କିଛି ଆମର ଦୋଷ ନୁହେଁ ।

ବର୍ତ୍ତମାନ ନାସ୍ତି କଲେ ପ୍ରାଣ ରହିବ ନାହିଁ ।

ସେଥିକି କିଏ କଅଣ କରିବ ?

ଉପାୟ କଅଣ କରିବା ?

 

ଆରେ, ଆଚ୍ଛା ଲୋକ ତ ଏମାନେ ! କିହୋ, ମୁଁ କଅଣ କହିବି ? ନିଜ କଥା ନିଜେ ବୁଝ, ମୋତେ କାହିଁକି ବ୍ୟସ୍ତ କରୁଛ ? ଏତିକି କହି ରାଉତେ ନୋଟା ଧରି ଆଗକୁ ଚାଲିଲେ ।

 

ଆହା ! ନରିପୁରର ଗରିବ ପ୍ରଜାଗୁଡ଼ିକ, ସତେ କି ମୁଣ୍ଡରେ ତାଙ୍କର ବଜ୍ର ପଡ଼ିଲା । କାହାରି ପାଟିରେ ଭାଷା ନାହିଁ । ହତାଶ ହୋଇ ପରସ୍ପରର ମୁହଁକୁ ଚାହିଁବା ଛଡ଼ା ଆଉ ତାଙ୍କର କି ଉପାୟ ଅଛି ?

 

ଜଗୁର ମାମୁଁ ଘରକୁ ଆସିବା ଆଜିକି ହେଲା ଛଅ ଦିନ । ସକାଳୁ ଉଠି ଘରକୁ ଫେରିବ ବୋଲି ସଜ ହେଉଥିଲା । ମାମୁଁ ମନା କରିଗଲେ । ଆଜି ସଁବାର, ଫେରିବ ବୋଲି ବେଣୁ ଆଗରେ କହିଆସିଲା । ନ ଗଲେ ଚଳିବ ନାହିଁ, ସେ ତେଣେ ଚାହିଁ ବସିଥିବ । ଅସତ୍ୟ ହେବା କଥା । ମାମୁଁଙ୍କ ମନାକୁ ମାନୁଛି କିଏ ? କିନ୍ତୁ ନିଜେ ମାଇଁ ଆସି ତାର ହାତଧରି କହିଗଲେ, ଛଅ ଦିନଟା, ଆଜି ଘରକୁ ଫେରିବା ଯୋଗାଏ ନାହିଁ ବାପ ! ମନ ହନ୍ତସନ୍ତ ହେବ । ବାଟରେ ଗାଁ ଗାଁରେ ହଇଜା ପଶିଛି । ଛାଡ଼ିବାକୁ ମନ ହେଉନାହିଁ । ଯିବୁ ଯଦି କାଲି ସକାଳୁ ଯିବୁ ।

 

ମାଇଁଙ୍କର ଆଗ୍ରହ ଦେଖି ଜଗୁ ତାଙ୍କର ଅନୁରୋଧ ଭାଙ୍ଗି ପାରିଲା ନାହିଁ । କଥା ଭାଙ୍ଗି ଦେଇ ସେ ଚାଲିଯାଆନ୍ତା କିପରି ? ବିବେକର ବିରୁଦ୍ଧରେ ରହିଗଲା ସିନା, ମନ ଜମାରୁ ଡାକୁ ନଥାଏ । ବେଳ ଯେପରି ପଡ଼ିଛି, ଦିନ ଗୋଟିଏ ଗଲେ ଯାହା, ଯୁଗଟାଏ କଟିଗଲେ ସେଇଆ ।

 

ଜଗୁ ମନରେ ସୁଖ ନାହିଁ । ସେ ସିନା ଏଣେ ମାମୁଁ ଘରେ ନିଶ୍ଚିତ ହୋଇ ବସିଲା; ତେଣା ଗାଁରେ ଯେ କଅଣ ହେଉଛି କେଜାଣି ! ଆଖି ଆଗରେ ଦେଖିଯାଇଛି ଯାହା, ଭୁଲିବ କିପରି-? ଉମାକୁ ଆସିଲାବେଳେ ସେ ଦେଖା ଦେଇ ଆସିନାହିଁ । ତା କଥା ମାନି ସେ ତାଙ୍କ ଘରକୁ ଯିବ କି ନାହିଁ ? ନେତୀକୁ ଏତେ କରି ସେ କହି ଆସିଛି, ସେ ବୋଧହୁଏ ତା ଅନୁରୋଧ ଭାଙ୍ଗିବ ନାହିଁ । ନୂଆବୋହୁ ଆସି ପହଞ୍ଚିଲେ ବାପା କଅଣ କରିବେ ? ହୁଏତ ତା ଉପରେ ରାଗିବେ । ବେଣୁକୁ ଧମକ ଚମକ ଦେଲେ ସେ ଡରି ହରି ସବୁକଥା କହିଦେବ ।

 

ଯେତେ ଭାବିଲେ ଜଗୁର ମନ ସ୍ଥିର ହେଲା ନାହିଁ । ମାମୁଁଘର ଅବସ୍ଥା ସେତେ ଭଲ ନୁହେଁ । ମାଇଁଙ୍କର ଦୂରଦର୍ଶିତା ଓ ବ୍ୟୟ ସଂକୋଚ କରିବାର ଦକ୍ଷତା ପାଇଁ ତାଙ୍କର ଛୋଟ କୁଟୁମ୍ୱଟି କୌଣସିମତେ ସୁଖେ ଦୁଃଖେ ଆଜିଯାଏ ଚଳି ଆସିଲେଣି । ଟାଣିଓଟାରି ଆଉ ବା ମାସେ ଦି ମାସ ଚଳିଯିବ । ତେଣିକି କରିବେ କଅଣ ?

 

ମାଇଁ ଆସି ଜଗୁର ଓଠ ଧରି କହିଲେ, ମାମୁଁ ମାଇଁଙ୍କୁ ଦେଖିବାକୁ ସଙ୍ଖୋଳିବାକୁ ଆସିଥିଲୁ ବାପ, ଅବସ୍ଥା ଭଲକରି ଦେଖିଗଲୁ । ଏ ବିପଦବେଳେ ଯଦି ସାହା ହୁଅ, ପିଲାଏ ବଞ୍ଚିବେ, ନୋହିଲେ ନାହିଁ ।

 

ଜଗୁ ଅନ୍ୟମନସ୍କ ହୋଇ କହିଲା, ମୁଁ ବାପାଙ୍କୁ ସବୁ କହିବି ।

 

ମାଇଁ ମୁହଁ ଶୁଖାଇ କହିଲେ ବାପା ତ ତମର ଯେମିତି ମଣିଷ, ତୋ ବୋଉ ମଲାଦିନୁ ଆମର ମଲା ହଜିଲା ଖୋଜନ୍ତି ନାହିଁ । ତାଙ୍କୁ କହିଲେ ସେ ଯାହା ଶୁଣିବେଟି ! ତୁ ଯଦି ମନ କରିବୁ, ତେବେ ହବ ।

 

ଜଗୁ କହିଲା, ଆଚ୍ଛା ହଉ ।

 

ମାଇଁ କହିବାକୁ ଲାଗିଲେ, ଆମର ବେଶି ଲୋଡ଼ା ନାହିଁ ରେ, ଅଣ୍ଟ ନିଅଣ୍ଟ ହେଲେ ମୋଟା ସୋଟା କରି ଧାନ ତିନି ଚାରି ଭରଣ । ଏ ବର୍ଷର ପସଲ ଉଠିଗଲେ ଧାନ ମୁଁ ସୁଝିଦେବି ।

 

ଜଗୁ କହିଲା, ହଉ ।

ମାଇଁ ସନ୍ତୁଷ୍ଟ ହୋଇ ଚାଲିଗଲେ ।

 

ଜଗୁ ଭାବିବାକୁ ଲାଗିଲା, ଉପକାରୀ ମାମୁଁ ମାଇଁଙ୍କୁ ନିଶ୍ଚୟ ସେ ଧାନ ଦେବ । ବାପା ଯଦି ନାହିଁ କରନ୍ତି, ସେ ଚୋରି କରିବ ପଛେ ନିଶ୍ଚୟ ଧାନ ପଠାଇବ । ଜାଣିଲେ ବାପା ଗାଳିଦେବେ । ଦେଉନ୍ତୁ । ଗାଳି ଖାଇ ଜଣକର ଉପକାର କରିବା ଭଲ । ତିନି ଦିନ ତଳର କଥା । ଉଦୁଉଦିଆ ଦିପହର ବେଳ । ଜଗୁ ମାମୁଁ ପାଖରେ ଦାଣ୍ଡ ପିଣ୍ଡାରେ ବସି ଦୁଃଖସୁଖ ହେଉଛି । ଗାଁ ଭିତରୁ ହଇଜା ପ୍ରପୀଡ଼ିତ ରୋଗୀର ଆର୍ତ୍ତନାଦ କେତେବେଳେ ବା ଶୋକସନ୍ତପ୍ତ କୌଣସି ପରିବାରର ଅଧୀର କରୁଣ ଚିତ୍କାର ଭାସିଆସି ତାଙ୍କ କାନରେ ବାଜୁଛି । ଏହିପରି ସମୟରେ ରୁକ୍ଷକେଶ, ମଳିନ ବସ୍ତ୍ର ପରିହିତ, କଙ୍କାଳ ସାର ଗୋଟିଏ ଯୁବକ ଆସି ସେମାନଙ୍କ ଆଗରେ ଠିଆ ହେଲା । ତାକୁ ଦେଖୁ ଦେଖୁ ଜଗୁର ମାମୁଁ ମୁହଁ ବିକୃତ କରି ବିରକ୍ତିରେ ନାକ ଟେକି କହି ଉଠିଲେ, ପୁଣି କୁଆଡ଼େ ଆସିଲ ଶତ୍ରୁଘ୍ନ ?

 

ଆଗନ୍ତୁକ ପ୍ରମାଣ କରି ପୁର୍ବ ପରି ଆଗରେ ଠିଆ ହୋଇ ହାତ ମଳିବାକୁ ଲାଗିଲା । ତାର ମଳିନ ଆଖିର କରୁଣ ଦୃଷ୍ଟି ଦେଖିଲେ ସାଧାରଣ ମଣିଷର ହୃଦୟ ତରଳି ଯିବାର କଥା, କିନ୍ତୁ ନବଘନ ତହିଁରେ ତିଳେମାତ୍ର ବିଚଳିତ ହେଲେ ନାହିଁ ।

 

ତାକୁ ନୀରବ ଦେଖି ପୁଣି କହିଲେ, ଲମ୍ୱ ପଣତ ସବୁଠିକି ପାଏ ବାବୁ, କିନ୍ତୁ ମୋର ଚାରିଆଡ଼ୁ ନିଅଣ୍ଟ । ନିଜ ରକ୍ଷଣ ଅସମ୍ଭବ । କିପରି ଏ ଘୋର ବିପଦରୁ ଉଧୁରିବି ସେଥିକି ବାଟ ଦିଶୁ ନାହିଁ । ତମେ ଯଦି ବାରମ୍ୱାର ଆସି ଏପରି ବିରକ୍ତ କର, ଆମେ ଆଉ ଚଳିପାରିବୁ ନାହିଁ ।

 

ଶତ୍ରୁଘ୍ନ କହିଲା, ମୋର ଆଉ କିଏ ଅଛି, ମଉସା ? ତମେ ଯଦି ସହାୟ ନ ହୁଅ–

 

ନବଘନ କହିଲେ, ସାହାଯ୍ୟର ସୀମା ଅଛି ! ପେଟ ପୋଷିବାର ଉପାୟ ଯଦି ନିଜେ ନ କର, ଏପରି ଅସମୟରେ ଆଉ କିଏ ତମ ପାଇଁ କରିବ ? ଖୋର୍ଦ୍ଧା, ଭୂଷଣ୍ଡପୁରରେ ବଡ଼ ରାସ୍ତା ତିଆରି ହେଉଛି କଟକରେ, ନାଳ ଖୋଳା ହେଉଛି, କଟକରେ ଶହ ଶହ ଲୋକ କାମ କରି ପେଟ ପୋଷୁଛନ୍ତି, ତମେ ଯାଇ ସେମାନଙ୍କ ସଙ୍ଗେ କାମ କର ।

 

ଶତ୍ରୁଘ୍ନ କହିଲା, ଏତେ ବାଟ ଯିବାକୁ ଶକ୍ତି କାହିଁ ?

 

ନବଘନ କହିଲେ, ସେଥିକି ମୁଁ ଦାୟୀ ନୁହେଁ । ଏକଥା ତମୁକୁ ପହିଲୁ କହି ଆସୁଛି । ବନ୍ଧୁ ବୋଲି ବନ୍ଧୁ ସିନା ଦଶ ପାଞ୍ଚ ଦିନ ପୋଷେ, ନିଜ ଉପରେ ପଡ଼ିଲେ କେଉଁ ବନ୍ଧୁ କାହାର ପିଠିରେ ପଡ଼ି ସାହା ହେବ ?? କାହାର ମଲାବେଳକୁ ଆସି କିଏ ପାଟିରେ ପାଣି ଦେବ ? ଏତିକି କହି ନବଘନ ଘରକୁ ଉଠିଗଲେ । ଜଗୁ ମଧ୍ୟ ତାଙ୍କ ପଛେ ପଛେ ଗଲା । ନବଘନ ନିଜ ହାତରେ ଦାଣ୍ଡ କବାଟ ବନ୍ଦ କରି କିଳିଣୀ କିଳିଲେ ।

ଜଗୁ ପଚାରିଲା, ସେ କିଏ, ମାମୁଁ ?

ଉତ୍ତର ପାଇଲା, ମୋ ଶାଳୀର ପୁଅ । ଅଳସୁଆଙ୍କ ସରଦାର ।

ଜଗୁର ଆଉ ପଚାରିବାକୁ ଇଚ୍ଛା ହେଲା ନାହିଁ । ସଞ୍ଜ ଆଗରୁ ଦାଣ୍ଡ କବାଟ ଖୋଲି ଦେଖିଲା, ଶତ୍ରୁଘ୍ନ କେତେବେଳୁ ଚାଲିଗଲାଣି । ସେହି ଅନାଥ ଶତ୍ରୁଘ୍ନର କଥା ମନେ ପଡ଼ିଲା । ମାମୁଁଙ୍କୁ କଅଣ ନିଷ୍ଠୁର କଥା କହିବାକୁ ହେବ ! ନବଘନଙ୍କ ଅବସ୍ଥାପନ୍ନ ଯେ କେହି କଅଣ ନିଜର ନିକଟ ଆତ୍ମୀୟକୁ ଏହିପରି କଠୋର ନାସ୍ତିବାଣୀ ଶୁଣାଇ ଦୁଆରୁ ଫେରାଇ ଦେଇଥାନ୍ତା ଉପାସରେ-? ତେବେ, ଆଉ ବନ୍ଧୁ ସ୍ୱଜନ ଭିତରେ ମମତା ରହିଲା କେଉଁଠି ? ବନ୍ଧୁ ସ୍ୱଜନଙ୍କଠାରୁ ବିପଦବେଳେ କି ଉପକାର ଆଶା କରିପାରେ ମଣିଷ ? ନବଘନଙ୍କର ଜଗୁ ପ୍ରତି ଏତେ ଅନୁରାଗ କାହିଁକି ? ଜଗୁ ଆଉ ଶତ୍ରୁଘ୍ନ ଭିତରେ ସମ୍ପର୍କରେ ପ୍ରଭେଦ କଅଣ ? ବୁଝିବାକୁ ଗଲେ ଦୁହେଁ ସମାନ-। ତେବେ ?

ଜଗୁ ଭାବିବାକୁ ଲାଗିଲା, ପ୍ରତ୍ୟୁପକାରର ଆଶା ଜଗୁଠାରେ ଯେଡ଼େ ପ୍ରବଳ, ଶତ୍ରୁଘ୍ନଠାରେ ସେତିକି ଅଭାବ, କାରଣ, ସେ ଦରିଦ୍ର, ସେ ନିଃସ୍ୱ, ନିରକ୍ଷ, ବାଟର ଭିକାରୀ, କାଙ୍ଗାଳ-। ଜଗୁ ଧନୀ ବାପର ପୁଅ ପ୍ରତ୍ୟୁପକାରର ଆଶା ହିଁ ସ୍ନେହର ପରିଚାୟକ । ଜଗୁ ଯଦି ଶତ୍ରୁଘ୍ନ ହୋଇଥାନ୍ତା, ତାର ଅବସ୍ଥା, ତାର ଆଦର ଅବିକଳ ଶତ୍ରୁଘ୍ନ ପରି ହୋଇଥାନ୍ତା ପରା ! ଆଜି ସେ ମଧ୍ୟ ସେହି ଶତ୍ରୁଘ୍ନ ପରି ନିରାଶ ବାଣୀ ଶୁଣି ଦାଣ୍ଡ ଦୁଆରମୁହଁରୁ ହତାଶ ହୋଇ ତତଲା ପେଟରେ ଫେରିଥାନ୍ତା । ତେବେ ଆଉ ଡେରି କାହିଁକି ? ସେ କାହିଁକି କାହାର ନିରର୍ଥକ ସ୍ୱାର୍ଥଭରା ଅନୁରୋଧ ମାନି ଅଟକି ରହିବ ? ସେ ଯିବ, ଯଦି ପାରେ ମାମୁଁଙ୍କ ପାଇଁ ଧାନ ପଠାଇବ ପଛେ ।

ତାର ଚିନ୍ତାଧାରାରେ ବାଧା ଦେବାକୁ ନବଘନ ଆଗକୁ ଆସି କହିଲେ, କିରେ, ତୁ ଏତେବେଳଯାଏ ଗାଧୋଇନାହୁଁ ? ଶୀଘ୍ର ଖିଆପିଆ ସାର, ଗୋଟାଏ ଠାଆକୁ ଯିବା ପରା, ଖରା ମାଡ଼ି ଆସୁଛି ।

ଜଗୁ କହିଲା, ମୋର ମନ ଲାଗୁନାହିଁ, ମୁଁ ଘରକୁ ଯିବି ।

ନବଘନ କହିଲେ, ପାଗଳ ଛୁଆ କିରେ, ଏ ନିରାଟ ଖରାରେ ଯିବୁ କୁଆଡ଼େ ? କାଲି ବଡ଼ିଭୋରରୁ ଉଠି ଚାଲିଯିବୁ ଯେ ଖରା ତାତି ବାଧିବ ନାହିଁ । ଗାଧୁଆବେଳ ସରିକି ଘରେ ପହଞ୍ଚିଯିବୁ । ଆଜି ଚାଲ ଯିବା, ସାହେବ ଗୁହାରି ଶୁଣିବାକୁ ଆସୁଛନ୍ତି, ତାଙ୍କୁ ଆମର ଦୁଃଖ କହି ଆସିବା । ଜଗୁ ମଙ୍ଗିଲା ।

ପୁ...ପୁର ମାମୁଁ ଘରକୁ ବାଟ ଦୁଇ କୋଶ । ସୁବିଧା ମିଳିଛି, ପାଞ୍ଚଲୋକ ଗୁହାରି କରିବାକୁ ଯାଉଛନ୍ତି, ସେ ବି ଦୁଃଖ ଜଣାଇବାକୁ ଘେରାଟିଏ ବୁଲି ଆସିଲେ କ୍ଷତି କ’ଣ ? ମା ଠାକୁରାଣୀ ତାଙ୍କ କଣ୍ଠରେ ବିଜେ କଲେ ଅବଶ୍ୟ ଗରିବ ପ୍ରଜାଙ୍କର ଗୁହାରି ଶୁଣିବେ । ଦୁଇ ଆଖିରେ ସେମାନଙ୍କର ଦୁଃଖ ଦେଖିବେ । ବୁଝାମଣା କରି ପ୍ରତିକାର କରିବାର ଉପାୟ ଫାନ୍ଦିବେ । ତାଙ୍କ କଲମ ମୁନରେ ଗାର ପଡ଼ିଲେ ଲୋକଙ୍କର ଦଶା ଫେରିବ । ଦୁର୍ଭିକ୍ଷ ମାଡ଼ିଆସୁଛି ଶୁଣିଲେ ସରକାର ଧାନଚାଉଳ ଆଣିବାର ବ୍ୟବସ୍ଥା କରିବେ ।

ପୁ...ପୁର ଗାଁର ବଡ଼ ଖୋଲା ମଇଦାନ ଉପରେ ତମ୍ୱୁ ପଡ଼ିଛି । ତମ୍ୱୁ ଆଗରେ ଦୁଇଟି ଚଉକିରେ ବସିଛନ୍ତି–ଜିଲା ମାଜିଷ୍ଟ୍ରେଟ୍‌ ବେଲ୍‌ ସାହେବ ଓ ଖୋର୍ଦ୍ଧାର ସବ୍‌ଡ଼ିଭିଜନାଲ ଅଫିସର ବାର୍ଟ୍ଟନ ସାହେବ । ନିକଟରେ ଆଉ ଅନେକ ଦେଶୀ ବିଦେଶୀ ହାକିମହୁକୁମା ଠିଆ ହୋଇଛନ୍ତି-। କେତେ ଜଣ ପୋଲିସ କର୍ମଚାରୀ ଶାନ୍ତିରକ୍ଷା କରିବାକୁ ଆଗରେ ଟହଲ ମାରୁଛନ୍ତି-। ସାହେବମାନଙ୍କର ବସିଥିବା ଜାଗାରୁ ପ୍ରାୟ ତିରିଶ ହାତ ଆକ୍ରାନ୍ତରେ ଅର୍ଦ୍ଧବୃତ୍ତାକାର ପରିମିତ ଜାଗା ଛାଡ଼ି ମଇଦାନରେ ଲୋକ ଭିଡ଼ କହିଲେ ନ ସରେ । ଲୋକଙ୍କର କୋଳାହଳରେ ସ୍ଥାନ ମୁଖରିତ ହେଉଛି । ସମସ୍ତେ କିଛି ନା କିଛି କହିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏ ବିପୁଳ ଜନତା ଓ ମହାକୋଳାହଳ ଭିତରେ ସମସ୍ତଙ୍କର ଚିତ୍କାର ହଜିଯାଇଛି ।

 

ଜଗୁ ଓ ନବଘନ ଦୁହେଁ ଜନତା ଭେଦ କରି ଅତି କଷ୍ଟରେ ଆଗକୁ ଆସିଲେ, ଦୟାବନ୍ତ ରାଜପୁରୁଷମାନଙ୍କର ଦର୍ଶନ ଲାଳସାରେ । ଦେଶର ହର୍ତ୍ତାକର୍ତ୍ତା ବିଧାତା ସେମାନେ, ଯାହା କହିବେ ସେଇଆ ହେବ । ଲୋକଙ୍କର ଦୁଃଖ ଦେଖି ପ୍ରତିକାର କରିବାକୁ ଅଙ୍ଗକୁ କଷ୍ଟ ଦେଇ ଧାଇଁଆସିଛନ୍ତି-। ଆଉ କିଛି ହେଉ ନ ହେଉ ଦର୍ଶନଟା କରି ନ ଗଲେ ଆଶା କରି ଆସିବା ସାର୍ଥକ ହେବ ନାହିଁ ।

 

ସିପାହୀମାନଙ୍କର ହାତଟେକା ଦେଖି ଲୋକେ କୋଳାହଳ ବନ୍ଦ କଲେ । ସାହେବଙ୍କ ଆଦେଶ ପାଇ ନିକଟରୁ ଜଣେ କର୍ମଚାରୀ ଉଚ୍ଚସ୍ୱରରେ ଅଧା ଓଡ଼ିଆ ଅଧା ଅନ୍ୟ ଦେଶୀ ଭାଷାରେ କହିଲେ, ସାହେବ ପଚାରୁଛନ୍ତି, ମୋଫସଲରେ କଅଣ ଧାନଚାଉଳ କିଣିବାକୁ ମିଳୁନାହିଁ ?

 

ଲୋକେ ପାଟିକରି ଉଠିଲେ, ଆଜ୍ଞା ଧର୍ମାବତାର, ଆଜ୍ଞା ମା ବାପା ! ଧାନ ଚାଉଳ ଦେଖିବାକୁ ସାତ ସପନ ! ଖାଇବା ବିନା ଲୋକେ ମଲୁଁ । ରକ୍ଷା କରନ୍ତୁ ।

 

ହାକିମ ମହାଶୟ ସାହେବଙ୍କ କାନ ପାଖରେ ଇଂରେଜୀରେ କଅଣ କହିଲେ, ସାହେବ କଅଣ ଉତ୍ତର ଦେଲେ କେଜାଣି, ସେ ପୁଣି ପୂର୍ବପରି ପଚାରିଲେ, ସାହେବ କହୁଛନ୍ତି, ସେ ଜାଣନ୍ତି ଦେଶରେ ବର୍ତ୍ତମାନ ବହୁତ ଧାନ ଜମା ଅଛି । ମହନ୍ତ ଓ ଜମିଦାରମାନେ, ବହୁତ ଧାନ ଜମା କରି ରଖିଛନ୍ତି ।

 

ଲୋକେ ସମସ୍ୱରରେ କହିଲେ, ସେ କଥା ଆମକୁ ଜଣା ନାହିଁ । ଟଙ୍କା ସୁନା ନେଇ ଦ୍ୱାରେ ଦ୍ୱାରେ ବୁଲିଲେ ବି କେହି ଧାନ ବିକିବାକୁ ମଙ୍ଗୁନାହାନ୍ତି । ଯେଉଁମାନଙ୍କ ପାଖରେ ଧାନଚାଉଳ ଥିବାର ଜଣା ଅଛି, ସେମାନେ ବି ମୁହଁକୁ ଚାହୁଁ ନାହାନ୍ତି, ଦୁର୍ଭିକ୍ଷ ପଡ଼ିବ, ଏହି ଭୟରେ ହାତରୁ ଧାନ ଛାଡ଼ିବାକୁ ରାଜି ହେଉନାହାନ୍ତି ।
 

ମହାଶୟ କହିଲେ, ଦୁର୍ଭିକ୍ଷ ପଡ଼ିବ ନାହିଁ, ଏକଥା ଜଣାଶୁଣା କଥା । ଲୋକେ ଦର ବଢ଼ାଇବାକୁ ହାତରେ ଧାନଚାଉଳ ଜାକି ରଖିଛନ୍ତି । ଟିକିଏ ଦର ଚଢ଼ିଗଲେ ସେମାନେ ଆପେ ଆପେ ବିକ୍ରିବଟା ଆରମ୍ଭ କରିବେ ।

 

ଲୋକେ କହିଲେ, ଦର କଅଣ ଆଜିଯାଏ ଚଢ଼ିନାହିଁ ସାଆନ୍ତେ ? ଟଙ୍କାରେ ଚାରିସେର ଭାଉରେ ଖୋଜିଲେ ବି ଚାଉଳ ମିଳୁନାହିଁ ।

 

ସେ କହିଲେ, ଖବର ମିଳିଛି, ଦେଶରେ ବର୍ତ୍ତମାନ ଯେତେ ଧାନ ଅଛି ଅକ୍ଲେଶରେ ଦେଶଲୋକଙ୍କର ବର୍ଷକର ଆହାର ଚଳିପାରେ । ଟିକିଏ ଧୈର୍ଯ୍ୟ ଧରି ଅପେକ୍ଷା କଲେ ହେଲା । ସରକାର ବି ସଦାବର୍ତ୍ତ ଖୋଲିବାପାଇଁ ଚାଉଳ ମଗାଇବାକୁ ଚେଷ୍ଟା କରୁଛନ୍ତି । ଏତିକି କହି ସେ ମହାତ୍ମା ସାହେବ ଦୁଇଜଣଙ୍କୁ କଅଣ ବୁଝାଇବାକୁ ଲାଗିଲେ । ଲୋକେ ଏଣେ ଉଚ୍ଚସ୍ୱରରେ ସହସ୍ର କଣ୍ଠରେ ସେମାନଙ୍କର ଅସୀମ ଦୁଃଖ ଜଣାଉଥାନ୍ତି । ସେମାନଙ୍କ ପ୍ରାର୍ଥନା ହାକିମମାନଙ୍କ କାନରେ ବାଜୁଥାଏ ନିଶ୍ଚୟ; କିନ୍ତୁ ସେମାନେ କଅଣ ବୁଝୁଥାନ୍ତି କେବଳ ତାଙ୍କୁହିଁ ଜଣା ।

 

କିଛି ସମୟପରେ ସାହେବ ଦୁଇଜଣ ଓ ହାକିମମାନେ ନିଜନିଜର ପାଲିଙ୍କି ଆରୋହଣ କରି ନରଯାନରେ ଯାତ୍ରା କଲେ । ଲୋକଭିଡ଼ ମଧ୍ୟ କମିଆସିଲା । ବେଳ ରତ ରତ ହେଲାଣି । ଅପେକ୍ଷା କରିବା ନିଷ୍ପ୍ରୟୋଜନ ମନେ କରି ଜଗୁ ଓ ନବଘନ ଅନ୍ୟାନ୍ୟ ଲୋକଙ୍କ ସଙ୍ଗେ ଘରକୁ ଫେରିବା ହିଁ ସାର ମନେ କଲେ ।

 

ବାଟରେ ଜଗୁ ପଚାରିଲା, ଆଚ୍ଛା ମାମୁଁ, ଏମାନେ କେବଳ ଆମକୁ ଦେଖିବାକୁ ଆସିଥିଲେ ? ଆମର ଦୁଃଖ କଷ୍ଟ ଦୂର କରିବାର କୌଣସି ଉପାୟ କରିଗଲେ ନାହିଁ ?

 

ନବଘନ ଦୀର୍ଘଶ୍ୱାସ ଛାଡ଼ି କହିଲେ, ଉପାୟ ଏଡ଼େ ସହଜ ନୁହେଁ । ଆସିଗଲେ, ଲୋକଙ୍କର ଦୁଃଖଦୁର୍ଦ୍ଦଶା ବୁଝିଗଲେ, ନିଜ ଆଖିରେ ଦେଖିଗଲେ । ପ୍ରଜାଙ୍କର ପ୍ରାଣରକ୍ଷା କରିବାକୁ ସେମାନେ ନିଶ୍ଚୟ ପ୍ରାଣପଣେ ଚେଷ୍ଟା କରିବେ ।

 

ଜଗୁ ପଚାରିଲା, ଏତେ ଲୋକ ତ ଏତେ ଦୁଃଖ କହିଲେ, ଆମେ ବି ସେମାନଙ୍କ ସଙ୍ଗେ ମିଶି ଦୁଃଖ ଜଣାଇଲୁ, ସାହେବ କଅଣ ଆମ କଥା ବୁଝିପାରିଲେ ?

 

ନବଘନ କହିଲେ, ଆରେ ରଜାର ମନ୍ତ୍ରୀ ଥାଏ କାହିଁକି ? ରାଜା ଯାହା ବୁଝିବାର ବୁଝନ୍ତି, ଯାହା ବୁଝି ନ ପାରନ୍ତି ମନ୍ତ୍ରୀମାନେ ତାଙ୍କୁ ସେସବୁ ବୁଝାଇ ଦେବାର କଥା ।

 

ମନ୍ତ୍ରୀ ଯଦି ନିଜେ ନ ବୁଝନ୍ତି କିମ୍ୱା ଓଲଟା ବୁଝନ୍ତି, କି ଯାହା ବୁଝନ୍ତି, ତାହା ଓଲଟାଇ କହନ୍ତି, ତେବେ ତ ସର୍ବନାଶ ।

 

ସେଥିକି କାହାର ଦୋଷରେ ବାପ ? ମନ୍ତ୍ରୀ ତ କିଛି ସମୁଦ୍ର ସେପାରି ଲୋକ ନୁହନ୍ତି ! ତେଣିକି, ଗରିବ ପ୍ରଜାର କପାଳ କଥା । ଯାହା କରିବେ ନୀଳାଚଳନାଥ ।

 

ଜଗୁ ତୁନି ହେଲା । ଘର ପାଖେଇ ଆସିଲାଣି ।

 

–୮–

 

ନରିପୁର ଗାଁ ଛିନ୍‌ଛତର ହୋଇଗଲାଣି । କିଛି ନ ଥିଲା, ହଠାତ୍‌ କାହୁଁ ହଇଜା ଆସି ପାଞ୍ଚଦିନ ତଳେ ରାତିଅଧରେ ପାଣସାହିରେ ପଶିଲା । ସେଇଠୁ ନରିପୁର ଗାଁର ସବୁ ଘରେ ତାର ଆଖି ପଡ଼ିଲା । ଦେଖୁ ଦେଖୁ ଏ ଘରେ ଗୋଟାଏ, ସେ ଘରେ ଗୋଟାଏ, ଏହିପରି କେତେ ଘରେ ଠାକୁରାଣୀ ବିଜେ ହେଲେ । ଘରେ ଘରେ ଆତଙ୍କ ପଡ଼ିଗଲା । ସକାଳୁ ସଞ୍ଜଯାକେ କାହାର କାହାର ଦାଣ୍ଡ ଦରଜା ଖୋଲା ଥାଏ । ସଞ୍ଜ ହେଲା ତ କବାଟ ତାଟି ବନ୍ଦ କରି ଲୋକେ ଘରଭିତରେ ପଶିଲେ । ନିଜ ଦୁଃଖର କିନାରା କରିବାକୁ ବେଳ ନାହିଁ, ପରର ଦୁଃଖ ସହାନୁଭୂତି ଦେଖାଇ ପଦେ ଆହା କହିବାକୁ ଯାଉଛି କିଏ ? ଠାକୁରାଣୀଙ୍କ ଡରରେ ଘର ଛାଡ଼ି ପଦାକୁ ଗୋଡ଼ କାଢ଼ିବାକୁ ସାହସ ଅଛି କାହାର ?

 

ତଥାପି ଗାଁର ସାହାସିଆ ଟୋକା କେତେଜଣ ଯଥା କର୍ତ୍ତବ୍ୟ ପ୍ରତିକାର କରିବାକୁ ଅଣ୍ଟା ଭିଡ଼ି ଠିଆହେଲେ । କାଳିସି ଲାଗିଲା, ଗଛରୁ ତୋଳି ଆଣି କେତେ ନୂଆ କଥା କହିଲା । ଠାକୁରାଣୀ ମାର୍ଜନା ହେଲା, ଠାକୁାରଣୀ କେତେ ଲୋକଙ୍କୁ ସପନେଇ କେତେ ଆଶାର କଥା ଶୁଣାଇଗଲେ । ନଗରକୀର୍ତ୍ତନହେଲା,-‘‘ଭଜ ଶ୍ରୀକୃଷ୍ଣ ଚୈତନ୍ୟ । ପ୍ରଭୁ ନିତ୍ୟାନନ୍ଦ’ ବାଣୀରେ ଗାଁସାରା ଦୁଲୁକି ଉଠିଲା । ଟୋକାଏ ବୁଢ଼ାଏ ଖୋଳ କରତାଳ ଧରି ତନ୍ମୟ ହୋଇ ଢଳି ଢଳି ନାଚି ଗୋଡ଼ ଦରଜ କଲେ । ରାତିରେ ଭୋକିଲା ପେଟରେ ସାହି ସାହି ବୁଲି ଭାଗବତ ପଢ଼ାଗଲା । କୌଣସି ଠାକୁର କି ଠାକୁରାଣୀ ଆସି ହତଭାଗ୍ୟ ମଣିଷର ପିଠିରେ ପଡ଼ିଲେ ନାହିଁ, କି ହଇଜା ବନ୍ଦ ହେଲା ନାହିଁ, ବରଂ ବଢ଼ିପାଣି ପରି ବେଳକୁବେଳ ମାଡ଼ିଆସିଲା । ଦିନ ତିନିଟାରେ ଗାଁରୁ ଦଶ ବାର ଜଣ ଖସିଗଲେ ।

 

ସେଇଠୁ ଲୋକଙ୍କ ମନରେ ପଶିଲା, ଠାକୁରଗୁଡ଼ା ଠକ, ଲାଞ୍ଚୁଆ । ମଣିଷର ଭାଗ୍ୟବିଧାତା ମଣିଷ, ଠାକୁର ନୁହେଁ । ଏହି ମଣିଷ ଯାହା କରିବ, ତାହା ହିଁ ହେବ । କିନ୍ତୁ ଦାନା ଅଭାବରେ ନରିପୁରରେ ଗରିବ ଲୋକେ କରନ୍ତେ କଅଣ ? ଏଣେ ଘରେ ଖାଇବାକୁ ନାହିଁ । ଖାଦ୍ୟ ଯେ କାହୁଁ ସ୍ୱର୍ଗରୁ ଗଳିବ, ସେପରି ନୁହେଁ । ବନ୍ଧାଛନ୍ଧା ପକାଇ କୋଉଠୁ ହେଲେ କେମିତି ଯୋଗାଡ଼ କରି ଆଣନ୍ତେ, ସେ ଆଶା ନାହିଁ । ଘରେ କିଛି ସମ୍ୱଳ ନାହିଁ । ଗାଁରେ ହଇଜା । ଉପାୟ କଅଣ ? ଗରିବଗୁରୁବା ଭାଗେ ଲୋକ ଗାଁ ଛାଡ଼ି ଭିକ ମାଗି ପେଟ ପୋଷିବାକୁ ଆଖପାଖ ଗାଁ ସବୁକୁ ବାହାରିଗଲେ । ଯେଉଁମାନେ ରହିଲେ ସେମାନେ ଖାଲି ଅନିଶ୍ଚିନ୍ତ ଆଶାରେ ପଡ଼ି ରହିଲେ ।

 

ଗୋବିନ୍ଦ ସାହୁଙ୍କ ଘର କଥା ।

 

ଜମିଦାର କଚେରିରୁ ଫେରି ସେ ସବୁ କଥା ତାଙ୍କ ସ୍ତ୍ରୀ ଆଗରେ କହିଲେ । ରେଣୁବୋଉ ସବୁ ଶୁଣି ଶୁଣି ଖାଲି ଥରେ ସଙ୍ଗା ଉପରେ ଥିବା ଧାନ ଓଳିଆକୁ ଚାହିଁ ନିଶ୍ୱାସ ଛାଡ଼ି ସେଠାରୁ ଉଠିଗଲେ । ଫେରିଆସି ଦୁଃଖରେ ମୁହଁ ଗମ୍ଭୀର କରି କହିଲେ, ଥରେ ପଧାନ ଘରକୁ ଯାଅ !

 

ସେ ମୁହଁକୁ ଚାହିଁବା ଲୋକ ନୁହଁନ୍ତି ।

କଅଣ କହୁଛନ୍ତି ଶୁଣ । ତେଣିକି ଯାହା ଭାଗ୍ୟରେ ଥିବ ।

 

ତହିଁ ଆରଦିନ ସଞ୍ଜବେଳେ-ଉମା ଦି ମାଠିଆ ପାଣି ଧରି ଗୋଟିଏ ହାତରେ ଅନ୍ଧୁଣୀ ମାଆର ହାତ ଧରି ବାଟ କଢ଼ାଇ ଯେତେବେଳେ ଆସି ଦାଣ୍ଡରେ ଠିଆ ହେଲା, ଦେଖିଲା, ଖୁଡ଼ୀ ବାଡ଼ିପଟ କାନ୍ଥକୁ ଆଉଜି ହାତରେ ମୁଠାଏ ଛାଞ୍ଚୁଣୀ ଧରି ଗମ୍ଭୀର ଭାବରେ ଠିଆ ହୋଇଛନ୍ତି ।

 

ଉମା ଅତି ଦୁଃଖରେ ଖୁଡ଼ୀକୁ ଅନୁରୋଧ କଲା, କାଖରେ ମାଠିଆଟା ଟିକେ ଧରିଲ ଖୁଡ଼ୀ !

 

ଖୁଡ଼ୀଙ୍କ ମୁହଁରୁ ଉତ୍ତର ଆସିଲା, ହଇଲୋ ଛତରଖାଈ, ତୋର ଏତେ ଗୁଣ ଲୋ !

 

ଉମା ତାଟଙ୍ଗା ହୋଇ ଶୁଣିଲା । କି ପାପ କରିଛି ଯେ ସବୁବେଳେ ଖୁଡ଼ୀ ମୁହଁରୁ କଟୁକଥା ଶୁଣୁଥିବ ? ଯେତେ କଲାଠେଇଁ ସବୁଦିନ ସବୁବେଳେ ସେହି ଏକା କଥା । ଏଡ଼େ ପୋଡ଼ାକପାଳୀ, ପେଟକୁ ଖାଇବାକୁ ମୁଠିଏ ଶାନ୍ତିରେ ବିନା ଛିନ ଛାକରାରେ ଦବା ତେଣିକି ଥାଉ, ଭଲରେ ପଦେ ମିଠାକଥା ସେ କେବେ ଶୁଣିଲା ନାହିଁ । ଜୀବନଟା ଏହିପରି ହୀନିମାନରେ କଟିବ !

 

ମନ ଦୁଃଖରେ ମୁହଁ ଶୁଖାଇ ସେ ପଚାରିଲା, ମୁଁ କଅଣ କଲି କି ?

 

ମୁହଁ ମୋଡ଼ି, ଆଖି ଟେକି ରେଣୁବୋଉ କହିଲେ, କିଛି ନାହିଁ । ଆହା କେତେ ନିରୀହ ନିର୍ଦ୍ଦୋଷ ପିଲାଟା ! ମନକୁ ପଚାରୁନୁ କଅଣ କରିଛୁ ?

 

ଉମା ପୂର୍ବପରି କହିଲା, କିଛି ଦୋଷ କରିଛି ବୋଲି ମୋର ମନେ ହେଉନାହିଁ !

 

ରେଣୁବୋଉ କହିଲେ, କିଛି କରିନୁ ତ, ଖାଲି ବାରମ୍ୱାର ବୁଲି ଛତରରେ ପଶି ଭିକ ମାଗି ଯା ତା ଘରେ ଖାଇଛୁ । ଛତରଖାଈ, ମାଗିଖାଈକୁ ଘରେ ପୂରାଇଦେବି ନାହିଁ, ଛାଞ୍ଚୁଣୀ ମାଡ଼ରେ ମୁହଁ ଫଟାଉଛି ରହ । ହଇଲୋ, ଏତେ ଲୋକ ଗାଁ ଛାଡ଼ିଲେ ମାଗି ଖାଇ ପେଟ ପୋଷିବାକୁ, ତୁ ତାଙ୍କରି ସଙ୍ଗରେ ଗଲୁ ନାହିଁ ? ତତେ ଆଉ କେଉଁଠି ମିଳିଲା ନାହିଁ ଯେ, ଯାଇ ପଧାନ ଘରେ ଅଇଁଠା ଚାଟିଦେଇ ଆସିଲୁ ? ଆମର ଉପର ମୁହଁ ତଳକୁ କଲୁ ? ମାନମହତ ଦି କଡ଼ା କରି ପଦାରେ ଥୋଇଲୁ ? ଦେଖ ତ, ନେତୀ ଧାଇଁ ଆସି ଦିପହରେ ମତେ ତିଆରି ଯାଉଛି, ଉମାକୁ ଖାଇବାକୁ ଦେଉନାହୁଁ କାହିଁକି ? ମଲାରେ ଦିନେ ଗଣ୍ଡାଏ ଅଇଁଠା, ବାସୀ ପଖାଳ ଦେଇ ଏତେ ତେଜ, ମୋ ପରି ଯଦି ଉମାକୁ ଏଡ଼େଟିରୁ ଏଡ଼େ କରିଥାନ୍ତା ଆଉ କେତେ ନ କହନ୍ତା ! ଏତିକି କହି ରେଣୁବୋଉ ତମ୍‌ତମ୍‌ ହୋଇ ଘର ଭିତରକୁ ପଶିଗଲେ ।

 

ଉମାର ଆଖିରୁ ଲୁହ ଉଛୁଳି ପଡ଼ିଲା । ସେ ଧୀରେ ଧୀରେ ମାଠିଆ ଦୁଇଟି ତଳେ ଥୋଇ ଖୁଣ୍ଟକୁ ଆଉଜି ଠିଆହେଲା । ସଂସାର ଉପରୁ ତାର ବିଶ୍ୱାସ ତୁଟିଗଲା । ସେ ଜମାରୁ ମଙ୍ଗୁ ନଥିଲା । ମା ଲୋ, ସୁନା ଲୋ କହି ନେତୀ ତାକୁ କେତେ ଆଦର କରି ପାଖରେ ବସାଇ, କୋଳକୁ ଆଉଜାଇ ନିଜ ହାତରେ ଖୁଆଇ ଦେଲା । ବେଳେ ବେଳେ ସେ ସ୍ନେହରେ ପିଠି ଆଉଁସୁଥାଏ । କେତେବେଳେ ମୁଣ୍ଡକୁ ଛାତି ଉପରକୁ ଆଉଜାଇ ନେଇ ସ୍ନେହରେ ମୁହଁରେ ବୋକ ଦେଉଥାଏ । ଆଉ ଗୁଣ୍ଡାଏ ଖା, ଆଉ ଗୁଣ୍ଡାଏ ଖା କହି ବଳେଇ ବଳେଇ ତାକୁ ନେତୀ କେତେ ଖୁଆଇଲା । ପରିହାସ କରି କହିଲା, ଖାଲି ଜଗୁ ଯଦି ମଙ୍ଗନ୍ତା, ଏ ସୁନାର କଣ୍ଢେଇକୁ କୋଳରୁ କାଢ଼ି ତଳେ ଥୁଅନ୍ତି ନାହିଁ ପରା ! ନେତୀ ମନର ସରାଗ ଦେଖି ଉମା ମନରେ କେତେ ସୁଖର ରଙ୍ଗୀନ ଚିତ୍ର ନାଚି ଉଠୁଥିଲା । ବିବେକର ନାଲି ଆଖିର କଥା ନ ମାନି ଯୌବନର ଉଦ୍ଦାମ ପ୍ରବୃତ୍ତି କେତେ ଉପରକୁ ଉଡ଼ି ଉଡ଼ି ଯାଉଥିଲା ।

 

ସେହି ନେତୀ ତାକୁ ଆଣି ବିପଦ ଅପମାନର ମଝିରେ ଛାଡ଼ି ଦେଇ ଚାଲିଗଲା । ସବୁ କଥା ଗୁପ୍ତ ରଖିବ କହି ସେ ନିଜେ ଆସି ସବୁ କଥା ଖୁଡ଼ୀ ଆଗରେ କହିଗଲା-ତାକୁ ନିରାଶ୍ରୟ ଦେଖି ବାଘମୁହଁକୁ ଠେଲିଦେଲା । ଯଦି ତାର ଏପରି ଅପଦସ୍ଥ କରିବା ଇଚ୍ଛା ଥିଲା, ତାକୁ ଖାଇବାକୁ ଡାକିଲା କାହିଁକି ? ଜଗୁଭାଇର ବାଧ୍ୟରେ ପଡ଼ି ଯଦି ସେ ଇଚ୍ଛା ବିରୁଦ୍ଧରେ ଏପରି ତାକୁ ଖାଇବାକୁ ଡାକିଥାଏ ! ଛି, ଧୀରେ ଧୀରେ ଏ କଥା ଗାଁଲୋକଙ୍କ କାନରେ ବାଜିବ, ପଧାନେ ଶୁଣିବେ, ତାକୁ କଅଣ କହିବେ ? ସେ ମୁଣ୍ଡ ଟେକି ନରିପୁର ଦାଣ୍ଡରେ ଚାଲିବ କିପରି ?

 

ନା, ତାକୁ ବିପଦରେ ପକାଇବା ନେତୀର ଉଦ୍ଦେଶ୍ୟ ନୁହେଁ ପରା ! ବରଂ ତା ଦୁଃଖରେ ସେ କାତର ହୋଇ ଖୁଡ଼ୀକୁ ତିଆରି କହିବାକୁ ଆସିଥିଲା । ଉମାର ପୋଡ଼ା କପାଳକୁ ସେ ଯାହା ଭଲ କରିବାକୁ ଆସିଥିଲା, ଫଳ ତାର ଓଲଟା ହେଲା ସେଥିକି ସେ କଅଣ କରିବ, ତାଆର କି ଦୋଷ ?

 

ଉମାବୋଉ କହିଲେ, ଆଲୋ ଉମୀ, ଓଦା ଲୁଗା ପିନ୍ଧି ଦାଣ୍ଡଟାରେ ଠିଆ ହେଲୁ ଯେ ?

ଉମା କହିଲା, ଘର ଭିତରକୁ ଯିବାକୁ ଖୁଡ଼ୀ ପରା ମନା କରିଗଲା ?

 

କାହିଁକି ବା, ଘର ଏକା ଖୁଡ଼ୀର କି ? ଖାଇବାକୁ ମୁଠାଏ ଦବ ନାହିଁ ବୋଲି କଣ ଘରେ ଠାବ ଦେବାକୁ ମନା କରିବ ? ଆ-ଲୋ ! ଏତିକି କହି ଉମାବୋଉ ଘର ଭିତରକୁ ପଶିଲେ । ଉମା ଦୁଇ ହାତରେ ଦୁଇଟି ମାଠିଆ ଧରି ତାଙ୍କର ଅନୁଗମନ କଲା ।

 

ଉପରଓଳି ଗୋବିନ୍ଦ ସାହୁ ଘରକୁ ଫେରି ରେଣୁବୋଉକୁ କହିଲେ ଆମେ ସବୁ ଗାଁଲୋକେ ଦୁଃଖ କହିବାକୁ ପ୍ରଧାନଙ୍କ ଘରକୁ ଯାଇଥିଲୁଁ । ଯେତେ ନେହୁରା ହୋଇ କହିଲୁଁ, ସେ ଜମା ଶୁଣିଲେ ନାହିଁ । କିଏ ତାଙ୍କୁ ବୁଝାଇ ଦେଇଛି, ତିନି ବର୍ଷଯାଏ ଦୁର୍ଭିକ୍ଷ ପଡ଼ିବ । ସେ ସେଇଆ ବୁଝିଛନ୍ତି । ହାତରୁ ଧାନ ଛାଡ଼ିବାକୁ ଏକାବେଳକେ ଅମଙ୍ଗ । ଆଉ ଉପାୟ ନାହିଁ । ଚଳିବା କେମିତି-?

ଗାଁଲୋକେ କଅଣ କରିବାକୁ ବିଚାରିଛନ୍ତି ?

ଯାହା ଭାବିଛନ୍ତି, ସବୁ ବିଲୁଆ ବିଚାର । କହୁଛନ୍ତି, ପ୍ରଧାନଙ୍କ ଘରେ ଧାନ ଥାଉଁ ଥାଉଁ ଗାଁଲୋକେ ଉପାସରେ ମରିବେ କି ? ଧାନ ଭଲରେ ଦେବାକୁ ନାହିଁ କଲେ । ତାଙ୍କ ନାହିଁରେ କଅଣ ନାହିଁ ? ଦବା ମରିବାକୁ କିଏ ଭଲ ପାଏ ଯେ ସେ ନାହିଁ କଲେ ବୋଲି ଦୋଷ । କେତେ ଦିନ ଚଳୁଛି ଚଳୁ, ଅଚଳ ହେଲେ ତେଣିକି ଦେଖାଯିବ । ପ୍ରଧାନେ କେଉଁଠି ଧାନ ଛପେଇବେ, ଦେଖିବା ।

ଗାଁ ଲୋକେ ତାଙ୍କର କଅଣ କରି ପାରିବେ ?

ସେ କଥା ସେ ଜାଣନ୍ତି । ଆମର ଚଳିବା ଉପାୟ ଆଗ ଖୋଜ ।

ଏ ଛତରଖାଈ ଦିଟା ଯଦି କୁଆଡ଼େ ଯାଆନ୍ତେ ।

ଆହା, ସେମାନେ ଯିବେ କୁଆଡ଼େ ?

ସବୁ କଥାକୁ ତ ଆହା; ଏତେ ପ୍ରାଣୀଙ୍କୁ ପୋଷିବାର ସମ୍ୱଳ ଥିଲେ ତ ହୁଏ !

ଗୋବିନ୍ଦ ତୁନିହେଲାରୁ ରେଣୁବୋଉ କହିଲେ, ଟୋକୀଟାର କଅଣ ଖାଇବା ଅଭାବ ଅଛି କି ? ଶୁଣିଲଣି ତା ଗୁଣ ! ତାର ଯେଉଁ ରୂପ, ସେଇଆକୁ ଦେଖି ନ ଦେଲା ଲୋକେ ତାକୁ ଖାଇବାକୁ ଦେଉଛନ୍ତି । ପଧାନପୁଅ ଜଗୁ ତା ପାଇଁ ପାଗଳ । ତା ଆଗରେ ନେତୀ କହିଥିବା ସବୁ କଥା ସେ କହିଲେ । ତହିଁରେ ଯଥାସମ୍ଭବ ମିଛ ଯୋଡ଼ି କଥାକୁ ପାଲିସ୍‌ କରିବାକୁ ଛାଡ଼ିଲେ ନାହିଁ । ଶେଷକୁ କହିଲେ, ଆଜି ଛାଞ୍ଚୁଣୀ ମାଡ଼ରେ ତାର ମୁହଁ ଭାଙ୍ଗିଥାନ୍ତି । ପୁଣି ଭାବିଲି, ମାଛି ମାରିଲେ ହାତ ଗନ୍ଧାଏ । କ’ଣ ମିଳିବ ଆମକୁ ? ଜଗୁ ତାକୁ ବାଇ କଲାଣି ।

ଗୋବିନ୍ଦ ଭାବି ଭାବି କହିଲେ, ଭଲ କଥା । ତମେ ତହିଁରେ ବାଧା ଦେଉଛ କାହିଁକି ? ଜୀବନ ଆଗ ରହୁ, ତା ପରେ ଯାହା । ଉମା କହିଲେ ଜଗୁ ଯେ କୌଣସି ମତେ ତାଙ୍କ ଅମାରରୁ ଧାନ ଆଣି ଦେବ ! ଗାଁ ଲୋକେ ଯାହା କରି ନ ପାରିବେ ଆମେ ହୁସିଆରିରେ ଥିଲେ ଉମାଦ୍ୱାରା ତାହା କରିପାରିବା । ତାକୁ ଗାଳିମନ୍ଦ ନ ଦେଇ ଆଶ୍ୱାସନା କର । ଜଗୁ ସାଙ୍ଗରେ ତାକୁ ଭଲ ଭାବରେ ମିଶିବାକୁ ଛାଡ଼ିଦିଅ । କେଉଁ ପାଣି କେଉଁ ସୁଅରେ ଯାଉଛି ଦୂରରେ ଥାଇ ନିଘା ରଖିଥା ।

ରେଣୁବୋଉଙ୍କ ମନକୁ କଥାଟା ଘେନିଲା । ଠିକ୍‌ ଉପାୟ । ଉମାକୁ ଛତରକୁ ଛାଡ଼ି ଦେଇ ନରକ ଭିତରକୁ ଠେଲିଦେଲେ ଏପରି ଦୁର୍ଦ୍ଦିନରେ ତାଙ୍କର ମଙ୍ଗଳ । ଯୌବନର ଆକର୍ଷଣକୁ ପ୍ରଶ୍ରୟ ଦେଇ ପ୍ରଣୟର ମୋହକୁ ପରସ୍ପରଠାରେ ଜଗାଇ ପାରିଲେ ସେମାନଙ୍କର ଅଭିଜ୍ଞତାର କୁଫଳ ପାଇଁ ଦାୟୀ ସିନା ସେମାନେ ହେବେ, ପ୍ରଶ୍ରୟ ଦେବାର ମୂଲ୍ୟରେ ଏମାନଙ୍କ ଦୁର୍ଦ୍ଦିନ ସୁଦିନରେ ପରିଣତ ହେବ । ଏଡ଼େ ସହଜ ସତକଥା ଆଗରୁ ସେ ଯଦି ଜାଣି ପାରିଥାନ୍ତେ ଉମା ପ୍ରତି ସେ କଠୋର ହୋଇଥାନ୍ତେ କାହିଁକି ? ଜଗୁକୁ ସେଦିନ ଏପରି ଉତ୍ତ୍ୟକ୍ତ କରିଥାନ୍ତେ କାହିଁକି ? ଉମାର ରୂପଯୌବନର ମୂଲ୍ୟରେ ସେ ସହଜରେ ଦୁର୍ଭିକ୍ଷକୁ ଉପେକ୍ଷା କରି ପାରିଥାନ୍ତେ । ଜାଣି ଜାଣି ସେ ସୁଯୋଗ ହରାଇଛନ୍ତି । ଦେଖାଯାଉ, କଥାଟାକୁ ସୁଧାରି ନେବାକୁ କେତେ ବେଳ ?

ଉମା ଆସି ଧୀରେ ଧୀରେ ପାଖରେ ଠିଆ ହେଲା । ଦାଦିଙ୍କୁ ଦେଖି ମୁଣ୍ଡରେ ଓଢ଼ଣା ଟାଣି ଧୀରେ ଧୀରେ ପଚାରିଲା, ଚୁଲିରେ କୁହୁଳା ପକାଇବି ଖୁଡ଼ୀ, ବେଳ ରତ ରତ ହେଲାଣି ।

 

ରେଣୁବୋଉ କହିଲେ, ଘରେ କଅଣ ରାନ୍ଧିବାକୁ ଅଛି ? ଆଜି ରାତିଟା ସେମିତି ଶୋଇ ପଡ଼ିବା । ରେଣୁକୁ ଭୁଜା ଗଣ୍ଡାଏ ଖୋଇଦେଲେ ହେଲା ।

 

ଉମା କିଛି ନ କହି ଫେରି ଯାଉଥିଲା । ଖୁଡ଼ୀ ପଛରୁ ଡାକି ପଚାରିଲେ, ଆଲୋ ଉମା, ଜଗୁ ଘରେ ନାହିଁ କି ?

 

ଉମା ଥଙ୍ଗେଇ ଥଙ୍ଗେଇ ହୋଇ କହିଲା ନା, ଜଗୁ ଭାଇ ତା ମାମୁଁଘରକୁ ଯାଇଛି ।

କେବେ ଫେରିବ ତୁ କିଛି ଜାଣୁ ?

ନା, କହି ଉମା ଚାଲିଗଲା ।

 

ରେଣୁବୋଉ ବ୍ୟସ୍ତ ହୋଇ ତାଙ୍କ ସ୍ୱାମୀଙ୍କୁ ଚାହିଁ କହିଲେ, ମୁଁ ଆଗରୁ ସବୁ ବିଗାଡ଼ିଛି । ଏହିକ୍ଷଣି ଉପାୟ କଲେ କିଛି ହେବ ନାହିଁ । କାହାରି ମୋ ଉପରେ ପତିଆରା ରହିବ ନାହିଁ । ଏ ଦିଟାଙ୍କୁ ଘରୁ ତଡ଼ିଲେ ରକ୍ଷା ।

 

ରାତି ଦିପହର ହେବ । ଗାଁ ଚାରିଆଡ଼େ ଶୂନ୍‌ଶାନ୍‌ । ସାହୁଘର ସମସ୍ତେ ନିଘୋଡ଼ ନିଦରେ ଶୋଇଛନ୍ତି । ଉମା ଆସି ତା ଖୁଡ଼ୀ ଶୋଇଥିବା ଘର କବାଟରେ ହାତ ମାରିଲା । ଚାରିଆଡ଼ ଅନ୍ଧାର । ଯୁଆଡ଼େ ଚାହିଁଲେ ସତେ କି ଅନ୍ଧାର ଭିତରୁ ଡରଟା ବିକଟ ମୂର୍ତ୍ତି ଧରି ଗୋଡ଼ାଇ ଆସୁଛି । ଦିନସାରା ସେ କିଛି ଖାଇ ନ ଥିଲା । ଉପାସ ରହିବା ଦେହସୁହା ହୋଇଯାଇଛି-। ସେଥିକି ଚିନ୍ତା ନାହିଁ । ତଥାପି ସେ ରାତିଅଧରେ ଖୁଡ଼ୀ ଶୋଇଥିବା ଘରର କବାଟ ଜଞ୍ଜିର ଧୀରେ ଧୀରେ ହଲାଇ କରୁଣ ସ୍ୱରରେ କେତେ ଡାକିଲା ।

 

ରେଣୁବୋଉଙ୍କର ନିଦ ଭାଙ୍ଗିଲା । ସେ ଟିକିଏ କାନ ପାରି ପରା ଉପରୁ ଜବାବ ଦେଲେ ରୁକ୍ଷସ୍ୱରରେ, କିଏ ବା ? ମଣିଷକୁ ରାତିରେ ଟିକେ ଶୁଆଇ ଦେବେ ନାହିଁ ଲୋ ମା !

 

ଉମା କହିଲା, ଟିକେ କବାଟ ଖୋଲିଲ ।

ଆଲୋ, କାହିଁକି ?

ଖୋଲ ।

 

ତାର କଣ୍ଠସ୍ୱର ଏପରି କରୁଣ ଯେ ଇଚ୍ଛା ବିରୁଦ୍ଧରେ ରେଣୁବୋଉ କବାଟ ଖୋଲି ଦ୍ୱାର ମୁହଁରେ ଠିଆ ହୋଇ ପଚାରିଲେ, ଆଲୋ କଅଣ ?

 

ଉମା କାନ୍ଦଣା ସ୍ୱରରେ କହିଲା, ବୋଉ ବାଡ଼ିଆଡ଼ ସଜନା ଗଛ ମୂଳରେ ବେହୋସ ହେଲା ପରି ପଡ଼ିଛି । ମୋ ପାଖରେ ଶୋଇଥିଲା । କେତେବେଳେ ଉଠିଯାଇଛି, ମୁଁ ଜାଣେ ନାହିଁ । ଉଠି ଦେଖିଲାବେଳକୁ ଏ ଦଶା । ଉଠେଇଲେ ଉଠୁନାହିଁ, ଖାଲି ଗଁ ଗଁ ହେଉଛି ।

 

ବିସ୍ମିତ ହୋଇ ରେଣୁବୋଉ ପଚାରିଲା, କିଲୋ, କଅଣ ହୋଇଛି ?

ଡରି ଡରି ଉମା କହିଲା, ହଇଜା କି କଅଣ ! ତମେ ଟିକେ ଆସ ।

ମୁଁ କଅଣ କରିବି, କହି ରେଣୁବୋଉ ଧଡ଼୍‌କରି କବାଟ ବନ୍ଦ କଲେ ।

 

–୯–

 

ମଙ୍ଗଳବାର ଦିନ ସକାଳୁ ଉଠି ପଧାନେ ଗହୀରଆଡ଼େ ବୁଲି ଯାଇଥିଲେ । ଗୋଟାଏ ବର୍ଷ ସିନା ଫସଲ ଲୋକସାନ ହୋଇଗଲା, ଏ ବର୍ଷ କଅଣ ଠାକୁରେ ଏପରି ନିର୍ଦ୍ଦୟ ହେବେ ? ଭୀଷଣ ଦୁର୍ଭିକ୍ଷ ଚାରିଆଡ଼େ ଘୋଟି ଗଲାଣି । ଗାଈଗୋରୁ ମରି ପଦା ହେଲେଣି । ଯେପରି ଜଣାଯାଉଛି, ଆଉ ମାସ ଗୋଟାଏ ଦିଟାରେ ମଣିଷଗୁଡ଼ା ମଶାମାଛି ପରି ମରିଯିବେ । ଜ୍ୟେଷ୍ଠମାସ ପାଖେଇ ଆସିଲା । ବର୍ଷାର ଚିହ୍ନବର୍ଣ୍ଣ ନାହିଁ । ଯଦି ଏବର୍ଷ ଆର ବର୍ଷ ପରି ଅପାଳକ ପଡ଼େ ଦେଶଟା ଛାରଖାର ହୋଇଯିବ । ଗୋଟାଏ ହୋଇ ଆଉ କେହି ବଞ୍ଚି ପାରିବେ ନାହିଁ ।

 

ଗାଁ ଲୋକଙ୍କୁ ସେ ଯେପରି ଭାବରେ ନିରାଶ କରି ବିଦା କରିଛନ୍ତି, ଲୋକଙ୍କର ତାଙ୍କ ଉପରେ ଅଦଉତି ହେବାର କଥା । ସେମାନେ ନିଶ୍ଚୟ ଦାଉ ସାଧିବାର ବାଟ ଖୋଜିବେ । ଏପରି ଅସମୟ ବିପଦ ବେଳରେ ଜଗୁ ଯାଇ ମାମୁଁଘରେ ବସିଲା । ଲୋକଙ୍କ ଢଙ୍ଗ ଯେପରି ଦେଖାଯାଉଛି, ଆପଦ ବିପଦକୁ କେହି ପିଠିରେ ପଡ଼ିବେ ନାହିଁ । ଏଡ଼େ ବଡ଼ ଭେଣ୍ଡା ଟୋକାଟା, ଘରର ହାନିଲାଭ ବୁଝିବ ନାହିଁ । ସେ ଏକୁଟିଆ ଲୋକ । କରିପାରିବେ କଅଣ ? ବଳବୟସ ନାହିଁ ଯେ, ଆପଦ ବେଳକୁ ଠେଙ୍ଗାବାଡ଼ି ଧରି ବାହାରିବେ । ଯେତେ ଆପଣାର ହେଲେ ବି ନେତୀଟା ପର । ମାଇପି ଲୋକ । ବଡ଼ ହେମନ୍ତରେ ଘର ଚଳାଇ ଆସୁଛି । କେତେବେଳେ କେଉଁ କଥା, କିଏ କହିବ ?

 

ଚାରିଆଡ଼ୁ ଚୋରି ଡକାଏତିର ଖବର ଆସି କାନରେ ପଡ଼ୁଛି । କେଉଁ ଗାଁରେ କିଏ କାହା ଘରେ ପଶି ଦିନ ଦି’ପହରେ ତଣ୍ଟି କାଟି ଧନଦରବ ଲୁଟିକରି ନେଉଛି । କେଉଁଠି ରାତି ଅଧରେ ଘରେ ନିଆଁ ଲଗେଇ ଧାନ ଚାଉଳ ବୋହି ନେଉଛନ୍ତି । ସବୁ ତ ଶୁଣିବା କଥା, କେହି ଆଖିରେ ଦେଖି ନାହାନ୍ତି । କେତେ ସତ, କେତେ ମିଛ, କିଏ କହିବ ? ସତ ହେଉ, କି ମିଛ ହେଉ ଆଗରୁ ସାବଧାନ ରହିବା ଭଲ । ଲୋକଙ୍କ ଉପରେ ଯେଉଁ ବିପତ୍ତି ପଡ଼ିଛି, ଚୋରି ଡକାଏତି ନ ହେବ ବା କାହିଁକି ? ଖାଇବାକୁ ନ ପାଇଲେ ପେଟ ବିକଳରେ ମଣିଷ କରି ନ ପାରେ କଅଣ ? ଜୀବନ ଉପରେ ପଡ଼ିଲେ, ଧର୍ମ ଅଧର୍ମତ ପଛ କଥା, ପିଆଦା ପୋଲିସ ମାନୁଛି କିଏ ? ଦେଶଯାକ ଯଦି ଚୋରି କରନ୍ତି, ପୋଲିସ ବିଚାରା କରିବେ କଅଣ ? କାହାକୁ ଧରିବ, କାହାକୁ ଦଣ୍ଡିବ, କାହାକୁ ତଣ୍ଡିବ ?

 

ଗାଁଲୋକେ ବିପକ୍ଷ । ଜଗୁଟା ମୂର୍ଖ, ମାମୁଁ ଘରେ ରହିଲା । ହଳିଆ ବଇଆ, ବାଉରି ପିଲା । ଗାଁଲୋକଙ୍କ କୁଶିକ୍ଷାରେ ପଡ଼ିବାକୁ କେତେବେଳେ ? ଯଦି ଲୋକବଳ ଥାଆନ୍ତା, ସେ ହୁଏତ ଧାନଗଦା ଭାଙ୍ଗି ଖଣି କରି ଧାନ ପୋତି ପକାନ୍ତେ । ସେତକ ଆରମ୍ଭ କଲେ, ଧାନ ଧାନ ହୋଇ ଗାଁଲୋକେ ଆଉ ତାଙ୍କୁ ଉଠେଇ ବସେଇ ଦେବେ ନାହିଁ । ଦେଢ଼ୀ ନ ଦେବାଯାଏ ବାର ସହିବ ନାହିଁ । ଜ୍ୟୋତିଷ ଯାହା କହିଛନ୍ତି- ତିନି ବର୍ଷଯାଏ ଅପାଳକ ପଡ଼ିବ । ଯଦି ତାଙ୍କ ଭବିଷ୍ୟତବାଣୀ ସତ ହୁଏ, ତେବେ ନିଜ ରକ୍ଷଣ ଅସମ୍ଭବ, ସେ କାହୁଁ ପରକୁ ରଖିବ ? ବିଷମ ବିପଦ । ରକ୍ଷା ମିଳୁଛି କିପରି ?

 

ଏହିପରି ଚିନ୍ତା କରୁ କରୁ ବୁଢ଼ା ପଧାନେ ଗହୀର ମଝି ଗୋଟିକିଆ ଆମ୍ୱଗଛ ମୂଳରେ ପହଞ୍ଚିଲେ । ସେ ନିଜ ବିଷୟରେ ଯେତେ ଭାବିବାକୁ ବସିଲେ ସେତିକି ତାଙ୍କୁ ଚାରିଆଡ଼ ଅନ୍ଧାର ଦେଖାଗଲା । କୌଣସି ଉପାୟ ଖୋଜି ପାଇଲେ ନାହିଁ । ଗାଁ ମେଳକୁ ସିପାହୀ ଫଉଜ ପାରନ୍ତି ନାହିଁ । ସେ ତ ସାମାନ୍ୟ ଲୋକ !

 

ଠାକୁରଙ୍କ ଉପରେ ନିର୍ଭର କରି ନିଶ୍ଚିନ୍ତ ରହିବା ଛଡ଼ା ପଧାନେ ଅନ୍ୟ ବାଟ ପାଇଲେ ନାହିଁ । ଯାହା କରିବେ ଠାକୁରେ । ତାଙ୍କ ଇଚ୍ଛା । ପଧାନେ କାହାର ଲାଭ କ୍ଷତିରେ ନ ଥାନ୍ତି । ନିଜର ପାଉଣା ଗଣ୍ଡାକ ଛଡ଼ା ସେ କାହାରିଠୁଁ କେବେ ପାହୁଲାଏ ନେଇନାହାନ୍ତି, କି ନିଜର ପାଉଣାରୁ କାହାରିକୁ ଜାଣି ଜାଣି କଡ଼ାକ୍ରାନ୍ତି କେବେ ଛାଡ଼ି ନାହାନ୍ତି । ପଧାନେ ତାଙ୍କ ଧନ ଦଉଲତ, ଧାନ ଚାଉଳ ମନେ ମନେ ସବୁ ଠାକୁରଙ୍କ ନାମରେ ସମର୍ପଣ କରିଦେଲେ । ଠାକୁରଙ୍କ ନାଁ ଧରି ଭୋକିଲା ଗାଁ ଲୋକଙ୍କୁ ସେ ନାସ୍ତି ବଚନ ଶୁଣାଇ ଘରୁ ଘଉଡ଼ି ଦେିଛନ୍ତି । ଠାକୁରେ ରଖିଲେ ରଖିବେ, ଉଜାଡ଼ିଲେ ଉଜାଡ଼ିବେ ।

 

ପ୍ରଧାନେ ଭାବି ବସିଲେ । ବେଳୁବେଳ ଯେତିକି ଭାବିଲେ, ତାଙ୍କର ଜଗୁ ଉପରେ ରାଗ ସେତିକି ବଢ଼ିଲା । କାହା ପାଇଁ ସେ ଏପରି ହାଇଁପାଇଁ ହେଉଛନ୍ତି ? କାହା ପାଇଁ ସେ ବନ୍ଧୁ ବାନ୍ଧବ, ଗାଁଲୋକଙ୍କର ବିଷଦୃଷ୍ଟିରେ ପଡ଼ିଛନ୍ତି ? ତାଙ୍କର ଚତୁର୍ଥାବସ୍ଥା । ପାକଲା ଆମ୍ୱ । ସୁଲୁସୁଲିଆ ବାଆରେ ଝଡ଼ି ତଳେ ଲୋଟିବା କଥା । ପୁଅ ଯଦି ଯୋଗ୍ୟ ହେଲା, ସମ୍ପତ୍ତି ହେବ କଅଣ ? ପୁଅ ଯଦି ଅଯୋଗ୍ୟ ହେଲା, ଧନସମ୍ପତ୍ତି ବା ହେବ କଅଣ ? ରଖିବ କିଏ ?

 

ଜଗୁ ଭେଣ୍ଡା ହେଲା, ବୁଦ୍ଧି ଫେରିଲା ନାହିଁ । ତଥାପି, ସେ ଯଦି ଆଖି ବୁଜି ନିଶ୍ଚିନ୍ତ ହୁଅନ୍ତି, ପିଲାଏ ଛତରରେ ପଶିବେ । ବାପ ଛେଉଣ୍ଡ ବେଣୁଟି ଅନାଥ ହେବ । ପିଲାଙ୍କ ଆସନ୍ନ ବିପଦରୁ ରକ୍ଷା କରିବାକୁ ସେ ସିନା ସମସ୍ତଙ୍କର ଅପ୍ରିୟପାତ୍ର ହୋଇଛନ୍ତି, ନୋହିଲେ ତାଙ୍କର ଆଉ କେତେଦିନ ଯେ, ସଂସାରରେ ଜଞ୍ଜାଳରେ ପଡ଼ି ଘାଣ୍ଟି ହୁଅନ୍ତେ ।

 

ନେତୀ ତାଙ୍କର କେହି ନୁହେଁ । ଦାଣ୍ଡରୁ ଗୋଟାଇ ଆଣି ସେ ତାକୁ ଲୋକଙ୍କର ସମାଲୋଚନା ସତ୍ତ୍ୱେ ଘରେ ଆଶ୍ରୟ ଦେଇଛନ୍ତି । ଜଗୁ ଯଦି ମଣିଷ ହୋଇଥାନ୍ତା, ସେ ଗୋଟାଏ ପର ମଣିଷ ହାତରେ ଧନସମ୍ପତ୍ତି ସମର୍ପିଦେଇ ସବୁବେଳେ ଦକଦକ ହୋଇ ବେଳ କଟାନ୍ତେ ? ବିଲେଇ ହାତରେ ଶୁଖୁଆପୋଡ଼ା ରଖିଲା ପରି ଜଗୁକୁ ଧନସମ୍ପତ୍ତି ଭାର ଦେଲେ ସେ ଦୁଇ ଦିନରେ ସବୁ ଶେଷ କରିଦେବ । କାହାକୁ ଦେବ, କଅଣ କରିବ, ହିସାବ ରଖିବାର ଶକ୍ତି ତାଆର ନାହିଁ । ଜୀବନଯାକ ଅକ୍ଲାନ୍ତ ପରିଶ୍ରମ କରି ସେ ଯାହା ସଞ୍ଚୟ କରି ରଖିଛନ୍ତି, ବଞ୍ଚି ଥାଉ ଥାଉ ସେତକ ସେ ଅକ୍ଲେଶରେ ଅସ୍ୱାର୍ଥରେ ବ୍ୟୟ ହେବାର ଦେଖି ସହିପାରିବେ ନାହିଁ । ବେଣୁ ଯଦି ମଣିଷ ହୁଏ ସେହି ଏକା ତାଙ୍କର ଦୁଃଖ ହରଣ କରିପାରେ । କିନ୍ତୁ ସେ ତ ଅତି ଦୂରର କଥା । ନେତୀକୁ ବଣରୁ ଧରି ଆଣିଛନ୍ତି । ପରକୁ ଆପଣାର କରିବାକୁ ହେଲେ ବିନା ଆପତ୍ତିରେ ତାକୁ ସର୍ବସ୍ୱ ସମର୍ପିଦେଲେ ସିନା ପୋଷା ମାନିବ !

 

ବୋହୂଙ୍କ କଥା ଛାଡ଼ । ସେ ଘାସକୁ ଛୋଟ, ପାଳକୁ ଲମ୍ୱ । ଯେ କେତେଟା ଦିନ ସେ ଆସି ରହନ୍ତି, ସମୟ ଅଶାନ୍ତିରେ କଟେ । ଛୋଟ ଛୋଟ କଥାରୁ ସେ ମହାଭାରତ ଯୁଦ୍ଧ ସର୍ଜ୍ଜନା କରନ୍ତି । ଟିକିଏ ସୁବିଧା ପାଇଲେ, ଯାହା ହାତରେ ପଡ଼େ, ସବୁ ଲୁଚାଇ ବାପଘରେ ପୂରାନ୍ତି । ନେତୀ ଅନେକ ଥର ଏହାର ପ୍ରାମାଣ ପାଇ ତାଙ୍କୁ କହିଛି । ସେ କ’ଣ ଘର କରିବେ ? ଶିକାରେ ଥୋଇବାକୁ ଦେଲେ ପାଟିରେ ଥୋଇବାର ପ୍ରକୃତି ଯାହାର ତାକୁ କେଉଁ ବିଶ୍ୱାସ ? ଦିନ କେଇଟାରେ ଗୋପପୁର ସମ୍ପତ୍ତି ଜୂର କରିପାରନ୍ତି ।

Unknown

 

ପଣ୍ଡିତେ ବୋହୂଙ୍କର ଜାତକ ଦେଖି ଭଲକରି ପରୀକ୍ଷା କରି କହିଥିଲେ ରାକ୍ଷସବର୍ଗ, ଅଲକ୍ଷଣୀ, ଯହିଁରେ ହାତ ଦେବେ ଦେଖୁ ଦେଖୁ ସବୁ କୁଆଡ଼େ ଉଭେଇଯିବ । ଯାହାକୁ ଆଶ୍ରା କରି ରହିବେ ତାର ସର୍ବନାଶ ହେବ । ନୋହିଲେ କି ଆସୁ ଆସୁ ତାଙ୍କର ଗେହ୍ଲା ପୁଅ, ଯୋଗ୍ୟ ପୁଅକୁ ଖାଇଦେଇ ବସନ୍ତେ ! ଅବଶ୍ୟ ପଣ୍ଡିତେ ଏ କଥା ତାଙ୍କୁ ଗୋପନରେ କହିଥିଲେ–ପୁଅ ମରିବାର ଅନେକ ଦିନ ପରେ । ଯଦି ଏ ସବୁ କଥା ସେ ଆଗରୁ ଜାଣିଥାନ୍ତେ, ଏପରି ଅଲକ୍ଷଣୀ ବୋହୂ ସେ ବାଛି ବାଛି କରିଥାନ୍ତେ କାହିଁକି ? ଏଡ଼େ ସୁନ୍ଦର ଭେଣ୍ଡା ପୁଅକୁ ହରାଇ ବସିଥାନ୍ତେ ବା କାହିଁକି ? ଯାହା ହେବାର ତ ହୋଇସାରିଛି । ସେ ଯେତେ ଦୂରରେ ରହନ୍ତି, ସେତିକି ମଙ୍ଗଳ । ସେଥିପାଇଁ ସିନା ସେ ବେଣୁକୁ ତାଙ୍କ ପାଖକୁ ଛାଡ଼ନ୍ତି ନାହିଁ ।

 

ଆମ୍ୱଗଛ ମୂଳରେ ବସି ପଧାନବୁଢ଼ା ଭାବୁ ଭାବୁ ବେଳ ଯେ ଆସି ଦି ଘଡ଼ି ହେଲାଣି, ସେକଥା ଭୁଲି ଯାଇଥିଲେ । ଝଙ୍କା ଆମ୍ୱଗଛର ଫାଙ୍କବାଟେ ଯେତେବେଳେ କଅଁଳ ସୂର୍ଯ୍ୟର ତେରଛ ଖରା ଆସି ତାଙ୍କ ମୁହଁରେ ପଡ଼ିଲା, ସେ ବିସ୍ମିତ ହୋଇ ଉଠି ଠିଆହେଲେ । ଆସୁ ଆସୁ ସକାଳଟାକୁ ଅନେକଗୁଡ଼ାଏ ବାଟ ଚାଲି ଆସିଛନ୍ତି । ଏଥର ଫେରିବାର କଥା । ବୁଢ଼ା ଲୋକ । ଗହୀର ବିଲର ଟେକାଭୂଷା ଡେଇଁ ନାକସଳଖା ଘରମୁହାଁ ଚାଲିଲେ ଅବଶ୍ୟ ବାଟ ଅଳପ ପଡ଼ିବ, କିନ୍ତୁ କିଏ ଏତେ କଷ୍ଟ କରିବାକୁ ଯାଏ ? ଖରା ହେଲାଣି, କେଉଁଠି ଯଦି ହିଡ଼ ପହୀ ଝୁଣ୍ଟି ପଡ଼ନ୍ତି ଏ ବୟସରେ ପ୍ରାଣ ଛାଡ଼ିଯିବ । ଟିକିଏ ବୁଲାଣି ପଡ଼ୁ ପଛେ ଶଗଡ଼ ଗୁଳାରେ ଗୋହରୀବାଟେ ଗଲେ ସୁବିଧା । ତିନି ଚାରିଟା କିଆରି ଡେଇଁଗଲେ ବେତ କିଆବଣ ଆରପାଖେ ଗୋହରୀ ।

 

ପଧାନେ ଗୋହରୀ ମୁହାଁ ଚାଲିଲେ । କିଆବୁଦା ଅତିକ୍ରମ କରି ଗାମୁଛା ଖଣ୍ଡି ମୁଣ୍ଡରେ ପକାଇ ଆଗକୁ ଚାଲିଛନ୍ତି, କିଏ ଜଣେ ପଛରୁ ଡାକ ଛାଡ଼ିଲା । ସେ ବୁଲିପଡ଼ି ଠିଆ ହେଲେ ।

 

ଡାକିଥିବା ଲୋକଟି ପାଖକୁ ଆସିଲା । ବୟସ ଚାଳିଶ ପାଖାପାଖି ହେବ, କିନ୍ତୁ ଦେହରେ ଶକ୍ତି ଖୁନ୍ଦି ହୋଇଛି । ଚେହେରାକୁ ଦେଖିଲେ ସେ ଯେ ମୁସଲମାନ, ଏ କଥା ବେଶ୍‌ ଅନୁମାନ କରି ହେଉଛି । ଲମ୍ୱ ଲମ୍ୱ ନିଶ ଦାଢ଼ି । ମୁଣ୍ଡରେ ପଠାଣୀ ଟୋପି । ହାତରେ ଗୋଟାଏ ଚୌହାତି ମୋଟ ବାଉଁଶ ଠେଙ୍ଗା । ଗୋଡ଼ରେ ଯୋତା । ଆଉ ସନ୍ଦେହ କରିବାର କାରଣ କଣ ଅଛି-? ପଧାନେ ପ୍ରମାଦ ଗଣିଲେ । ତହିଁରେ ପୁଣି ସେ ଯେତିକି ଘୁଞ୍ଚି ଯାଉଛନ୍ତି ଲୋକଟା ସେତିକି ପାଖକୁ ପାଖକୁ ଲାଗି ଆସୁଛି । ଭୟ ତ ହେବାର କଥା, ଯେପରି ସମୟ । ଲୋକଟି ପଚାରିଲା, ଏହି ଗାଁଓ କ୍ୟା ନରିପୁର ?

 

ପ୍ରଧାନ କହିଲେ, ହଁ ।

ସେ ପୁଣି ପଚାରିଲା, ଇହାଁ ଦିନୁ ପଧାନ୍‌କା ଘର କାହାଁ ?

 

ପଧାନେ ଚମକି ପଡ଼ିଲେ । କାହିଁକି ରେ ବାପ ? ଦୀନବନ୍ଧୁ, ପଧାନ ଓରଫ ଦିନୁ ପଧାନ, ଡାକ ନାମ ବୁଢ଼ା ପଧାନେ । ତାଙ୍କଠାରେ ଏ ପଠାଣ ପିଆଦାଟାର କି କାମ ? ଉଦ୍ଦେଶ୍ୟ, ନ ବୁଝି ଠିକଣା କହିବାଟା ଠିକ୍‌ ନୁହେଁ । ପଧାନେ ଚନ୍ଦା ମୁଣ୍ଡରେ ହାତ ବୁଲାଇ ପଚାରିଲେ, ପଧାନଙ୍କଠାରେ ତମର କି କାମ ?

 

ସେ କହିଲା, ବଡ଼ ଜରୁରି କାମ ଅଛି ।

ପଧାନେ ପଚାରିଲେ, କେଉଁଠୁ ଆସିଲ ? ତମେ କଅଣ କର ?

 

ଲୋକଟି ଭଦ୍ରଲୋକ । କହିଲା, ମୁଁ ଆସିଲି ବିକ୍ରମପୁରରୁ । ବିକ୍ରମପୁରର ମିଆଁ ସାହେବଙ୍କ ପିଆଦା । ମୁଁ ଗୋଟାଏ ଜରୁରି ଖବର ନେଇ ଆସିଛି ।

 

ବିକ୍ରମପୁରର ମିଆଁ ବଡ଼ ଜମିଦାର । ଆଖପାଖ ଦଶଖଣ୍ଡି ମଉଜାରେ ତାଙ୍କ ନାଁ ଡାକ । ଯେପରି ସୁପୁରୁଷ, ସେହିପରି ଦୟାଳୁ ପରଦୁଃଖ କାତର । ତାଙ୍କ ନାଁ ପଡ଼ିଲେ ଲୋକେ ଆଗ୍ରହରେ କାନ ଡେରି ଶୁଣନ୍ତି । ତାଙ୍କର ଆଦେଶ ତଳେ ପକାଇବାକୁ ଲୋକେ ସାହାସ କରନ୍ତି ନାହିଁ । ଦେବତାର ଆଦେଶ ପଛ, କିନ୍ତୁ ଦେବପ୍ରାଣ ମିଆଁଙ୍କର ଆଜ୍ଞା ଆଗ । ଅଚଳାଚଳ ସମ୍ପତ୍ତି ଆଜି ଗାଁ କେଇଖଣ୍ଡିରେ ବାକୀ ରହିଛି କାହିଁକି ? ଲୋକଙ୍କର ମତ ଧର୍ମ ଆଡ଼କୁ ଟାଣିଆଣିବାକୁ ଠାଏ ଠାଏ ସେ ଦେବମନ୍ଦିର ତୋଳାଇ ଦେଇଛନ୍ତି । କୂଅ ପୋଖରୀ ଯେ କେତେ ଖୋଳାଇଛନ୍ତି, ତାର ତାଲିକା ନାହିଁ । ସେ ଜାଣନ୍ତି, ପରକୁ ଧର୍ମପ୍ରାଣ କରିବା ଦ୍ୱାରା ନିଜ ଧର୍ମର କ୍ଷତି ହୁଏ ନାହିଁ, ସମ୍ମାନ ବଢ଼େ ।

 

ବିକ୍ରମପୁର ମିଆଁଙ୍କର ନାମ ଶୁଣି ସୁଦ୍ଧା ତାଙ୍କ ମନର ସନ୍ଦେହ ତୁଟିଲା ନାହିଁ । ବିଶେଷ ଭୟର କିଛି କାରଣ ନାହିଁ ବୁଝିପାରି ସେ ଯେପରି ବାଧ୍ୟ ହୋଇ କହିଲେ, ନରିପୁରର ଦୀନବନ୍ଧୁ ପଧାନ ମୁଁ ନିଜେ । କଅଣ ଜରୁରି ଖବର ଅଛି, କହ ।

 

ଲୋକଟି ଟିକିଏ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଚାହିଁଲା । କଅଣ ମନେ କରି ତାଙ୍କୁ ସଲାମ କରି କହିଲା, ମୁକୁନ୍ଦପୁର ପଧାନଙ୍କ ଝିଅ ଆପଣଙ୍କ ବଡ଼ବୋହୂ ?

 

ପଧାନେ କହିଲେ, ହଁ, କାହିଁକି ?

 

କାଲି ରାତିରେ କାଣ୍ଡ ଘଟିଛି । ଆପଣ ସ୍ଥିର ହୋଇ ଶୁଣନ୍ତୁ । ତା ପରେ ସେ ତାର ଶୁଣିବା କଥା, ଆଖିରେ ଦେଖିବା କଥା କହିବାକୁ ଆରମ୍ଭ କଲା । ପଧାନେ ସ୍ଥିର ହୋଇ ସବୁ ଘଟଣା ଶୁଣିବାକୁ ଲାଗିଲେ–

 

ପଧାନଙ୍କ ଚିଠି ପାଇ ବେଣୁବୋଉ ଅସ୍ଥିର ହୋଇପଡ଼ିଲେ । ଶଶୁରେ ଯିବାକୁ ଲେଖିଛନ୍ତି-। ବାପଘରର ଅବସ୍ଥା ସେପରି ଭଲ ନୁହେଁ । ସମୟ ଖରାପ । ପିଲାଟି ତାଙ୍କର ଦୂରରେ ରହିଲା । ସବୁଦିନେ ତା ନାମରେ ସ୍ୱପ୍ନ ଦେଖୁଛନ୍ତି । ପୁଅକୁ ଦେଖିବାକୁ ବେଳୁବେଳ ମନ ବ୍ୟାକୁଳ ହୋଇ ଉଠୁଛି । ଯେତେ ବୁଝାଇଲେ ମନ ମୋଟେ ବୁଝୁ ନାହିଁ । ଏପରି ସ୍ଥଳେ ଯେତେ ଶୀଘ୍ର ସମ୍ଭବ ଘରକୁ ଫେରିବା ହିଁ ଭଲ ।

 

ସବାରି ଗଉଡ଼ ମିଳୁନାହାନ୍ତି ବୋଲି ଭାଇ ଯେତେ ବାଧା ଦେଲେ, କଅଁଳେଇ ସଅଁଳେଇ ଆଉ କିଛି ଦିନ ଡେରି କରିବାକୁ ସାନ ଭଉଣୀକୁ ଯେତେ ବୁଝାଇ କହିଲେ ବେଣୁବୋଉଙ୍କ ମନ ବୋଧ ହେଲା ନାହିଁ । ଅବଶ୍ୟ ଭାଇଙ୍କ ମୁହଁରେ କିଛି ବାଧା ଦେଇ କହିପାରିଲେ ନାହିଁ, କିନ୍ତୁ ମନଦୁଃଖରେ କାନ୍ଦି କାନ୍ଦି ବେଳ କାଟିଲେ । ସେ ଭଉଣୀର ମନକଥା ବୁଝିପାରି ସବାରି ଗଉଡ଼ ସଜିଲ କରିବାରେ ମନ ଦେଲେ ।

 

ସଁବାର ଦିନ ବିଦାବିଦି । ବୈଷ୍ଣବ ପଧାନେ ସକାଳ ପହରୁ ବୁଲି ବୁଲି ସବାରି ଗଉଡ଼ ସଜିଲ କରିବାରେ ବ୍ୟସ୍ତ ରହିଲେ । କେତେ ଲୋକଙ୍କୁ ଖୋସାମତ କଲେ, କେତେ ଲୋକଙ୍କ ହାତଗୋଡ଼ ଧରି ପ୍ରଲୋଭନ ଦେଖାଇ ଦିନ ବାରଟା ସରିକି ଛ ଜଣ ଗଉଡ଼, ଜଣେ ଭଣ୍ଡାରୀ ଠିକ୍‌କରି ବହିନା ଦେଇ ଆସିଲେ । ଖାଇବା ଅଭାବରେ ଲୋକଗୁଡ଼ାକ ଟଳୁଛନ୍ତି । ଆଉ କିଛି ଓଜରା ବିଦାକୀ ମିଳୁ ନ ମିଳୁ ଦି’ ବଖତ ମୁଠାଏ ମୁଠାଏ ଭୋଜନ ମିଳିବ ତ । ତା ପରେ ଆଉ ଆଉ କଥା, ଓଜର ଆପତ୍ତି ରହିଛି ।

 

କନ୍ଦାକଟା ବାହୁନାବାହୁନି ଶେଷ କରି ବେଣୁବୋଉ ଡୋଲିରେ ବସିଲାବେଳକୁ ସମୟ ପ୍ରାୟ ଚାରିଟା । ବୈଷ୍ଣବ ପଧାନେ ଗାଁ ମୁଣ୍ଡଯାଏ ତାଙ୍କୁ ବଳେଇବାକୁ ଆସି ବିଦାୟ ନେଲେ । କିନ୍ତୁ ହେବ କ’ଣ, ଗହୀର ବିଲରେ ବାଟ । ଗୋଡ଼ ଠିକଣା ଜାଗାରେ ପଡ଼ୁନାହିଁ । ଧଡ଼ିଆ ମଡ଼ିଆ ଗଉଡ଼ଯାକ ଧସେଇ ଚାଲି ପାରୁନାହାନ୍ତି । ନିରୁପାୟ । ଏଣେ କାନ୍ଧରେ ପକାଇବାକୁ କାହାରି ପାଖରେ ଖଣ୍ଡେ ଖଣ୍ଡେ ଛିଣ୍ଡା ଗାମୁଛା ବି ନାହିଁ । ବାଧ୍ୟ ହେଇ ବାଟରେ ଠାଏ ଠାଏ ତାଙ୍କୁ ସବାରି ଭିଡ଼ି ଅଟକିଯିବାକୁ ପଡ଼ୁଛି । ଭଣ୍ଡାରି ବାପୁଡ଼ା ଯେତେ କହିଲେ ଗଉଡ଼େ ହୁଙ୍କୁନାହାନ୍ତି । ପାଟି ହଲେଇବା ତ ସହଜ, କାମଟି ଅସଲ ।

 

ସଞ୍ଜସରିକି ସେମାନେ ବିକ୍ରମପୁର ଆଖପାଖ ହୋଇଗଲେ । ଥକିଗଲେଣି । ସବାରି ଭିଡ଼ି ଅଧଘଣ୍ଟାଏ ଦମ୍ ନ ନେଲେ ଗୋଡ଼ ଆଉ ନ ଚଳେ । ଯିବାର କଥା, ଧୀରେ ଧୀରେ ଯାଇ ରାତି ଦି’ ଘଡ଼ିରେ ନରିପୁରରେ ପହଞ୍ଚିଲେ କ୍ଷତି କଅଣ ? ବିକ୍ରମପୁର ପାଖ ବୁଦିବୁଦିକିଆ ଛୋଟ ଜଙ୍ଗଲ କଡ଼ରେ ସବାରି ଭିଡ଼ା ହେଲା । ଭଣ୍ଡାରି ମଶାଲ ଲଗାଇବାକୁ ଗାଁ ଭିତରକୁ ଗଲା । ଗଉଡ଼ମାନେ ଆନନ୍ଦରେ ଉଖୁଡ଼ା ହାଣ୍ଡି ଖୋଲି ଜଳଖିଆ ଆରମ୍ଭ କରିଦେଲେ । ବେଣୁବୋଉ ସବୁ ଦେଖୁଥାନ୍ତି, କିଛି କହୁ ନଥାନ୍ତି । କିପରି ଠିକଣା ମୁଣ୍ଡରେ ପହଞ୍ଚି ବେଣୁକୁ ଦେଖିବେ, ସେତିକି ତାଙ୍କର ଏକମାତ୍ର ଭାବନା ।

 

ସଞ୍ଜ ବୁଡ଼ିଗଲାଣି । ଭଣ୍ଡାରିର ଏତେବେଳଯାଏ ଦେଖା ନାହିଁ । ଗଉଡ଼ମାନଙ୍କର ଉଖୁଡ଼ାଖିଆ ସରିନାହିଁ । କାହୁଁପଲେ କାଙ୍ଗାଳ ଆସି ସେଠାରେ ଉପସ୍ଥିତ ହେଲେ । ଏତେ ଛତରଖିଆଙ୍କୁ ଦେଖି ଗଉଡ଼ମାନେ ସାବଧାନ ହୋଇ ରହିଲେ, କିନ୍ତୁ କଅଣ ହେବ, ଯାହାର ପେଟ ପୋଡ଼େ ସେ କି ଚନ୍ଦ୍ରସୂର୍ଯ୍ୟ ମାନେ, ଭଲମନ୍ଦ ଭାବେ ? ସେମାନଙ୍କ ଭିତରୁ କେତେଜଣ ଏମାନଙ୍କ ଭାରହାଣ୍ଡିକୁ ଘେରି ବସିଲେ । ମନା ମାନିଲେ ନାହିଁ । ପ୍ରଥମେ ପାଟି, ତା’ପରେ ଝିଙ୍କାଓଟରା, ଶେଷକୁ ମରାମରି ପିଟାପିଟି ଚାଲିଲା । ଭୟରେ ବେଣୁବୋଉ ସବାରି କବାଟ ବନ୍ଦ କରି ଦି ହାତରେ ଦି ପାଖ କବାଟକୁ ଟାଣି ଧରିଲେ ।

 

ଏତେ ଲୋକ ! ତାଙ୍କ ବିରୁଦ୍ଧରେ ଛ ଜଣ ଧଡ଼ିଆ ଗଉଡ଼ କରନ୍ତେ କଅଣ ? କେତେ ଲୋକଙ୍କୁ ଖଣ୍ଡିଆ କଲେ, କେତେ ଲୋକଙ୍କୁ ଜଖମ୍ କଲେ, କିନ୍ତୁ ନିଜେ ପରାସ୍ତ ହୋଇ ରକ୍ତବୁହା ହୋଇ ଜୀବନ ବିକଳରେ ସବାରି ଛାଡ଼ି ବିକ୍ରମପୁର ପଳାଇଲେ, ଗାଁଲୋକଙ୍କର ସହାୟତା କାମନା କଲେ । ଏଣେ ଏ ଭିକାରୀଙ୍କୁ ସୁବିଧା ମିଳିଗଲା ।

 

ଯେତେବେଳେ ଗଉଡ଼ ଭଣ୍ଡାରିକୁ ସଙ୍ଗରେ ଘେନି ଓ ନିଜେ ମିଆଁ ସାହେବ ଏବଂ ଅନ୍ୟାନ୍ୟ କେତେଜଣ ଗ୍ରାମବାସୀ ଆସି ସବାରି ପାଖରେ ପହଞ୍ଚିଲେ, ସେମାନେ ଦେଖିଲେ ଯେ ଲୋକଗୁଡ଼ା କୁଆଡ଼େ ଛିନ୍‌ଛତର ହୋଇ ପଳାଇଛନ୍ତି । ସବାରିଟା ଭାଙ୍ଗି ଓଲିଟି ପଡ଼ିଛି । ପାଖରେ ବେଣୁବୋଉ ହତଜ୍ଞାନ ହୋଇ ପଡ଼ିଛନ୍ତି । ମୁଣ୍ଡ ଫାଟି ଧାର ଧାର ହୋଇ ରକ୍ତ ବୋହିଯାଉଛି । ସାଙ୍ଗରେ ଜିନିଷପତ୍ର ଯାହା ଥିଲା ସବୁ କୁଆଡ଼େ ବୋହି ନେଇ ଯାଇଛନ୍ତି ।

 

ସମସ୍ତେ ବ୍ୟସ୍ତ ହେଲେ । ମିଆଁ ସାହେବଙ୍କ ହୁକୁମ ପାଇ ବେଣୁବୋଉଙ୍କୁ ସେହି ସବାରିରେ ପକାଇ କୌଣସିମତେ ଉଆସକୁ ଅଣାହେଲା । ତା ପରେ ମିଆଁ ନିଜେ ଭଣ୍ଡାରି ଗଉଡ଼ଙ୍କୁ ସବାରି ଛାଡ଼ି ପଳାଇ ଆସିଲେ ବୋଲି ଧମକ୍ ଦେଲେ । ରାଗରେ ଗୋଟାଏ ଗଉଡ଼କୁ ପ୍ରହାର କଲେ । ଫଳରେ ରାତିରୁ ଉଠି କାହାକୁ କିଛି ନ କହି ବୋହୂକୁ ଛାଡ଼ି ଗଉଡ଼ମାନେ କୁଆଡ଼େ ପଳାଇଛନ୍ତି ।

 

ଏତିକି କହି ଆଗନ୍ତୁକ କ୍ଷଣକାଳ ନୀରବ ରହି ପୁଣି ଆରମ୍ଭ କଲା, ଆପଣଙ୍କ ବୋହୂଙ୍କ ତବୀୟତ୍ ଭଲ ଅଛି । ମିଆଁ ସାହେବ ତାଙ୍କୁ ନେଇ ଆସିବାକୁ ମୋ ହାତରେ ଖବର ପଠାଇଛନ୍ତି । ସବାରି ଗଉଡ଼ ସଜିଲ୍‍ ଅଛି ।

 

ପଧାନେ ମୁହଁ ବିକୃତ କରି କହିଲେ, ମୁଁ ଜାତିଭାଇଙ୍କର ପରାମର୍ଶ ବିନା ତାଙ୍କୁ ଆଣି ଘରେ ବଡ଼ ବଡ଼ୁଆଙ୍କ ପାଖରେ ଛାଡ଼ିବି କେମିତି ?

 

ସେ କିଛି ଆମ ଘରେ ଖାଇନାହାନ୍ତି ।

ପାଣି ପିଇଥିବେ ତ ?

ପାଣି ବି ପିଇନାହାନ୍ତି ?

 

ସାମାନ୍ୟ ହସି ପଧାନେ କହିଲେ, ପିଲା ମୁଁ ନୁହେଁ ଯେ ମୋତେ ଠକିଦେବ । କିଛି ନ କରନ୍ତୁ, ରାତିରେ ପଠାଣ ଘରେ କହିଛନ୍ତି ତ ! ଜଣେ ଲୋକ ପାଇଁ ଆମେ ଆଉ ପଠାଣ ହୋଇଯିବୁ ନାହିଁ, ପଠାଣ ଘରେ ପଶିବୁ ନାହିଁ । ଯେ ଗଲା ସେ ଗଲା ।

 

ତେବେ ହେବ କଅଣ ? ଅସମୟରେ ତକ୍‌ଲିଫ୍‌ରେ ପଡ଼ିଲେ ଲୋକ କରେ କଅଣ ?

 

ପଧାନେ କହିଲେ, ମୁଁ କିପରି କହିବି ? ମିଆଁ ସାହେବ ତାଙ୍କୁ ତାଙ୍କ ବାପଘରକୁ ପଠାଇ ଦିଅନ୍ତୁ । ଯଦି ଭାୟମାନେ ଅନୁମତି ଦିଅନ୍ତି, ମୁଁ ତାଙ୍କୁ ଠିକ୍ ବେଳରେ ତାଙ୍କ ବାପଘରୁ ନେଇ ଆସିବି ।

 

ଆରେ, ଆଚ୍ଛା ଲୋକ ତ ତୁମେ ! ବିପଦ ଆପଦବେଳେ ଜାତି ଚାଲିଯାଏ ନାହିଁ ।

 

ପଧାନେ କହିଲେ, ମିଆଁ ସାହେବଙ୍କୁ ତମେ ସେହି କଥା କହିଦେବ । ଜାତି ଉପରେ, ଧର୍ମ ଉପରେ ପଡ଼ିଲେ ମଣିଷ ଆତ୍ମୀୟସ୍ୱଜନଙ୍କୁ ଛାଡ଼ିପାରେ ? ଗୋଟାଏ ବିଧବା ବୋହୂ ପାଇଁ ସପ୍ତମ ପୁରୁଷ ନରକରେ ଘାଣ୍ଟି ହେବେ କାହିଁକି ? ଏତିକି କହି ପଧାନେ ଆଗକୁ ଚାଲିଲେ ।

 

ଲୋକଟି ଦୁଃଖରେ ସେହିଠାରେ ଠିଆହୋଇ ଭାବିଲା, ହେ ଖୋଦା, ଜାତି ପାଇଁ ଲୋକେ ମନୁଷ୍ୟତାକୁ ଏହିପରି ଛାଡ଼ନ୍ତି ।

 

–୧୦–

 

ଦୁଃଖ ପରେ ଦୁଃଖ ମାଡ଼ିଆସୁଛି, ସତେ କି ବିରାମ ନାହିଁ । ମଣିଷର ଧୈର୍ଯ୍ୟ କେତେ ? ସଂସାରରେ ଆହା କରିବାକୁ କେହି ନ ଥିଲେ ଜୀବନ ଅସହଣୀୟ ହୋଇଉଠେ । ଅଗଣିତ ଦୁଃଖର ମଝିରେ ଯଦି ମଣିଷ ପଦେ ସହାନୁଭୂତିସୂଚକ ମିଠା କଥା ବି ଶୁଣିବାକୁ ନ ପାଏ, ଜୀବନ ତାକୁ ତିକ୍ତ ଲାଗେ । ଜୀବନ ତାକୁ ନୀରସ ଶୁଷ୍କ ବୋଧହୁଏ । ଯୌବନର ଉଦ୍ଦୀପନା ଭୁଲି ପ୍ରାଣର ମମତା ଛାଡ଼ି ସେ ଖୋଜିବୁଲେ ମୁକ୍ତି, ନିଷ୍କୃତି ।

ଉମାର ସେ ମୁକ୍ତି, ନିଷ୍କୃତି କାହିଁ ? ତାର ପ୍ରତ୍ୟେକ ଚିନ୍ତାର ଅନ୍ତରାଳରେ ରହି ଭାଗ୍ୟ ତାକୁ ଉପହାସ କରୁଛି । ଶାନ୍ତି ଏ ଜୀବନରେ ନାହିଁ । ଆଖି ଆଗରେ ସହସ୍ର ମହାମାନବ ଯେଉଁ ନିୟତିର ପଥ ଅନୁସରଣ କରି ଯନ୍ତ୍ରଚାଳିତ ପରି ଆଗକୁ ଚାଲିଛନ୍ତି, ତାକୁ ମଧ୍ୟ ସେହି ନରସ୍ରୋତରେ ମିଶି ଦୁର୍ଭିକ୍ଷ ରାକ୍ଷସର ଆଗମନୀ ବାର୍ତ୍ତା ପ୍ରଚାର କରି ବୁଲିବାକୁ ହେବ ଦେଶସାରା, ଦ୍ୱାରେ ଦ୍ୱାରେ । ଏଥକୁ ଲଜ୍ଜା, ଭୟ, ଅପମାନ ତା ପକ୍ଷରେ ନାହିଁ । ଲଜ୍ଜା, ଭୟ ଯେଉଁମାନଙ୍କୁ ଲାଗନ୍ତା, ସେମାନେ ସମଦଶାପନ୍ନ । ସେମାନେ ଆଜି ବାଟର ଭିକାରୀ, ପଥର କାଙ୍ଗାଳ ।

ନିରାଶ୍ରୟ ହୋଇ କେତେଦିନ ସେ ପରଦ୍ୱାରରେ ଗୋଡ଼ ଭାଙ୍ଗି ଠିଆ ହେବ ? ଦ୍ୱାର ଦ୍ୱାର ବୁଲି ହାତ ପତାଇ ମୁଠିଏ ଖାଇବାକୁ ମାଗିବ ? ଭବିଷ୍ୟତରେ ସେ କରିବ କ’ଣ ? ଯେଉଁ ଜୀବନଟା ରଖିବାକୁ ସେ ଏତେ କଷ୍ଟ ସହିବ, ତାର ସେ ଜୀବନ ସୁଖରେ, ନିଶ୍ଚିନ୍ତରେ କଟିବ ନାହିଁ । ଚାଲିବାକୁ ହେବ । ଏପରି ହୀନମାନିଆ ପଶୁଜୀବନ ଧରି ବଞ୍ଚିରହିବା କି ପ୍ରୟୋଜନ ? ଜୀବନ ଯେ ରହିବ ତାର ସ୍ଥିରତା କାହିଁ ? ତାରି ପରି କେତେ ଲୋକ ଖାଇବା ବିନା ନିତି ବାଟଘାଟରେ ପଡ଼ି ମରି ସଢ଼ୁଛନ୍ତି । ପଦାକୁ ଗୋଡ଼ କାଢ଼ି ଅନିଶ୍ଚିତର ଆଶ୍ରା ନେଲେ ଦିନେ ତାର ଯେ ସେ ଦଶା ନ ହେବ ଏ କଥା କିଏ କହିବ ?

ମା ଅଣହେଳାରେ ପଡ଼ି ମରିଛି ଦହଗଞ୍ଜ ଜଞ୍ଜାଳରୁ ମୁକ୍ତି ପାଇଛି । ତା ପାଇଁ ଆଖି ଓଦା କରିବାକୁ ଆଉ କେହି ନାହାନ୍ତି । ଦାଦି ଖୁଡ଼ୀଙ୍କର ଅତ୍ୟାଚାର ବେଳୁବେଳ ବଢ଼ିବାକୁ ଲାଗିଛି । ଉମା ଆଉ ସହି ପାରୁନାହିଁ । ସେ ବୁଝି ପାରିଛି, ଦାଦି ଖୁଡ଼ୀଙ୍କର ଉଦ୍ଦେଶ୍ୟ, ସେ ଘର ଛାଡ଼ି ଚାଲିଯାଉ, ନୋହିଲେ ମରିଯାଉ । ତେବେ ଯାଇଁ ସୋମାନେ ଉମାର ଦାୟିତ୍ୱରୁ ରକ୍ଷା ପାଇବେ । ନିଜର ଛୋଟ ସଂସାରଟିକୁ କୌଣସି ମତେ ଚଳାଇବାକୁ ଚେଷ୍ଟା କରିବେ ।

ମା ମରିଛି, ଦୁଃଖରେ ତାକୁ ମନଇଚ୍ଛା କାନ୍ଦିବାକୁ ବେଳ ନାହିଁ । ଶବ ନେଇ ଲୋକେ ଶ୍ମଶାନରେ ପକାଇବାକୁ ଚାଲିଗଲେ । ଉମା ବାଡ଼ିଆଡ଼ ସଜନାଗଛ ମୂଳରେ ବସି ମା କଥା ମନେ ପକାଇ କାନ୍ଦିବାକୁ ଲାଗିଲା ।

ବେଳ ଦିପହର ହେବ । ରେଣୁବୋଉ ବାଡ଼ିଆଡ଼କୁ ଆସି ନାକରେ ଲୁଗାଦେଇ କହିଲେ, କିଲୋ, ମା ଅନ୍ଧୁଣୀ ତ ମଲା, ତୋର ତା ସଙ୍ଗେ ଗୋଡ଼ାଇବାକୁ ମନ ହେଉଛି କି ?

ଉମା କଅଣ କହନ୍ତା ? ଆଖିର ଲୁହ ଆଖିରେ ଶୁଖିଛି । ମନର ଦୁଃଖ ମନରେ ମରିଛି । ପେଟର କୋହ ପେଟ ଭିତରେ ଲୁଚିଛି । ସେ ଖୁଡ଼ୀ ପାଖକୁ ଲାଗିଆସି ତଳକୁ ମୁହଁ ପୋତି ଠିଆ ହେଲା ।

ବେଣୁବୋଉ ଘୁଞ୍ଚିଆସି ଠିଆ ହୋଇ ପୁଣି କହିଲେ, ଆଲୋ, ଯିଏ ମଲା ତ ମଲା । ବେଳ ଯେମିତି ପଡ଼ିଛି କିଏ ଯେ ବଞ୍ଚିରହିବ ନିଘା କରି କେହି କହିପାରିବେ ନାହିଁ । ଆଜି ଯିଏ ଅଛି, କାଲି ତାକୁ ଦେଖିବା ସପନ । ଦୁଃଖ ତ ହେବ । ଦୁଃଖକୁ ଧରିବସିଲେ କିଛି ଲାଭ ନାହିଁ । ଅଣ୍ଟା ଭିଡ଼ି ବିପଦକୁ ପଛରେ ପକାଇ ଠିଆ ହେଲେ ଭଲ । ଯିଏ ଯାଇଛି ତାକୁ ଆଉ ଫେରି ପାଇବା ନାହିଁ । ରେଣୁବୋଉ ନାକର ଲୁଗା ନେଇ ଆଖିରେ ମାରିଲେ । ଉମା କାନ୍ଦିବାକୁ ଲାଗିଲା ।

ରେଣୁବୋଉ କହିଲେ, ଦେଖ୍ ତ, ଘରଦ୍ୱାର କିପରି ମଇଳା ହୋଇ ପଡ଼ିଛି ! ମାଛିଗୁଡ଼ା ପଲପଲ ହୋଇ ବେଢ଼ୁଛନ୍ତି । ଗନ୍ଧରେ ନାକ ଫାଟିପଡୁଛି ! ଘରଦ୍ୱାର ସଫାସୁତୁରା ନ ରଖିଲେ, ବେଳକାଳ ଯେପରି, ସମସ୍ତେ ତ କାରବାର ହେଉଥାଇଁ, କେତେବେଳେ କେଉଁ କଥା ! ଠାକୁରାଣୀ ବିଗିଡ଼ିଲେ ତ୍ରାହି ପାଇବାର ଉପାୟ ଆଉ ରହିବ ନାହିଁ । ଟିକିଏ ଥମିଯାଇ ସେ ପୁଣି କହିଲେ, ମତେ କିଛି ବଳେଇ ପଡ଼ନ୍ତା ନାହିଁ, ତତେ କହନ୍ତି କାହିଁକି ? ତୁ ସେଥିରେ ଘାଣ୍ଟି ହୋଇଛୁ ବୋଲି କହୁଛି । ରେଣୁ ବି ମୋ ପାଖ ଛାଡ଼ି ନିହିମାକେ କାହିଁ ଥୟଧରି ରହୁନାହିଁ ।

ଉମା ମୁଣ୍ଡ ଟେକି ଜିଜ୍ଞାସୁ ନେତ୍ରରେ ଖୁଡ଼ୀ ମୁହଁକୁ ଚାହିଁଲା ।

ସେ କହିଲେ, ଆଉ ଡେରି କରୁଛୁ କାହିଁକି ମା ? ଖରାତାତି ମାଡ଼ିଆସୁଛି । ଆମକୁ ତ ଆଖରେଇ କରିବାକୁ ହେବ । ଯା, ଜାଗାଟାକୁ ଓଳାଓଳି କରି ପବିତ୍ର ପାଣି ପକାଇ ଛୁଞ୍ଚିକନା ମାରିଆଣ । ପାଣି ପାଇଁ ପରଘରକୁ ଖୋସାମତ କରିବାକୁ ଯିବୁ କାହିଁକି ? କିଏ ଘରେ ପୂରାଉଥିବ କି ନାହିଁ, କିଏ କାଳେ ନାକ ଛିଞ୍ଚାଡ଼ି କହିବ ! ଠାକୁରେ ଗୋଡ଼ାହାତ ଦେଇଛନ୍ତି । ନଈ କେତେ ବାଟ କି ? ମୁଁ ସିନା ପରଝିଅ, ଘରେ ପିଛୁଳେଇ ହୋଇପଡ଼ିଲି । ତୋ ମା ମରିଛି । ଅସମୟ ବୋଲି ଆଉ ସିନା କିଛି ବିଚାରିବୁ ନାହିଁ, ମୁଣ୍ଡ ଧୋଇ ଗାଧୋଇବୁ ତ !

ରେଣୁବୋଉଙ୍କର ଆଦର, ଉଦ୍ଦେଶ୍ୟ ଓ ମିଠା କଥାର ମର୍ମ୍ମ ସେ ବୁଝିପାରିଲା । ପ୍ରତିବାଦ କି ଆପତ୍ତି କରିବାର ବେଳ ନୁହେଁ । କଲେ ଲାଭ ନାହିଁ । ଭଲରେ କହୁଛନ୍ତି, ନ କଲେ ପୁଣି ବାଧ୍ୟ ହୋଇ କରିବାକୁ ପଡ଼ିବ । ସେ ଦ୍ୱିରୁକ୍ତି ନ କରି ବିରସ ମନରେ ବଢ଼ିଣା ଧରି କାମରେ ଲାଗିଲା । ଖୁଡ଼ୀ ଘର ଭିତରକୁ ଗଲେ । ବେଳ ଦିପହର ଗଡ଼ିଗଲାଣି । ଉମା ନଈକୁଳରେ ଗୋଟିଏ ଛୋଟ ଆମ୍ବଗଛ ଛାଇରେ ବସି ଭାବୁଛି । ପାଖରେ ମାଠିଆ ଦିଓଟି ଉଗୁଡ଼ା ହୋଇଛି । ଆଗରେ ନଈ । ପାଏ ବାଟ ତତଲା ବାଲି ପାରି ହେଲେ ପାଣିଧାର । ଖରା ତାତିରେ ବାଲି ନିଆଁମୁଣ୍ଡା ପରି ତାତିଥିବ, ହୁଳା ବାହାରୁଛି । ପାଣିର ଅବସ୍ଥା ତହୁଁ ବଳିଥିବ । କିଏ ଯେପରି ଫୁଟିଲା ପାଣି ଚୁଲିରୁ କାଢ଼ି ଅଜାଡ଼ି ରଖିଛି । ଚାହିଁ ବସିଥିଲେ ହେବ ନାହିଁ ପ୍ରାଣ ରହୁ କି ଯାଉ, ତାକୁ ଏଇ ନିଆଁ ବାଲି ପାରିହୋଇ ଫୁଟିଲା ପାଣିରେ ଗାଧୋଇବାକୁ ପଡ଼ିବ । ଅଲୋଡ଼ା ଅବେଇଜ ପ୍ରାଣ । ବିଲେଇ କୁକୁର ଛୁଆଙ୍କର ଜୀବନର ମୂଲ୍ୟ ଅଛି, ସ୍ୱାଧୀନତା ଅଛି, ଆଶାର ଆକର୍ଷଣ ଅଛି । ତାର ସେସବୁ ନାହିଁ । ସେ ମଣିଷ ପିଲା, କିନ୍ତୁ ଅବହେଳିତ ବାଟର ଧୂଳିକଣା । ନିଜତ୍ୱ ନାହିଁ । ସମୟର ଫୁତ୍କାରରେ ତାକୁ ଉଡ଼ିବାକୁ ହେବ । ଅବସ୍ଥାର ପଦକ୍ଷେପ ମୁଣ୍ଡ ଉପରେ ସହିବାକୁ ପଡ଼ିବ ।

ସେ ଯିବ କିପରି ? ଓଃ, କି ଭୀଷଣ ଦୃଶ୍ୟ ! ଦିନ ଦିପହରେ ସୁଦ୍ଧା ଜନମାନବର ଦେଖା ନାହିଁ । ଡାହାଣହାତି, ନଈକୁଳ ବାଲିପଡ଼ିଆ ଉପରେ ହାଡ଼କୁଢ଼ ଗଦା ହୋଇଛି । ନରିପୁରର ଯେତେ ଗାଈଗୋରୁ ଖାଇବାକୁ ନ ପାଇ ବସନ୍ତରେ, ଫାଟୁଆରେ ମଲେ, ସେମାନଙ୍କର ଅନ୍ତିମ ମିଳନସ୍ଥଳ ଶ୍ମଶାନ ! ବର୍ତ୍ତମାନ ମଧ୍ୟ ଗୋଟାଏ ଅକ୍ଷତ ମଢ଼ ହାଡ଼ଗୋଡ଼ ନାଠି ତତଲା ବାଲି ଉପରେ ପଡ଼ିଛି । ପାଖ ଓସ୍ତଗଛ ଉପରେ ଦୁଇଚାରିଟା ଶାଗୁଣା ପକ୍ଷୀ ମେଲାଇ ବସି ଏକଧ୍ୟାନରେ ଶବଟିକୁ ଚାହିଁ ରହିଛନ୍ତି । ପଲେ କାଉ ନଈ କୁଳରେ ବସି ଶବଆଡ଼କୁ ଚାହିଁ କା, କା ହେଉଛନ୍ତି । ବେଳେ ବେଳେ କେହି କେହି ଉଡ଼ିଯାଇ ଶବଟିର ଆଖିକାନ ଖୁମ୍ପିବାକୁ ଚେଷ୍ଟା କରୁଛନ୍ତି । ରକ୍ତମୁଖା କୁକୁରଗୁଡ଼ାଙ୍କର ଗୋଡ଼ାଗୋଡ଼ି ଦେଖି, ଭାଉଁ ଭାଉଁ ଶବ୍ଦ ଶୁଣି ଭୟରେ ପୁଣି-ସ୍ଥାନକୁ ଫେରି ଆସୁଛନ୍ତି । ଦୂରରେ ପଡ଼ିଥିବା ଅନ୍ୟ ଗୋଟିଏ ଛିଣ୍ଡା କଙ୍କାଳ ଦେହରୁ ଖୁମ୍ପି ଖାଇବାକୁ ଉଡ଼ିଯାଉଛନ୍ତି । ପଚା ଗନ୍ଧରେ ନାକ ଫାଟି ପଡୁଛି ।

ଆହା, ଉମାର ଅନ୍ଧୁଣୀ ବୋଉଟି ! ତାର ମଧ୍ୟ ଏହି ଦଶା ହୋଇଥିବ । ସେ ବି ଆଜି କାଉ କୁକୁର ବିଲୁଆ ଶାଗୁଣାଙ୍କର ଆନନ୍ଦବର୍ଦ୍ଧକ ଖାଦ୍ୟସାମଗ୍ରୀ ହୋଇ ଶ୍ମଶାନ ଭୂଇଁରେ ପଡ଼ି ରହିଥିବ ! ଉମା ଯାହାର ବକ୍ଷରେ, ଯାହାର କୋଳରେ ବଢ଼ିଆସିଛି, ତାର ଆଜି ଏହି ଅବସ୍ଥା !

ଏହି ନଶ୍ୱର ଦେହ । କେତେ ଯତ୍ନ ଏହାରି ପାଇଁ ! ଏହାର ଶ୍ରୀବୃଦ୍ଧି ପାଇଁ, ଏହାର ଆନନ୍ଦ, ଏହାର ଉତ୍ତେଜନା, କ୍ଷଣିକ ସୁଖସମ୍ଭୋଗ ପାଇଁ, ଦୁନିଆ ପାଗଳ ହୁଏ କାହିଁକି ? ଯୌବନର ପୁଷ୍ଟି, ସୌନ୍ଦର୍ଯ୍ୟର ସୃଷ୍ଟି ଶ୍ମଶାନ ଭୂଇଁ ପାଇଁ ?

ବାଳିକା ଉମାର ମନ ବଦଳିଲା । ସେ ଦୀର୍ଘଶ୍ୱାସ ଛାଡ଼ି ଆଖି ଫେରାଇଲା ନିଜର ଦେହକୁ । ଯୁବତୀ ସେ । ଦୌନ୍ୟର ତାଡ଼ନା ସହି ମଧ୍ୟ ଯୌବନର ମୋହନୀୟ କମନୀୟତା ତା ଦେହରେ ଫୁଟିଉଠିଛି । ତାର ସେ ଶୋଭା ଘୋଡ଼ାଇ ରଖିବାକୁ ସମ୍ବଳ ନାହିଁ । ବହୁଦିନର ଛିଣ୍ଡା ଲୁଗାପଟା ପିନ୍ଧି ଲାଜରେ ପଦାକୁ ବାହାରିବାକୁ ସେ ସଙ୍କୁଚିତ ହୁଏ । ଆଉ ଲାଜ କଅଣ ? ଶ୍ମଶାନ ଭୂଇଁରେ ଯୁବତୀର ନଗ୍ନଯୌବନ, ଭରାସୌନ୍ଦର୍ଯ୍ୟ ଘୋଡ଼ାଇବାକୁ କେହି ଆସେ ନାହିଁ । ଲୁଗା ଖଣ୍ଡେ ନାହିଁ ବୋଲି ସେ କାହିଁକି ଲାଜରେ ସଙ୍କୁଚିତ ହୋଇ ଆଡ଼ ହୋଇ ରହିବ ? ତାର ସେହି ଯୁବତୀ ଦେହଟା ଦିନେ ତ ଏହି ଶ୍ମଶାନ ଧୂଳିରେ ମିଶିଯିବ ।

ଦିପହରର ଗରମ ପବନ ଶିରି ଶିରି ହୋଇ ନଈ ଉପରୁ ବୋହି ଆସିଲା । ଉମାର ମୁକୁଳା ଅସଞ୍ଜତ କେଶବାସ ଉଡ଼ାଇ ତାକୁ ଅର୍ଦ୍ଧ ଉଲଗ୍ନ କରିଦେଲା । ଉମା କେଶ ସଜାଡ଼ିଲା ନାହିଁ, ଛିଣ୍ଡା ଲୁଗାଟିକୁ ଟାଣିଆଣି ମୁକୁଳା ଦେହ ଘୋଡ଼ାଇବାକୁ ଚେଷ୍ଟା କଲା ନାହିଁ । କି ପ୍ରୟୋଜନ ? ଦି ଦିନିଆ ଦେହ, କ୍ଷଣକର ସୌନ୍ଦର୍ଯ୍ୟ ପାଇଁ ଏତେ ଯତ୍ନ ଦରକାର ନାହିଁ । ଏତେ ସତର୍କତା ଲୋଡ଼ା କଅଣ ? ସେ ପୂର୍ବପରି ବସିରହି ପୁଣି ନିଜ ଚିନ୍ତାରେ ମନ ବୁଡ଼ାଇଲା । ଆଖି ଆଗରେ ଜଳନ୍ତା ବାଳୁକାରାଶି ଉପରେ ମରୀଚିକାର ମାୟା ତରଙ୍ଗ ନାଚି ନାଚି ପ୍ରବାହିତ ହେଲା- ସତେ କି ତାର ମନ ଭୁଲାଇବାକୁ ।

ଘୂର୍ଣ୍ଣିବାୟୁ, ଖଣ୍ଡିଆଭୂତ ନଈମଝିରୁ ଧୂଳିକଣା ଉଡ଼ାଇ କୁଳକୁ ମାଡ଼ି ମାଡ଼ି ଆସିଲା । ଉମା ଉଠି ଠିଆ ହେଲା । ପିଲାଦିନେ ଖଣ୍ଡିଆଭୂତ ପଛରେ ପିଲାଙ୍କ ସାଥୀରେ ଗୋଡ଼ାଇ କାଠକୁଟା ଧରେ ବୋଲି ବାପା ତାକୁ କୁଆଡ଼କୁ ଛାଡ଼ନ୍ତି ନାହିଁ । ବେଳେ ବେଳେ ସେ ଲୁଚି ପଳାଏ । ହାବୁଡ଼େ ପଡ଼ିଲେ ବାପା ତାକୁ ଡରାଇ କହନ୍ତି, ଭୂତ ଉଡ଼ାଇ ନେବଟି ! ଉମାର ମନ ଭିତରେ ସେସବୁ ଦୃଶ୍ୟ ଝାପ୍‌ସା ହୋଇ ରହିଛି । ତାର ଆଜି ସେ ଚପଳମତି, ପିଲାମନ, ଖେଳୁଆଳ ବୁଦ୍ଧିନାହିଁ । ବାପାଙ୍କର ସ୍ନେହ, ସୋହାଗ, ମିଠା କଅଁଳ କଥା ଏହି ଆକାଶ ପବନରେ କେବେଠୁଁ ହଜିଯାଇଛି । ମା ଥିଲା, ସେ ଆଜି ନାହିଁ । ଯନ୍ତ୍ରଣାସନ୍ତୁଳା ଦେହଟି ଧରି ଏକା ରହିଛି ସେ ।

ଉମାର ଆଖି ସଜଳ ହେଲା । ସେ ବାଁ ଆଡ଼କୁ ମୁହଁ ଫେରାଇଲା । ଟିକିଏ ଦୂରରେ ନଈକୁଳକୁ ଅଳ୍ପ ବାଟ ଛାଡ଼ି ସେ ଯେଉଁ ଝଙ୍କା ବରଗଛଟି, ତାରି ତଳେ ତାର ସ୍ନେହମୟୀ ମାଆର ପିଣ୍ଡ ଲମ୍ବାଇ ଦେଇ ଆସିଥିବେ । ତାର ଅମୂଲ୍ୟ ଦେହଟିକୁ ବୋଧହୁଏ, ବର୍ତ୍ତମାନ ବିଲୁଆ କୁକୁର ଟାଣି ଖାଉଥିବେ ।

ଉମାର ଦେହ ଶୀତେଇ ଉଠିଲା । ସେ ଆକାଶକୁ ଚାହିଁଲା । କେତୋଟି ଫୁଲଶାଗୁଣା ମଶାଣି ଉପରେ ଉଡ଼ି ଚକ୍‌କର ଦେଉଛନ୍ତି । ଦୂର କିଆବାଡ଼ ତଳୁ ବାହାରି ଗୋଟିଏ ବିଲୁଆ ମନ ଖୁସିରେ ଲାଙ୍ଗୁଡ଼ ଫୁଲାଇ ଏଣିକି ତେଣିକି ତରଙ୍ଗ ତରଙ୍ଗ ହୋଇ ଚାହିଁ ମଶାଣି ଆଡ଼କୁ ଦଉଡ଼ିଛି । ଇଚ୍ଛା ହେଲା, ଥରେ ତା ମାଆକୁ ମଶାଣି ଭୂଇଁରେ ଶେଷଥର ପାଇଁ ଦେଖିଆସିବ । ବଞ୍ଚିଥିବାଯାଏ ଆଉ ତ ତାକୁ ଦେଖିପାରିବ ନାହିଁ । ଓଃ, କି ଅସୁନ୍ଦର, କେଡ଼େ ବିକୃତ, ଭୟଙ୍କର ଦେଖାଯାଉଥିଲା ସେ ମୁହଁଟା ସକାଳେ ! ତା ମାଆର ମୁହଁ ତ କେଡ଼େ ସୁନ୍ଦର । ଦେଖିବାକୁ ଯିବ କାହାକୁ ? କଅଣ ଦେଖିବ ? ମାଟିର ଘରଟା ଭିତରେ ମା ବୋଲି ଯେତକ ଥିଲା ସେତକ ଆଜି ମାୟାପୁରରେ, ଅଜଣା ସ୍ୱର୍ଗରେ ।

ପତ୍ର ଖଡ଼ଖଡ଼ ଶୁଣି ପଛକୁ ଫେରି ଚାହିଁଲା । ବେତବୁଦା, କିଆବାଡ଼ କଡ଼ରୁ ବାହାରି ଜଗୁଭାଇ ତାଆରି ଆଡ଼କୁ ମୋହିଛି । ସେ ପ୍ରଥମେ ବିସ୍ମିତ ହେଲା । ପରେ ସଙ୍କୁଚିତ ହୋଇ ଲୁଗାପଟା ସଜାଡ଼ି ମୁହଁ ତଳକୁ ପୋତିଲା ।

ଜଗୁଭାଇ, ପରପୁଅ । ତା ସଙ୍ଗେ ତାର କି ସମ୍ପର୍କ ? ମଣିଷର ଦୁଃଖ ଦେଖିଲେ, ବିପଦ କଥା ଶୁଣିଲେ ସାଧାରଣତଃ ମଣିଷ ସହାନୁଭୂତି ଦେଖାଇବାକୁ ଆହା କରିଥାଏ । ଜଗୁଭାଇ ତାହା ଛଡ଼ା ତା ପାଇଁ ଆଉ ଅଧିକ କିଛି କରି ପାରିନାହିଁ, କରିପାରିବ ନାହିଁ । ଖାଇବାକୁ ନ ପାଇ ପେଟର ଜ୍ୱାଳା ସହି ନ ପାରି ଯେତେବେଳେ ସେ ଛତରରେ ପଶିବ, ଜଗୁଭାଇ ତାକୁ ଅଟକାଇ ରଖିପାରିବ ନାହିଁ । ପଛରେ ଗୋଡ଼ାଇଯିବ ନାହିଁ । ଗାଁର ଆଉ ପାଞ୍ଚଜଣ ପରି ସେ ବି ଜଳଜଳ କରି ତାର ଯିବା ବାଟକୁ ଚାହିଁ ରହିଥିବ । ଉମାର ପେଟ ଭିତରୁ ଅଜଣା କୋହ ଉଠିଲା । ରୁଦ୍ଧ ଆବେଗ, ରୁଦ୍ଧ ଅଭିମାନ ଲୋତକ ଛଳରେ ଦୁଇ ଆଖିରୁ ଝରି ପଡ଼ିଲା । ସେ ଆଖି କୋଣରେ ତାର ଜଗୁଭାଇକୁ ଚାହିଁଲା ।

ମଳିନ ବେଶ । ଧୂଳିରେ ଦେହ ଧୂସର ହୋଇଛି । ମୁଣ୍ଡର ବାବୁରୀ ବାଳ ଖରାରେ ଶୁଖି ପବନରେ ଅଲରା ହୋଇଛି । ମୁହଁ କଳାକାଠ ପଡ଼ିଛି । ରକ୍ତଚହଟା ନାଲି ଆଖି ଦିଟା ଭ୍ରୂଲତା ତଳକୁ ଦି ଆଙ୍ଗୁଳି ପଶି ଯାଇଛି । ଗାମୁଛାଖଣ୍ଡି କାନ୍ଧରେ । ହାତରେ ଗୋଟାଏ ଠେଙ୍ଗା ।

ଜଗୁ ପାଖକୁ ଆସି ଉମାକୁ ଚାହିଁଲା । ଏ କି ବେଶ ! ଦାଣ୍ଡର ଭିକାରୁଣୀ ପରି ମଳିନ । ପିନ୍ଧିଲା ଲୁଗାଟିର ଅବସ୍ଥା ନାହିଁ, ସାତ ଗଇଁଠା ! ତଥାପି ଦୁର୍ବଳ ଦେହଲତାଟି ଭଲ କରି ଆବୃତ କରିବାର ଉପାୟ ନାହିଁ । ଦରଫୁଟା ମଲ୍ଲୀଫୁଲଟି ଝାଉଁଳି ପଡ଼ିଛି । ଦିନ କେଇଟାରେ ଏ କି ପରିବର୍ତ୍ତନ ! ଉମା ଧର୍ମର ଟିକି ଭଉଣୀ ! ଉମାକୁ ଏପରି ଅବସ୍ଥାରେ ଦେଖିବ ବୋଲି ସେ ଆଶା କରି ନ ଥିଲା ।

ଉମା ହିଁ ପ୍ରଥମେ ମୁହଁ ଖୋଲି ପଚାରିଲା, ତମେ ଏ ଖରାରେ କେଉଁଠୁ ଆସିଲ ?

ଜଗୁ ବ୍ୟଥିତ ହୋଇ ଦୁଃଖଭରା ଆଖିରେ ତାକୁ ଅନାଇରହି କହିଲା, ସକାଳୁ ମାମୁଁଘରୁ ବାହାରି ଆସୁଛି । ଦେଶର ଅବସ୍ଥା କହିଲେ ନ ସରେ । ଖାଇବାକୁ ନ ପାଇ ନାନାପ୍ରକାର ରୋଗବୈରାଗରେ ଲୋକେ ମରି ମଶାଣିରେ ସଢ଼ୁଛନ୍ତି । ଯେଉଁ ଗାଁରେ ପଶିଲି, ଖାଲି କାନ୍ଦବୋବାଳି ପଡ଼ିଛି, ଶୁଣିଲି । ଖାଇବା ବିନା ଲୋକେ ବାଟଘାଟରେ ଖପରା ଧରି ପଡ଼ିଛନ୍ତି । ଦିହରେ ହାଡ଼ ଦିଖଣ୍ଡ ଛଡ଼ା ରକ୍ତମାଂସର ଦେଖାନାହିଁ । ଏ ସବୁ ଦେଖି ମୋ’ମନ ଉଚ୍ଛନ୍ନ ହେଲା । ଗାଁର ହାଲଚାଲ ଜାଣିବାକୁ ବ୍ୟଗ୍ର ହୋଇ ଧାଇଁଛି । ଆଚ୍ଛା ଉମୀ, ଆମର ଏ ଗାଁ ମଶାଣିରେ ଗୋଟିଏ ଶବ ଦେଖିଆସିଲି; କୁକୁର, ବିଲୁଆ ଓଟରାଓଟରି କରି ଖାଉଛନ୍ତି । ଦେଖିବାକୁ ପାଖକୁ ଯାଇଥିଲି, ଗୋଟାଏ ପାଗଳା କୁକୁର ଭାଉଁ ଭାଉଁ ହୋଇ ଧାଇଁଆସିଲା । ମୁଁ ତାକୁ ଠେଙ୍ଗା ଦେଖାଇ କୌଣସିମତେ ଉଦ୍ଧାର ପାଇ ପଳାଇ ଆସିଲି । ମୁଁ ମାମୁଁଘରକୁ ଯିବାବେଳେ ଆମ ଗାଁରେ ତ କେହି ସେପରି ବାଧକା ପଡ଼ି ନ ଥିଲା । ହଠାତ୍ ଏପରି କଅଣ ହୋଇ କିଏ ମରିଗଲା ଲୋ ?

ଉମା ଆଉ କି ଉତ୍ତର ଦିଅନ୍ତା ? ସେ ଯାହା ଅନୁମାନ କରୁଥିଲା ତାହାହିଁ ଘଟିଛି । ନିଷ୍ପ୍ରଭ ଆଖି ଦିଓଟି ପୁଣି ଲୁହରେ ପୂରି ଉଠିଲା । ଅଧମଉଳା ମନ୍ଦାରପାଖୁଡ଼ା ଓଠ ଦିଓଟି ଥରି ଉଠିଲା । ସେ ଆମ୍ବଗଛ ଦେହକୁ ଆଉଜି ପଡ଼ି ଦୁଇ ହାତ ପାପୁଲିରେ ମୁହଁ ଘୋଡ଼ାଇ ତୁନି ତୁନି କାନ୍ଦିବାକୁ ଲାଗିଲା ।

ଜଗୁର ଆଖି ବିସ୍ମୟରେ ବିସ୍ଫାରିତ ହୋଇଗଲା । କାହାକୁ ଖୋଜିଲା ପରି ଚାରିପାଖକୁ ଚାହିଁ, କଅଣ ମନରେ ପାଞ୍ଚି ବଡ଼ ତ୍ରସ୍ତ ହୋଇ ଉମାପାଖକୁ ଘୁଞ୍ଚିଗଲା । ତା ପିଠିରେ ହାତ ରଖି ଉଦ୍‌ବିଗ୍ନ ହୋଇ ପଚାରିଲ, ଉମୀ, ଉମୀ, ବୋଉ କାହିଁ ଲୋ ?

ଉମାର ରୁଦ୍ଧ ବେଦନା ଆଶ୍ରା ପାଇ ଉଛୁଳି ପଡ଼ିଲା । ସେ କିଛି ଉତ୍ତର ନ ଦେଇ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା ।

ଜଗୁ ସମ୍ଭାଳି ପାରିଲା ନାହିଁ । ଘଟଣା ଜାଣିବା ଆଗରୁ ତାର ପେଟ ଭିତରଟା କାନ୍ଦି ଉଠିଲା । ଆଖିରେ ଲୁହ ଢଳ ଢଳ ହେଲା । ସେ ଉମାର ମୁହଁକୁ ଟେକିଧରି ବିକଳ, କରୁଣ ସ୍ୱରରେ ପଚାରିଲା, କହ ଉମୀ ।

ଉମାର ଉତ୍ତରକୁ ସେ ଅପେକ୍ଷା କରିପାରିଲା ନାହିଁ । ଉମାର ଲୁହଧୁଆ ମୁହଁ, ତା ସଜଳ ଆଖିପତା, ଶୁଖିଲା ଓଠରୁ ସେ ତା ପ୍ରଶ୍ନର ଉତ୍ତର ପାଇଲା । ତେବେ ସେ ମଶାଣିଭୂଇଁରେ ଯାହାର ଶବ ଦେଖି ଆସିଲା, ସେହି ଉମାର ବୋଉ ! ଏତେ ଶୀଘ୍ର ଏପରି ଭାବରେ ଉମାକୁ ନିଆଶ୍ରା କରି, ବାଘପଲ ଭିତରେ ଅପନ୍ତରାରେ ଏକୁଟିଆ ଛାଡ଼ି ଜା’ ଦିଅରଙ୍କ ଅତ୍ୟାଚାରରୁ ଉଦ୍ଧାର ପାଇ ଖସି ଚାଲିଗଲା ! ଉମା ଆଜି ନିରକ୍ଷ ! ଚାରିଆଡ଼ ତାର ଶୂନ୍ୟ !

ଜଗୁର କଣ୍ଠ ରୁଦ୍ଧ ହୋଇଆସିଲା । ସେ ଉମାର ହାତ ଦିଓଟି ଧରି ତଳକୁ ଚାହିଁଲା । ମାଠିଆ ଦିଟା ପାଖରେ ଉଗୁଡ଼ା ହୋଇଛି । ଦୁଃଖ ସଙ୍ଗେ ସଙ୍ଗେ ରାଗରେ ଦେହସାରା ଥରିଉଠିଲା-। ଓହୋ ! ଲୋକଙ୍କର ଦୟାମାୟା ଟିକିଏ ନାହିଁ ! ଦୁଃଖରେ ଆହା ପଦେ କହିବା ତେଣିକି ଥାଉ, ଏ ନିରାଟ ଖରା, ନିଛାଟିଆ ଜଳିଲା ଦିପହରଟାରେ ଏକୁଟିଆ ମଶାଣିଘାଟକୁ ପାଣି ପାଇଁ ତାକୁ ପଠାଇଛନ୍ତି ! ନିଆଁ ଗୁଣ୍ଡା ପରି ତତଲା ବାଲିରେ ଗୋଡ଼ ଦେଲେ ଫୋଟକା ହେଉଛି । କି ନୃଶଂସ ! ଏଡ଼େ ବଡ଼ ବିପଦ ଉପରେ ବି ଗରିବ ଉମାର ପରିତ୍ରାଣ ନାହିଁ !

ଜଗୁର ଛାତି ଭିତର କାନ୍ଦି ଉଠିଲା । ସେ ଉତ୍ତେଜିତ ହୋଇ ଉମାର ସଜଳ ମୁହଁକୁ ଛାତି ଉପରକୁ ଟାଣିଆଣି ଭଙ୍ଗା ସ୍ୱରରେ କହିଲା, ତୁନି ହ, ତୁନି ହ ଉମା ! ତୋର ବୋଉ ସିନା ମରିଛି, ତୋର ଜଗୁ ଭାଇ ତ ବଞ୍ଚଛି ।

ଉମା ଧୀରେ ଧୀରେ ଜଗୁର ଛାତି ଉପରୁ ମୁହଁ ଟେକି ତାର ଅଶ୍ରୁପୂର୍ଣ୍ଣ ଆଖିଦିଓଟିକୁ ଚାହିଁ ରହିଲା ।

ଉମା ଅନ୍ତର ଖୋଲି ଅସୀମ ଦୁଃଖର କାହାଣୀ ଜଗୁ ଆଗରେ କହିଗଲା । ଦାଦି ଖୁଡ଼ୀଙ୍କର ଦୁର୍ବବ୍ୟହାର, ନେତୀର ବିଶ୍ୱାସଘାତକତା, ତା ବୋଉର ଅଣହେଳାରେ ପଡ଼ି ମରଣ ଇତ୍ୟାଦି । ଗାଁର ଅଧେ ଲୋକ ଘର ଛାଡ଼ି, ପିଲା କୁଟୁମ୍ୱ ଛାଡ଼ି, ପେଟଜାଳାରେ ଗାଁ ଛାଡ଼ି ଛତର ଅନିଶାରେ ବାହାରିଗଲେ । ସେ ଖାଲି ଆଶାରେ ଆଶାରେ ପଡ଼ି ରହିଛି । କିନ୍ତୁ ତାର ନିରର୍ଥକ ମନବୋଧିଆ ଆଶାଟାର କୁଳକିନାରା କିଛି ନାହିଁ । ବୋଉ ଖାଇବାକୁ ନ ପାଇ ହଇଜା ରୋଗରେ ମରିଛି । ଥଳକୁଳହୀନ ନିରାଶା ସମୁଦ୍ର ଭିତରରେ ତା’ର ସବୁ ନିର୍ଜୀବ ଆଶାଗୁଡ଼ା ସମାଧୀ ନେଲେଣି ।

ଜୀବନ ଧରି ରହିବାର ଗୋଟିଏ ବାଟ ଅଛି, ଘରୁ ଗୋଡ଼ କାଢ଼ି ଦାଣ୍ଡକୁ ବାହାରିବ। । ହେଲେ, ସୁଦୀର୍ଘ ଜୀବନଟା ଖୋଲା ପଡ଼ିଛି । କେତେ ଦିନ ସେ ହାତରେ ଭିକ୍ଷାପାତ୍ର ଧରି ଅନିଶ୍ଚିତର ଅପନ୍ତରାରେ ଜୀବନରେ କ୍ଷୀଣ ବିପଦସଙ୍କୁଳ ରାହା ଧରି ଚାଲିବ ? କେତେ ଦୂର ଚାଲିବ ? ସାହାସମ୍ବଳ କିଛି ନାହିଁ । ଦୁଃଖ ଦୈନ ଓ ନୈରାଶ୍ୟକୁ ଜୀବନର ସାଥୀ କରି ରିକ୍ତ ମନରେ କେତେ ଦିନ ଚାଲିବ ସେ ?

ଯେଉଁ ଦେହଟାକୁ ବଞ୍ଚାଇ ରଖିବାକୁ ମଣିଷ ଏତେ କଷ୍ଟ ସ୍ୱୀକାର କରେ, ସେ ଅନିଶ୍ଚିତ ଦେହର ଶେଷ ଦଶା ତ ଶ୍ମଶାନଭୂଇଁରେ ଆଖି ଆଗରେ । ତେବେ, ଅନିତ୍ୟ ଦେହଟା ପାଇଁ ଏତେ କଷ୍ଟ ସହିବା ଆତ୍ମହତ୍ୟା କରି ମରିବା ଶ୍ରେୟସ୍କର । ଉମାର ଏହାହିଁ ଶେଷକଥା, ଶେଷ ସିଦ୍ଧାନ୍ତ !

ଓଡ଼ିଆର ଦୁର୍ଦ୍ଦଶାର, ଓଡ଼ିଆର ନିଶ୍ଚେଷ୍ଟତାର, ଦାରିଦ୍ର୍ୟର ଅନ୍ୟତମ କାରଣ ଏହି ଶ୍ମଶାନଭୂଇଁ ପରା ! ମଣିଷର ଜନ୍ମ ଜୀବନର ପୂର୍ଣ୍ଣ ଉପଭୋଗ ପାଇଁ, କିନ୍ତୁ ଓଡ଼ିଆର ଜନ୍ମ ସହିବା ପାଇଁ । ସହି ସହି ମଧ୍ୟ ଯେତେବେଳେ ଅଦିନରେ ଅସମୟରେ ସେ ମଶାଣି ଭୂଇଁରେ ଝଡ଼ିପଡ଼େ, ଜୀବନର ଅନିଶ୍ଚିତତା, ବିଧିର ଅଭିଶାପ, ଚୌତନ୍ୟର ଧର୍ମ ସେ ଗ୍ରହଣ କରେ ଅତି ସହଜରେ । ଜୀବନଟା କେଇଦିନ ପାଇଁ ? କାହିଁକି ମଣିଷ ସହିବ, ଉଚ୍ଚ ଆଶା କରିବ ? ଶ୍ମଶାନଟା ଯେ ଆଗରେ ଚାହିଁଛି ।

ନାନା ବିଷୟରେ କଥାଭାଷା ହେଉଁ ହେଉଁ ଛାଇ ନେଉଟିଲା, ବେଳ ଗଡ଼ିଲା । ଖରା ତାଉ କମିଆସିଲା । ତତଲା ବାଲି ଶୀତଳେଇ ଆସିଲା । ଉମା ନଈଧାରକୁ ଚାହିଁ କହିଲା, ଜଗୁଭାଇ, ମନକୁ ଯେତେ ବୁଝାଇଲେ ମନ ମାନୁ ନାହିଁ, ଦେହ ସହୁନାହିଁ, ଧୈର୍ଯ୍ୟ ମଧ୍ୟ ରହୁନାହିଁ । ହଉ, କେତେଦିନ ଏପରି ଚଳୁଛି, ଚଳୁ । ଯେଉଁଦିନ ନିତାନ୍ତ ବଳେଇ ପଡ଼ିବ, ସେଦିନ ମୁଁ ମୋର ଦେଖିଲା କାମ କରିଦେବି । ଜୀବନ ଥିଲେ ସିନା କଷ୍ଟ ?

ଜଗୁ ଉମାର ଲଙ୍ଗଳା ମୁଣ୍ଡର ଅଲରା ବାଳରେ ହାତ ବୁଲାଉଥିଲା । ସେ ବିସ୍ମୟରେ ହାତ ଥମାଇ ତାର ଗାଲରେ ଗୋଟିଏ ଛୋଟ ଚାପୁଡ଼ା ମାରି କହିଲା, ପୁଣି ସେହି ପାଗଳାମି ? ଏତେକରି ବୁଝାଇଲାଠେଁଇ ବି ତୁ ସେହି ଅବୁଝା । ଆଲୋ, ମରିବାକୁ ତ ଜନମ ହୋଇଥାଇଁ । ସେଟା ହେଲା ସବା ଶେଷ କଥା ! ଜାଣୁ ଜାଣୁ ନିଜେ କାହିଁକି ତା ପାଖକୁ ଦଉଡ଼ିଯିବା ? କଅଣ ହେଉଛି ହୋଇଯାଉ ।

ଉମା ତୁନି ରହିଲା । ଜଗୁଭାଇର ମିଠା ମଧୁର କଥା, ବ୍ୟବହାରରେ ସତେ କି ସେ ନୂଆ ଜୀବନ ଲାଭ କଲା । ତାର କରସ୍ପର୍ଶ, ସାନ୍ତ୍ୱନାରେ ସେ ତା’ର ମାଆର ମୃତ୍ୟୁ ଦୁଃଖ ପାଶୋରି ଗଲା । ଜୀବନର ଶତସହସ୍ର ଦୁଃଖଭିତରେ ସେ ଗୋଟିଏ ନୂତନ ଆନନ୍ଦ, ନୂତନ ଆନନ୍ଦ, ନୂତନ ସୁଖର ସନ୍ଧାନ ପାଇଲା । ବଡ଼ ଅବୋଧ୍ୟ, କିନ୍ତୁ ଉନ୍ମାଦକର । ଭୋକର ଦାଉରେ ଦେହ ମନ ମଉଳି ପଡ଼ିଛି । ସେଟା ତ ତାର ଦେହସହା ହୋଇଛି । ଦୁଃଖ କଷ୍ଟରରେ ହୃଦୟ ନଇଁଛି, ମନ ଭାଙ୍ଗିଛି । ତଥାପି, ତାର ଏ ନୂତନ ଅନୁଭୂତି ଟିକକ ତାର ବିବ୍ରତ ମନକୁ ଅଳ୍ପ ଚଞ୍ଚଳ କରିଦେଲା ।

 

ସେ କହିଲା, ଜଗୁଭାଇ, ମୋତେ ଏ ଦୁଃଖଜଞ୍ଜାଳ ଭିତରୁ ଉଦ୍ଧାରିବାର କ୍ଷମତା ଯଦି ତମର ନାହିଁ, ବୃଥାରେ ଆଶା ସାନ୍ତ୍ୱନା ଦେଇ ସ୍ଥିର ବାଟରୁ ମନକୁ ମୋର ଫେରାଇବାକୁ ଚେଷ୍ଟା କରୁଛ କାହିଁକି ?

ସେ ମୁହଁ ଫେରାଇ ଜଗୁର ବିସ୍ମିତ ଆଖି ଦିଓଟିକୁ ଚାହିଁଲା । ତାର ଓଠ ଥରିଉଠିଲା ଆହୁରି ଥରେ । ଶୁଖିଲା ଗାଲ ଦିଓଟି ସାମାନ୍ୟ ରଙ୍ଗେଇ ଉଠିଲା । ଦେହଟା ଆହୁରି ଅବଶ ଲାଗିଲା । ସେ ଜଗୁର ହାତରେ ହାତ ରଖି ଦୃଷ୍ଟି ନୁଆଁଇଲା ।

ଜଗୁର ଆଖି ଆଲୁଅ ତେଜି ଉଠିଲା । ସେ ଉମାର ଥରିଲା ପାପୁଲିକୁ ମୁଠାଇ ଧରି ସାମନ୍ୟ ଚାପ ଦେଇ କହି ଉଠିଲା, ଏପରି କହୁଛୁ କାହିଁକି ଉମୀ ? ମୁଁ ଯେ କାହାରି ନୁହେଁ । ମୁଁ ଇଚ୍ଛା କଲେ ସହଜରେ ତୋତେ ଏ ଦୁଃଖ ଜଞ୍ଜାଳରୁ ଉଦ୍ଧାର କରିପାରିବି । ମୋ କାର୍ଯ୍ୟରେ ବାଧା ଦେବାକୁ ନରିପୁରରେ କେହି ନାହିଁ । କହିବାକୁ ତ କେହି ମନା କରିବ ନାହିଁ । କାହା ପାଟିରେ କିଏ ବାଡ଼ବତା ଦେବ ? ଖାଲି ଲୋକଲଜ୍ଜାକୁ ଡରିବା କଥା !

ତଳକୁ ମୁହଁ ପୋତି ଉମା ଥରିଲା କଣ୍ଠରେ କହିଲା, ହଁ, ଲୋକଲଜ୍ଜା !

ନୁହେଁ ତ ଆଉ କଅଣ ? ନୋହିଲେ ତୋତେ ଉପାସ ଭୋକରେ ସଢ଼ିବାକୁ ଛାଡ଼ି ଦିଅନ୍ତି ? ମୁଠାଏ ଖାଇବାକୁ ଦେଇ ତୋର ପ୍ରାଣ ରଖିବାର ଶକ୍ତି କଅଣ ମୋର ନାହିଁ ? ଇଚ୍ଛା କଅଣ ହେଉନାହିଁ ? ନାଚାର । କଅଣ କରିବି ?

ଉମା ଭାବିବାକୁ ଲାଗିଲା, ଯଦି ଏତେ ଦୁର୍ବଳ ତମେ, ତମର ଶକ୍ତି ବା ଇଚ୍ଛା ଥିବ ନା ଥିବାରେ ଉମାର ଲାଭକ୍ଷତି କିଛି ନାହିଁ । ତେବେ, ଭବିଷ୍ୟତର ବୃଥା ପ୍ରଲୋଭନ କାହିଁକି ? ବର୍ତ୍ତମାନ ବା ତାକୁ ଡହଳ ବିକଳ କରିବାରେ କି ଲାଭ ଅଛି ? ତମେ ତମର ସୁଖରେ ରହ, ଉମା ତାର ଭାଗ୍ୟ ଅନୁସରଣ କରୁ । ସେ କାହିଁକି ଗୋଟାଏ ଛାଇକୁ ଧରିବାକୁ ହାତ ବଢ଼ାଇ ପଦପଦକେ ଅପଦସ୍ଥ ହେଉଥିବ ?

ଉମା ଦୁଃଖରେ ତାର ହାତଟିକୁ ଜଗବନ୍ଧୁର ହାତ ଭିତରୁ ଟାଣି ଆଣିବାକୁ ଚେଷ୍ଟା କଲା ଧୀରେ ଧୀରେ । ବିଫଳ ହୋଇ ଭଙ୍ଗା ସ୍ୱରରେ କହିଲା, ଗରିବର ଦୁଃଖ ଶୁଣିବାକୁ ଅନେକ ବେଳ ବସିଗଲ ଏଠି ଜଗୁଭାଇ ! ଭୋକ କରୁଥିବ, ଘରକୁ ଯାଅ । ବାଲି ଥଣ୍ଡା ହୋଇଆସିଲାଣି, ମୋ ହାତ ଛାଡ଼, ମୁଁ ଘରକୁ ଯାଏଁ । ଖୁଡ଼ୀ ମୋତେ ଚାହିଁ ରହିଥିବ ତେଣେ । ଏତେ ଡେରି ହେଲାଣି, କେଜାଣି ଆଜି କପାଳରେ କି ଦଶା ଅଛି ? କହୁ କହୁ ପୁଣି ଆଖିକୋଣ ଜକେଇ ଆସିଲା । ସେ ଜଗୁର ମୁହଁକୁ ଚାହିଁଲା ।

ଉମାର କରୁଣ ଦୃଷ୍ଟି, ଅଭିମାନିଆ ଭାଷା ଶୁଣି ଜଗୁ ମନରେ ଦୁଃଖ ହେଲା ଆହୁରି ବେଶି । ଆଖିରୁ ଝରି ଆସୁଥିବା ଲୁହଧାର ଦେଖି ସେ ତାରି ଅନ୍ତର ଭିତରେ ଅସହ୍ୟ ବେଦନା ଅନୁଭବ କଲା । ସେ ଭାବିବାକୁ ଲାଗିଲା, ସତରେ ଏକା, ଉମାର ଦୁଃଖ କାହାଣୀ ଥରକୁ ଥର ଶୁଣିବା ଛଡ଼ା ସେମାନଙ୍କର ଦୁଃଖ ଦୂର କରିବାକୁ ସେ କିଛି କରି ପାରିନାହିଁ । ତା’ର କର୍ତ୍ତବ୍ୟରେ ସେ ହେଳା କରିଛି ଲୋକଲଜ୍ଜାକୁ ଡରି । ଲୋକଙ୍କର କଟାକ୍ଷକୁ ଏଡ଼ି ଯଦି ମଣିଷ ପରି ଛାତି ଦେଖାଇ ଆଗରୁ ପ୍ରତିକାର କରିବାର ଚେଷ୍ଟା କରିଥାନ୍ତା, ହୁଏତ ଉମାବୋଉ ଏପରି ଭାବରେ ଅକାଳରେ ମରି ନ ଥାନ୍ତେ । ଉମାର ଦୁର୍ଦ୍ଦଶା ପାଇଁ ସେ ତ ଦାୟୀ ନୁହେଁ !

ଦୂରରେ ଠିଆହୋଇ କେଉଁ ପାଣି କେଉଁ ସୁଅରେ ଯାଉଛି ଦେଖିବାକୁ ନିଷ୍କର୍ମା ପରି ଚାହିଁ ରହିବା ବେଳ ଆଉ ନାହିଁ । ଯିଏ ଯାହା ଭାବୁ, ଯିଏ ଯାହା କହୁ, ଆଗକୁ ଆସି ପ୍ରତିକାର କରିବାର ବେଳ ପଡ଼ିଛି । ନୋହିଲେ, ଉମା ମଧ୍ୟ ଅଚିରେ ତା ମାଆର ଗତି ଅନୁସରଣ କରିବ । ଜୀବନ ମରଣ ସମସ୍ୟା । ଲୋକଲଜ୍ଜାକୁ ଡରି ଖାଲି ଚାହିଁ ବସିଥିଲେ ସର୍ବନାଶ ହେବ।

ଜଗୁର କୋମଳ ମନ ବିଚଳିତ ହେଲା । ସେ କହିଲା, ଉମା, କେତେଦିନ ହେଲା ତୋ ପେଟରେ ଦାନା ପଡ଼ିନାହିଁ । ତୋର ଦୁର୍ବଳ ଦେହ, ମଳିନ ରୂପ, ନିସ୍ତେଜ ଆଖି ଦେଖି ମୁଁ ବେଶ ବୁଝିପାରିଛି । ଦୁର୍ବଳତା ହେତୁ ତୋ ହାତଟା ମୋ ମୁଠା ଭିତରେ ଥୋଇ ଥରିଉଠୁଛି । ବେଳାଟିଏ ମୋର ଖିଆ ହେଲା ନାହିଁ ବୋଲି ଭୋକ କରୁଥିବ କହି ମୋତେ ବିଦାୟ ଦେଉଛୁ । କିନ୍ତୁ ଜାଣି ଜାଣି ମୁଁ ତୋତେ ଛାଡ଼ିଯିବି କିପରି ?

ଉମା ଅଭିମାନରେ କହିଲା, ଲୋକଲଜ୍ଜା ପରା ! ସେ ମୁହଁ ବୁଲାଇଲା ।

ଜଗୁ ଲାଜରା ହେଲା । କହିଲା, ସେ ଭୟ ମୋ’ର ତ ହେବାର କଥା ନୁହେଁ । ଲୋକେ ବୁଝନ୍ତି ଅନ୍ୟ ପ୍ରକାର । ଲୋକ ଅପବାଦକୁ ତୋର ଭୟ ନାହିଁ । ମୁଁ ବି ଡରିବି ନାହିଁ । ଜୀବନ ରହୁ, ତେଣିକି ଭଲମନ୍ଦ, ଆଚାର ବିଚାର । ଭୟ ନାହିଁ ଉମୀ, ଭୟ ନାହିଁ । ବୋଉ ମଲା ତୋତେ ମୋର ଆଶ୍ରାରେ ଛାଡ଼ି । ମୁଁ ଏଥର ମୋର ବୋଝ ମୁଣ୍ଡାଇବି ।

ଉମା ଲୁଗା କାନିରେ ଆଖି ପୋଛିଲା ।

ଜଗୁ କହିବାକୁ ଲାଗିଲା, ମୁଁ ବୁଝୁଛି, ଦାଦି ଖୁଡ଼ୀଙ୍କି ତୋର ପ୍ରାଣେ ଡର । ମୋ ସଙ୍ଗେ କୌଣସି ପ୍ରକାର ସମ୍ବନ୍ଧ ରଖିଲେ ସେମାନେ ତୋ ଉପରେ ଚିଡ଼ିପାରନ୍ତି । ଶେଷକୁ ଘରୁ ବାହାର କରିଦେଇ ପାରନ୍ତି । କିନ୍ତୁ ସେଥିକି ଭାବନା ନାହିଁ । ମୁଁ ଯଦି କେବେ ମୁଠିଏ ଖାଇବାକୁ ପାଏ, ସେଥିରୁ ତୁ ନିଶ୍ଚୟ ଅଧେ ଭାଗ ପାଇବୁ । ତୋର କିଛି ଆପତ୍ତି ନାହିଁ ତ ଉମା, ସତ କହିଲୁ ?

କୃତଜ୍ଞତାରେ ଉମାର କଣ୍ଠ ରୁଦ୍ଧ ହୋଇ ଆସିଲା । ସେ ଉତ୍ତର ଦେଇପାରିଲା ନାହିଁ । ଟିକିଏ ଅପେକ୍ଷା କରି ଜଗୁ ଢଳଢଳ ଆଖିରେ ପୁଣି କହିଲା, କହ, କହ ଉମୀ, ତୋର କିଛି ଆପତ୍ତି ନାହିଁ ତ ? ସେ ଉମାର ମୁଣ୍ଡକୁ ତା କୋଳକୁ ଆଉଜାଇ ଆଣିଲା । ଶିଶୁଟି ପରି ତା’ର ଲଲାଟରେ ହାତ ବୁଲାଇଲା ।

ଉମା ଧୀରେ ଧୀରେ କହିଲା, ଆପତ୍ତି ଆଉ କଅଣ ?

ସେଇଆ କହ । ଜଗୁ ଉତ୍ତେଜନାରେ ମୁଣ୍ଡ ନୁଆଁଇ ଉମାର ଗଣ୍ଡରେ ଚୁମ୍ବନ କରି କହିଲା, ଠିକ୍ କଥା । ଯେଉଁଦିନ ତୋର ଜଗୁଭାଇ ଛତରରେ ପଶିବ, ତୁ ତାର ପଛେ ପଛେ ଗୋଡ଼ାଇ ଯିବୁ, ନା ? ଲୋକେ ପଛରେ ଥାଇ ଯେତେ ହସିବାର ହସୁଥାନ୍ତୁ । ଯେତେ ବଡ଼ ହେଲେ ବି ମୋ ଆଖିରେ ତୁ ସେଇ ସାତ ବର୍ଷର ପିଲାଟା, ସବୁଦିନେ । ନାଇଁ ଲୋ ?

ଆନନ୍ଦରରେ ଉମାର ଆଖିପତା ମୁଦି ହୋଇଆସିଲା ଜଗୁର କୋଳରେ । ସେ ଦୁଇଟି ଶୀର୍ଣ୍ଣ ହାତ ବଢ଼ାଇ ଜଗୁର ବେକରେ ଲମ୍ବାଇଦେଲା, ସତେ କି ଦୁଇବର୍ଷର ଶିଶୁଟି !

ଜଗୁ କହିଲା, ଉଠ୍ ଉମୀ, ସବୁ ଦୁଃଖ, ସବୁ ପାଗଳାମୀ ତୋର ଫିଙ୍ଗିଦେ । ଜଗୁ ଉମାକୁ ସାଙ୍ଗରେ ନେଇ ଗୋବିନ୍ଦ ସାହୁ ଘରେ ପହଞ୍ଚିଲା । ସେତେବେଳେ ସୂର୍ଯ୍ୟ ବୁଡ଼ିବା ଉପରେ । ଉମା ଓଦା ଲୁଗା ପିନ୍ଧି ଜଗୁର ଗାମୁଛାଟି ମୁଣ୍ଡରେ ପକାଇ ଆଗେ ଆଗେ ଚାଲିଛି, ଅଣ୍ଟା ଉପରେ ପାଣି ମାଠିଆ । ତା ପଛରେ ଜଗୁ । ଗୋଟିଏ ହାତରେ ଠେଙ୍ଗା, ଆର ହାତରେ ପାଣି ମାଠିଆ । ପିନ୍ଧିଥିବା ଖଦି ଲୁଗା ମଧ୍ୟ ପାଣିରେ ଜୁଡୁ ବୁଡୁ ହୋଇଛି । ମାଠିଆଟି ପିଣ୍ଡା ଉପରେ ରଖି ଠେଙ୍ଗାଟି କାନ୍ଥକୁ ଆଉଜାଇ ଜଗୁ ଘର ଭିତରକୁ ପଶି ବଡ଼ ପାଟି କରି ଡାକ ଛାଡ଼ିଲା, ମାଉସୀ !

ରେଣୁବୋଉ ରେଣୁକୁ କାଖରେ ଧରି ଘରଭିତରୁ ବାହାରି ଆସିଲେ । ଆଗରେ ଜଗୁକୁ ଦେଖି ସେ ଚମକି ଉଠିଲେ। କେଜାଣି କଅଣ କଅଣ ଉପଦ୍ରବ ଆରମ୍ଭ କରିବ ସେ । ମନରେ ଭୟ ହେଲା ।

ଜଗୁ ରେଣୁବୋଉଙ୍କୁ ଦେଖି ପେଟ ଭିତରେ ଘାଣ୍ଟି ହେଉଥିବା ସବୁ ରାଗରୋଷକୁ ଚାପି ରଖି ମୁଣ୍ଡ ନୁଆଁଇ ପ୍ରମାଣ କଲା ।

ରେଣୁବୋଉ ହସ ହସ ହୋଇ ପଚାରିଲେ, ଅପୁରୁବ କୁଆଡ଼େ ମ ? ମାମୁଁ ଘରକୁ ଯାଇଥିଲୁ ପରା ! ମାମୁଁ ଘର ଭାତ ଖାଇ ମୁହଁ ଏମିତି ଶୁଖିଯାଇଛି କି ?

ଜଗୁ ସାମାନ୍ୟ ହସି କହିଲା, ଅବିକା ତ ଫେରୁଛି ।

ହଉ, ଭଲ କଲୁ ବାପ ! ବସି ଯା ଟିକେ– ।

ରେଣୁକୁ କାଖରୁ ଓହ୍ଳାଇ ଖଣ୍ଡେ ଛିଣ୍ଡା ଅଖା ଆଣି ପିଣ୍ଡାରେ ପକାଇ ଦେଇକହିଲେ- ଚାଲି ଚାଲି ଆସିଛୁ, ଗୋଡ଼ ଥକିଯାଇଥିବ, ବସ୍ । ଜଗୁର ରୂପକୁ ଚାହିଁ କହିଲେ, ଏଁ, ଓଦାଲୁଗାଟା !

ଖରାରେ ଚାଲି ଚାଲି ଆସି ଦେହ ଗରମ ହେଲା ବୋଲି ନଈ ଧାରରେ ଗାଧୋଇ ପଡ଼ିଛି ।

ଜଗୁ ଅଖା ଉପରେ ବସିଲା । ରେଣୁବୋଉ କାନ୍ଥକୁ ଆଉଜି ବସି ରେଣୁକୁ କୋଳକୁ ଆଣି କହିଲେ, ଭଲ କଲୁ । ଯେଉଁ ତାତି ପଡ଼ିଛି, ଦିହ ହାତ ଜଳି ଯାଉଛି ।

ଉମା ଦୁଆର ଚାଳିର ଖୁଣ୍ଟକୁ ଆଉଜି ଠିଆ ହୋଇଥିଲା । ତାକୁ ଚାହିଁ କହିଲେ, ସେଠାଟାରେ କାହିଁକି ଠିଆ ହୋଇଛୁ ଉମୀ ? ପିଣ୍ଡା ଉପରକୁ ଆ । ଓଦା ଲୁଗାଟା ବଦଳିପକା । ଅଲଗୁଣିରେ ଗାମୁଛା ଅଛି ।

ଉମା ମୁଣ୍ଡର ଲୁଗା ଟାଣି ପିଣ୍ଡା ଉପରକୁ ଉଠିଲା । ନଇଁ ପଡ଼ି ହାତ ଦେଇ ଦୁଇଜଣଙ୍କ ମଝିରେ ଘର ଭିତରକୁ ଗଲା । ରେଣୁବୋଉ ତା ଆଡ଼କୁ ମୁହଁ ଫେରାଇ ବ୍ୟସ୍ତ ହୋଇ କହିଲେ, ଲୁଗାଖଣ୍ଡ ହକାଳି ଆସିବାକୁ ଦିନ ଦିପହରୁ ଗଲାଣି, ଫେରୁ ଫେରୁ ସଞ୍ଜ ବୁଡ଼ିଲା । ଏ ଯେଉଁ ଖରା, ପଦାକୁ ବାହାରିଲେ ତାଳୁ ଫାଟି ଯାଉଛି । କୁଆଡ଼େ ରହିଗଲୁ ?

ଜଗୁ କହିଲା, ମୁଁ ଫେରିଲାବେଳକୁ ତାକୁ ନଈକୁଳ ଆମ୍ବଗଛ ମୂଳରେ ଦେଖିଲି । କୁଆଡ଼େ କେହି ନାହିଁ, ପିଲା ଲୋକ, ଖରା ତାତିରେ ଏକୁଟିଆ ବସି କାନ୍ଦୁଛି ।

କାନ୍ଦିଲେ କି ହେବ ଲୋ ମା ? ଯେ ମରିଛି, ସେ ଆଉ ଫେରିବ ନାହିଁ । ମନକୁ ବୋଧଶୋଧ ଦେଇ ନିଜେ କିପରି ବଞ୍ଚିବା ସେ କଥା ଆଗେ ବିଚାର । ନିଜେ ଭଲ ତ ଦୁନିଆ ଭଲ, କିରେ ପୁଅ ?

ହଁ, ତା ନୁହେଁ କଅଣ । ବୋଉ ମଲା, ଉମୀକୁ ତମରି ହାତରେ ସମର୍ପି ଦେଇଗଲା । ତାର ଆଉ କିଏ ଅଛି ? ତୁମେ ଯଦି ନ ଚାହିଁବ ତ ସେ ଛତରକୁ ଯିବ ସିନା ।

କାହିଁକି ? ଆମେ କଅଣ ତାକୁ ଅଣହେଳା କରୁଛୁ ? ତେବେ, ଯାହାର ଯେତିକି ଶକ୍ତି ସେ ସେତିକି ବୋଝ ମୁଣ୍ଡାଇବ ସିନା । ଆମେ ତ ନ ପାରିଲା ଲୋକ ।

ହସି ହସି ଜଗୁ କହିଲା, ସେ କଥା କହିଲେ କିଏ ଶୁଣୁଛି ? ଭଲ ମନ୍ଦକୁ ଯିଏ କହିବ, ତମକୁ । ଉମୀ ଦାଣ୍ଡକୁ ବାହାରିଲେ ଲାଜ କାହାକୁ ?

ରେଣୁବୋଉ କଅଣ ଭାବିବାକୁ ଲାଗିଲେ ।

ଜଗୁ କହିଲା, ତାର ଯାହାକର, ସେ ଯେପରି ମୁଠିଏ ଖାଇବାକୁ ପାଏ ।

ସବୁଦିନେ କାହୁଁ ପାଇବୁଁ ବାବୁ ? ଯେତେଦିନ ଚଳୁଛି ଚଳୁ । ଶେଷକୁ ସଭିଙ୍କୁ ତ ଛତର ଖୋଜି ଘରୁ ଯିବାକୁ ହେବ । ଜୀବନ ଉପରେ ପଡ଼ିଲେ ଲାଜସରମ, ଭଲମନ୍ଦ, ମାନମର୍ଯ୍ୟାଦା, ଲୋକହସାକୁ ପଚାରେ କିଏ ?

ଜଗୁ ଚିନ୍ତା କରିବାକୁ ଲାଗିଲା । ହଠାତ୍ ରେଣୁବୋଉଙ୍କ କଥାର ଧରଣଟା ଏପରି ବଦଳିଲା କିପରି ? ତାକୁ ଦେଖିଲେ ଯେ ଆରମ୍ଭରୁ ଚିଡ଼ିଚିଡ଼ି ହୁଅନ୍ତି, ଆଜି ଏପରି ଆଦର ଦେଖାଇ ଆହ୍ଲାଦରେ ମନ ଖୋଲି କହୁଛନ୍ତି ଅତି ଆପଣାର ଲୋକ ପରି । କି ଭାଗ୍ୟର କଥା ।

ସେ ଖୁସି ହୋଇ କହିଲା, କାହିଁକି ଦୁନିଆରେ କେଉଁ କଥା ଅଚଳ ରହିଯାଇଛି ? ତମେ ଯଦି ଗରିବ ଉମା ପାଇଁ ଛାତି ପତାଇବ, ତାକୁ ଆଦର ସ୍ନେହ କରିବ, କୋଳକୁ ଟାଣିନେବ, ତମ ପ୍ରତି ଠାକୁରେ ସନ୍ତୁଷ୍ଟ ହେବେ । ତମର ଦୁଃଖ ସେ ନିଶ୍ଚୟ ହରଣ କରିବେ ।

ରେଣୁବୋଉ କିପରି ଭାବରେ ତାଙ୍କର ମନକଥାଗୁଡ଼ିକ କହି ଜଗୁର ମନ ନେବେ ସ୍ଥିର କରିପାରିଲେ ନାହିଁ । କହୁ କହୁ କଅଣ କହି ଦଉଥିବେ, ଜଗୁ ଯେପରି ଆଣ୍ଡୁଆ ପିଲା, କାଳେ ବିରକ୍ତ ହେଉଥିବ, ସେଥିକି ତାଙ୍କର ପ୍ରାଣେ ଡର । ସେ ରହି ରହି କହିଲେ, ଠାକୁରେ ତ ପଛ କଥା-। ତୁ ଯଦି ମନ କରୁ, ଗୋଟାଏ ଗରିବ କୁଟୁମ୍ବ କଅଣ ଖାଇବା ବିନା ଉପାସରେ ମରିବେ ? ସେଇ ଉମୀ କଥା ମୁଁ କହୁଛି । ଉମୀଠେଇଁ ତୋର ଯେପରି ଶରଧା, ତୁ ଚାହିଁଲେ କଅଣ ସେ ଚଳିଯିବ ନାହିଁ ?

ମୋତେ ତା ପାଇଁ ଯାହା କରିବାକୁ କହିବ, ମୁଁ ରାଜି । ତାର ଦୁଃଖ କଷ୍ଟ ଦେଖିଲେ ମତେ କଷ୍ଟ ଲାଗେ ।

ଲାଗିବାର କଥା । ତା ଠେଇଁ ତୋର ଯେପରି ସ୍ନେହ ହେଲେ ଖାଲି ଉପରଠାଉରିଆ ଶୁଖିଲା ସ୍ନେହ କଲେ ତାର ଦୁଃଖ ଯିବ ନାହିଁ, କି କାହାରି ଦୁଃଖ ଯିବ ନାହିଁ ।

ଉମାକୁ ଲକ୍ଷ୍ୟ କରି କହିଲେ, ଆଲୋ ଉମୀ, ଗାଧୋଇକରି ଆସିଛୁ, ପାଣି ଧରିବ । ସଙ୍ଗା ଉପର କାଇଁଚ ପାଚିଆରେ ମୁଢ଼ି ଅଛି, ଗଣ୍ଡାଏ ପାଟିକି ପକାଇ ଦେ । ହଁ ବେଳ ଯେମିତି, ଏଥିରେ ମୃତିକିଆକୁ କିଏ ସିଦ୍ଧି ବଘାରିବାକୁ ଯାଉଛି ? ସାତ ଦିନରେ ପଞ୍ଚାମୃତ ପାଣି ଛିଞ୍ଚି ହାଣ୍ଡି ବଦଳାଇ ଦେଲେ ଗଲା ।

ଜଗୁ କହିଲା, ସୁବିଧା ଅସୁବିଧା ଘେନି ସବୁ..... ।

ଆରେ ପୁଅ, ତୁ ଓଦାଲୁଗା ପିନ୍ଧି ବସିଲୁ, ଗାମୁଛାଟା ବଦଳିପକା ।

ଥାଉ, ଖରାଦିନ ତ ।

 

ହଁ, କ’ଣ କହୁଥିଲି ପୁଅ, ମନରେ କିଛି ଘେନିବୁ ନାହିଁ । ଯେତେବେଳେ ସମୟ ଥିଲା, ମୁଁ କହି କହି ଥକିଗଲି । ଏ ତ ଗଞ୍ଜେଇ ଧୂଆଁ ଟାଣି ଭୋଳ, ମୋ କଥାରେ କିଏ କାନ ଦେଉଛି ? ମୋ ସାନକୁହା ମାନି ଯଦି କେଉଁଠି ଉମାକୁ ଛନ୍ଦିଦେଇଥାନ୍ତେ, ତା ପାଇଁ ଭାବନା ପଡ଼ିଥାନ୍ତା କାହିଁକି-?

 

ସେ କଥା ଭାବି ଲାଭ ନାହିଁ । ଏ ବର୍ଷଟା କଟୁ ।

କଟିବ କେମିତି ?

 

ଉମାବୋଉ ମୋ ହାତକୁ ମାହାର୍ଦ୍ଦ ଦେଇଛି । ତା ପାଇଁ ଯାହା ଖର୍ଚ୍ଚ, ମୁଁ ଦେବି । ବୁଝି ଖବରଦାର, ଏ କଥା ଯେପରି ବାପାଙ୍କ କାନକୁ ନ ଯାଏ ।

 

ସେହି ତ ଅଡ଼ୁଆ । ତା ନ ହେଲେ ଉମାକୁ ତମ ଘରେ କିଛି ଦିନ ରହିବାକୁ ଛାଡ଼ି ଦିଅନ୍ତି-। ଲୋକେ ଦେଖି ନ ପାରି, ସହି ନ ପାରି କହିବେ । କହିଲେ କିଏ ଶୁଣୁଛି ? ଗାଁଟାରେ ତ ଏତେ ଲୋକ, କହିବାକୁ ସମସ୍ତେ, ଆପଦ ବେଳେ କିଏ ଆସି ଦୁଆରେ ଗୋଡ଼ ଦେଲା ?

 

ଜଗୁ ମୁହଁରେ ହାତ ବୁଲାଇ କହିଲା, ଗାଁ ଲୋକଙ୍କୁ ମୁଁ ଖିଏ କୁଟାପରି ଘେନେ ନାହିଁ । ତମକୁ ଏ କଥା କହିବାକୁ ପଡ଼ି ନ ଥାନ୍ତା । ଉମୀ ମୋର ଭଉଣୀ, ସେ ତମମାନଙ୍କ ଦାଉ ସହି, ଗଞ୍ଜଣା ସହି, ଉପାସ ଭୋକରେ ତମରି ଗୋଡ଼ତଳେ ପଡ଼ି ଶୁଖି ଶୁଖି କାଳକାଠ ହୁଅନ୍ତା ? ମୋର ଯଦି ଶକ୍ତି ଥାଆନ୍ତା, ସ୍ୱାଧୀନତା ଥାଆନ୍ତା, ମୁଁ ଏକଥା କରାଇ ଦିଅନ୍ତି ନାହିଁ । ତମ କହିବା ଆଗରୁ ମୁଁ ତାର ହାତ ଧରି ଘରକୁ ନେଇଯାନ୍ତି, ବୁଝିଲ ମାଉସୀ ! ଘୃଣାରେ ତାର ନାକପୁଡ଼ା ଫୁଲି ଉଠିଲା-। ସେ ପୁଣି କହିଲା, ଲୋକେ ଥଟ୍ଟା କରିବେ । ତମେ ଥଟ୍ଟା କରିଛ । ତମର ମନ ଯମିତି, ଭାବନା, ପ୍ରକୃତି ଓ କଥା ସେମିତି । ତମର ଥଟ୍ଟା ତାମସାକୁ ଜାଗୁ ଖାତର କରିବା ଲୋକ ନୁହେଁ ।

 

ରେଣୁବୋଉ ହସି ହସି କହିଲେ, ପୁଅ, ମୁଁ ଟାହି କରୁନାହିଁ, ତୁ ସେଦିନ ବୁଝିଲୁ ଓଲଟା । ତୁ ଯଦି ଜାତି ପୁଅ ହୋଇଥାନ୍ତୁ- ସତ କହିଲୁ, ଉମା କଅଣ ତୋ ଲାଖି ନୁହେଁ ? ପାଞ୍ଚଖଣ୍ଡି ଗାଁରେ ଉମା ପରି ସୁନ୍ଦରୀ ଲକ୍ଷ୍ମୀ ପିଲାଟାଏ ବାହାର କଲୁ ଦେଖି ! ସେ ଘର ଭିତରକୁ ଚାହିଁଲେ ।

 

ଉମା ଓଦା ଲୁଗା ଶୁଖାଇବାକୁ ପଦାକୁ ଆସୁ ଆସୁ ଖୁଡୀର କଥା ଶୁଣି ଓଢ଼ଣା ଟାଣି ଫେରିଗଲା । ତାର ମୁହଁ ରକ୍ତହୀନ ଦେଖାଗଲା । ଛାତି ଦାଉଁ ଦାଉଁ ପଡ଼ିଲା । ସତେ କି, ଗୋଡ଼ହାତରୁ ପ୍ରାଣ ଛାଡ଼ିଆସୁଛି ।

 

ଖୁଡ଼ୀଙ୍କର ବ୍ୟବହାର ଦେଖି, କଥାଭାଷା ଶୁଣି ସେ ଆରମ୍ଭରୁ କିଛି ବୁଝିପାରି ନଥିଲା । ଏତେ ଶୀଘ୍ର ମଣିଷର ଏପରି ପରିବର୍ତ୍ତନ ହୁଏ କି ? ଖୁଡ଼ୀଙ୍କର ପ୍ରତ୍ୟେକ କଥାର ଭିତିରି ଅର୍ଥ ଅଛି, ଉଦ୍ଦେଶ୍ୟ ଅଛି । ଉଦ୍ଦେଶ୍ୟ ଯାହା ହେଉ, ଉମାର ସେଥିରେ ଯାଏ ଆସେ କଅଣ ? ସେ ତ ଗୋଟାଏ ଗୋଡ଼ ଘର ଭିତରରେ ରଖି ଆର ଗୋଡ଼ ଦାଣ୍ଡକୁ ଟେକିଛି । ତା ନାମରେ ଲୋକେ ପାଞ୍ଚ କଥା କହିଲେ ସେ ଶୁଣିବ କାହିଁକି, ଖାତର କରିବ କାହିଁକି ? ଲୋକଙ୍କର ଅଜଣା ସୁଆଗ ସହାନୁଭୂତିରୁ ତାକୁ ମିଳିବ କଅଣ ? ସେ ବହୁତ ସହିଛି । ଏଣିକି ଆଉ ସେ ଦବି ରହିବ ନାହିଁ । ଡରିହରି ପଥର ପରି ସର୍ବସହଣୀ ହୋଇ ମଥା ନୁଆଁଇ ଅପସରି ଯିବ ନାହିଁ । ତାକୁ ଯେ ପଦେ କହିବ, ସେ ତାର ଉତ୍ତର ମୁହେଁ ମୁହେଁ ଦେବ । ବିପଦ ଆସିବା ଯାଏ ସିନା ଭୟ । ଆସିଗଲେ ତ କଥା ସରିଲା ।

 

ରେଣୁବୋଉଙ୍କ କଥା ଶୁଣି ଜଗୁ କେତେ ଭାବିଲା । ଲୋକଙ୍କର ଢଙ୍ଗ ଦେଖ । ଅତି ସହଜରେ ଲୋକେ ବହୁତ କଥା ଅନୁମାନ କରି ନିଅନ୍ତି । ଯେତେ ଦ୍ୱାହି ଦେଲେ ବି ସେମାନଙ୍କର ପତିଆରା ଆସେ ନାହିଁ । ଆଚ୍ଛା, ଦେଖାଯାଉ, ସେମାନଙ୍କର ଉଦ୍ଦେଶ୍ୟ କଅଣ, ଅନୁମାନରେ ପକ୍ଷୀ ଲଗାଇ କେତେ ଉପରକୁ ଉଡ଼ିଯାଇ ପାରନ୍ତି ।

 

କହିଲା, ଉମା ମୋ ଲାଖି କି ନୁହେଁ, ସେ କଥା ମୁଁ ଜାଣେ ନାହିଁ । ତାକୁ ମୁଁ ସୁଖ ପାଏଁ । ବସ୍, ଏତିକି । ତମେମାନେ ଯେଉଁ ମତଲବ୍‍ରେ ଦେଖେଇ ଦେଖେଇ କଥାଗୁଡ଼ା ଫୋପାଡ଼ିଲା ପରି କହୁଛ, ଜଗୁ ଯେତେ ହୁଣ୍ଡା ହେଲେ ବି ସେ ତ ମଣିଷ, ତମ କଥାର ମର୍ମ କଅଣ ସେ ବୁଝି ନାହିଁ ? ବୁଝିଛି । ମାହାର୍ଦ ପାଖରେ ଜାତି ଅଜାତି, ଲାଖି ଅଲାଖି ନଥାଏ । ମହାର୍ଦ ହାତରେ ଦେଇ ତା ବୋଉ ମୋତେ ପୁଅ କରିଛି । ଉମା ମୋର ଭଉଣୀ । ବୁଝିଲ ମାଉସୀ, ଉମା ମୋର ଭଉଣୀ । ତା ହୋଇ ନ ଥିଲେ, ଜଗୁ ଜାତି ଅଜାତି ଘେନି ବସି ନ ଥାନ୍ତା ଆଜିଯାଏ । ଉମା ବି ତମର ଗଳଗ୍ରହ ହୋଇ ତମ ଘରେ ଦୁଃଖକଷ୍ଟ ସହି ମୁହଁମାଡ଼ି ପଡ଼ି ନ ଥାନ୍ତା ।

 

ରେଣୁବୋଉଙ୍କ ମୁଣ୍ଡରେ ସତେ କି ବଜ୍ର ପଡ଼ିଲା । ସେ ଲାଜରା ହୋଇ ତଳକୁ ମୁହଁ ପୋତିଲେ । ଉତ୍ତର ଦେବାକୁ ଭାଷା ପାଇଲେ ନାହିଁ । ଉମା ମଧ୍ୟ ଘର ଭିତରେ ଅବାକ୍ ହୋଇ ଜଗୁଭାଇର ଉତ୍ତେଜିତ କଥାଗୁଡ଼ା ଶୁଣିଗଲା । କଅଣ କହିବ କହିବ ହେଲା, କିନ୍ତୁ ସତେ ଯେପରି କିଏ ତାର ମୁହଁ ବନ୍ଦ କରି ଧରିଲା ।

 

ରେଣୁବୋଉ ଡରି ଡରି ଧୀରେ ଧୀରେ କହିଲେ, ମୁଁ ସେଇ କଥା କହୁଥିଲି ବାବୁ, ମୁଁ କଅଣ ଜାଣେ ନାହିଁ ? ଅପା ତୋତେ ମାହାର୍ଦ ଦେଇ ପୁଅ କରିଥିଲେ । ସାଆନ୍ତେ ଥାନ୍ତି । ସେ ତ ବହୁଦିନ ତଳର କଥା । ଯେଉଁଦିନ ଉମୀ ବୁଡ଼ି ମରୁଥିଲା, ତୁ ତୋ ଜୀବନକୁ ପାଣି ଛଡ଼ାଇ ତାକୁ ମରିଲାଠୁଁ ଉଦ୍ଧାରିଲୁ । ତେବେ ...

 

ଜଗୁ କହିଲା, ତେବେ ଫେବେ ଆଉ କିଛି ନାହିଁ । ତାକୁ ଦିନେ ମରଣ ମୁହଁରୁ ବଞ୍ଚାଇଥିଲି । ମୋରି ଆଖି ଆଗରେ ମୁଁ ତାକୁ ଛାତରରେ ପଶିବାକୁ ଛାଡ଼ିଦେବି କିପରି, କହିଲ ? ଉମା ଯେତେଦିନଯାଏ ପରଘରକୁ ନ ଯାଇ ତମ ଘରେ ଥିବ, ମୁଁ ତାର ସବୁ ଖର୍ଚ୍ଚ ତୁଲାଇବି । ଯଦି ମୁଁ ନପାରେ, ଯଦି ତେମେ ତାକୁ ଚଳାଇ ନ ପାର, ସେ ଛତରରେ ପଶିବ; କିନ୍ତୁ ଏକା ନୁହେଁ, ମୋ ସାଙ୍ଗରେ... । ଉମୀ, ଶୁଣ୍ ତ ।

 

ଉମାର ଆସିବାକୁ ଗୋଡ଼ ଚଳିଲା ନାହିଁ ।

 

ଜଗୁ ପୁଣି ଡାକିଲା, ଡରୁଛୁ କାହାକୁ ? ବାଟରେ ବସିଲା ଲୋକର କେଉଁଥିକି ଆଉ ଡର-? ଦାଦି ଖୁଡ଼ୀଙ୍କ ଆଶ୍ରାରେ ପଡ଼ି ରହି, ଭବିଷ୍ୟତ ତ ଉଜ୍ଜ୍ୱଳ କରିସାରିଛୁ, ଆଉ ଅଧିକ କଅଣ ? ଶୁଣ୍, ଏଠିକି ଆ.... ।

 

ଉମା ବାଧ୍ୟହୋଇ ଯନ୍ତ୍ରଚାଳିତ ପରି ଆସି ମୁଣ୍ଡର ଓଢ଼ଣା ଟାଣି ତା ଖୁଡ଼ୀ ପଛରେ ଠିଆହେଲା ।

 

ଜଗୁ କହିଲା, ଦେଖ୍‍, ତୋ ଖୁଡ଼ୀର ମୁକାବିଲାରେ କହି ଯାଉଛି, ମୁଁ ଯେକୌଣସି ଉପାୟରେ ତୋର ଚଳିବାର ଖର୍ଚ୍ଚ ଆଜିଠୁଁ ଯୋଗାଇବି । ଘରର ଆଉମାନେ ଯେପରି ଚଳିବେ ତୋତେ ସେହିପରି ଚଳିବାକୁ ହେବ, ବୁଝିଲୁ ?

 

ଉମା ନୀରବ ରହିଲା ।

 

ଜଗୁ କହିଲା, ଲୋକେ ବାରକଥା କହିବେ । ତୋ’ର ଏଇ ଖୁଡ଼ୀ ତୋତେ ଟାହିଟାପରା କରି ଅନେକ କଥା କହିବେ–

 

ରେଣୁବୋଉ କହିଲେ ଅ, ମୁଁ କଅଣ ଏଡ଼ିକି ଅମଣିଷ, ଅଜାଣିଲା ଲୋକ !

 

କହନ୍ତୁ । ସେଥିକି ତୋର ଭାବନା କଅଣ ? ବାଟରେ ବସିଲା ଲୋକର ଟାହିଟାପରାକୁ କି ଡର ଲୋ..... ? ଯେତେଦିନ ଭଲରେ ଚଳୁଛି, ଚଳୁ । ଯେଉଁଦିନ ନ ଚଳିବ, ସେଦିନ ଯାଇ ଛତରରେ ଆଶ୍ରା ଲୋଡ଼ିବୁ । ତେବେ, କହି ରଖିଛି, ତା ଆଗରୁ ଟିକେ ତୋର ଜଗୁଭାଇକି ପଚାରିବୁ-। ବୁଝିଲୁ ? ଯା... ।

 

ରେଣୁବୋଉଙ୍କ ମନ କଥା ଘଟିଲା ।

ଏକା ଉମୀର ଆଖିରେ ଲୁହ ଢଳ ଢଳ ହେଲା ।

ଜଗୁ ଘରକୁ ଫେରିଲା ।

 

–୧୧–

 

ଜଗୁ ଉତ୍ତେଜିତ ହୋଇ ଗୋବିନ୍ଦ ସାହୁ ଘରୁ ବାହାରିଆସି ଯେତେବେଳେ ଗାଁ ବରଗଛ ମୂଳେ ପହଞ୍ଚିଲା, ସେ ଦେଖିଲା, କେତେଜଣ ଗ୍ରାମବାସୀ ପାଖାପାଖି ହୋଇ ବସି କଅଣ କଥାଭାଷା ହେଉଛନ୍ତି । ହଠାତ୍ ଜଗୁକୁ ଆଗରେ ଦେଖି ସେମାନେ ଅସ୍ତବ୍ୟସ୍ତ ହୋଇ ଉଠି ଠିଆହେଲେ । ସନ୍ଦେହରେ ଜଗୁର ମୁହଁକୁ ଚାହିଁ, ଜଣ ଜଣ ହୋଇ ଧୀରେ ଧୀରେ ଭିନ୍ନ ଭିନ୍ନ ଦିଗରେ ପ୍ରସ୍ଥାନ କଲେ ।

ଜଗୁ ଏହାର କୌଣସି ଅର୍ଥ ବୁଝିପାରିଲା ନାହିଁ । ବୁଝିବାର ଅବସର ମଧ୍ୟ ନ ଥିଲା । କିପରି ଯାଇ ଘରେ ପହଞ୍ଚି ଭାଉଜ ବୋହୂଙ୍କୁ ପ୍ରଣାମ କରିବ, ବେଣୁକୁ ଆନନ୍ଦରେ କୋଳ କରିବ, ତାର ଏହି ଚିନ୍ତା । ସେ କାହାରିକୁ କିଛି ନ ପଚାରି ଘରମୁହାଁ ହୋଇ ଚାଲିଲା । ଘରେ ପହଞ୍ଚି ସେ ଦାଣ୍ଡରେ କାହାରିକୁ ଦେଖିବାକୁ ପାଇଲା ନାହିଁ । କେବଳ ଘରଭିତରୁ ବାପାଙ୍କର ପାଟି ଶୁଭିଲା । ସେ କାହା ଉପରେ ବିରକ୍ତ ହୋଇ ଗାଳି ଦେଉଛନ୍ତି ।

ସେ ଗୋଡ଼ ଚିପି ଚିପି ଘର ଭିତରକୁ ପଶିଲା । ତଳ ଖଞ୍ଜାରେ କେହି ନାହାନ୍ତି । କଥା କଅଣ ? ଭାଉଜବୋହୂ ଆସି ନାହାନ୍ତି । ତାଆର ଚକ୍ରାନ୍ତ ଧରା ପଡ଼ିଗଲା କି ? ବେଣୁ କାହିଁ ?

ମନରେ ଭୟ ହେଲା । ସେ ତରଙ୍ଗ ତରଙ୍ଗ ହୋଇ ଏ ଘରୁ ସେ ଘରକୁ ଚାହିଁ, ଅମାର ଖଞ୍ଜାଆଡ଼େ ଚାଲିଲା । ବାଟଘର କାନ୍ଥ ଉହାଡ଼ରେ ଠିଆ ହୋଇ ଉଁକି ମାରି ଚାହିଁଲା । ଅମାର ଘର ମଝିରେ ଗୋଟାଏ ଓଳିଆ ଉପରେ ବସି ବାପା ଅନର୍ଗଳ କାହାକୁ ଗାଳିଦେଇ ଯାଉଛନ୍ତି । ଟିକିଏ ଦୂରରେ ନେତୀ ମୁଣ୍ଡରୁ ଲୁଗା କାଢ଼ି ପଧାନଙ୍କର ବତ୍କୃତା ଶୁଣୁଛି । ବେଣୁ କାନ୍ଥକୁ ଆଉଜି ତୁନି ହୋଇ ଠିଆ ହୋଇଛି । ହାତ ଟେକି ଆଖି ପୋଛୁଛି ।

ଘଟଣା କଅଣ ଜାଣିବାକୁ ସେ କାନ ପାରିଲା - ଗାଳିଟା ହେଉଛି ତାଆରି ଉପରେ ।

ଜଗୁ କୁଳାଙ୍ଗାର ପୁଅ । ତା ନେଇ ଘରର ସବୁ ଅନିଷ୍ଟ । ତାକୁ ବିଶ୍ୱାସ ନାହିଁ । ପିଲାକୁ ଶିଖାଇ ଚିଠି ଜାଲ କରି ପଠାଇବାରୁ ଏପରି କାଣ୍ଡ ଘଟିଲା ସିନା । ବୋହୂ ଯଦି ବାପଘରୁ ଗୋଡ଼ କାଢ଼ି ଅବେଳରେ ଆସି ନ ଥାନ୍ତେ, ରାତିରେ ସେ ଚୋର ହାବୁଡ଼େ ପଡ଼ିଥାନ୍ତେ କାହିଁକି ? ମାଡ଼ ଖାଇ ହତଜ୍ଞାନ ହୋଇ ଅପନ୍ତରାରେ ଶୋଇଥାନ୍ତେ କାହିଁକି ? ତେବେ, ବୁଝିବାକୁ ଗଲେ ତାଙ୍କର ଦୋଷ ନାହିଁ । ଶଶୁରଙ୍କ ନାମରେ ଜାଲ୍ ହୋଇଥିବା ଚିଠି ପାଇ ଆଦେଶ ମାନି ସେ ବାହାରି ପଡ଼ିଥିଲେ । ସେ ତ ଆଉ ଜାଣି ନ ଥିଲେ, ବାଟରେ ଏପରି ବିପଦ ପଡ଼ିବ ! ତାଙ୍କ ଘର ଲୋକଙ୍କର କି ଦୋଷ ? ସେମାନେ ତ ଜାଣନ୍ତି ନାହିଁ । ଚିଠି ନା ଚିଠି, ତା ଭିତରେ ଏତେ କଥା ଅଛି ବୋଲି କିଏ ଠଉରାଇବ ? ଭଲ ବଳଦର ଲାଙ୍ଗୁଡ଼ ଖଣ୍ଡିଆ । ଦୋଷଟା ଷୋଳଅଣା କୁଳାଙ୍ଗାର ଜଗୁର !

ନେଡ଼ି ଗୁଡ଼ କହୁଣୀକି ବୋହିଯାଇଛି । ଭୁଲ ସୁଧାରି ନେବାର ଉପାୟ ନାହିଁ । ଆଉ କେହି ନୁହେଁ, ଯେତେ ଭଲ ହେଲେ ବି ଜାତିରେ ପଠାଣ, ବିଧର୍ମୀ । ଦୟା ପାଇ ଘରକୁ ନେଇ ସାଷ୍ଟାମ କଲେ, ହଁ, କି ଲାଭ ମିଳିବ ? ପଠାଣ ଘରେ ଆଶ୍ରୟ ନେବା ମାନେ ଜାତି ହରାଇବା । କୁଳର ଲକ୍ଷ୍ମୀ, କୁଳର ବୋହୂ, ବଡ଼ବଡ଼ୁଆଙ୍କୁ ପାଣି ଟେକିବାର କଥା । ସେ ବିଧର୍ମୀ ପଠାଣ ଘରେ ରହିଲେ, କାୟା ନଷ୍ଟ ହେଲା । ସେ ପୁଣି ଘରକୁ ଆସନ୍ତେ କିପରି ?

କେଉଁ ସାହାସରେ ଘରକୁ ତାଙ୍କୁ ଆସିବାକୁ ଖବର ପଠାନ୍ତେ ପଧାନେ ? ସେ ଦାଣ୍ଡପିଣ୍ଡାରେ ଗୋଡ଼ ଦେବା ସଙ୍ଗେ ସଙ୍ଗେ ପୂର୍ବପୁରୁଷ ସପ୍ତସ୍ୱର୍ଗରୁ ଖସିପଡ଼ନ୍ତେ ନରକକୁଣ୍ଡରେ । ଛାର ବିଧବା ବୋହୂଟା ପାଇଁ ସପ୍ତପୁରୁଷଙ୍କୁ ନରକରେ ପକାଇ ଘାଣ୍ଟିବାକୁ ପଧାନଙ୍କର ଛାତି ପତେଇଲା ନାହିଁ । ତା ପରେ ପୁଣି ଜାତି ଭାଇଙ୍କର ଜୁଲୁମ ! କଥା କିଛି ଲୁଚି ରହନ୍ତା ନାହିଁ । ଆଜି ନ ହେଲେ କାଲି ପଦାକୁ ଫୁଟି ବାହାରନ୍ତା । ଲୋକଙ୍କର ଜାତିଆର ଦାଉ ସହିବା ସହଜ ପଡ଼ିଛି ? ସମସ୍ତେ ଏକାଠି ହୋଇ ଅକଡ଼େଇ ଦିଅନ୍ତେ । ଏତେ ତେଣ୍ଟାରୁ ମିଳିବ କଅଣ ? ବୋହୂଙ୍କୁ ଘରକୁ ଆସିବାକୁ ଖବର ନ ପଠାଇ ଯେଉଁଠୁ ଆସିଥିଲେ ସେଇଠି ଛାଡ଼ି ଆସିବାକୁ କହିଛନ୍ତି । ଭଲ କାମ କରିଛନ୍ତି । ଆଗେ ସେ ବାପଘରେ ରହନ୍ତୁ, ପରେ ଦେଖାଯିବ ।

ସବୁ ଦୋଷ ଜଗୁର । ସେଟା ମଣିଷ ହେଲା ନାହିଁ । ହୁଣ୍ଡାଟାଏ । ଦୁଶ୍ଚରିତ୍ର । ପରଝିଅ ପ୍ରତି ଆଖି ! ଛି ! ଛି ! ଶୁଣି ଶୁଣି ପଧାନଙ୍କର କାନ ବଧିର ହେଲାଣି । ନେତୀ ନିଜେ ଦି ଆଖିରେ ତାଙ୍କ ଢଙ୍ଗ ଦେଖିଛି । ବିଶ୍ୱାସ ନ କରି ରହି ହେଉ ନାହିଁ । ଉମା କଥା ଦାଣ୍ଡରୁ ଯାହା ଶୁଣନ୍ତୁ ନ ଶୁଣନ୍ତୁ, ନିଜେ ନେତୀ ତାଙ୍କୁ କହିଛି । ଉମା ଗୁଡ଼ିଆ ଘର ଝିଅଟା । କିଛି ପିଲା ନୁହେଁ, ବଢ଼ିଲା ଝିଅ-। ତା ସଙ୍ଗେ ଏତେ ରାଜଘସା, ମିଳାମିଶା, ହସାହସି, କଥାଭାଷା କରିବା ଦରକାର କଅଣ ? ସାହସ ଦେଖ ! ବେଳ ପାଇଲେ ଟୋକୀଟା ଠୁଙ୍ଗ୍ ଠୁଙ୍ଗ୍‍ ପଧାନଙ୍କ ଘରକୁ ଦିନ ଦିପହରେ ଚାଲିଆସେ । ତାର ବି ଲାଜସରମ ନାହିଁ । ତାଙ୍କ ଘରେ ତାକୁ କେହି ଆକଟ କରନ୍ତି ନାହିଁ । କେଡ଼େ ଲାଜର କଥା ! ବେମହତ ଲୋକହସା କଥା !

ଅମାରରୁ ଧାନ ଯାଉଛି କୁଆଡ଼େ ? କୋଠିଆ ଚାକରଙ୍କୁ ଧର, ୟାକୁ ପଚାର, ତାକୁ ପଚାର ! ଚୋର ତ ଘରେ, ଦାଣ୍ଡରେ ବାଡ଼େଇହେଲେ କିଏ ଶୁଣୁଛି ? ଭାଗ୍ୟକୁ ଦିନେ ନେତୀ ଲୁଚି ଦେଖିଲାକୁ ସିନା ଜଣାପଡ଼ିଲା ! ଘର ପୁଅ ଯଦି ମୂଷାପରି ଗୁଳୁ ଗୁଳୁ କରି ନେଇ ପରଘରେ ପୂରାଇବ, ସେଥିକି କିଏ କଅଣ କରିବ ? କୁଳାଙ୍ଗାର ପୁଅଟା, ଯଦି ଜାଣି ଜାଣି ଘରର ଚିଜ ଉଜାଡ଼ିବ, ମଣିଷର କି ଚାରା ? ଗୋବିନ୍ଦ ସାହୁକୁ ସୁବିଧା ପଡ଼ିଛି । ସେ କାହିଁକି ବାଧା ଦେବ ? ଭଲ ବେଉସା ଚଳାଇଛି !

ଟୋକାଟା ଅସମୟରେ ଯାଇ ମାମୁଁଘରେ ପଶିଲା । ଟିକିଏ ହୋଇ ଦାୟିତ୍ୱଜ୍ଞାନ ନାହିଁ । ହଇଜା ବସନ୍ତ ଗାଁ ଗାଁ ବ୍ୟାପିଗଲାଣି । ଯାଇଛି ତ ଯାଇଛି, ଖବର ଅନ୍ତର କିଛି ନାହିଁ । ଗାଁ ଲୋକଙ୍କର ଯେଉଁ ଢଙ୍ଗ, ଘଡ଼ିଏ ଗଲେ ଯୁଗେ ବିତୁଛି !

ଜଗୁ ଧୈର୍ଯ୍ୟ ଧରି ସବୁ ଶୁଣିଗଲା । ତା ମନରେ ରାଗ ହେଲା ଯେତେ, ଦୁଃଖ ତହୁଁ ବଳି ପଡ଼ିଲା । ପ୍ରକୃତରେ ଏକା ସେ ହୁଣ୍ଡା, ନିର୍ବୁଦ୍ଧିଆ ! ନେତୀକୁ ବିଶ୍ୱାସ କରିବା ତା ପକ୍ଷରେ ଭଲ ହୋଇନାହିଁ । ତା ଅନୁପସ୍ଥିତିରେ ନେତୀ ମିଛ ସତ କରି ତା ବିରୁଦ୍ଧରେ ପଧାନଙ୍କ ଆଗରେ ବାର କଥା କହିଛି । ଗରିବ ନିରୀହ ଉମାର ନିର୍ମଳ ଚରିତ୍ରକୁ କଳଙ୍କିତ ବୋଲି ଲୋକଙ୍କ ମନରେ ଧାରଣା କରାଇବାକୁ ଚେଷ୍ଟା କରିଛି । ଏହାର ପ୍ରତିଫଳ ସେ ଦିନେ ନେତୀକୁ ଦେବ, ଆଜି ନୁହେଁ । ତା’ର ମୁହଁ କେତେଦୂର ବଢ଼ୁଛି, ବଢ଼ୁ । ପଧାନଙ୍କ ଆଗରେ ତାକୁ ଚୋର ଲମ୍ପଟ କହି ଲୋକମୁଖରେ ତାକୁ ଓ ଉମାକୁ ବୃଥା ଦୋଷୀ ବୋଲି ପ୍ରଚାର କରିବାର ପରାଭବ ଦିନେ ସେ ତାକୁ ଦେବ । ସେହିଦିନ ହେବ ତା ପାପର ଉପଯୁକ୍ତ ପ୍ରାୟଶ୍ଚିତ, ଯେଉଁ ଦିନ ଗାଁ ଲୋକଙ୍କ ଆଗରେ ନେତୀର ଚୁଟି ଧରି ଓଟାରି ଗାଁ ସୀମା ପାରି କରିବ ।

ଜଗୁ ରାଗରେ ହାତ ମୁଠା କରି ଓଠ କାମୁଡ଼ିଲା । ଇଚ୍ଛା ହେଲା, ଧୂମକେତୁ ପରି ନେତୀ ଆଗକୁ ବାହାରି ପଡ଼ିବ । ହାତମୁଠାର ସଦ୍‌ବ୍ୟବହାର କରି କାନଧରି ପଚାରିବ, କଅଣ ଦେଖିଛୁ ? ବାପାଙ୍କ ଆଗରେ ତୁନି ତୁନି ନାମରେ କଅଣ ଫୋଡ଼ିଛୁ ? ମୋ ମୁହଁରେ ଆହୁରି ଥରେ କହତ ନେତୀ, ତୋଓର କେତେ ସାହାସ ଅଛି, ମୁଁ ଦେଖେ ?

 

ଭୋକରେ ଜଗୁର ପେଟ ଜଳୁଥିଲା । ଗାଳି ଖାଇ କ୍ଷୂଧା କଅଣ ଉପଶମ ହୁଅନ୍ତା ? ତାର ଆଖିରେ ଲୁହ ଆସିଲା । ସେ ଚାଳର ବତାକୁ ଦୁଇ ହାତରେ ଧରି ମୁହଁକୁ କାନ୍ଥରେ ମାଡ଼ି ବାପାଙ୍କର ଗାଳି ଶୁଣିବାକୁ ଲାଗିଲା ।

 

ଦୁଃଖ, କୋହ, ଉତ୍ତେଜନାରେ ମନ ଚଞ୍ଚଳ ହୋଇ ଉଠିଥିଲା । ସେ କଅଣ ଏଡ଼େ ଉଦ୍‌ବିଗ୍ନ ହୋଇ, ଏଡ଼େ ଅଧୀର ହୋଇ, ମାମୁଁଘରୁ ଧାଇଁ ଆସିଥିଲା, ଏହି ଅପ୍ରିୟ କଥା ଶୁଣିବ, ଆଉ ଏହି ଭୀଷଣ ଦୃଶ୍ୟ ଦେଖିବ ବୋଲି ! ଛି, କି ଦୁଃଖର କଥା !

 

ଭାଉଜବୋହୂଙ୍କୁ ଦେଖିବାକୁ ଧାଇଁ ଆସିଥିଲା । ଭାଉଜବୋହୂ କାହାନ୍ତି ? ପଧାନଙ୍କ କଥାରୁ ଘଟଣାଟି କଅଣ ସେ ବୁଝିପାରିଲା ନାହିଁ ? ସତେ କଅଣ ସେ ତା ଭାଉଜବୋହୂର ସର୍ବନାଶର କାରଣ ହୋଇଛି ? କଥା ନ ବୁଝିବାଯାଏ ମନ ସ୍ଥିର ହୁଅନ୍ତା କିପରି ? ମିଛ ସତ କହି ତାକୁ ଯେତେ ନିନ୍ଦା କରିବାର କରନ୍ତୁ–ନିର୍ଦ୍ଦୋଷ ହତଭାଗିନୀ ଭାଉଜବୋହୂଙ୍କ ପ୍ରତି କେହି କଠୋର ବ୍ୟବହାର କରିପାରିବେ ନାହିଁ । ସେ କଦାପି ଏହା କରାଇଦେବ ନାହିଁ ।

 

ଜଗୁ ଆଖିରୁ ଲୁହ ପୋଛିଲା । ହୃଦୟର ସବୁ ଦୁଃଖ, ମନର ସବୁ କ୍ରୋଧ ଚାପିରଖି ସେ ଧୀରେ ଧୀରେ ବାଟଘରୁ ବାହାରି ଅମାରଘର ଖଞ୍ଜାକୁ ଗଲା । ବେଳ ବୁଡ଼ିଲାଣି । ଲଜ୍ଜାଶୀଳା କୁଳକାମିନୀ ପରି ସଞ୍ଜ ଅନ୍ଧାର ଛପି ଛପି ଧୀରେ ଧୀରେ ଆସୁଛି ।

 

ଜଗୁ କାହାକୁ କିଛି ନ କହି, ପଧାନଙ୍କ ଆଗରେ ଯାଇ ଠିଆହେଲା ।

 

ତାକୁ ଦେଖିବା ସଙ୍ଗେ ସଙ୍ଗେ ପଧାନଙ୍କର ପାଟି ଥମିଲା । ସେ କାବା ହୋଇ ଜଗୁର ଗୋଡ଼ରୁ ମୁଣ୍ଡଯାଏ ଚାହିଁଲେ । ତାଙ୍କ ମନରେ ଭୟ ହେଲା, କି ଦୁଃଖ ହେଲା, କି ଆନନ୍ଦ ହେଲା, କହି ହେବ ନାହିଁ । ସେ ନରମ ସ୍ୱରରେ ପଚାରିଲେ, କେତେବେଳେ ବାହାରିଲୁ ବାପ, ଏ ଖରାଏ ଖରାଏ ? ମୁହଁଟା ଶୁଖିଯାଇଛି । ଆଲୋ ନେତୀ, ଯା, ଯା,..ପୁଅର ଖାଇବା ଖବର ବୁଝ ଆଗ ।

 

ବାପାଙ୍କୁ ଦଣ୍ଡବତ କରିବାକୁ ସେ ଭୁଲିଯାଇଥିଲା । ହଠାତ୍ ମନେ ପଡ଼ିବାରୁ ମୁହଁ ଗମ୍ଭୀର କରି ପ୍ରଣାମ କରି କହିଲା, ହଁ ଖରାଏ ଖରାଏ ।

 

ଜଗୁକୁ ଦେଖି ନେତୀ ଉଠି ଠିଆ ହୋଇଥିଲା । ସେ ହସ ହସ ହୋଇ ପଚାରିଲା, ଏତେ ଦିନକେ ମନେ ପଡ଼ିଲା ବାପ ! ଯା, ଆଗ ଗୋଡ଼ ଧୋଇପକା । ଭୋକ କରୁଥିବ, ମୁଠିଏ ସଜ ପଖାଳ ଆଣେ... । ଉତ୍ତର ନ ପାଇ ନେତୀ ତତ୍ପର ହୋଇ ବାହାରିଗଲା ।

 

ତଳକୁ ମୁହଁ କରି ବେଣୁ ତୁନି ହୋଇ ଠିଆ ହୋଇଥିଲା । କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖିଯାଇଥିଲା । ପିଲାଲୋକ, ନ କାନ୍ଦନ୍ତା କିପରି ? ଜେଜେ ତାର କାନ ଧରି ନାଲି ଆଖି ଦେଖାଇ, ପ୍ରହାର କରିବାକୁ ଭୟ ଦେଖାଇ ସତ କଥା ପଚାରିଲେ । ସେ ଉପାୟାନ୍ତର ନ ଦେଖି ସତ ସତ କଥା କହିଯାଇଥିଲା, କିପରି ଦାଦାର ଶିକ୍ଷାରେ ପଡ଼ି ସେ ଅସଲ ଚିଠି ଚିରିବାକୁ ଦେଇ ଦାଦାଙ୍କର କହିବାମତେ ଅନ୍ୟ ଚିଠି ଲେଖିଥିଲା ଇତ୍ୟାଦି । ପଧାନ ବୁଢ଼ା ସବୁ ଶୁଣି ବେଣୁକୁ କ୍ଷମା ଦେଲେ ସତ, କିନ୍ତୁ ବିରକ୍ତ ହୋଇ ଜାଲ୍ ଚିଠିର ବିଷମୟ ଫଳ ବୁଝାଇଦେଲେ - ତୋ’ର ବୋଉ ପଠାଣ ଘରେ ରହିଲା, ତା’ର ଜାତି ଗଲା । ସେ ଆଉ ଆସି ପାରିବ ନାହିଁ । ବୋଉକୁ ଆଉ ଜୀବନରେ ତୁ ଦେଖିପାରିବୁ ନାହିଁ, କି ବୋଉ ବୋଲି ଡାକିପାରିବୁ ନାହିଁ, ଇତ୍ୟାଦି–

 

ଶିଶୁ ମନରେ ଏହି କଥାଗୁଡ଼ିକ ଦାରୁଣ ଆଘାତ ଆଣିଥିବ । ପ୍ରଧାନଙ୍କ ବୟସର ପୋଖତା ଲୋକ କିପରି ଯେ ବୁଝିପାରିଲେ ନାହିଁ, ଆଶ୍ଚର୍ଯ୍ୟ ! ତାର ବିରସ ମୁହଁ, ସଜଳ ଆଖି ଦେଖି ତାକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ, ଦୋଷଗୁଡ଼ା ଜଗୁ ଉପରେ ଟାଳିଦେବାକୁ ସେ ଗର୍ଜ୍ଜନ କରି ଜଗୁ ଉଦ୍ଦେଶ୍ୟରେ ବାକ୍ୟବାଣ ବର୍ଷଣ କରିବାକୁ ଲାଗିଲେ । ବେଣୁ କାନ୍ଥକୁ ଆଉଜି, ବୋଉ କଥା ଭାବି କାନ୍ଦିବାକୁ ଲାଗିଲା । ସତେ କ’ଣ ତାର ବୋଉ ଅଜାତି ହୋଇଗଲା, ଆଉ ଘରକୁ ଫେରିବ ନାହିଁ ? ସେ ଦେଖିବ ନାହିଁ ?

 

ଦାଦାକୁ ଆଗରେ ଦେଖି ତାଆର ସବୁ ଭୟ, ଭାବନା ଉଭେଇଗଲା । କିନ୍ତୁ ଦୁଃଖର କୋହ ତୁହାଇ ତୁହାଇ ଟିକି ହୃଦୟଟିକୁ ଅସ୍ଥିର କରି ପକାଇଲା । ମନରେ ସାହସ ଆଣି ସେ ଧାଇଁଯାଇ ଜଗୁକୁ କୁଣ୍ଢାଇ ଧଇଲା । ମନର ଉଦ୍‌ବେଗ ସହି ନ ପାରି କଇଁ କଇଁ ହୋଇ କାନ୍ଦିଉଠିଲା । ଜଗୁ ଦୁଇ ହାତରେ ତାକୁ ଟେକିନେଇ ଛାତିରେ ଭିଡ଼ି ଧରିଲା । ତାକୁ ବାରମ୍ବାର ଚୁମ୍ବନ କରି ସଜଳ ଆଖିରେ ଭଙ୍ଗା କଣ୍ଠରେ କହିଲା, ତୁନି ହ, ତୁନି ହ... । ଅଧିକ କିଛି କହିପାରିଲା ନାହିଁ । ବେଣୁକୁ କାନ୍ଧରେ ପକାଇଲା ।

 

ଏ ଦୃଶ୍ୟରେ ପଧାନଙ୍କର ମନ ଯେ କଅଣ ହେଲା, କେବଳ ତାଙ୍କୁ ହିଁ ଜଣା । ସେ କିଛି କହି ପାରିଲେ ନାହିଁ । ନେତୀକୁ ପାଣି ନୋଟାଏ ଆଣୁଥିବାର ଦେଖି ସେ କହିଲେ ଗୋଡ଼ ଧୋଇ ପକାରେ ଜଗୁ ।

 

ଜଗୁ ପଚାରିଲା, ବାପା, ଭାଉଜବୋହୂ ନାହାନ୍ତି ?

 

ପଧାନେ ମୁଣ୍ଡ କୁଣ୍ଡାଇ କହିଲେ, ସେ କଥା ପରେ ଶୁଣିବୁ, ଆଗ କିଛି ଖାଇ ନେ । ନେତୀଆଡ଼କୁ ମୁହଁ ଫେରାଇ କହିଲେ, ପୁଅକୁ ଜଳଖିଆ ଆଣି ଦେ ନେତୀ ଏଇଠିକି ଆଣ୍‌ ।

 

ଜଗୁ କହିଲା, ମୁଁ ସବୁ ଶୁଣିଛି ବାପା । ଆପଣଙ୍କର ଗାଳି ଖାଇ ମୋର ପେଟ ପୂରିଛି । ଆଉ ଖାଇବାକୁ ଇଚ୍ଛା ନାହିଁ । ଆଗ କହନ୍ତୁ, ଭାଉଜବୋହୂ କାହାନ୍ତି ?

 

ପଧାନେ ଜଗୁ ମୁହଁରୁ ଏପରି କଥା କେବେ ଶୁଣି ନ ଥଲେ, ଶୁଣିବେ ବୋଲି ଆଶା ମଧ୍ୟ କରି ନ ଥିଲେ । ଆଖି ଆଗରେ ସଳଖ ହୋଇ ଠିଆ ହେବାର ଯାହାକୁ ଦିନେ ସେ ଦେଖି ନ ଥି‌ଲେ, ସେ ଆଜି ସାମନା ଉପରେ ତେଜିକରି କଥା କହୁଛି, ଜବାବ ଚାହୁଁଛି । ପଧାନେ କି ଏପରି ଉଚ୍ଛୃଙ୍ଖଳତା ସହିବାର ଲୋକ ! ତଥାପି, ସେ ରାଗକୁ ସମ୍ଭାଳି ନେଇ କହିଲେ, ଆରେ, ମୁଁ ତ କୁଆଡ଼େ ପଳାଉନାହିଁ । ସବୁ କଥା ପରେ ଶୁଣିବୁ । ନିଜ କଲା କର୍ମର ଫଳ ତ ।

 

ଜଗୁର ରାଗ ବଢ଼ିଲା । ସେ ବେଣୁକୁ ତଳେ ଠିଆକରି କହିଲା, ସେ କଥା ମୁଁ ଜାଣେ । ମୁଁ ମୂର୍ଖ । ମୁଁ କୁଳାଙ୍ଗାର । ମୁଁ ଲମ୍ପଟ । ମୁଁ ଚୋର । ମୁଁ ସବୁ । ନେତୀ ମିଛରେ ସତରେ ଆପଣଙ୍କୁ ମୋ ନାମରେ ଯାହା ବୁଝାଇଛି, ଆପଣ ତାହା ବିଶ୍ଵାସ କରିଛନ୍ତି । ଭଲ କଥା । ଆପଣଙ୍କ ବିଶ୍ଵାସ ମୁଁ ଭାଙ୍ଗିବାକୁ ଯାଉନାହିଁ । ମୁଁ ଜାଣେ, ମୁଁ ଯାହା କରିଛି, ଭଲ କରିଛି । କହନ୍ତୁ, ଭାଉଜବୋହୂଙ୍କର ଆସିବାର କଥା ଥିଲା, ସେ ନ ଆସିଲେ କାହିଁକି ?

 

ପଧାନେ ରାଗିଯାଇ କହିଲେ, କିରେ–ତୋ ମୁଣ୍ଡରେ ସଇତାନ ବଢ଼ିଛି କି ? ମୁରବୀ ମାନଣା ନାହିଁ ? କଥାଗୁଡ଼ା କହୁଛୁ କେମିତି ?

 

ଜଗୁ ପୂର୍ବପରି କହିଲା, ଆପଣଙ୍କୁ କିଛି ଅମାନ୍ୟ କରିନାହିଁ । ଘଟଣା ଜାଣିବାକୁ ଚାହୁଁଛି-

 

ପଧାନେ ଦବିଗଲେ । କଳିକାଳିଆ ଟୋକା । ଦାୟିତ୍ୱଜ୍ଞାନ ନାହିଁ । ରାଗରେ ମୁଣ୍ଡକୁ ପିତ୍ତ ଉଠିଲେ ଚନ୍ଦ୍ରସୂର୍ଯ୍ୟ ମାନନ୍ତି ନାହିଁ । ଘଟଣାଟା ନ କହିଲେ ଛାଡ଼ିବ ନାହିଁ । ସେ ଗଳା ଖଙ୍କାରି କହିଲେ, ବ୍ୟସ୍ତ ହେଉଛୁ କାହିଁକି ? ଶୁଣ୍‌ ମୁଁ କହୁଛି ।

 

ପଧାନେ ସବୁ କଥା କହିଗଲେ । ଶେଷକୁ କହିଲେ, ବିକ୍ରମପୁର ମିଆଁଙ୍କ ଘରେ ରହିଲେ, ଜାତି ଗଲା । ଜାତିଭାଇଙ୍କ ବିନା ଅନୁମତିରେ, ବିନା ପ୍ରାୟଶ୍ଚିତ୍ତରେ ଘରକୁ ଆସିବାକୁ ତାଙ୍କୁ ଅନୁମତି ଦିଅନ୍ତି କିପରି ?

 

ଜଗୁ ଉତ୍ତର ଦେବା ପୂର୍ବରୁ ନେତୀ ପଖାଳ କଂସା ଆଣି ଅମାର ପିଣ୍ଡାରେ ଲୁଣ, ତିଅଣ ଆଣିବାକୁ ଭିତର ଖଞ୍ଜାକୁ ଗଲା । ପଧାନେ କହିଲେ, ତୁ ଖାଇ ବସ୍‌ ତ ।

 

ଜଗୁ ଧୈର୍ଯ୍ୟ ଧରି ସବୁ ଶୁଣିଗଲା । ତାଆରି ପାଇଁ ତାଆର ସ୍ନେହମୟୀ ଭାଉଜବୋହୂ ପଠାଣଘରେ ଉପାସଭୋକରେ ପଡ଼ି କାନ୍ଦି କାନ୍ଦି ବେଳ କଟାଉଥିବେ, ଆଉ ସେ ଏଠି ଆନନ୍ଦରେ ଭାତ ଖାଇବ ! ନା, ଏହା କଦାପି ହୋଇପାରିବ ନାହିଁ । ବିପଦବେଳେ ଜାତି ଅଜାତି ଧରି ବସିବା ଅନୁଚିତ । ଆଗ ମମତା ନା, ଆଗ ଜାତିଧର୍ମ ? ଜୀବନ, ସ୍ନେହ, ମମତା ଅପେକ୍ଷା ଜାତି ବଡ଼ କଥା ନୁହେଁ । ହେଲେ ବି, ଅସମୟରେ ଜାତିଧର୍ମକୁ ଆଗକୁ ଆଣିବା ଅନ୍ୟାୟ ।

 

ଜଗୁ ବିନୀତ ହୋଇ କହିଲା, ବାପା, ଆପଣ ଭଲ କାମ କରିନାହାନ୍ତି । ସଙ୍ଗେ ସଙ୍ଗେ ଯାଇ ଭାଉଜବୋହୂଙ୍କୁ ସଙ୍ଖୋଳି ଆଣିବା ଉଚିତ ଥିଲା । ବର୍ତ୍ତମାନ ବି ବେଳ ବଳେଇ ପଡ଼ିନାହିଁ ।

 

ବେଖାତିରିଆ ହସଟା ହସି ପଧାନେ କହିଲେ, ଆରେ, ବୁଢ଼ା ହେଲି, ମୁଣ୍ଡରେ ପାକଲା ବାଳ ଝଡ଼ି ମୁଣ୍ଡ ଚନ୍ଦା ହେଲା । ଆଜିଯାଏ ଉଚିତ ଅନୁଚିତ ମୁଁ ଜାଣେ ନାହିଁ ଯେ, ତୁ ମୋଠୁଁ ଜନ୍ମ, କାଲିକାର ପିଲା, ତୋଠୁଁ ମୋତେ ଶିଖିବାକୁ ପଡ଼ିବ ? ଗୋଟାଏ ମାଇକିନା ପାଇଁ ସପ୍ତପୁରୁଷଙ୍କୁ ନରକରେ ଘାଣ୍ଟିବି ? ତୁ ମୋତେ ବୁଦ୍ଧି ଶିଖାଇବୁ ? ମୁଁ ଯାହା କରିଛି, ଠିକ୍‌ କରିଛି ।

 

ଜଗୁ ଦୁଃଖିତ ହୋଇ କହିଲା, ଆପଣ ବେଣୁର ମୁହଁକୁ ଚାହିଁ କହୁଛନ୍ତି ତ ? ଆପଣ ଜାତି ଡରରେ ଭାଉଜବୋହୂଙ୍କୁ ଛାଡ଼ିଲେ ଏକଥା ଶୁଣିଲେ ତାଙ୍କର ଭାଇ ବି ତାଙ୍କୁ ଘରେ ଥାନ ଦେବେ ନାହିଁ । ତାଙ୍କର ଗତି କଅଣ ହେବ, ଭାବୁଛନ୍ତି ?

 

ପଧାନେ କହିଲେ, ବେଣୁର ତ ଅଭାବ ନାହିଁ ।

 

ଜଗୁ କହିଲା, ସେ କଥା ଆପଣ କିପରି ବୁଝିବେ ? ଯେଉଁ ଅଭାବ ସୃଷ୍ଟି କରିବାକୁ ଯାଉଛନ୍ତି । ସେତକ ସଂସାରରେ କେହି ପୂରଣ କରିବେ ନାହିଁ । ତା ମନର ଦୁଃଖ ଆପଣ ବୁଝିପାରିବେ ନାହିଁ । ବୁଝିଲେ ବୁଝିବି ମୁହିଁ । ଜଗୁର କଣ୍ଠସ୍ଵର କରୁଣ ହୋଇଆସିଲା । ଆଜି ଯଦି ମୋର ବୋଉ ଥାନ୍ତା ।

 

ଜଗୁ ଆଖିରୁ ଲୁହ ପୋଛିଲା ।

 

ଶହେଟା ନେତୀ ମୋ ବୋଉର ଅଭାବ ପୂରଣ ପରିପାରିବେ, ବାପା ? ଜଗୁ ଆଉ କହିପାରିଲା ନାହିଁ ।

 

ବୁଢ଼ା ପଧାନଙ୍କର ପେଟଭିତର କଅଣ ହୋଇଗଲା । ବିଜୁଳି ବେଗରେ ସୁଦୂର ଅତୀତର. କେତେ ଚିତ୍ର ଆସି ଆଖି ଆଗରେ ନାଚିଗଲା । ସେ ଘଡ଼ିଏ ତୁନି ହୋଇ ରହିଲେ । ତାଙ୍କର ଆଖି ଓଦା ହୋଇ ଆସିଲା । ସେ ମନର ଦୁର୍ବଳତାକୁ ଦମନ କରି କହିଲେ, ନାଚାର ବାବା, ନାଚାର ! ପଠାଣଘର ପରା । ତାଙ୍କର ଯେଉଁ ଗତି ହେଉ ପଛେ ଜାତି ତ ଆଉ ନାହିଁ ।
 

ଜଗୁ କହିଲା, ସେ ଯଦି ଆଜି ଫେରି ଆସନ୍ତି, ଆପଣ ତାଙ୍କୁ ଘରେ ପୂରାଇବେ ନାହିଁ ? ସେ ତ ଜାଣି ଜାଣି ପଠାଣ ଘରକୁ ଯାଇ ନାହାନ୍ତି । ତାଙ୍କର କିଛି ଅପରାଧ ନାହିଁ ।

 

ପଧାନେ କହିଲେ, ଜାଣେ, କିନ୍ତୁ କଅଣ କରିବି ? ଧର୍ମ, ଦେଶାଚାର, କୂଳାଚାର ।

ତା ହେଲେ ତାଙ୍କୁ ଜାତି ଡରରେ ଆପଣ ଛାଡ଼ିଲେ ?

ଅନ୍ୟ ଉପାୟ ନାହିଁ ।

 

ଜଗୁ ତୁନି ହୋଇ ଭାବିବାକୁ ଲାଗିଲା । ଯେତେ ବୁଝାଇଲେ ଅବୁଝା ପଧାନେ ବୁଝିବେ ନାହିଁ । ଜାଣି ଜାଣି ସେ କିପରି ଏଡ଼େ ବଡ଼ ଅନ୍ୟାୟ ସହିବ ? ଭାଉଜ ଅନାଥା ହୋଇ ଜାତି ହରାଇ ଦାଣ୍ଡରେ ଠିଆ ହେବେ, ସେ ନିଶ୍ଚିନ୍ତ ହୋଇ ଘରେ ରହିବ କିପରି ? ନା, ଏ କଥା କଦାପି ହୋଇପାରିବ ନାହିଁ । ପଧାନେ ତାଙ୍କର ଜାତିଟାଣ ଘେନି ବସିଥାନ୍ତୁ । ସେ ମଧ୍ୟ ତା'ର ଭାଉଜବୋହୂର ଗତି ଅନୁସରଣ କରିବ ।

 

ଜଗୁ ବେଣୁର ହାତ ଧରି ପଚାରିଲା, ବେଣୁ, ତୁ ତୋର ବୋଉ ପାଖକୁ ଯିବୁ ?

ବେଣୁ ଭୟରେ ପଧାନଙ୍କ ମୁହଁକୁ ଚାହିଁଲା ।

କହ, ଯିବୁ ?

ବେଣୁ ଜଗୁର ପଛଆଡ଼କୁ ଯାଇ କହିଲା, ହଁ, ଦାଦା..... ।

 

ଜଗୁ ବେଣୁକୁ କାଖ କରି ପିଣ୍ଡା ଉପରୁ ତଳକୁ ଓହ୍ଲାଇ ପଧାନଙ୍କୁ ଚାହିଁ କହିଲା, ମୁଁ ଯାଉଛି ବାପା, ଆପଣଙ୍କର ଜାତିକୁ ଧରି ଘରେ ବସିଥାନ୍ତୁ । ଭାଉଜବୋହୂଙ୍କର ଆଶା ତ ଛାଡ଼ିଛନ୍ତି-। ଏଣିକି ଆମର ଆଶା ବି ଛାଡ଼ି ନିଶ୍ଚିନ୍ତ ହେଉନ୍ତୁ ।

 

ସଞ୍ଜ ଅନ୍ଧାର ଘୋଟି ଆସୁଛି । ଚାହୁଁ ଚାହୁଁ ରାତି ହେବ । ଅନ୍ଧାର ରାତି । ସମୟ ଖରାପ-। ପଧାନେ କି ଜଗୁର ଧମକରେ ଡରିଯାନ୍ତେ ? ସେ ମନେ ମନେ ହସିବାକୁ ଲାଗିଲେ । ଯେତେବେଳେ ଜଗୁ ବାଡ଼ି କବାଟ ଖୋଲି ପଦାକୁ ଗୋଡ଼ ବଢ଼ାଇଲା, ସେ ପଛରୁ ଡାକି କହିଲେ, ଆରେ ପାଗଳ, ଶୁଣ୍‌ ଶୁଣ୍‌–

 

ଜଗୁ ଶୁଣିଲା ନାହିଁ, ପଦାକୁ ବାହାରିଗଲା ।

 

ପଧାନେ ଟିକିଏ ଜୋରରେ ହସିଉଠିଲେ । ଆକାଶକୁ ଚାହିଁ ମନକୁ ମନ କହିଲେ, ଜହ୍ନରାତି ତ ନୁହେଁ ଅନ୍ଧାର ରାତି । ଭାବିଲେ, ବାଡ଼ିବାଟେ ଯାଇ ଦାଣ୍ଡବାଟେ ଆସିବାର ଇଚ୍ଛା ପରା-। ହଉ, ପିଲା ଲୋକ । ମନ ବୁଝିଯାଉ । ବାଧା କାହିଁକି ଦେବେ ? ଦୁନିଆଟା ଯେ ସଫା ନୁହେଁ, ଭାରି ଅନ୍ଧାର, ଦାଣ୍ଡକୁ ଗଲେ ସିନା ବୁଝାପଡ଼ିବ ?

 

–୧୨–

 

କିଟି କିଟି ଅନ୍ଧାର ରାତି । ମୁହଁକୁ ମୁହଁ ଦିଶୁନାହିଁ । ବରଗଛ ମୂଳରେ ଗାଁ ଭେଣ୍ଡିଆ ରୁଣ୍ଡ ହୋଇ ତୁନି ତୁନି କଥାଭାଷା ହେଉଛନ୍ତି । ହଠାତ୍‌ ମଧୁ ସ୍ଵାଇଁ ଟିକିଏ ରାଗିଯାଇ କହିଲା କିରେ ବଇଆ, ବାରଶ ବଢ଼େଇରେ ଦାଏ ନା ପୁଅରେ ଦାଏ ରେ ? ଧାନଚାଉଳ କେଉଁଠି ମିଳୁନାହିଁ । ପଧାନଙ୍କ ଘରେ ଅମାର ମରେଇ ଭରା । ଗାଁ ଲୋକେ ଯାଇ ଦାନ୍ତରେ ତିରଣ ଧରି ଲମ୍ବ ଲମ୍ବ ହୋଇ ଗୋଡ଼ତଳେ ପଡ଼ିଲୁ । ଆମେ ବେଶି କିଛି ମାଗୁନୁ । ଆମର ସବସ୍ୱ ନିଅ, ପିଲାଛୁଆଙ୍କ ପାଟିରେ ପେଜ ତୋରାଣି ଟିକେ ଦେଇ ଜୀବନ ରଖ । ଓହୋ, ଏଡ଼େ ନିର୍ମମ । ଗାଁଲୋକଙ୍କର ମୁହଁକୁ ଚାହିଁଲେ ନାହିଁ । କେଉଁ କାଳର ପୁରୁଣା ଚିଠା ଖୋଲି କହିଲେ, ତୋ ଉପରେ ଏତେ, ତା ଉପରେ ଏତେ ବାକୀ, ଆଗ ପରିଶୋଧ କର । ଆରେ ବାବୁ, ଆମର ଯଦି ପରିଶୋଧ କରିବାର ଶକ୍ତି ଥାନ୍ତା, ଆମେ ଆଜି ତମ ଦୁଆରେ ଗୋଡ଼ ଭାଙ୍ଗି ଠିଆ ହୋଇଥାନ୍ତୁ କାହିଁକି ? ବୁଝିଲୁରେ ବଇ, ଏମିତି ଲୋକଙ୍କୁ ଉପ୍ରୋଧ ନାହିଁ ।

 

ବଇଆ କହିଲା, ସାଆନ୍ତେ, ନିମକହାରାମୀ କରିବି କେମିତି ? ବିଶ୍ୱାସରେ ନିଜର ଖାମିଦକୁ ବିଷ ଦେବି କେମିତି ? ଦାନା ଦେଇ ମୋତେ ଏଡ଼େଟିରୁ ଏଡ଼େ କଲେ, ମଣିଷ କଲେ, ମୋ ପିଲା କୁଟୁମ୍ବକୁ ରକ୍ଷାରକ୍ଷଣ କଲେ । ଏତେବେଳକୁ ତାଙ୍କ ତଣ୍ଟିରେ ଛୁରି ବସାଇବି ?

 

ରାମ ଭୋଇ କହିଲା, ଆରେ ଯାଆ ମଁ, ରଖ୍‌ତୋ ଭଲଲୋକି । ଏକା ତୋଓରି ବଂଶଟା ବଞ୍ଚିଲେ ତ ଗାଁ ଯାକ ଲୋକଙ୍କୁ ପାଣି ଟେକିବେ ! କିରେ, ଆମେ ତ ଖାଇବା ବିନା ମରିବୁ, ତମେ ଥାଇ ଆମର କଅଣ କରିବ ?

 

ଗୋପୀ ମହାରଣା କହିଲା, ତୋତେ ଆମେ ବେଶୀ କିଛି କରିବାକୁ କହୁନୁ । କାଲି ଛାଡ଼ି ପଅରିଦିନ ଉଆଁସ । ଉଆଁସ ରାତିରେ ଭଲ ହେବ । ତୁ ସେଦିନ ଶୋଇବାକୁ ଯିବୁ ନାହିଁ ।

 

ବଇଆ–ୟା ମୁଁ କିପରି କରିବି ? ଜଗୁବାବୁ ରୁଷିକରି ବେଣୁବାବୁଙ୍କୁ ସାଙ୍ଗରେ ନେଇ ଚାରିଦିନ ହେବ କୁଆଡ଼େ ପଳେଇଛନ୍ତି । ବୁଢ଼ାଙ୍କ ମନରେ ସୁଖ ନାହିଁ । ଯୋଉଠି ବସୁଛନ୍ତି, ବୋକାଙ୍କ ପରି ହେଉଛନ୍ତି । ମୁଁ ତାଙ୍କୁ ଛାଡ଼ି ରହିପାରିବି ନାହିଁ ।

 

ଭଗୀ ଜେନା ବିରକ୍ତ ହୋଇ କହିଲା, ବାଉରି ଟୋକା ତ ଭାରି ମଗରା ! କଥା କହିଲେ ପାସଙ୍ଗରେ ପକାଉନାହିଁ ! ଧର ରେ, ଆଗ ତାକୁ ଗୋଟାକେତେ ଥୋଇବା । ଯାଉ, କୋଉ ବାପଠି ଗୁହାରି କରିବ...।

 

ବୁରୁନ୍ଦା କେଉଟା କହିଲା, ବାଉରି ଟୋକା ଆମ ଆଗରେ ଭାଗବତ ପଢ଼ୁଛିରେ । ଦଇବ ଛାଡ଼ିଲାଣି, ସେ କଅଣ କରିବ ? ପଧାନଙ୍କ ସାଙ୍ଗରେ ସେ ବି ମଶାଣିକି ଯିବ, ଦେଖୁଛି । ଆରେ, ଅନେଇ ବସିଲ କାହିଁକି ? ଏମିତି ମରିବା, ନୋହିଲେ ସେମିତି ମରିବା । ଦାରୋଗା ଆସିବ, ପିଆଦା ମଳିକ ଆସିବେ । ଗାଁରେ ପାଆଁଶ ଲୋକ, କାହାକୁ ଧରିବେ ଧରନ୍ତୁ– ।

 

ଗୋବିନ୍ଦ ସାହୁ କହିଲେ, ମୁଁ ଗୋଟିଏ କଥା ପାଞ୍ଚିଛି । ଶୁଣ୍‌ ବଇ, ତୁ କାଲି ପଧାନଘରୁ ଚାକିରି ଛାଡ଼ି ଯା । ତା ହେଲେ ତ ତେଣ୍ଟା ତୁଟିଯିବ । ତେଣିକି ଆମର କାମ ଆମେ କରିବୁ ।

 

ମଧୁ ସ୍ୱାଇଁ–ଆମର ଏଇ ଶେଷକଥା, ଯାହା ବିଚାରିଛୁ ନିଶ୍ଚେ କରିବୁ । ତୁ ନା ତୋରି ବାପା ଆସିଲେ ବି ଆମକୁ ହଟାଇ ପାରିବ ନାହିଁ ।

 

ବଇଆ ଭାବିବାକୁ ଲାଗିଲା ପଧାନେ ଶୁଖିଲା ଡାଙ୍ଗ, ଭାଙ୍ଗିବେ ପଛେ, ନଇଁବେ ନାହିଁ । ଲୋକଙ୍କର କଥା ରଖି, ଯଦି ଗୋଟିଏ ମରେଇ ଭାଙ୍ଗି ଗାଁ ଲୋକଙ୍କୁ କିଛି କିଛି ଦେଇଥାନ୍ତେ, ଲୋକେ ବି ଥାଇତି ହୋଇଯାନ୍ତେ, ତାଙ୍କର କିଛି ଅନିଷ୍ଟ ହୁଅନ୍ତା ନାହିଁ । ବରଂ ତାଙ୍କର ନାଁ ଡାକ ପଡ଼ିଯାନ୍ତା, ଧର୍ମ ହୁଅନ୍ତା, ଲୋକେ କଲ୍ୟାଣ କରନ୍ତେ, ଆହୁରି ବଡ଼ତି ହୁଅନ୍ତା । ଯେତେ କହିଲେ ଶୁଣିବେ ନାହିଁ । ଓଲଟି ମାରିବାକୁ ଧାଇଁବେ । ଏଣେ ବି ଖାଇବା ବିନା ଲୋକେ ହାଁ ହାଁ ହେଉଛନ୍ତି । ଧର୍ମ ଅଧର୍ମ, ଭଲ ମନ୍ଦ ବୁଝିବାକୁ ତାଙ୍କର ବେଳ ନାହିଁ । ପେଟ ପାଇଁ ସେମାନେ ଯାହା ବିଚାରିଛନ୍ତି ନିଶ୍ଚେ କରିବେ–ଜୀବନ ଉପରେ ପଡ଼ିଲେ ଲୋକ ସବୁ କରିପାରେ । ଲୋକଙ୍କର କଥା ନ ମାନିବା ମାନେ ନିଜର ସର୍ବନାଶ କରିବା । ସତ କଥା, ବାରଶହ ବଢ଼େଇରେ ଦାଏ ନା ପୁଅରେ ଦାଏ । ଭଲରେ ଭଲରେ ପଧାନେ ଶୁଣୁନାହାନ୍ତି । ଏକୁଟିଆ ଲୋକ, ତଥାପି ମନରେ ଭୟ ନାହିଁ । ବଇଆ ସିନା କହିଚି । ନ ଶୁଣିଲେ, ଗାଁ ଲୋକଙ୍କୁ ଛାଡ଼ି ଜଣେ ଲୋକକୁ ଚାହିଁବ ନାହିଁ ତ । ଗାଁ ଲୋକେ ରାଗିଲେ ତାର ବି ପତ୍ତା ରହିବ ନାହିଁ ।

 

ବଇଆ କହିଲା, ଆପଣମାନେ ରାଗୁଛନ୍ତି କାହିଁକି ? ମୁଁ ଯାହା କହୁଛି, ଶୁଣନ୍ତୁ । ଥୟ ଧରନ୍ତୁ । କାଲି ସକାଳେ ମୁ ଯାଇ ଖାମିଦଙ୍କୁ ବୁଝାଇ କହେଁ । ଅନ୍ତତଃ ଗୋଟାଏ ମରେଇ ଭାଙ୍ଗି ଗାଁ ଲୋକଙ୍କୁ ଦିଅନ୍ତୁ । ସେ କଅଣ କହୁଛନ୍ତି ଦେଖାଯାଉ । ଖୁବ୍‌ କହିବି ଖୋସାମତ କରିବି, ଡର ଦେଖାଇବି । ଶେଷକୁ ଯଦି ସେ ନ ମଙ୍ଗନ୍ତି, ବୁଝିବି ବୁଢ଼ାକୁ ଧର୍ମ ଛାଡ଼ିଲା । ତେଣିକି ଯାହା ବୁଦ୍ଧି ଦିଶିବ କରିବା । ଆଖି ଆଗରେ ହାତ ପାହାନ୍ତାରେ ଖାଦ୍ୟ ଥାଉଣୁ ଗାଁ ଲୋକେ କଅଣ ଛତର ଉଣ୍ଡି ବୁଲିବେ ?

 

ଭଗୀ ଜେନା ଖୁସି ହୋଇ କହିଲା, ଆରେ ସାବାସ୍‌, ବଇଷମ ! ପିଲାଟାଏ ତ-!

ଗୋବିନ୍ଦ କହିଲା, ସେ ବୁଦ୍ଧିଆ ପିଲା । କହିଦେଲେ ବୁଝିଯାଏ ।

 

ରାମ ଭୋଇ–ବାଉରି ସାହିର ରତ୍ନ ସେ । ଖତକୁଢ଼ରେ ମାଣିକ । ତାର ଚାରିଆଡ଼େ ନଜର ।

 

ବଇଆ ନିଜକୁ ଗୌରବାନ୍ୱିତ ମନେ କରି ପ୍ରଶଂସାରେ ଖୁସି ହୋଇ କହିଲା, ରାତି ବେଶି ହେଲାଣି ; ଆପଣମାନେ ଯାଆନ୍ତୁ । କାଲି ଏତିକିବେଳକୁ ଦେଖା ।

 

ସମସ୍ତେ ଉଠି ବାହାରିଗଲେ ।

 

ଗୋବିନ୍ଦ ସାହୁ ରାତି ଅଧରେ ପହଞ୍ଚିଲେ । ରେଣୁବୋଉ ଚାହିଁ ବସିଥାନ୍ତି । ସ୍ୱାମୀଙ୍କୁ ଦେଖି ସେ ରାଗି ଯାଇ କହିଲେ, ରାତି ଅଧଯାଏ କେଉଁଠି ଯାଇ କଚେରୀ କରୁଥାଅ ? ମାଇପି ଘର, ଆଜି ଭଲ ଅଛି, ମନ୍ଦ ଅଛି ! ଟିକିଏ ସହଳ ଆସିବାକୁ ବିଧାତା କହେ ନାହିଁ । ଘରେ କଅଣ ଆଉ କାହାକୁ ଛାଡ଼ି ଯାଇଥିଲ ?

 

ଗୋବିନ୍ଦ ସାହୁ ନରମ ହୋଇ କହିଲେ, କାମରେ ଯାଇଥିଲି, ସରିଲେ ତ ଫେରିବି । ଉମା କାହିଁ ?

 

କେଜାଣି କୋଉ ଚୁଲିକି ଗଲା । ନିଆଁଲାଗିର ମୁହଁ ଦିନୁ ଦିନୁ ବଢ଼ି ଗଲାଣି । ଚଷା ଟୋକା ମୁହଁ ପାଇ ସେ ଇନ୍ଦ୍ର ଚନ୍ଦ୍ର ମାନୁନାହି । ମୁହେଁ ମୁହେଁ ଜବାବ । ଆଜି ତା ମୁହଁ ଭାଙ୍ଗିଛି । ଯାଉଛି । ଯାଉ ଯୁଆଡ଼େ ଇଛା ।

 

ଗୋବିନ୍ଦ ସାହୁର ମୁହଁରୁ ପଦେ କଥା ବାହାରିଲା, ଅଃ..... ।

ରେଣୁବୋଉ କବାଟ କିଳିଲେ ।

 

–୧୩–

 

ଯେଉଁଦିନ ଜଗୁ ରେଣୁବୋଉଙ୍କ ସଙ୍ଗେ ଉମା ବିଷୟରେ କଥା କରି ସ୍ଵଇଚ୍ଛାରେ ଉମାର ସବୁ ଭାର ବହନ କରିବ ବୋଲି କହି ଆସିଲା, ସେହି ରାତିରେ ଗୋବିନ୍ଦ ସାହୁ ଘରେ ସତେକି ଆନନ୍ଦର ଢେଉ ଖେଳିଗଲା । କେତେ ଦିନର ଉପାସ ଅଧ ଉପାସ ପରେ ଉମା ପେଟ ପୂରାଇ ଶାନ୍ତିରେ ମୁଠିଏ ଖାଇବାକୁ ପାଇଲା । କେତେ ଯତ୍ନ କେତେ ଆଦର, କେତେ ପ୍ରଶଂସା । ଗୋଡ଼ରୁ ମୁଣ୍ଡଯାଏ ସବୁ ସୁନ୍ଦର, ପ୍ରତ୍ୟକ କଥା କେଡ଼େ ମିଠା, ଢଙ୍ଗଢାଙ୍ଗ ଭାରି ଭଲ ! ସାରା ସଂସାରରେ ଏପରି ଗୋଟିଏ ଝିଅ ନାହିଁ ନ ଥିବ । ଖୁଡ଼ୀଙ୍କଠାରୁ ଏପରି ବ୍ୟବହାର ସେ କେବେ ପାଇ ନ ଥଲା-। ପାଇବ ବୋଲି ଆଶା ମଧ୍ୟ କରି ନ ଥିଲା । ଭାଗ୍ୟ ତ ସବୁ କରାଏ । ବୋଉ ମରିଯିବା ସଙ୍ଗେ ସଙ୍ଗେ ମନ୍ଦ ଭାଗ୍ୟଟା ଓଲଟି ପଡ଼ିଲା କି ଆଉ !

 

ଧନ୍ୟ ଆଶା ! ଆଶାର ପ୍ରଭାବରେ ପାଗଳ ଦାଦିଖୁଡ଼ୀ ଯେପରି ଖରାପରୁ ଭଲ ପାଲଟିଗଲେ, ସେହି ଆଶାର ଇଙ୍ଗିତରେ ଉମାର ମଧ୍ୟ ମନରେ ଦମ୍ଭ ଆସିଲା । କୁସୁମ ପରଶରେ ପଟ ନିସ୍ତରେ । ଉମା ପାଇଁ ହୁଏତ ଗୋବିନ୍ଦ ସାହୁର ଅବସ୍ଥାଟା ବଦଳିଯିବ । ପାଞ୍ଚଟା ଦୁର୍ଭିଷ ଆସିଲେ ବାଇଆ ଚଢ଼େଇର କି ଯାଏ, ବାଆ କଲେ ବସା ଦୋହଲୁଥାଏ ! କିନ୍ତୁ କିଏ ଜାଣେ, ଯେଉଁ ଆଶାରେ ସେ ବାହୁଙ୍ଗା ଦେହରେ ବସା ରଚିଛନ୍ତି, ପବନର ଗତି ବଦଳିଗଲେ କି ପ୍ରକୋପ ବଢ଼ିଲେ ବାହୁଙ୍ଗା ସୁଦ୍ଧା ଝଡ଼ିପଡ଼େ, ଗଛ ବି ଭାଙ୍ଗିଯାଏ । ତଥାପି ରାତିରେ ସେଦିନ ଦି ପ୍ରାଣୀଙ୍କର ନିଦ ହେଲା ନାହିଁ । ସୁଖର ସ୍ୱପ୍ନରେ ବିଭୋର ରହି ରାତି ବିତିଲା ।

 

ଉମାର ଅବସ୍ଥା ମଧ୍ୟ ଠିକ୍‌ ସେହିପରି । ଜଗୁଭାଇର ଦୟା ପାଇଁ ମନେ ମନେ ସେ କେତେ କୃତଜ୍ଞତା ଜଣାଇଲା । ରାତିରେ ଶୋଇ ଶୋଇ କେତେ ସୁନେଲୀ ସ୍ୱପ୍ନ ଦେଖିବାକୁ ଲାଗିଲା । ଗର୍ବରେ ଛାତି ଫୁଲି ଉଠିଲା-ଜଗୁଭାଇ ତାକୁ ଭଲପାଏ !

 

ଆହା ! ବାଳିକାର ଚପଳ ମନ କେତେ ସୁଖରାଜ୍ୟର ଯାତ୍ରୀ ହୋଇ ନିଜର ଅବସ୍ଥା ଭୁଲି ନୂତନ କଳ୍ପିତ ଜୀବନର ସୁଖସ୍ୱପ୍ନରେ ସମୟ କାଟିଲା । ପରଦିନ ଆଠଟା ବେଳେ ଉମା ନିତ୍ୟକର୍ମ ସାରି ମୁନ୍ଦାଏ ତୋରାଣି ଧରି ବସିଛି, ତେଣୁ ଗୋବିନ୍ଦ ସାହୁ ବ୍ୟଗ୍ର ହୋଇ ଆସି ଘରେ ପହଞ୍ଚି ରେଣୁବୋଉଙ୍କୁ ଡାକ ଛାଡ଼ିଲେ । ରେଣୁବୋଉ ବାଡ଼ିପଟୁ ଆସି ପଚାରିଲେ, ଜଗୁକୁ ପାଇଲ ?

 

ଗୋବିନ୍ଦ ସାହୁ ମୁହଁ ଫଣ ଫଣ କରି କହିଲେ, ଏ ବଗୁଲିଆ ଛତରା ଟୋକାଙ୍କର କଥାରେ ପରତେ ଯାଅ କାହିଁକି ? ଆରେ ଶୁଣିଲଣି, କାଲି ଏଣୁ ଯାଇ ବୁଢ଼ା ସଙ୍ଗେ କଳିକଜିଆ କରି ବେଣୁକୁ ନେଇ କୁଆଡ଼େ ପଳାଇଛି ରାତାରାତି । ବୁଢ଼ା ବିଚରା ବଡ଼ ବ୍ୟସ୍ତ । ସେ ତ ଗଲା ଗଲା, ପିଲାଟାକୁ ଯାହା ସାଙ୍ଗରେ ନେଇଗଲା ! ରେଣୁବୋଉଙ୍କ ମୁଣ୍ଡରେ ସତେ କି ପାହାଡ଼ ଟଳିପଡ଼ିଲା । ସେ ଥକ୍‌କା ହୋଇ ଠିଆ ହୋଇ ଆବାକାବା ହୋଇ ସ୍ଵାମୀଙ୍କ ମୁହଁକୁ ଚାହିଁ ପଚାରିଲେ, ଏଁ, ସତରେ କୁଆଡ଼େ ଗଲା ?

 

ଗୋବିନ୍ଦ ସାହୁ କହିଲେ, କେହି ଜାଣନ୍ତି ନାହିଁ । ଆରେ, ସେ ଯୁଆଡ଼େ ଯାଉ, ସେଥରୁ ଆମକୁ କଣ ମିଳିବ ? ବୁଢ଼ା ମୋ ଉପରେ ଖପା । ଅସଭ୍ୟ ସଭ୍ୟ ଯାହା ତ ଶୋଧିବାର ଶୋଧିଲା, ମୋତେ ମାରେ ନ ମାରେ !

 

ମଲା ମୋର, କାହିଁକି ବା ?

 

କହୁଛି, ତୋରି ପାଇଁ ପିଲାଟା ମୋର ଖରାପ ହୋଇଗଲା । ଝିଆରୀଟାକୁ ଯବତ କରି ରଖୁନାହିଁ । ଆକଟ ନାହିଁ । ଯୁଆଡ଼େ ଇଚ୍ଛା ସିଆଡ଼େ ବୁଲିବାକୁ ଛାଡ଼ି ଦେଉଛି । ଗୋବିନ୍ଦ ଉମାକୁ ଚାହିଁଲା । ଉମା ପଖାଳ କଂସାରୁ ଗଣ୍ଡିଏ ଭାତ ନେଇ ପାଟିରେ ଦେବାକୁ ଯାଉଛି, ତାରି ସମ୍ବନ୍ଧରେ କଥା ଉଠିବାର ଶୁଣି ସେ କଅଣ ଭାବିଲା କେଜାଣି, ଗୁଣ୍ଡାଟି କଂସାରେ ଥୋଇ ପଖାଳ ଛାଡ଼ି ଧୀରେ ଧୀରେ ରୋଷଘର ଭିତରକୁ ଗଲା । ଜବାଟକୁ ସାମାନ୍ୟ ଆଉଜାଇ ସେ କାନ୍ଥକୁ ଆଉଜି ମନ ମାରି ଠିଆହେଲା ।

 

ଗୋବିନ୍ଦ ସାହୁ କହିଲେ, ବୁଢ଼ା କହୁଛି, ଜଗୁଟା ଉମୀ ଉମୀ ହୋଇ ପାଗଳ: ହୋଇଗଲା-। ମୁଁ କୁଆଡ଼େ ଜାଣି ଜାଣି ତାକୁ ମିଳାମିଶା କରିବାକୁ ଛାଡ଼ି ଦେଉଛି । କଅଣ କହିବି, ବୁଢ଼ା ଯାହା କହିଗଲା । ଛି, ଛି, ମୁଁ କାନରେ ହାତ ଦେଇ ଧୀରେ ଧୀରେ ଖସି ଚାଲିଆସିଲି । ସେ ଯେଉଁ ନେତୀ- ମୋ ବାପ୍‌ରେ, ଯାହା ବକିଲା, ସେ କଥା ଛାଡ଼ ।

 

ଆଶା-ଚଢ଼େଇ ଉଡ଼ିଯାଇଛି, ଆଉ ଧରା ଦେବ ନାହିଁ ବୁଝି ରେଣୁବୋଉ ରାଗରେ ପାଚିଯାଇ କହିଲେ, କୁଆଡ଼େ ଗଲା ସେ ହଟହଟୀ ନାଁ–ପକେଇ ? ଯେତେ କହିଲେ ସେ କି ଶୁଣିବ-? ବାହାର ପତିଆରାକୁ ଜଗୁଭାଇ, ଜଗୁଭାଇ । ବିଲେଇ ଆଖି ବୁଜି ଦୁଧ ପିଉଛି । ହସ, ତାମସା, ନବଜ ଯିଏ ଦେଖିବ ସେ କହିବ । ବୁଢ଼ା କଅଣ ମିଛରେ କହିଲେ ?

 

ଗୋବିନ୍ଦ ମନଦୁଃଖରେ ପଦାକୁ ବାହାରିଗଲେ ରେଣୁବୋଉଙ୍କର ପାଟି ବନ୍ଦ ହେଲା ନାହିଁ । ମୁହଁରେ ଯାହା ଆସିଲା କହି ଉମାକୁ ଗାଳି ଦେବାକୁ ଲାଗିଲେ । କେଉଁ ଦିନ କଅଣ ଘଟିଥିଲା, ସେ ନିଜେ କଅଣ ଦେଖିଥିଲେ, କାଲିକାର ଘଟଣା, ସବୁଥିରେ ସେ ନୂଆ ଅର୍ଥ, ନୂଆ ଉଦ୍ଦେଶ୍ୟ ଆବିଷ୍କାର କରି ସେମାନଙ୍କ ମଧ୍ୟରେ ଯେ ଭିନ୍ନ ପ୍ରକାର ସମ୍ବନ୍ଧ ଅଛି, ତାହାରି ପ୍ରମାଣ ଦେବାକୁ ଚେଷ୍ଟା କଲେ । ବଢ଼ିଲା ଝିଅଟା । ଟୋକାଟା ସାଙ୍ଗେ ସଦାବେଳେ ରଜ୍‌ଘସ୍‌ ହେବ । ଆଉ ଆଡ଼ଉଢ଼ୁଆଳ ନାହିଁ, ବୁଢ଼ୀ ଘରଣୀ ପରି ଅବାଧରେ କଥାଭାଷା । ଲାଜସରମ ନାହିଁ । ତେଣିକି ପୁଣି ଭେଣ୍ଡା ଟୋକଟା ଉମାକୁ ଗେଲ କରିବ, ତା ପିଠି ଆଉଁସିବ । ଛିଆ ଲୋ । କେବେ ଦେଖା ନାହିଁ କି ଶୁଣା ନାହିଁ । ବେଲଜ୍ଜା କଥା । ମାଇପୀ ଝିଅ । ବଅସ ହେଲେ ଲାଜସରମ ନିଜ ମନରୁ ବାହାରିବ । ଏସବୁ କଅଣ କିଏ ବତେଇଦିଏ ?

 

ଶେଷକୁ କହିଲେ, ଏତେ ନିନ୍ଦା, ଏତେ ଅପମାନ, ଆମେ ତୋ ନେଇ ସହିପାରିବୁ ନାହିଁ-। ତୁ ଯା, ଯା । ତୋ ଦି’ଆଖି ଯୁଆଡ଼େ ଯାଉଛି, ଯା । ତତେ ଛତର ଯୋଗ ଅଛି ଲୋ, ଭଲ ଯୋଗ ନାହିଁ । ଭଲ କଥା, ହିତ ବଚନ ରୁଚିବ କେମିତି ? ଆମର ମାନମହତ୍ୱ ଗଲା, ଉପର ମୁହଁ ତଳକୁ ହେଲା, ଆଉ କେଉଁଥିକି ଡର ?

 

କାନ୍ଦି କାନ୍ଦି ଅଖିଆ ଅପିଆ ଖଣ୍ଡେ ପୁରୁଣା ଛିଣ୍ଡା ସପ ଉପରେ ପଡ଼ି ଉମାର ତିନି ଦିନ କଟିଲା । ଖିଆପିଆ ତ ତେଣର କଥା, କେହି ଆସି କାହିକି କାହୁଛୁ ବୋଲି ପଦେ ପଚାରିଲେ ନାହିଁ-। ସବୁ ସିନା ସହି ହୁଏ, ପେଟର ଜାଳା ତ ସହିହେବ ନାହିଁ । ଆଶା କରିଥିଲା, ଜଗୁ ଫେରିବ-। ସେ ଆଶା ମଉଳିଲା । ପାଣି ପିଇ ପିଇ ସେ କେତେ ଦିନ ବଞ୍ଚନ୍ତା ? କିଛି ଗୋଟାଏ ଖାଇବାକୁ ଆଶା ଡାକୁଛି । ଖୁଡ଼ୀ ଯେତେବେଳେ ମନକୁ ଯାଚିକରି କିଛି ଦେଉ ନାହାନ୍ତି ସେ ନିଜେ କିପରି ମାଗିବ ? କିନ୍ତୁ ନ ମାଗିଲେ ନ ଚଳେ । ପ୍ରାଣ ରହିବ ନାହିଁ । ଜୀବନ ଥିଲେ ସବୁ ।

 

ତିନିଦିନ ପରେ କବାଟ ଖୋଲି ଉମା ପଦାକୁ ଆସିଲା । ବେଳ ରତରତ ହେଉଛି । ଦେହ ଦୁର୍ବଳ ବୋଧ ହେଲା । ଠିଆ ହେଲେ ମୁଣ୍ଡ ଝାଙ୍କୁଛି । କଅଣ କରିବ, କେତେ ଦିନ ଅଭିମାନ କରି ଉପାସ ରହିପାରନ୍ତା ? ସେ ଦ୍ୱାର ମୁହଁରେ ବସି ଖୁଡ଼ୀର ଅନିସାରେ ଏପାଖ ସେପାଖ ଚାହିଁଲା । ପାଇଲା ନାହିଁ । ରେଣୁ ଗୋଟିଏ ଛୋଟ ଭୋଗେଇରେ ପୋଷେ ହେବ ମୁଢ଼ି ଧରି ଦାଣ୍ଡଘରୁ ବାହାରି ପଡ଼ିଲା । ମନଖୁସିରେ ନାଚି ନାଚି ଉମା ପାଖକୁ ଆସୁ ଆସୁ ଦୁଆର ମଝିରେ ଝୁଣ୍ଟି ପଡ଼ିଲା । ମୁଢ଼ିତକ ବୁଣିଗଲା । ପିଲାଟି ମୁହଁ ଫଟାଇ ରାହା ଧରି କାନ୍ଦିବାକୁ ଲାଗିଲା । ଯେତେ ହେଲେ ଭଉଣୀ ତ, ଉମାର ଦେହ ସହିଲା ନାହିଁ । ସେ ଦୁଆର ମଝିକୁ ଉଠିଆସି ରେଣୁକୁ ଝାଡ଼ିଝୁଡ଼ି ଦେଲା । ଦୁଆରେ ବିଞ୍ଚିଯାଇଥିବା ମୁଢ଼ିତକ ଆସ୍ତେ ଆସ୍ତେ ଗୋଟାଇ ପୁଣି ତା’ର ଭୋଗେଇରେ‌ ପୂରାଇବାକୁ ଲାଗିଲା । ତଥାପି ରେଣୁ ତୁନି ହେଲାନାହିଁ ।

 

କାହିଁ ଥିଲେ ରେଣୁବୋଉ, ଏତିକିବେଳକୁ ଧାଇଁଆସି ଉମାର ପିଠିରେ ଦି ଗୋଇଠା ମାରିଲେ । ଉମା ଫେରିପଡ଼ି ଘଟଣା କଅଣ ଜାଣିବା ପୂର୍ବରୁ ସେ ଆଖି ଦେଖାଇ ଗର୍ଜି ଉଠିଲେ, ଦେଖ ତ, ନିଆଁଲାଗୀର କେଡ଼େ ସାହସ । ଓହୋ । କୋଉ ଗୁଣ ନାହିଁ କି ! ଏଡ଼ିକି ଚୋରଣୀ, ଏଡ଼ିକି ଓଲେଇ ଲୋ ମା । ଛୁଆଟାଠୁ ମୁଢ଼ି ଗଣ୍ଡାଏ ଛଡ଼ାଇ ଖାଉଛି ଯେ, ପିଲାଟା କାନ୍ଦି କାନ୍ଦି ଲୋଟିଗଲାଣି । ଏଡ଼ିକି ଡାହାଣୀ ଲୋ ମା !

 

ଉମା ଏ ସବୁ ଶୁଣି ଅବାକ୍‌ ହେଲା । ହେ ଭଗବାନ୍‌ ! ଶେଷରେ, ଅପବାଦ ବି କପାଳରେ ରଖିଥିଲ ? ଭଲରେ ଦୁନିଆ ନାହିଁ । ଭଲ କଲାଠୁ ଅପବାଦ । ମଣିଷ ଦେହ, ମଣିଷ ମନ, କେତେ ସହିବ ? ଉମା ଆଖି ମଳି ମଳି କାନ୍ଦଣା ସ୍ୱରରେ ପ୍ରତିବାଦ କରି କହିଲା, ଖୁଡ଼ୀ, ତାର ମୁଢ଼ି ବୁଣିଗଲା ଯେ...।

 

ବାଧା ଦେଇ ରେଣୁବୋଉ କହିଲେ, ଚୋପ୍‌ ଚୋପ୍‌, ପୁଣି ଜବାବ୍‌ ଦେଇ ମୋତେ ମିଛେଇ କରୁଛି ? ହଇଲୋ, ତୁ ଏଡ଼ିକି ସତୀଟା ! ମୁଁ ସବୁ ଦେଖିଛି ଲୋ, ସବୁ ଦେଖିଛି ।

 

ଉମା ତୁନୀ ହୋଇ ଭାବିବାକୁ ଲାଗିଲା, ଆଉ ଏଠାରେ ରହିହେବ ନାହିଁ । ଯେଉଁଠି ମିଛକୁ ସତ ଫଳେଇ ମୁହେଁ ମୁହେଁ କହି ମିଛଟାରେ ଗୋଡ଼ସୁଖ ସାରୁଛନ୍ତି ସେଠି ଆଉ ଚଳିହେବ ନାହିଁ । ସେ ମୁହେଁ ମୁହେଁ କହିଲା, ଖୁଡ଼ୀ, ତମର ମନକଥା ସଫା ଖୋଲିକରି କହୁନା କାହିଁକି ? ତମମାନଙ୍କ ମନରେ କଷ୍ଟ ଦେଇ ତମର ଚକ୍ଷୁଶୂଳ ହୋଇ ମୁଁ ବଞ୍ଚି ରହିବାକୁ ଚାହେଁ ନାହିଁ । ସତ କଥା ଖୋଲିକରି ନ କହି ମୋତେ ଏତେ ଦହଗଞ୍ଜ କରୁଛ କାହିଁକି ?

 

ଉମା ଆଖି ପୋଛିଲା ।

 

ରେଣୁବୋଉ ପୂର୍ବ ପରି ଋକ୍ଷ ସ୍ୱରରେ କହିଲେ, ତୋତେ ଘରେ ରଖି ଆମେ ଆଉ ଏତେ ଦହଗଞ୍ଜ ହୋଇ ପାରିବୁ ନାହିଁ, ତୋ ନେଇ ପାଞ୍ଚ ମୁହଁରୁ ସାତ କଥା ଶୁଣି ପାରିବୁ ନାହିଁ । ତୋର ମନ ଯୁଆଡ଼େ ହେଉଛି ତେଣିକି ଯା ।

 

କୁଆଡ଼େ ଯିବି ଖୁଡ଼ୀ ? ତମ ଛଡ଼ା ସଂସାରରେ ମୋ’ର ଆଉ କିଏ ଅଛି ? ଉମା କାନ୍ଦିବାକୁ ଲାଗିଲା । ତାର କରୁଣ ସ୍ଵର, ଛାତିଫଟା କଥା ଶୁଣି ମଧ୍ୟ ରେଣୁବୋଉଙ୍କର ପଥର ଛାତି ତରଳିଲା ନାହିଁ ।

 

ସେ କହିଲେ, କୁଆଡ଼େ ଯିବୁ, ସେ କଥା କ'ଣ ବତେଇଦେବି ମୁଁ ?

 

ଉମା ଖୁଡ଼ୀଙ୍କର ଗୋଡ଼ ଧରି କହିଲା, ତମର ଗୋଡ଼ତଳେ ପଡ଼ିରହିବା ଛଡ଼ା ମୋର ଅନ୍ୟ ଗତି ନାହିଁ । ରେଣୁବୋଉ ଘୁଞ୍ଚିଆସି କହିଲେ, ଏ ବୁଦ୍ଧି ଯଦି ତୋତେ ଆଗରୁ ଦିଶିଥାନ୍ତା ତୁ ଆଜି ଏପରି ହୋଇଥାନ୍ତୁ କାହିଁକି? ଚଷା ଟୋକା ତ ତୋତେ ଭେଳିକି ଲଗାଇଲା, କାହାର ଦୋଷ-? ନିଜ କର୍ମ ନିଜେ ଭୂଞ୍ଜ । ଯା, ସେଇ ଜଗୁଆ ପଛେ ପଛେ । ମୁଁ ଆଉ ତୋର ଦାୟିତ୍ୱ ନେଇ ପାରିବି ନାହିଁ, କି ତୋ ନେଇ ବାର ଅପବାଦ ଶୁଣିପାରିବି ନାହିଁ ।

 

ଉମା ଉଠି ପୁଣି କହିଲା, ଖୁଡ଼ୀ, ତମର ମନକଥା ମୁଁ ବୁଝିଲି । ତଡ଼ିଦେବ ତ, କଥାଗୁଡ଼ା ଏମିତି ବୁଲେଇ କହୁଛ କାହିଁକି ? ମୋର ବାପାବୋଉ ଯଦି ଆଜି ବଞ୍ଚିଥାନ୍ତେ ମୋ ନାମରେ ତମେ ଏତେ କଥା ଉଠାଇବାକୁ ସାହସ କରି ନ ଥାନ୍ତ ।

 

ରେଣୁବୋଉ ହସି ଉଠିଲେ । ଦେହକୁ ନୁଆଁଇ ଉମାର ମୁହଁ ପାଖରେ ହାତ ଦେଖାଇ ନର୍ତ୍ତକୀର ଭଙ୍ଗୀରେ କହିଲେ, ଯା ଲୋ ଯା, ତୋ ବୋପା ମା’ ଆଗରେ ମୋ ନାଁରେ ଗୁହାରି କରିବୁ-। ଢଗ ମେଲିଲେ, କଅଣ କରିବିଟି, ହାଣ୍ଡିଟା ଭିତରେ ପିହାଣଟାଏ ମୁଁ ଚମକି ପଡ଼ିବିଟି ।

 

ଉମା ତାର ଖୁଡ଼ୀ, ମୁହଁକୁ ଚାହିଁ କହିଲା, ଖୁଡ଼ୀ କେତେ ଲୋକ ଛତରରେ ପଶିଲେ । ମୁଁ ବି ଯାଇଁ ଛତର ଖୋଜିବି । ମୋର ସେଥିକି ଲାଜ ନାହିଁ । ଶହ ଶହ ଲୋକ ମରି ମଶାଣି ଭୂଇଁରେ ଶୋଉଛନ୍ତି । କପାଳରେ ଥିଲେ ମୋର ବି ସେହି ଦଶା ହେବ । ସେଥିକି ଦୁଃଖ ନାହିଁ । ମୁଁ ମଲେ ମୋ ପାଇଁ କେହି କାନ୍ଦିବେ ନାହିଁ ।

 

ଥଟ୍ଟା କରି ରେଣୁବୋଉ କହିଲେ, କାହିଁକି ? ଜଗୁଆ ଅଛି, କାନ୍ଦିବ ।

ଆଖିର ଲୁହ ପୋଛି ଉମା କହିଲା, ସତ କଥା । ଜଗୁଭାଇ ଯଦି ଖବର ପାଏ, ସେହି ଟିକିଏ ମୋ ପାଇଁ ଦୁଃଖ କରିବ । ଖୁଡ଼ୀ, ତମ ପାଇଁ ଉପରେ ଧର୍ମ ଅଛି ।

 

ଏତିକି କହି ଉମା ରେଣୁକୁ ନିଜ କୋଳକୁ ଟାଣିଆଣିଲା । ଆଖିରେ ଲୁହ ଭରି ତା ମୁହଁରେ ବୋକ ଦେଇ କହିଲା, ଯାଉଛି ଲୋ ରେଣୁ, ଆଖି ଯୁଆଡ଼େ ନେବ, ଯିବି । ମନେ କରୁଥିବ-। ରେଣୁକୁ କୋଳରୁ ଓହ୍ଲାଇ ବାଡ଼ି କବାଟ ବାଟେ ପଦାକୁ ବାହାରିଗଲା । ରେଣୁବୋଉ କବାଟ ପାଖକୁ ଯାଇ ତାର ଗଲାବାଟକୁ ଚାହିଁ ରହିଲେ ।

 

–୧୪–

 

ମା, ଆଉ କାନ୍ଦିଲେ ହେବ କଅଣ ? କପାଳରେ ଷଠୀ ଯାହା ଲେଖିଛି, କାହୁଁ କାହୁଁ ଆସି ଘଟିବ । ସେଥିକି ଆଉ ଦୁଃଖ କାହିଁକି ?

 

କହୁ କହୁ ମୋତି ମା ନିଜେ କାନ୍ଦି ପକାଇଲା । ଉମାର ଆଖିରୁ ଲୁହ ପୋଛି କହିଲା, ଖାଇଦେ ଭୁଜା ଦିଓଟି । ତିନି ଦିନ ହେଲା ପେଟରେ ତୋର ଦାନା ପଡ଼ିନାହିଁ ପରା ! ବୁଢ଼ୀ ନିଜ ହାତରେ ମୁଠାଏ ଭୁଜା ନେଇ ଉମା ପାଟିରେ ଦେଲା ।

 

ଉମା ସେତକ ଚୋବାଇ ଢୋକିଦେଇ କହିଲା, ମୋର ଗତି କଅଣ ହେବ ମୋତି ମା ! ବାଧ୍ୟ ହୋଇ ସିନା ଖୁଡ଼ୀ ଆଗରେ ଘର ଛାଡ଼ି ଚାଲିଆସିଲି, ମୋଟେ ଇଚ୍ଛା ନ ଥିଲା । ଖାଇବା ବିନା ପଛେ ସେହି ଘରେ ପଡ଼ି ମରିଥାନ୍ତି, ହେଲେ ସେ କଅଣ ମୋତେ ଶାନ୍ତିରେ ମରିବାକୁ ଛାଡ଼ି ଦେଇଥାନ୍ତେ କି ! ଯେଉଁ ଗଞ୍ଜଣା !

 

ଭଲ କଲୁ ଲୋ, ଚାଲିଆସିଲୁ ! ସାରା ସଂସାରଟା ଆଗରେ ପଡ଼ିଛି । ଜୀବନ ରଖିବାକୁ ଚେଷ୍ଟା କରିବା, ପାରିଲେ ରହିବା, ନୋହିଲେ ଶହ ଶହ ଦୁଃଖିରଙ୍କୀଙ୍କ ପରି ଆଖି ବୁଜିବା ଚିରଦିନକୁ ।

 

ସେଥିକି ଡର ନାହିଁ । ତେବେ, ଗାଁ ଛାଡ଼ି ଆମେ ଯିବା କୁଆଡ଼େ ? କାହା ଓଳିତଳେ ଆଶ୍ରା ଲୋଡ଼ିବା ? ପେଟ ପାଇଁ ନିର୍ଲ୍ଲଜ ମୁହଁରେ କାହା ପାଖରେ ହାତ ପାତିବା ମୋତି ମା ? ମଣିଷ ଜନ୍ମ ପାଇ ଆମର ଏ ରକ୍ତମାଂସ ଦେହ ସହିବଟି ?

Unknown

 

ମୋତି ମା ଉଚ୍ଚ ସ୍ୱରରେ ହସି କହିଲା, ଭଲ କଥା କହିଲୁ ଉମୀ । ଚାହାଁ ଦେଖି ଉପରକୁ । ଉଃ, କେଡ଼େ ଅନ୍ଧାର ରାତିଟା । ନିଶା ଗର୍ଜୁଛି । ଏ ନିଛାଟିଆ ରାତି ଅଧରେ ଏଇ ଗାଁ ବରଗଛ ମୂଳରେ ଆମେ କଅଣ ଏକୁଟିଆ ଅନ୍ଧାରରେ ବସିଛୁଁ । ନାଇଁ ଲୋ । ଦେଖ୍‌ତ, ଆମ ପାଇଁ କିଏ କେତେ ଆଲୁଅ ଜାଳି ରଖିଛି । ଆଲୁଅ ପାଇଁ ଭାବନା ! ବିଲମଝିରୁ ବିଲୁଆ ପଲ ରଡ଼ି ଛାଡ଼ିଛନ୍ତି । ଆଲୋ, ସେହି ତ ଆମର ସାଥୀ, ସାହାଭରସା । ଯେତେବେଳେ ସାରା ସଂସାର ଆମକୁ ଘୃଣା କରି ଫିଙ୍ଗିଦେଇ ଆସିବେ, ସେତେବେଳେ ଏହିମାନେ ହିଁ ଆମକୁ ଆଦର କରିବେ । ତେବେ ଆଉ ଭାବନା କଅଣ ?

 

ମୁଠିଏ ଭାତ ପାଇଁ ପରଆଗରେ ହାତ ପତାଇ ଦାନ୍ତ ନିକୁଟି ଭିକ ମାଗିବା ? ବେଶ୍‌ ତ, ସେଥିକି ଆମର ଲାଜ ନାହିଁ । ଆମେ ମଣିଷ । ଯାହା ପାଖରେ ଗୋଡ଼ ଭାଙ୍ଗି ହାତ ପାତିବା ସେ ବି ମଣିଷ । ଆଜି ଆମେ ତଳ ହାତରେ ମାଗୁଛୁଁ ସେ ଦେଉଛି । ସେ ଯଦି ଆମ ପରି ହୋଇଥାନ୍ତା, ସେ ମାଗନ୍ତା, ଆମେ ଦିଅନ୍ତୁ । ଯିଏ ଦିଏ ସେ ବି ଶେଷରେ ଧୂଳିରେ ଲୋଟେ । ଆମେ ନ ହେଲା ଟିକେ ସହଳ ସହଳ ସହଳ ଶୋଇବା । ଏଇ ତ ? ଆମ ପରି, ଆମଠୁ ବଳି ଶହ ଶହ ଲୋକେ ଆଜି ବାଟର ଭିକାରୀ ଲୋ ମା, ଆମେ ବା କେଉଁ ମଣିଷରେ ଲେଖା ।

 

ରକ୍ତମାଂସ ଦେହ ସବୁ ସହେ ଲୋ ଉମୀ, ସବୁ ସହିପାରେ । ଆମେ ବି ସହିବା । କଷ୍ଟ କାହାକୁ କହୁଛୁ ? ଜୀବନ ଧରି ରହିବାକୁ ଯେଉଁ ଯନ୍ତ୍ରଣା ଯେଉଁ କଷ୍ଟ ଯେଉଁ ଚେଷ୍ଟା, ତାକୁହିଁ ତ ମଣିଷ ଆନନ୍ଦ କହେ । ନୋହିଲେ ମଣିଷ କଷ୍ଟ ସହି ବଞ୍ଚିରହିବାକୁ ଇଚ୍ଛା କରେ କାହିଁକି ? ପଦେ ପଦେ ଦୁଃଖକଷ୍ଟର ତତଲା କରେଇରେ ସନ୍ତୁଳି ହୋଇ ଯେତିକି ଆଗକୁ ଚାଲୁଥିବା ଉମା, ଜୀବନର ମୂଲ୍ୟ ଆମେ ସେତିକି ବୁଝୁଥିବା ! ବଞ୍ଚିବାକୁ ମମତା ସେତିକି ବଢ଼ି ବଢ଼ି ଯାଉଥିବ । ଯେ ମରେ, ସେ ପହିଲୁ ମରେ । ଯେ ନ ମରେ, ସେ ଆଉ ମରିପାରେ ନାହିଁ । ମରିବାକୁ ଇଚ୍ଛା ହୁଏ ନାହିଁ । ବଞ୍ଚବାକୁ ସେ ଆତୁର ହୁଏ । ସବୁ ସହେ । ଲାଜସରମ, ଲୋକ ଦେଖଣା କଥା ବେଶି ଦିନ ରହେ ନାହିଁ ଲୋ ଉମା ! କାହିଁକି ରହିବ ? କଷ୍ଟ ପାଇଲେ, ସହିଲେ ସିନା ମଣିଷ ବୁଝିବ ସେ କଅଣ ? ଥରେ ବୁଝିଲେ ଆଉ ତାର ଲାଜ କଅଣ ? ସମସ୍ତେ ତ ଏକାପରି । ପୁଣି କାହା ଓଳିତଳେ ଆମେ ଆଶ୍ରା ଲୋଡ଼ିବା କାହିଁକି ? ଯାହା ଓଳିତଳେ ଆମେ ଆଜି ଆଶ୍ରା ନେଇଛୁଁ, ସେମିତି କେତେ ଆଶ୍ରା ଆମକୁ ମିଳିଯବ ।

 

ବରଗଛ ତଳ ଧୂଳିଉପରେ ବସି ଉମା ସ୍ଥିର ହୋଇ ମୋତିମାର ସବୁ କଥା ଶୁଣିଗଲା । କେତେ ଭାବି ସେ କହିଲା, କୁଆଡ଼େ ଯିବାକୁ କହୁଛୁ ମୋତି ମା ? ଏ ଗାଁରେ ଆଉ ଦଣ୍ଡେ ରହିବାକୁ ମୋର ଇଚ୍ଛା ନାହିଁ ।

 

ଉମା ପୁଣି ଭାବିଲା, ଜଗୁଭାଇ ଯଦି ଫେରିଆସି ତାକୁ ଖୋଜେ ? ସେ ନିଶ୍ଚୟ ଫେରି ଆସିବ । ସେ ନିଶ୍ଚୟ ତାକୁ ଖୋଜିବ । ଆହା ! ସବୁ ଆଶା ପଛରେ ପକାଇ ସତରେ ସେ ଗାଁ ଛାଡ଼ି ଚାଲିଯିବ ? ନରିପୁରର ପ୍ରତି ଧୂଳିକଣା ଉମା ନିକଟରେ କେଡ଼େ ଆଦରର ଚିଜ, କେତେ ଆପଣାର ! ନା, ସବୁ ଭୁଲ୍‌ ସେ କରିଛି । ସେ କାହିଁକି ଖୁଡ଼ୀର ଗୋଡ଼ ଧରି କ୍ଷମାଭିକ୍ଷା ନ କଲା । ଖୁଡ଼ୀ ତାକୁ ମାରିବେ, ଗାଳିଦେବେ, କଷ୍ଟଦେବେ, ନଈରୁ ପାଣି ବୁହାଇବେ, ସବୁପ୍ରକାର ଦହଗଞ୍ଜ କରିବେ । ହଉ, ଯାହା ଇଚ୍ଛା ତାହା କରନ୍ତୁ ତଥାପି ସେ ତାଙ୍କର ଝିଅ । ଅବଶ୍ୟ ତାଙ୍କର ମନ ତରଳିବ, କିନ୍ତୁ ଦାଣ୍ଡରେ କିଏ କାହିଁକି ତାକୁ ଚାହିଁବ । ତା ପାଇଁ କାହାରି ମନ ତରଳିବ ନାହିଁ । ନା, ସେ ଛତରକୁ ଯିବ ନାହିଁ । ଫେରିଯିବ, ଖୁଡ଼ୀ ଦାଦିଙ୍କର ଗୋଡ଼ ଧରି ଦୋଷ ମାଗିନେବ ।

 

ଓଃ, କି ଅନ୍ଧାର ! ଆହୁରି ଅନ୍ଧାର ତା’ର ଭବିଷ୍ୟତ ! ସେ କିପରି ଏ ଅନ୍ଧାର ଭିତରେ ବାଟ ଅଣ୍ଡାଳି ଆଗକୁ ଚାଲିବ ? ଉମାର ପେଟ ଭିତରେ କୋହ ଉଠିଲା । ମନ ଆହୁରି ଅସ୍ଥିର ହେଲା ।

 

ମୋତି ମା କହିଲା, ଯୁଆଡ଼କୁ ଚାହିଁଲେ ବାଟ ପଡ଼ିଛି । ବାଟ ଖୋଜିବାକୁ ପଡ଼ିବ ନାହିଁ । ତୁ ଆଉ ଏଣୁ ତେଣୁ ଭାବ ନା ଉମା ! ମୋ କୋଳକୁ ଆଉଜି ଟିକିଏ ଶୋଇପଡ଼ । ପାହାନ୍ତାରୁ କେହି ନ ଉଠୁଣୁ ଗାଁ ଛାଡ଼ି ଯିବା ପରା ! ଏ ଗାଁରେ ରହି ଆଉ ଚଳି ହେବ ନାହିଁ !

 

ଉମା କଅଣ ଭାବି ଡରି ଡରି ଧୀରେ ଧୀରେ କହିଲା, ମୁଁ ଘରକୁ ଯାଉଛି, ମୋତି ମା ।

 

ମୋତି ମା ଅବାକ୍‌ ହେଲା । କେତେ କଅଣ ଭାବି ଅନ୍ଧାରରେ ହାତ ଆଣି ଉମାର ଓଠ ଧରି ଗେଲ କରି କହିଲା, ସୁନା ଝିଅ ମୋର, ସେଇଆ କର । ମୁଁ ତ ପହିଲୁ ତୋତେ ସେହି କଥା କହିଥିଲି । ଯା, ତୁ ଫେରି ଯା । ସହିବାକୁ ସାହସ କରି ଖୁଡ଼ୀର ଗୋଡ଼ ଧରି ଦୋଷ ମାଗିନେବୁ । ଉମା ଉଠିଲା ନାହିଁ । ପୁଣି କଅଣ ଭାବିବାକୁ ଲାଗିଲା ।

 

ମୋତିମା କହିଲା, ଫେରିଯିବାର କଥା ତ, ଯା ମା, ସହଳ ଫେରି ଯା । ରାତି ବଳେଇ ପଡୁଛି । ଖୁଡ଼ୀ ତୋର କେତେ କଥା ଭାବିବ ! ଯଦି ସେ ତୋତେ ଗୋଡ଼ରେ ଠେଲି ଦେଇ ବିଦା କରେ, ମୋରି କୋଳକୁ ଫେରି ଆସିବୁ । ତେଣିକି ତୋ କପାଳ ।

 

ଉମା ଫେରିଗଲା ।

 

ଅନ୍ଧାର ରାତି । କାହାରି ସ୍ଵର ଶବ୍ଦ ନାହିଁ । ସେ ଦାଣ୍ଡ କବାଟରେ ହାତ ମାରିଲା । କବାଟ ବନ୍ଦ ଅଛି । କଅଣ କରିବ ? ଇଚ୍ଛା ହେଲା, ଖୁଡ଼ୀ ଖୁଡ଼ୀ ବୋଲି ଡାକିବ । ପୁଣି କଅଣ ଭାବି ବାଡ଼ିପଟେ ବୁଲିଯାଇ ବାଡ଼ି କବାଟରେ ହାତ ଦେଲା । ଆହା, ସେଟା ବି ବନ୍ଦ ! ସେ ଦୀର୍ଘଶ୍ଵାସ ଛାଡ଼ି ଦାଣ୍ଡ ଝରକା ପାଖକୁ ବୁଲିଗଲା । ସେ ଜାଣେ, ଦାଣ୍ଡପାଖରେ ତାର ଖୁଡ଼ୀ ଖଟ ଉପରେ ରେଣୁକୁ ଧରି ଶୁଏ । ସେ କାନ ପାରିଲା । ତାକୁ ଘରୁ ବିଦା କରି ଦାଦି ଖୁଡ଼ୀ ତାର କେଡ଼େ ନିଶ୍ଚିନ୍ତରେ ଶୋଇ ପଡ଼ିଛନ୍ତି । ଜାଣି ଜାଣି ସେ କାହିଁକି ତାଙ୍କର ସୁଖନିଦ୍ରାରେ ବ୍ୟାଘାତ ଆଣିବ ?

 

ଉମା ସେହି ଝରକା ତଳେ କାନ୍ଥକୁ ଆଉଜି ବସି ଭାବିଲା । ହେତୁ ପାଇଲା ଦିନରୁ ଆଜିଯାଏ ଗୋଟି ଗୋଟି କରି ସବୁ ଘଟଣା ମନେ ପଡ଼ିଲା । ସେ କେତେ କାନ୍ଦିଲା । ଶେଷକୁ କେଜାଣି କଅଣ ଭାବି, ଧୀରେ ଧୀରେ ଦାଣ୍ଡ ପିଣ୍ଡାରୁ ଓହ୍ଲାଇ ଆସିଲା । ଗାଁ ଗୋହିରୀ ପାରି ହୋଇ ସେ ପଧାନଙ୍କ ଘରମୁହାଁ ହୋଇ ଚାଲିଲା । ପଧାନଙ୍କ ଘର ସଦର ଦରଜା ବନ୍ଦ । ତାର ସବୁ ଆଶା ବିଫଳ ହେଲା । କାଳେ ଜଗୁଭାଇ ଫେରି ଆସିଥିବ । ଜଗୁଭାଇଙ୍କୁ ଖବର ନ ଦେଇ ସେ ଗାଁ ଛାଡ଼ି ଛତରରେ ପଶିବ କିପରି ?

 

ଜଗୁ ଯେ ଫେରିନାହିଁ, ସେ ଜାଣିବ କିପରି ? ରାତି ଅଧରେ କାହାକୁ ଡାକି ପଚାରିବ ? ଛି, ଲୋକେ ଭାବିବେ କଅଣ ? ତୁଚ୍ଛାଟାରେ ତ ଅପବାଦର ବୋଝ ମୁଣ୍ଡରେ ଲଦି ଦେଇଛନ୍ତି । ସେହି ଆରା ଧରି ଖୁଡ଼ୀ ତାକୁ ଘରୁ ଚାଲିଯିବାକୁ କହିଛନ୍ତି । ସେ ପୁଣି କିପରି ନେତୀକୁ ଡାକି ରାତି ଅଧରେ ଜଗୁ କଥା ପଚାରିବ ? ସେହି ନେତୀ ପାଇଁ ଯେ ତା ନାମରେ ଅପବାଦ ନାଗରା ଗାଁ ସାରା ଡିବି ଡିବି ହୋଇ ବାଜିଲା ।

 

ଉମା ଫେରି ଆସିପାରିଲା ନାହିଁ । ଫାଟକକୁ ଆଉଜି ସେ ଲୁହ ଗଡ଼ାଇ କାନ୍ଦିଲା । ପ୍ରତି ମୁହୂର୍ତ୍ତରେ ବରମୂଳକୁ ଫେରିଆସି ମୋତିମାର ଶରଣ ପଶିବାକୁ ଇଚ୍ଛା ହେଉଥାଏ । ପୁଣି ଆଶା ହେଉଥାଏ, କାଳେ ଜଗୁଭାଇ ଫେରିଥିବ, କାଳେ ସେ କୌଣସି କାରଣରୁ ପଦାକୁ ବାହାରିବ । ଥରେ ଦେଖା ହେଲେ ଉମା ହୃଦୟ ଖୋଲି ସବୁ ବେଦନା ନିଗାଡ଼ି ଦେବ କେବଳ ଗୋଡ଼ତଳେ । ତେଣିକି ଯେ ଯାହା ପ୍ରତିକାର କରୁ ।

 

ଚାହିଁ ଚାହିଁ ସବୁ ଆଶା ମଉଳିଲା । ନା, ଜଗୁଭାଇ ଆସିନାହିଁ ପରା । କୁଆଁତାରା ଉଠିଲାଣି । ରାତି ଦେଖୁ ଦେଖୁ ପାହିଯିବ । ଆଉ କେତେବେଳ ଯାଏ ଅପେକ୍ଷା କରିବ ସେ ? ମୋତିମା ତାକୁ ଛାଡ଼ି କୁଆଡ଼େ ଚାଲିଯିବଣି । ଆହା ! ବିଦାୟ ପୂର୍ବରୁ ଥରେ ହେଲେ ଦେଖା ହୋଇ ପାରିଲା ନାହିଁ । ଜୀବନରେ ହେବ କି ନାହିଁ, କି ଠିକ୍‌ ? ହେଉ, ଭଗବାନଙ୍କର ଇଚ୍ଛା । ଉମା ଆଖିରୁ ଲୁହ ପୋଛି ପୁଣି ଗଛ ମୂଳକୁ ଫେରିଆସିଲା ।

 

ବେଣୁବୋଉ ଜଗୁକୁ ଏକୁଟିଆ ଦେଖି କହିଲେ, ବାବୁ, ତମେ ଆଉ ଏଠି ଏପରି ବସିରହିଲେ ହେବ ନାହିଁ । ତିନି ତିନି ଜଣ ଲୋକ । ବସି ଖାଇଲେ ଚଳିବ କିପରି ? ଏଠାକାର ଅବସ୍ଥା ତ ଦେଖୁଛ । ଭାଇ ସିନା ମୋହବତ୍‌ରୁ କିଛି କହୁନାହାନ୍ତି ମନେମନେ କଣ ସେ କହୁ ନ ଥିବେ । କାଲି ସଞ୍ଜବେଳେ ଭାଉଜବୋହୂ ମୋତେ ଶୁଣାଇ ଶୁଣାଇ କାହାକୁ କେଜାଣି କହୁଥିଲେ, ଧାନଚାଉଳ ଯାହା ଥିଲା ସରି ଆସିଲାଣି । ତିନି ତିନି ଜଣ ଉପୁରି ମଣିଷ ଘରେ ପୋଷି ହେଉଛନ୍ତି-। ସେ କଥା କହିଲେ ଭାଇ କୁଆଡ଼େ ରଙ୍ଗ ଆଖି ଦେଖାଉଛନ୍ତି । ଇତ୍ୟାଦି ।

 

ଜଗୁ ପଚାରିଲା, କଅଣ କରିବାକୁ କହୁଛ, ଭାଉଜବୋହୂ ?

ତୁମେ ଘରକୁ ଫେରିଯାଅ ।

ମୁଁ ଯିବି ନାହିଁ ।

କାହିଁକି ?

 

କାହିଁକି, ତମେ ଏ କଥା ବୁଝିପାରୁନା ? ବାପା ଆମକୁ ତଡ଼ିଦେଇଛନ୍ତି । ମୁଁ ବେଣୁକୁ ନେଇ ଉପାସ ଭୋକରେ ଚାଲି ଆସିଛି । ଆମର ଆଶା ଛାଡ଼ିବାକୁ କହି ଆସିଛି । ବିପଦରେ ପଡ଼ି ଗୋଟିଏ ରାତି ପଠାଣଘରେ ଆଶ୍ରା ନେଇଥିଲ ବୋଲି ତମର ଜାତି ଗଲା । ବିନାଦୋଷରେ ତମୁକୁ ସେ ଘରେ ପୂରାଇବେ ନାହିଁ କହିଲେ । ତା ପରେ ଆମେ ଦିହେଁ ତମକୁ ଖୋଜି ଖୋଜି ଆସିବାବେଳେ ମିଆଁଙ୍କ ଘରେ ରାତି ଅଧରେ ପହଞ୍ଚିଲୁ । ତାଙ୍କ ଘରେ ଖିଆପିଆ କରି ରାତି କାଟିଲୁଁ । ଆମର ବି ଜାତି ଗଲା । ଆମକୁ ସେ ଘରେ ପୂରାଇବେ କିପରି ?

 

ବୁଢ଼ା ଲୋକ । ମତିଭ୍ରମ ହେଲାଣି । ରାଗରେ କଅଣ କହିଦେଲେ । ସେଥିକି ଛଳ କରି ଅଡ଼ି ବସିଲେ ଭଲ ହେବ ନାହିଁ । ବାପା ସେ, ତାଙ୍କ କଥା ଆମେ ନ ସହିବା ତ, ସହିବ ଆଉ କିଏ-? ବାଇଆ ବୁଦ୍ଧିଛାଡ଼ । ଯାଅ, ଘରକୁ ଫେରିଯାଅ । ଏ କେଇ ଦିନ ହେଲା ବେଣୁକୁ ନ ଦେଖି ସେ ବ୍ୟସ୍ତ ହେଉଥିବେ ।

 

ମୁଣ୍ଡ ହଲାଇ ଜଗୁ କହିଲା, ରାମ୍‌ବୋଲ, ତା ଯଦି ହୋଇଥାନ୍ତା, ସେ ଆମ ପଛେ ପଛେ ଲୋକ ପଠାଇଥାନ୍ତେ । ମୁଁ କହୁଛି, ନେତୀ ଥିବାଯାକେ ମୁଁ ଆଉ ଘର ମୁହଁ ଦେଖିବି ନାହିଁ ।

 

ସାମାନ୍ୟ ହସି ବେଣୁବୋଉ କହିଲେ, ନେତୀ ପୋଇଲୀ ଲୋକ । ଆଜି ଅଛି, କାଲି ନାହିଁ । ତାକୁ ଡରି ଘର ଛାଡ଼ିବ ? ସେ ପାଗଳ ବୁଦ୍ଧି ଛାଡ଼ । ମୋର ସୁନା ଭାଇଟି, ସାନ କୁହା ମାନି ଘରକୁ ଯାଅ । ଆମେ ଆଉ ବେଶି ଦିନ ଏଠି ରହିବା ନାହିଁ । ତମେ ଗାଡ଼ି ବଳଦ ସଜିଲ କରି ଦିନେ ଦି ଦିନ ପରେ ଆସିଲେ ମୁଁ ବେଣୁକୁ ନେଇ ତମ ସଙ୍ଗେ ଚାଲିଯିବି । ଦେଖିବା, ବୁଢ଼ା କଅଣ କରିବେ, ନେତୀ କଅଣ କରିବ ?

 

ବାପା ଯଦି ତମକୁ ଘରେ ନ ପୂରାନ୍ତି ?

 

ଆଜିଯାଏ ତମର ବୁଦ୍ଧି ହେଲା ନାହିଁ । ମୁଁ କଅଣ ବାପାଙ୍କ ଗୋଡ଼ରେ ଚାଲିବି ଜଗୁ ଠାକୁରେ ଗୋଡ଼ ଦେଇଛନ୍ତି । ଗାଡ଼ିରୁ ଓହ୍ଲାଇ ବେଣୁର ହାତ ଧରି ମୁଁ ମୁଁ ଠୁଙ୍ଗ୍‍ ଠୁଙ୍ଗ୍‍ ଘର ଭିତରକୁ ଯିବି । ସେ କଅଣ କରିବେ ?

 

ଚିଡ଼ିବେ ।

 

ଚିଡ଼ିବା ତାଙ୍କର ପ୍ରକୃତି । ଚିଡ଼ିବେ ଗାଳିଦେବେ । ପଠାଣ ଆସି ଘରେ ପଶିଲା ବୋଲି ନ ଖାଇବେ । କେତେଦିନ ? ଦିନେ ଯିବ, ଦି ଦିନ ଯିବ- ତେଣିକି ବଳେ ଆରେଇ ଯିବେ ।

 

ଜାତିଭାଇ ?

 

କଣ କରିବେ ? ଏକଘରିଆ. କରିବେ ? ଆମର କାହିଁର ଅଭାବ ଅଛି ଯେ ଡରିହରି ତାଙ୍କର ଶରଣ ପଶିବା ? ଆମକୁ ଯଦି ଜାତିରେ ନ ନିଅନ୍ତି ଆମେ କଅଣ ଚଳିପାରିବା ନାହିଁ ?

 

ଭାରି ସାହସରେ କଥା କହୁଛ, ଭାଉଜବୋହୂ !

 

ତମ ପରି ଡରୁଆ ମୁଁ ନୁହେଁ । ଯାହା କହୁଛି ତାହା ହିଁ ହେବ । ଆମକୁ ବାଧା ଦେବାକୁ କାହାର ସାହସ ହେବ ନାହିଁ । ମୋ କଥା ମାନ, ତମେ ଫେରିଯାଅ ।

 

ଜଗୁ ତଳକୁ ଚାହିଁ ଭାବିବାକୁ ଲାଗିଲା । କିଛିକ୍ଷଣ ପରେ ଉତ୍ତର ଦେଲା, ଯିବାକୁ ମନ ଡାକୁନାହିଁ, ପୁଣି ବେଣୁକୁ ଛାଡ଼ି ।

 

ନା, ତମକୁ ଯିବାକୁ ହେବ । ନାହିଁ କଲେ ଚଳିବ ନାହିଁ । ଆଜି ବେଳ ବଳେଇ ପଡ଼ିଲାଣି-। କାଲି ସକାଳୁ ଉଠି ବାହାରିଯାଅ ।

 

ବାଧ୍ୟ ହୋଇ ଯିବାକୁ ହେବ, କିନ୍ତୁ ମନ ଡାକୁନାହିଁ ।

 

ଆହୁରି ଗୋଟାଏ କଥା ଅଛି, ଜଗୁ । ତମେ ଆମକୁ ନେବାକୁ ଯେଉଁ ଗାଡ଼ି ନେଇ ଆସିବ, ସେଥିରେ ଦି ଚାରି ବସ୍ତା ଧାନ କି ଚାଉଳ ପକାଇ ଆଣିଥିବ । ଏମାନଙ୍କ ଧାନଚାଉଳ ଆସି ସରିବା ଉପରେ, ଆମରି ପାଇଁ । ଅସମୟରେ ଏମାନଙ୍କୁ କିଛି ସାହାଯ୍ୟ ନ ଦେଲେ ଅତି କଷ୍ଟ ପାଇବେ । ଆମର ମଣିଷପଣିଆ ରହିବ ନାହିଁ ।

 

ବାପା ଦବାକୁ ମଙ୍ଗିବେ ?

 

ତାଙ୍କର ମଙ୍ଗ ଅମଙ୍ଗରେ କଅଣ ଅଛି ? ସେ କିଛି ତମ ହାତରେ କୋଲପ ପକାଇବେ ନାହିଁ ! ମୁହଁରେ କହିବେ, ଗାଳି ଦେବେ, ସହିଯିବ ।

 

ଜଗୁ ଟିକିଏ ଭାବି କହିଲା, ଦେଖାଯାଉ ।

 

ତା ପରେ ସେ ଭାବିବାକୁ ଲାଗିଲା, କିପରି ସେ ଧାନ ପଠାଇବ ବୋଲି ମାମୁଁ ଘରେ କହିଆସିଛି । ଉମାର ଭାର ସ୍ଵଇଚ୍ଛାରେ ନିଜେ ବୋହିବ ବୋଲି ପ୍ରତିଜ୍ଞା କରି ଆସିଛି । କାହିଁ, ଆଜିଯାଏ ସେ ତା କହିଲା କଥା ପାଳି ପାରି ନାହିଁ । ମାମୁଁ ଚାହିଁ ବସିଥିବେ । ଆହା, ଗରିବ ଉମା ଉପରେ ପୁଣି ଅତ୍ୟାଚାର ଆରମ୍ଭ ହେବଣି । ନିରୁପାୟ ! ତା ଭାଗ୍ୟ !

 

ପରଦିନ ଭୋରରୁ ଉଠି ସମସ୍ତଙ୍କଠାରୁ ବିଦାୟ ନେଇ ସେ ନରିପୁର ଫେରିଲା ।

 

ବାଟରେ କେତେ ବିଷୟ ଭାବିବାକୁ ପଡ଼ିଲା । ଏତେ ପ୍ରତିଜ୍ଞା କରି ଘରୁ ବାହାରି ଆସିଛି-। କେଉଁ ମୁହଁରେ ସେ ଫେରିଯାଇ ବାପାଙ୍କୁ କ୍ଷମା ମାଗିବ ? ଦାଣ୍ତବାଟେ ଯିବ ବାଡ଼ିପଟେ ଯିବ । କାଳେ ଆଗ ନେତୀର ହାବୁଡ଼େ ପଡ଼ିବ । ସେ ଯଦି ଥଟ୍ଟା କରି ହସେ ? ହସୁ ଏଥର ତାର ଆଉ ମୁକ୍ତି ନାହିଁ । ସେ ନିଶ୍ଚୟ ତାର ପାଟି ଦାନ୍ତ ଭାଙ୍ଗି ଚୂନା କରିବ ।

 

ଆଚ୍ଛା, ବାପା ଯଦି ତାକୁ ଘରେ ନ ପୂରାଇ ଅଜାତି ବୋଲି ବାହାର କରିଦିଅନ୍ତି ? ତାର ଫଳ ସେ ପାଇବେ- ଜଗୁ ହାତର ନିଆଁରେ ଯେତେବେଳେ ତାଙ୍କ ଘର ଅମାର ସବୁ ଜଳି ପାଉଁଶ ହେବ । ସେ କୁଳାଙ୍ଗାର ପୁଅର ଲଙ୍କାକାଣ୍ଡ ଦେଖିବେ ।

 

ନା, ନା, ସେ ଏଡ଼େ ନିଷୁର ହେବେ ନାହିଁ । ତା ହୋଇଥିଲେ ସେ ସେଦିନ ପଛରୁ ଡାକିଥାନ୍ତେ କାହିଁକି ?

 

ଉମାର ଅବସ୍ଥା କଅଣ ହୋଇଥିବ ? ବୋଧହୁଏ ଧାନଚାଉଳ ଆଶାରେ ଗୋବିନ୍ଦ ସାହୁ ଆଉ ତାର ସ୍ତ୍ରୀ ଆଉ ଉମା ଉପରେ ଅତ୍ୟାଚାର କରୁ ନ ଥିବେ । ତାକୁ ଧାନଚାଉଳ ଦେବାର ଉପାୟ କଅଣ ? ଉମା ବିଷୟ ପଡ଼ିଲେ ବାପା ରାଗରେ ନାଚି ଉଠନ୍ତି । ନେତୀର ସବୁ କଥା ବିଶ୍ଵାସ କରି ଉମାର ସ୍ଵଭାବ ଚରିତ୍ରକୁ ସେ ବିଶ୍ଵାସ କରନ୍ତି ନାହିଁ । ନେତୀ ହେଉଛି ନାଟର ଗୋବର୍ଦ୍ଧନ । ତା ହାତରୁ ସେ ଦିନେ ପାଇବ । ଉମା ପାଇଁ ଲୋକେ ତା ନାମରେ ବାର ଦୁର୍ନାମ ଉଠାଇଲେଣି । ସେ ଆଉ ତା ସଙ୍ଗେ କଥାଭାଷା ହୋଇପାରିବ ନାହିଁ । ମିଛଟାରେ ଲୋକେ ସନ୍ଦେହ କରୁଛନ୍ତି ।

 

ଲୋକହସାକୁ ସେ ଡରିବ ?

 

ଉମା ତାକୁ ଭଲ ପାଏ । ସେ ଉମାକୁ ଭଲ ପାଏ । ଉମା ତାଙ୍କ ଘରକୁ ଆସି ରହିବ । ବାପା ରାଗିବେ । ରାଗନ୍ତୁ ।

 

–୧୬–

 

ଦିନ ପ୍ରାୟ ଦଶଟା । ଘର ଆଗକୁ ଆସି କଗୁ ଯାହା ଦେଖିଲା, କ୍ଷଣକରେ ତାର ସବ ସୁଖସ୍ଵପ୍ନ ଭାଙ୍ଗିଗଲା । ଆଶା ଦେଉଳଟି ଟଳିପଡ଼ିଲା ରସାତଳରେ । ଘର ଆଗରେ ଠିଆ ନ ହୋଇ ସେ ଘଡ଼ିଏ କାଳ ଅବାକ୍‌ ହୋଇ ଚାହିଁ ରହିଲା । ଏ କଅଣ ! ଗାଁ ଯାକରେ ଗୋଟାଏ ଘର ପଧାନ ଘର, ହାତୀଶାଳଠୁଁ ବଳି । ଆହା, ଆଜି ତାର ଏ ଦୂରାବସ୍ଥା ! ସବୁ ଆଜି ପୋଡ଼ି ପାଉଁଶ ହୋଇଛି । ନଡ଼ିଆଗଛ ପରି ଧାନ ମରେଇ ! ତା’ର ଚିହ୍ନବର୍ଣ୍ଣ ନାହିଁ । ଖୋଲା କାନ୍ଥଗୁଡ଼ା ଆକାଶକୁ ମୁଣ୍ଡ ଟେକି ଠିଆ ହୋଇଛନ୍ତି । ଘର ଭିତରୁ ଧୂଆଁର ସୁଅ ଧୀରେ ଧୀରେ ହଲି ହଲି ଉପରକୁ ଉଠୁଚି ।

 

ଜଗୁ ଅଧୀର ହୋଇ ଉଠିଲା । ବାପା କାହାନ୍ତି ? ନେତୀ କାହିଁ ? ଏଡ଼େ ବଡ଼ ଭାଷଣ କାଣ୍ଡ କଲା କିଏ ? ସେ ବୁଝିପାରିଲା ନାହିଁ । ଅନୁମାନ କରି ପାରିଲା ନାହିଁ । ଧୀରେ ଧୀରେ ବାଡ଼ି କବାଟ ଖୋଲି ପାଉଁଶ ଭିତରେ ପଶି ଅମାର ଖଞ୍ଜା ଭିତରକୁ ଗଲା । କେହି କୁଆଡ଼େ ନାହାନ୍ତି । ଜିନିଷପତ୍ରର ଦେଖା ନାହିଁ । ସବୁ ଜଳି ଅଙ୍ଗାର ହୋଇଛି । କେବେ ନିଆଁ ଲାଗିଲା ବୁଝି ହେଉନାହିଁ-। ସେ ଉପର ଖଞ୍ଜାକୁ ଯାଇ ଦେଖିଲା, କାଠ ଓରାର ଶେଷଟା ବର୍ତ୍ତମାନ ସୁଦ୍ଧା ଜଳି ପାଉଁଶ ହୋଇନାହିଁ । ଧୂଆଁ ଉଠୁଛି ।

 

ଜଗୁର ଛାତି ଥରିଉଠିଲା । ଅଜଣା ଭୟରେ ପ୍ରାଣ କାନ୍ଦି ଉଠିଲା । ପଧାନେ କାହାନ୍ତି ? ତାକୁ ଏ ଖବର କିଏ ଦେବ ? ଜଗୁ ଅସ୍ଥିର ହୋଇ ବାଡ଼ିକୁ ଗଲା । ଧାନ ମରେଇର ଚିହ୍ନ ନାହିଁ । କେବଳ ଠାଏ ଠାଏ, କେରାଏ କେରାଏ କୁଟା ଓ ଧାନ ବୁଣି ହୋଇ ପଡ଼ିଛି । ନିଆଁ ଲାଗିଲା ପରି ଜଣା ଯାଉନାହିଁ । କିଏ ନେଲା, କାହିଁ ଗଲା, ସେ ଠିକ୍‌ କରି ପାରିଲା ନାହିଁ ? ଗୋଟିଏ ଘଟଣା ମନେ ପଡ଼ିଲା । ସେଦିନ ଗୋବିନ୍ଦ ସାହୁ ଘରୁ ଫେରିଲାବେଳେ ବରମୂଳରେ କେତେଜଣ ଗ୍ରାମବାସୀ ବସି କଥାଭାଷା ହେଉଥିଲେ । ତାକୁ ଦେଖି ଯିଏ ଯୁଆଡ଼େ ଭୟରେ ପଳାଇଲେ ।

 

ଏ ଘଟଣା ସଙ୍ଗେ ସେଦିନର ସେହି ଦୃଶ୍ୟର କିଛି ସମ୍ବନ୍ଧ ଅଛି କି ?

 

ନିଶ୍ଚୟ ଅଛି । ଧାନ ପାଇଁ ଗାଁଲୋକେ ପଧାନଙ୍କ ପାଖକୁ ଥରକୁ ଥର ଆସି ବିଫଳ ହୋଇ ଫେରିଛନ୍ତି । ପଧାନଙ୍କ ଉପରେ ସମସ୍ତଙ୍କର ଅହନ୍ତା । ହୁଏତ ଗାଁଲୋକେ ସଲା ହୋଇ, ମେଳି ହୋଇ, ତା ଅନୁପସ୍ଥିତିର ସୁବିଧା ପାଇ ଘରେ ନିଆଁ ଲଗାଇଛନ୍ତି । ପଧାନ ଓ ନେତୀକୁ ଜଳନ୍ତା ନିଆଁରେ ପୋଡ଼ି ମାରି ଧାନଯାକ ବୋହି ନେଇଛନ୍ତି ।

 

ଏତେ ସାହସ ଲୋକଙ୍କର ! ଯଦି ସତରେ ସେମାନେ ଏପରି କରିଥାନ୍ତି, ଜଗୁ ତାର ପ୍ରତିଶୋଧ ନେବ । ଗାଁର ସବୁ ଘରେ ନିଆଁ ଲଗାଇ ନରିପୁରକୁ ଧ୍ଵଂସ କରିବ । ତେବେ ଯାଇ ମନରେ ଶାନ୍ତି ।

 

ସତ ମିଛ କହିବ କିଏ ? କାହାଠାରୁ ସେ ବୁଝିବ ? ଜଗୁର ମୁଣ୍ଡ ଘୂରିବାକୁ ଲାଗିଲା । ନିରାଟ ଖରା । ମୁଣ୍ଡ ଗରମ ହୋଇଯାଉଛି । ଆଖି ଆଗରେ ଶହ ଶହ ଜୁଳୁଜୁଳିଆ ପୋକ ଭାସି ଯାଉଛନ୍ତି । ପାଗଳ ପରି ସେ ବାଡ଼ି ଭିତରୁ ପଦାକୁ ଆସିଲା । କେଜାଣି କଣ ମନରେ ଭାବି ପୁଣି ଫେରିଯାଇ ଖଣ୍ଡେ ଦରପୋଡ଼ା ବାଉଁଶ ପାଉଁଶଗଦା ଭିତରୁ ଓଟାରି ଆଣିଲା । ଦେହର ଲୁଗାପଟା ଅଙ୍ଗାର ଲାଗି କଳା ହୋଇଥାଏ । ଦରପୋଡ଼ା ବାଉଁଶ ଡଡ଼ାଟା କାନ୍ଧରେ ପକାଇ ଗାଁ ଦାଣ୍ଡକୁ ବାହାରି ପଡ଼ିଲା -ସେ ଯାହାକୁ ଦେଖିବ, ଘଟଣାର କାରଣ ପଚାରିବ । ସେ ଭଲରେ କହିଲେ ରକ୍ଷା, ନୋହିଲେ, ସେ ଆଜି ଦେଖିବ ।

 

ଗାଁ ଦାଣ୍ଡ ଶୂନ୍‌ଶାନ୍‌ । ଦିନ ଦି ପହରେ ଜଣେ ହେଲେ କାହାର ଦେଖା ଦର୍ଶନ ମିଳୁନାହିଁ-। ଯେଉଁମାନେ ଦୂରରେ ଯା ଆସ କରୁଛନ୍ତି, ଡକା ପଡ଼ିଲେ ସେମାନେ ମୁହଁ ଫେରାଇ ଚାହୁଁ ନାହାନ୍ତି-। କଥା କଅଣ ? କାହା ଘରକୁ ଯିବ ? କାହାକୁ ପଚାରିବ ? କିଏ ତାକୁ ସତ କଥା କହି ମନର ସନ୍ଦେହ ଦୂର କରିପାରିବ ? ଉମା, ଏକା ଉମା ତାକୁ ସବୁ କହିବ । ସେ କିଛି ଲୁଚାଇ ପାରିବ ନାହିଁ-। ଜଗୁ ଏକମୁହାଁ ହୋଇ ଗୋବିନ୍ଦ ସାହୁର ଘରକୁ ଧାଇଁଲା । ଗାଁ ଗୋହିରୀରେ ସେ ଯାହାକୁ ଦେଖିଲା, କାହାରିକୁ କିଛି ପଚାରିଲା ନାହିଁ- ରାଗରେ, ଅଭିମାନରେ । ତାର ରୂପ, ଉତ୍ତେଜିତ ଢଙ୍ଗ ଦେଖି, ଦେଖଣାହାରୀ ଭୟରେ ଘର ଭିତରକୁ ପଶି କବାଟ କିଳିଲେ ।

 

ଜଗୁ ହୁଣ୍ଡା, ପାଗଳ ହୋଇଛି ।

 

ଗୋବିନ୍ଦ ସାହୁର ଦାଣ୍ଡକବାଟ ବନ୍ଦ । ଜଗୁ ବାଡ଼ିପଟେ ବୁଲିଗଲା । ବାଡ଼ି କବାଟ ବି ବନ୍ଦ ଅଛି । ଭିତରୁ କାହାର ସ୍ଵର ଶବ୍ଦ ଶୁଭୁନାହିଁ । ସେ କବାଟରେ ତଡ଼ା ମାରି ଉଚ୍ଚସ୍ଵରରେ ଉମାର ନାଁ ଧରି ଡାକ ଛାଡ଼ିଲା ।

 

ରେଣୁବୋଉ ଜବାବ ଦେଲେ, କିଏ ସେ ?

ମୁଁ ଜଗୁ, କବାଟ ଖୋଲ ।

 

ରେଣୁବୋଉ କବାଟ ଖୋଲିଲେ । ଜଗୁର ଚେହେରା ଦେଖି ସେ ଭୟରେ ପଛକୁ ଘୁଞ୍ଚି ଆସିଲେ । ଜଗୁ ଭିତରକୁ ଆସି ପଚାରିଲା, ଉମା କାହିଁ ?

 

ରେଣୁବୋଉ ଜଗୁର ହାତ ଧରି କହିଲେ, ଆଜିଯାଏ କୁଆଡ଼େ ଥିଲୁ ବାପା ! ସବୁ ସରିଲା ପରେ ଏତେବେଳକୁ ଆସି ପହଞ୍ଚୁଛୁ ?

 

ଜଗୁ ଆସି ପିଣ୍ଡାରେ ବସିଲା ।

 

ରେଣୁବୋଉ ଦୂରେଇ ହୋଇ ଠିଆ ହେଲେ । ଜଗୁ ଉଦ୍‌ବିଗ୍ନ ହୋଇ ପଚାରିଲା, ଆମ ଘର କିଏ ପୋଡ଼ି ଧାନଚାଉଳ ସବୁ ବୋହି ନେଇଛନ୍ତି ? ତମେ ସବୁ ଜାଣ ମାଉସୀ ।

 

ସବୁ ଶୁଣିଛି । ଟିକିଏ ବସ, ମୁ ସବୁ କହିବି ।

ବାପା କାହାନ୍ତି ?

 

ପଧାନେ ବଇଆ ବାଉରି ଘରେ ଅଛନ୍ତି । ନେତୀ ବି ସେଇଠି । ବୁଢ଼ାଙ୍କର ଦେହହାତ ସବୁ ପୋଡ଼ି ଯାଇଛି । କଷ୍ଟ ପାଉଛନ୍ତି । ରେଣୁବୋଉ ଆଖି ପୋଛିଲେ । କହିଲେ, ଏ ସବୁ କାଣ୍ଡ କିଏ କରିଛି ଜାଣୁ ? ଏଇ ଗାଁଲୋକ । ଘରେ ନିଆଁ ଲଗାଇ ଦେଇ ସେମାନେ ଧାନଚାଉଳ ସବୁ ବୋହି ନେଇଛନ୍ତି । ଦୁଇଦିନ ହେଲା । ରାତି ଅଧ । ନିଆଁ ଧୂ ଧୂ ଜଳିଉଠିଲା, ଓଃ.....

 

ଜଗୁର ମନ ସନ୍ଦେହ ତୁଟିଲା । ସେ ଚମକି କହି ଉଠିଲା- ଏହି ଗାଁଲୋକ ? ଏତେ ସାହସ ତାଙ୍କର ? କିଏ କିଏ, କହି ପାରିବ ?

 

ନାହିଁ ବାପ, ସେ କଥା ମୁଁ ମୁଁ ଶୁଣିନାହିଁ । ଅନ୍ଧାର ରାତି, କାହାକୁ କିଏ ଚିହ୍ନୁଛି ?

 

ଜଗୁ ଚିନ୍ତିତ ଜଣାଗଲା । ମୁଣ୍ଡର ବାଳକୁ ବାଁ ହାତରେ ଓଟାରୁ ଓଟାରୁ ପଚାରିଲା, ମଉସା ?

 

କୁଆଡ଼େ ଯାଇଛନ୍ତି ! ତିନି ଓଳି ହେଲା ଆମର ଚୁଲି ଜଳିନାହିଁ । ଉପାସ ଭୋକରେ କେଉଁଠିକି ଚାଉଳ ମାଣେ କ କୁଞ୍ଚାଏ ଧାର ପାଇଁ ଯାଇଛନ୍ତି । ଟିକିଏ ତୁନୀ ରହି ପୁଣି କହିଲେ, କେତେ ଆଶା କରି ବସିଥିଲୁ ବାବୁ ! ମଣିଷର ଆଶା କି ଦଇବ ସହେ । ଆମେ ତ ଜାଣିକରି ବାଟର ଅନାଥ ଫକୀର, ତୋତେ ବି ଠାକୁର ଆଣି ଆମରି ଦଶାରେ ପକାଇଲେ । ପୋଡ଼ା କପାଳ-

 

ଜଗୁ ରେଣୁବୋଉଙ୍କର ବିରସ ମୁହଁକୁ ଚାହିଁ ରହିଲା ଘଡ଼ିଏ । ଖଞ୍ଜାଟିର ଏଣେତେଣେ ଆଖି ପକାଇ ପଚାରିଲା, ଉମାକୁ ଦେଖୁନାହିଁ ଯେ ?

 

ରେଣୁବୋଉଙ୍କର ଆଖିରୁ ଲୁହଝରିଲା । ସେ ଆଖି ଲୁହ ପୋଛିବାରେ ଲାଗିଲେ । ଏକେ ତ ଜଗୁ ତା’ ଘରର ଅବସ୍ଥା ଦେଖି ଉତ୍ୟକ୍ତ । ତହିଁରେ ପୁଣି ବାପାଙ୍କର ଶୋଚନୀୟ ଅବସ୍ଥା କଥା ଶୁଣି ସେ ପାଗଳ ହୋଇଛି । ଏପରି ବେଳରେ ଯଦି ସେ ଶୁଣେ ଯେ ଉମାକୁ ସେମାନେ ଘରୁ ବାହାର କରି ଦେଇଛନ୍ତି, ଉମା କାହା ସଙ୍ଗରେ କୁଆଡ଼େ ପଳାଇଛି ତାଙ୍କୁ ଜଣା ନାହିଁ, ତେବେ ସେ ଗୋଟାଏ କାଣ୍ଡ କରି ବସିବ । କିପରି ସେ କଥାଟାକୁ ବାଗେଇ ବୁଲାଇ କରି କହିବେ, ସେହି ଚିନ୍ତା କରିବାକୁ ଲାଗିଲେ ।

 

ଜଗୁ ଉଦ୍‌ବିଗ୍ନ ହୋଇ ପୁଣି ପଚାରିଲା, କହୁନା କାହିଁକି ? ଉମା କାହିଁ ?

 

ରେଣୁବୋଉ ଆଖି ମଳି ମଳି କହିଲେ, ଉମା ତତେ ଖୋଜିବାକୁ ଯାଇଛି, ଜଗୁ ! ସେହିଦିନରୁ ଉମା ଆଉ ଫେରିନାହିଁ ।

 

ମତେ ଖୋଜିବାକୁ ଯାଇଛି, ଉମା ? ଜଗୁ ବିସ୍ମିତ ହେଲା ।

 

ହଁ ରେ ପୁଅ, ଯେଉଁଦିନ ସେ ଶୁଣିଲା, ତୁ ବେଣୁକୁ ନେଇ କୁଆଡ଼େ ଚାଲିଯାଇଛୁ, ସେ କାନ୍ଦି କାନ୍ଦି ଅସ୍ଥିର ହେଲା । ଯେତେ ବୁଝାଇଲି ସେ କାହିଁକି ବୁଝନ୍ତା ! ଖିଆପିଆ ଏକାଥରେ ଛାଡ଼ିଦେଲା । ଶେଷକୁ ମୁଁ ତାକୁ କଟୁକଥା କହି ଗାଳିଦେଲି । ତୋଠେଇଁ ତାର ଏତେ ସ୍ନେହ ଯେ, ଯେତେ ଛିଗୁଲେଇ କହିଲେ ସେ ଛଳ କଲା ନାହିଁରେ, ଓଲଟି ଜବାବ ଦେଲା, ଜଗୁଭାଇ ଚାଲି ଯାଇଛି, ମୁଁ ବି ଯିବି । ତା କଥାରେ ମୋର ତିଳେ ହୋଇ ବିଶ୍ଵାସ ନ ଥିଲା, ଏମିତି ସତରେ ସେ ଚାଲିଯିବ ! ରେଣୁବୋଉ ପୁଣି ଆଖି ଚିପୁଡ଼ିଲେ ।

 

ଜଗୁର ଆଖି ଛଳ ଛଳ ହୋଇଉଠିଲା । ପଚାରିଲା- ସେଇଠୁ ?

 

ରେଣୁବୋଉ କହିଲେ, ପଅରଦିନ ରାତିରେ ତ –ରାତି ଅଧରୁ ଉଠି କୁଆଡ଼େ ଚାଲିଗଲା, କେହି ଦେଖିଲେ ନାହିଁ, କେହି ଜାଣିଲେ ନାହିଁ । ସକାଳୁ ଦେଖିଲି, ବାଡ଼ିକବାଟ ମୁକୁଳା । ଉମା ଘରେ ନାହିଁ । ସେ ଯାଇ ଗାଁ ଯାକ ଖୋଜି ଆସିଲେ । ଘର ଘର ପଚାରିଲେ । ଆଉ ଉମା କାହିଁ ? ରେଣୁବୋଉ ଟିକିଏ ରହି କାନ୍ଦଣା ସ୍ଵରରେ କହିଲେ, କାନ୍ଦିବୋବାଇ ମନକୁ ବୋଧ ଦେଇ ରହିଲି । ହଉ, ଯାଉ, ସେ ଆଗ ଗଲା । ଆମର ଅବସ୍ଥା ଯେମିତି, ଆମକୁ ବି ତା ପଛେ ପଛେ ଯିବାକୁ ପଡ଼ିବ ।

 

ଜଗୁ ଆଖିର ଲୁହ ପୋଛି କହିଲା, ଉମା ପଳାଇଲା ମାଉସୀ, ଆଉ ଦି ଚାରି ଦିନ ଅପେକ୍ଷା କରିବା ଉଚିତ ଥିଲା । ହଉ, ଯାଉ ।

 

ଏତିକି କହି ସେ ବ୍ୟଥିତ ମନରେ ଗୋବିନ୍ଦ ସାହୁର ଘରୁ ବାହାରି ଆସିଲା । ଯୁଆଡ଼େ ଚାହିଁଲା, ସତେକି ଉମାର ସୁନ୍ଦର ପ୍ରସ୍ଫୁଟିତ ମୁହଁ ଲୁହଭରା ଆଖି ଦିଓଟି ତାର ଆଗରେ ଆସି ଉଭା ହୋଇଯାଉଛି । ତା ବିଷୟରେ ଅଧିକ ଚିନ୍ତା କରିବାକୁ ଜଗୁର ବେଳ ନ ଥିଲା । ରେଣୁବୋଉଙ୍କର କଥା କେଇ ପଦ ମନରେ ବାରମ୍ବାର ଆଘାତ ଦେବାକୁ ଲାଗିଲା- ଉମା ତତେ ଖୋଜିବାକୁ ଯାଇଛି-

 

ବାଉରି ସାହିକୁ ଖଣ୍ଡେ ଦୂର ଛାଡ଼ି ବଇଆ ବାଉରିର କୁଡ଼ିଆ । ଘର ବୋଲି ମୋଟେ ଦୁଇଟି ବଖରା । ଆଗରେ ଖଣ୍ଡେ ଚାଳି । ତିନି ପାଖରେ ବରଡ଼ା ତାଟି । ଗୋଟିଏ ପାଖ ଖୋଲା । ଚାଳଟା ନୂଆଁଣିଆ । ମୁଣ୍ଡ ନ ନୁଆଇଁ ଭିତରକୁ ଯିବା ଅସମ୍ଭବ । ଜଗୁ ଆସି ସେଇଠି ମିଳିଲା ।

 

ତାର ଡାକ ଶୁଣି ବଇଆ ତୋରାଣି କଂସା ଛାଡ଼ି ଆସି ଓଳଗି ହେଲା । ଟିକିଏ ଆଡ଼େଇ ଠିଆହେଲା ।

 

ଜଗୁ ପଚାରିଲା - ବାପା ?

ବଇଆ ପାଟି ନ ଫିଟାଇ ଚାଳିକୁ ଦେଖାଇଦେଲା ।

 

ସେ ଅଧିକ କିଛି ନ ପଚାରି ଭିତରକୁ ପଶିଲା । ଦେଖିଲା, ପଧାନେ ଖଣ୍ଡେ ନଡ଼ିଆ ଚାଞ୍ଚରା ଉପରେ ଶୋଇଛନ୍ତି । ଗୋଡ଼ରୁ ମୁଣ୍ଡଯାଏ ଖଣ୍ଡେ ସରୁ ଚଦର ଘୋଡ଼ା ହୋଇଛି । ନେତୀ ମୁଣ୍ଡ ପାଖରେ ବସି ବିଞ୍ଛଣା କରୁଛି । ଦୁଇ ଆଖି ଲୁହରେ ପୂର୍ଣ୍ଣ । ଏ ଭୟଙ୍କର ଦୃଶ୍ୟ ଦେଖି ଜଗୁ ତାଟକା ହେଲା । ପଧାନଙ୍କର ଗୋଡ଼ରୁ ମୁଣ୍ଡଯାଏ ଚାହିଁଗଲା । ପାଟିରୁ କଥା ବାହାରିଲା ନାହିଁ ।

 

ନେତୀ କହିଲା, ଦେଖ୍‌ରେ ଦେଖ୍‍, ଉଷୁନାଧାନ ଆଉ ଗଜା ହେବ ? ତୋରି ପାଇଁ ପଧାନଙ୍କର ଆଜି ଏ ଅବସ୍ଥା । ତୁ ଯଦି ଘର ଛାଡ଼ି ଯାଇ ନ ଥାନ୍ତୁ, ଗାଁ ଲୋକେ ମେଳି ହୋଇ ଏତେ କାଣ୍ଡ କରିବାକୁ ଭରସି ନ ଥାନ୍ତେ । ଓହୋ ! ଯାହା କଲେ ସେମାନେ ! ମଣିଷ ହୋଇ, ମୁହଁକୁ ଚାହୁଁ ଚାହୁଁ ଆଖି ଆଗରେ ଏପରି ଘଟିବା କେଉଁଠି ଶୁଣା ନ ଥିଲା ।

 

ଗାଁ ଲୋକେ ୟା କରିଛନ୍ତି ? କିଏ କିଏ ତାଙ୍କ ନାଁ କହିପାରିବୁ ?

 

ସମସ୍ତେରେ ବାବୁ, ସମସ୍ତେ । କାହା ନାଁ କହିବି ? କିଏ ସେଥିରେ ଭଲ ଲୋକ ଅଛି ? ମୁଁ ଦାଣ୍ଡରେ ଠିଆହୋଇ ଦେଖୁଥାଏଁ, କେହି ବାଦ୍‌ ଯାଇନାହିଁ । ନେତୀ ଧୀରେ ଧୀରେ ପଧାନଙ୍କ ମୁହଁରୁ ଚଦରଟି ଘୁଞ୍ଚାଇଦେଲା ।

 

ପଧାନଙ୍କ ମୁହଁକୁ ଚାହିଁ ଆଶ୍ଚର୍ଯ୍ୟ ହେଲା ଜଗୁ । ଆଖି ଆଗରେ ସାରା ସଂସାର ଘୂରିବାକୁ ଲାଗିଲା । ଓଃ, ଅବସ୍ଥା ଏତେ ଖରାପ ! ମୁହଁ ପୋଡ଼ି ଚମଡ଼ା ଉଠିଯାଇଛି । ଅନାଇଲେ ଚିହ୍ନି ହେଉନାହିଁ । ଖାଲି ନାକପୁଡ଼ାରେ ନିଶ୍ୱାସ ଯା’ ଆସ କରୁଛି । ଆଖିପତା ଖୋଲି ହେଉନାହିଁ । ଯନ୍ତ୍ରଣାରେ ସେ ମୁହଁ ବିକୃତ କରୁଛନ୍ତି । ଦେହସାରା ଥରି ଉଠୁଛି ।

 

ଜଗୁ ଥକ୍‌କା ହୋଇ ନେତୀ ପାଖରେ ବସିପଡ଼ିଲା । କଅଣ କରିବ ଭାବିପାରିଲା ନାହିଁ-। ବ୍ୟସ୍ତ ହୋଇ ପଚାରିଲା, ବାପାଙ୍କୁ ଏଠିକି ନେଇ ଆସିଲୁ କାହିଁକି ? ବାଉରି ଘରଟା, ଗାଁରେ ଏତେ ଲୋକ, ଏତେ ଘର, କେହି ଜାଗା ଦେଲେ ନାହିଁ ?

 

ଜଗୁର କଣ୍ଠସ୍ୱର ଶୁଣି ପଧାନେ କଡ଼ ବୁଲାଇଲେ । ହାତ ଟେକି କଅଣ କହିବାକୁ ଇଚ୍ଛା କରିଥିଲେ । ହାତ ତଳକୁ ଖସିପଡ଼ିଲା । ଟିକିଏ ହଲଚଲ ହେଲେ ଭୟଙ୍କର କଷ୍ଟ ହେଉଛି ।

 

ନେତୀ ତାର ହାତଟି ଆସ୍ତେ ଆସ୍ତେ ପଧାନଙ୍କ ଦେହ ଉପରେ ରଖି କହିଲା, ଗାଁଲୋକେ ଏହା କରିଛନ୍ତି । ସେମାନଙ୍କ ଘରେ ରାହା ଦିଅନ୍ତେ କିପରି ? ଆଗ ପ୍ରାଣ ରହୁ, ପରେ ଜାତି କଥା । ବଇଆ ଆଉ ମୁଁ ଦିହେଁ ଟେକାଟେକି କରି ତାଙ୍କୁ ଏଠିକି ନେଇ ଆସିଛୁ ।

 

ଏଠିକି ନ ଆଣି ଗୋବିନ୍ଦ ମଉସା ଘରକୁ ନେଲୁ ନାହିଁ ?

 

ସେଇ ଖଣ୍ଡିଆ ତ ନାଟର ଗୁରୁ । ଭିତରେ ବୁଡ଼ି ପାଣି ପିଉଥାଏ । କେହି ଜାଣିବେ ନାହିଁ, ସବୁଥିରେ ଥାଏ । ତୁ ଗଲାପରେ ସେ ତତେ ଖୋଜିବାକୁ ଆସିଥିଲା । ଇଏ ତାକୁ ବିରକ୍ତ ହୋଇ କହିଥିଲେ । ସେହି ରାଗରେ ଗାଁଲୋକଙ୍କୁ ମେଳେଇେ ମତେଇ ସେ ଏହା କରିଛି । ଆରେ, ଏଇଥିରୁ ବୁଝୁନୁ, ଉମାଟା ଝିଆରୀ । ବାସୁ ଗୋବିନ୍ଦ ଦି ଭାଇ । ଏକା ନାହି ଦି’ଖଣ୍ଡ । ବିନାଦୋଷରେ ପିଲାଟାକୁ ମାରି ଘରୁ ତଡ଼ିଦେଲେ ।

 

ଏଁ, କଅଣ କହୁଛୁ ନେତୀ ?

ହଁ ରେ, ହଁ ।

ଉମା କାହିଁ ?

କେଜାଣି ? ଲୋକେ କହୁଛନ୍ତି, କିଏ କେଉଁ ଗାଁର, ତା ସଙ୍ଗେ ସେ ଚାଲିଗଲା ।

 

ଯାଉ । କିନ୍ତୁ ଜାଣିଥା ନେତୀ, ଆଜି ସଞ୍ଜବେଳେ ନରିପୁରରେ ଅଗ୍ନିକାଣ୍ଡ ହେବ । ମୋ ବାପାକୁ ଲୋକେ ଯେମିତି ନିଆଁରେ ପକାଇ କଲବଲ କରି ମାରିଛନ୍ତି, ମୁଁ ବି ଗାଁ ଲୋକଙ୍କୁ ସେମିତି ଛଟପଟ କରି ମାରିବି ।

 

ଏ କଥା ଶୁଣି ପଧାନଙ୍କର ମୁହଁ ବିକୃତ ହେଲା । ସେ କ୍ଷୀଣସ୍ୱରରେ କହିଲେ, ବାଇଆ ବୁଦ୍ଧି ଛାଡ଼ । ନିଜ ଦୋଷରୁ ମୋର ଏ ଦଣ୍ଡ । ବୋହୂ, ବେଣୁ କାହାନ୍ତି ?

 

ଭାଉଜବୋହୂ ତାଙ୍କ ବାପଘରେ । ବେଣୁ ସେଇଠି ।

 

ଆଣିଲୁ ନାହିଁ ? କୁଳର ଲକ୍ଷ୍ମୀପ୍ରତି ବଡ଼ ନିଷ୍ଠୁର ହୋଇଛି । ଧର୍ମ ସହିଲା ନାହିଁରେ ! ନିଶ୍ୱାସ ପଡ଼ିଗଲା । ଦେଖିପାରିବି ନାହିଁ ।

 

ଟିକିଏ ରହି ସେ ପୁଣି କହିଲେ, ଲୋକଙ୍କୁ ହଇରାଣ କରିଛି । ଡହଳ ବିକଳ କରିଛି । ତାଙ୍କ ମୁହଁକୁ ଚାହିଁଲି ନାହିଁ । ସେ କାହଁକି ମୋ ମୁହଁକୁ ଚାହାଁନ୍ତେ ? ପେଟ ପାଇଁ ସେମାନେ ଏହା କରିଛନ୍ତି । ତାଙ୍କ ଉପରେ ଆକ୍ରୋଶ କରିବା ଠିକ୍‌ ନୁହେଁ । ତାଙ୍କରି ମାଲ ସେହି ନେଲେ । ମୁଁ ଥିଲି ଜଗୁଆଳ । ହଉ, ବଞ୍ଚନ୍ତୁ ।

 

ଜଗୁର ମୁହଁ ଶୁଖିଗଲା । ପଧାନେ କହିଲେ, ଗାଁଲୋକଙ୍କ ସଙ୍ଗେ ଲାଗିବୁ ନାହିଁ । ସମୟ ଖରାପ । ତମର ଚଳାଚଳ ପାଇ ନେତୀ ଜିମା ଟଙ୍କାସୁନା ରଖିଯାଇଛି । ପିଲାପିଲି ନେଇ କୁଆଡ଼େ ଚାଲିଯା । ଦୁର୍ଭିକ୍ଷ ମାଡ଼ି ଆସୁଛି । ଚାହିଁ ବସିଥିଲେ ପ୍ରାଣ ରହିବ ନାହିଁ । ବୁଢ଼ା ଆଉ କହି ପାରିଲେ ନାହିଁ ।

 

ସେହିଦିନ ସଞ୍ଜରେ, ବେଣୁ ବେଣୁ ହୋଇ ବୁଢ଼ାଙ୍କର ପ୍ରାଣ ଗଲା ।

 

–୧୭–

 

ତିନି ଦିନ ପରେ ।

 

ବଇଆ ବାଉରିର ଚାଳିଘରେ ମୁଣ୍ଡରେ ହାତ ଦେଇ ଜଗୁ ବସି ଭାବୁଛି - ଏଥର ଉପାୟ କଅଣ ? ଦାନା ଗଣ୍ଡାକ ପାଖରେ ଥିଲା; ଭଲମନ୍ଦକୁ ବାପା ଆଗ ବଳିପଡ଼ି ମାମଲତି ଚଳାଉଥିଲେ-। ସେଥିପାଇଁ ସିନା ସେ ଫୁଲାପାଙ୍କିଆ ହୋଇ ବେଳ କାଟୁଥିଲା । ସଂସାର କଅଣ ତାକୁ ଜଣା ନ ଥିଲା । ଏତେ ଦିନକେ, ବଡ଼ ଅବେଳାରେ ତା ମୁଣ୍ଡର ପାହାଡ଼ ଲଦା ହେଲା । ଏବେ ସମ୍ଭାଳେ କିପରି ? ନେତୀକୁ ମିଶାଇ ଚାରିଜଣ କୁଟୁମ୍ବ । କିପରି ସେ ତାଙ୍କ ପାଟିରେ ପାଣି ଦେଇ ପ୍ରାଣ ରଖିବ ? କେତେ କୁଟୁମ୍ବ ପୁଣି ତାକୁ ଆଶା କରି ଚାହିଁ ବସିଛନ୍ତି । ସମସ୍ତଙ୍କୁ ସେ ବୋଧଶୋଧ ଦେଇ କହି ଆସିଛି । ପର କଥା ଛାଡ଼, ନିଜ କଥା ସମ୍ଭାଳିବା କାଠିକର ପାଠ ।

 

ଗାଁ ଏ ମୁଣ୍ଡରୁ ସେମୁଣ୍ଡ ଯାଏ ବୁଲି ଆସିଲା । କେହି ପାଖରେ ପୂରାଇଲେ ନାହିଁ । ଘରେ ଥାଇ ଘରେ ନାହିଁ ବୋଲି ଖବର ପଠାଇଲେ । କେହି କେହି ଦୂର୍‌ ଦୂର୍‌ କରି ତଡ଼ିଦେଲେ । ମୁହଁକୁ ଚାହିଁଲେ ନାହିଁ । ମୁଲାଇଜା ରଖିଲେ ନାହିଁ । ଧନ୍ୟ ସଂସାର ! ଧାନ ମୁଠାକ ପାଖରେ ଥିଲା ବୋଲି ମହା ମହା ଦାରୁ ଆପେ ଆପେ ଗୋଡ଼ତଳେ ମୁଣ୍ଡ ନୁଆଉଁଥିଲେ । ଆଜି ସେତକ ପାଖରେ ନାହିଁ । ନିଜ ପାଇଁ ପରଦ୍ୱାରରେ ଦାନ୍ତ ନିକୁଟି ଠିଆ ହେବାକୁ ପଡ଼ିଲା । ଲୋକଙ୍କ ଦିମାକ୍‍ ଦେଖ । ଦୁବଘାସ ହୋଇ ମୁଣ୍ଡ ଟେକି ଟାଣ କରି କଥା ହାଙ୍କିବାକୁ ସାହସ ହେଲାଣି !

 

ଗୋବିନ୍ଦ ସାହୁ ଘର । ଥର ଥର କରି ତିନି ଥର ସେ ତାଙ୍କ ଘରକୁ ଯାଇ ଫେରିଲା । କେହି ଜବାବ ଦେଲେ ନାହିଁ । କବାଟ ଖୋଲିଲେ ନାହିଁ । ଇଚ୍ଛା ହେଲା, ଗାଁରେ ପ୍ରଳୟଲୀଳା ଲଗାଇ ଦୂରରେ ଥାଇ ଲୋକଙ୍କ ମଜା ଦେଖିବ ।

 

ଆହା ! ବାପା ମଲା ଆଗରୁ ତାକୁ ମନା କରି ଯାଇଛନ୍ତି । ନିଜର ଭାଗ୍ୟ ନିଜକୁ ଭୁଞ୍ଜିବାକୁ ହେବ । ଲୋକଙ୍କ ଉପରେ ଆକ୍ରୋଶ ନେବା ଠିକ୍‌ ନୁହେଁ । ଆଜିଯାଏ ବାପର କଥା ସେ ଅମାନ୍ୟ କରି ଆସିଲା । ଶେଷ ଅନୁରୋଧ, ଉପଦେଶକୁ ଏଡ଼ିଦେବା ଅନୁଚିତ ।

 

ଜଗବନ୍ଧୁ ତମ୍ପ ସାପଠୁ କେଉଁ ଗୁଣରେ ଊଣା ନୁହେଁ । ସେ ପୁଣି ସବୁ ସହି ମୁଣ୍ଡ ନୁଆଇଁ ଫେରି ଆସିଲା । ହେଉ, ଗୋଟିଏ କୁଟୁମ୍ବର ସର୍ବନାଶ କରି ଯଦି ଗାଁରେ ଶହ ଶହ ଲୋକ ବିପଦରୁ ରକ୍ଷା ପାଇଲେ, ତେବେ ତାହାହିଁ ହେଉ । ଲୋକଙ୍କୁ ସୁଖରେ ଛାଡ଼ି ସେ ଛତରରେ ପଶୁ । ଅପନ୍ତରାରେ ପଡ଼ି ପ୍ରାଣ ଯାଉ । ନା, ସେ ଆଉ ମୁଠାଏ ଭାତ ପାଇଁ ପରର ଦ୍ୱାରସ୍ଥ ହେବ ନାହିଁ ।

 

ଆଉ ଏ ଗରିବ ବଇଆ ବାଉରି କି ଦୋଷ ? ସେ କାହିଁକି ତାର ଗଳଗ୍ରହ ହୋଇ ସଞ୍ଚିତ ସାମାନ୍ୟ ଚାଉଳରେ ଭାଗୀ ହେବ ? ଚାକର ବୋଲି, ନିମକହାରାମି ହେବା ଭୟରେ ସେ କିଛି କହୁନାହିଁ । କେତେଦିନ ଚଳାଇ ପାରିବ ? ନା, ଯାହା ହେଉ, ନେତୀକୁ ସଙ୍ଗରେ ନେଇ ଆଜି ନରିପୁର ଛାଡ଼ିବ । ନରିପୁରର ସୀମା ପାରି ହୋଇ ତେଣିକି ସେ ଚିନ୍ତା କରିବ, ଜୀବନ ରକ୍ଷାର ଉପାୟ । ନେତୀ ପାଖରେ ଧନ ଅଛି । ଧନର ସାହାଯ୍ୟରେ ସେମାନେ ଏ ଯାତ୍ରାରୁ ଉଦ୍ଧାର ପାଇପାରନ୍ତି ।

 

ଜଗୁ କେତେ ଭାବିଲା । ଚାଳି ଭିତରୁ ପଦାକୁ ଉଠି ଆସିଲା । ନେତୀ ଉଦ୍ଦେଶ୍ୟରେ ଏଣେ ତେଣେ ଚାହୁଁ ଚାହୁଁ ନଜର ପଡ଼ିଲା ବଇଆ ଉପରେ । ବଇଆ ପାଖକୁ ଆସିଲା । କେଜାଣି କାହିଁକି ତା ମୁହଁ ଆଜି ଗମ୍ଭୀର ଦେଖାଯାଉଛି । ସେ ଦୁଇ ହାତ ମଳି ପଚାରିଲା, ସାଆନ୍ତେ, ଗତ କଥା ଆଉ ଭାବୁଛନ୍ତି କାହିଁକି ?

 

ଗତ କଥା ଭାବୁନାହିଁରେ ବଇ, ଆଗତ କଥା ଭାବୁଛି ।

 

ଭାବିଲେ କିଛି ଫଳ ହେବ ନାହିଁ । ଯାହା ହେବାର ହୋଇଯାଇଛି । ବଇଆ ତୁନି ହୋଇଗଲା । ତାର ମୋଟା ବିବେକ ସତେ କି ରଙ୍ଗ ଆଖି ଦେଖାଇ ତାକୁ ଚପେଇଦେଲା । ଛାତିରେ ତୀବ୍ର ବେଦନା ଅନୁଭବ କଲା । ଆହା ! ଏ ସବୁ ବିପଦର ମୂଳ କାରଣ ତା ଛଡ଼ା ଆଉ କେହି ନୁହେଁ । ସେ ଜାଣି ଜାଣି ଖାମିଦକୁ ମାରିଛି । ପିଲାଛୁଆଙ୍କୁ ଆଣି ଦାଣ୍ଡର ଭିକାରୀ କରି ଛାଡ଼ିଛି । କି ଦୁର୍ବୁଦ୍ଧି ନ ହେଲା ! ଆଉ ସିନା କେହି ଜାଣନ୍ତି ନାହିଁ, ସବୁ କଥା ତାକୁ ଜଣାଥିଲା । ସେ ଯଦି ଆଗରୁ ପଧାନଙ୍କୁ ସତର୍କ କରି ଦେଇଥାନ୍ତା, ଘଟଣା ଏପରି ଏତେଦୂର ଯାଇଥାନ୍ତା ? ନିଶ୍ଚୟ ସେ ଆତ୍ମରକ୍ଷାର ବାଟ ଖାଜିଥାନ୍ତେ । ଯେଉଁ ପଧାନେ ତାକୁ ପୁଅ ପରି ସ୍ନେହକରି, ଏତେ ଗେଲବସରରେ ପାଳିଥିଲେ, ଶେଷକୁ ସେ ନିଜେ ହେଲା ତାଙ୍କ ମରଣର କାରଣ ! ନିଜ ହାତରେ ସେ ପଧାନଙ୍କୁ ମଶାଣି ଭୂଇଁରେ ପୋତି ଆସିଲା ।

 

ଯେଉଁ ଉଦ୍ଦେଶ୍ୟରେ ସେ କୋଳରେ ବସି ପଧାନଙ୍କ ଗଳାରେ ଛୁରୀ ଦେଇଥିଲା, ସେ ଉଦ୍ଦେଶ୍ୟ, ସେ ସ୍ୱାର୍ଥ ପୂରଣ ହେଲା ନାହିଁ । ଗ୍ରାମବାସୀଏ ଲୁଟିକରି ଧାନଚାଉଳ ନେଇ ଘରେ ପୂରାଇଲେ । ସେ ନିଆଁ ଭିତରେ ପଶି ଜଳିଲା ଘରଭିତରୁ ପଧାନଙ୍କୁ ଉଦ୍ଧାର କରି ନିଜ ଘରକୁ ନେଇଆସିଲା । ଆଜି ଗାଁଲୋକଙ୍କୁ ମୁଠାଏ ଧାନ ମାଗିଲେ ଲୋକେ ଜବାବ ଦେଉ ନାହାନ୍ତି । ନେହୁରା ହୋଇ ଦାନ୍ତରେ ତିରଣ ଧରି ମାଗିଲେ, କେହି ବା ଦୟା କରି ଅତି କଷ୍ଟରେ ପ୍ରତିବେଶୀ ଘରକୁ ହାତ ବଢ଼ାଇ କହୁଛନ୍ତି, ଯା ଅମୁକ ପାଖକୁ, ମୋ ନିଜ କଥା ଠ ଠା ଠି, ଦାନଧର୍ମ କରିବାକୁ ଧାନ କାହିଁ ?

 

ନିଜ କଲା କର୍ମ । କାହାକୁ କହିବ ? ଅତି ଲୋଭ ବିନାଶର ହେତୁ ହେଲା । ସେ କେଉଁ କୁଳର ହେଲା ନାହିଁ। ବିଶ୍ୱାସଘାତକ ହୋଇ ତାକୁ ଅନୁତାପ କରିବାକୁ ପଡ଼ିଲା । ଆଜୀବନ କାନ୍ଦିବାକୁ ହେବ ।

 

ଜଗୁ ପଚାରିଲା, ନେତୀ କାହିଁ ?

କାହିଁକି, ସେ ଘରେ ନାହିଁ ? ବେଳ ଆସି ଦ’ଘଡ଼ି ହେଲାଣି ।

ତାର ତ ସକାଳୁ ଦେଖାନାହିଁ ।

 

ରୋଷେଇବାସ ହୋଇନାହିଁ ? କେଡ଼େ ନିର୍ଭୟ ନିଶ୍ଚିନ୍ତ ଲୋକଟା ! ସକାଳପହରୁ କାହିଁ ଯାଇ ବୁଲୁଛି ! ଆଚ୍ଛା, ମୁଁ ତାକୁ ଡାକିଆଣେ । ବଇଆ ଯିବାକୁ ବସିଲା । ଜଗୁ ବାଧା ଦେଇ କହିଲା, ଥାଉ, ବିଚାରୀ କୁଆଡ଼େ ଯାଇଛି । ବଳେ ଆସିବ ।

 

ରୋଷେଇ ଡେରି ହେଉଛି, ସାଆନ୍ତେ ! ତା ଆଖି ଛଳଛଳ ହେଲା ।

 

ଜଗୁ ବିସ୍ମିତ ହୋଇ ତା ମୁହଁକୁ ଘଡ଼ିଏ ଚାହିଁ କହିଲା, ନା, ଥାଉ । ରୋଷେଇ ହେବା ଦରକାର ନାହିଁ । ତୁ ଗରିବ ଲୋକ । ତୋର ବୋଝ ହୋଇ ମୁଁ ଆଉ ଏଠି ରହିପାରିବି ନାହିଁ । ଘରେ ତୋର ଯାହା ଅଛି, ତୋ ପିଲାଛୁଆଙ୍କୁ ନିଅଣ୍ଟ ।

 

ଦୁଃଖରେ ବଇଆର ଛାତି ସତେ କି ଫାଟିଯିବ । ସେ କହିଲା, ଏମିତି କହୁଛନ୍ତି କାହିଁକି, ସାଆନ୍ତେ ? ସବୁ ଚିଜ ଆପଣଙ୍କର । ବୁଢ଼ା ସାଆନ୍ତେ ଥିଲାବେଳେ ଦି’ମାସ ମାନିଆଁ ସଞ୍ଜା ଦେଇଥିଲେ । ସେଇ ଚିଜ ତ ।

 

ଦେଲା ମାଲ, କାଢ଼ିଲା ଛେପ ମୁଁ ଢୋକିବି ନାହିଁ । ମୋ ପାଇଁ ତୁ ବ୍ୟସ୍ତ ହୁଅନା । ତୁ ତୋ ସଂସାର ଚଳା । ମୁଁ ମୋ ସୁବିଧା କରିନେବି ।

 

ସେ ବଇଆ କଥା ଭାବିବାକୁ ଲାଗିଲା । ଗରିବ ସେ ! ଭଲ ଲୋକ ! ଗାଁଯାକର ସମସ୍ତେ ତାକୁ ହତାଦର କରି ଘରୁ ତଡ଼ିଦେଲେ । ବାଉରିଟା, କେତେ ସ୍ନେହ, କେତେ ମମତା !

 

ବଇଆ ହାତଯୋଡ଼ି କହିଲା, ସେ କଥା ଆଉ କହନ୍ତୁ ନାହିଁ, ଛୋଟ ସାଆନ୍ତେ ! ଆପଣଙ୍କର ସବୁ ବିପଦ ମୂଳ ହେଉଛି ମୁଁ । ମୋର ସବୁ ଦୋଷ କ୍ଷମା କରନ୍ତୁ ।

 

ତୋର କିଛି ଦୋଷ ନାହିଁରେ, ଦୋଷ କାହାରି ନୁହେଁ । ସବୁ ଭାଗ୍ୟର ଖେଳ ।

 

ବଇଆର ଇଚ୍ଛା ହେଲା, ସବୁ କଥା ଖୋଲି କହିବ । ସବୁ ଦୋଷ ସ୍ୱୀକାର କଲେ ପାପଭାର ଲାଘବ ହେବ ।

 

ମୁହଁ ଖୋଲିଲା ନାହିଁ । ସେ ଜଗୁକୁ ଚାହିଁ ରହିଲା । ପାଟି ଖୋଲିଲା- ନା, ଛୋଟ ସାଆନ୍ତେ, ନରିପୁର ଛାଡ଼ି ତମୁକୁ ଅନ୍ୟ କୁଆଡ଼େ ଯିବାକୁ ହେବ ନାହିଁ । ହାତରେ ଧନ ଅଛି । ଦି ଦିନରେ ଘର ତୋଳ ହେବ । ସାଆନ୍ତାଣୀ, ବେଣୁବାବୁଙ୍କୁ ମୁଁ ନିଜେ ଯାଇ ନେଇ ଆସିବି । ସମସ୍ତେ ଏଇଠି ରହିବେ ।

 

ଅଳ୍ପ ହସି ଜଗୁ କହିଲା, ପାଉଁଶ ଖାଇ ବଞ୍ଚିବେ ନାହିଁ ତ !

 

ପାଉଁଶ କାହିଁକି ଖାଇବେ ? ଆମର ଧାନ ଯେଉଁମାନେ ଲୁଟିକରି ନେଇଛନ୍ତି, ସେହିମାନେ ଦେବେ । ଭଲରେ ମାଗିବି, ଯଦି ନ ଦିଅନ୍ତି, ନେତୀ ପାଖରେ ବୁଢ଼ା ସାଆନ୍ତେ ଟଙ୍କା ସୁନା ରଖି ଯାଇଛନ୍ତି, ଲୋକଙ୍କୁ ଧନ ଦେଇ ଧାନ ଆଣିବା ।

 

ଭୁଲ୍‌ ବୁଝିଛୁ । ସେମାନେ ଧନ ନେଇ ଧାନ ଦେବେ ନାହିଁ ।

ଦବ ନାହିଁ ଏମିତି ସାଧ୍ୟ କାହାର ? ଯିଏ ନାହିଁ କରିବ, ଆଗ ତାଆରି ଘର ଜଳିବ ।

ବାପା କଅଣ କହିଗଲେ ମନେ ନାହିଁ ?

 

ଆପଣ ସିନା ପୁଅ, ଆପଣ ତାଙ୍କ କଥା ମାନିବେ । ମୁଁ ମାନିବାକୁ ବାଧ୍ୟ ନୁହେଁ । ବଇଆ ଓଠ କାମୁଡ଼ି ପୁଣି କହିଲା, ମୁଁ ମୋର ଦେଖିଲା କାମ କରିବି, ଦାଉ ଉଣ୍ଡି । ତମେ କହିଲେ ମୁଁ ପଛେଇ ରହିବି ନାହିଁ । ଖରା ମାଡ଼ି ଆସୁଛି । ନେତୀ କୁଆଡ଼େ ଗଲା ଦେଖେଁ, କହି ବଇଆ ଜଗୁ ନିକଟରୁ ବାହରିଗଲା ।

 

ସଞ୍ଜ ବୁଡ଼ି ରାତି ହେଲା । ନେତୀର ଦେଖା ନାହିଁ । ରାତି ପାହି ପୁଣି ରାତି ଆସିଲା । ଖୋଜି ଖୋଜି ଜଗୁ ଓ ବଇଆ ଆକ୍ରାନ୍ତ ହେଲେ । ନେତୀକୁ କେହି ଦେଖିନାହାନ୍ତି । ତା ଖବର କେହି କହି ପାରିଲେ ନାହିଁ । ହତାଶ ହୋଇ ଜଗୁ ବଇଆକୁ କହିଲା, ଆରେ ଦୁଧ ଦେଇ ବାପା ଘରେ ସାପ ପୋଷିଥିଲେ, ସେ ବି ଦଗା ଦେଲା । ବଇଆ ରାଗରେ ଦାନ୍ତ ଚୋବାଇଲା ।

 

ଜଗୁ ପୁଣି କହିଲା, ଯାଉ, ସୁନାରୁପା ଟଙ୍କାପଇସାର ଭାର ସେ ସହିପାରିବ ନାହିଁ, ବଇଆ ! ପରର ଧନ କେହି ହଜମ କରି ପାରି ନାହିଁ । ଟିକିଏ ରହି କହିଲା, ଆଜି ମୁଁ ବାଟର ଭିକାରୀ । ସେଥିକି ଭାବନା ନାହିଁ । ଠାକୁରେ ଅଛନ୍ତି, ଯାହା ହେବ ।

 

ବଇଆ କହିଲା, ହାବୁଡ଼େ ପଡ଼ିଲେ ଥରେ ତାକୁ ଦେଖନ୍ତି । ଏଡ଼େ ସଇତାନ୍‌ !

ହାବୁଡ଼େ ପଡ଼ିଲେ- କିନ୍ତୁ ସେ ତୋ ହାବୁଡ଼େ ପଡ଼ିବ ନାହିଁ । ଯା, ଶୁଅ ଯା ।

 

ଅନ୍ଧାର ରାତି । ଚାରିଆଡ଼ ଶୂନ୍‌ଶାନ୍‌। ଗାଁ ମୁଣ୍ଡ ବରଗଛ ମୂଳରେ ଠିଆ ହୋଇ ଜଗୁ ଭାବିଲା, କେଉଁ ମୁହଁରେ ସେ ଆଉ ଭାଉଜ ପାଖକୁ ଫେରିଯିବ ? ପୋଷିବାର ଶକ୍ତି ତାର ନାହିଁ । ନିଜ ପାଇଁ ଆଉ ପାଞ୍ଚଟାକୁ ସେ ଘାଣ୍ଟିବ କାହିଁକି ? ସେ ଅଛି ଜାଣିଲେ ବେଣୁକୁ ପୋଷିବାର ଦାୟିତ୍ୱ ତା ମାମୁଁ ନେବେ ନାହିଁ । ସେ ଯଦି ଚାଲିଯାଏ, ଦାୟିତ୍ୱ ତାଙ୍କ ଉପରେ ପଡ଼ିବ । ସେ ସବୁ ତୁଲାଇବାକୁ ଚେଷ୍ଟା କରିବେ । ନିଜ ପାଇଁ ସେ ତାଙ୍କ ସୁଖର ସଂସାରରେ ପ୍ରତିବନ୍ଧକ ହେବ ନାହିଁ । ଉମା ଯେପରି ଗାଁ ଛାଡ଼ି ପେଟପାଟଣା ଘେନି ବୁଲିବାକୁ ବାହାରିଲା, ସେ ବି ଠିକ୍‌ ସେହିପରି ତାରି ବାଟ ଉଣ୍ଡି ଚାଲିବ । ତା ବିଷୟରେ କେହି ଜାଣିବେ ନାହିଁ, କେହି ଶୁଣିବେ ନାହିଁ । ବେଣୁ ତାକୁ ଖୋଜିବ, କାନ୍ଦିବ । କାନ୍ଦୁ, ତା ଆଖିରୁ ଲୁହ ପୋଛିବାର ଶକ୍ତି ଜଗୁର ନାହିଁ । ସେ କଅଣ କରିବ ? ଆହା ! ତାକୁ ଥରେ ଛାତିରେ ଧରିବାର ସୁଯୋଗ ଆଉ ପାଇଲା ନାହିଁ ! ଜଗୁର ଆଖିରେ ଲୁହ ଢଳଢଳ ହେଲା ।

 

ଅନ୍ଧାର ରାତିର ନୀରବତା ଭାଙ୍ଗି ଦୂରରୁ ବଇଆର ପାଟି ଶୁଭିଲା- ଜଗୁବାବୁ ହେ ଓ...ଓ-

 

ଜଗୁ ଚମକି ଚାହିଁଲା । ଅନ୍ଧାର, କିଛି ଦିଶୁନାହିଁ । ତାକୁ ଜଣାଗଲା ଯେପରି ବଇଆ ଡାକି ଡାକି ଦୂରରୁ ଧାଇଁ ଧାଇଁ ଆସୁଛି । ତା ସ୍ୱର ନିକଟରୁ ନିକଟତର ହେଉଛି ।

 

ଫେରିଆସ ବାବୁ, ଫେରିଆସ । ସ୍ୱରଟା ଅତି ପାଖରୁ ଶୁଭିଲା ।

 

ଆଉ ଡେରି କଲେ ଚଳିବ ନାହିଁ । ବଇଆ ଚଲାଖ୍‌ । ଜଗୁର ଉଦ୍ଦେଶ୍ୟ ବୁଝିପାରି ତାକୁ ଫେରାଇ ନେବାକୁ ନିଦରୁ ଉଠି ପଛେ ପଛେ ଧାଇଁଛି । ହାବୁଡ଼େ ପଡ଼ିଲେ ସେ ଆଉ ଛାଡ଼ିବ ନାହିଁ । ନିଶ୍ଚୟ ଫେରାଇନେବ । ଗରିବଟା । ଆହା, ତାକୁ ସେ କଷ୍ଟ ଦେବ କାହିଁକି ?

 

ଜଗୁବାବୁ ହୋ....ଓ, ନେତୀ ଆଇଲାଣି...ଆସ...-

ସ୍ୱରଟା ତା ପାଖରୁ ଦୂରକୁ ଘୁଞ୍ଚିଗଲା । ମିଛ କଥା । ନେତୀ ଆସି ନାହିଁ । ଆସିବ ନାହିଁ-। ମୋତେ ଫେରାଇ ନେବାର ଉପାୟ । ମନକୁ ମନ କହି, ଗଛତଳୁ ବାହାରି ଜଗୁ ଦଣ୍ଡାକୁ ଆସିଲା-। ବଇଆର କେଡ଼େ ସ୍ନେହ ଆମ ଉପରେ ! ସେ ଆଗକୁ ଚାଲିଲା ।

 

ବାବୁ ହୋ–ଓ...ଓ...

 

ଧୀରେ ଧୀରେ ବଇଆର ସ୍ୱର ସୁଦୂର ପ୍ରକୃତିର ନୀରବତାରେ ମିଳାଇ ଆସିଲା । ଜଗୁ ଖଣ୍ଡେଦୂର ଆସି ଟିକିଏ ଠିଆ ହେଲା । ପଛକୁ ଚାହିଁଲା । ଗାଁଟା ନିବିଡ଼ ଅନ୍ଧାର ଭିତରେ ମିଶିଗଲାଣି । କିଛି ଦିଶୁନାହିଁ । ବଇଆର ପାଟି ଆଉ ଶୁଭୁନାହି । ଖାଲି ବେଳେବେଳେ ବାବୁ ହୋ-ଓ-ଡାକର ଶେଷ ଲହର ସତେ କି ତା କାନରେ ବାଜିଯାଉଛି ।

 

ସେ ଆଗକୁ ଚାଲିଲା । ମନେ ହେଲା, ସତେ କି ତାଆର ଅତି ସ୍ନେହର ଉମା କିଟି କିଟି ଅନ୍ଧାର ଭିତରେ ତାଆରି ହାତ ଧରି ଆଗକୁ ଟାଣି ନେଉଛି ।

 

–୧୮–

 

ଚାଲିପାରିବି ନାହିଁ, ମୋତିମା, ଗୋଡ଼ ଆଉ ଚଳୁନାହିଁ । କରୁଣ କଣ୍ଠରେ ଉମା କହିଲା । ତାର ଛାତି ପିଞ୍ଜରା ଥରାଇ ଦୀର୍ଘଶ୍ୱାସ ବାହାରି ଆସିଲା । ବାଟ ପାଖ ଆମ୍ବଗଛ ତଳେ ବସି ପୁଣି କହିଲା, ନା, ସହି ହେବ ନାହିଁ । ଉଃ, ଏଡ଼େ କଷ୍ଟ ଏ ଛାର ଜୀବନଟା ପାଇଁ ! ସହିହେବ ନାହିଁ ଲୋ-!

 

ମୋତିମା ଉମା ଆଗରେ ଠିଆ ହେଲା । ତାର ବିରସ ଶୁଖିଲା ମୁହଁକୁ ଚାହିଁ ରହିଲା । ଆହା, ପିଲାଟିର ଚେହେରା ଶୁଖିଯାଇଛି । ଦିନ କେଇଟାରେ ଆଉ ଅବସ୍ଥା ରହିଲା ନାହିଁ । ମୁହଁ କଳାକାଠ ପଡ଼ିଗଲାଣି । ଆଖିରେ ଆଗର ଜ୍ୟୋତି ନାହିଁ । କପାଳରେ ରେଖା ଫୁଟିଲାଣି । ବାଟକୁ ବାହାରି ଅନିଶ୍ଚିତତା ଭିତରେ ଜୀବନ ପାଇଁ ସମୟ ଓ ଅବସ୍ଥା ସଙ୍ଗେ ଲଢ଼େଇ କରି ବଞ୍ଚି ରହିବା ଠାରୁ ଦାଦିଖୁଡ଼ୀଙ୍କ ଆଶ୍ରା ଧରି ପଡ଼ିରହିବା ଭଲ ହୋଇଥାନ୍ତା ।

 

ମୋତି ମାଆର କଣ୍ଠ ରୁଦ୍ଧ ହୋଇ ଆସିଲେ । ସେ ନିଜ ପାଇଁ ଭାବିବ କଅଣ ? ଯେଉଁ ଉମାକୁ ଅଭୟ ଦେଇ ସଙ୍ଗରେ ନେଇ ଆସିଛି, ତାଆରି ଦୁଃଖ ଦଶାକଥା ଭାବି ସେ କହିଲା, ଉପରକୁ ଚାହିଁଲୁ ଉମା, ଚାରିଆଡ଼ୁ ଅକଳନ୍ତି ମେଘ ମାଡ଼ିଆସି ଅକାଶସାରା ଘୋଟି ଗଲାଣି । ଇଆଡ଼େ ଚାହାଁ, ଦଶଦିଗ ଅନ୍ଧାର କରି ପବନ ଧୂଳି ଉଡ଼ାଇ ମାଡ଼ିଆସୁଛି । ବେଳ ଆସି ବୁଡ଼ିବା ଉପରେ । କହିଲୁ ମା, ଏତେବେଳେ କି ବାଟ ମଝିରେ ଅପନ୍ତରାରେ ବସି ରହିବା କଥା ? ଆ, ଉଠିଆ । ଧୀରେ ଧୀରେ ଚାଲିଗଲେ ମେଘ ଆସିବା ଆଗରୁ କେଉଁଠି ଆଶ୍ରା ନେବା ।

 

କେଉଁଠି ଆଶ୍ରା ନେବା ? ଯୁଆଡ଼େ ଗଲେ ତ ଆମକୁ ଗଛମୂଳ ଯୋଗ ।

 

ନାହିଁ ଲୋ , ଦୂରରୁ ଏଇ ଯେଉଁ ନଡ଼ିଆଗଛ ଦିଶୁଛି, ସେଇଠି ଗାଁଗଣ୍ଡା ଅଛି । ବରଷାବେଳେ କାହା ପିଣ୍ଡା ତଳେ ମୁଣ୍ଡ ଗୁଞ୍ଜି ଆଶ୍ରା ନେବା । ଉଠିଆ, ମୋ ସୁନା ଝିଅଟି । ମୋତି ମା ଉମାର ହାତ ଧରି ଉଠାଇଲା ।

 

ଲୋକେ କଅଣ ତାଙ୍କ ପିଣ୍ଡାରେ ରହିବାକୁ ଥାନ ଦେବେ ?

 

ଆଲୋ, ଜଣେ ସିନା ମନା କରିବ, ପାଞ୍ଚ ଜଣ ସିନା ପିଣ୍ଡାରୁ ତଡ଼ିଦେବେ, କାହାରି ମନ ଅବଶ୍ୟ ତଟିବ । ସମସ୍ତଙ୍କ ମନ, ସମସ୍ତଙ୍କ ପ୍ରକୃତି ଏକା ନୁହେଁ । ମୋତି ମା ପୁଣି ଆକାଶକୁ ଚାହିଁଲା ।

 

ଉମା ଟିକିଏ ରହି, ଓଠ ନେଫେଡ଼ି, ଧୀରେ ଧୀରେ ମୁଣ୍ଡ ହଲାଇ କହିଲା, ନା ତୁ ଯା ଲୋ ମୋତି ମା, ମୁଁ ଆଉ ଚାଲି ପାରିବି ନାହି ।

 

ଚାଲିପାରିବୁ ନାହିଁ ? ମୋତି ମା ବିସ୍ମିତ ହୋଇ କହିଲା, ମୋ ପରି ତ ବୁଢ଼ୀ ହୋଇନୁ, ବଳ ବଅସ ହଟି ଯାଇନି, ଏତେ ଚଞ୍ଚଳ ଥକି ପଡ଼ିବୁ ବୟସର ପିଲାଟା ? ଆ, ଉଠିଆ । ସେ ପଚାରିଲା ଆଖିରେ ଉମାର ମୁହଁକୁ ଚାହିଁଲା ।

 

ଉମା ପୂର୍ବପରି ମୁଣ୍ଡ ହଲାଇ ଆଳସ କଣ୍ଠରେ କହିଲା, ତୁ ଯା, ଲୋ ! ମୋର ଏ ଅଲୋଡ଼ା ହୀନିମାନିଆ ଜୀବନରେ ଆଉ ଦରକାର ନାହିଁ । ଅପନ୍ତରାରେ ପଡ଼ି ମରିବାକୁ ଘରୁ ଗୋଡ଼ କାଢ଼ି ଆସିଥିଲି । ଖାଲି ତୋର କୁହା, ନା, ତୋରି ସାଙ୍ଗ ଧରି ସିନା..... ! କହୁ କହୁ ଚୁପ୍‌ ହେଲା । ଆଖିରେ ଲୁହ ଭରିଗଲା ।

 

ମୋତିମା ଉମାର କଥା ଶୁଣି ବେଦନା ଅନୁଭବ କଲା । ମୁହଁ ତଳକୁ ପୋତି ଭାବିବାକୁ ଲାଗିଲା, ହେ ଭଗବାନ । ଶେଷକୁ ଏ ଅପବାଦ ବି ଶୁଣିବାକୁ ଭାଗ୍ୟରେ ଥିଲା ! ହାତରେ ଖପରା ଧରି ସେ ବାଟକୁ ବାହାରିଛି । ତଥାପି ଉମାକୁ ପାଖରୁ ଛାଡ଼ି ପାରୁନାହିଁ ! ସେ ପୁଣି ଏହା କହିଲା ।

 

ମୋତି ମାଆର ରାଗ ହେଲା । ସେ ରାଗରେ ତଳୁ ମୁହଁ ଫେରାଇ ଉମାକୁ ଚାହିଁଲା । କିନ୍ତୁ ଉମାର ସଜଳ ଆଖି ଦେଖି ଉଇଁ ଆସୁଥିବା ରାଗ ଅସ୍ତ ହୋଇଗଲା । ଗେହ୍ଲେଇ କରି କହିଲା, ଆଲୋ ଉମା, ମୋ ଦୋଷ ଦେ ନା ଲୋ....।

 

ନିଜର ଭୁଲ୍‌ ବୁଝିପାରି ଉମା କହିଲା, କାହା ଦୋଷେ ଦେବି କାହିଁକି ? ସବୁ କର୍ମର ଦୋଷ । ଆଜି ଇଚ୍ଛା ହେଉଛି ମୋତିମା, କିପରି ଘରକୁ ଫେରିଯାଆନ୍ତି । ସେ ଭାବୁଥିଲା, କେଜାଣି ଏ ଭିତରେ ଖୁଡ଼ିର ମନ ବଦଳିବଣି କି ଜଗୁଭାଇ ଫେରି ଆସିବଣି ।

 

ମୋତିମା କହିଲା, ଥରେ ପଦାକୁ ଆସିଲେ ବାପା ମା ହେଲେ ବି ଘରେ ପୂରାଇବେ ନାହିଁ । ଯଦି ଇଚ୍ଛା ହେଉଛି ତ ଫେରି ଯା ! ଟିକିଏ ରହି ମୋତିମା ପୁଣି କହିଲା, ହଉ, ଯିବା କଥା ପରେ ଭାବିବା । ଆଗେ କେମିତି ବରଷାରୁ ରକ୍ଷା ପାଇବା ସେ କଥା ଭାବ । ଆ, ଉଠିଆ ।

 

ଉମା ଭାବିଲା, ସତରେ ତ, ଘରେ ରହିହେଲା ନାହିଁ ବୋଲି ସେ ଘର ଛାଡ଼ିଲା । ସେଠାରେ ଆଉ ମମତା ନାହିଁ । ନିଜ ନେଇ ସମସ୍ତେ ବ୍ୟସ୍ତ । ଫେରିଗଲେ ବୋଝ ଉପରେ ନଳିତା ବିଡ଼ା ପରି ଦୁଃଖ ଉପରେ ଅପମାନ ଛଡ଼ା ଭାଗ୍ୟରେ ଆଉ କିଛି ନାହିଁ । ମିଛଟାରେ ସୁଖର ଆଶାରେ ପ୍ରାଣକୁ ଦୁଃଖଯନ୍ତ୍ରଣାରେ ଛଟପଟ କରି ଲାଭ କଅଣ ? ମରଣକୁ ଆନନ୍ଦରେ ବରଣ କରିବାକୁ ପ୍ରସ୍ତୁତ ହେଲେ, ସବୁ ଦୁଶ୍ଚିନ୍ତା ଦୂର ହୋଇଯିବ ।

 

ସେ କହିଲା, ମୋର ଏ ନିଉଁଛୁଣା ଜୀବନର କି ମୂଲ୍ୟ ଅଛି ଯେ, କେଉଁ ସୁଖ ଆଶାରେ ମୁଁ କଷ୍ଟ ପାଇବି ? ବରଷା ଆସୁ, ଝଡ଼ତୋଫାନ ଆସୁ, ଚଡ଼ଚଡ଼ି ପଡ଼ି ପ୍ରାଣ ବାହରିଯାଉ । ଶେଷକୁ ତ ମରିବା ସାର । ଡରିବି କେଉଁ କଥାକୁ ?

 

ଉମା ଅନିର୍ଦ୍ଦିଷ୍ଟ ଆଖିରେ ଚାହିଁ ରହିଲା । ବଉଦର ଛାତି ଚିରି ବିଜୁଳି ମୁହଁ ଦେଖାଇ ଛପି ଛପି ଯାଉଛି । ଚାରିଆଡ଼ୁ ମେଘ ଅନ୍ଧାର ଘୋଟି ଘୋଟି ଆସୁଛି । ସିରିସିରି ବତାସ ଦିହକୁ କାଲୁଆ ଲାଗିଲାଣି । ମୋତିମା ଅଧୀର ହୋଇ କହିଲା, ଉମୀ, ପିଲାଲୋକ ତୁ, ଯାହା କହିଲୁ, ଖାଲି ଅମାନିଆ କଥା । ଜୀବନର ମୂଲ୍ୟ ଆଜିଯାଏ ବୁଝିଲୁ ନାହିଁ । ବୁଝିବାକୁ ଡେରି ଅଛି । ମଣିଷ ଯେତିକି ପୋଖତା ହୁଏ, ସୁଖ ଆଶାରେ ଯେତିକି ଦୁଃଖକଷ୍ଟ ଅଙ୍ଗେ ନିଭାଏ, ଜୀବନ ଯେ କେଡ଼େ ଅମୂଲ୍ୟ ସେ ସେତିକି ବୁଝେ । ମରିବାକୁ କେହି ଏଡ଼ି ପାରିବ ନାହିଁ । ଯେତେବେଳେ ଆସିବାର କଥା ନିଶ୍ଚୟ ଆସିବ । ଜାଣୁ ଜାଣୁ ସବୁ ସୁଖ, ଖୁସି, ଆନନ୍ଦ ଛାଡ଼ି ତାକୁ ଚାହିଁ ବସିବା କାହିଁକି ? ସେ ଆସିବା ଆଗରୁ ତାକୁ କାହିଁକି ଡାକିବାକୁ ଯିବା ? ଉମା, ବଞ୍ଚିବାକୁ ଏ ଜନମ, ମରିବାକୁ ନୁହେଁ-। ତା ହୋଇଥିଲେ ଠାକୁରେ ଆମକୁ ମୋଟେ ଜନମ ଦେଇ ନ ଥାନ୍ତେ, ବୁଝିଲୁ ?

 

ଉମା ମୁଣ୍ଡ ହଲାଇ ସ୍ୱୀକାର ଜଣାଇଲା । କହିଲା, ଘର ଛାଡ଼ିବାର ଆଜିକି କେଇଦିନ ହେଲା ମୋର ମନେ ନାହିଁ । ମରିବାକୁ ମନାସିଲେ ତୁ ଏହି କଥା କହୁ । ଜୀବନକୁ ସ୍ନେହ କରି ଯେ ମୁଁ ତୋ କଥା ମାନି ଚାଲିଛି ତାହା ନୁହେଁ । ଚାଲିଥାଉ, କେତେ ଦିନ ଚାଲିଛି । ଏତିକି କହି ଉମା ଲୁହ ପୋଛି ଠିଆ ହେଲା । ମୋତିମା ଆକାଶର ଅବସ୍ଥା ଦେଖି ଧୀରେ ଧୀରେ କନା ବୁଜୁଳାଟି ତଳୁ ଉଠାଇ କାଖରେ ଜାକିଲା । କହିଲା, ସହଳ ଆ, ପବନଟା ଦେହକୁ କାଲୁଆ ଲାଗିଲାଣି । ଅଧବାଟରେ ବରଷା ହେଲେ ତିନ୍ତିବା ।

 

ଉମାର କ୍ଲାନ୍ତି ଦୂର ହୋଇଥିଲା । ସେ ଆପତ୍ତି ନ କରି ମୋତି ମାଆର ପଛେ ପଛେ ଚାଲିଲା । ଭାବିବାକୁ ଲାଗିଲା, ହେଉ କେତେ ଦିନ ମୋତି ମାଆର ପଛେ ପଛେ ଯିବାକୁ ଭାଗ୍ୟରେ ଅଛି ଦେଖାଯାଉ ।

 

ଜୀବନକୁ ଯେ ତୁଚ୍ଛ ବୋଲି ଘେନେ, ମରଣକୁ ଯେ ନିଜର ବୋଲି ଗ୍ରହଣ କରେ, ତାଆର କେଉଁଥିକି ଭାବନା ? ଆପଦ, ବିପଦ, ଦୁଃଖକଷ୍ଟ ଯାହାର ଚିର ସହଚର, ସେ ଆଉ ସେମାନଙ୍କୁ ଅଚିହ୍ନା ଅଜଣା ମଣିବ ନାହିଁ ।

 

ଦୂର ଗାଁ ପାଖ ହେଲା । ଲୋକ କୋଳାହଳ ଶୁଭିଲା । ମୋତିମା ବେଗେ ବେଗେ ପାହୁଣ୍ଡ ପକାଇଲା । ଉମା ତାର ପଣତକାନି ଟାଣି କହିଲା, ଧୀରେ ଧୀରେ ଚାଲ, ଗୋଡ଼ ଥକିଗଲାଣି । ହେଇ ତ, ଆଗରେ ଗାଁଟା । ଏତେ ତରତର କାହିଁକି ? ବରଷାରେ ତିନ୍ତିବାର ଡର ଆଉ ନାହିଁ ।

 

ମୋତିମା ମୁହଁ ବୁଲାଇ କହିଲା, ଗାଁ ସିନା ପାଖେଇ ଆଇଲା, ବେଳ ଯେ ଆସି ବୁଡ଼ିବା ଉପରେ । ଆଗରୁ ଯାଇ, କାହା ଓଳିତଳେ ଆଶ୍ରା ନେବା ସେତକ ଠିକ୍‌ କରିବା ଭଲ । ଆମ ପରି କେତେ କାଙ୍ଗାଳ ଏଠି ଥିବେ, ସେ କଥା କିଏ ଜାଣେ ?

 

ଗୋଡ଼ ଆଉ ଚଳୁନାହିଁ ?

ମୋ କଥା ମାନି କାଲି ରାତିରେ ଯଦି ତୋରାଣି ମନ୍ଦାକ ପିଇଥାନ୍ତୁ !

ପାଣ ଘରୁ ?

 

ଆଜି ପୁଣି ସେ ଗାଁର ପଠୁଣୀ ବୁଢ଼ୀ ଯେଉଁ ଭାତ ମୁଠିକ ଦେଲା ତାକୁ ଖାଇଲୁ ନାହିଁ । ମୁଁ ଏତେ କହିଲି, କଥା ମାନିଲୁ ନାହିଁ ।

 

ମୋତିମା ଲୋ, ସେ କଥା ଆଉ କହନା । ମୁଁ ନିଜେ ଦେଖିଛି, ସେ ଭାତ ମୁଠାକ ତା ନାତିର ପାଟିକଢ଼ା ଅଇଁଠା ।

 

ମୋତିମା କହିଲା, ଆଲୋ, ବାଟକୁ ଆସି ଜାତି ଅଜାତି, ଭଲ ଅଇଁଠା ବାଛି ବସିଲେ ଚଳିହେବ ? ଅସୁଖ ବାରି, ପାଇଲା ଚିଜ ଛାଡ଼ି ପେଟକୁ ମାରି କେତେ ଦିନ ରହିପାରିବୁ ? ସେଇ ପେଟ ପାଇଁ ସବୁ ନାଟ । ଘରୁ ଗୋଡ଼ କାଢ଼ିବା କଥା । କାଲି ରାତିରେ ପାଣ ଘରର ତୋରାଣି ମନ୍ଦାକ ପିଇଲି । ଆଜି ପଠାଣ ଘରର ପାଟିକଢ଼ା ଅଇଁଠା ଭାତ ଖାଇଲି । ମୋର କଅଣ ବିଗିଡ଼ିଗଲା ? ମୁଁ ଯେଉଁ ଲୋକକୁ ସେହି ଲୋକ ଆଜି ଅଛି । ଯଦି ପହିଲୁ ମୋ ସାନକୁହା ମାନିଥାନ୍ତୁ, ଆଜି ବାଟ ଦିଖୋଜ ଯିବାକୁ ହଟନ୍ତୁ ନାହିଁ ।

 

ଶେଷକୁ ଏଇଆ ଥିଲା କପାଳରେ ?

 

ଶେଷକୁ ? କାହିଁ, ମୋଟେ ତ ଆରମ୍ଭ ହୋଇଆସୁଛି । ଶେଷଯାଇଁ କେତେ ଦୂରରେ । ଆଖି ପାଉନାହିଁ । ମୂଳରୁ ଯଦି ହଟିଯିବୁ, ଏ ବିପଦରୁ ଉଧୁରିବା ଆଶା ଆଉ ରଖିବୁ ନାହିଁ । ସେ ବୁଦ୍ଧି ଛାଡ଼ । ଜାତି ଅଜାତି ଧର୍ମ ଅଧର୍ମ ଧରିବା ସମୟ ଏ ନୁହେଁ । ଦେଶଯାକର ଲୋକ ସବୁ ଛାଡ଼ି, ଆଜି ଗୋଟାଏ ବୃତ୍ତି, ଭିକ୍ଷାବୃତ୍ତି ଧରିଛନ୍ତି । ସମସ୍ତଙ୍କର ପେଷା ଭିକ ମାଗିବା । ଆମେ ସମସ୍ତେ ଗୋଟାଏ ଜାତି, କାଙ୍ଗାଳ ଜାତି । ଦେଶସାରା ଜଗନ୍ନାଥଙ୍କର ମୁକ୍ତିମଣ୍ଡପ କୈବଲ୍ୟ ହାଟ ହୋଇଛି । ଯାହା ପାଇବା, ମହାପ୍ରସାଦ ବୋଲି ଘେନିବା । ଯାହା ଖାଇବା, ଦେବତାର ଭୋଗ, ଅମୃତ ବୋଲି ତାକୁ ମଣିବା- ତେବେ କେଜାଣି ପ୍ରାଣ ରହିବ ।

 

ସତେ, ଯେଉଁ ଦେଶରେ ମୂକ ଜଗନ୍ନାଥ ସାମ୍ୟନୀତିର ଧ୍ୱଜା ଉଡ଼ାଇଛନ୍ତି, ସେ ଦେଶର ଲୋକେ ଜାତି ଅଜାତି ଧରି ବସିଛନ୍ତି । ମଣିଷ ଜାତିକୁ ଶିକ୍ଷା ଦେବାକୁ ଦୈବଦଣ୍ଡ ମହାଦୁର୍ଭିକ୍ଷ ଆସି ମଣିଷର ଆଖି ଖୋଲି ଦେଇଗଲା । ଜାତି ଅଜାତି, ଛୁଆଁ ଅଛୁଆଁ, ବଡ଼ ସାନ ଭେଦଜ୍ଞାନ ମଣିଷର ଭ୍ରମ । ସମସ୍ତେ ଦେବତାର ସନ୍ତାନ-ଗୋଟିଏ ଜାତି-ମଣିଷ ଜାତି ।

 

ବାଟ କଡ଼ରେ ମଶାଣି ଭୂଇଁ । କିଆ ବାଡ଼ରେ ଖଣ୍ଡେ ଛିଣ୍ଡା ଲୁଗା ଲାଗି ପବନରେ ଫରଫର ଉଡ଼ୁଛି । ମୋତି ମାଆର ନିଘା ପଡ଼ିଲା । ସେ ଉମାକୁ ବାଟରେ ଛାଡ଼ି ମଶାଣିଭୂଇଁକୁ ଗଲା । କିଆବାଡ଼ରୁ ଛିଣ୍ଡା ଲୁଗାଯାକ କାଢ଼ି ପୁଡ଼ା ଖୋଲି ତହିଁରେ ବାନ୍ଧି ରଖିଲା । ଉମା ପାଖକୁ ଫେରିଆସି କହିଲା, ଟୋପି ଟୋପି ପାଣି ପଡ଼ିଲାଣି, ଜଲଦି ଚାଲ ।

 

ଉମା ଚାଲୁ ଚାଲୁ କହିଲା, ଏ କଅଣ କଲୁ ମୋତି ମା, ମଶାଣି ଭୂଇଁରୁ ଲୁଗା ନେଇ ପୁଡ଼ାରେ ରଖିଲୁ ?

 

ମେଘୁଆ ଦିନର କ୍ଷଣିକ ଖରା ପରି ତାର ଶୁଖିଲା ମୁହଁରେ ହସର ଆଲୁଅ, ଖେଳିଗଲା-। ସେ କହିଲା, ବୁଝିଲୁ ନାହିଁ ? ପରେ କାମରେ ଆସିବ । ମାଗିଲେ କିଏ ଦେଉଛି ?

 

ଉମା କିଛି ନ କହି ଆଗକୁ ଚାଲିଲା । ଖଣ୍ତେ ଦୂର ଦୁହେଁ ନୀରବ ହୋଇ ଚାଲିଲେ । ବର୍ଷାପାଣି ବୁନ୍ଦା ବୁନ୍ଦା ହୋଇ ଆକାଶରୁ ଝରି ପଡ଼ୁଥାଏ । ଖଣ୍ଡେଦୂର ଆଗକୁ ଆସି ସେମାନେ ଦେଖିଲେ, ଗାଁ ମୁଣ୍ତ ଆମ୍ବତୋଟା ଭିତରେ କେତେଜଣ ଲୋକ ବସି କଅଣ କରୁଛନ୍ତି । ଦୁହେଁ ତାଙ୍କ ପାଖକୁ ଗଲେ । ଦେଖିଲେ, ଲୋକମାନେ ଖଣ୍ଡେ ଖଣ୍ଡେ ଛେଲୁଆରେ ଭାତ ଧରି ଖାଉଛନ୍ତି । କେହି କାହାରି ମୁହଁକୁ ଚାହିଁବାକୁ ତର ପାଉନାହିଁ । କିପରି ଶୀଘ୍ର ଖାଇ ଶେଷ କରିବେ, ସଭିଙ୍କର ଏହି ଗୋଟିଏ ଉଦ୍ଦେଶ୍ୟ । ସମସ୍ତେ କାଙ୍ଗାଳ । ରୂପ ଦେଖି ଜଣାଯାଉଛି । ପେଟ ବିକଳରେ ଭିକ୍ଷା ଆଶ୍ରା କରିଛନ୍ତି । ମୋତି ମା ସେମାନଙ୍କୁ ଚାହିଁ ଭାବିଲା, ଏହି ଗାଁରେ କେହି ମହାତ୍ମା ଅନ୍ନଛତ୍ର ଖୋଲିଛନ୍ତି । ନୋହିଲେ ଏମାନେ ଖାଇବାକୁ ପାଆନ୍ତେ କିପରି ?

 

ମୋତି ମା ପାଖକୁ ଯାଇଁ କଅଁଳେଇ ପଚାରିଲା, ଏ ଗାଁ ନାଁ କଅଣ ବାପ ?

 

ସସ୍ତେ ଖାଇବାରେ ବ୍ୟସ୍ତ । ଉତ୍ତର ଦେଉଛି କିଏ ? ଜଣେ ବୁଢ଼ା ମୁହଁ ଟେକି କହିଲା, ଏଠି ଠିଆ ହେଲେ କି ହେବ ? ଯା, ଆଗକୁ ଯା । ସଞ୍ଜ ହେଲେ ଛତର ବନ୍ଦ ହୋଇଯିବ । ବୁଢ଼ା ପୁଣି ଖାଇବାରେ ମନ ଦେଲା ।

 

ଛତରକୁ ବାଟ କିଏ ବାପ ?

 

ବୁଢ଼ା ମୁଣ୍ଡ ଟେକି ଚାହିଁଲା । ପାଟିଭିତରେ ଥିବା ଭାତତକ ଢୋକି ସେ ବିରକ୍ତ ହୋଇ କହିଲା, ସେଇ ତ ଗୋଟାଏ ବାଟ, ଗାଁ ମଝିକି । ଡାହାଣ ହାତି ଗଲେ ମହନ୍ତଙ୍କ କଚିରି ଘର । ତା ଆର ପାଖ ଆମ୍ବ ତୋଟାରେ ଛତର ।

 

ମୋତି ମା ଆଉ ଅପେକ୍ଷା କଲା ନାହିଁ । ଉମାର ହାତ ଧରି ସେ ଆଗକୁ ଚାଲିଲା । ମହନ୍ତ ପରମାନନ୍ଦ ପରମହଂସଙ୍କୁ ସମସ୍ତେ ଜାଣନ୍ତି । ପୁରୀ ସହରରେ ସିନା ମଠଟି ଅବସ୍ଥିତ, ଓଡ଼ିଶା ସାରା ଇଲାକାବାଡ଼ି ବ୍ୟାପି ରହିଛି । ଯେଉଁଠି ତାଙ୍କର ଜମି ଜମିଦାରୀ, ସେଠାରେ କଚିରି ଘର ଓ ଖମାର ଅଛି । ଇଲାକା ବୁଝିବାକୁ କର୍ମଚାରୀ ଅଛନ୍ତି । ପୁରୀ ଜିଲାରେ ତାଙ୍କର ନାମ ଡାକ । ପୁରୀ ସହରରେ ଲୋକେ ତାଙ୍କୁ ସମ୍ମାନ କରନ୍ତି । କହନ୍ତି, ପରମହଂସଙ୍କ ମଠ ସବୁଠୁଁ ପୁରୁଣା । ପଛରେ ଅସୀମ ସୁଖ୍ୟାତି, ବିରାଟ ଇତିହାସ ।

 

ଦୁର୍ଭିକ୍ଷ ଆସିଲା । ମହନ୍ତ ଭାବିଲେ, ତାଙ୍କର କର୍ତ୍ତବ୍ୟ ଉପସ୍ଥିତ ହେଲା । ବେଦପ୍ରାଣ ଲୋକ । ପରର ଦୁଃଖକଷ୍ଟ ସହିପାରନ୍ତି ନାହିଁ । ଲୋକଙ୍କର ବିପଦ କଥା ଶୁଣିଲେ ଅଧୀର ହୋଇପଡ଼ନ୍ତି । ଏକେ ତ ଦୁର୍ଭିକ୍ଷ-ବିପଦ ଦେଶସାରା ଘୋଟିଗଲାଣି, ଲୋକେ ଖାଇବାକୁ ନ ପାଇ ଘରଦ୍ୱାର ଛାଡ଼ିଲେଣି, ସେ ନିଶ୍ଚିନ୍ତ ହୋଇ ବସି ପାରନ୍ତେ ? ଯାହାଙ୍କର ଅନ୍ନରେ ସେ ପ୍ରତିପାଳିତ, ଯାହାଙ୍କର ଧନସମ୍ପତ୍ତି ନେଇ ତାଙ୍କର ଦେବତା ଆଜି ଧନୀ, ସେହି ନିରୀହ ନିରାଶ୍ରୟ ପ୍ରଜାଙ୍କର ଆକୁଳ ଚିତ୍କାର ତାଙ୍କ କାନରେ ପଡ଼ିଲା । ସେ ପହୁଡ଼ ଭାଙ୍ଗି ପଦାକୁ ଆସିଲେ ।

 

ଧାନଚାଉଳ ଯୋଉଠି ଯାହା ଥିଲା, ତହିଁର ବେଶି ଭାଗ ମହଙ୍ଗା ଭାଉ ଦେଖି ଆଗରୁ ଛଡ଼ାଇ ଦେଇଥିଲେ । ଟଙ୍କାସୁନା ଯାହା ମିଳିଲା, ସବୁ ଆସି ମଠ ଠାକୁରଙ୍କ ଖଜଣାଖାନାରେ ଜମା ହୋଇଥିଲା । ବାକୀ ଯେତେକ ଥିଲା, ସେତକ ସେ ଧର୍ମ କାର୍ଯ୍ୟରେ, ସତ୍‍ କାର୍ଯ୍ୟରେ ଖଇରାତ୍‌ କରିବାକୁ ଇଚ୍ଛା କଲେ । ଖମାରେଇମାନଙ୍କ ପାଖକୁ ଆଦେଶ ପଠାଗଲା, ଅନ୍ନଛତ୍ର ଖୋଲ ।

 

ତାଙ୍କ ଇଲାକାର ଠାଏ ଠାଏ ଅନ୍ନଛତ୍ର ଖୋଲା ହେଲା । ମହନ୍ତଙ୍କ ଜମିଦାରୀ ଭିତରେ ନରିଲୋ ବଡ଼ ଗାଁ । ଆମର କଚିରି ତ ରହିବାର କଥା । ଆଖପାଖ ପାଞ୍ଚ ସାତ ଖଣ୍ଡି ମଉଜାର ହାଲହରକତ୍‌ ବୁଝିବାକୁ ଓ ଧାନ ଚାଉଳ ଖଜଣା ଆଦାୟ କରିବାକୁ କଚିରିରେ କରଣ, ଖମାରୀ, କୋଠିଆ, ହଳିଆ ନେଇ ଲୋକ ଦଶ ପଚିଶଙ୍କର ଚଳାଚଳ ।

 

ମହନ୍ତଙ୍କର ଆଦେଶ ପାଇ ଏମାନେ ନରିଲୋରେ ଅନ୍ନଛତ୍ର ଖୋଲିଛନ୍ତି । କଚିରି ପଛ ଆମ୍ବ ବଗିଚାରେ ଗୁଡ଼ି, ବରଡ଼ାତାଟିରେ ଘର ତୋଳା ହୋଇଛି । ଖମାରଘର କଡ଼କୁ ଲାଗି ରୋଷେଇ ଘର । ଲୋକଙ୍କୁ ଖାଇବାକୁ ଦେବାକୁ ସେହି ଘରେ ରନ୍ଧା ହୁଏ । ରନ୍ଧା ଶେଷ ହେଲେ ଗୋଟିଏ ବଡ଼ ପ୍ରାଙ୍ଗଣକୁ ସବୁ ବୁହା ହୋଇ ଆସେ । ଆଗରୁ କାଙ୍ଗାଳମାନେ ପାତ୍ର ଧରି ଧାଡ଼ି ଧାଡ଼ି ହୋଇ ବସିଥାନ୍ତି । କଣ୍ଟ ଅନୁସାରେ ଭାତ ବଣ୍ଟା ହୁଏ । ଆପତ୍ତି କଲେ କେହି ଶୁଣନ୍ତି ନାହିଁ ।

 

ଦେଶଯାକ ତ କାଙ୍ଗାଳ, ମହନ୍ତ ଏବେ ଏତେ ଲୋକଙ୍କୁ ଖାଦ୍ୟ ଦେଇ ବଞ୍ଚାଇ ପାରିବେ କିପରି ? ପ୍ରଥମେ ସଭିଙ୍କୁ ଦେବାର ବନ୍ଦୋବସ୍ତ ହୋଇଥିଲା । ପନ୍ଦର ଦିନ ଏହିପରି ଭାବରେ ଚାଲିଲା, କିନ୍ତୁ ଦିନୁଦିନ କାଙ୍ଗାଳଙ୍କ ସଂଖ୍ୟା ଏତେ ବେଶି ବଢ଼ିବାକୁ ଲାଗିଲା ଯେ, ଦେଖାଗଲା, ଏହିପରି ଚାଲିଲେ ବାଧ୍ୟ ହୋଇ ଛତ୍ର ବନ୍ଦ କରିବାକୁ ହେବ । ଏତେ ଲୋକଙ୍କୁ ଶାନ୍ତ ଭାବରେ ଚଳାଇବା ଯେପରି ଅସମ୍ଭବ, ଏତେ ଲୋକଙ୍କ ପାଇଁ ଖାଦ୍ୟସାମଗ୍ରୀ ସଂଗ୍ରହ କରିବା ତହୁଁ ବଳି କଷ୍ଟ-। ବାଧ୍ୟ ହୋଇ ନରିଲୋ ଛତ୍ର ଦୁଇଦିନ ବନ୍ଦ କରି ଏହିସବୁ କଥା ଲେଖି ମହନ୍ତଙ୍କ ପାଖକୁ ଚିଟାଉ ଗଲା ।

 

ଲୋକ ରାତାରାତି ଯାଇଁ ବେଉରା ଆଣିଲା, କେବଳ ମହନ୍ତଙ୍କ ଜମିଦାରୀର ଲୋକଙ୍କୁ ଖାଦ୍ୟ ଦିଆଯିବ । ଦିନକୁ ବଖତେ, ସଞ୍ଜ ଆଗରୁ । ପାଆଁଶ ଲୋକରୁ ବେଶି ଖାଇବେ ନାହିଁ । ଛତ୍ର ପରିଦର୍ଶନ କରିବାକୁ ନିଜେ ମହନ୍ତ ବିଜେ କରିବେ । ଇଲାକାର ସବୁ ଛତ୍ର ଦେଖି ଆସୁ ଆସୁ କେତେ ଦିନ ଡେରି ହେବ । ସେ ଆସିଲେ ଘଟଣା ଦେଖି ତେଣିକି ଯାହା ବରାଦ କରିବେ ।

 

ମହନ୍ତଙ୍କର ଆଦେଶ କାଙ୍ଗାଳମାନଙ୍କୁ ଶୁଣାଇ ଦିଆଗଲା । ଲୋକେ ଆପତ୍ତି କଲେ । କେହି ଶୁଣିଲେ ନାହିଁ । ସେମାନେ ଧର୍ମଘଟ କଲାପରି ସେହିଠାରେ ପଡ଼ି ରହିଲେ । ଖମାରୀ ମହାଶୟଙ୍କର ବୁଦ୍ଧି ଅଟକିଗଲା । ମହନ୍ତଙ୍କ କଥା ନ ମାନିଲେ ନ ଚଳେ, ଏଣେ ବିନା ଆଦେଶରେ ଛତ୍ର ବନ୍ଦ କରି ହେଉନାହିଁ । ସେ କରଣଙ୍କର ପରାମର୍ଶ ଲୋଡ଼ିଲେ ।
 

କରଣଙ୍କର ପରାମର୍ଶ କାର୍ଯ୍ୟକାରୀ ହେଲା । ରୋଷଘର କଡ଼କୁ ଥିବା ବଡ଼ ପଡ଼ିଆଟିର ଚାରିପାଖରେ ନିବୁଜ ବାଡ଼ବନ୍ଦି କରାଗଲା । କେହି ବାହାରୁ ଭିତରକୁ ଯାଇପାରିବେ ନାହିଁ । ବାଡ଼ର ଦୁଇ ପାଖରେ ଦୁଇଟି ଛୋଟ ତାଟିଲଗା ଦରଜା । ରୋଷଘର କଡ଼କୁ ମଧ୍ୟ ଗୋଟିଏ ବଡ଼ ଦରଜା । ଚାରିପାଖରେ ବଡ଼ ବଡ଼ ବାଉଁଶ ପୋତି ପ୍ରାଙ୍ଗଣ ଉପରେ ଛାମୁଡ଼ିଆ କରାଗଲା ।

 

ଏହାର ଭିତିରି ଉଦ୍ଦେଶ୍ୟ କାଙ୍ଗାଳମାନେ ଆରମ୍ଭରୁ ବୁଝିପାରି ନ ଥିଲେ । ଖମାରୀ ଆସି ଲୋକଙ୍କର ନାଁ ଗାଁ ପଚାରି ସେମାନଙ୍କ ହାତକୁ ଖଣ୍ଡେ ଖଣ୍ଡେ ତାଳପତ୍ରର ଚିଠା ବଢ଼ାଇଦେଲେ । ଲୋକେ କେତେ କଅଣ ଅନୁମାନ କଲେ । ଯେଉଁମାନେ ଚିଠା ପାଇଲେ, ସେମାନେ ମନଖୁସିରେ ରହିଲେ । ଯେଉଁମାନଙ୍କୁ ଦିଆ ନ ଗଲା, ସେମାନେ ଆକୁଳ ଆଖିରେ ଚାହିଁ ରହିଲେ ।

 

ଚିଠାବଣ୍ଟା ଶେଷ ହେଲା । ଖମାରୀ ବଡ଼ ପାଟି କରି ଶୁଣାଇଦେଲେ, ଯେଉଁମାନେ ଚିଠା ପାଇଛନ୍ତି, ସେମାନେ ମହନ୍ତଙ୍କର ପ୍ରଜା । ଦରଜା ପାଖରେ ଯିଏ ଏହି ଚିଠା ଦେଖାଇବ ସେହି କେବଳ ହତା ଭିତରକୁ ପଶି ଭାତ ପାଇପାରିବ । ଚିଠା ଦେଖାଇ ନ ପାରିଲେ ଭାତ ଦିଆଯିବ ନାହିଁ । ଏତିକି କହି ସେ କଚିରି ଭିତରକୁ ଗଲେ ।

 

ଚିଠା ନ ପାଇଥିବା ଲୋକଙ୍କ ଭିତରେ ହାହାକାର ପଡ଼ିଗଲା । ଯେତେ କାନ୍ଦିଲେ ବୋବେଇଲେ, ଯେତେ ଆପତ୍ତି ଅଭିଯୋଗ କଲେ, କେହି କାନକୁ ନେଲେ ନାହିଁ । ଦିନେ ଦୁଇଦିନ ଅପେକ୍ଷା କରି, ହତାଶ ହୋଇ ଅନ୍ନଛତ୍ର ଖୋଜିବାକୁ ଚାଲିଗଲେ । ଅନ୍ନଛତ୍ରର କାର୍ଯ୍ୟ ଶୃଙ୍ଖଳାର ସହ ଚାଲିଲା । ମଝିରେ ମଝିରେ ଲୋକଙ୍କର ଚିଠା ଚୋରି ନେଇ କଳି ଲାଗେ, କିନ୍ତୁ କର୍ମଚାରୀମାନେ ବିଷୟ ତଦନ୍ତ କରି ସବୁ କଜିଆ ଭାଙ୍ଗି ଦିଅନ୍ତି । ଦଣ୍ଡସ୍ୱରୂପ ଦୋଷୀକୁ ଦିନେ ଦୁଇଦିନ ଖାଇବାକୁ ଦିଆଯାଏ ନାହିଁ । କେହି ନୂଆ ଅତିଥି ଆସି ଖାଦ୍ୟ ପାଇଁ ପ୍ରାର୍ଥନା କଲେ, କର୍ତ୍ତବ୍ୟ ଅନୁରୋଧରେ ତାକୁ ନିଷ୍ଠୁର ନାସ୍ତି ବଚନ ଶୁଣାଇ ଦିଆଯାଏ ।

 

କେତେଦିନ ଏହିପରି ଚାଲିଲା । ନିଜେ ମହନ୍ତ ନରିଲୋ ଅନ୍ନଛତ୍ର ଦେଖିବାକୁ ଆସିଲେ-। ଲୋକଙ୍କର ଆନନ୍ଦର ସୀମା ରହିଲା ନାହିଁ । ସମସ୍ତେ ଲମ୍ବ ଲମ୍ବ ହୋଇ ପ୍ରଣାମ କରି ନିବେଦନ କଲେ–ସନ୍ଧ୍ୟା ଆଗରୁ ଯେଉଁ ଥରେ ଅନ୍ନ ଦିଆ ହେଉଛି ତାହାର ପରିମାଣ ଅଳ୍ପ । ଦି ବେଳା ଦୁଇଥର ଦିଆଯାଉ, ନୋହିଲେ ଅନ୍ନର ପରିମାଣ ବଢ଼ାଇ ଦିଆଯାଉ ।

 

ମହନ୍ତ ତଦନ୍ତ କରି ଦେଖିଲେ, ଲୋକଙ୍କର ଅନୁରୋଧ ରଖିବା ଅସମ୍ଭବ । ସେମାନଙ୍କ କଥା ରଖି ପରିମାଣ ବଢ଼ାଇଦେଲେ, ଧାନ ଅଭାବରୁ ଅନ୍ନଛତ୍ର ବନ୍ଦ କରି ଦେବାକୁ ହେବ । ସେ ଲୋକଙ୍କୁ ଏହି କଥା ଭଲ କରି ବୁଝାଇଦେଲେ । ନିଜେ ରହି କିଛି ଦିନ ନିଜ ହାତରେ କାର୍ଯ୍ୟ ଚଳାଇବାର ପ୍ରସ୍ତାବ କଲେ ।

 

ଅବୁଝା ଅଝଟ ପିଲାଙ୍କ ପରି ଲୋକେ କଟାଳ କରିବେ । ସେଥିରେ କାନ ଦେଲେ ଏତେ ଲୋକଙ୍କୁ ସମ୍ଭାଳି ବଞ୍ଚାଇ ରଖିବା କଷ୍ଟ । ଆଷାଢ଼ର ଅଧେ ଦିନ ମୋଟେ କଟିଛି । ନୂଆ ଫସଲ ଆମଦାନୀ ହେବାକୁ ଆହୁରି ଅନେକ ଦିନ ବାକୀ ଅଛି । ଲୋକଙ୍କର ପ୍ରାଣ ରହୁ ତ ।

 

–୧୯–

 

ଉମା ଲୋ, ଏଥର କି ବୁଦ୍ଧି କରିବା, କହିଲୁ ? ଛତରରେ ପଶି ବି ପେଟକୁ ମୁଠାଏ ଦାନା ମିଳିଲା ନାହିଁ । ଲୋକଟା କେଡ଼େ ନିଷ୍ଠୁର ! ଯେତେ ନେହୁରା ନିକୁଟି ହେଲାଠିଁ ତାର ମନ ଟଳିଲା ନାହିଁ ।

 

ଚିଠା ନ ଦେଖାଇଲେ ତ କେହି ପଚାରିବେ ନାହିଁ । କେଉଁଠୁ ପାଇବା ମୋତି ମା ?

ମହନ୍ତଙ୍କ ଇଲାକା ଲୋକଙ୍କୁ ଚିଠା ମିଳୁଛି । ଆମେ ତ ତାଙ୍କର ପ୍ରଜା ନୋହୁଁ ।

କଅଣ କରିବା ?

 

କେଡ଼େ ଆଶା କରି ମହନ୍ତଙ୍କ ନାମ ଧରି ଆସିଥିଲେଇଁ । ଏଣିକି ଅନ୍ୟଠିକି ଯିବାକୁ ପଡ଼ିବ । ଏ ଯେଉଁ ବରଷା, ଏତିକି ବେଳକୁ ତାର ହଟ । ପଦାକୁ ଗୋଡ଼ କାଢ଼ିବାକୁ ଡର ମାଡ଼ୁଛି । ମୋତି ମା ଅନ୍ଧାରରେ ହାତ ଅଣ୍ଡାଳି ପୁଡ଼ାଟିକୁ ତାର କୋଳ ପାଖକୁ ଆଣିଲା ।

 

ଅନ୍ଧାର ରାତି । ଝଡ଼ ବର୍ଷାର ବିରାମ ନାହିଁ । ବରଡ଼ା ଛାତର ଫାଙ୍କବାଟେ ଚଟିଘର ଭିତରେ ଗଳ ଗଳ ପାଣି ଗଳି ପଡ଼ୁଛି । ଘଞ୍ଚ ତୋଟା । ତୋଫାନ ବିଶେଷ ଅନିଷ୍ଟ କରିପାରୁ ନାହିଁ । ତଥାପି, ବେଳେବେଳେ ନାଲି ଘରଗୁଡ଼ିକୁ ଦୋହଲାଇ ଦେଉଛି । ସତେ କି ଉଡ଼ାଇନେବ । ଆଶ୍ରା ନେବାକୁ ଅନ୍ୟ ଥାନ ନାହିଁ । ଭାଗ୍ୟକୁ ଆଦରି ତୁନି ହୋଇ ପଡ଼ିରହିବା କଥା । ଗଛର ଡାଳ ଦୋହଲୁଛି, କଡ଼ କଡ଼ ହେଉଛି । ଯଦି ଖଣ୍ଡେ ଭାଙ୍ଗି ଉପରେ ପଡ଼େ, କେତେ ଲୋକ ତାରି ତଳେ ଚାପି ହୋଇଯିବେ ।

 

ପାଞ୍ଚ ଧାଉଡ଼ି ନାଲିଘର । ଗୁହାଳରେ ଗୋରୁପଲ ପଶିଲା ପରି ପାଞ୍ଚଶ ଲୋକ ଖୁନ୍ଦି ହୋଇଛନ୍ତି । କଡ଼ ବୁଲାଇବାକୁ ରାହା ନାହିଁ । ଭୂଇଁ ଉପରେ କାନି ପାରି, କେହି ବା ଖାଲି ମାଟି ଉପରେ, ଯେ ଯେଉଁଠି ପଡ଼ି ଯାଇଛନ୍ତି । କେହି କେହି କଥାଭାଷା ହେଉଛନ୍ତି । କିନ୍ତୁ, ତୋଫାନ ବର୍ଷାର ଶବ୍ଦରେ ଜଣକର କଥା ଅନ୍ୟ ଜଣକୁ ଶୁଭୁନାହିଁ । ଅନ୍ଧାରରେ କାହିରି ମୁହଁ କାହରିକୁ ଦିଶୁ ନାହିଁ । ବିଜୁଳିର କ୍ଷଣିକ ପ୍ରଭାବରେ ଆଖି ଝଲିସି ପଡ଼ୁଛି, ଆଖିପତା ବନ୍ଦ ହେଉଛି ।

 

ଉମା ଧୀରେ ଧୀରେ ତାର ଅବଶ ମୁଣ୍ଡ ଟେକି ବାହାରକୁ ଚାହିଁଲା । ପବନ ଧକ୍‌କାରେ ପଛ ପାଖର ବରଡ଼ା ତାଟି ଖଡ଼ ଖଡ଼ ହୋଇଉଠିଲା । ପାଣିଛଟା ମୁହଁରେ ପଡ଼ିଲା । ଦେହ ଶୀତେଇ ଉଠିଲା । ଖସି ପଡ଼ିଥିବା ଲୁଗା କାନିରେ ମୁଣ୍ଡ ଦେହ ଘୋଡ଼ାଇ ସେ କହିଲା, ମୋତି ମା, ମଣିଷ ଜନମ ଏଇଆ, ହଇ ଲୋ ? ଏତେ ଦୁଃଖ ସହିବାକୁ ହେବ ? ନିରାଶ୍ରୟ ମଣିଷକୁ ଏ ବିପଦରୁ ରକ୍ଷା କରିବାକୁ ପ୍ରଭୁ ନିଜେ ଆକାଶରୁ ଓହ୍ଲାଇ ଆସୁନାହାନ୍ତି ? ମଣିଷର ଦୁଃଖ କଷ୍ଟ କାନ୍ଦଣା ସେ ସହି ରହି ପାରୁଛନ୍ତି କିପରି ?

 

Unknown

ମୋତି ମା ତାର ବୁଜୁଳାଟି ଫିଟାଉ ଫିଟାଉ କହିଲା, ପାପର ଫଳ ଆମେ ଭୋଗ କରୁଥାଇଁ । ଠାକୁରଙ୍କର ହଟ ଦେଖିବାର କଥା ।

 

ବୁଜୁଳା ଭିତରୁ ସେ ଗୋଟାଏ ଛୋଟ ପୁଡ଼ା କାଢ଼ିଲା । ପୁଡ଼ା ଭିତରେ ଆଞ୍ଜୁଳାଏ ହେବ କେବକାର ବାରମିଶା ଚାଉଳ ଥିଲା, ଭିକମଗା ଚାଉଳ । ସେଥିରୁ ଦି’ମୁଠା ନିଜ ଅଣ୍ଟିରେ ରଖି ବାକିତକ ଉମାକୁ ଦେଇ କହିଲା, ନେ ଉମା, ବାନ୍ଧିଲା ଘୋଡ଼ା ଘାସ ଖାଏ । ଯେମିତି ହେଲେ ପ୍ରାଣ ରଖିବାକୁ ହେବ । ଏଇ ଚାଉଳରୁ ଦି’ ମୁଠା ପାଟିରେ ପକେଇ ଆଜି ରାତିକ କଟାଇଦେବା ।

 

ପ୍ରତିବାଦ କରିବାକୁ ସାହସ ନଥିଲା । ଭୋକରେ ଅବସ୍ଥା ଏପରି ହୋଇଥିଲା ଯେ ମନ ହେଉଥିଲା, କେଉଁଠି ଗଛପତ୍ର ଆଣି ଚୋବାଇବ । ମୋତିମା ହାତରୁ ଚାଉଳ ପୁଡ଼ାଟି ନେଇ ଉମା କୋଳରେ ରଖିଲା । ବାକ୍ୟବ୍ୟୟ ନ କରି ଦିହେଁ ତୁନି ହୋଇ ଚାଉଳ ଚୋବାଇବାରେ ଲାଗିଲେ । କିଛିକ୍ଷଣ ପରେ ଉମା କହିଲା, ଆଗରୁ ଟିକିଏ ଭିଜାଇ ଦେଇଥିଲେ ହୋଇଥାନ୍ତା ।

 

ଦେ, ସେମିତି ଖାଇଦେ । ଆଜି ଆଉ ବେଳ ନାହିଁ ।

 

ଚାଉଳତକ ଉଦରସ୍ଥ କଲାପରେ ମୋତିମା ପୁଡ଼ା ଭିତରୁ ଗୋଟିଏ ଛୋଟ ଘଡ଼ି ବାହାର କରି କହିଲା, ଉମା, ବରଷା ପାଣି ବରଡ଼ା ତାଟିରୁ ଗଡ଼ୁଛି । ନେ, ଘଡ଼ିରେ ଘଡ଼ିଏ ପାଣି ଆଣ, ପିଇବା ।

 

ଉମା ଘଡ଼ି ନେଇ ପଚାରିଲା, କାହୁଁ ପାଇଲୁ ମୋତି ମା ?

ବାଟରୁ ଗୋଟେଇ ଆଣିଥିଲି । ଆଉ ଭଲମନ୍ଦ ଖୋଜିବାକୁ ଯାଉଛୁ ?

 

ଉମା ଉଠିଯାଇ ହାତ ବଢ଼ାଇ ଓଳିପାଣି ଆଣିଲା । ଦିହେଁ ପେଟେ ପେଟେ ପାଣି ପିଇ ଟିକିଏ ଶାନ୍ତି ଅନୁଭବ କଲେ ।

 

ଏଥର କାନିପାରି ଶୋଇପଡ଼ । ରାତି ପାହିଲେ ଦେଖାଯିବ । ଏତିକି କହି ମୋତି ମା ମୁଣ୍ଡତଳେ ପୁଡ଼ା ଦେଇ ତୁନି ହୋଇ ଶୋଇପଡ଼ିଲା । ଉମା ମଧ୍ୟ ତାରି ପାଖରେ ଥଣ୍ଡା ଭୂଇଁ ଉପରେ କ୍ଲାନ୍ତ ଦେହ ଲମ୍ବାଇଦେଲା ।

 

ଉମାକୁ ନିଦ ହୋଇଗଲା । ମୋତି ମା ଭୂଇଁ ଉପରେ ପଡ଼ି ଏକଡ଼ ସେକଡ଼ ହେଉଥାଏ-। ବେଳେ ବେଳେ ଲୁଗା ପୁଡ଼ାଟିକୁ ଜାକି ଧରୁଥାଏ । ଛାଇନିଦ ମାଡ଼ିଆସେ, ଆପେ ଆପେ ଆଖିପତା ମୁଦି ହୋଇଯାଏ । କୋହଲା ପବନ ନାଲି ଘର ଭିତରେ ପଶି ତାଟିକୁ ଖଡ଼ ଖଡ଼ କରେ-। ଥଣ୍ଡାରେ ଲୋମମୂଳ ଟାଙ୍କୁରି ଉଠେ । ମୋତି ମାଆର ନିଦ ଚାଉଁକରି ଭାଙ୍ଗେ । ସେ ଆଗ ପୁଡ଼ାଟିକୁ ଜାକି ଧରି ପରେ ଅନ୍ଧାରରେ ଅଣ୍ଡାଳି ଉମାକୁ ଆଉଁସେ । କୋଳକୁ ଟାଣିଆଣି ନିଜ ଦେହରୁ ଲୁଗା କାଢ଼ି ଉମା ଦେହରେ ପକାଏ । ଧୀରେ ଧୀରେ ତାର କପାଳରେ ହାତ ମାରେ । ଭାବେ, ଆହା, ପିଲାଟି କି କଷ୍ଟ ନ ପାଇଲା ସତେ । ତାଆରି ଆଶ୍ରା ଧରି ସିନା ସେ ଗାଁ ଛାଡ଼ି ଆସିଲା । ସବୁ କଥାକୁ ବାରି ଉପାସରେ କେତେ ଦିନ କାଟିବ ? ଚନ୍ଦ୍ରଉଦିଆ ରୂପ କଳା ପଡ଼ିଗଲାଣି । ଆହା, ଛେଉଣ୍ଡ ଛୁଆଟି ।

 

ନିଦ ହୋଇନାହିଁ । ମୋତି ମାର କାନରେ ପଡ଼ିଲା, କିଏ ଯେପରି ଗୋଡ଼ ତଳୁ ଅତି କ୍ଷୀଣ ସ୍ୱରରେ କାହାକୁ କହୁଛି, ଆଲୋ ରଙ୍ଗୀ, ଚିଠା ଦି’ ଖଣ୍ଡ କଅଣ କଲୁ ?

 

ଶିଶୁ କଣ୍ଠରେ କିଏ ଜବାବ ଦେଲା, କାନିରେ ବାନ୍ଧି ରଖିଛି, ମା !

ହୁସିଆରିରେ ରଖ ଲୋ, କାଳେ କେଉଁଠି ହଜିଯିବ ।

ରଙ୍ଗୀ ଗଳା ଫୁଲାଇ କହିଲା, ହଁ, ହୁସିଆରିରେ ରଖିଛି ।

କଅଁଳ ସ୍ୱରରେ ବୁଢ଼ୀ ପଚାରିଲା, ଆଲୋ, କୋଉଠି ବାନ୍ଧି ରଖିଛୁ ଦେଖ୍‌ ।

 

ରଙ୍ଗୀ ରାଗିଯାଇ କହିଲା, ମଲା ମୋର, ଶୁଆଇ ଦେବ ନାହିଁ ଲୋ ମା ! ଏଇ କଣ, ଲୁଗା କାନିରେ ବାନ୍ଧିଛି । ଏତିକି କହି ସେ ତୁନି ହେଲା । ବୁଢ଼ୀର ପାଟି ବି ଆଉ ଶୁଭିଲା ନାହିଁ ।

 

ଘଡ଼ିଏ ବିତିଲା । ମୋତି ମାଆକୁ ଆଉ ନିଦ ହେଲା ନାହିଁ । ସେ କେତେ କଅଣ ଭାବି ଉଠି ବସିଲା । ସେହିପରି ଅନ୍ଧାର । ସେହିପରି ବର୍ଷା । କଅଣ ଭାବି ଭୟରେ ଥରିଉଠିଲା । ପୁଣି ଶୋଇଲା । ମନର ଜଳିଲା ଚିନ୍ତା ତା ପ୍ରାଣକୁ ଆକୁଳ କରି ପକାଇଲା । ଭୋକିଲା ପ୍ରାଣର ଇଙ୍ଗିତକୁ ଉପେକ୍ଷା କରି ଲିଭି ଆସୁଥିବା ବିବେକର ସମ୍ମାନ ରଖିବାକୁ କୁଣ୍ଠାବୋଧ କଲା । ଧୀରେ ଧୀରେ ଉମା ପାଖକୁ ଘୁଞ୍ଚିଆସିଲା । ଅନ୍ଧାରରେ ହାତ ବଢ଼ାଇ ତାର ମୁଣ୍ଡ ଉପରେ ରଖିଲା । ସେ ଚେଇଁ ନାହିଁ । ନିଘୋଡ଼ ନିଦ ଶୋଇଛି ।

 

ସେ ପୁଣି ଉଠି ବସିଲା । ଅନ୍ଧାରରେ ଚାରିଆଡ଼ୁ ଚାହିଁଲା । କାହାରି ସୋର ଶବ୍ଦ ନାହିଁ । ସେ ଗୋଡ଼ତଳକୁ ଘୁଞ୍ଚିଆସିଲା । ବିଜୁଳି ଚମକି ଉଠିଲା । ସେ ଆସି ରଙ୍ଗୀ ପାଖରେ । ତା ଆର ପାଖକୁ ରଙ୍ଗୀର ବୁଢ଼ୀମା । ତେଣିକି ତେଣିକି ଆହୁରି କେତେ ଲୋକ ଶୋଇଛନ୍ତି ।

 

ମୋତି ମା ଡରି ଡରି ଧୀରେ ଧୀରେ ଥରିଲା ସ୍ୱରରେ ଡାକିଲା, ରଙ୍ଗୀ, ରଙ୍ଗୀଇ-

 

ରଙ୍ଗୀ ନିଦରେ ଅଜ୍ଞାନ । ଜବାବ ଦେଲା ନାହିଁ । ମୋତିମା ତାଆରି ପାଖରେ ଶୋଇଲା-। ତାକୁ କୋଳରେ ପୂରାଇ ତାର ମୁଣ୍ଡ ଦେହ ଆଉଁସିବାକୁ ଲାଗିଲା । ପିଲାଟି ନିଦ ବାଉଳାରେ ପେଟ ପାଖକୁ ଲାଗି ଆସିଲା । ମୋତି ମା ଯାହା ଖୋଜୁଥିଲା, ପାଇଲା ଅତି ସହଜରେ । ରଙ୍ଗୀର ଲୁଗା କାନିରୁ ତାଳପତ୍ରର ଚିଠା ଦି’ଖଣ୍ଡି ଧୀରେ ଧୀରେ ଫିଟାଇ ନିଜ କାନିରେ ବାନ୍ଧି ଅଣ୍ଟାରେ ଖୋସିଲା । ବାହରି ଯାଉଥିବା ଦୀର୍ଘଶ୍ୱାସକୁ ଚାପି ଧୀରେ, ଅତି ଧୀରେ ଉମା ପାଖକୁ ଗଡ଼ିଆସି ନିଷ୍କୃତିର ନିଶ୍ୱାସ ଛାଡ଼ିଲା ।

 

ଉମା ଡାକିଲା, ମୋତି ମା !

 

ମୋତି ମା ସତେ କି ନିଦ ବାଉଳାରେ କଡ଼ ଲେଉଟାଇ ଅଳସ ଭାଙ୍ଗିଲା । ଉତ୍ତର ଦେଲା ନାହିଁ ।

 

ପାହାନ୍ତାର ପହିଲି ଆଲୁଅ ରାତିର ଅନ୍ଧାର ଘୁଞ୍ଚାଇ ତାଟି ଘରେ ପଶିଲା । ମୋତି ମା ଆଖି ମଳି ମଳି ଉଠି ବସିଲା । ପ୍ରଥମେ ଆଖି ପଡ଼ିଲା ରଙ୍ଗୀ ଓ ତାର ବୁଢ଼ୀ ମା ଉପରେ । ଅଶୀବର୍ଷର ବୁଢ଼ୀ ହେବ । ମୁକୁଳା ମୁଣ୍ଡର ବାଳ କେଇ କେରା ପାଚି ଝୋଟ ପାଲଟିଲାଣି । ନାତୁଣୀ ରଙ୍ଗୀ, ବାର ତେର ବର୍ଷର ପିଲା । ନିଶ୍ଚିନ୍ତରେ ଶୋଇଛନ୍ତି ଦିହେଁ ।

 

ମୋତି ମା ଲାଜରେ ମୁହଁ ଫେରାଇଲା । ଛାତି ଥରିଉଠିଲା ।

ଉମା, ଉମା । ସେ ଉମାକୁ ହଲାଇ ଉଠାଇଲା ।

ଉମାର ନିଦ ଭାଙ୍ଗିଗଲା । ସେ ଉଠି ବସି ପଚାରିଲା, କଅଣ ?

ଆଲୋ, ପଦାକୁ ଚାହିଁଲୁ । ସକାଳ ହେଲାଣି । ବର୍ଷା ଛାଡ଼ିଲାଣି । ଆ, ଯିବା ।

ସେ ତାର ପୁଡ଼ାଟି ଧରି ଠିଆ ହେଲା ।

ଉମା ଦେହର ଲୁଗା ସଜାଡ଼ି ଉଠି ଠିଆ ହେଲା । ପଚାରିଲା, କୁଆଡ଼େ ଯିବା ? ମୋତି ମା ଉତ୍ତର ନ ଦେଇ ପଦାକୁ ଆସିଲା । ଉମା ତା ପଛେ ପଛେ ଗଲା ।

 

ବେଳ ପ୍ରାୟ ଚାରିଟା । ଝଡ଼ ବର୍ଷା ଛାଡ଼ିଗଲାଣି । ଆକାଶ ମେଘମୁକ୍ତ ହୋଇନାହିଁ । ସୂର୍ଯ୍ୟର ଦିନସାରା ଦେଖା ନାହିଁ । ବେଳେ ବେଳେ ଗଛପତ୍ରରୁ ଜଳକଣା ଝରି ପଡ଼ି ବର୍ଷାଗମର ଭୟ ଦେଖାଉଛି ।

 

ଗାଁ ଗୋହିରିର ପାଣି କାଦୁଅ ରାସ୍ତାରେ ପଶି ଗାଁ ମୁଣ୍ତକୁ ଆସି ମୋତି ମା କହିଲା, ଦେଖିଲୁ ତ ଉମୀ, ଲୋକଙ୍କୁ ଯେତେ ନେହୁରା ହୋଇ ମାଗିଲେ ବି ଲୋକେ ତୋରାଣି ଟୋପେ ଦେଉନାହାନ୍ତି । ସମସ୍ତେ ସେହି ଛତର ଆଡ଼କୁ ହାତ ଦେଖାଇ ଦେଉଛନ୍ତି ।

 

ତାଙ୍କର କି ଚାରା ? ପାଖରେ ଥିଲେ ତ ଦେବେ !

ନ ଦେଉନ୍ତୁ ଲୋ ମା, ଅଛି କି ନାହିଁ ସେ କଥା ଧର୍ମ ଜାଣେ ।

ଟିକିଏ ରହି କହିଲା, ଚାଲ, ବେଗି ଚାଲ । ଛତରରେ ଭାତ ଦେବାର ବେଳ ହେଲାଣି ।

କାଲି ଦେବାକୁ ମନା କଲେ । ଆଜି କଅଣ ଦେବେ ?

ଆଜି କେହି ମନା କରିବେ ନାହିଁ ।

କାହିଁକି ?

ଆଗରୁ ବାଟ ସଫା କରିସାରିଛି । ତୁ ଚାଲ ତ ଚାଣ୍ଡେ ।

 

ଦିହେଁ ଆସି ଅନ୍ନଛତ୍ର ପାଖରେ ମିଳିଲେ । ଲୋକଭିଡ଼ ଯେ କହିଲେ ନ ସରେ । ଯନ୍ତାଯନ୍ତି, ଠେଲାଠେଲି । ହୋ ହୋ ପାଟିରେ କାନ ଅତରା ପଡ଼ୁଛି, କିଏ ଭିତରକୁ ଆଗ ପଶିବ । ସତେ କି ଅନ୍ନଛତ୍ର କୁଆଡ଼େ ପଳାଇ ଯାଉଛି ।

 

ମୋତି ମା କହିଲା, ମୋ ବାପା ଲୋ, ଭିତରକୁ କିପରି ଯିବା ? ପେଲାପେଲି ଭିତରେ ପଶିଲେ ପ୍ରାଣ ରହିବ ନାହିଁ ।

 

ମୋତିମାର କଥା ଶୁଣି ଉମା କହିଲା, ଆମେ ସବା ପଛରେ ଯିବା ଲୋ ମୋତି ମା ! ଆମ କପାଳକୁ ଯାହା ଥିବ । ଲୋକଙ୍କ ସଙ୍ଗେ ଯୁଝିବାକୁ ଆମର ବଳ ନାହିଁ । ଟିକିଏ ରହି ପଚାରିଲା, ଏ କଅଣ, ଚିଠା ଦେଖି ଭିତରକୁ ଛାଡ଼ୁଛନ୍ତି, ଆମେ ଯିବା କିପରି ?

 

ମୋତି ମା ଏଣିକି ତେଣିକି ଚାହିଁ କହିଲା, ଚିଠା ଅଛି । ମୁଁ ଆଣିଛି ।

ଉମାର ଓଠରେ ହସ ଖେଳିଲା । ପଚାରିଲା, ସତେ ! କିଏ ଦେଲା ?

ମୋତି ମା ହସ ହସ ହୋଇ କହିଲା, ଠାକୁରେ ବଡ଼ଲୋକ ।

ଦିହେଁ ଗୋଟିଏ ପାଖ ଆମ୍ବଗଛ ମୂଳରେ ଠିଆ ହେଲେ ।

 

ଭିଡ଼ କମିଲା । ଖାଇବା ପ୍ରାଙ୍ଗଣର ଦ୍ୱାରରେ ଠିଆ ହୋଇଥିବା କର୍ମଚାରୀ ଦିହେଁ ଡାକ ଛାଡ଼ିଲେ, ଆଉ କିଏ ଅଛ, ଆସ । ଦରଜା ବନ୍ଦ କରାଯିବ ।

 

ଦରଜା ପାଖରେ ଆହୁରି ଦଶ ପାଞ୍ଚ ଜଣ ଲୋକ ଠିଆ ହୋଇ ଅଣ୍ଟାରୁ ଚିଠା କାଢ଼ୁଥାନ୍ତି-। ମୋତି ମା କହିଲା, ଆ ଲୋ ଉମୀ, ଏତିକିବେଳେ ଯିବାକୁ ସଜ ।

 

ଦିହେଁ ଦରଜା ଆଡ଼କୁ ଚାଲିଲେ ।

 

ପାଖ କିଆବୁଦା ପଛରୁ ଗୋଟିଏ ପିଲାର କାନ୍ଦଣା ଶୁଭିଲା । ସମସ୍ତେ ସେହିଆଡ଼କୁ ଚାହିଁଲେ । ଅଶୀ ବର୍ଷର ପାକଲା ବୁଢ଼ୀଟିଏ । ଧର୍ମକୁ ଡାକି ଅକଥା ଭାଷାରେ କେଉଁ ଅଜଣା ଲୋକକୁ ଅନର୍ଗଳ ଗାଳି ଦେଉଛି । ଉଚ୍ଚସ୍ୱରରେ କାନ୍ଦି ତା ଆଗରେ ଚାଲିଥିବା ଦଶ ବାର ବର୍ଷର ଝିଅଟିକୁ ମଧ୍ୟ ଗାଳି ଦେଉଛି । ପିଲାଟି ଭେଁ ଭେଁ ରଡ଼ି ଛାଡ଼ୁଚି ।

 

ବୁଢ଼ୀ ରାଗିଯାଇ ଖନେଇ ଖନେଇ କହୁଛି, ମୁଁ କହୁଛି, ଆଲୋ ରଙ୍ଗୀ ଚିଠା ଦି‘ଖଣ୍ଡ ସାଇତି ରଖ, ନଇଲେ ମୋତେ ଦେଇଦେ । କାହିଁକି ମୋ କୁହା ମାନନ୍ତା ! ସବୁ କଥାକୁ ଆଗ, ସବୁ କଥାକୁ ହମ ହମ ! କୋଉଁଠି ହଜେଇଲୁ କେଜାଣି ।

 

ମା ଲୋ, କାନିରେ ବାନ୍ଧିଥିଲି, କେଉଁଠି ଖସିପଡ଼ିଲା ।

ତତେ ମଶାଣି ଡାକିଲାଣି । ଭଲ ବୁଦ୍ଧି କୁଆଡ଼ୁ ଦିଶିବ ?

କାନ୍ଦି କାନ୍ଦି ପିଲାଟି କହିଲା, କଅଣ କରିବା, ମା ?

 

ମରୁନୁ ଲୋ, ଚାଲ୍‌ ମଶାଣିକି, କହି ବୁଢ଼ୀ ତାର ଫୁରୁ ଫୁରୁ ବାଳ ଧରି ଓଟାରିଦେଲା । ମୋତି ମା ବିରକ୍ତ ହୋଇ କହିଲା, ଛିଡ଼ା ହୋଇ କେଣିକି ଚାହିଁଛୁ ଉମୀ, ଆ ଝଅଟ ।

 

ଉମା ସନ୍ଦେହ କରି ମୋତି ମାଆକୁ ପଚାରିଲା, ତୁ ଚିଠା କେଉଁଠୁଁ ପାଇଲୁ କହ ତ ?

ଆଲୋ, ସେଥିରୁ ତୁ କି ପାଇବୁ ? ବାଟରୁ ପାଇଲି ।

 

ନାହିଁ ମୋତିମା, ଦେଖିଲୁ, ପିଲାଟି କେମିତି କାନ୍ଦୁଛି । ମୋତି ମାଆର ମୁହଁ ଶୁଖିଗଲା । ସେ କିଛି କହିପାରିଲା ନାହିଁ ।

 

ଉମା କହିଲା, ନିରୀହ ପ୍ରାଣୀ ଦୋ’ଟିଙ୍କର ପ୍ରାଣ ନେଇ ଆମର ବଞ୍ଚି ରହିବା ଦରକାର ନାହିଁ, ମୋତି ମା । ଆମ ପାଇଁ ସେ ମଶାଣିକି ଯିବେ ?

 

ଛି–

ଲୁହରେ ଆଖି ଢଳ ଢଳ ହେଲା । କହିଲା, ନା, ତୁ ସେ ଚିଠା ଦି ଖଣ୍ଡ ଫେରାଇ ଦେ ।

 

ମୋତି ମା ଆବା ହୋଇ ଉମା ମୁହଁକୁ ଚାହିଁଲା । କହିଲା, କାହିଁକି ବା ? ମୁଁ ବାଟରୁ ପାଇଲି ।

 

ଉମା ଆଖି ପୋଛି କହିଲା, ହେଉ ପଛେ, ସେ ଦି’ଖଣ୍ଡ ଆମର ନୁହେଁ, ତାଙ୍କର ।

ଆମେ କଅଣ କରିବା ?

ମଶାଣିକି ଯିବା । ପରର ପ୍ରାଣ ନେଇ ବଞ୍ଚି ରହିବା ଦରକାର ନାହିଁ ।

 

ମୋତିମା ଅନିଚ୍ଛାରେ ଚିଠା ଦିଖଣ୍ଡି ଅଣ୍ଟାରୁ କାଢ଼ି ଉମା ହାତକୁ ବଢ଼ାଇ ଦେଲା । ଉମା ତାକୁ ବୁଢ଼ୀ ହାତରେ ଦେଲା । କହିଲା, ପିଲାଟା ପୁଣି କେଉଁଠି ହଜାଇଦେବ । ତା ହାତକୁ ଆଉ ଦେବୁନାହିଁ ମାଉସୀ !

 

ବୁଢ଼ୀ ତାକୁ କିଛି କହିବା ଆଗରୁ ସେ ମୋତି ମା ପାଖକୁ ଫେରିଆସି କହିଲା, ଆ, ମୋତି ମା, ଫେରିଯିବା । ଦି ଆଖି ଯୁଆଡ଼େ ନେବ । ଦେଖିଲୁ, ଆଈ ନାତୁଣୀ କେଡ଼େ ଖୁସିରେ ଆମକୁ ଚାହିଁଛନ୍ତି । ଆ –

 

ମୋତି ମା ଆଖିରୁ ଲୁହପୋଛି କହିଲା, ତୋରି ବୁଦ୍ଧିରୁ ତ ମରିବୁ, ଉମୀ । ଦୁହେଁ ଆଗପଛ ହୋଇ ଫେରିଲେ ।

 

ମହନ୍ତ ଦାଣ୍ଡ ଚୌପାଢ଼ୀ ଉପରେ ବସି ଉମାକୁ ଅପଲକ ଆଖିରେ ଚାହିଁ ରହିଥିଲେ । ଏଡ଼େ ସୁନ୍ଦର ! କୋମଳ ବୟସ ! ଛୋଟଘରର ପିଲା ନୁହେଁ । ଅବସ୍ଥାର ଚାପରେ ପଡ଼ି ଦାଣ୍ଡକୁ ଆସିଛି । ଜୀବନରକ୍ଷାର ଉପାୟ ନ ଦେଖି ଭିକ୍ଷାବୃତ୍ତି ଅବଲମ୍ବନ କରିଛି । ଆହା, କାହାର କୋଳର ଝିଅ, କୁଳର ଆଲୁଅ ? ଭରା ଯୌବନର ସୌରଭ ଉଡ଼ାଇ, ରୂପର ଦୀପାଳୀ ଜାଳି, ପଲକରେ ଏ ମଶାଣି ଭୂଇଁର ପ୍ରେତପଲ ଭିତରୁ ବାହାରି ଚାଲିଗଲା ! ତାର ଯୌବନର ସୌରଭ ହା-ଅନ୍ନର ଅପନ୍ତରାରେ ବିଲୀନ ହେବ ସିନା ! ରୂପର ଦୀପାଳୀ ଦୁର୍ଭିକ୍ଷ ରାକ୍ଷସର ଫୁତ୍‌କାରରେ ଲିଭିଯିବ ସିନା !

 

ମହନ୍ତ ତାର ଗଲା ବାଟକୁ ଚାହିଁ ରହିଲେ ।

କର୍ମଚାରୀ ଦିହେଁ ଦରଜା ବନ୍ଦ କରି ମହନ୍ତଙ୍କ ପାଖକୁ ଫେରିଆସିଲେ ।

ମହନ୍ତ ପଚାରିଲେ, ସେ ଦିଜଣ ଫେରିଗଲେ କାହିଁକି ?

ଜଣେ କର୍ମଚାରୀ କହିଲା, ଆଶ୍ଚର୍ଯ୍ୟ କଥା ମହାରାଜ !

ହଁ, ମୁଁ ସବୁ ଶୁଣିଛି । ତାଙ୍କୁ ଫେରାଇଲ କାହିଁକି ?

ତାଙ୍କ ମନକୁ ସେ ଚାଲିଗଲେ ।

ତାଙ୍କୁ ଡାକି ପଠାଅ ।

 

ମହନ୍ତଙ୍କର ଡକରା ପାଇ ଉମା ମୋତି ମାଆକୁ ସଙ୍ଗରେ ନେଇ ଫରିଆସିଲା । ମହନ୍ତଙ୍କୁ ଆଗରେ ଦେଖି ସେ ପ୍ରଣାମ କରି ପିଣ୍ଡାତଳେ ଠିଆ ହେଲା । ଆଦେଶର ଅପେକ୍ଷାରେ ରହିଲା ।

 

ମହନ୍ତ ତା ମୁହଁକୁ କ୍ଷଣକାଳ ଚାହିଁ କଅଁଳେଇ କହିଲେ, ପିଣ୍ଡା ଉପରକୁ ଆସିଲୁ ମା !

ଉମା ମୁଣ୍ଡର ଓଢ଼ଣା ଟାଣି ପିଣ୍ଡା ଉପରକୁ ଗଲା ।

ମୋତି ମା ଆବା ହୋଇ ଚାହିଁ କଅଣ ଭାବୁଥାଏ ।

ତମେ ଦିହେଁ ଚାଲିଯାଉଥିଲ କାହିଁକି ?

ଆମେ ଆପଣଙ୍କର ପ୍ରଜା ନୋହୁଁ ।

ନ ହେଲେ କଅଣ ହେଲା ?

ଆମର ଚିଠା ନାହିଁ ।

ଯେଉଁ ଦି ଖଣ୍ଡ ଚିଠା ତୁ ବୁଢ଼ୀକି ଦେଲୁ ?

 

ଆମର ନୁହେଁ । ତାକୁ ମୋତି ମା ବାଟରୁ ପାଇଥିଲା, କହୁଛି । ସେ ପିଲାଟି ବୋଧହୁଏ ଅଣହେଳାରେ ତାକୁ ହଜାଇ ଦେଇଥିଲା ।

 

ମହନ୍ତ ତୁନି ହୋଇ ଭାବିବାକୁ ଲାଗିଲେ । ଉମାର ବିରସ ମୁହଁକୁ ଚାହିଁ ପଚାରିଲେ, ଘର କେଉଁଠି ?

 

ନରିପୁର ।

ସେ ବୁଢ଼ୀ ତୋର କଅଣ ହୁଏ ?

ଉମା ମୋତି ମାଆକୁ ଚାହିଁ କହିଲା, ଗାଁ ଲୋକ ।

ବାପା ମା ?

ନାହାନ୍ତି । ଦାଦି ଖୁଡ଼ୀ ଅଛନ୍ତି । ମୋତେ ଦେଖିପାରନ୍ତି ନାହିଁ ।

ଘରୁ ତଡ଼ିଦେଇଛନ୍ତି, ସେ କଥା କହ ।

 

ଟିକିଏ ତୁନି ରହି ମହନ୍ତ ପୁଣି କହିଲେ, ଆଜିକାଲି କାଳ ସେଇଆ ହୋଇଛି । ନିଜ ପାଇଁ ନିଜେ ଦାୟୀ । ନୋହିଲେ, ତୋ ପରି ପିଲା ଆଜି ଦାଣ୍ଡରେ ଠିଆ ହୁଅନ୍ତା ?

 

ଉମା ମୁହଁ ପୋତି ଠିଆ ହେଲା । ତାଆର ଆଖି ଲୁହରେ ପୂର୍ଣ୍ଣ ହୋଇଆସିଲେ ।

 

ମହନ୍ତଙ୍କର କଅଁଳ ମନ ତରଳିଲା । ସେ ତାକୁ ବୋଧ ଦେଇ କହିଲେ, କାନ୍ଦ ନା, କାନ୍ଦ ନା । ହରି ଭରସା । ତୁ ମୋ ପାଖକୁ ଅଇଲୁ ।

 

ଉମା ମହନ୍ତଙ୍କ ପାଖକୁ ଆସିଲା । ମହନ୍ତ ପଚାରିଲେ, ଘରୁ ବାହାରିଆସି ଦାଣ୍ଡରେ ଭିକ ମାଗି ବୁଲିବା, କି ଛତରରେ ପଶିବା ଛଡ଼ା ଅନ୍ୟ ଉପାୟରେ ନିଜର ଜୀବିକା ଚଳିପାରେ ନାହିଁ, ଝିଅ ?

 

ପାରେ, ବାବା, ପର ଘରେ କାମ କଲେ ହେବ । କିନ୍ତୁ, ଆଜିକାଲି ସମୟରେ ଘରେ ରଖି କାମ କରାଇ ମୁଠାଏ ଖାଇବାକୁ ଦେଉଛି କିଏ ?

 

ତୁ ଭାତ ରାନ୍ଧିପାରୁ ?

ହଁ ।

 

ମୋ ଥିବାଯାଏ ତୁ ଏଇଠି ଥା । କେତେ ମାଇପେ କାଙ୍ଗାଳଙ୍କ ପାଇଁ ଭାତ ରାନ୍ଧୁଛନ୍ତି । ତାଙ୍କରି ସାଙ୍ଗରେ ମିଳିମିଶି କାମ କର । ଭୟ ନାହିଁ ।

 

ଏହା କହି ମହନ୍ତ ତା ପିଠି ଥାପଡ଼ିଲେ । ପୁଣି କହିଲେ, ତୋର ବାପ ମା ନାହାନ୍ତି, ସେଥିକି ଦୁଃଖ କରନା । ତୋ ପରି ବୁଦ୍ଧିମତୀ, ସୁନ୍ଦରୀ, ଶାନ୍ତଶିଷ୍ଟ ପିଲାଟିର ବାପ ମାଆର ଅଭାବ ରହିବେ ନାହିଁ । ତୁ ଏଇଠି ରହ ମୋଓରି ପାଖରେ । କିଛି ଚିନ୍ତା ନାହିଁ । ଚାହିଲୁ, ମୁଁ କି ତୋ ବାପ ପରି ଦିଶୁନାହିଁ ? ରହ, ବାର ଦୁଆର ହଅ ନାହିଁ ।

 

ଆନନ୍ଦରେ, କୃତଜ୍ଞତାରେ ଉମାର ମନରେ ଜୁଆର ଉଠିଲା । ମନ ଉଲ୍ଲସି ଉଠିଲା । ବଡ଼ ବଡ଼ ଆଖି ଦିଓଟି ପୁଣି ଭରିଗଲା ଲୁହରେ । ଦେଖିଲା, ଆଗରେ ସାକ୍ଷାତ ଦେବତା । କେଡ଼େ ଶାନ୍ତ ସୌମ୍ୟ ହସିଲା ମୂର୍ତ୍ତି । ଦୁଇ ଆକିରୁ କରୁଣାର କୋମଳ ଆଭା ଫୁଟି ଉଠୁଛି । ଉମା ତଳେ ମୁଣ୍ଡ ଲଗାଇ ପ୍ରମାଣ କଲା ।

 

ମହନ୍ତ ତାର ମୁଣ୍ଡ ଉଠାଇ କହିଲେ, ଯା ମା, ଭିତରକୁ ଯା ।

ଉମା ଠିଆ ହୋଇ ଆକୁଳ ଆଖିରେ ମୋତିମାକୁ ଚାହିଁଲା ।

 

ମୋତିମା ଖୁସି ହୋଇ କହିଲା, ଯା ଉମା, ମୋ କଥା ତୁ ଭାବେନା । ଆଗ ମୁଁ ତୋ ଦାୟିତ୍ୱରୁ ରକ୍ଷା ପାଏଁ ।

 

ଏହା ଦେଖି ମହନ୍ତ କହିଲେ, ତୁ ଯା ମା, ମୁଁ ବୁଢ଼ୀ ପାଇଁ ବନ୍ଦୋବସ୍ତ କରୁଛି । କିଏ ଅଛରେ, ବୁଢ଼ୀକି ଖଣ୍ଡେ ଚିଠା ଦିଅ ।

 

ଜଣେ କର୍ମଚାରୀ ପାଖକୁ ଆସିଲା ।

 

–୨୦–

 

ତାଲୁକେ ହରିପୁର, ମଉଜା ନିମତିର, ହାଲ ଜମିଦାର ସାମନ୍ତ ଶ୍ରୀଯୁକ୍ତ ସୁନ୍ଦର ପଟ୍ଟନାୟକଙ୍କ ଉଆସ । ଦାଣ୍ଡ ଖଞ୍ଜାର ଗୋଟିଏ ବଡ଼ କୋଠରୀ । ତଳେ ପ୍ରକାଣ୍ଡ ଦରୀ ବିଛା ହୋଇଛି । ଦରୀର ଗୋଟିଏ ପାଖରେ ଆସନ ଉପରେ ଦିଟା ତକିଆକୁ ଆଉଜି ପଟ୍ଟନାୟକେ ଅଧଶୁଆ ଠାଣିରେ ବସିଛନ୍ତି । ଟିକିଏ ଦୂରରେ ରୂପା ତିଆରି ବଡ଼ ହୁକାର ଲମ୍ବା ନଳୀଟା ଯାଇ ଜମିଦାରଙ୍କ ପାଟିରେ ଲାଗିଛି । ଡାହାଣ ହାତ ପାଖରେ ବଡ଼ ରୂପା ପାନବିଡ଼ା । ବେକରୁ ଝୁଲିଥିବା ଝୁଲାମୁଣିଟି ତକିଆ ଉପରେ ଥୁଆ ହୋଇଛି । ଝୁଲାମୁଣି ଭିତରେ ହାତ ପୂରାଇ ସେ ମାଳା ଧରି କୃଷ୍ଣ କାମ ଜପ କରୁଛନ୍ତି । ଖରାବେଳ । ଗୁଳୁଗୁଳି । ଗରମରୁ ଉଦ୍ଧାର ପାଇବାକୁ ଦେହରେ ମୁଣ୍ଡରେ ନଖେ ବହଳର ଚନ୍ଦନ ବୋଳା ହୋଇଛି । ଆଗରେ ନବୀନ ବାରିକ ବଡ଼ ତାଳପତ୍ର ପଙ୍ଖା ଧରି ପବନ କରୁଛି ।

 

ଦରୀ ଉପରେ, ଜମିଦାରଙ୍କ ପାଖକୁ ଦୁଇ ତିନି ହାତ ଛାଡ଼ି ସଦର ଗୁମାସ୍ତା ଗୋକୁଳି ଦାସେ ଓ ପାଞ୍ଜିଆ ଗୌର ତିହାଡ଼ି ବସିଛନ୍ତି । ସେମାନଙ୍କ ପାଖରେ କେଇ କିତା ତାଳପତ୍ର ଓ ଦିଓଟି ଲେଖନ ରଖା ହୋଇଛି । ନିବିଷ୍ଟ ଚିତ୍ତରେ ସେମାନେ ପୋଥିର ପୁଡ଼ା ଓଲଟାଇ ମନଯୋଗ ଦେଇ ଦେଖୁଛନ୍ତି ।

 

ସୁନ୍ଦରବାବୁ ବାଁ ହାତରେ ଗୁଡ଼ାଖୁ ନଳୀ ଧରି ପାଟିରେ ଲଗାଇ ଘୁଡ଼ୁଘୁଡ଼ୁ କରି ଦୁଇଟାଣ ନେଇ ଇଞ୍ଜିନ୍‌ରୁ ଧୂଆଁ ବାହାରିଲା ପରି, ଫୁ ଫୁ କରି ପାଟିରୁ, ନାକରୁ ଧୂଆଁ ଛାଡ଼ିଲେ । ନଳୀ ମୁହଁଟିକୁ ପାଟିରୁ କାଢ଼ି ଦରୀ ଉପରେ ରଖି, ପାନବିଡ଼ାରୁ ଦିଖଣ୍ଡ ପାନ କାଢ଼ି ପାଟିରେ ପୂରାଇ ଗଳା ଖଙ୍ଖାରି କହିଲେ, ଦେଖ ଦାସେ, ସେସବୁ ନଥିପତ୍ର ବର୍ତ୍ତମାନ ବନ୍ଦ କର । ହିସାବ ବୁଝିବାକୁ ବେଳ ନାହିଁ । ତୁମକୁ ମୁଁ ଡକାଇ ପଠାଇଥିଲି ବୁଝିବାକୁ ଯେ ଠାକୁର ପୋଖରୀର କାମ କେତେ ଦୂର ଗଲା । କାମ ବନ୍ଦ କଲେ ଚଳିବ ନାହିଁ ।

 

ଦାସେ ପୋଥିର ଡୋର ବାନ୍ଧୁ ବାନ୍ଧୁ କହିଲେ, ଲୋକେ ଯଦି ମନ ଦେଇ କାମ କରୁଥାନ୍ତେ, କାମ କେତେଦିନୁ ସରନ୍ତାଣି । ନିମକ୍‌ହାରାମ ଲୋକଗୁଡ଼ା ଯେତିକି ତାଙ୍କୁ ଗୋଡ଼େ ଗୋଡ଼େ ଜଗିଥିବ, ବେଶ୍‌ କାମ କରୁଥିବେ । ଟିକିଏ ଛାଡ଼ିଆସିଲେ ଛାଇତଳେ ବସି ମନ ମଉଜରେ ଗପ ଯୋଡ଼ିଦେବେ ।

 

ବର୍ଷା ପଡ଼ିଲାଣି, ଶୀଘ୍ର କାମ ଶେଷ ନ କଲେ, ଆଉ ସୁବିଧା ହେବ ନାହିଁ । ହଇରାଣରେ ପଡ଼ିବାକୁ ହେବ । ନିଜେ ଯାଇ ଲୋକଙ୍କ ପାଖେ ଜଗି କାମ କରାଇ ନିଅ ।

 

ଜମିଦାର ପିକଦାନୀରେ ସିଠା କାଢ଼ି, ମାଳା ଧରି ମନେ ମନେ ନାମ ଜପିଲେ ।

 

ଲୋକେ ମଜୁରି ବଢ଼ାଇବାକୁ ଆପତ୍ତି କରୁଛନ୍ତି । ଚାରି ପଇସା ମଜୁରିରେ କୁଆଡ଼େ ତାଙ୍କର ଚଳୁନାହିଁ । ତିହାଡ଼ି କହିଲେ ।

 

ଜମିଦାର ସାମାନ୍ୟ ହସି କହିଲେ, ଚଳୁନାହିଁ ତ ମୁଁ କଅଣ କରିବି ? ବେଶି ଦେବାକୁ ଶକ୍ତି ନାହିଁ । ଲୋକ ପ୍ରତି ଅଣାଏ, ସ୍ତ୍ରୀଲୋକ ପ୍ରତି ତିନି ପଇସା ମଜୁରି ଆଜିକାଲି ସମୟରେ ଅଳ୍ପ ନୁହେଁ, ପଇସା ନେଇ କାଳେ ଲୋକେ ଧାନ ଚାଉଳ କିଣିବାକୁ ପାଇବେ ନାହିଁ, ଏହି ଭୟରେ ସମସ୍ତଙ୍କୁ ବଖେତ କରି ଖାଇବାକୁ ଦିଆଯାଉଛି । ତଥାପି ଲୋକେ ଅସନ୍ତୁଷ୍ଟ ।

 

ଦାସେ କହିଲେ, ସେମାନେ ଅଳସୁଆ, ଠାପୁଆ । ତାଙ୍କୁ ଲୋକେ ଆହୁରି ଖରାପ କରି ଦେଉଛନ୍ତି । ସରକାର ବାହାଦୂର ଠାଏ ଠାଏ ଅନ୍ନଛତ୍ର ଖୋଲିବାକୁ ବରାଦ କରୁଛନ୍ତି । ମହନ୍ତ, ଜମିଦାର, ବଡ଼ଲୋକମାନେ ଅନ୍ନଛତ୍ର ଖୋଲିଲେଣି । ଶୁଣୁଛି, ଆଉମାନେ ବି ଶୀଘ୍ର ଖୋଲିବେ । ଆରେ ବାବା, ଅନ୍ନଛତ୍ର ଖୋଲ, ଭଲ କଥା । ଲୋକଙ୍କୁ ଭଲ କାମ କରାଇ ଖାଇବାକୁ ଦିଅ ! ଯେଉଁମାନେ ନିପାରିଲା ଲୋକ ସେମାନଙ୍କ କଥା ନିଆରା । ଯେଉଁମାନଙ୍କର ବଳ ଅଛି, ବସି ଖୁଆଇଲେ ସେମାନେ ଅଳସୁଆ ହୋଇ ନାନା ଉପଦ୍ରବ କରିବେ । କାମ କରାଅ, ଖାଇବାକୁ ଦିଅ-

 

ତିହାଡ଼ି କହିଲେ, ଲୋକେ ସହଜରେ ମୁଠିଏ ଖାଇବାକୁ ପାଇଲେ କି କାମକୁ ଚଙ୍କିବେ-? ରାମ୍‌ବୋଲ । ମାଡୁଆ ଥୋବରା ବଳଦ ପିଠିରେ ପାଞ୍ଚଣ ପାହାର ନ ବସିଲେ ଗୋଡ଼ ଉଠିବ ନାହିଁ ।

 

ପଟ୍ଟନାୟକ କହିଲେ, ସେ କଥା ମୁଁ ଭଲକରି ବୁଝିଛି, ତିହାଡ଼ିଏ !

 

ଆଚ୍ଛା, ଦେଖ ତ, ଏ ଦି ତିନି ମାସ ଭିତରେ ଲୋକଙ୍କୁ ଥାଇତି କରାହୋଇଛି । କାମ ବି ଯଥେଷ୍ଟ ଉଠାଇ ନେଇଛି । ଧୂଳିଆ ଘର (କାଠଘର) ସାତ ବଖରା ତୋଳାହେଲା । ଠାକୁରଙ୍କ ମନ୍ଦିର, ପୋଖରୀ, ବଗିଚାର ପରିସ୍ଥିତ, ଝୁଲଣ ମଣ୍ଡପ, ଭାଗବତ ଘର-ସବୁ ତ ଏଇ କାଙ୍ଗାଳଙ୍କ ହାତରେ କରାଗଲା । ଆମର ଶସ୍ତାରେ କାମ ଉଠିଲା, ଲୋକେ ବି ବଞ୍ଚିଲେ । କଅଣ କହୁଛ, ଦାସେ ?

 

ଦାସେ ମୁଣ୍ଡ ହଲାଇ କହିଲେ, ଆଜ୍ଞା ।

ସୁନ୍ଦର ବାବୁ କହିଲେ, ଇଚ୍ଛା ହେଉଛି, ବାକୀ ଘରତକ ବି ଧୂଳିଆ ପିଟେଇ ଦେବି ।

 

ତିହାଡ଼ି କହିଲେ, ଆଉ ହୋଇପାରିଲା ପରି ଦିଶୁନାହିଁ । ବର୍ଷାଦିନ ଆସିଲା । ଲୋକେ ମାହାଳିଆ ଖାଇବା ଆଶାରେ ପ୍ରତିଦିନ ଛତର ଉଣ୍ଡି ଚାଲିଯାଉଛନ୍ତି । ଖୋର୍ଦ୍ଧା ପାଖରେ ଗଞ୍ଜାମ ରାସ୍ତାରେ କାମ କରିବାକୁ ଥୋକ ଚାଲିଗଲେଣି । ଆଉ ଥୋକେ ବେଶି ଲାଭ ଆଶାରେ କଟକ ଯିବାକୁ ସଜ ହେଲେଣି । ସେଠି କୁଆଡ଼େ ନାଳ ଖୋଳା ହେଉଛି । ମଜୁରି ବଢ଼ାଇଲେ କେଜାଣି ଅବା ଲୋକେ ରହିବେ । ନୋହିଲେ କଟକ କି ଗଞ୍ଜାମ ଚାଲିଯିବେ । ଦି ବଖତ ଖାଇବାକୁ ଦେଲେ ବା ମଙ୍ଗିପାରନ୍ତି ।

 

ସୁନ୍ଦରବାବୁ କହିଲେ, ମଜୁରି ବଢ଼ାଇବାକୁ ପାଖରେ ଧନ ନାହିଁ, କି ଦି’ଥର ଖାଇବାକୁ ଦେବାକୁ ଧାନଚାଉଳ ଯଥେଷ୍ଟ ନାହିଁ । ଯାହା ସାମାନ୍ୟ ଅଛି, ସେଥିରେ ପୁଣି ନିଜ ଲୋକ, ଆଶ୍ରିତ ଲୋକ, ଗାଁ ଲୋକଙ୍କର ଭଲମନ୍ଦ ବୁଝିବାକୁ ହେବ । ନା, ଆଉ ହୋଇପାରିବ ନାହିଁ । ପୋଖରୀ କାମ ଯତ୍ରେକତ୍ରେ ଶେଷ କରି ଲୋକଙ୍କୁ ବିଦାକର ।

 

ଦାସେ ଓ ତିହାଡ଼ିଏ ପାଞ୍ଜିପତ୍ର ନେଇ ବିଦାୟ ହେଲେ ।

ପଟ୍ଟନାୟକେ ବାରିକକୁ କହିଲେ, ଜଗାକୁ ଡାକ୍‌ ତ ।

 

ବାରିକ ଠିଆ ହୋଇ ପଙ୍ଖା କରୁ କରୁ ଟିକିଏ ଆଖିବୁଜି ଦେଇଥିଲା । ଖାମିଦଙ୍କ ଆଦେଶ ପାଇ ସେ ଜଗୁର ନାମ ଧରି ଡାକ ଛାଡ଼ିଲା ।

 

ଜଗୁ ଆସି ଆଗରେ ଠିଆହେଲା । ଦେହ ଦୁର୍ବଳ ହୋଇଗଲାଣି । ମୁହଁରେ ସରସତା ନାହିଁ । ସବୁବେଳେ କଅଣ ଯେପରି ଭାବୁଛି । ଖୋଲା ଦେହ । କାନ୍ଧରେ ଖଣ୍ଡେ ପୁରୁଣା ମଇଳା ଗାମୁଛା !

 

ପଟ୍ଟନାୟକେ ପଚାରିଲେ, ଆରେ, ପୋଖରୀ କାମ ଆଉ କେତେ ବାକୀ ?

 

ହାତ ଯୋଡ଼ି ଜଗୁ ଉତ୍ତର ଦେଲା, ଆଜ୍ଞା, ଆସି ସରିବା ଉପରେ । ଖାଲି ହୁଡ଼ାର କାମ ଲାଗିଛି । ଦିନେ ଦି ଦିନରେ ସରିଯିବ ।

 

ଲୋକେ କାମ ଖଇଚା କରୁଛନ୍ତି, ଶୁଣିଲି । ତୁଉଟା ସାରା ଦି ପହର ଘରେ ଛାଇତଳେ ବସିଛୁ । କାମ ଉପରକୁ ଯାଇ, ଲୋକଙ୍କ ସଙ୍ଗେ ଲାଗି, ମଦତ୍‌ ଦେଲେ ସିନା ହେବ । ସେଇଥିପାଇଁ ତୋତେ ଘରେ ଠାବ ଦେବାର କଥା । ତୁ ଏବେ କାମ ଉପରକୁ ଯା । ପଟ୍ଟନାୟକେ ମୁହଁ ବୁଲାଇଲେ ।

 

ଜଗୁ ଉତ୍ତର ନ ଦେଇ ଧୀରେ ଧୀରେ ଆଗରୁ ଚାଲିଆସିଲା । ପଟ୍ଟନାୟକଙ୍କ ଘରେ ଆଶ୍ରା ନେଇଛି ଚ। ପେଟ ପାଇଁ କେତେ ଗାଁ ଗଣ୍ଡା ବୁଲି ବୁଲି ଆସି ଅନ୍ୟ ଲୋକଙ୍କ ସଙ୍ଗେ ପୋଖରୀଖୋଳା କାମରେ ନିଯୁକ୍ତ ହେଲା-। ସେ ଭାବିଥିଲା, ଦେହ ମେହନ୍ତ କରି ଦିନାକେତେ ଦୁଃଖେ ସୁଖେ କଟାଇନେବ । ତେଣିକି କାମ ବନ୍ଦ କଲେ ଅନ୍ୟ ଜାଗା ଖୋଜି ବାହାରିବ ।

 

କାନ୍ଧରେ ପଡ଼ିଲେ ବଜାଇ ଶିଖନ୍ତି । ଜଗୁ ପିଲାଦିନୁ ନିଶ୍ଚିତରେ ସୁଖରେ ବଢ଼ି ଆସିଥିଲେ । ବେପରବାଏ ହୋଇ ଫୂର୍ତ୍ତିରେ ବେଳ କାଟିଥିଲା । ଏବେ ଗାଁରୁ ଗୋଡ଼ କାଢ଼ି, ନିଜର ପେଟ ପାଇଁ, ଜୀବନ ବଞ୍ଚାଇ ରଖିବାକୁ ପରଦ୍ୱାରରେ ଗୋଡ଼ ଭାଙ୍ଗି ଠିଆ ହେବା ତ ମାନ ମହତ୍ୱର କଥା ନୁହେଁ; ପୁଣି, ପରର ସ୍ୱୀକାର କରି ବାରଜାତିର ଲୋକଙ୍କ ସଙ୍ଗେ ତାକୁ କୋଡ଼ି ଧରିବାକୁ ହେଲା ।

 

ସେଥିକି ତା ମନରେ ଦୁଃଖ ନାହିଁ । ତା ପରି ତ କେତେ ଲୋକ ଆଜି ପେଟ ପାଇଁ ପର ଘରେ ମୂଲ ଲାଗିଛନ୍ତି । ଅବେଳରେ ପଡ଼ି ଝାଳବୁହା ଉଦୁଉଦିଆ ଜ୍ୟେଷ୍ଠ ଖରାରେ ମଟାଳ ଭୂଇଁ ତାଡ଼ି ନିଜ ମୁଣ୍ଡରେ ମାଟି ବୋହି କୁଲିଗିରି କରୁଛନ୍ତି । ସେ କେଉଁ ଗୁଣରେ ତାଙ୍କଠୁଁ ଅଧିକ ? ପର ଦ୍ୱାରରେ ହାତ ପାତି ଭିକ ମାଗି ମୁଠାଏ ଖାଇବାଠାରୁ; ମୁଣ୍ଡ ଝାଳ ତୁଣ୍ଡରେ ମାରି ନିଜ ଅର୍ଜନରେ ମୁଠିଏ ଖାଇବା ଶହେ ଗୁଣରେ ଭଲ । ସବୁଦିନେ ଏ ସୁଯୋଗ ମିଳିଲେ ତ ହୁଏ !

 

ପନ୍ଦର ଦିନ ହେଲା ଜଗୁ ସୁନ୍ଦର ପଟ୍ଟନାୟକଙ୍କ ଘରେ ଆଶ୍ରା ନେଇଛି । ପେଟ ପାଇଁ କେତେ ଗାଁ ଗଣ୍ଡା ବୁଲି ସେ ଆସି ସୁନ୍ଦର ପଟ୍ଟନାୟକଙ୍କ ପୋଖରୀ ଖୋଳା କାମରେ ନିଯୁକ୍ତ ହେଲା-। ସେ ଭାବିଥିଲା, ଦେହ ମେହନ୍ତ କରି ଦିନାକେତେ ଦୁଃଖେ ସୁଖେ କଟାଇନେବ । ତେଣିକି କାମ ବନ୍ଦ ହେଲେ ଅନ୍ୟ ଜାଗା ଖୋଜି ବାହାରିବ । କାନ୍ଧରେ ପଡ଼ିଲେ ବଜାଇ ଶିଖନ୍ତି । ଜଗୁ ପିଲା ଦିନୁ ନିଶ୍ଚିନ୍ତରେ ସୁଖରେ ବଢ଼ି ଆସିଥିଲା । ବେପରବାୟ ହୋଇ ଫୂର୍ତ୍ତିରେ ବେଳ କାଟିଥିଲା । ଏବେ ଗାଁରୁ ଗୋଡ଼କାଢ଼ି, ନିଜର ପେଟପାଇଁ ଜୀବନ ବଞ୍ଚାଇ ରଖିବାକୁ ପର ଦ୍ୱାରରେ ଗୋଡ଼ଭାଙ୍ଗି ଠିଆହେବା ତ ମାନ ମହତ୍ୱର କଥା ନୁହେଁ, ପୁଣି ପରର ଦାସତ୍ୱ ସ୍ୱୀକାର କରି ବାରଜାତିର ଲୋକଙ୍କ ସଙ୍ଗେ ତାକୁ କୋଡ଼ି ଥରିବାକୁ ହେଲା ।

 

ସେଥିକି ତା ମନରେ ଦୁଃଖ ନାହିଁ । ତା ପରି ତ କେତେ ଲୋକ ଆଜି ପେଟ ପାଇଁ ପରଘରେ ମୂଲ ଲାଗୁଛନ୍ତି । ଅବେଳରେ ପଡ଼ି ଝାଳବୁହା ଉଦୁଉଦିଆ ଜ୍ୟେଷ୍ଠ ଖରାରେ ମଟାଳ ଭୂଇଁ ତାଡ଼ି ନିଜ ମୁଣ୍ଡରେ ମାଟି ବୋହି କୁଲିଗିରି କରୁଛନ୍ତି । ସେ କେଉଁ ଗୁଣରେ ତାଙ୍କଠୁଁ ଅଧିକ ? ପର ଦ୍ୱାରରେ ହାତ ପାତି ଭିକ ମାଗି ମୁଠାଏ ଖାଇବାଠାରୁ, ମୁଣ୍ଡ ଝାଳ ତୁଣ୍ଡରେ ମାରି ନିଜ ଅର୍ଜନରେ ମୁଠିଏ ଖାଇବା ଶହେ ଗୁଣରେ ଭଲ । ସବୁଦିନେ ଏ ସୁଯୋଗ ମିଳିଲେ ତ ହୁଏ ।

 

ପେଟପାଇଁ କେତେ ଗାଁ ଗଣ୍ଡା ବୁଲି ସେ ଆସି ସୁନ୍ଦର ପଟ୍ଟନାୟକଙ୍କ ପୋଖରୀ ଖଳାରେ ଲାଗିଲା । ରାତିରେ ଗଛମୂଳେ କାନି ପାରି ଶୁଏ, ଦିନରେ କାମ କରେ । ପେଜ ପାଣି ଯାହା ଦିଅନ୍ତି ସେତିକି ଆହାର । ସଞ୍ଜବୁଡ଼କୁ ଚାରି ପଇସା ମଜୁରୀ ମିଳେ । ତାକୁ ସେ ଭବିଷ୍ୟତ ପାଇଁ ସଞ୍ଜି ରଖେ । ନେତୀ କଥା ତାର ମନେ ପଡ଼େ । ବିଶ୍ୱାସରେ ବିଷ ଦେଇ ସେ ସର୍ବସ୍ୱ ନେଇ ପଳାଇଗଲା । ଆଜି ତାକୁ ପେଟ ପାଇଁ ହାଡ଼ଭଙ୍ଗା ପରିଶ୍ରମ କରିବାକୁ ପଡ଼ୁଛି ।

 

ପ୍ରତିହିଂସା ଜଳିଉଠେ । ଆଜି ନେତୀ ହାବୁଡ଼େ ପଡ଼ନ୍ତା କି ! ମନେ ପଡ଼େ ବେଣୁ । ଯେଉଁମାନଙ୍କର ଦୟା ଓ ଦାୟିତ୍ୱ ଉପରେ ଆସ୍ଥା ରଖି ସେ ସ୍ନେହମୟୀ ଭାଉଜ ଓ ଅତି ଆଦରର ପୁତୁରାଟିକୁ ଛାଡ଼ିଆସିଛି, ସେମାନେ ଯଦି ତାକୁ ହତାଦାର କରନ୍ତି ? କଲେ କରିବେ । ନାଚାର ! ଦୂରରେ ଥାଇ ରାମ୍ପି ବିଦାରି ହେଲେ କି ଫଳ ମିଳିବ ? ଦେହ କ୍ଷୀଣ ହେବ ଯାହା ।

 

ଦିନକର ଗୋଟିଏ ଛୋଟ ଘଟଣାରେ ଜଗୁକୁ ଗଛମୂଳ ଛାଡ଼ି ପଟ୍ଟନାୟକଙ୍କ ଉଆସ ଭିତରେ ରହିବାକୁ ପଡ଼ିଲା । ସେଦିନ ବେଳବୁଡ଼ ସରିକି ସୁନ୍ଦର ବାବୁ ପୋଖରୀ କାମ ଦେଖିବାକୁ ବିଜେ କରିଥିଲେ । ଦି ଝିଅରେ ଗୋଟିଏ ଗେହ୍ଲା ପୁଅ, ହେମ । ଅଝଟ ଲଗାଇ ବାପାଙ୍କ ସାଙ୍ଗରେ ଯାଉଥିଲା । ଶହ ଶହ ମିଣିପେ ମାଇପେ କାମରେ ଲାଗିଛନ୍ତି । କିଏ କୋଡ଼ି, କାଙ୍କ ଧରି ମାଟି ହାଣୁଛି, କିଏ ଅବା ଗାଣ୍ଡୁଆରେ ମାଟି ଆଣି ପୋଖରୀ ହୁଡ଼ାରେ ଲଦୁଛି । ପଟ୍ଟନାୟକେ କାମ ଦେଖି ମନ ସରାଗରେ ଝର ପାଣି ଦେଖିବାକୁ ହୁଡ଼ା ଉପରୁ ତଳକୁ ଗଡ଼ିଲେ । ହେମକୁ ତେଣେ ବାଟକଡ଼ କଦମ୍ବମୂଳରେ ଛାଡ଼ି ଆସିଛନ୍ତି, ତେଣିକି ତାଙ୍କର ନିଘା ନାହିଁ ।

 

ହେମ ପାଞ୍ଚ ଛ’ ବର୍ଷର ପିଲା । ଅତି ଗେହ୍ଲା । ଭାରି ଖୁଜୁବୁଜିଆ । ଠାକୁରଙ୍କର ଷଣ୍ଢ ଚରୁଥିବାର ଦେଖି, ପିଲା ମନ ତ, ଗୋଟାଏ ଟେକା ଫୋପାଡ଼ିଲା । ଷଣ୍ଢ ଥରେ ମାତ୍ର ମୁଣ୍ଡ ବୁଲାଇ ଚାହିଁ ପୁଣି ଚରିବାରେ ଲାଗିଗଲା । ହେମ ଛାଡ଼ିବାର ପିଲା ନୁହେଁ । କଅଁଳ ଲୁହାକୁ ବିଲେଇ କାମୁଡ଼େ । ଧୀର ଷଣ୍ଢ ଦେଖି ହେମ ପାଖକୁ ଯାଇ ଟେକା ଉପରେ ଟେକା ଲାଦିଦେଇଗଲା । କେହି ତାକୁ ମନା କଲେ ନାହିଁ, କି ପିଲାଟା ପଛରେ କେହି ଗଲେ ନାହିଁ ।

 

ଷଣ୍ଢ ଆଉ କେତେ ସହନ୍ତା ? ମୁଣ୍ଡ ନୁଆଇଁ, ଗୋଜା ଗୋଜା ଶିଙ୍ଗ ଦେଖାଇ, ରଡ଼ି ଛାଡ଼ି ଧାଇଁଆସିଲା । ଲୋକଙ୍କର ଆଖି ବୁଜିହୋଇ ପଡ଼ିଲା । ଆହା, ପିଲାଟାର ପ୍ରାଣ ଆଉ ରହିବ ନାହିଁ-। କିନ୍ତୁ, ନିଜ ଜୀବନକୁ ଡରି କେହି ପାଖକୁ ଗଲେ ନାହିଁ । ଜଗୁ ମୁଣ୍ଡରେ ମାଟି ଟୋକେଇ ଧରି ଆସୁଥିଲା । ହଠାତ୍‌ ନଜର ପଡ଼ିଗଲା । ଟୋକେଇଟା ଫିଙ୍ଗିଦେଇ ବିଜୁଳିବେଗରେ ଚମକିଯାଇ ହେମକୁ କାଖକରି ପକାଇଲା । ଷଣ୍ଢଟା ରଡ଼ିଛାଡ଼ି ଅନ୍ୟଆଡ଼େ ପଳାଇଗଲା ।

 

ଏହି ଗୋଟିଏ ଘଟଣା । ପଟ୍ଟନାୟକେ ସବୁ ଶୁଣିଲେ, ଆଖିରୁ ଲୁହ ଝରିଲା । ସେ ହେମକୁ ଗେଲ କରି ଜଗୁକୁ ସଙ୍ଗରେ ନେଇ ଘରକୁ ଫେରିଲେ । ସେହି ଦିନରୁ ଜଗୁ ଉପରେ ସଭିଙ୍କର ଦୟା, ଶରଧା । ସାଆନ୍ତାଣୀ ନିଜେ ତାର ଖବର ନ ବୁଝିଲେ ତାଙ୍କୁ ଶାନ୍ତି ଲାଗେ ନାହିଁ ।

 

ଜଗୁକୁ ମାଟି କାଟିବାକୁ ପଡ଼େ ନାହିଁ । ସେ ଘରେ ଥାଏ । ବୋଲହାକ କରେ । ଦରକାର ବେଳେ ଯେଉଁଠିକି ହେଲେ ଯାଏ । ନୋହିଲେ ପିଲାଙ୍କ ସାଙ୍ଗରେ ଖେଳୁଥାଏ । ପିଲା କହିଲେ, ହେମ ତା ଉପର ଭଉଣୀ ଦଶ ବର୍ଷର କୁନ୍ଦ । ବଡ଼ କୁମୁଦଟି ପନ୍ଦର ବର୍ଷର ବଢ଼ିଲା ଝିଅ । ସବୁବେଳେ ଯାବତା ଆକଟରେ ସେ ମାଆଙ୍କ ଆଖିଏ ଆଖିଏ ଥାଏ ।

 

ଜଗୁକୁ ହେମ ଆଦରି ଥାଏ । ଦିନ ପନ୍ଦରଟା, ଏହାରି ଭିତରେ ସେ ତାକୁ ଅତି ଆପଣାର କରିସାରିଛି । ଜଗୁ କାଠ ଚିରିବାକୁ କି ବଳଦ ମୋହିଁବାକୁ ଗଲେ ହେମ ତାଆରି ପଛରେ ଯାଏ । ସେଥିରେ ସାଆନ୍ତାଣୀ କି ଆଉ କେହି ବାଧା ଦିଅନ୍ତି ନାହିଁ । ସମସ୍ତେ ଜାଣନ୍ତି, ଜଗୁ ସାଙ୍ଗରେ ଥିବାଯାଏ ନିରାପଦ ।

 

ଖାଉନ୍ଦଙ୍କ ଆଦେଶ ପାଇ ଜଗୁ ମୁଣ୍ଡରେ ଗାମୁଛା ଭିଡ଼ି କାମକୁ ବାହାରିଲା । ହେମ ଅଝଟ ଲାଗାଇଲା, ତା ସାଙ୍ଗରେ ଯିବ । ଜଗୁ ତାକୁ ବୁଝାସୁଝା କରି ବାରଣ କଲା । ସେ ମାନିଲା ନାହିଁ । ବଡ଼ ଲୋକର ପୁଅ । କାନରେ ନୋଳି, ବେକରେ ହାର, ହାତରେ ସୁନାବଳା । ବେଳକାଳ ଭିନ୍ନ ପ୍ରକାର । ତହଁରେ ପୁଣି ନିରାଟ ଖରାବେଳ । ପିଲାକୁ ସେ ସାଙ୍ଗରେ ନିଅନ୍ତା କିପରି ? ତାର ମନା ଶୁଣି ହେମ ରାହା ଧରି କାନ୍ଦିଲା । ସାଆନ୍ତାଣୀ ଆସି କହିଲେ, ହଉ, ଯାଉ, ତା ଉପରେ ଆଖି ରଖିଥିବୁ ।

 

ଜଗୁ ତାକୁ ସାଙ୍ଗରେ ନେଲା ।

 

–୨୧–

 

ସବୁ ଦିନେ କାହାରି ସମୟ ସୁଖରେ ନିଶ୍ଚିନ୍ତରେ କଟେ ନାହିଁ । ନିରୀହ ନିରାଶ୍ରୟ ପାନ୍ଥର ଚଡ଼କ ପଡ଼େ ଅଜାଣତରେ । ଅପ୍ରତ୍ୟାଶିତ ସୁଖର ସ୍ୱପ୍ନ ନିମିଷକେ ଭାଙ୍ଗିଯାଏ । ଆଖି ବୁଜି ସେ ଦେଖେ ଆଲୋକ । ଆଖି ଖୋଲି ବୁଝେ, ଯାହାକୁ ସେ ଉଜ୍ଜ୍ୱଳ ଆଲୋକ ମଣିଥିଲା ତାହା ହିଁ ଅନ୍ଧାର ।

ରାତିଟି ଜଗୁର ଆନନ୍ଦରେ କଟିବ ପରା ! ସୁଖ ଚିନ୍ତାରେ ବାଧା ଦେବାକୁ କେହି ନାହିଁ । ବଡ଼ଲୋକର ଆଶ୍ରା ଧରି ଦୁର୍ଭିକ୍ଷର ଦୁର୍ଦ୍ଦିନ ସହଜରେ ସୁରୁଖୁରୁରେ କଟିଯିବ । ତେଣିକି ସେ ବନ୍ଧୁବାନ୍ଧବ, ଆତ୍ମୀୟସ୍ୱଜନ ଲୋଡ଼ିବ । ଆଗ ନିଜର ସଂସ୍ଥା କଲେ ପରେ ଅନ୍ୟକଥା ଭାବିବ । କେଉଁ ଦେବତାର କଲ୍ୟାଣରୁ ସେ ଭାସି ଭାସି ଆସି କୂଳରେ ଲାଗିଛି । ଅଜଣା ସୁଅରେ ଭାସିଯିବାର ଭୟନାହିଁ ।

ପଟ୍ଟନାୟକ ବଂଶରେ ସମସ୍ତେ ତାକୁ ଦେଖିପାରନ୍ତି, ବିଶେଷତଃ ସାନ୍ତାଣୀ । ହେମ ତ ବେଣୁ ପରି ତା ଖେଳର ସାଥୀ ! ଉମା ସିନା ତାର ଗୋଟିଏ ଭଉଣୀ ଥିଲା; ଏଠି ଅବିକଳ ଉମା ପରି ଦୁଇ ଭଉଣୀ, କୁନ୍ଦ, କୁମୁଦ । ତାର ଆଉ କାହିଁର ଅଭାବ ? କେଉଁଥିରେ ଚିନ୍ତା ? ଘର ଛାଡ଼ି ସେ ଘର ପାଇଛି । ଆତ୍ମୀୟ ସ୍ୱଜନଙ୍କୁ ଛାଡ଼ି ଆତ୍ମୀୟ ସ୍ୱଜନ ପାଇଛି ।

ପଟ୍ଟନାୟକ ଲୋକଟି ସନ୍ଦେହୀ । ଟଙ୍କା ଭଲ କରି ବଜାଇ ପରଖି ତେବେ ଯାଇଁ ଅଣ୍ଟାରେ ଖୋସିବେ । ନିଜେ ପରଖି ନ ହେଲେ ସନ୍ଦେହ ତୁଟେ ନାହିଁ । ଜଗୁ ଜାଣେ, ସେ ଖାଣ୍ଟି । ନିମକ୍‌ହାରାମ ନୁହେଁ । ପଟ୍ଟନାୟକ ଯେଉଁଦିନ ଏ କଥା ଭଲକରି ବୁଝିପାରିବେ, ବଳେ ହସିକରି କଥା କହିବେ । ଶୁଖିଲା ମୁହଁରୁ ସନ୍ଦେହର ପରାଦାଟା ଘୁଞ୍ଜିଯିବ । ତାଙ୍କର ଟାଣ କଥା, ଗମ୍ଭୀର ମୁହଁକୁ କିଛି ଦିନ ସହିଗଲେ ହେଲା । ନିଜେ ଭଲ ତ ଦୁନିଆ ଭଲ ।

ତାର ଏ ସୁଖଚିନ୍ତା, ମନବୋଧିଆ ଭାବନାରେ ବାଧା ଦେବାକୁ ଅତୀତର କେତେ ଦୃଶ୍ୟ ଆସି ମାନସଚକ୍ଷୁ ଆଗରେ ନାଚିଗଲା । ପଧାନଙ୍କର ଶେଷ ରୋଗଶଯ୍ୟା, ଉମାର ଛଳ ଛଳ ଆଖି, ଭାଉଜଙ୍କର କରୁଣ ଅନୁରୋଧ । ଯେ ଯାଇଛି ତା ନେଇ ଆଉ ଚିନ୍ତା କଅଣ ? କିନ୍ତୁ ଯେଉଁମାନେ ତାକୁ ହିଁ ଆଶା କରି ଅନାଇ ବସିଥିଲେ, ସେମାନଙ୍କର ଅବସ୍ଥା ଆଜି କଅଣ ହୋଇଥିବ ? ବେଣୁ, ବେଣୁବୋଉ ଜଣଙ୍କର ଆଶ୍ରା ନେଇ ପଡ଼ିଛନ୍ତି । ତାଙ୍କୁ ନେଇ ବିଶେଷ ଚିନ୍ତା କରିବାର କଥା ନୁହେଁ ।

ଉମା, ଯାହାର ଦାୟିତ୍ୱ ସେ ସ୍ୱଇଚ୍ଛାରେ ବହନ କରିବାକୁ ସ୍ୱୀକୃତ ହୋଇଥିଲା, ସେ ଆଜି କାହିଁ ? କାହିଁ ସେ ? ପେଟ ଦାଉରେ ମୁଠିଏ ଭାତ ପାଇଁ ପର ଆଗରେ ହାତ ପାତି ବୁଲୁଥିବ ପରା କେଉଁ ଅଜଣା ଥାନରେ । ହୁଏ ତ କାହାରି ଘରେ ହାଡ଼ଭଙ୍ଗା ପରିଶ୍ରମ କରି ଆଉ ପାଞ୍ଚଟଙ୍କା ପରି ଛତରରେ ଖାଇ ଗଛମୂଳେ ଆଶ୍ରୟ ନେଇଥିବ ।

ଉମା ସୁନ୍ଦରୀ । ଉମା ଯୁବତୀ ! ହୁଏତ ରୂପର ବିନିମୟରେ !

ସେ ଆଉ ଭାବିପାରିଲା ନାହିଁ । ଛି, କଅଣ ଏଣୁତେଣୁ ଭାବୁଛି ସେ ? ଉମା ବୁଦ୍ଧିମତୀ । ସେ କାହିଁକି ତାର ଗର୍ବର ଧନ ନାରୀତ୍ୱ ବିକ୍ରୟ କରି ଜୀବନ ବଞ୍ଚାଇବ ? ଜଗୁ ନିଜ ଭାବନାର ତିକ୍ତତା ସହିପାରିଲା ନାହିଁ । ରାତି ଅଧିକ ହେଲା । ଭାବନାକୁ ଯେତିକି ଦୂରକୁ ଠେଲିଦେବାକୁ ଚେଷ୍ଟା କଲେ, ସେ ଜିଦ୍‌ଧରି ସେତିକି ପାଖକୁ ପାଖକୁ ଧାଇଁଥାଏ । ଜଗୁ ନିଶ୍ଚିତ ହୋଇ ଶୋଇବାକୁ ଚେଷ୍ଟା କଲା, କିନ୍ତୁ ବାର ପ୍ରକାର ଚିନ୍ତାରେ ମନ ବିବ୍ରତ ହେବାକୁ ଲାଗିଲା ।

ପରଦିନ ଉଠୁ ଉଠୁ ଡେରି ହେଲା । କିଏ ଜଣେ ତାକୁ ନିର୍ଦ୍ଦୟ ଭାବରେ ହଲାଇ ଉଠାଇଲା । ସେ ଉଠି ବସି ଦୁଇହାତରେ ଆଖି ମଳିବାକୁ ଲାଗିଲା ।

କିରେ, ପହଡ଼ୁ ଭାଙ୍ଗିବ ନାହିଁକି ? ସାଆନ୍ତେ ତେଣେ ଡାକୁଛନ୍ତି ।

ଜଗୁ ଧଡ଼ପଡ଼ ହୋଇ ଉଠି ଠିଆହେଲା । ପଚାରିଲା, କାହିଁକିରେ ଏଡ଼େ ସକାଳୁ ?

ବାରିକ ତାକୁ ଟେରେଇ ଚାହିଁ ହସି କହିଲା, ଦିନ ଆସି ଦି’ଘଡ଼ି ହେଲାଣି, କହୁଛି ସକାଳୁ-!

ଜଗୁ ବାହାରକୁ ଚାହିଁଲା । ଚାରିଆଡ଼େ ଖରା ବିଞ୍ଜିହୋଇ ପଡ଼ିଲାଣି । ଲାଜରା ହୋଇ କହିଲା, ସତେ ହୋ, କେତେ ଶୋଇପଡ଼ିଲି ! କାଲି ରାତିରେ ନିଦ ହେଉ ହେଉ ଡେରି ହୋଇଗଲା-

ବାରିକ ଥଟ୍ଟା କରି କହିଲା, ଗଛମୂଳରେ କାନି ପାରି ଶୋଇଥିଲେ ଏମିତି ହୁଅନ୍ତା କି ? ପୋଲା ଭାତ ପେଟରେ ପଡ଼ିଲେ ଲୋକଙ୍କର ଦିମାକ ବାହାରେ ।

ଜଗୁ ବଲ ବଲ କରି ତା ମୁହଁକୁ ଚାହିଁଲା । ଦିନେକାଳେ ନାହିଁ, ଆଜି ଅଧୁଆ ମୁହଁରେ ସାମନା ଉପରେ ଭଣ୍ଡାରିଟା ଏପରି ଥଟ୍ଟା କରି କହୁଛି । ସେ ରାଗ ଚାପି କହିଲା, ସକାଳୁ ବାସୀ ମୁହଁରେ ପାଣି ଦେଇନାହିଁ । ଆସି ଏଣୁତେଣୁ ବକିବାକୁ ଲାଗିଲଣି ।

ପଛେ ପାଣି ଦେବୁ, ସାଆନ୍ତେ ଡାକୁଛନ୍ତି, ଆଗ ଚାଲ । କଅଣ ଜରୁରୀ କାମ ଅଛି ?

କିରେ କାହିକିଁ ?

କାହିଁକି ନା ? ସେ ମୁଣ୍ଡ ହଲାଇ କହିଲା, ଆ ଜଲଦି ।

 

ଜଗୁ ପଟ୍ଟନାୟକଙ୍କ ପାଖକୁ ଗଲା । କଚିରି ଘରେ ଗୋଟିଏ ଛୋଟ ସଭା ବସିଛି । ପଟ୍ଟନାୟକେ, ଦାସେ, ତିହାଡ଼ିଏ । ପଟ୍ଟନାୟକଙ୍କ ପାଖରେ କୁନ୍ଦ, କୋଳରେ ହେମ । ସମସ୍ତେ ଗମ୍ଭୀର ଦେଖା ଯାଉଛନ୍ତି । ସତେ କି କାହାରି ପ୍ରତୀକ୍ଷାରେ ବସିଛନ୍ତି ।

 

ଜଗୁକୁ ଦେଖି ସୁନ୍ଦରବାବୁ ମୁହଁ ଖୋଲିଲେ, ଆରେ, କାଲି ତୁ ହେମକୁ ସାଙ୍ଗରେ ନେଇ ପୋଖରୀ ଖୋଳା ଦେଖିବାକୁ ଗଲାବେଳେ ତା ବେକରେ ସୁନାହାର ଥିଲା ?

 

ଆଜ୍ଞା ହଁ, କହି ସେ ହେମକୁ ଚାହିଁଲା ।

ଆଜି ସକାଳୁ ଦେଖୁଛି, ବେକରେ ହାର ନାହିଁ ।

ଜଗୁର ମୁଣ୍ଡ ଘୂରିଗଲା । ସେ ଥଙ୍ଗେଇ ଥଙ୍ଗେଇ କହିଲା, କାହିଁ ଗଲା ସାଆନ୍ତେ ?

ଦାସେ କହିଲେ, ସେ କଥା ତୁ କହିବୁ ନା, ସାଆନ୍ତେ କହିବେ ?

 

ଜଗୁ କହିଲା, ସଞ୍ଜବେଳେ ହାରଟା ହେମବାବୁଙ୍କ ବେକରେ ଥିଲା, ମୁଁ ଦେଖିଛି । କେହି ଖୋଲି ରଖିନାହିଁ ତ ? ସଞ୍ଜପରେ ସେ ଆଉ ଘରୁ କୁଆଡ଼େ ଯାଇ ନାହାନ୍ତି ।

 

ତିହାଡ଼ି କହିଲେ, ଏତେ ଘରଦ୍ୱାର ଅନ୍ଧିସନ୍ଧି ସବୁ ଖୋଜା ସରିଛି । ମିଳିଲା ନାହିଁ । କେହି ବି ଖୋଲି ରଖିନାହିଁ । ମୋର ବିଶ୍ୱାସ– ।

 

ଦାସେ କହିଲେ, ଏତେ କଥାରୁ ମିଳିବ ? କେଉଁଠି ଲୁଚାଇଛୁ ଭଲରେ କାଢ଼ିଦେଲୁ ବାବୁ, କଥା ଛିଣ୍ଡିଯିବ । ମିଛଟାରେ ଏତେ ଧରପଗଡ଼ରୁ କଅଣ ମିଳିବ ?

 

ଜଗୁର ପାଟି ଫିଟିଲା ନାହିଁ । ସେ ବୁଝିଲା, ସମସ୍ତେ ଏକାଠି ବସି ତାକୁ ହିଁ ଦୋଷୀ ସାବସ୍ତ୍ୟ କରିଛନ୍ତି । ତାକୁ ଚାରିଆଡ଼ ଅନ୍ଧାର ଦିଶିଲା । ସେ କଅଣ କହିବ କଅଣ କରିବ, ଭାବି ପାରିଲା ନାହିଁ ।

 

ସୁନ୍ଦରବାବୁ କହିଲେ, ଦେଖ୍‌ ସେଦିନ ତୁ ମୋର ପିଲାର ଜୀବନ ରଖିଛୁ ତା ତୁଳନାରେ ଦୁଇ ଅଢ଼େଇ ଭରିର ଗୋଟଏ ସୁନା ହାରର ଦାମ୍‌ କିଛି ନୁହେଁ । ତୋତେ ମୁଁ କିଛି କହିବି ନାହିଁ । ଖାଲି ଜାଣିବାକୁ ଚାହେଁ, ତୁ ନେଇଛୁ କି କାହିଁ ହଜିଗଲା । ସୁନା ହଜିବା ଭାରି ଦୋଷ, ତୁ ଜାଣୁ ?

 

ଖାଉନ୍ଦଙ୍କ କଅଁଳ କଥା ତାଆର କଟା ଘା’ରେ ଚୂନ ବୋଳିଲା ପରି ଲାଗିଲା । ସେ ମନର କୋହକୁ ଦାବିଦେଇ କହିଲା, ଆପଣ ବି ମୋତେ ସନ୍ଦେହ କଲେ ?

 

ଦାସେ, କହିଲେ, ଚୋରଙ୍କର ବେକ ଚାରିକଡ଼ ବୁଦ୍ଧି ! କେତେ ପତିଆରା ଦେଖାଇ କେତେ ଚାଲାଖିରେ କହୁଛୁ ରେ ? ଯେବେ ଭଲ ଦଶା ଅଛି, ମାନି ଯା ।

 

ଜଗୁ ନାଲି ମଖି ଦେଖାଇ ଟିକିଏ ବଡ଼ପାଟିରେ କହିଲା, ଚୁପ୍‌ରହ ଦାସେ ! ତମେ ଯେପରି ଖାମିଦର ଚାକର, ମୁଁ ବି ସେହିପରି ତାଙ୍କର ଚାକର । ମୁଁ ତମର ଚାକର ନୁହେଁ ଯେ, ବିନା ପ୍ରମାଣରେ ତମେ ମୋ ମୁଣ୍ଡରେ ଚୋରି ଅପରାଧ ଲଦିଦେବ ।

 

ଜଗୁର ନାଲି ଆଖି ଦେଖି ଦାସେ ଶଙ୍କିଗଲେ । ପଟ୍ଟନାୟକେ କହିଲେ, ଅଃ ! କାହିଁକି ତାକୁ ବିରକ୍ତ କରୁଛ ? ଦାସେ, ତୁନି ହୁଅ ନା ।

 

ଜଗୁ କହିଲା, ଆପଣ ବିଶ୍ୱାସ କରନ୍ତି, ମୁଁ ଚୋର ?

ତୋ ଛଡ଼ା ତ ଆଉ କେହି ଘର ଭିତରକୁ ଯାଏ ନାହିଁ ।

 

ଜଗୁ ଆଉ ସହିପାରିଲା ନାହିଁ । ଟିକିଏ ତେଜିଉଠି କହିଲା, ବିଶ୍ୱାସ କରନ୍ତୁ ମୁଁ ଚୋର ନୁହେଁ । ଯେଉଁମାନେ ଭଲେଇ ହେଉଛନ୍ତି, ହୁଏତ ତାଙ୍କରି ଭିତରୁ କେହି ଏ କାଣ୍ଡ କରି ଅପରିଚିତ ବୋଲି ମୋଅରି ମୁଣ୍ଡରେ ଅଠା ବୋଳି ନିଶ୍ଚିନ୍ତରେ ଉଧୁରି ଯିବାକୁ ବସିଛନ୍ତି ।

 

ତିହାଡ଼ି ଭାଷିଲେ, ଚୋରଙ୍କର ମୁହଁ ଟାଣ ପରା ।

ସୁନ୍ଦରବାବୁ ସମ୍ମତିସୂଚକ ମୁଣ୍ଡ ହଲାଇଲେ ।

 

ଜଗୁ ଦାନ୍ତ ଚୋବାଇ କହିଲା, ନିଜ ଦୋଷରୁ ମୁଁ ସବୁ ହରାଇ ଆଜି ଛତର ଆଶ୍ରା କରିଛି ବୋଲି ତମେ ମୋତେ ସନ୍ଦେହ କରିବାକୁ ସାହସ କଲ ସୁନ୍ଦର ବାବୁ । ଦୀନବନ୍ଧୁ ପଧାନର ପୁଅ ଜଗୁ ପଧାନ ସୁନା ଗଦା ଉପରେ ଚାଲିବାର ଲୋକ । ଦି’ଭରି ସୁନାର ହାର ସେ ଗୋଡ଼ରେ ଫିଙ୍ଗି ଦେଇପାରେ ।

 

ଦାସେ ହସି ହସି କହିଲେ, ଓହୋ ! ଅଜା ଛୁଞ୍ଚି ମୁନରେ ଘିଅ ଖାଉଥିଲେ ପରା !

 

ଜଗୁ କହିଲା, ଚୋର ବି ଆମରି ପରି ଅଭାବଗ୍ରସ୍ତ ଲୋକ । ଚୋରି କରିବା ମଣିଷ ପକ୍ଷରେ ବିଚିତ୍ର ନୁହେଁ । ମଣିଷ ହୋଇ କେହି ଟାଣ କରିପାରେ ନାହିଁ । ଭବିଷ୍ୟତରେ ଭାଗ୍ୟରେ କଅଣ ଅଛି, କିଏ ଜାଣେ ? ତମର ହାରଟା ଚୋରି କରି ନରିପୁର ପ୍ରଧାନ ପୁଅ ବଡ଼ଲୋକ ହେବାକୁ ଆଶା କରିନାହିଁ ।

 

ପଟ୍ଟନାୟକଙ୍କ ଆଖି ଖୋଲିଗଲା । ସେ ଭ୍ରୂଲତା ଟେକି ବିସ୍ମିତ ହୋଇ ମନକୁ ମନ କହିଉଠିଲେ, ନରିପୁରର ମହାଜନ ଦୀନୁ ପଧାନ ?

 

ହଁ, ଦୀନୁ ପଧାନ । ସେ ଆଜି ନାହାନ୍ତି । ତାଙ୍କର ଚଳନ୍ତି ସମ୍ପତ୍ତି ସବୁ ଯାଇଛି । ଯାହା ଜମିବାଡ଼ି ପଡ଼ିଛି ତାର ମୂଲ୍ୟ ଦୁଇ ଭରି ସୁନାର ମୂଲ୍ୟରୁ ଢେର ବେଶି । ସବୁଦିନେ ଦୁର୍ଭିକ୍ଷ ନ ଥିବ-। ବଞ୍ଚିଥିଲେ ତମ ଚିଜର ଦାମ୍‌ ମୁଁ ପରିଶୋଧ କରିବି । ଏଇ ମୋର ଶେଷ କଥା । ଯେତେ ଦିନ ତମର ଅନ୍ନ ମୁଁ ଖାଇଛି ମୁଁ ତମର ଧାରୁଆ ହୋଇନାହିଁ । ମୋର ନିଜ ଅର୍ଜନ ମୁଁ ଖାଇଛି । ମୁଁ ମୋର ଭାଗ୍ୟ ଅନୁସରି ଯାଉଛି । ଯଦି କିଛି କରିବାର କଥା ଥାଏ, ପଛରେ କରିପାର । ଜଗୁର ଆଖିରୁ ନିଆଁ ଶିଖା ବାହାରିଲା ।

 

ସୁନ୍ଦରବାବୁ ବିସ୍ମିତ ହୋଇ ତିହାଡ଼ିଙ୍କ ମୁହଁକୁ ଚାହଁଲେ । ତିହାଡ଼ି ଥରେ ମାତ୍ର ଜଗୁର ମୁହଁକୁ ଅନାଇ ଲାଜରା ହୋଇ ତଳକୁ ମୁହଁ ପୋତି ମୁଣ୍ଡ କୁଣ୍ଡାଇବାକୁ ଲଗିଲେ । ବହୁ ଦିନ ତଳର ଗୋଟିଏ ଘଟଣା ସେମାନଙ୍କର ମନେ ପଡ଼ିଲା । ଟଙ୍କା ଅଭାବରୁ ଗୋଟାଏ ମାହାଲ ତାଙ୍କର ନିଲାମରେ ଉଠିଲା । ଧାର ଉଧାର ପାଇଁ ବାର ଜାଗା ବୁଲିଲେ । କେହି ତାଙ୍କୁ ଟଙ୍କା ଦେଲେ ନାହିଁ-। ଶେଷକୁ ନରିପୁରର ମହାଜନ ଦୀନୁ ପଧାନେ ବିଲା ଦଲିଲରେ ତାଙ୍କ ନାଁ ଶୁଣି ହଜାରେ ଟଙ୍କା ପଠାଇ ଦେଇଥିଲେ । ଆଜି ଯାଏ ସେ ଟଙ୍କାର ସୁଧ ମଧ୍ୟ ଦିଆ ହୋଇନାହିଁ । ପଧାନେ ଅନେକ ଥର ଲୋକ ପଠାଇଥିଲେ, ଦିନେ ନିଜେ ଦଉଡ଼ି ଆସିଥିଲେ, କିନ୍ତୁ ସୁନ୍ଦରବାବୁ ଟାଳଟଳୁ କରି ବେଳ ଚାହିଁଥିଲେ ।

 

ଜୀବନରେ ଗୋଟାଏ ଭୁଲ କରିଥିଲେ ପଧାନେ, କାହାକୁ କହିବେ ? କାନମୁଣ୍ଡା ଆଉଁସି ରହିଲେ । ସେହି ଦିନୁ ସେ ଟଙ୍କାର ନାଁ ଧରନ୍ତି ନାହିଁ । ଯାହା ହେଉ, ସୁନ୍ଦରବାବୁ ସେ କଥା ଭୁଲି ନାହାନ୍ତି । ସୁବିଧା ପାଇଲେ ଟଙ୍କା ପରିଶୋଧ କରିଦେବାକୁ ମନେ କରିଛନ୍ତି; କିନ୍ତୁ ଲେଖାପଢ଼ି ନ ହୋଇଥିବାରୁ ତାଙ୍କୁ ଆଜିଯାଏ ସେ ସୁବିଧାଟା ମିଳୁନାହିଁ । ନରିପୁରର ନାମଜାଦା ମହାଜନଙ୍କର ପୁଅ ଜଗବନ୍ଧୁ ଯେ କେବେ ଘର ଛାଡ଼ି ଆସି ପର ଘରେ ପେଟ ପାଇଁ ଗୋଲାମି କରିପାରେ ଏ କଥା ବିଶ୍ୱାସ କରିବାକୁ ସୁନ୍ଦରବାବୁ ଭରସି ପାରିଲେ ନାହିଁ । ସେ ମୁରୁକି ହସି କହିଲେ, ତୁ ବାବୁ ଲାଟ ସାହେବର ପୁଅ ହେଲେ ବି ?

 

ତାଙ୍କର କଥା ତାଙ୍କର ତୁଣ୍ଡରେ ଅଛି, କୁନ୍ଦବୋଉ ଧୀରେ ଧୀରେ ଆସି ସେଠାରେ ଉପସ୍ଥିତ ହେଲେ । ତାଙ୍କୁ ଦେଖି ଦାସେ, ତିହାଡ଼ିଏ ସସମ୍ଭ୍ରରେ ଘୁଞ୍ଚିଗଲେ ।

 

ସେ କହିଲେ, ମୁଁ ମନା କରୁଛି, କଥା ମାନୁନା, ନିର୍ଦ୍ଦୋଷ ଲୋକକୁ ସନ୍ଦେହ କରୁଛ ।

କାହିକିଁ, କଅଣ ହେଲା କି ?

ହାର ମିଳିଲାଣି ।

ହାର ମିଳିଲାଣି ! କୋଉଁଠୁ ପାଇଲ ?

 

କାଲି ରାତିରେ ମୁଁ ତାକୁ ଠଣା ଉପରେ ରଖି ଦେଇଥିଲି । ମୋର ତ ହାଉଳା ବାଉଳା ମନ । ଜଗୁ ଅତି ଭଲ ପିଲା ।

 

ଆଚ୍ଛା ଲୋକ ଚ !

 

ଦାସେ ଓ ତିହାଡ଼ିଏ ଧୀରେ ଧୀରେ ଦାଣ୍ଡକୁ ଖସି ଚାଲିଗଲେ । ବାରିକ ବାପୁଡ଼ା ପାଖରେ ରଖା ହୋଇଥିବା ଢାଳଟା ଧରି କାମ ବାହାନାରେ ଭିତରକୁ ଗଲା । ଜଗୁ ନିଶ୍ଚଳ ହୋଇ ଠିଆ ହୋଇଥାଏ ।

 

କୁନ୍ଦବୋଉ କହିଲେ, ମୁଁ ମନା କରୁଛି । ତମେ ନଈ ନ ଦେଖି ଦେଖି ଲଙ୍ଗଳା । ଜଗୁଆଡ଼କୁ ମୁହଁ ଫେରାଇ କହିଲେ, ଯା ରେ ଜଗୁ, ତୁ ସେସବୁ କଥାରୁ କଅଣ ପାଇବୁ ? ଦାନ୍ତପତ୍ର ଘଷ ଯା ।

 

ଜଗୁର ଆଖିରୁ ଦି’ ଟୋପା ଲୁହ ଝରିପଡ଼ିଲା । ସେ କୁନ୍ଦବୋଉଙ୍କୁ ପ୍ରଣାମ କରି କରୁଣ କଣ୍ଠରେ କହିଲା, ମା, ମୋତେ ବିଦାୟ ଦିଅ ।

 

କାହିଁକି ରେ ?

ମୁଁ ଆଉ ଏଠି ରହିପାରିବି ନାହିଁ, ମା ! ଯେଉଁଠି ଏତେ ସନ୍ଦେହ....। ତାର କଣ୍ଠରୁଦ୍ଧ ହେଲା । ଆଖିରୁ ଲୁହ ପୋଛି କହିଲା, ମୋ ପକ୍ଷରେ ଛତର ଅନ୍ନ, ଗଛମୂଳ ଭଲ ।

କୁନ୍ଦବୋଉଙ୍କର ଆଖି ଛଳ ଛଳ ହେଲା । ସେ କଅଁଳ ସ୍ୱରରେ କହିଲେ, ପାଗଳ ପିଲାଟା, କୋଉ କଥାକୁ ଛଳ କରୁଛୁରେ !

 

ହଁ ମା, ମୁଁ ପାଗଳ ।

 

ଏତିକି କହି ସେ ଆହୁରି ଥରେ ପ୍ରଣାମ କରି ଘରୁ ବାହାରିଆସିଲା । କୁନ୍ଦ ବୋଉ ସଜଳ ଆଖିରେ ଡାକିଲେ, ଆରେ ଜଗୁ, ଶୁଣ୍‌ଶୁଣ୍‌..... ।

 

ଜଗୁ ଉତ୍ତର ଦେଲା ନାହିଁ, ଫେରି ଚାହିଁଲା ନାହିଁ ।

 

–୨୨–

 

ଦିନ ଦଶଟା । ମେଘୁଆ ପାଗ । ରୋଷଘରେ ଉମା ଭାତ ରାନ୍ଧୁଛି । କାଠ କଞ୍ଚା ଥିବାରୁ ଧୂଆଁରେ ଘର ପୂର୍ଣ୍ଣ । ଫୁଙ୍କି ଫୁଙ୍କି ମୁହଁ କଳା ପଡ଼ିଲାଣି । ଆଖି ମଳି ମଳି ଆଖିପିତା ଫୁଲି ଉଠିଲାଣି । ଉପାୟ କଅଣ ? ପର ଘର ଚାକିରି । କାମ କରିବାକୁ ହେବ । କାନ୍ଦିଲେ କିଏ ଶୁଣୁଛି-? ବାଧ୍ୟ ହୋଇ ସେ ଅମୁହାଁ ହୋଇ ଆଖିରେ ନାକରେ ଲୁଗା ଦେଇ ପଦାକୁ ଆସୁଛି, ଖୋଲା ପବନକୁ । ରୋଷଘରର ଛୋଟ ଝରକା ବାଟେ ପଦାକୁ ମୁହଁକାଢ଼ି ନିଶ୍ୱାସ ନେଉଛି । ଆଜି ତ ଶେଷ ଦିନ । କାଲିଠୁଁ ଛତ୍ର ବନ୍ଦ ହେବ । କାଙ୍ଗାଳମାନେ ଯେ ଯୁଆଡ଼େ ବିଦା ହୋଇଯିବେ । ତେଣିକି ଆଉ କଷ୍ଟ ସହିବାକୁ ପଡ଼ିବ ନାହିଁ ।

 

ବାଉରିଆ ଗଉଡ଼ ରୋଷଘର ଦୁଆର ମୁହଁକୁ ଆସି ଘାଗଡ଼ା କଣ୍ଠରେ ଡାକ ଛାଡ଼ିଲା, ଆଲୋ, ଉମା ଲୋ ।

 

ଉମା ଶୁଣି ମଧ୍ୟ ଶୁଣିଲା ନାହିଁ । ଧୂଆଁରେ ଉଯନ୍ତ୍ରୀ ହୋଇ ଆଖି କାନ ମଳୁଛି । ବାଉରିଆକୁ ସେ ଚିଡ଼େ । ଯାହା କଥା ଯାହା ମନକୁ ନ ଆସେ ସେ ତ ତାକୁ ଚିଡ଼ିବ । ବାଉରିଆର ହେଞ୍ଜେଡ଼ା ପ୍ରକୃତି, ହେରାସା ଢଙ୍ଗ । ଭଲ ମନ୍ଦ, ସଜ ଅସଜ ବିଚାରି ସେ କଥା କହି ଜାଣେ ନାହିଁ । ଯେତେବେଳେ ମନରେ ଯେ ଭାବ ଆସେ, ପାତ୍ର ଅପାତ୍ର, ସମୟ ଅସମୟ, କିଛି ନ ବୁଝି ସେ କହିଯାଏ । ଖାଲରେ ପଡୁ କି ଢିପରେ ପଡୁ ।

 

ବାଉରିଆର ଖୋଲା ମନ, ସରଳ ପ୍ରକୃତି । ଲୋକେ ତାକୁ ଆଦର କରନ୍ତି । ଛନ୍ଦ କପଟ ତା ମନରେ ନ ଥାଏ । ଲୋକେ ତାକୁ ବିଶ୍ୱାସ କରନ୍ତି । ଟେକା ବଅସ, କୋଡ଼ିଏ ଏକୋଇଶ-! ଉମାକୁ ଦେଖିଲା ଦିନୁ ତା ମନ ଛଟପଟ ହେବାକୁ ଲାଗିଲା । କାମରେ ମନ ଲାଗିଲା ନାହିଁ । ବସି ବସି ଗମ୍ଭୀର ହୋଇ ଭାବୁଥାଏ । ଉମାର ପାଟି ଶୁଣିଲେ ସେ ଚମକି ଉଠେ । ବାରମ୍ବାର ଉମା ପାଖକୁ ଯାଇ ଏଣୁ ତେଣୁ କାମ ବାହାନା କରି ତା ମୁହଁକୁ ଚାହିଁ ଆସେ । ଉମା ଆସିଲା ଦିନୁ ତା କାମ ହେଲା, ଉମା କଥା ଭାବିବା । ବିନା ଉଦ୍ଦେଶ୍ୟରେ ଛାଇପରି ତା ପଛେ ପଛେ ଗୋଡ଼ାଇଥାଏ-। ଉପରେ ପଡ଼ି ପାଞ୍ଚ ପାଇଟି କରିଦିଏ । ମୁହଁ ଖୋଲି କିଛି କହିପାରେ ନାହିଁ-। ଖାଲି ଆଖି ଆଗରେ ଉମାର ଯିବା ଆସିବା, ଲୀଳା ଖେଳା ଦେଖି ଓ କାନରେ ଉମାର କଅଁଳ କଥା ଶୁଣି ମନ ତୋଷ କରେ । ମନର ନିଆଁକୁ ଜଳାଏ । ଉମାକୁ ଚାହିଁ ହସେ ।

 

ଉମା ଉଦ୍ଦେଶ୍ୟହୀନ ହସଟିଏ ତାକୁ ଫେରାଇଦିଏ । ଏତିକିରେ ତାର ପ୍ରାଣରେ ନିଆଁ ଲାଗେ । ଏକୁଟିଆ ବସି ଆକୁଳ ହୋଇ ଭାବେ । ଆଦି ଅନ୍ତ, କୂଳ କିନାରା କିଛି ପାଏ ନାହିଁ । ସବୁ କଥା ସେ ଖୋଲା ଖୋଲା କହିପାରେ, କହିଯାଏ; କିନ୍ତୁ ମନର ଗୋପନ କାନ୍ଦଣାକୁ ଲଜ୍ଜାରେ ଛପାଇ ରଖେ ।

 

ଦିନେ ସଞ୍ଜ ସରିକି, ଉମା ଖମାର ପଛ କୂଅରେ କାଢ଼ିବାକୁ ବଡ଼ ଗରା ପକାଇଛି । ବାଉରିଆ ପଛ ପାଖୁ ଛକି ଛକି ଯାଇ ତା ପିଠିରେ ହାତ ମାରି କହିଲା, ଦେଖ ତ, ଟୋକୀର କେଡ଼େ ସାହସ ! ଏଡ଼େ ବଡ଼ ଗରାଟା ! ଉଠ୍‌ଉଠ୍‌ ।

 

ଉମା ପାଣି ଭରା ଗରାଟି କୂଅ ମଝିରେ ଝୁଲାଇ ରଖି ମୁହଁ ବୁଲାଇଲା । ବାଉରିଆର ଆଖିରେ ସେ କଅଣ ବୁଝିଲା କେଜାଣି, ତା ଦେହହାତ ଅବଶ ହେଲା । ଛାର ପାଣି ଗରାଟା ତାକୁ ପାହାଡ଼ ପରି ଲାଗିଲା । ହାତ ଥରି ଉଠିଲା । ସେ ଭୟରେ ଚାରିଆଡ଼କୁ ଚାହିଁ କଅଣ କହିବାକୁ ଯାଉଁଣୁ ବାଉରିଆ ହାତରେ ଦଉଡ଼ି ଧରି ପାଣି କାଢ଼ିବାକୁ ଲାଗିଲା । ଗରାଟି ତଳେ ଥୋଇ ସେ କହିଲା, ଉମା, ତୋର ତ ଭାରି ସାହସ !

 

ମୁହଁ ଶୁଖାଇ ଉମା କହିଲା, ମୋର ନୁହେଁରେ ବାଉରିଆ, ତୋଓର ।

 

ଆଉ ଦିନେ, ବଡ଼ି ସକାଳେ, ଉମା ଏକୁଟିଆ ବାଡ଼ିକୁ ଯାଇ ଅନ୍ୟମନସ୍କ ହୋଇ ଆକାଶକୁ ଚାହିଁଛି, ପଛଆଡ଼ୁ ବାଉଁରିଆ ଆସି ତାର କାନି ଟାଣିଲା । ଉମା ଚମକି ଚାହିଁଲା । ସେ ହସୁଛି । କଅର ମନରେ ପାଞ୍ଚି ସେ ଚିଲପରି ଛୁଟି ଚାଲିଗଲା ଖମାର ଭିତରକୁ ।

 

ସେହି ଦିନରୁ ଉମା କେବେ ଏକୁଟିଆ ରହେ ନାହିଁ । ବାଉରିଆ ଆସି ତାକୁ କେତେ କଅଁଳ କଥା କହିଯାଏ । ତା ପାଇଁ କେତେ ପାଇଟି କରିଦିଏ । ସେ ହସି କରି ପଦେ କହିଲେ ଉମା ମଧ୍ୟ ହସି କରି କହେ, କିନ୍ତୁ ତାକୁ ପାଖକୁ ଆସିବାକୁ ସୁବିଧା ଦିଏ ନାହିଁ । ପର ଘରେ କାମ କରୁଛି-। ସ୍ୱାଧୀନତା ନାହିଁ । ବାଧ୍ୟ ହୋଇ କେବେ ଯଦି ସେ ଏକୁଟିଆ କାହିଁ ଯାଏ, ସେ ଦେଖେ ପଛରୁ ବାଉରିଆ ମୁହଁ ଶୁଖାଇ ଚାହିଁଛି । କେବେ ଆହ୍ଲାଦରେ ପଛେ ପଛେ ଆସି ଧୀରେ ଧୀରେ ଭଙ୍ଗା କଣ୍ଠରେ କହେ, ଏଡ଼ିକି ସୁନ୍ଦରୀ ତୁ ଉମା ! ଉମା ଶୁଣେ । ତାରୁଣ୍ୟ ଚମକି ଉଠେ । ତଥାପି ସେ କିଛି କହେ ନାହିଁ । କିଛି କହିପାରେ ନାହିଁ, ଲାଜରେ କି ଭୟରେ ସେଠାରୁ ସେ ଚାଲିଆସେ ।

 

ପ୍ରତି ମୁହୂର୍ତ୍ତରେ ଦୁଇଟି ପ୍ରାଣର ଲୁଚକାଳି ଖେଳ ଚାଲିଥାଏ ଗୋପନରେ । ଦୁହେଁ ଦୁହିଁଙ୍କର ମନକଥା ବୁଛନ୍ତି । ଅନ୍ତର ବୁଝେ, ସଂସାର ବୁଝେ ନାହିଁ । ଜଣେ ଜୀବନର ସର୍ବସ୍ୱ ଦାନ କରି ଅନ୍ୟ ଜଣକର କରୁଣା ଭିକାରୀ; ଜୀବନକୁ ଅର୍ଘ୍ୟ ଦେଇ ପଦେ ମିଠା କଥା ଶୁଣିବାକୁ ଆକୁଳ-। ଆଉ ଜଣେ ଯୌବନର ଡାକ ଶୁଣି ମଧ୍ୟ କି ଆଶାରେ କେଜାଣି, କି ଚିନ୍ତାରେ କେଜାଣି, ଅତି ଅନିଚ୍ଛାରେ ମୁହଁ ଫେରାଏ । ତାରୁଣ୍ୟ ବିଳାପ କରିଉଠେ । ସେ ମୁହଁ ପୋତି ଆଖିରୁ ଲୁହ ପୋଛେ-

 

ବାଉରିଆର ଡାକ ଶୁଣି ସେ ଚମକିଲା । ମନ ହେଲା, ପଦାକୁ ଆସିବ । ପରକ୍ଷଣରେ ମନ ବଦଳିଲା । ସେ ଭାବିଲା, ଏ ଧୂଆଁ ଭିତରେ ରୁନ୍ଧି ହେବ ପଛେ ସେ ଯିବ ନାହିଁ । ବାଉରିଆର ଆଶା ରଞ୍ଜିତ ହସ ଦେଖି, ଉତ୍କଣ୍ଠିତ ଦୀର୍ଘଶ୍ୱାସ ଦେଖି, ପିପାସାକୁଳ ଆଖି ଦିଓଟିକୁ ଚାହିଁ, ତାର ନିଦ୍ରିତ ତାରୁଣ୍ୟକୁ ଜଗାଇବ ନାହିଁ । ଜଗୁଭାଇ ମନେ ପଡ଼ିଲା । ଜଗୁଭାଇ ସତେ ତାକୁ ଭୁଲିବଣି ? ଉମା ଆଖି ବନ୍ଦ କରି, ଧୂଆଁର ପରିତ୍ରାଣ ପାଇବାକୁ ଝରକା ବାଟେ ମୁହଁ ଗଳାଇ ପଦାକୁ ଚାହିଁଲା ।

 

ପୁଣି ବାଉରିଆ ଡାକିଲା, ଆଲୋ ଉମା, ମହନ୍ତ ଡକାଇଛନ୍ତି– ।

 

ବାଉରିଆ ମିଛ କହେ ନାହିଁ । ମହନ୍ତ ଡକାଇଛନ୍ତି ଶୁଣି ସେ ରହିପାରିଲା ନାହିଁ । ଯାହାର ଅନ୍ନ ଖାଇ ସେ ପ୍ରାଣ ଧରିଛି, ତାଙ୍କରି ଆଦେଶ ସେ ଲଙ୍ଘିବ କିପରି ? ସେ ଝରକା ବାହାରୁ ମୁଣ୍ଡ ଟାଣି ଆଣୁ ଆଣୁ ହଠାତ୍‌ ତା ଆଖିରେ ଯେଉଁ ରୂପଟି ଦିଶିଲା ସେ ତାକୁ ଚାହିଁ ରହିଲା ଅବାକ୍‌ ହୋଇ ।

 

ଜଗବନ୍ଧୁ ପରି କିଏ ଜଣେ । ଦେହ ଦୁର୍ବଳ, ମୁହଁଟି ଶୁଖି କଳା ପଡ଼ିଛି । ମୁଣ୍ଡରେ ବାବୁରି ବାଳ ସବୁଦିନ ପରି ଫରଫର ହୋଇ ଉଡ଼ୁଛି । ତୋଟା ଭିତରେ ଚାଲିଯାଉଛି । କୁଆଡ଼କୁ ମୁହଁ ଫେରାଉନାହିଁ । କାନ୍ଧରେ ପକାଇଥିବା ଠେଙ୍ଗାଟିକୁ ଏପାଖ ସେପାଖ କରୁଛି । ଉମା ନିରେଖି ଚାହିଁଲା । ଯେତିକି ଅନାଇଲା, ମନର ଧାରଣା ସେତିକି ଦୃଢ଼ ହେଲା । ପ୍ରାଣ ଅଧୀର ହେଲା ।

 

ନିଶ୍ଚୟ ଜଗୁଭାଇ । ବାଉରିଆକୁ ପଠାଇ ଡାକିବାପାଇଁ ହୃଦୟର ଆବେଗ ସମ୍ଭାଳି ନ ପାରି ଘର ଭିତରୁ ପଦାକୁ ଆସିଲା । ବାଉରିଆର ହାତ ଧରି ସାମାନ୍ୟ ହଲାଇ ତର ତର କରି କହିଲା, ଶୁଣ ବାଉରି, ମୋ ସଙ୍ଗେ ଭିତରକୁ ଆ । ଜଲ୍‌ଦି.... ।

 

ଉମାର ଏପରି ବ୍ୟବହାର ଦେଖି ବାଉରିଆ ତାଟକା ହୋଇଗଲା । କିଛି କହିପାରିଲା ନାହିଁ । ଉତ୍ତର ଦେବା ଆଗରୁ ଉମା ତାର ହାତ ଧରି ରୋଷଘର ଭିତରକୁ ଟାଣି ନେଇଗଲା । ସେ ଧୂଆଁ ଭିତରେ ରୋଷଘରେ ପଶିଲା । ଉମା ତାକୁ ଝରକା ପାଖକୁ ନେଲା, ଆକୁଳ ହୋଇ କହିଲା, ଦେଖ ବାଉରି, ସେ ଯେଉଁ ଲୋକଟି ଠେଙ୍ଗା କାନ୍ଧରେ ପକାଇ ଯାଉଛି, ତୋଟା ଭିତରେ ।

 

ବାଉରିଆ ଏଣେ ତେଣେ ଚାହିଁ ପଚାରିଲା, କାହିଁ ?

 

ଉମା ଅସମ୍ଭାଳ ହୋଇ ବାଉରିଆର ଆଗକୁ ଗଲା । ଉତ୍ତେଜନାରେ ତାକୁ ଲାଗି ଠିଆହୋଇ ମୁହଁ ପାକରେ ମୁହଁ ଯୋଡ଼ି କହିଲା, ଏଇ କଅଣ ! କିନ୍ତୁ ତାର ଜଗୁଭାଇ ଗଛ ଉହାଡ଼ରେ ଛପି ଗଲାଣି । ସେ ଆକୁଳ ଦୃଷ୍ଟିରେ କ୍ଷଣକାଳ ଅପେକ୍ଷା କଲା । ଏଣେତେଣେ ଚାହିଁ ହତାଶରେ ଦୀର୍ଘଶ୍ୱାସ ଛାଡ଼ିଲା । ଦୁଇ ଆଖିରୁ ଲୁହ ଝରି ପଡ଼ିଲା ।

 

ବାଉରିଆ ତାର ଜଗୁଭାଇକୁ ଦେଖିଲା ନାହିଁ କି ଉମାର ଆଖିର ଲୁହ ଦେଖିପାରିଲା ନାହିଁ । ଉମାର ସ୍ପର୍ଶ ପାଇ ତାର କାମନା ବଳବତୀ ହୋଇ ଉଠିଲା । ହିତାହିତ ଜ୍ଞାନ, ଲଜ୍ଜା, ଭୟ କ୍ଷଣକ ପାଇଁ ଭୁଲିଲା । ସେ ଭାବିଲା, ଏତେ ଦିନକେ ତାର ତପସ୍ୟା ସିଦ୍ଧ ହୋଇଛି । ଉମା ତାକୁ ଭଲ ପାଇଛି । ନୋହିଲେ ସେ ଏପରି ପରିହାସ କରିବାକୁ ପଦାରୁ ହାତ ଧରି ଟାଣି ଆଣନ୍ତା କାହିଁକି ? ଉମା ଚାଲିଯିବାକୁ ଚେଷ୍ଟା କରି ବାଉରିଆର ଛାତି ଉପରେ ଚାପି ହୋଇଗଲା । କ୍ରୋଧରେ ଅନ୍ଧ ହୋଇ ସେ କଅଣ କହିବାକୁ ଯାଉଛି, ପଦାରୁ ରାଣୀ ମା ଡାକିଲା, ଆଲୋ ଉମା, ମହନ୍ତ ଡାକୁଛନ୍ତି ଲୋ ।

 

ବାଉରିଆ ଭୟରେ ଉମାକୁ ମୁକ୍ତି ଦେଲା । ଉମା ବ୍ୟଭ୍ରଭାବରେ ଉତ୍ତର ଦେଲା, ଯାଉଛି ରାଣୀ ମା ।

 

କହୁ କହୁ ତାର ସ୍ୱର ଥରି ଉଠିଲା । ସେ ମୁହଁରେ ଲୁଗାଦେଇ ପଦାକୁ ଆସି କହିଲା, ଓଃ କି ଧୂଆଁ ! ଫୁଙ୍କି ଫୁଙ୍କି ପ୍ରାଣ ଯିବ ଲୋ । ରାଣୀ ମା ବୁଢ଼ୀ ବ୍ୟସ୍ତ ହୋଇ କହିଲା, କଞ୍ଚା କାଠ ପରା ।

 

ଉମା ଯେ ତାର ଆଖିରେ ଧୂଳି ଦେଇ ନିଜର ମାନ୍‍ ରଖିପାରିଛି, ଏଥିପାଇଁ ମନେ ମନେ ଖୁସି ହୋଇ କହିଲା, ହଁ, କଞ୍ଚାକାଠ । ବଉରିଆ ତେଣେ ଫୁଙ୍କି ଫୁଙ୍କି ମଲାଣି । ଟିକିଏ ଥମି କହିଲା, ଆରେ ବାଉରିଆ, ତେଣେ ଚୁଲିରେ ମୁଣ୍ଡକୁ ମୋହିଲୁ କି ରେ ? ତୋ କଥା ଜଣାଗଲାଣି । ଚାଲିଆ । ରାଣୀ ମା ଚୁଲି ଜଳାଇଦେବ ।

 

ବାଉରିଆ ଭୟରେ ଥରୁଥିଲା । କିପରି ସେ ଘରଭିତରୁ ପଦାକୁ ଆସି ଆତ୍ମରକ୍ଷା କରିବ, ସେହି କଥା ଚିନ୍ତା କରୁଥାଏ । ଉମାର କଥା ଶୁଣି ସେ ଖୁସି ହୋଇ ଭଙ୍ଗା ସ୍ୱରରେ କହିଲା, ଓଃ ରେ ଧୂଆଁ ! ମୋ ଆଖି ଆଉ ନାହିଁ ।

 

ହଉ, ଚାଲି ଆ–ଉମା କହିଲା ।

 

ବାଉରିଆ ଘରଭିତରୁ ବାହାରିଆସି ନିଲଠା ମୁହଁରେ ପୁଣି କହିଲା, ତୁ ଯା ରାଣୀ ମା, ମୁଁ ବି ହଟିଲି ।

 

ରାଣୀ ମା ରୋଷଘର ଭିତରକୁ ଗଲା ।

ଉମା ଆଉ କିଛି ନ କହି ଆଗେ ଆଗେ ଚାଲିଲ ।

 

ତା’ର ଭାବନାର ଆଜି ଅନ୍ତ ନାହିଁ । ଜଗୁଭାଇ ବୋଲି କାହାକୁ ମନେ କରିଥିଲା, ସେ ଜଗୁଭାଇ ନୁହେଁ । ତାରି କଥା ସବୁବେଳେ ଭାବି ଭାବି ଉମାର ଆଜି ଭ୍ରମ ହୋଇଛି । ନରିପୁରର ନାମଜାଦା ମହାଜନ ଲକ୍ଷପତିର ପୁଅ । ସେ କାହିଁକି ଘର ଛାଡ଼ି, ଏପରି ମଇଳା ବେଶ, ରୁକ୍ଷ କେଶ ହୋଇ ଏତେ ଦୂରକୁ ଆସିବ ?

 

ମୁହୂର୍ତ୍ତକରେ ଉତ୍ତେଜନା ପାଇଁ, ଜଣକର ମନରେ ନିଆଁ ଜାଳିଛି । ନିଜେ ମଧ୍ୟ ସେହି ଜଳନ୍ତା ନିଆଁର ତାଉରେ କଳଙ୍କିତ ହୋଇଛି । ସବୁ ଦୋଷ ତାର । ସେ କାହିଁକି ଜଣେ ଅପରିଚିତ, ଉତ୍ତେଜିତ ଯୁବକର ହାତ ଧରି ଟାଣିଲା ? କାହିଁକି ତାର ଦେହକୁ ଦେହ ଲାଗି, ମୁହଁ ମୁହଁ ଯୋଡ଼ି ଠିଆ ହେଲା ? ତାକୁ ପରିହାସ କରିବାର କି ଅଧିକାର ଥିଲା ଉମାର ? ଯୋଉଁ ଲୋକାଟା ଭୟରେ ପାଖରୁ ଅପସରି ରହେ, ଆଜି କି ସାହାସରେ ସେ ନୂଆ ଅଭିନୟ କଲା ?

 

ବାଉରିଆ ଭାବିଲା, ସେ ଭାଗ୍ୟବାନ । ଉମା ନିଜେ ତାକୁ ନିମନ୍ତ୍ରଣ କରିଛି । ତାର ଆଉ ଭାବିବାର କି ପ୍ରୟୋଜନ? ତାର ମନ କଥା ନିଶ୍ଚୟ ଫଳିବ । ସେ ଯାହା କହିବାକୁ ପାଞ୍ଚିଥିଲା, ଏଥର ଉମାକୁ ସେ କଥା କହିବ ।

 

ଖଣ୍ଡେ ଦୂର ଯାଇ ସେ କହିଲା, ଉମା, ମହନ୍ତ କାହିଁକି ଡକାଇଛନ୍ତି ଜାଣୁ ?

ଉମା ଦୁଃଖମିଶା ସ୍ୱରରେ କହିଲା, କାହିଁକି ?

 

ତତେ ପଚାରିବେ । ଛତର ବନ୍ଦ ହେଉଛି କି ନା, ଧାନଚାଉଳ ଆଉ ବେଶୀ ନାହିଁ । ଯାହା ଅଛି, ଆମର ଏଠାକାର ଖରଚମାନିଁଆ ରଖି ବାକୀତକ ଲୋକଙ୍କ ଭିତରେ ବାଣ୍ଟିଦେଇ ଛତର ଭାଙ୍ଗିବେ । ସରକାର ଠାଏଁ ଠାଏଁ ଅନ୍ନଛତ୍ର ଖୋଲିଲେଣି ।

 

ମତେ କଅଣ ପଚାରିବେ ?

ନୂଆ ଫସଲ ହେବାଯାଏ, ତୁ ଏଠି ରହିବୁ କି ପୁରୀ ମଠକୁ ଯିବୁ ?

 

ଯେଉଁଠି ରହିଲେ କାମ କରି ମୁଠାଏ ଖାଇବା କଥା । କେହି ବସାଇ ଖାଇବାକୁ ଦବ ନାହିଁ ।

 

ଟିକିଏ ରହ ବାଉରିଆ କହିଲା, ଉମା, ତୁ ପୁରୀ ଯିବାକୁ ମଙ୍ଗିବୁ, ହଇଲୋ ?

ତୋର ସେଥିରେ କି ଥାଏ ରେ ?

 

ବାଉରିଆ ବିବ୍ରତ ହେଲା । ସତେ କି ତାର ଆଶାତରୀ ଭାସି ଆସୁ ଆସୁ ବତାସରେ ମଝି ଦରିଆରେ ବୁଡ଼ିଯିବ । ସେ ଧୈର୍ଯ୍ୟ ଧରି କହିଲା, ପୁରୀ ଯିବାକୁ ତୁ କେବେ ମଙ୍ଗିବୁ ନାହିଁ ଉମା, ମୁଁ କହୁଛି, ତୋର ଏଠି କିଛି ଅସୁବିଧା ହେବ ନାହିଁ । ଉମା ନିରୁତ୍ତର ରହିଲା ।

 

ଦିହେଁ ଆସି ମହନ୍ତଙ୍କ ଶୋଇଲା ଘର ଆଗରେ ମିଳିଲେ । ବାଉରିଆ ଘର ବାହାରେ ପିଣ୍ଡାରେ ଠିଆ ହେଲା । ଉମା ଘର ଭିତରକୁ ଗଲା । ମହନ୍ତ ଖଟ ଉପରେ ନିଶ୍ଚିତରେ ଶୋଇ ଉପରକୁ ଚାହିଁ ଚିନ୍ତା କରୁଥିଲେ । ଉମାକୁ ଦେଖି କଡ଼ ବୁଲାଇ ହସ ହସ ହୋଇ ପଚାରିଲେ, ଏତେବେଳଯାଏ କୁଆଡ଼େ ଥିଲୁ ମା ? ମୁଁ ତତେ କେତେବେଳୁ ଡାକୁଛି ।

 

ଉମା ମୁହଁ ତଳକୁ କରି କହିଲା, ରୋଷଘରେ ଥିଲି ।

ରୋଷାଇ କରୁଥିଲୁ ? ଏ ବୁଢ଼ା ପୁଅର ଡାକ ଶୁଭିଲା ନାହିଁ ? ଆଇଲୁ ପାଖକୁ ।

 

ଉମା ଧୀରେ ଧୀରେ ଖଟ ପାଖକୁ ଘୁଞ୍ଚି ଠିଆ ହେଲା । ଏପରି କଅଁଳ କଥା ସେ ଆଉ କାହାରି ମୁହଁରୁ କେବେ ଶୁଣିନାହିଁ ।

 

ମହନ୍ତ କହିଲେ, ଠିଆ ହେଲୁ କାହିକିଁ ? ବସ୍‌ ମୋ ପାଖରେ ।

ଉମା ସଙ୍କୁଚିତ ହୋଇ ପାଖରେ ଗୋଡ଼ ତଳେ ବସିଲା ।

 

ମହନ୍ତ କହିଲେ, ଆମର ଏ ଅନ୍ନଛତ୍ର ଆଜିଠୁଁ ବନ୍ଦ କରାଯାଉଛି । ଲୋକେ ସିଧା ନେଇ ଆଜି ବିଦା ହୋଇ ଯେ ଯୁଆଡ଼େ ଚାଲିଯିବେ । ତମେମାନେ ମୋର ଆଶ୍ରିତ । ଯିବା ଆଗରୁ ତମର ଆଉ କେତେଦିନ ଚଳିବାର ବନ୍ଦୋବସ୍ତ କରିଯିବି ।

 

ଉମା ତୁନି ହୋଇ ବସି ବିଛଣା ଉପରେ ନଖରେ ଗାର କାଟୁଥିଲା । ସେ କହିଲା, ବାବା, ମୋତେ ଆପଣ ଏଠି ଛାଡ଼ିଦେଇ ଯିବେ ? ତାର ଦୁଇ ଆଖି ଆର୍ଦ୍ର ହୋଇଆସିଲା । ପୁଣି କହିଲା, ମୋତି ମା ମୋତେ ଛାଡ଼ିଦେଇ ଚାଲିଗଲା । ଆପଣ ବି..... ।

 

ମୋତିମା ଗଲା କୁଆଡ଼େ ? ତା ପାଇଁ ତ ଛତ୍ରରେ ବନ୍ଦୋବସ୍ତ ହୋଇଥିଲା ।

 

ଆପଣଙ୍କ ଆଶ୍ରାରେ ମୋତେ ଛାଡ଼ି ସେ ନିଶ୍ଚିତ ହୋଇ ଚାଲିଯାଇଛି । ଆପଣ ମୋତେ ସେଥିପାଇଁ ତତେ ଡକାଇଛି ମା ! ତୋ ଇଚ୍ଛା ମୋତେ କହ । ଏଇଠି ରହିବୁ କି ମୋ ସଙ୍ଗରେ ପୁରୀ ଯିବୁ ?

 

ମୁଁ କଅଣ ଆପଣଙ୍କର ସେବା କରିପାରିବି ନାହିଁ ?

 

ମହନ୍ତ ସାମାନ୍ୟ ହସି କହିଲେ, ନିଶ୍ଚୟ ପାରିବୁ । ତୋର ଇଚ୍ଛା ମୁଁ ବୁଝିବାକୁ ଚାହିଁଥିଲି । ହୁଏ ତ ଘରପାଖ ଛାଡ଼ି ଦୂରକୁ ଯିବାକୁ ମଙ୍ଗି ନ ପାରୁ, ସେଥିପାଇଁ । ତେବେ ତୁ ଆଜି ଯିବାକୁ ପ୍ରସ୍ତୁତ ରହ । ରାତିରୁ ଉଠି ବଳଦଗାଡ଼ି ଛାଡ଼ିଦେବ ବୁଝିଲୁ ? ଏଇ କେଇଟି ଦିନରେ ତୁ ତୋର ଏହି ବୁଢ଼ା ପୁଅକୁ କିଣି ନେଇଛୁ । ସେ କି ତୋତେ ଦୂରରେ ଛାଡ଼ି ଏକୁଟିଆ ରହିପାରେ ଲୋ ? ମହନ୍ତ ଗେହ୍ଲାରେ ତାର ମୁଣ୍ଡ ଆଉଁସିଲେ ।

 

କୃତଜ୍ଞତାରେ ଉମାର ଆଖିରୁ କେରା କେରା ଲୁହ ଝରିପଡ଼ିଲା ।

ସେହିଦିନ ସଞ୍ଜବେଳ ।

 

ବାଡ଼ିପଟେ ଉମାକୁ ଏକୁଟିଆ ଦେଖି ବାଉରିଆ ଲୁହ ପୋଛି କହିଲା, ସତରେ ତୁ ଚାଲିଯାଉଛୁ ଉମା ?

 

ଉମା ବାଉରିଆକୁ ଦେଖି ତ୍ରସ୍ତ ହୋଇ ପଛକୁ ହଟି ଆସିଲା । ତାର ବିଷର୍ଣ୍ଣ ମୁହଁ ଦେଖି ଉମାର ଭୟ ଉଭେଇ ଗଲା । ମନ ଦୁଃଖରେ କହିଲା, ହଁ, ଯହିଁ ଗଲେ ତ ପେଟକୁ ମୁଠିଏ ଖାଇବା କଥା । ଏଠାରେ ରହିଲେ କଅଣ ?

 

ବାଉରିଆ ଚିନ୍ତିତ ହୋଇ କହିଲା, ନା, ଲାଭ କିଛି ନାହିଁ । ଟିକିଏ ରହି ପୁଣି କହିଲା, ମୋ କଥା ଟିକିଏ ଭାବୁନୁ ଉମା, ମୁଁ କଅଣ କରିବି ? ତୁ ମହନ୍ତଙ୍କୁ କହିଲେ ସେ ମୋତେ ବି ସାଙ୍ଗରେ ନେଇଯିବେ । ବାଉରିଆ ଉମାର ତୋରା ମୁହଁକୁ ଚାହିଁ ରହିଲା । ଏ କେଇଟା ଦିନରେ ଉମାର ରୂପ ବଦଳି ଗଲାଣି । ସୁସ୍ଥରେ ରହି ପୂର୍ବ ସ୍ୱାସ୍ଥ୍ୟ, ପୂର୍ବ ଚେହେରା ଫେରି ଆସିଲାଣି । ଦିନକୁ ଦିନ ମୁହଁଟି ଢଳଢଳ ହୋଇ ଉଠୁଛି । ଆଖି ଦିଓଟି ଦର୍ପଣ ପରି ଝଲସି ଉଠୁଛି ।

 

ଉମା ଭ୍ରୂଲତା ଟେକି ପଚାରିଲା, ତୋର ପୁରୀ ଯିବାକୁ ଇଚ୍ଛା ?

 

ବାଉରିଆ ଲୁହଭରା ଆଖିରେ କହିଲା, ତୁ ଯୁଆଡ଼େ ଯିବୁ, ସେଇଠିକି ଯିବାକୁ ମୋର ଇଚ୍ଛା । ନାହିଁ କରନା ଉମୀ, ତୋର ଗୋଡ଼ ଧରୁଛି । ବାଉରିଆ ତଳେ ଆଣ୍ଠେଇ ପଡ଼ି ଉମାର ଦୁଇପାଦ ଧରି ଆକୁଳ ଦୃଷ୍ଟିରେ ତାର ଉତ୍ତର ମାଗିଲା ।

 

ଉମାର ମନ ତରଳିଲା । ସେ ଆଖିରୁ ଲୁହ ପୋଛି କହିଲା, ମୁଁ ଗୁଡ଼ିଆ ଘରର ଝିଅ, ତୁ ଗଉଡ଼ ଘରର ପିଲା । ନିଜକୁ ଆଉ ଜଳେଇ ପୋଡ଼େଇ ମାରନା ରେ ! ଏତିକି କହି ଉମା ଆଖିରେ ଲୁଗା ଦେଇ ଘର ଭିତରକୁ ପଶିଗଲା ।

 

ବାଉରିଆ ମୁଣ୍ଡରେ ହାତ ଦେଇ ମୁହଁ ପୋତି ସେଇଠି ବସି ରହିଲା ।

 

–୨୩–

 

ଗାଁ ମୁଣ୍ଡ ପୁରୁଣା ମନ୍ଦିର ପାଖରେ ଅନେକ କାଙ୍ଗାଳି ବସିଛନ୍ତି । ଜଗୁ ସେଇଠି ଅଟକି ଠିଆ ହେଲା । ଉଦ୍ଦେଶ୍ୟ ଏମାନଙ୍କଠାରୁ ଗାଁର ସବୁ ହାଲଚାଲ ବୁଝିବୁ । ଦୁଃଖୀରଙ୍କିଙ୍କୁ ସାହାଯ୍ୟ କରିବାକୁ ଦରିଦ୍ର ଛଡ଼ା ଆଉ କେହି ହାତ ବଢ଼ାଇବେ ନାହିଁ । ଚାଲି ଚାଲି ସେ ଥକି ପଡ଼ିଥିଲା । ଅନେକଦିନ ହେଲା ଖିଆପିଆ ହୋଇନାହିଁ । ଦୁର୍ବଳତାରୁ ଦେହ ଥରୁଛି । ତଣ୍ଟି ଶୁଖି ଅଠା ହେଲାଣି-। ଟିକିଏ ଦମ୍‌ ନ ନେଇ ଆଗକୁ ଯିବା ଅସମ୍ଭବ । ଜଗୁ ମନ୍ଦିର ପାଖ ବରଗଛ ତଳେ ବସିଲା ।

 

ଗୋଟାଏ ଜିଦ୍‌, ଗୋଟାଏ ଉତ୍ତେଜନାରେ ସୁନ୍ଦର ପଟ୍ଟନାୟକଙ୍କ ଘର ଛାଡ଼ି ଆସିବାର ଅନେକ ଦିନ ହୋଇଗଲାଣି । ଗାଁ ଗାଁ ବୁଲି କାମ ଖୋଜି ନୟାନ୍ତ ହେଲା । ଏପରି ସମୟରେ କାମ କରାଉଛି କିଏ, କାମ ମିଳୁଛି କେଉଁଠି ? ବର୍ଷାଦିନ ମାଡ଼ି ଆସିଲାଣି । ବାହାରର ସବୁ କାମ ବନ୍ଦ ହେଲାଣି ।

 

ସୁନ୍ଦରବାବୁଙ୍କ ଘରେ ମୂଲ ଲାଗି ଯେଉଁ ପଇସା ସେ ସଞ୍ଚୟ କରି ରଖିଥିଲା, ସେତକ କୌଣସି କାମରେ ଲାଗିଲା ନାହିଁ । ତିନିବର୍ଷ ଦୁର୍ଭିକ୍ଷ ପଡ଼ିବ ବୋଲି ଲୋକେ ଶୁଣିଥିଲେ । ଧାନଚାଉଳ ସବୁ ଲୁଚାଇ ରଖିଲେ । ଦୋକାନ ଉଠିଗଲା, ନୋହିଲେ ବନ୍ଦ ହୋଇଗଲା । ଲୋକେ ଅଣ୍ଟାରେ ଟଙ୍କା ଘେନିବାର ଗାଁ, ବାର ଦୁଆର ବୁଲିଲେ । ଚାଉଳ ମିଳିଲା ନାହିଁ । ପେଟ ବିକଳରେ ଟଙ୍କା କଉଡ଼ି ଚୋବାଇଲେ ପ୍ରାଣ ରହିବ ନାହିଁ ତ !

 

ଇଚ୍ଛା ଥିଲା, ନାଳଖୋଳା କାମ କି ରାସ୍ତା ତିଆରି କାମ କରିବାକୁ ଲୋକଙ୍କ ସଙ୍ଗରେ କଟକ କି ରମ୍ଭା ପଳାଇବ । ଖବର ପାଇଲା, ସେଠାକାର ଅବସ୍ଥା ଅତି ଶୋଚନୀୟ । ଆଜିକାଲି ଲୋକର ଅଭାବ ନାହିଁ । ଯେତେ ଲୋକ ନିଯୁକ୍ତ କରିବାର କଥା, ସେମାନେ ଆଗରୁ ନିଯୁକ୍ତି କରିସାରିଛନ୍ତି । ନୂଆ ଲୋକଙ୍କୁ କାମ ଦିଆଯାଉ ନାହିଁ । ଯେଉଁମାନେ ନିଯୁକ୍ତ ହୋଇ ଆଗରୁ କାମ କାମ କରୁଛନ୍ତି, ସେମାନଙ୍କୁ ତ ସବୁବେଳେ ମୁଠାଏ ମିଳୁ ନାହିଁ. ଅଧିକା ଲୋକ ଯାଇ କଅଣ କରିବେ ? ଗଦାଏ ବାଟ । ରାସ୍ତାଘାଟ ନାହିଁ । ଅଖିଆ ଅପିଆ ଗହୀର ଡେଇଁ ଚାଲି ଚାଲି ଏତେ ବାଟ ଯାଇ ହତାଶ ହୋଇ ଫେରିବା ଦରକାର ନାହିଁ ।

 

ଜଗୁ ସେ ଆଶା ଅନେକ ଦିନରୁ ପରିତ୍ୟାଗ କରିଥିଲା । ଆହା, ଅଣ୍ଟାରେ ପଇସା ମାରି ଗାଁ ଗାଁ ବୁଲି ଖାଇବାକୁ ମୁଠାଏ ପାଇଲା ନାହିଁ । ପିଣ୍ଡରେ ପ୍ରାଣ, ଦେହରେ ଶକ୍ତି ଥାଉଁଣୁ, ଇନ୍ଦ୍ରିୟମାନେ ଅଚଳ ନ ହେଉଣୁ ସେ ଭିକ୍ଷା କରିବ ନାହିଁ, ଚୋରି କରିବ ନାହିଁ ବୋଲି ପ୍ରତିଜ୍ଞା କରିଥିଲା । ଏବେ ପ୍ରାଣ ବଞ୍ଚାଇବ କିପରି ?

 

ଗୋଟିଏ ଗାଁରେ ବାଧ୍ୟ ହୋଇ ଭିକ୍ଷା କରି ଥରେ ମୁଠିଏ ଖାଇବାକୁ ପଡ଼ିଲା । ଜାତି ଗୋତ୍ର ଜଣା ନାହିଁ । ହେଉ, କ୍ଷତି କଅଣ ? ମରଦ ପିଲା । ଖାଇପିଇ ମୁହଁ ହାତ ପୋଛିଲେ ସବୁ ସଫା । କିଏ ଦେଖୁଛି, କିଏ ଜାଣୁଛି ? ଥରକୁ ଦିଥର ହେଲା । ଖାଇବର ଲୋଭ, ପାଇବାର ଲୋଭ ସହଜ ନୁହେଁ । ତା ପରେ ମାଗି ଖାଇବା ହେଲା ତାର ଅଭ୍ୟାସ, ତାର ପେଷା । ମାଗିଖାଇ ଯଦି ପେଟ ପୁରୁଥାନ୍ତା, ଦେଶର ଅଧେ ଲୋକ ମଶା ମାଛି ପରି ଏ ଦୁର୍ଭିକ୍ଷରେ ମରିଥାନ୍ତେ କାହିଁକି-? ଜଗୁ ଆଜି ଅନ୍ନଛତ୍ର ଖୋଜି ବୁଲୁଥାନ୍ତା କାହିଁକି ?

 

ଜଗୁ ଭାବୁଛି, ସୁନ୍ଦରବାବୁଙ୍କ ଘର ଛାଡ଼ିବା ଉଚିତ ହୋଇନାହିଁ । ଭାତଥାଳି ପାଖରୁ ଥରେ ଉଠିଆସିଲେ ଆଉ ସେ ଭାତ ପାଇବାର ଆଶା ନ ଥାଏ । ଏବେ ଉପାୟ କଅଣ ? କିଏ ଜଣେ ଟଳି ଟଳି ତା ଆଗରେ ଠିଆହେଲା । ହାଡ଼ମୟ ଦେହ, ଫୁଙ୍କିଦେଲେ ତଳେ ପଡ଼ିବ । ଲୁଗା ପରିବର୍ତ୍ତନରେ ଅଣ୍ଟାରେ ଖଣ୍ଡେ ଚାରି ଆଙ୍ଗୁଳ ଚୌଡ଼ାର ଛିଣ୍ଡା କନା ଗୁଡ଼ା ହୋଇଛି । ଖାଲି ପତିଆରା ପାଇଁ । ନୋହିଲେ ସେ ପୂର୍ଣ୍ଣ ଲଙ୍ଗଳା । ତା ପଛରେ ଦୁଇଟି ପିଲା, ଆଠ ଦଶ ବର୍ଷର ହେବେ । ଆଉ ଗୋଟିଏ ଗଛତଳୁ ଆସି ଠିଆହେଲା । ଦିହେଁ ଲଙ୍ଗଳା, ଦିହେଁ ଦୁର୍ବଳ । ଜଗୁ ମୁଣ୍ଡ ଟେକି ଚାହିଁଲା । ପରର ଦୁଃଖ ଦେଖି ସହାନୁଭୂତି ଦେଖାଇବାର ବେଳ ବିତିଗଲାଣି । ଯିଏ ଯାହା କରୁଛି, ଯିଏ ଯାହା କରୁଛି, ଯିଏ ଯାହା ପଚାରି ବୁଝୁଛି, ସବୁ ନିଜର ସ୍ୱାର୍ଥ ପାଇଁ । ଜଗୁ କଅଁଳେଇ ପଚାରିଲା, ତମ ଘର କେଉଁଠି, ଭାଇ ?

 

ଲୋକଟି ଧୀରେ ଧୀରେ ତାର ଦୁର୍ବଳ ହାତଟି ଥରାଇ ଉପରକୁ ଟେକି ଗୋଟିଏ ଦିଗକୁ ଦେଖାଇ ଅସ୍ପଷ୍ଟ ଭାଷାରେ କହିଲା, ଗଡ଼ଜାତ ମୂଲକରେ, ବାବା ।

 

ସେଠି ଖାଇବାକୁ ମିଳୁନାହିଁ ?

 

ମୁଣ୍ଡ ହଲାଇ ବୁଢ଼ା ନାହିଁ କଲା, କହିଲା, ପିଇବାକୁ ପାଣି ବି ନାହିଁ । ପଚାରିଲା, ସରକାରୀ ଛତ୍ର କେଉଁଠି ଜାଣ ?

 

ଜଗୁ କହିଲା, ବାଟ ପାଞ୍ଚ କୋଶ ହେବ । ଗୋପରେ ।

 

ବୁଢ଼ା ଭ୍ରୁଲତା ଟେକି ବିସ୍ମିତ ହୋଇ କହିଲା, ପାଞ୍ଚ କୋଶ ! ଓଃ, ଆଉ ଚାଲି ହେବ ନାହିଁ-! ନା, ଏଇ ଗାଁରେ ମହନ୍ତ ଯେଉଁ ଛତର ଖୋଲିଥିଲେ, ଧାନଚାଉଳ ସରିଲାଣି ବୋଲି ଆଜିଠୁଁ ତାକୁ ବନ୍ଦ କରିଦେଉଛନ୍ତି । ଲୋକେ ଗୋପ ଯିବାକୁ ବସିଛନ୍ତି ।

 

ଜଗୁ ମନେ ମନେ ଆହ୍ଲାଦିତ ହୋଇ କହିଲା, ଏଠି ତମର କିଛି ଅସୁବିଧା ହୋଇ ନ ଥିବ ତ !

 

ବୁଢ଼ା କହିଲା–ସେମାନେ ଆମକୁ ଭାତ ଦେଲେ ନାହିଁ । ତାଙ୍କ ନିଜ ଇଲାକାର ଲୋକଙ୍କୁ ଦେଉଛନ୍ତି । ଆମେ ଅଇଁଠା ପତ୍ର ଚାଟି ଚାଟି ରହିଛୁଁ । ଆମ ସାଙ୍ଗରେ ଭାଗ ନେବାକୁ ଗାଁରେ ପଲେ କୁକୁର ଅଛନ୍ତି ପରା ! ସେମାନେ ଆମ ଭଗାରି ।

 

ଜଗୁ ଆକୁଳ ଆଖିରେ ତା ମୁହଁକୁ ଚାହିଁଲା । ବିଜୁଳି ବେଗରେ ମୁଣ୍ଡ ଭିତରେ କେତେ ଚିନ୍ତା ଖେଳିଗଲା । ସେ କହିଲା, ଏଥର ଆଉ କିଛି କଷ୍ଟ ହେବ ନାହିଁ । ଗୋପ ଯାଏ ଯାଇପାରିଲେ ହେଲା ।

 

ଏଇ କଅଣ, କହି ବୁଢ଼ା ବେକ ନୁଆଁଇ ଟେକି ଡୋଳା ନଚାଇ ଆଖିରେ ବାଟ ଦେଖାଇଦେଲା । ଜଗୁ ଆଉ କିଛି ପଚାରିଲା ନାହଁ । ବୁଢ଼ା ତା ନିଜ ଜାଗାକୁ ଫେରିଗଲା ।

 

ସେଇ ଗଛ ଛାଇରେ ଜଗୁ ଶୋଇ ପଡ଼ିଥିଲା । ଉଠିଲାବେଳକୁ ବେଳ ଗଡ଼ିଲାଣି । ଦୂରରୁ ଛତରଆଡୁ ଲୋକଙ୍କର କୋଳାହଳ ଶୁଭୁଛି । ସେ ଉଠି ବସିଲା । ମନ୍ଦିର ପାଖରେ ବସିଥିବା କାଙ୍ଗାଳଗୁଡ଼ିକ କେଉଁଆଡ଼େ ଚାଲିଗଲେଣି । ଚାରିଆଡ଼କୁ ଆଖି ପକାଇଲା । କେହି କୁଆଡ଼େ ନାହିଁ-। ଜଗୁ ଉଠି ଠିଆ ହେଲା । ଆଜି ମୁଠିଏ ଖାଇବାକୁ ଯୋଗାଡ଼ ନ କଲେ, କାଲି ସକାଳୁ ଗୋପ ଯାଇହେବ ନାହିଁ ।

 

ସେ ଛତରକୁ ଯିବାକୁ ବସିଲା । ମଲା, ଗାମୁଛାଟା କିଏ ନେଲା ? ସେ ଏପାଖ ସେପାଖ ଚାହିଁଲା । ନା, ଆଉ ମିଳିବ ନାହିଁ । ଶୋଇଲାବେଳେ ସେ ଗାମୁଛାଟି ଦେହରେ ପକାଇ ଶୋଇଥିଲା । ନିଦ ଅବସ୍ଥାରେ କେହି କାଙ୍ଗାଳ ସେ ଖଣ୍ଡ ଉଠାଇ ନେଇଛି । ମନରେ ଦୁଃଖ ହେଲା-। ପିନ୍ଧିଲା ଲୁଗାଟି ଛଡ଼ା ଆଉ ତାର କିଛି ସମ୍ବଳ ନାହିଁ । ଚଳିବ କିପରି ?

 

ଜଗୁ ଛତରକୁ ଗଲା । ମଠ ଆଗରେ ଅନେକ ଲୋକ ଜମା ହୋଇ କୋଳାହଳ କରୁଛନ୍ତି । ମହନ୍ତଙ୍କ କର୍ମଚାରୀମାନେ ଜଣ ଜଣ କରି ଚାଉଳ ବାଣ୍ଟି ଚିଠା ଫେରସ୍ତ ନେଉଛନ୍ତି । ଚାଉଳ ପାଇଁ ମଧ୍ୟ ଲୋକେ ବେଶି ପାଇବାକୁ ଆପତ୍ତି ଅଭିଯୋଗ କରି ଚିତ୍କାର କରୁଛନ୍ତି । ତାଙ୍କର କଥା କେହି ଶୁଣୁନାହିଁ ।

 

ଜଗୁ ଏପରି ଅବସ୍ଥା ଦେଖି ମଧ୍ୟ ଥରେ ପାଖକୁ ଯାଇ ଚାଉଳ ମୁଠାକ ପାଇଁ କାନି ପାତିଲା । ଜଣେ କର୍ମଚାରୀ ଚିଠା ଫେରସ୍ତ ଚାହିଁଲାରୁ ସେ ମୁଣ୍ଡ ହଲାଇ ଚିଠା ନାହିଁ ବୋଲି ଜଣାଇ ଦେଲା । ବଣ୍ଟନକାରୀ କହିଲା, ଚିଠା ଫେରାଇ ନ ଦେଲେ ସିଧା ମିଳିବ ନାହିଁ ।

 

ଜଗୁ ଏକଥା ଆଗରୁ ଜାଣିଥିଲା । ତଥାପି ନାସ୍ତି ବଚନ ଶୁଣି ତା ହୃଦୟ ଭାଙ୍ଗି ପଡ଼ିଲା । ଇଚ୍ଛା ହେଲା, ତାର ଦେହରେ ସବୁ ଶକ୍ତି ପ୍ରୟୋଗ କରି ବଣ୍ଟନକାରୀ ତଣ୍ଟି ଚିପି ମାରିଦେବ । ତାପରେ ଯେତେ ଇଚ୍ଛା ଚାଉଳ ନେଇ ପଳାଇ ଯିବ । କିନ୍ତୁ ତାର ବିଦ୍ରୋହୀ ଭାବନାରେ ବାଧା ଦେଲା ବିବେକ । ସେ ତଳୁ କାନି ଉଠାଇ ମନ ଦୁଃଖରେ କୋଳାହଳକାରୀ ଲୋକଙ୍କ ପଛକୁ ଆସି ତୁନି ହୋଇ ଠିଆହେଲା ।

 

ପିଣ୍ଡା ଉପରେ ମହନ୍ତ ବିଜେ ହୋଇଛନ୍ତି । ଲୋକଙ୍କର ବିକଳ କୋଳାହଳ ଶୁଣି ଆଜି ସେ ମୂକ ବଧିର ପାଲଟି ଯାଇଛନ୍ତି । ଜଗୁ କରୁଣ ନୟନରେ ତାଙ୍କର ଭାବଗମ୍ଭୀର ମୁହଁକୁ ଚାହିଁ ଚିନ୍ତା କଲା, ଏତେ ଲୋକଙ୍କୁ ମୃତ୍ୟୁଯାତ୍ରାରୁ ଯେ ଉଦ୍ଧାର କରିଛନ୍ତି ସେ ଧନ୍ୟ । ଜଣେ ଅପରିଚିତକୁ ଅବହେଳା କଲେ ତାଙ୍କର ଦେବତ୍ୱ ହାନୀ ହେବନାହିଁ । ସେ ଫେରିବାକୁ ମନ କଲା । ଦେଖାଯାଉ, ଲୋକଭିଡ଼ କମିଗଲେ ଯଦି ଅନ୍ୟ କୌଣସି ଉପାୟରେ କିଛି ଖାଦ୍ୟ ମିଳିପାରେ । ସେ ତାର ଅଣ୍ଟାରେ ହାତ ମାରିଲା । ପଇସାତକ ପୂର୍ବପରି ଖୋସା ହୋଇଛି । ମୁହଁ ଟେକି ପୁଣି ମହନ୍ତଙ୍କ ଆଡ଼କୁ ଚାହିଁଲା । ଦେଖିଲା, ମହନ୍ତଙ୍କ ଅତି ନିକଟରେ ଜଣେ ବାଳିକା, ଦେବୀପ୍ରତିମା ପରି ରୂପ, ଠିଆ ହୋଇ ଗମ୍ଭୀର ଭାବରେ କାଙ୍ଗାଳମାନଙ୍କୁ ଚାହିଁ ରହିଛି । ମୁଖରେ କଥା ନାହିଁ । ବେଳେ ବେଳେ ତାର ନାକପୁଡ଼ା ଓ ଓଠ ଦିଓଟି ଥରିଉଠୁଛି । ଆଖି ଛଳ ଛଳ ହେଉଛି ।

 

ସେ ସବୁ କଥା ଭୁଲି, କ୍ଷଣକ ପାଇଁ ସବୁ ଚିନ୍ତା ମନରୁ ପୋଛି ଏକ ଆଖିରେ ସେହି ମୂର୍ତ୍ତିକୁ ଅନାଇ ରହିଲା । ମହନ୍ତ ତାକୁ ଚାହିଁ କଅଣ କହିଲେ । ସେ ମଧ୍ୟ ନାଲି ଓଠ ଥରାଇ କଅଣ ଉତ୍ତର ମେଇ ଧୀରେ ଧୀରେ ସେଠାରୁ ଚାଲିଗଲା ।

 

ଜଗୁର ମୋହ ଭାଙ୍ଗିଲା । ସେ ଆଖି ଫେରାଇ ଦୀର୍ଘଶ୍ୱାସ ଛାଡ଼ି ମନକୁ ମନ ପଚାରିଲା, କିଏ ? ଉମୀ ? ତାର ଦୁଇ ଆଖି ଲୁହରେ ଭରିଗଲା । ଉମୀ ଏଠି ସୁଖରେ ଅଛି ! ପୋଡ଼ାକପାଳୀ-! ସେ ଭାଗ୍ୟ ତାର କାହିଁ ? ନା, ଉମୀ ନୁହେ, ଆଉ କେହି । ଆଖିର ଲୁହ ପୋଛି ଜଗୁ ସେଠାରୁ ଚାଲିଆସିଲା ।

 

ସଞ୍ଜବେଳ । ଖମାରଘର ପଛପଟ ବେତବୁଦା କଡ଼ରେ ଜଗୁ କାହାର ପ୍ରତୀକ୍ଷାରେ ବସିଛି । ବେଳେବେଳେ ଖମାର ଘରଆଡ଼େ ଚାହୁଁଛି । ପୁଣି କଣ ମନରେ ପାଞ୍ଚି ଭାବୁଛି, କେହି ଚାକରବାକର ଆସିଲେ ତାକୁ ଅର୍ଥଲୋଭ ଦେଖାଇ ମୁଠାଏ ଭାତ ମାଗିବ । ଯଦି ସୁବିଧା ହୁଏ ପଇସା ଦେଇ କିଛି ଚାଉଳ କିଣିବାକୁ ଚେଷ୍ଟା କରିବ । ପରିଚିତ କଣ୍ଠସ୍ୱର ଶୁଣି ସେ ଚମକି ଚାହିଁଲା-। ନିକଟରେ ଖମାରଘରର ପଛଆଡ଼େ ସେହି ସ୍ୱର୍ଣ୍ଣପ୍ରଭା ଦେବୀପ୍ରତିମାଟି ଆଖିରୁ ଲୁହ ପୋଛୁଚି । ପଦତଳେ ଜଣେ ଯୁବକ ଆଣ୍ଠୁମାଡ଼ି ବସି ତାର ପାଦଧରି କହୁଛି, ନାହିଁ କରନା ଉମୀ ।

 

ସେ ଆଉ ଧୈର୍ଯ୍ୟ ଧରି ବସିପାରିଲା ନାହିଁ । ଉମା, ଉମା ତାଆରି ଉମା ! ଏଥିରେ ଆଉ ସନ୍ଦେହ ନାହିଁ । ସେହି ରୂପ, ସେହି ମୁହଁ, ସେହି ଢଙ୍ଗ ! କେତୋଟି ଦିନର ଅଦେଖାରେ ସେ କଅଣ ଭୁଲିଯାଆନ୍ତା ? ପରିବର୍ତ୍ତନ ଆସିବାର କଥା । ସୁଖରେ ରହିଲେ ସଭିଙ୍କର ପରିବର୍ତ୍ତନ ଆସିବ । କିନ୍ତୁ ସେ ଯୁବକଟି କିଏ ? ସେ କାହିଁକି..... ?

 

ଉମା ନିକଟରେ ତାର ଆଉ ସଙ୍କୋଚ କଅଣ ? ଉମା ତାକୁ ଭଲ କରି ଜାଣେ । ଉମା ତାକୁ ଭଲ ପାଏ ।

 

ଭଲ ପାଏ ଉମା ? ତେବେ, ଏ ଯୁବକ ! ସେ ବାଟର ଭିକାରୀ, ଗଛତଳର କାଙ୍ଗାଳ । କେଉଁ ଗୁଣ, କେଉଁ ସାହସ, କେଉଁ ଭରସାରେ ଜଗୁ ତାର ପ୍ରତିଦ୍ୱନ୍ଦୀ ହେବାକୁ ସମକକ୍ଷ ?

 

ଆରେ, ପାଗଳ ପରି ସେ କଅଣ ଭାବୁଛି ? ଉମା ତାର ଭଉଣୀ । ସେ ଯାହା କରୁ, ଯାହାକୁ ଭଲ ପାଉ, ସେଥିରୁ ତାକୁ କଅଣ ମିଳିବ ? ସୁଖରେ ଥାଉ ସେ, ଏତିକି ତାର କାମନା । ଆହା, ବାପ ମା ଛେଉଣ୍ଡ ପିଲାଟି, କେତେ କଷ୍ଟ ପାଇଛି ପିଲାଦିନୁ ।

 

ଜଗୁ ଆଜି ଭିକାରୀ । ସେ ଉମାର ଆଗରେ ହାତ ପାତି ଭିକ୍ଷା ନ ଚାହିଁ, ପରକୁ ଖୋସାମତ କରିବ କାହିଁକି ? ଏହି କାଙ୍ଗାଳଟା ଯେ ତାର ଜଗୁଭାଇ ଏତିକି ଜାଣିପାରିଲେ ଉମା ନିଶ୍ଚୟ ତାକୁ ସହାନୁଭୂତି ଦେଖାଇବ ।

 

ଜଗୁ ବୁଦା ଉହାଡ଼ରୁ ବାହାରି ଆସିଲା । ଉତ୍ତେଜିତ । ଆଖି କୋଣରେ ଲୁହ ! ଉମା କରୁଣ କଣ୍ଠରେ କହିଲା, ନିଜକୁ ଆଉ ଜଳେଇ ପୋଡ଼େଇ ମାର ନା ରେ ।

 

ଜଗୁ ଚାହିଁ ରହିଲା । ବଉଦର ଅନ୍ତରାଳରେ ପୁନେଇଁ ଜହ୍ନ ଛପିଗଲା ପରି ବାଳିକା ଘର ଭିତରକୁ ପଶିଗଲା ।

 

ବାଉରିଆ ଲୁହଭରା ଆଖିରେ ସେଇଠାରେ ପୂର୍ବ ପରି ବସି ରହିଥାଏ ।

 

ଜଗୁର ଗୋଡ଼ ଚଳିଲା ନାହିଁ । ସେ ବାଉରିଆକୁ ଚାହିଁ ଭାବିବାକୁ ଲାଗିଲା । ମନ ଉଲ୍ଲସିତ ହୋଇଉଠିଲା । କିଏ ଯେପରି ତାରି ଭିତରେ କହିଲା, ଉମା ତୋତେ ଭୁଲିନାହିଁରେ ଜଗୁ, ଉମା ତୋତେ ଭୁଲିପାରିବ ନାହିଁ ।

 

ଜଗୁ ବାଉରିଆର ନିକଟକୁ ଆସିଲା । ଆଗରେ ଅପରିଚିତ ଲୋକକୁ ଦେଖି ବାଉରିଆ ତ୍ରସ୍ତ ହୋଇ ଉଠି ଠିଆ ହେଲା । ଲୋକଟା ତାର ସବୁ କୀର୍ତ୍ତି ଦେଖିଛି । କଅଣ ମନେ କରିଥିବ । ସମସ୍ତଙ୍କ ଆଗରେ କଥାଟା ରାଷ୍ଟ୍ର କରିଦେବ । ତାର ଦୁର୍ବଳତା ଜାଣି ଲୋକେ ତାକୁ ଘୃଣା କରିବେ-। ପରିହାସ କରିବେ । ମହନ୍ତଙ୍କ କାନରେ ପଡିଲେ ଦାନାପାଣି ଉପରେ ବାଧା ଆସିବ । ବାଉରିଆ ଲାଜରେ ଭୟରେ ଆଗନ୍ତୁକର ମୁହଁକୁ ଚାହିଁ ରହପାରିଲା ନାହିଁ । ଧୀରେ ଧୀରେ ଆଖିରୁ ଲୁହପୋଛି ସେ ଦ୍ରୁତ ବେଗରେ ତା ଆଗରୁ ଚାଲିଗଲା । ବାରି କବାଟକୁ ଭିତରୁ ବନ୍ଦ କଲା ।

 

ବାହାରେ ମୂକ ପରି ଠିଆ ହୋଇ ଜଗୁ ବାରି କବାଟକୁ ଚାହିଁ ଦୀର୍ଘଶ୍ୱାସ ଛାଡ଼ିଲା । ଆଜି ଦେଖା ହେଲା ନାହିଁ, କାଲି ନିଶ୍ଚୟ ହେବ । ଉମା ତାକୁ ଚିହ୍ନିବ ।

 

ମୁହୂର୍ତ୍ତକ ପାଇଁ ଜଗୁ ତାର କ୍ଷୁଧା ଭୁଲି ଯାଇଥିଲା ।

 

ଦୁଇ ଦିନ ପରେ । ସକାଳ ଓଳା ମହନ୍ତଙ୍କ କଚେରି ଘର ଆଗ ଆମ୍ବଗଛ ତଳେ ବସି ଜଗୁ ଆକାଶପାତାଳ କଅଣ ଭାବୁଛି । ବାଉରିଆ ଆସି ତାର ଚିନ୍ତାରେ ବାଧା ଦେଲା । କହିଲା, ମୁଁ ଆଜି ପୁରୀ ଚାଲିଲି । ଏଥର ତୁ ତୋର ନିଜକଥା ସମ୍ଭାଳ ।

 

ଜଗୁ ପଚାରିଲା, କାହିଁକି ?

 

ବାଉରିଆ କହିଲା, କାହିଁକି, ଏ କଥା ତୋତେ କଅଣ କହିବି ? ତୁ ସବୁ ଜାଣୁ । କି ଅବେଳାରେ କାଲି ସକାଳେ ଉଠି ତୋ ମୁହଁ ଚାହିଁଲି, ତୁ ମୋତେ ଉମାର ସବୁକଥା ଆଗ ବଳିପଡ଼ି କହିଲୁ, ସେତିକିବେଳୁ ଏଠି ଆଉ ମୋର ମନ ଲାଗୁନାହିଁ । ସବୁବେଳେ ତାର ରୂପ ଦେଖିବାକୁ ତାର କଥା ଶୁଣିବାକୁ ମନ ଛଟପଟ ହେଉଛି ।

 

ଜଗୁ ଅନ୍ୟମନସ୍କ ଭାବରେ କହିଲା, ହୁଁ....

 

ବାଉରିଆ ପୁଣି କହିଲା, ମୁଁ ଚାଲିଲି ଭାଇ ! ତୋ ଦୁଃଖ କଥା ଶୁଣି ତୋତେ ମୁଁ ଦୁଇଦିନ ଖାଇବାକୁ ଦେଇଛି । ସେ କଥା ଜାଣିପାରି ଗୁମାସ୍ତା ମୋ ଉପରେ ବିଗିଡ଼ିଛି । ମୁଁ ପୁରୀ ଚାଲିଗଲେ ତୋତେ ଏଠି କେହି ପଚାରିବେ ନାହିଁ । ତା ଆଗରୁ ତୁ ତୋ ବାଟ କାଟି ଗୋପ ଚାଲି ଯା ।

 

ମୁଁ ଯଦି ତମ ସାଙ୍ଗରେ ପୁରୀ ଯାଏଁ, ସେଠି କାମ କଲେ ମୁଠାଏ ଖାଇବାକୁ ଲୋକେ ଦେବେ ନାହିଁ । ଜଗୁର ଉଦ୍ଦେଶ୍ୟ ଥିଲା ଅନ୍ୟ ପ୍ରକାର । ଉମା ବଡ଼ଲୋକର ଆଶ୍ରା ଧରିଛି । ଉମା ଦୟା ଉପରେ ନିର୍ଭର କରି ସେ ଯାତ୍ରାରୁ ରକ୍ଷା ପାଇପାରେ । ସେ ଉମାକୁ ଭୁଲି ପାରି ନାହିଁ । ଉମା କଅଣ ତାକୁ ଏତେ ଶୀଘ୍ର ଭୁଲି ଯାଇଥିବ ? ଦେଖିଲେ ଦୟା ହେବ ନାହିଁ । ବାଉରିଆ ଉତ୍ତର ଦେବା ପୂର୍ବରୁ ଗୁମାସ୍ତା ତେଣୁ ଗର୍ଜନ କରି ଆସିଲେ । ଆଖି ଦେଖାଇ କହିଲେ, କିରେ, କାମଦାମ ଛାଡ଼ି ସକାଳୁ ଯାଇ ଛତରା କାଙ୍ଗାଳଟା ସାଙ୍ଗରେ କଅଣ ଫୁସ୍‌ଫୁସ୍ ହେଉଛୁ ? ବାଉରିଆ ଆଡ଼ ହୋଇ ମୁଣ୍ଡ ନୁଆଇଁ ବାଳ କୁଣ୍ଡାଇବାକୁ ଲାଗିଲା । ଗୁମାସ୍ତା ଜଗୁକୁ ଲକ୍ଷ୍ୟକରି କହିଲେ, ଆମର ତ ଛତର ବନ୍ଦ ହେଲା । ତମେ ସବୁ ସରକାରୀ ଛତର ଗୋପକୁ ସିଧା ସିଧା ଚାଲିଯାଅ । ଏଠି ଲଙ୍ଗରପଙ୍ଗର ହେଉଛ କାହିଁକି ?

 

ଉମାକୁ ଯେ ବାଉରିଆ ଭଲପାଏ, ଏ କଥା ଜଗୁ ସହିପାରିଲା ନାହିଁ । ସେ କହିଲା ଆଜ୍ଞା ମୁଁ କାଲିଠୁଁ ଚାଲି ଯାଆନ୍ତିଣି । ମୋତେ ବାଉରିଆ ଅଟକେଇଛି ।

 

ଗୁମାସ୍ତା ଦାନ୍ତ ଚିପି ବାଉରିଆ ପିଠିରେ ଥାପଡ଼ ମାରିଲେ । କହିଲେ, ଏଠି ବାପାର ପୋଲାଫାଉତା ମାଲ ଦେଖିଛି ପରା ! କିରେ, ସେ ତୋର ଭାଇ ନା ବିରାଦର, ନା କଅଣ ?

 

ବାଉରିଆ ଭୟରେ ଦି’ପାଦ ପଛକୁ ଘୁଞ୍ଚି ପ୍ରତିବାଦ କରି କଅଣ କହିବାକୁ ଓଠ ଥରାଇଲା । ଜଗୁ ତା ମନ କଥା ବୁଝିପାରି କହିଲା, ମୋତେ ସଙ୍ଗରେ ପୁରୀ ନେଇଯିବାକୁ କହୁଛି ।

 

ହୁଉଁ, ପୁରୀ ଯିବ । ପୁରୀରେ ତାର ବାପ ଅଛି ।

ଆଜ୍ଞା, ନା । ଗୋଟିଏ ଝିଅପରା ମହନ୍ତଙ୍କ ସାଙ୍ଗରେ ଯାଇଛି ।

 

ହସି ହସି ଗୁମାସ୍ତା କହିଲେ, ବୁଝିଲି । ଆରେ, ଗୁଡ଼ିଆଣୀ ଟୋକୀର ରୂପ ଦେଖି ବେହିଆ ପାଗଳ ହୋଇଛି । ଯିବ, ତା ଗୋଡ଼ ଧୋଇ ପାଣି ପିଇବ । ଆରେ ହୁଣ୍ଡା, ତୋ ବାପା ପରା ତାକୁ ସାଙ୍ଗରେ ନେଇଛି । ଯାହା ଲାଖି ଯେ, ତୁ ଏଠି ଛଟପଟ ହୋଇ ମୁଣ୍ଡ ପିଟିହେଲେ କଅଣ ହେବ ?

 

ବାଉରିଆ କ୍ରୋଧରେ ଜଗୁଆଡ଼କୁ ଚାହିଁଲା, କିଛି କହିପାରିଲା ନାହିଁ । ତାର ମନକଥା ଜଣା ପଡ଼ିଯାଇଛି । ଏହି କଥା ଭାବି ଦୁଃଖରେ ସେ ଧୀରେ ଧୀରେ ସେଠାରୁ ପ୍ରସ୍ଥାନ କଲା । ଗୁମାସ୍ତା ତାର ପଛେ ପଛେ ଗଲେ । ଜଗୁ ସେହି ଗଛମୂଳରେ ବସି ଭାବିବାକୁ ଲାଗିଲା । ଜୀବନରକ୍ଷା ପାଇଁ ଉମା ଏ ହୀନତା ମଧ୍ୟ ସ୍ୱୀକାର କରିବାକୁ ପଛେଇଲା ନାହିଁ । ମହନ୍ତର ଚିତ୍ତବିନୋଦନ ପାଇଁ ହସି ହସି ପୁରୀ ଗଲା । ନରକପଥର ଯାତ୍ରୀ ହେଲା । ଜୀବନ ବଞ୍ଚାଇ ରଖିବାକୁ ଭଲମନ୍ଦ କିଛି ଘେନିଲା ନାହିଁ । ପାପ ପୂଣ୍ୟ ନ୍ୟାୟ ଅନ୍ୟାୟ ବିଚାରିଲା ନାହିଁ ।

 

ଜଗୁ ଉତ୍ତେଜିତ ହୋଇ ଭାବିଲା, ପେଟର ଜ୍ୱାଳା ସହି ନ ପାରି ଉମା ମରିଚି । ଜଗୁ ମଧ୍ୟ ଆଜିଠାରୁ ମରିବ । ଜଗୁ ଗଛମୂଳରୁ ଉଠିଲା । ବାଡ଼ିଖଣ୍ଡି କାନ୍ଧରେ ପକାଇ ସେ ଏକମୁହାଁ ହୋଇ ଆଗକୁ ଚାଲିଲା । ସେ ସବୁ କଥା, ଚିନ୍ତା ଭୁଲିଲା । ଛାତି ଭିତରେ କିଏ କହିଉଠିଲା, ଜଗୁ ଆଜି ମରିଛି ରେ ! ଜଗୁର ପ୍ରେତାତ୍ମା ମଣିଷର ଦୁର୍ବଳତାକୁ ଗୋଡ଼ରେ ଦଳି ମହାପରୀକ୍ଷାର ଅଗ୍ନି-ମାର୍ଗରେ ନୂତନ ଯାତ୍ରୀ ହୋଇ ବାହାରିଛି । ସେ ଚାହେଁନା ଧର୍ମ । ସେ ଚାହେଁନା ଶାନ୍ତି । ସେ ଚାହେଁନା ସତ୍ୟ, ପବିତ୍ରତା, ମୁକ୍ତି ! ସେ କେବଳ ଚାହେଁ ଜୀବନ, ଜୀବନ !

 

ନିରାଟ ଖରା । ବାଟ ଚାଲି ଚାଲି ଜଗୁ କ୍ଲାନ୍ତହୋଇ ପଡ଼ିଲାଣି । ଅଦେଖା ବାଟ ଯେତେ ଚାଲିଲେ ବାଟ ସରୁ ନାହିଁ । ଯାହାକୁ ପଚାରୁଛି, ସେ କହୁଛି, ଗୋପ ଆଉ ମୋଟେ ପାଞ୍ଚ କୋଶ । ଅଧୀର ହୋଇ ସେ କେତେ ଗାଁ ଗଣ୍ଡା ପାରି ହୋଇ, କେତେ ମଶାଣି, କେତେ ଗହୀର ଅତିକ୍ରମ କରି ଆସିଲାଣି । ତଥାପି ପାଞ୍ଚ କୋଶ ହୋଇନାହିଁ ? କେଜାଣି ବା ବାଟ ଭୁଲିଛି । କାହାକୁ ପଚାରିବ ?

 

ସେ ବାଟ କଡ଼ ଗଛମୂଳରେ ଠିଆ ହୋଇ ଚାରିଆଡ଼କୁ ଚାହିଁଲା । କାହାରି ଦେଖା ପାଇଲା ନାହିଁ । ଅବଶ ପବନ ସୁଦୂର ଗାଁ ଆଡୁ କାହାର ବିକଳ କାନ୍ଦଣା ଭାସିଆସୁଛି ନାରୀକଣ୍ଠରେ । ଆଗରେ ଗହୀର ବିଲ । ତାଆରି ଭିତରେ ବାଟ ପଡ଼ିଛି । ଆଖି ପାଉନାହିଁ । ଦୂର ଦିଗ୍‌ବଳୟରୁ ଅନ୍ୟ ଗୋଟିଏ ଗାଁର ଗଛପତ୍ର ଅନ୍ଧାରିଆ ଦିଶୁଛି । ତାକୁ ଏହି ଭୀଷଣ ଖରାସମୁଦ୍ର ପାରି ହୋଇ ନିର୍ଜନ ଗହୀର ଭିତରେ ଯିବାକୁ ହେବ । ମଝିରେ ଗଛ ବୃକ୍ଷର ଚିହ୍ନ ନାହିଁ । ଅବଶ ହୋଇପଡ଼ିଲେ ଆଶ୍ରୟ ନେବ କାହା ତଳେ ?

 

ଆଉ ଯାଇ ହେବ ନାହିଁ । ଜଗୁ ହତାଶ ହୋଇ କପାଳରୁ ଝାଳ ପୋଛିଲା । ମୁହଁ ଫେରାଇ ଦେଖିଲା, ଟିକିଏ ଦୂରରେ ଗୋଟିଏ ଗଛମୂଳରେ କେତେଜଣ ସ୍ତ୍ରୀ ପୁରୁଷ ବସି କଅଣ କରୁଛନ୍ତି । ସେ ମନରେ ଆଶା ବାନ୍ଧି ସେମାନଙ୍କ ନିକଟକୁ ଯିବାକୁ ପାଞ୍ଚିଲା । ସେହି ଲୋକଙ୍କ ପାଖରୁ ନିଶ୍ଚୟ ବାଟଘାଟରେ ଖବର ମିଳିବ । ପାଖ ଗାଁର ହାଲ୍‌ଚାଲ୍ ମଧ୍ୟ ବୁଝା ପଡ଼ିବ ।

 

ଜଗୁ ଲୁଗାକାନିରେ ଦେହରେ ଝାଳ ପୋଛି ସେମାନଙ୍କ ପାଖକୁ ଗଲା । ଦେଖିଲା ଗୋଟିଏ ତେନ୍ତୁଳିଗଛ ମୂଳରେ ସ୍ତ୍ରୀ ପୁରୁଷ ପିଲାଛୁଆ ମିଶି ପ୍ରାୟ ପଚିଶଜଣ ବସିଛନ୍ତି । ଆଖପାଖ ଗଛ ମୂଳରେ ମଧ୍ୟ କେହି କେହି ଅଧାଶୁଆ ଠାଣିରେ ବସିଛନ୍ତି । ଅତି ଅଳ୍ପ ଲୋକଙ୍କ ଦେହରେ ଲୁଗା ବା ଛିଣ୍ଡାକନା ଅଛି, ନୋହିଲେ, ସମସ୍ତେ ଲଙ୍ଗଳା । ଦେହରେ ହାଡ଼ ଶିରା ଗଣିହେଉଛି । ଦୁର୍ବଳତାରୁ ଚଳପ୍ରଚଳ ହେବା ସେମାନଙ୍କ ପକ୍ଷରେ ଅସମ୍ଭବ । ସେମାନଙ୍କ ଚାହାଁଣି ଭିତରୁ ଭୟ ଦୁଃଖ ନୈରାଶ୍ୟ ଫୁଟି ବାହାରୁଛି ।

 

ଜଗୁ ଜଣ ଜଣ କରି ସମସ୍ତଙ୍କୁ ଚାହିଁଗଲା । ବାଟରେ ସେ କେତେ କେତେ କାଙ୍କାଳ ଦେଖି ଆସିଛି । ଏପରି କାଙ୍ଗାଳଦଳ ସେ କେଉଁଠି ଦେଖି ନାହିଁ । ଲୋକେ ପେଟବିକଳରେ ବିଲକୁ ଘାସ, ଗଛରୁ ପତ୍ର ଛିଣ୍ଡାଇ ଚୋବାଇ ଖାଇବାର ସେ ଅନେକ ଥର ଦେଖିଛି । କିନ୍ତୁ ସେମାନଙ୍କର ଦେହର ଅବସ୍ଥା ଏପରି ଶୋଚନୀୟ ଦେଖିବା ମନେ ନାହିଁ । ସତେ କି କେଉଁ ମଶାଣି ଛାଡ଼ି ପ୍ରେତଦଳ ଆସି ଉପସ୍ଥିତ ।

 

ଜଗୁ ନିରିଖି ଚାହିଁଲା । ନିଜର ସବୁ ଦୁଃଖକଷ୍ଟ ଭୁଲି ସେ ଭାବିବାକୁ ଲାଗିଲା, ଆହା, ମଣିଷ ଜନ୍ମ ହୋଇଥାଏ ଏହିପରି କଷ୍ଟ ସହିବାକୁ ? ଏହାହିଁ ଭଗବାନଙ୍କର ଇଚ୍ଛା ? ଏହା ହିଁ ଭଗବାନଙ୍କର ଉଦ୍ଦେଶ୍ୟ ? ମଣିଷକୁ ଯନ୍ତ୍ରଣାରେ ଛଟପଟ କରି, ମଣିଷର ରକ୍ତମାଂସ ଶୋଷି ଟିକି ଟିକି କରି ତାର ପ୍ରାଣକୁ ସମାଧି ଆଡ଼କୁ ଟାଣିନେବାରେ ତାଙ୍କର କି ଆନନ୍ଦ ହୁଏ ?

 

ଜଗୁର ବ୍ୟଥିତ ମନ ବିଦ୍ରୋହୀ ହୋଇଉଠିଲା । ଦେବତା ଯଦି ଆମର ଦୁଃଖସୁଖ ନ ଦେଖେ, ମଣିଷ କାହିଁକି ତାକୁ ମନକୁ ଆଣିବ ? ନିଜର ବେଷ୍ଟନୀ ଭିତରେ ମଣିଷ ଯାହା ଉପଯୁକ୍ତ ମନେକରେ, ନିଜର ଆନନ୍ଦ ପାଇଁ ସେ ତାହାହିଁ କରେ । ପାପ ପୁଣ୍ୟ, ନ୍ୟାୟ ଅନ୍ୟାୟର ପ୍ରଶ୍ନ ତ ଉଠିବାର ନୁହେଁ । ତେବେ ଦେବତା ସଙ୍ଗରେ ମଣିଷର ସମ୍ପର୍କ କଣ ? ସେ କାହିଁକି ଦେବତା ଉପରେ ନିର୍ଭର କରି ରହିବ ? ଜନ୍ମିଛି ନିଜର ବୁଦ୍ଧି, ନିଜର ଶକ୍ତି ସାମର୍ଥ୍ୟରେ ସୁଖରେ ବଞ୍ଚିରହିବାକୁ କର୍ମପନ୍ଥାର ପ୍ରମାଦ ଦୋଷରୁ ସେ କଷ୍ଟ ପାଇ ମରେ ; ତା ପାଇଁ ଅନ୍ୟମାନେ କଷ୍ଟପାଆନ୍ତି, ମରନ୍ତି । ସବଳ ଯେ, ସେ ଦୁର୍ବଳର ଛାତି ଉପରେ ଚାଲେ ସ୍ୱାର୍ଥ ପାଇଁ । ଏହାହିଁ ଯଦି ପ୍ରକୃତିର ନୟମ, କାହିଁକି ପରର ଦୁଃଖ ଦେଖି ଦୁଃଖରେ ପଛେଇ ରହିବ ? ବଞ୍ଚି ରହିବାକୁ ଇଚ୍ଛା ଥିଲେ ଏହିପରି କେତେ ଦୁର୍ବଳ ମଣିଷକୁ ଗୋଡ଼ରେ ଦଳିଦେଇ ଯିବାକୁ ହେବ । ଦୁଃଖ, ଅନୁକମ୍ପା ମଣିଷର ଦୁର୍ବଳତା ।

 

ଜଗୁ ଦୁଃଖରେ ଆଖିରୁ ଲୁହ ପୋଛିଲା । କୋମଳ କଣ୍ଠରେ ପାଖରେ ଲୋକଙ୍କୁ ପଚାରିଲା, ଭାଇ, ଏଠି ପାଣି ମୁନ୍ଦାଏ ପିଇବାକୁ ମିଳିବ କେଉଁଠି ?

 

ଲୋକଟି ମୁଣ୍ଡ ହଲାଇ ନାହିଁ କରି ଗଛ ଉପରକୁ ଚାହିଁଲା ।

 

ଜଗୁ ତାର ଉଦ୍ଦେଶ୍ୟ ବୁଝି ନ ପାରି ଉପରକୁ ଅନାଇଁଲା । ଗଛ ଉପରେ ଦୁଇଜଣ ଦୁର୍ବଳକାୟ ଲୋକ ବସି କଅଁଳିଆ ତେନ୍ତୁଳି ପତ୍ର ଛିଣ୍ଡାଇ ଚୋବାଉଛନ୍ତି । ଜଗୁ ତାର ମନ କଥା ବୁଝିପାରି ହାତପାଆଣିରୁ କେତୋଟି ପତ୍ର ଛିଣ୍ଡାଇ ପାଟିରେ ପକାଇଲା । ଟିକିଏ ରହି ଅନ୍ୟ ଜଣେ ଲୋକକୁ ପଚାରିଲା, ପାଖ ଗାଁ କେତେ ଦୂର ଏଠିକି ?

 

ଲୋକଟି ଧୀରେ ଧୀରେ କହିଲା, ଆଗରେ ।

ଦୋକାନପତ୍ର ଅଛି ?

 

ଲୋକେ ଗାଁ ଛାଡ଼ି ପେଟ ପାଇଁ ଯିଏ ଯୁଆଡ଼େ ପଳାଇଛନ୍ତି । ଗାଁ ଶୂନ୍‌ଶାନ ହୋଇଛି । ଦୋକାନ କେଉଁଠୁ ଆସିବ ?

 

ପାଣି ମୁନ୍ଦାଏ ?

 

ଘୋଷରା ପଡ଼ିଛିରେ ଭାଇ ? ହଇଜାରେ ଗାଁର ଲୋକେ ପଦା ହୋଇଗଲେଣି । ଘରଦ୍ୱାରର ତାଟି ବନ୍ଦ । ପାଣି ମୁନ୍ଦାଏ ଦେବ କିଏ ? ଦେଖି ଦେଖି ଆସୁଛୁଁ, ସବୁ ଗାଁର ଅବସ୍ଥା ଏକାପରି । କାହା ଓଳିତଳେ ଆଶ୍ରା ନେବୁଁ ? ଘରେ ମୁର୍ଦ୍ଦାର ସଢ଼ୁଛନ୍ତି ।

 

ଲୋକେ ଗଲେ କୁଆଡ଼େ ?

ଉପରକୁ ଆଖି ଟେକି ସେ କହିଲା, ଉପରକୁ । ପ୍ରଭୁଙ୍କ ଇଚ୍ଛା ।

ତମେ ସବୁ କୁଆଡ଼ୁ ଆସିଲ ? ଯିବ କୁଆଡ଼େ ?

 

ଜଣେ ସ୍ତ୍ରୀଲୋକ ବିରକ୍ତ ହୋଇ କହିଲା, ସେଥିରୁ ତତେ କି ମିଳିବ ? ପୁଅ ତୁ ତୋର ବାଟ ଦେଖ୍ ।

 

ତା କଥାରେ କାନ ନ ଦେଇ ଲୋକଟି କହିଲା, ଆମେ ଅନେକ ଦୂରରୁ ଆସିଛୁଁ । ଗୋପରେ କେଉଁଠି ପରା ସରକାରୀ ଛତର ଖୋଲିଛି ?

 

ଜଗୁ କହିଲା, ହଁ, ମୁଁ ବି ଛତର ଖୋଜି ବାହାରିଛି । ଗୋପ କେତେବାଟ ଆଉ ?

ଜାଣେ ନା, ଏଇ ଗହୀର ମଝିରେ ବାଟ ।

ସ୍ତ୍ରୀ ଲୋକଟି ସନ୍ଦେହରେ ଜଗୁକୁ ଚାହିଁ କହିଲା, ତୁ ଯାଉନୁ ସେଇ ବାଟେ ।

 

ଜଗୁ ତାକୁ ଲକ୍ଷ୍ୟ କରି କହିଲା ଖରାରେ ଧାଇଁ ଧାଇଁ ଆସି ଛାଇତଳ ଦେଖି ଟିକିଏ ଠିଆ ହୋଇଯାଇଛି । ତୋର ତ କିଛି କ୍ଷତି କରୁନାହିଁ । ମୋତେ ତଡ଼ିବାରେ ଲାଗିଛୁ କାହିଁକି ?

 

ସ୍ତ୍ରୀଲୋକ ଉତ୍ତର ଦେବା ଆଗରୁ ତାହା ପାଖର ଲୋକ କହିଲା, କମ୍ ଗୁଣ କି ତାର ! ପୁଅ ଗେରସ୍ତକୁ ଯିଏ ପେଟପାଇଁ ନିଜ ହାତରେ ବିଷ ଦେଇଛି, ତାକୁ ତ ଭଲ ଲୋକେ ଗନ୍ଧେଇବେ-। କି ଲୋ, ତୋର କଅଣ ଅଛି ?

 

ଆହା ରେ, ଚୁଲିପଶା, ଭାରି ଭଲ ଲୋକ ! କି ରେ, ମୁଁ ତ ପୁଅ ଗେରସ୍ତକୁ ଜୀବନରୁ ମାରି ଆସିଲି ଛତରକୁ । ତାଙ୍କର ଦୁଃଖ ମୁଁ ଦେଖିବି ନାହିଁ । ମୋ ଦୁଃଖ ସେମାନେ ଦେଖିବେ ନାହିଁ-। ତୁ କୋଉ ଭଲ କାମଟା କରି ଆସିଛୁ ?

 

ଜଗୁ ଜିଜ୍ଞାସୁ ନେତ୍ରରେ ତାକୁ ଚାହିଁଲା ।

 

ସ୍ତ୍ରୀଲୋକ କହିଲା, ମା ଛେଉଣ୍ଡ ପିଲାଦିଓଟିଙ୍କୁ ଛାଡ଼ି ଛତରରେ ପଶିଲୁ ପରା ! ସେ ଦିଓଟି ଆଜି ବାରଦ୍ୱାର ଶୁଣ୍ଢିପିଣ୍ଡା ହେଉଥିବେ ।

 

ତୋ ପରି ମୁଁ ବିଷ ଦେଇନାହିଁ ତ !

 

ବିଷ ଦେଇ ମାରି ଆସିବାଠୁଁ କଅଣ ଜୀବନ୍ତା କଲବଲ କରିବାକୁ ବାଟ ମଝିରେ, ଅପନ୍ତରାରେ ଛାଡ଼ି ଆସିବା ଭଲ ? କି ରେ ପୁଅ, କହୁନୁ କାହିଁକି ?

 

ଜଗୁ କହିବ କଅଣ ? ଗମ୍ଭୀର ହୋଇ ଭାବିବାକୁ ଲାଗିଲା । ସମସ୍ତେ ତ ମଣିଷ । ପ୍ରଭେଦ କଅଣ ? ପେଟ ପାଇଁ, ଜୀବନ ପାଇଁ କୁଳଲକ୍ଷ୍ମୀ ସତୀ ସାଧ୍ୱୀ ହିନ୍ଦୁ ଲଳନା ସ୍ୱାମୀପୁତ୍ରକୁ ବିଷ ଦେଇପାରେ । ମଣିଷ ଅନୁଗତ ପୁତ୍ରକନ୍ୟାଙ୍କୁ ବାଟରେ ବସାଇ ଲୁଚି ଲୁଚି ପଳାଇ ଆସିପାରେ-। ଏତିକିରେ ଶେଷ ହୋଇନାହିଁ । ଭଲ କରି ଆଲୋଚନା କଲେ ପ୍ରତ୍ୟେକ କାଙ୍ଗାଳର ଜୀବନ ସଙ୍ଗେ ଏଡ଼ିପରି କେତେ କେତେ ଅଦ୍ଭୁତ ଇତିହାସ, ଅଶ୍ରୂତପୂର୍ବ ଘଟଣା ସଂଯୋଜିତ ଥିବାର ଜଣାପଡ଼ିବ । ଜଗୁ ପଛେଇ ରହିବ କାହିଁକି ? ଜୀବନ ପାଇଁ ସେ ମଧ୍ୟ ନରକର ଦ୍ୱାର ଉଦ୍‌ଘାଟନ କରିବ । ସବୁ ଦୁର୍ବଳତାକୁ ପଛରେ ପକାଇ ଆଗକୁ ଚାଲିବ ।

 

ଜଗୁ ଆଉ ସେମାନଙ୍କ ଆଡ଼କୁ ଚାହିଁଲା ନାହିଁ । ବିରାଟ ଗହୀରର ସେପାରିକୁ ଚାହିଁ ପଚାରିଲା, ଗୋପକୁ, ଏଇ ବାଟ ତ ?

 

କିଏ ଜାଣେ କହିଲା, ହଁ ।

 

ସେ ଆଉ ଅପେକ୍ଷା କଲା ନାହିଁ । ଦେହରେ ମନର ସବୁ କ୍ଳାନ୍ତିକୁ ଉପେକ୍ଷା କରି ନିରାଟ ଖରାର ତୀବ୍ର ପ୍ରତିବାଦ ନ ମାନି ସେ ଆଗକୁ ଚାଲିଲା । ସଞ୍ଜ ଆଗରୁ ନିରାପଦ ସ୍ଥାନରେ ପହଞ୍ଚିବାକୁ ହେବ । ଖରାତରାକୁ ଡରି ହଟି ରହିଲେ ଶେଷକୁ ତାକୁହିଁ ତ କଷ୍ଟ ସହିବାକୁ ପଡ଼ିବ ।

 

ମଣିଷର ସବୁ ଶକ୍ତି, ସବୁ ସାହସ ପ୍ରକୃତି ନିକଟରେ ପରାହତ ହୁଏ । ଜଗୁର ତାହାହିଁ ହେଲା । ଗହୀର ଭିତରକୁ ଖଣ୍ଡେ ଦୂର ଯାଇ ସେ ଅତି କ୍ଳାନ୍ତ ହୋଇପଡ଼ିଲା । ବିଲ ବାଟ । ଟେଳା ହିଡ଼ ଡେଇଁ ଡେଇଁ ସେ କେତେ ବାଟ ଯାଇପାରନ୍ତା ? ବେଳକୁ ବେଳ ସୂର୍ଯ୍ୟର ଉତ୍ତାପ ପ୍ରଖର ହେଉଛି । ତଳ ଭୂଇଁ ନିଆଁ ପରି ତାତି ଗଲାଣି । ଯୁଆଡ଼କୁ ଚାହିଁଲେ ଆଖି ପାଉନାହିଁ, ସାହସ ପାଉନାହିଁ । କରେ କଅଣ ? ଭୋକ କଥା କିଏ ପଚାରେ, ଶୋଷରେ ହଂସା ଉଡ଼ୁଛି । ତଣ୍ଟି ଶୁଖି ଅଠା ଅଠା ହେଉଛି । ଆଖି ଆଗରେ ଶହ ଶହ ଜୁଳୁଜୁଳିଆ ପୋକ ଭାସି ଯାଉଛନ୍ତି ।

 

ସେ ଅଧ ବାଟରେ ଠିଆ ହୋଇ ହତାଶ ହୋଇ ଆଗକୁ ଚାହିଁଲା । ଖଣ୍ଡେ ଦୂର ଛାଡ଼ି ବିଲ ମଝିରେ ଆକାଶରେ କେତୋଟି ମାଛରଙ୍କା ଚଢ଼େଇ ମୁହଁ ତଳକୁ କରି, ଏକ ଲକ୍ଷ୍ୟରେ ଚାହିଁ ପର ହଲାଉଛନ୍ତି । ଜଗୁ ଆଶାନ୍ୱିତ ହୋଇ ଭାବିବାକୁ ଲାଗିଲା, ପାଣି ନ ଥିଲେ ମାଛରଙ୍କା ଚଢ଼େଇ ଉଡ଼ନ୍ତେ ନାହିଁ । କିଛିଦିନ ତଳେ ଯେଉଁ ବର୍ଷା ହୋଇଥିଲା, ତାହାରି ଫଳରେ ହୁଏତ ବର୍ଷା ପାଣି ଗହୀର ମଝିରେ ଥିବା କୌଣସି ଖାଲରେ ଜମି ରହିଛି । ଯାହା ହେଉ, ସେଥିରୁ ମୁନ୍ଦିଏ ନ ପିଇଲେ ଆଉ ପ୍ରାଣ ରହିବ ନାହିଁ ।

 

ବାଟ ଭାଙ୍ଗି ସେ ବିଲ ମଝିଏ ମଝିଏ ସେହି ଆଡ଼କୁ ଲକ୍ଷ୍ୟକରି ଚାଲିଲା । ମୁନ୍ଦିଏ ପାଣି ଆଶାରେ ଜଗୁ ଗହୀର ବିଲରେ ଟେକାଭୁଷା ମାନିଲା ନାହିଁ । ନୂଆ ଉତ୍ସାହରେ ଦିଗୁଣ ବେଗରେ ସେ ଧାଇଁବାକୁ ଲାଗିଲା । ସେ ଯେତିକି ପାଖକୁ ଆସୁଥାଏ, ତାର ଉତ୍କଣ୍ଠା ସେତିକି ବଢ଼ୁଥାଏ । ପାଣି ପିଇବାର ଇଚ୍ଛା ମନରେ ବଳବତୀ ହେଉଥାଏ ।

 

ସେ ପାଣିକୁଳକୁ ଆସିଲା । ତାର ମନ କଥା କାର୍ଯ୍ୟରେ ଫଳିଛି, ଏହା ଭାବି ସେ ଆନନ୍ଦରେ ଅଧୀର ହୋଇପଡ଼ିଲା । କିନ୍ତୁ ପାଣିଖାଲକୁ ଚାହିଁ ଯାହା ଦେଖିଲା, ତାର ଦେବ ଭୟରେ, ଘୃଣାରେ ଥରି ଉଠିଲା । ଗହୀର ମଝିରେ ଛୋଟ ଖାଲ । କେତେ ଦିନର ବଦ୍ଧ ପାଣି । ଉପରେ ସର ପଡ଼ିଛି । ଚାରିପାଖରେ ପଙ୍କ । କୁଳକୁ କିଛି ଦୂର ଛାଡ଼ି ଦି’ଟା ଫୁଲଶାଗୁଣା ଖାଲଆଡ଼କୁ ଏକଧ୍ୟାନରେ ଚାହିଁ ବସିଛନ୍ତି । ଗୋଟାଏ ବିଲୁଆ କିଛି ଦୂରରେ ଲଙ୍ଗରପଙ୍ଗର ହେଉଛି । ସେମାନଙ୍କୁ ହୁରୁଡେଇବାକୁ ଜଗୁ ତାର ଚୌହାତୀ ଠେଙ୍ଗାଟା ଉପରକୁ ଟେକି ଜୋର୍‍ରେ ତଳେ ପିଟି ଚିତ୍କାର କଲା । ଶାଗୁଣା ଦି’ଟା ଚକର ଦେଇ ଉପରକୁ ଉଡ଼ି ପଳାଇଲେ । ବିଲୁଆ ଲାଙ୍ଗୁଳ ଯାକି ପଛକୁ ଚାହିଁ ଚାହିଁ ବିଲ ମଝିକୁ ଦଉଡ଼ି ପଳାଇଲା ।

 

ଜଗୁ ମନରେ ସାହସ ବାନ୍ଧି ଟିପେଇ ଟିପେଇ ଖାଲ ପାଖକୁ ଗଲା । ନାକରେ ବାଜିଲା ସଢ଼ା ଗନ୍ଧ । ନାକ ଟେକି ଚାହିଁ ଦେଖିଲା, ଟୁବ ମଝିରେ ମୁର୍ଦ୍ଦାର ଭାସୁଛି । ବଦ୍ଧପାଣିର ସର ଭେଦ କରି ଉପରକୁ ସାମାନ୍ୟ ବାହାରିଥିବାରୁ ସହଜରେ ବାରିହେଉ ନାହିଁ । ଜଗୁ ଘୃଣାରେ ପଛକୁ ହଟି ଆସିଲା । ଟୁବର ଚାରିପାଖରେ ଘେରାଏ ବୁଲିଆସିଲା । ବାହାରି ଆସିବାର ଫେରନ୍ତି ପାଦର ଚିହ୍ନ ନାହିଁ ।

 

ସେ ଆଗରୁ ଶୁଣିଥିଲା, ଲୋକେ ପାଣି ପିଇବାକୁ ପୋଖରୀ ଭିତରକୁ ଯାଉ ଯାଉ ଦୁର୍ବଳତାବଶତଃ ଗୋଡ଼ ଖସି ଆଣ୍ଠୁଏ ପାଣିରେ ପଡ଼ି ଅନେକ ଜାଗାରେ ବୁଡ଼ି ମରିଛନ୍ତି । ଅଳ୍ପ ପାଣି ଅଛି ଏ କଥା ଜାଣି ମଧ୍ୟ ଉଠିବାକୁ ଚେଷ୍ଟା କରିବାର ଶକ୍ତି ତାଙ୍କର ନାହିଁ । କେହି କେହି ପଙ୍କ ଦେହରେ ଲାଖି ଶୁଖି ଶୁଖି ମରିବାର ସେ ଶୁଣିଛି । ପଙ୍କରୁ ଗୋଡ଼ ଉଠାଇ ଫେରି ଆସିବାର ଶକ୍ତି ଦେହରେ ନାହିଁ ।

 

ଜଗୁ ଏସବୁ କଥା ଲୋକଙ୍କ ମୁହଁରୁ ଶୁଣିଥିଲା, ନିଜେ କେବେ ଆଖିରେ ଦେଖି ନ ଥିଲା-। ଆଜି ଆଖି ଆଗରେ ଏପରି ଦୃଶ୍ୟ ଦେଖି ସେ ଶୁଣାକଥା ଅବିଶ୍ୱାସ କରିପାରିଲା ନାହିଁ । ଆହା, ଏହି ହତଭାଗ୍ୟ ଲୋକଟିର ଅବସ୍ଥା ଠିକ୍ ସେହିପରି ହୋଇଛି । ନୋହିଲେ ଶବଟାକୁ ଲୋକେ ଏତେ ଦୂର ବୋହି ଆଣି ଜାଣୁ ଜାଣୁ ଖାଲରେ ପକାଇ ଯାଆନ୍ତେ କି ଉଦ୍ଦେଶ୍ୟରେ ? ଆଣ୍ଠୁଏ ପାଣିରେ କେହି କେବେ ଆତ୍ମହତ୍ୟା କରେ ନାହିଁ ।

 

ଶୋଷରେ ହଂସା ଉଡ଼ୁଛି । ଭଲ ମନ୍ଦ ବାରି ଘୃଣା କରିବାକୁ ବେଳ ନାହିଁ । ଉଦୁଉଦିଆ ଦିପ୍ରହର । ଅସାଧ୍ୟ ବାଟ ଚାଲି ଖରାତରା ନ ମାନି ମୁନ୍ଦାଏ ପାଣି ପିଇବାକୁ ଆଶାମୁଖରେ ଆସିଛି । ପାଣି ମୁନ୍ଦାଏ ପାଟିରେ ନ ଦେଇ ଫେରିଗଲେ ଅଧବାଟରେ ପ୍ରାଣ ଛାଡ଼ିଯିବ । କଅଣ କରିବ ? କୂଳରେ ବସି ଧୀରେ ଧୀରେ ଉପରେ ସର ଆଡ଼େଇ, ସେ ଚଳେ ପାଣି ଆଣି ପାଟିରେ ପୂରାଇଲା-। ଉତ୍କଟ ଗନ୍ଧ ହେତୁ ଢୋକିପାରିଲା ନାହିଁ । ଆକି ବୁଜି, ଢକଢକ କରି କେତେ ଢୋକ ପାଣି କୌଣସିମତେ ଉଦରସ୍ଥ କଲା । ଏକମୁହାଁ ହୋଇ ଖାଲ ପାଖରୁ ଖଣ୍ଡେଦୂର ଘୁଞ୍ଚି ଆସିଲା । ସଢ଼ା ଗନ୍ଧଟା ତାର ନାକ ଫଟାଉଥାଏ । ଆଉ ଏଠାରେ ଅପେକ୍ଷା କରିବା ଉଚିତ ନୁହେଁ । ଜୀବନ ବଞ୍ଚାଇବାକୁ ନରକର ସହାୟତା ଲୋଡ଼ିଛି । ଏଥର ସେହି ଜୀବନ ପାଇଁ ନରକ ଭିତରକୁ ପଶିବାକୁ ହେବ । ସେ ଏକମୁହାଁ ହୋଇ ଦୂର ଗାଁର ଗଛକୁ ଲକ୍ଷ୍ୟକରି ସିଧା ସିଧା ଗହୀର ମଝିରେ ଚାଲିଲା ।

 

ଗତ ବର୍ଷ ପରି ଏ ବର୍ଷ ଧାନର ଅବସ୍ଥା ଶୋଚନୀୟ । ହଳ କରି ବିଲରେ ବିହନ ପକାଇବାକୁ ଲୋକ ନାହାନ୍ତି । ବିହନ ମଧ୍ୟ ନାହିଁ । ଠାଏ ଠାଏ ଯେଉଁଠି ଧାନ ବୁଣା ହୋଇଛି, ବର୍ଷା ଅଭାବରୁ ନିରାଟ ଖରାରେ ସେସବୁ ଆସି ଜଳିବା ଉପରେ । ଏ ଅବସ୍ଥାରେ ଲୋକଙ୍କର ଭବିଷ୍ୟତ ଆଶା ମଳିନ ହେଉଛି । ଶୀଘ୍ର ଯଦି ବର୍ଷା ନ ହୁଏ, ଧାନଗଛ ସବୁ ବିଲରେ ମରିବ । ଏ ବର୍ଷ ଏ ଭୀଷଣ ଦୁର୍ଭିକ୍ଷରୁ ଯେଉଁମାନେ ବଞ୍ଚିରହିବେ ଆଗତ ବର୍ଷ ସେମାନଙ୍କର ଆଉ ନିସ୍ତାର ନାହିଁ ।

 

ଦେଶ ଶଶ୍ମାନ ହେବ । ପ୍ରକୃତିରେ ପ୍ରଳୟଲୀଳା ତେବେ ଯାଇଁ ଶେଷ ହେବ । କଳ୍ପିତ ଦେବତା, ମନୁଷ୍ୟର ଭାଗ୍ୟବିଧାତାର ଅପାର କରୁଣା, ଅନନ୍ତ ଶକ୍ତିର ପୂର୍ଣ୍ଣ ପରିଚୟ ମିଳିବ ସେତିକିବେଳେ । ଯେତେବେଳେ ଶ୍ମଶାନ ଭିତରୁ ଅଳସପ୍ରକୃତି, ସହଜ-ବିଶ୍ୱାସୀ, ସ୍ୱଚ୍ଛନ୍ଦକାମୀ, ଧର୍ମଭୀରୁ, ମୁମୂର୍ଷ ଦୁଃସ୍ଥ ଓଡ଼ିଆର କରୁଣ ଚିତ୍କାର ଅନ୍ତରୀକ୍ଷ ବିଦୀର୍ଣ୍ଣ କରିବ, ତ୍ରାହି ମେ ପରମେଶ୍ୱର !

 

ମହନ୍ତ ଉମାକୁ ଚାହିଁ କହିଲେ, ତୋର ଅସୁବିଧା ହେଉ ନାହିଁ ତ ?

 

ଉମା ମୁହଁ ଟେକି ଚାହିଁଲା । ଉଜ୍ଜ୍ୱଳଦୀପ ଆଲୁଅରେ ତାର ସୁନ୍ଦର ମୁହଁଟି ଝଲସି ଉଠିଲା । ବର୍ତ୍ତୁଳ ଚିବୁକରେ ରକ୍ତରାଗ ଉକୁଟାଇ ସେ ଧୀରେ ଧୀରେ ପରିହିତ ଶାଢ଼ୀର ଜରିଧଡ଼ିକୁ ସାମାନ୍ୟ ଟାଣି କହିଲା, ଅସୁବିଧା ମୋର କଣ ହେବ ? ଗରିବ ଘରର ଝିଅ ମୁଁ । ପେଟବିକଳରେ ପ୍ରାଣ ରଖିବାକୁ ଛତରକୁ ଗୋଡ଼ କାଢ଼ିଥିଲି । ତମେ ଦୟା କରି ଘରେ ଆଶ୍ରୟ ଦେଇଛ । ତମର ସେବାକରି ମୁଠିଏ ଖାଇବାକୁ ପାଇଲେ ମୋର ଯଥେଷ୍ଟ ।

 

ମହନ୍ତ ସାମନ୍ୟ ହସିଲେ । ତାଙ୍କର ପୌଢ଼ ହୃଦୟର କେଉଁ ନିଭୃତ କୋଣରେ ବାତ୍ସଲ୍ୟର ସୂକ୍ଷ୍ମ ତନ୍ତ୍ରୀଟି ସମାନ୍ୟ ଥରିଉଠିଲା । ଦେବତା ଅତିଥିର ସେବାବ୍ରତ କରି, ଅଟଳ ବ୍ରହ୍ମଚର୍ଯ୍ୟ ଘେନି ଜୀବନଯାପନ କରିବାକୁ ସେ ସଂସାରର ସବୁ ସୁଖ ଛାଡ଼ି ଆସିଥିଲେ । ଏତେ ସମ୍ପତ୍ତିର ଅଧିକାରୀ ହୋଇ ସୁଦୀର୍ଘ ଜୀବନରେ କେତେ ସୁଖଦୁଃଖର ବତାସ ବହି ଚାଲିଗଲା । ଦେବସେବା, ଅତିଥିସେବା ସଙ୍ଗେ ସଙ୍ଗେ ସଂସାରର କୌଣସି ସୁଖ, କୌଣସି ଆନନ୍ଦ ଉପଭୋଗ କରିବାକୁ ଆଉ ବାକୀ ନାହିଁ । ପ୍ରଭୁତ ଅର୍ଥର ଅଧିକାରୀ ସେ, କେଉଁ ସୁଖର ଅଭାବ ରହିବ ?

 

ମାତ୍ର ଗୋଟିଏ ବିଷୟରେ ଅଭାବ ରହିଥିଲା । କୋମଳ ସୂକ୍ଷ୍ମ ପ୍ରବୃତ୍ତି ଆଶାକୁଳ ହୋଇ ତାଙ୍କ ପ୍ରାଣକୁ ମଥିତ କରୁଥିଲା । ସେହି ପ୍ରବୃତ୍ତିକୁ, ମନର ରିହକୁ ସନ୍ତୁଷ୍ଟ କରିବାକୁ ଅନାଥିନୀ ଉମାକୁ ବାଟରୁ ଗୋଟାଇଆଣି ମନର ସ୍ୱପ୍ନପ୍ରତିମା, ବାତ୍ସଲ୍ୟର କ୍ରୀଡ଼ନକ କରି ଗଢ଼ିବାକୁ ଇଚ୍ଛା ବଳବତୀ ହେଲା । ସେ ଉମାକୁ କନ୍ୟାରୂପେ ବରଣ କରି ଅପୂର୍ଣ୍ଣ ଜୀବନକୁ ପୂର୍ଣ୍ଣ କରିବେ ବୋଲି ଭାବିଲେ ।

 

ମହନ୍ତ କହିଲେ, ତୁ କାହାର ସେବା କରିବୁ, ଜାଣୁ ମା ? ଯେଉଁ ଅଦେଖା ହାତର ଇଙ୍ଗିତରେ ତତେ ମୁଁ ମୃତ୍ୟୁଯାତ୍ରାରୁ, ନରକପଥରୁ ଗୋଟାଇ ଆଣିଛି, ସେହି ଶକ୍ତିମାନ୍ ପ୍ରତ୍ୟକ୍ଷ ଦେବତା ଲକ୍ଷ୍ମୀକାନ୍ତ ଦେଉଳରେ ବିଜେ ହୋଇଛନ୍ତି । ଦିନରାତି ତାଙ୍କର ସେବା କରୁଥା ।

 

ରାତି ପ୍ରାୟ ଦୁଇଘଡ଼ି ହେବ । ମଠର ଦାସୀ ଗୋଟିଏ ବେଲାରେ ଅଧ ବେଲାଏ ଘୋରା ଚନ୍ଦନ ହାତରେ ଧରି ସେଠାରେ ଉପସ୍ଥିତ ହେଲା । ମହନ୍ତ ତାକୁ ଦେଖି କହିଲେ, କଅଣ ସେ ? ଲକ୍ଷ୍ମୀକାନ୍ତଙ୍କ ଛଡ଼ା ଚନ୍ଦନ ? ବାଃ, ରଖି ଦେ ଥାକ ଉପରେ ।

 

ଦାସୀ ଉତ୍ତର ନ ଦେଇ ବେଲାଟି ଥାକ ଉପରେ ସଯତ୍ନରେ ରଖିଦେଲା । କେଜାଣି କାହିଁକି ଆଡ଼ ଆଖିରେ ଉମାକୁ ବାରମ୍ବାର ଚାହିଁ ମୁହଁ ମୋଡ଼ିବାକୁ ଲାଗିଲା । ମହନ୍ତ କହିଲେ, ଆଲୋ ରାଧୀ, ଦେଖ୍ ତ ଏ ପିଲାଟିକୁ । କହିଲୁ, ସାକ୍ଷାତ୍ ଲକ୍ଷ୍ମୀପରି ଦିଶୁଛି ନା ?

 

ଉମା ରାଧୀକୁ ଚାହିଁଲା । ରାଧୀ ଉଦ୍‌ଗତ ହସକୁ ଚାପିଧରି କହିଲା, ହଁ, କାହୁଁ ପାଇଲେ-?

 

ଲକ୍ଷ୍ମୀକାନ୍ତ ତାଙ୍କର ସେବା କରିବାକୁ ନିଜେ ତାକୁ ପଠାଇ ଦେଇଛନ୍ତି । ତୋ କାମ ଏଥର ଲାଘବ ହେବ ।

 

ରାଧୀ ଗମ୍ଭୀର ହୋଇ ଭାବିବାକୁ ଲାଗିଲା, କେତେ ତ ଲକ୍ଷ୍ମୀ ଏହିପରି ଆର୍ବିଭୂତ ହୋଇ ଲକ୍ଷ୍ମୀକାନ୍ତଙ୍କର ଅନ୍ଧାର ଅଗଣାକୁ ରୂପର ଆଲୋକରେ ଆଲୋକିତ କରି ଅଜଣା ଅଶୁଣା ଦିନେ କାହିଁ ଅନ୍ତର୍ହିତ ହୋଇଯାଇଛନ୍ତି । ନିଜର ଅତୀତ କଥା ଭାବି ସେ ବିଷର୍ମ ହେଲା । ବହୁବର୍ଷ ତଳେ, ଯେତେବେଳେ ଯୌବନର ଉତ୍ତେଜନାରେ ମନପ୍ରାଣ ଜାଗ୍ରତ ଚଞ୍ଚଳ ଥିଲା, ଯୌବନର ଲାବଣ୍ୟରେ ଆଜିକାର ଶିଥିଳ ଦେହ ଢଳଢଳ ହୋଇ ଝଲସି ଉଠୁଥିଲା, ସେ ବିଧବା ହୋଇ ଭକ୍ତିପୂତ ଜୀବନଯାପନ କରିବାକୁ ପରମହଂସ ପରମାନନ୍ଦଙ୍କର ଅଭୟଚରଣ ତଳେ ଆଶ୍ରୟ ଲୋଡ଼ିଥିଲା । ତାର ତରୁଣ ଜୀବନର ପଦସ୍ଫଳନ ପାଇଁ ଦାୟୀ କିଏ ? ସେ ଜାଣେ, ମହନ୍ତ ମଧ୍ୟ ଜାଣନ୍ତି । ଆଜି ମହନ୍ତ ବୁଢ଼ା ହୋଇଛନ୍ତି । ଯୌବନର ଶିରୀ ତୁଟିଛି । ତଥାପି ତାର ସବୁ କଥା ମନେ ଅଛି ଆଜିଯାଏ ।

ରାଧୀ ପଚାରିଲା, କି ଘର ପିଲା ସେ ?

ମହନ୍ତ କହିଲେ, ଆଜିଯାକେ ଜାଣିନୁ ? ସେ ତତେ କିଛି କହେ ନାହିଁ ପରା ?

ନା ।

ସେ ଯଦି ହାଡ଼ିଘର ପିଲା ହୁଏ, ସେଥିରୁ କଅଣ ମିଳିବ ? ମଣିଷ ଛୁଆ ତ !

ହସି ହସି ରାଧୀ କହିଲା, ହଁ, ମଣିଷ ପିଲା ।

ତୁ ତାକୁ ଝିଅ କରିପାରିବୁ ନାହିଁ ?

ଆଉ ତମେ ? ରାଧୀ ରାଗ ଅଭିମାନରେ କହିଲା ।

ସେ ତ ମୋର ବୁଢ଼ା ବଅସର ଝିଅଟା ଲୋ । ମହନ୍ତ ହସିଲେ ।

ରାଧୀ କହିଲା, ତେବେ ତ ଭଲ । ତମର ଏ ଝିଅଟିକୁ–

ତୁ ଏକା ଝିଅ ପରି ପାଳିଥିବୁ । ପାଖରୁ କୁଆଡ଼େ ଛାଡ଼ିଦେବୁ ନାହିଁ ।

ରାଧୀ ଉମାର ମୁହଁକୁ ଘଡ଼ିଏ ଚାହିଁଲା । ତାର ହାତ ଧରି ସଜଳ ଆଖିରେ କହିଲା, ମୋର ଝିଅ ହୋଇପାରିବୁ ଉମା ?

ଉମା କିଛି କହିଲା ନାହିଁ ।

 

ମହନ୍ତ କହିଲେ, ତା ନା ଉମା ନୁହେଁ, ରାଧୀ, ତା ନା ଲକ୍ଷ୍ମୀ । ତୁ ତାକୁ ଆଦର କଲେ ସେ ତୋର ଉପଯୁକ୍ତ ଝିଅ ହେବ । ଉମାକୁ ଚାହିଁ କହିଲେ, ଯା ମା ଲକ୍ଷ୍ମୀ ରାଧୀ ସାଙ୍ଗରେ ଯା ।

 

ଉମା ମହନ୍ତଙ୍କ କଥା ମାନି ରାଧୀ ପଛେ ପଛେ ଗଲା । ମହନ୍ତ ମୁହଁ ବୁଲାଇ ଅନ୍ୟବାଟ ଦେଇ ଦାଣ୍ଡ ଖଞ୍ଜାକୁ ଗଲେ ।

 

ଦିନ କେଇଟାରେ ଉମା ନିଜ ଗୁଣରେ ରାଧୀକୁ ବଶ କରିନେଲା । ମା, ମା ବୋଲି ସବୁବେଳେ ରାଧୀର ପଛେ ପଛେ ଗୋଡ଼ାଇଥାଏ । ରାଧୀ ତୁଣ୍ଡରୁ କଥା ନ ବାହାରୁଣୁ ଆଗ ବଳିପଡ଼ି ପାଞ୍ଚ ପାଇଟି କରିଯାଏ । ପାଇଟି ବୋଇଲେ, ସକାଳୁ ଉଠି ମନ୍ଦିର ଅଗଣା ଓଳାଓଳି, ଠାକୁର ବାସନ ମଜା, ଠାକୁରଙ୍କ ପାଇଁ ଚନ୍ଦନ ଘୋରା, ଦୁଇବେଳା ବଗିଚାରୁ ଫୁଲ ତୋଳି ଫୁଲ ଗୁନ୍ଥିବା ଇତ୍ୟାଦି । ରନ୍ଧାବଢ଼ା କାମ କରିବାକୁ ପୁଝାରୀ ଅଛନ୍ତି । ବାସନକୁସନ ମାଜିବାକୁ ବାହାରିଆ ଲୋକ ଅଛନ୍ତି । ସେଥିକି ଏମାନେ ଲଗା ନୁହନ୍ତି । ଦୁଇବେଳା ଦୁଇମୁଠି ପ୍ରସାଦ ସେବା କରି ନିଶ୍ଚିନ୍ତରେ ହରିନାମ ନେବାକୁ ବେଳ ମିଳେ । ଭିତର ଅଗଣାକୁ ଯିବାକୁ ବାହାର ଲୋକଙ୍କୁ ମନା । ଆଉ କୌଣସି କଥାର ଭୟ କି ସଙ୍କୋଚ କରିବାର କାରଣ ନାହିଁ ।

 

ଉମା ରାତିରେ ରାଧୀ ପାଖରେ ଶୁଏ । ଦିନବେଳେ ବି ତାରି ଘରେ ବସାଉଠା ଚଳପ୍ରଚଳ ହୁଏ । ସୁବିଧା ପାଇଲେ, ବେଳ ଥିଲେ ସେ ରାଧୀର ବାରଣ ନ ମାନି ତା ଗୋଡ଼ରେ ହାତ ବୁଲାଏ । ରାଧୀ ନାହିଁ ନାହିଁ କଲେ ବି ଗାଧୁଆବେଳେ ତା ପିଠିରେ ଗାମୁଛା ବୁଲାଇଆଣେ । ପୂଜା ପାଇଁ ଫୁଲ ତୁଳସୀପତ୍ର ଆଣି ଧୋଇଧାଇ ରଖେ । ରାଧୀ ପ୍ରସାଦ ନ ପାଇଲେ ଉମା ପାଟିରେ ପାଣି ଦିଏ ନାହିଁ ।

 

ସେବାରେ ଦୁନିଆଁରେ ପର ହୋଇ କେହି ରହିପାରେ ନାହିଁ । ନିଜକୁ ତଳକୁ ନୂଆଁଇଦେଲେ କଠିଣ ପାଷାଣର ଛାତି ତରଳି ଯାଏ । ରାଧୀ ମଣିଷ । ଉମାର ଗୁଣରେ, ଉମାର ଢଙ୍ଗ ଢାଙ୍ଗରେ ସେ ଆପେ ଆପେ କିଣି ହୋଇଗଲା । ତାର ସନ୍ଦେହୀ ମନ ବଦଳିଗଲା । ସେ ବୁଝିଲା, ଉମାର ରୂପଟି ଯେପରି ସୁନ୍ଦର, ଗୁଣ ମଧ୍ୟ ସେହିପରି ସୁନ୍ଦର । ସରଳ, ଶାନ୍ତଶିଷ୍ଟ ପିଲାଟି-। ଲାଜକୁଳି ଲତା । ଆଖି ଦେଖାଇଲେ ଝାଉଁଳି ପଡ଼େ । ସଂସାରରେ ଭଲମନ୍ଦ କିଛି ଜାଣେ ନାହିଁ । ଆହା, ଏ ପିଲା ପୁଣି ଘର ଦାଣ୍ଡକୁ ଆସିଲା ! ରାଧୀ ସାହାସ କରି ପଚାରିପାରେ ନାହିଁ ।

ଦିନେ, ରାତି ଅଧରେ, ମନ୍ଦିର ପଛପଟର ଗୋଟିଏ ଛୋଟ କୋଠରୀରେ, ତଳେ ଖଣ୍ଡେ ମଶିଣା ପାରି ରାଧୀ ଶୋଇଛି । ମୁଣ୍ଡ ଉପରେ ଝୁଲାମଣି । ଗୋଡ଼ ଦିଓଟି କୋଳରେ ରଖି ଉମା ଧୀରେ ଧୀରେ ଘଷିଦେଉଛି । ଗୋଡ଼ତଳେ ରୁଖା ଉପରେ ପୁନାଗ ତେଲର ଦୀପ ମିଞ୍ଜି ମିଞ୍ଜି ଜଳୁଛି ।

ରାଧୀ ମଧୁର କଣ୍ଠରେ କହିଲା, ଶୋଇପଡ଼ ଲକ୍ଷ୍ମୀ ।

ରାଧୀର କଥା ନ ମାନି ଉମା ପୂର୍ବପରି ଘଷିଦେବାକୁ ଲାଗିଲା ।

କେତେବଳକେ ସେ ଆର୍ଦ୍ର କଣ୍ଠରେ ପଚାରିଲା, ଆଚ୍ଛା, ଲକ୍ଷ୍ମୀ, ଗୋଟିଏ କଥା ପଚାରିବି-?

ଉମା କହିଲା, କାହିଁକି ମା, ମୋତେ କଅଣ ପଚାରିବାର ଅଧିକାର ତୋର ନାହିଁ ? ତୁ ସବୁଦିନେ ମୋତେ ଯେପରି କଅଣ ପଚାରିବୁ ପଚାରିବୁ ହୋଇ ଆଉ ପଚାରୁନାହିୁଁ । ମୁଁ ଜାଣି ତୁନି ରହେ ।

ସତେ ଲୋ, କାଳେ ତୋ ମନରେ ଦୁଃଖ ହେବ !

ଦୁଃଖ ହେବ ? ମୁଁ ତ ଦୁଃଖ ଭିତରେ ବଢ଼ିଆସିଛି.... ।

 

ରାଧୀ ପଚାରିଲା, ତୁ ତୋର ଘରଦ୍ୱାର ଛାଡ଼ି ଏପରି ପିଲା ବଅସରେ ଏତେ ରୂପ ଘେନି ବାଟକୁ ବାହାରିଲୁ କାହିଁକି ?

 

ଉମା କହିଲା, ଏଇଥିପାଇଁ ମନରେ ମୋର କଷ୍ଟ ହେବ ? ପିଲାଦିନୁ ଯେତେ ଯେତେ କଷ୍ଟ ଏଇ ଅଙ୍ଗରେ ସହିଛି, ଗୋଟି ଗୋଟି କରି ମୋର ମନେ ଅଛି । ସବୁ ତୋ ଆଗରେ କହୁଛି, ଶୁଣ । ତୋ ଛଡ଼ା ମୋର ଦୁଃଖକାହାଣୀ ଆଉ କାହା ଆଗରେ କହିବି ? ମୋର ଆଉ କିଏ ଅଛି ?

 

ଉମା ତାର ଅତୀତ ଜୀବନର ପୃଷ୍ଠା ଓଲଟାଇ ସବୁ କଥା ନିଃସଙ୍କୋଚରେ ବର୍ଣ୍ଣନା କରିଗଲା । ପର ଆଗରେ ମନକଥା ଖୋଲି କହିଲେ ମନର ଦୁଃଖ କମିଯାଏ । ଉମା ତାହାର ଇତିହାସ କହି ମନର ଗୁରୁଭାର ଲାଘବ କଲା ।

 

ଶୁଣି ଶୁଣି ରାଧୀ ଧୈର୍ଯ୍ୟ ଧରି ରହିପାରିଲା ନାହିଁ । ସେ ଉଠିବସି ଛଳ ଛଳ ଆଖିରେ ଉମାର ଲୁହଧୂଆ ମୁହଁକୁ ଚାହିଁ କଅଁଳ ସ୍ୱରରେ କହିଲା, ମୋର ମନ ଭିତରେ ଗୋଟାଏ ସନ୍ଦେହ ରହିଥିଲା, ମା ! ତୋ କଥା ଶୁଣି ସବୁ ସନ୍ଦେହ ଦୂର ହୋଇଗଲା । କାନ୍ଦୁଛୁ କାହିଁକି ? ସେ ଉମାର ଆଖିରୁ ଲୁହ ପୋଛି ତାକୁ କୋଳକୁ ଆଉଜାଇ ପିଠି ଆଉଁସି କହିଲା, କପାଳରେ ଯାହାର ଯାହା ଅଛି, ନିଶ୍ଚୟ ଫଳିବ ଲୋ ମା !

 

ଉମା ଧୀରେ ଧୀରେ ତା ମୁଣ୍ଡଟି ରାଧୀର ଛାତିକୁ ଆଉଜାଇ ଗଭୀର କଣ୍ଠରେ କହିଲା, ବାପା ମା ସମସ୍ତଙ୍କୁ ହରାଇ ମୁଁ ଆଜି ନିରାଶ ହୋଇ ତୋରି ଶରଣ ପଶିଛି । ଭବିଷ୍ୟତ ମୋର କେଉଁ ବାଟରେ ଯିବ, ମୁଁ ଜାଣେ ନାହିଁ ।

 

ଭବିଷ୍ୟତ କଥା ଭାବି ତୁ ଏ ନରକ ଭିତରକୁ, ମଠକୁ ଆସିଛୁ ? ଏଠାରେ ଦେବତା ନାହାନ୍ତି ଲୋ ! ଏଟା ନିର୍ମମ ରାକ୍ଷସର ଘର । ମୁଠିଏ ଖାଇବାକୁ ମିଳିବ ସତ; କିନ୍ତୁ ନରକକୁଣ୍ଡରେ ଚିରଦିନ ଘାଣ୍ଟି ହେବାକୁ ପଡ଼ିବ ।

 

ଉମା ଭୟବିହ୍ୱଳ ହୋଇ କହିଲା, ଏପରି କାହିଁକି କହୁଛୁ ?

 

ରାଧୀ କହିଲା, ଯାହା ଦୁଇ ଆଖିରେ ଦେଖିଛି, ଯାହା ନିଜ ଅଙ୍ଗରେ ସହିଛି, ତାହା ହିଁ ତ କହୁଛି ଝିଅ । ଯୌବନରେ ବିଧବା ହୋଇ ଶାନ୍ତି ଆଶାରେ, ମୁକ୍ତି ଆଶାରେ ମୁଁ ମଠରେ ଲକ୍ଷ୍ମୀକାନ୍ତ ଆଶ୍ରା ଲୋଡ଼ିଥିଲି । ପେଟ ପାଇଁ ଆସି ନ ଥିଲି । ମୁଠିଏ ଖାଇବାକୁ ମୋର ଅଚଳ ରହି ନଥାନ୍ତା । ମା, ହେଲା କଅଣ ? ପ୍ରଲୋଭନ ପଦେ ପଦେ ଜଗି ରହିଛି । ଆନନ୍ଦ ବୋଲି, ସୁଖ ବୋଲି ଯାହାକୁ ମଣିଥିଲି, ସେହି ତ ମୋର ନରକ ଭୋଗ । ଜୀବନରେ ଶାନ୍ତି ନାହିଁ, ମୁକ୍ତି ତ ଦୂରର କଥା ।

 

କାନ୍ଦି କାନ୍ଦି ଉମା ପଚାରିଲା, ତେବେ ମୁଁ ବାଟର ଗଛମୂଳ ଛାଡ଼ି ଏଠାକୁ ଆସି ଭୁଲ କରିଛି ?

 

ଥଙ୍ଗେଇ ଥଙ୍ଗେଇ ରାଧୀ କହିଲା, ହଁ, ଭୁଲ କରିଛୁ । ତୋ ପରି ଶହ ଶହ ଲୋକ ବାଟରେ ଗଛତଳେ ଆଶ୍ରା ନେଇଛନ୍ତି । ଯାହାର କାଳ ପୂରୁଛି, ସେ ମରୁଛି, ଗଛମୂଳେ ସଢ଼ୁଚି । ଯେ ମଲା; ସେ ଗଲା । ତାକୁ ଆଉ ଦହଗଞ୍ଜ ହେବାକୁ ପଡ଼ିଲା ନାହିଁ । ଏଠି ଯେ ଜୀଅନ୍ତା କଲବଲ । ସୁଖ ବୋଲି ମଣିବ ଯାହାକୁ, ସେହି ତ ନରକ ଯନ୍ତ୍ରଣା ।

 

ଅଧୀର ହୋଇ ଉମା କହିଲା, ତେବେ ମୁଁ...

 

ମୋତେ ଛାଡ଼ି ପୁଣି ଗଛମୂଳକୁ ଫେରିଯିବାକୁ ତୋତେ ଦେବିନାହିଁ ଲୋ ଲକ୍ଷ୍ମୀ ! ବହୁଦିନ ପରେ, କେତେ ତପସ୍ୟା ଫଳରୁ ତୋତେ ମୁଁ ଝିଅ କରିପାଇଛି । ତୁ ମୋର ପାଖେ ପାଖେ ଥା । ମୁଁ ବଞ୍ଚିଥିବାଯାଏ ତୋର ଭୟ ନାହିଁ ।

 

ଉମା ଅବାକ୍‌ହୋଇ ତା ମୁହଁକୁ ଚାହିଁଲା ।

 

ରାଧୀ କହିଲା, ବେଳ ଗଡ଼ିଗଲାଣି । ମହନ୍ତ ବାବା ତୋତେ ଝିଅଠୁ ବଳି ଭଲ ପାଆନ୍ତି । ସେ ଚାହିଁଲେ ତୋର ଭବିଷ୍ୟତ ଦିନକରେ ଉଜ୍ଜ୍ୱଳ କରାଇପାରିବେ । ସମୟ ଖରାପ । ଦେଶ ଟିକିଏ ଥାଇତି ହେଉ । ଭଲ ଘର ଭଲ ବର ଦେଖି ମୁଁ ତେତେ ନିଶ୍ଚୟ ସଂସାରକୁ ପଠାଇଦେବି । ତୋତେ ଏଠି ବେଶୀଦିନ ରହିବାକୁ ପଡ଼ିବ ନାହିଁ ମନ ବ୍ୟସ୍ତ କର ନା ।

 

ଉମା ଜାଣେ, କେବଳ ମହନ୍ତ ନୁହନ୍ତି, ମଠର ସମସ୍ତେ ରାଧୀକୁ ଭକ୍ତି କରନ୍ତୁ ବା ନ କରନ୍ତୁ, ଭୟ କରନ୍ତି । ମଠରେ ଆଶ୍ରୟ ନେବା ତାର ପଚିଶ ବର୍ଷରୁ ଅଧିକ ହେଲା । ମଠର ସବୁ ହାଲଚାଲ ତାକୁ ଜଣା । ରାଧୀର ପାଟିକୁ ଡରି ଲୋକେ ସାହାସ କରି ତା ସଙ୍ଗରେ କଥାଭାଷା କରନ୍ତି ନାହିଁ । ସେ ଯାହା କହେ, ଯାହା କରେ, ସେଥିରେ କେହି ବାଧା ଦିଅନ୍ତି ନାହିଁ ।

 

ଉମା କହିଲା, ମହନ୍ତ ବାବା ମୋତେ ଦେବତା ପରି ଦିଶନ୍ତି ।

 

ରାଧୀ ହସ ହସ ହୋଇ କହିଲା, ସତରେ ଦେବତା ପ୍ରକୃତିର ଲୋକ । ତେବେ, ମଣିଷ ହୋଇ ଦୁର୍ବଳତା ସମସ୍ତଙ୍କର ଥାଏ । ମଣିଷ ତ କିଛି ଦେବତା ନୁହେଁ । ମହନ୍ତଙ୍କର ଦୁର୍ବଳ ହେବାର ସମୟ ଗଡ଼ିଯାଇଛି । ପିତୃସ୍ନେହରେ ତାଙ୍କର ହୃଦୟ ପୂରିଗଲାଣି । ଏଣିକି କିଛି ଭୟ ନାହିଁ । ସଦାନନ୍ଦ ତ ମେଞ୍ଚଡ଼ । ନିଜେ ଭଲ ତ ଦୁନିଆ ଭଲ ଲୋ, ଲକ୍ଷ୍ମୀ । ନିଜେ ଭୁଲିଲେ ଦୁନିଆ ଭୁଲେ । ନିଆଁକୁ କେହି ହାତ ବଢ଼ାନ୍ତି ନାହିଁ କି ଆଲୁଅରେ କେହି ଚୋରି କରିବାକୁ ଭରସନ୍ତି ନାହିଁ । ନିଆଁ ପରି ତେଜୀୟାନ୍‌, ଅଲୁଅ ପରି ନିର୍ମଳ ରହିଲେ ସବୁ ସଫା । ବୁଝିଲୁ ମା ?

 

ରାଧୀର ଶେଷ କଥାଗୁଡ଼ିକ ଶୁଣି ମଧ୍ୟ ଉମା ବୁଝିବାକୁ ଚେଷ୍ଟା କଲା ନାହିଁ । ସଦାନନ୍ଦର ନାମ ଶୁଣି ସେ ଅନ୍ୟମନସ୍କ ହୋଇ ଭାବିବାକୁ ଲାଗିଲା । ଉମା ତାକୁ ସବୁଦିନେ ଦେଖେ । କୋଡ଼ିଏ ବର୍ଷର ସ୍ୱାସ୍ଥ୍ୟବାନ୍‌ ଯୁବକ । ସୁନା ତାର ପରି ଦେହ । ସୁନ୍ଦର ରୂପ । କଥାଗୁଡ଼ିକ ହସି ହସି ଧୀରେ ଧୀରେ କହେ । ଉମା ତାକୁ ଅନେକ ଥର ମହନ୍ତଙ୍କ ପାଖରେ ବସିଥିବାର ଦେଖି ଆଡ଼ ହୋଇ ଫେରିଆସିଛି ।

 

ଉମା ପଚାରିଲା, ସଦାନନ୍ଦ କିଏ ମା ? ସରମରେ ଶଙ୍କିଗଲା । ତାର ମୁଖଭାବ ଲକ୍ଷ୍ୟ ନ କରି ରାଧୀ କହିଲା, ତୁ ଓଲମୀଟା କି ଲୋ ! ଏତେଦିନ ଏଠି ରହିଲୁ, ସଦାନନ୍ଦକୁ ଚିହ୍ନିନୁ ? ସେହି ପରା ମଠର ଅଧିକାରୀ । ମହନ୍ତଙ୍କ ପରେ ସେ ହେବ ମହନ୍ତ । ମହନ୍ତବାବାଙ୍କ ଭଣଜା । ପାଞ୍ଚବର୍ଷ ଦିନୁ ଏଠି ଆସି ରହିଛି । ମୋରି କୋଳରେ ଏଡ଼େଟିରୁ ଏଡ଼େ ହୋଇଛି । ଅତି ଭଲ ପିଲା-

 

ଉମା କହିଲା, ମହନ୍ତବାବାଙ୍କ ଭଣଜା ?

 

ରାଧୀ କହିଲା, ଭଣଜା କିଏ, ପୁଅ କିଏ ? ତୋର ତ ଭାଇ ଲେଖା । ରାଧୀ ବିଛଣାରେ ଶୋଇଲା । ଦୀପଟିକୁ ଫୁଙ୍କି ଲିଭାଇଦେଇ ପୁଣି କହିଲା, ରାତି ପାହିବାକୁ ହେଲାଣି, ଲକ୍ଷ୍ମୀ ! ଆ, ଏଇଠି ମୋ କୋଳରେ ଟିକିଏ ଶୋଇପଡ଼ ।

 

ଛାଇଲେଉଟ ଆଗରୁ ଜଗୁ ଗାଁମୁଣ୍ଡରେ ପହଞ୍ଚିଲା । ଚାଲି ଚାଲି ଗୋଡ଼ ‌ଥକିଗଲାଣି । ପାଦେ ଆଗକୁ ଯିବାକୁ ଶକ୍ତି ନାହିଁ । ଖରାରେ ସିଝି ଦେହମୁହଁ କଳାକାଠ । ଭୋକ ମରି, ଦେହ ଝୋଲା ମାରିଯାଉଛି । ବାଡ଼ିଖଣ୍ଡି କାନ୍ଧରେ ପକାଇ ଚାଲିବାକୁ ବଳ ପାଉନାହିଁ । ଅବଶରୁ ଆଖି ମାଡ଼ିପଡ଼ୁଛି । ଗହୀର ବାଟ ତତଲା ଭୂଇଁରେ ଚାଲି ଗୋଡ଼ତଳ ରଙ୍ଗା ପଡ଼ିଯାଇଛି । ବାରମ୍ୱାର ଝୁଣ୍ଟି ଆଙ୍ଗୁଳି ଖଣ୍ଡିଆ ହୋଇ ଧୂଳି ଲାଗି ପୋଡ଼ୁଛି । ତାର ଜାଳା ସହିବା ଯେପରି ଅସମ୍ଭବ ।

 

ସେ ଗାଁମୁଣ୍ଡରେ ଗୋଟିଏ ଗଛତଳେ ବସିଲା । ଆଜି ଆଉ ଯାଇହେବ ନାହିଁ । ଏହିଠାରେ ରାତି କାଟି ପରଦିନ ଗୋପକୁ ଯିବ । ଶାନ୍ତି ଦୂର କରିବାକୁ ସେ ଛାଇତଳେ ବସିଲା । ଦୁଇ ଆଣ୍ଠୁର ଦୁଇ ପାଖରେ ହାତ ଗୁଡ଼ାଇ, ତା ଉପରେ ମୁଣ୍ଡ ରଖି ଆଖି ବୁଜିଲା । ପବନ ଧୀରେ ଧୀରେ ଝାଳ ଜର ଜର ଦେହକୁ ଶୀତଳ କରିବାକୁ ଲାଗିଲା । ତାକୁ ନିଦ ହେଲା ।

 

ଖରା ତେଜ କମିଆସିଲା । କୁକୁରଙ୍କର ଭାଉଁ ଭାଉଁ କଜିଆରେ ନିଦ ଭାଙ୍ଗିଲା । ସେ ଉଠି ବାଡ଼ିଖଣ୍ଡି ହାତରେ ଧରି ଠିଆହେଲା । ବେଳ ଗଡ଼ିଗଲାଣି । ଗାଁ ଭିତରକୁ ଯାଇ କାହା ଘରେ ରାତି କଟାଇବାର ବ୍ୟବସ୍ଥା ନ କଲେ ଅସୁବିଧାରେ ପଡ଼ିବାକୁ ହେବ । ଜଗୁ ମଦୁଆଙ୍କ ପରି ଟଳି ଟଳି ଆଗକୁ ଚାଲିଲା । କୁକୁର ଦୁଇଟା ସନ୍ଦେହରେ ଜଗୁକୁ ଚାହିଁ ଧାଇଁ ଧାଇଁ ବିପରୀତ ଆଡ଼େ ଚାଲିଗଲେ ।

 

କିଛି ଦୂର ଯାଇ ସେ ଗୋଟିଏ ଆମ୍ୱତୋଟା ଭିତରେ ପଶିଲା । ଚାରିଆଡ଼କୁ ଆଖି ବୁଲାଇ ଯେଉଁ ଭୟଙ୍କର ଦୃଶ୍ୟ ଦେଖିଲା, ତା’ର ଟାଣ ମନ ଦବିଗଲା । ଗୋଡ଼ ଆଗକୁ ନ ପଡ଼ି ଯେଉଁଠି ଥିଲା ସେଇଠି ଅଟକିଗଲା । ଛାତି ଭିତର ଥର ଥର କମ୍ପିବାକୁ ଲାଗିଲା ।

 

ଅନ୍ଧରିଆ ଘଞ୍ଚ ଆମ୍ୱତୋଟା । ଚାରିପାଖରେ ଉଚ୍ଚ କିଆବାଡ଼ । ତାରି ଭିତରେ ବାଟ ପଡ଼ିଛି । ତୋଟା ମଝିରେ ଗଛତଳେ ଗୋଟାଏ ଶବକୁ ବିଲୁଆ, କୁକୁର, ଶାଗୁଣା ଘେରି ଟଣାଟଣି କରୁଛନ୍ତି । ତୋଟାରେ ଏଣେ ତେଣେ ମଧ୍ୟ ଆଉ କେତୋଟି ଶବକୁ ସେହିପରି ବିଲୁଆ, କୁକୁର ଘେରି ବସିଛନ୍ତି । ସ୍ତ୍ରୀ ପୁରୁଷ, ବାଳକ ସମସ୍ତେ ଆଜି ସମଦଶାପନ୍ନ ହୋଇ ମରଣକୁ ବରଣ କରିଛନ୍ତି । ଭୀଷଣ ଦୁର୍ଭିକ୍ଷ ସଙ୍ଗେ ତୁମୂଳ ସଂଗ୍ରାମ କରି ସେମାନେ ବିଜିତ ହୋଇ ଆତ୍ମବଳି ଦେଇଛନ୍ତି ଦୁର୍ବିକ୍ଷ ରାକ୍ଷସର ସନ୍ତୁଷ୍ଟି ପାଇଁ । ବିଜିତ ସେମାନେ, ତଥାପି ସେମାନେ ବୀର ! ବିଲୁଆ କୁକୁର ସେମାନଙ୍କର ତ୍ୟକ୍ତ ମଲା ଦେହକୁ କ୍ଷତବିକ୍ଷତ କରି ମହାଆନନ୍ଦରେ କୋଳାହଳ କରି ଖାଉଛନ୍ତି । ସେଥିକି ସେମାନଙ୍କର ଶୋଚନା ନାହିଁ ।

 

ବୀର ଓଡ଼ିଆ ! ଅତୀତରେ ବିଜୟ ପାଇଁ, ମାନସମ୍ଭ୍ରମ ପାଇଁ ଅଜଣା ଦେଶର ଅଚିହ୍ନା ମଶାଣିରେ ଦେହ ମିଶାଇ ଦେଇଥିଲା ମଣିଷ ସଙ୍ଗେ ସଂଗ୍ରାମ କରି । ବୀର ଓଡ଼ିଆ ! ଧନ ପାଇଁ, ସୁଖ ପାଇଁ ସୁଦୂର ଦରିଆର ଅତଳ ଗର୍ଭରେ ଶୀତଳ ସମାଧି ଘେନିଥିଲା । ଦିନେ, ପ୍ରକୃତି ସଙ୍ଗେ ସମର କରି । ଆଜି ସେହି ବୀର ଓଡ଼ିଆ ! ସ୍ୱଦେଶର ପଥଘାଟ, କାନନକାନ୍ତାର ସବୁଠାରେ ନିଜର ବିଜିତ ଦେହ ବିଛାଇ ଦେଇଛି, ନିଜ ସଙ୍ଗେ, ନିଜର ଉଦର ସଙ୍ଗେ ସଂଗ୍ରାମ କରି । ସଂସାର ଆଖିରେ ସେ ଆଜି ଭୀରୁ, କାପୁରୁଷ, ମେଣ୍ଢା କିନ୍ତୁ ମରଣ ଆଖିରେ ସେ ପ୍ରବଳ ପରାକ୍ରାନ୍ତ ଖାରବେଳ । ସୁଖରେ ମରିବାକୁ ସେ ଆଜି ଚାହେଁ ନା । ସେ ଚାହେଁ ଯୁଦ୍ଧ, ଅବସ୍ଥା ସଙ୍ଗେ ନୁହେଁ, ମରଣ ସଙ୍ଗେ ।

 

ଜଗୁ ଆଉ ଭୟ କରିବ କଅଣ ? ଦିନେ ହୁଏ ତ ତାକୁ ବି ଏହିପରି ଗଛମୂଳରେ ଶ୍ୱାନଶୃଗାଳର ଆହାର୍ଯ୍ୟ ହୋଇ ଶୋଇବାକୁ ପଡ଼ିବ । ଯେତେବେଳେ ଯାହା ହେବାର ତ ହେବ, ଆଜିଠୁଁ ଡରିହରି ପଛେଇବ କାହିଁକି ?

 

ସେ ଧୀରେ ଧୀରେ ତୋଟାରେ ଗୋଟିଏ ପାଖ ବାଡ଼ କଡ଼େ କଡ଼େ ଚାଲିଲା । ଉତ୍କଟ ପଚା ଗନ୍ଧରେ ନାକ ଫାଟିପଡ଼ୁଛି । ସେ ମାନିଲା ନାହିଁ । ଅଟକି ରହିଲା ନାହିଁ । ନିଃଶବ୍ଦରେ ଏଣକି ତେଣିକି ଚାହିଁ ଦ୍ରୁତପଦରେ ଆଗକୁ ଚାଲିଲା । ରକ୍ତମୁଖା କୁକୁରଗୁଡ଼ାକ ଭୟଙ୍କର ଆଖି ଦେଖାଇ ସନ୍ଦେହରେ ତା ଆଡ଼କୁ ଚାହିଁଲେ । ବିଲୁଆଗୁଡ଼ା ମୁହଁ ବୁଲାଇ ଜିଜ୍ଞାସୁ ନେତ୍ରରେ ତା’ର ମନକଥା ଜାଣିବାକୁ ଚେଷ୍ଟା କଲେ । ଜଗୁ ତଳକୁ ମୁହଁକରି ଆଡ଼ ଆଖିରେ ସବୁ ଦେଖିଲା । ଭୟରେ ସର୍ବାଙ୍ଗରୁ ପ୍ରାଣ ଛାଡ଼ିଆସିଲା ଯେପରି । ଯଦି ସେମାନେ ତାକୁ କାମୁଡ଼ିବାକୁ ଗୋଡ଼ାନ୍ତି ସେ କଅଣ କରିବ ? ସେ ତାର ଠେଙ୍ଗାକୁ ଆହୁରି ଚାପି ଧରିଲା ।

 

ତୋଟା ପାର ହୋଇ ଜଗୁ ନିଶ୍ଚିନ୍ତରେ ନିଃଶ୍ୱାସ ମାରିଲା । ଆଗରେ ଗଛ ସନ୍ଧିରୁ ଗାଁର ଭଙ୍ଗା ମଥାନ ଦିଶିଲାଣି । ଏଥର ବେଳ ବୁଡ଼ିଲେ ସେ ଡରିବ ନାହିଁ । ସେ ଥରେ ପଛକୁ, ତୋଟାଆଡ଼କୁ ଚାହିଁ ଗାଁ ଗୋହିରିକୁ ଲକ୍ଷ୍ୟକରି ଚାଲିଲା । ଖଣ୍ଡେ ଦୂର ଆସି ଦେଖିଲା, ଛୋଟ ଗୋଟିଏ ଖାଲରେ ଜଣେ ସ୍ତ୍ରୀଲୋକର ଶବ ପଡ଼ିଛି । ତା ପାଖରେ ବିଲୁଆ କୁକୁର କେହି ନାହିଁ । ଟିକିଏ ଦୂରରେ ଡାମରା କାଉ ତା ଆଡ଼କୁ ଅନାଇ କା କା ହୋଇ ତାର ବନ୍ଧୁମାନଙ୍କୁ ନିମନ୍ତ୍ରଣ କରୁଛି । ଲୋକଟି ଯେ ପେଟଦାଉରେ ମରିଛି, ଏକଥା ତାର ଦୁର୍ବଳ ଦେହ ଦେଖି ବେଶ୍‌ ବୁଝାପଡ଼ୁଛି । ଦେହରେ ପଞ୍ଜରାକାଠି ହାଡ଼ ଖଣ୍ଡି ଛଡ଼ା ମାଂସର ଦେଖା ନାହିଁ ।

 

ଜଗୁ ମୁହଁ ଫେରାଇ ଚାଲିଲା । ବଡ଼ ଆଚମ୍ୱିତ କଥା । ଏକାଦିନକେ ଏତେ ଲୋକ ମରି ଶୋଇଲେ ! ଠାଏ ଠାଏ ହାଡ଼ ଗଦା ହୋଇଛି । କଞ୍ଚା ମଣିଷ ମୁଣ୍ଡ ବିଲରେ ଠାଏ ଠାଏ ପଡ଼ି ସଢ଼ୁଛି-। ମାଛି ବସି ଭଣ ଭଣ ହେଉଛନ୍ତି । ବୁଝାଯାଉଛି, ହଇଜା ପଶି ଗାଁରୁ ଲୋକ ପଦା କରିଦେଲାଣି । ଗାଁ ଲୋକେ ଛିନ୍‌ଛତର ହୋଇ ଯିଏ ଯୁଆଡ଼େ ପଳାଇଲେଣି । ଜୀଅନ୍ତା ମଣିଷର ଦେଖା ତ ଦୂରର କଥା, ପାଟି ମଧ୍ୟ ଶୁଭୁ ନାହିଁ ।

 

ଜଗୁ ଅସ୍ତବ୍ୟସ୍ତ ହୋଇପଡ଼ିଲା । ଜଣେ ଜୀବନ୍ତ ମଣିଷର ମୁହଁ ଦେଖିବାକୁ ମନ ଆକୁଳ ହେଲା । ଶୀଘ୍ର ଗାଁ ଭିତରକୁ ଯିବାକୁ ଗତି ଦ୍ରୁତତର କରିବାକୁ ଇଚ୍ଛା କଲା; କିନ୍ତୁ ଅବଶ ଗୋଡ଼ ଚଳିଲା ନାହିଁ ।

 

ଗାଁ ଗୋହିରି ଆରମ୍ଭ । ଡାହାଣହାତି କିଆବାଡ଼ ପୁରୁଷେ ଉଚ୍ଚ । ବାଁ ପାଖରେ ବେତ, କାନକୋଳି କଣ୍ଟାବଣ । ମଝିରେ ସାମାନ୍ୟ ଖୋଲାଯାଗା । ପାଖରେ ଗୋଟିଏ ଛୋଟ ନହରକୋଳି ଗଛ । ଜଗୁର ଆଖି ଯାଇ ସେଇଠି ପଡ଼ିଲା । ସ୍ତ୍ରୀଲୋକଟିଏ, ସ୍ୱାସ୍ଥ୍ୟ ମନ୍ଦ ନୁହେଁ, ଲଙ୍ଗଳା ହୋଇ, ସେହି ଗଛମୂଳରେ, ବେତ ବୁଦା କଡ଼କୁ, ଚିତ୍‌ହୋଇ ଶୋଇଛି । ତାର ମୁଣ୍ଡ ପାଖରେ ଦେଢ଼ବର୍ଷର ପିଲାଟିଏ ବସି ତଳକୁ ଚାହିଁ କଅଣ କରୁଛି ।

 

ଜଗୁ ବିଚିତ୍ର ମଣିଲା । ଜୀଅନ୍ତା ଲୋକ କି ଲଙ୍ଗଳା ହୋଇ ଅରମା ଜାଗାରେ ନିଶ୍ଚିନ୍ତରେ ଶୋଇପାରେ, ପ୍ରାଣାଧିକ ଶିଶୁଟିକୁ ଛାଡ଼ି ? ତା ମନ ବୁଝିଲା ନାହିଁ । ବାଡ଼ିରେ କଣ୍ଟାଗଛ ଆଡ଼େଇ ମୁଣ୍ଡ ନୁଆଁଇ ବାଡ଼ ପାରିହୋଇ ପାଖକୁ ଗଲା । ଅପରିଚିତ ଲୋକ ଦେଖି ଶିଶୁଟି ଭୟରେ ତା ମା’ର ଛାତି ଉପରେ ଶୋଇଲା । ଦୁଇ ହାତରେ ତାକୁ କୁଣ୍ଢଇ ଧରିଲା । ସ୍ତନଟିଏ ମୁଖରେ ଦେଇ ଭୟରେ ଆଖି ବୁଜି ଶୋଇବାର ଛଳନା କଲା । ଠିକ୍‌ ସେତିକିବେଳେ, ବୁଦା ଉହାଡ଼ରୁ ଗୋଟିଏ ଶୃଗାଳ ଗଛପତ୍ର ହଲାଇ ତୀର ବେଗରେ ଛୁଟି ପଳାଇଲା ।

 

ଜଗୁ ନିର୍ବାକ ହୋଇ ପାଖରେ ଠିଆହୋଇ ନାରୀ ଓ ତାର ଶିଶୁକୁ ଚାହିଁ ରହିଲା ଆକୁଳ ନେତ୍ରରେ । ଯୁବତୀ, ସୁରୂପା, ବିଧବା ମରି ଶୋଇଛି, ସମ୍ଭବତଃ ହଇଜାରେ । ପାଖରେ ଗୋଟାଏ ଛୋଟ ପୁଡ଼ା ରଖାହୋଇଛି । ଟିକିଏ ଦୂରରେ ଖଣ୍ଡେ ମଇଲା ଲୁଗା । ଦୁର୍ଗନ୍ଧ, ମାଛି ପଲ ଭଣ ଭଣ ହୋଇ ଚାରିଆଡ଼େ ବସିଛନ୍ତି । ସାମାନ୍ୟ ଟିକିଏ ଶବ୍ଦରେ ଅବା ପବନରେ ପଲ ପଲ ଉଡ଼ି ପୁଣି ନିଜ ନିଜର ସ୍ଥାନ ପୂରଣ କରୁଛନ୍ତି । ସ୍ତ୍ରୀଲୋକଟିର ଆଖିକାନରେ ପିମ୍ପୁଡ଼ି ଧାର ଲାଗିଚନ୍ତି ! ତା ଛାତି ଉପରେ ଶିଶୁଟି ନିଶ୍ଚଳ ହୋଇ ପଡ଼ିଛି ଆଖି ବୁଜି । ବେଳେବେଳେ ଆଖି ଖୋଲି ମୁଣ୍ଡ ଟେକି ଚାହୁଁଛି । ଜଗୁକୁ ଦେଖି ଭୟରେ ପୁଣି ଆଖି ବୁଜି ମୁଣ୍ଡ ନୁଆଉଛି ।

 

ଜଗୁ କ୍ଷଣକ ପାଇଁ ନିଜର ଦୁଃଖରାଶି ଭୁଲିଗଲା । ସୁନ୍ଦର ଶିଶୁଟିକୁ ଚାହିଁ ତାର ପ୍ରାଣ କାନ୍ଦିଉଠିଲା । ଆହା ! ଶିଶୁଟିର ବୋଧହୁଏ ଆଉ କେହି ନାହିଁ । ଏକମାତ୍ର ଅବଲମ୍ୱନ ସ୍ନେହମୟୀ ମା ଆଜି ଟଳିପଡ଼ିଛି । କିଏ ତାକୁ ଆସନ୍ନ ବିପଦରୁ ରକ୍ଷାକରିବ ? ଅନାଥ ପିଲାଟିକୁ ରକ୍ଷା କରିବାକୁ ପାଖ ଗାଁଆରେ କେହି ଲୋକ ନାହିଁ ! ଏହି ବାଟରେ ଅନେକ ଲୋକ ଯା ଆସ କରିଥିବେ । ଧୂଳି ଉପରେ ପାଦଚିହ୍ନ ! ପିଲାଟି ସେମାନଙ୍କ ଆଖିରେ ପଡ଼ିଥିବ । କେହି ତାକୁ ଉଦ୍ଧାର କଲେ ନାହିଁ । କାହାରି ମନ ତରଳିଲା ନାହିଁ ! ଲୋକେ ସ୍ୱାର୍ଥ ନେଇ ଏଡ଼େ ପାଗଳ !

 

ଜଗୁର ଆଖିରେ ଲୁହ ଆସିଲା । ଅବୋଧ ଶିଶୁ । ଜୀବନମରଣ, ଭଲମନ୍ଦ କିଛି ଜାଣେ ନାହିଁ । ମା ଛଡ଼ା ସଂସାରରେ କାହାରିକୁ ଚିହ୍ନେ ନାହିଁ । ମା ତାକୁ ଛାଡ଼ିଛି, ମାତ୍ର ସେ ତା ମାଆକୁ ଛାଡ଼ି ପାରିନାହିଁ । କାଲି ଏତେବେଳକୁ ତା ମାଆର ଜଡ଼ ପିଣ୍ଡରେ କିଛି ନଥିବ । ସେ ମଧ୍ୟ ଜୀବନ୍ତ ଆହାର ହେବ ନିଶାଚର ଜନ୍ତୁଙ୍କର । ସଂସାରରେ କେଇଟି ଦିନର ଖେଳ । ଏଇଥିପାଇଁ ତା ଜନ୍ମ ? ଅବୋଧ୍ୟ ! ନିର୍ବୋଧ ମଣିଷର ମନଗଢ଼ା ଦେବତାର ଏହାହିଁ କଅଣ ଇଚ୍ଛା ?

 

ଦେବତା ବିରୁଦ୍ଧରେ ଜଗୁର ମନ ବିଦ୍ରୋହ ହୋଇଉଠିଲା । ମଣିଷର ଭଲମନ୍ଦ, ପାପପୂଣ୍ୟ, ସୁଖଦୁଃଖ ବୁଝିବାକୁ ଦେବତା କେହି ଅଛି କି ? ହୁଏତ ଦେବତା ମିଛ । ବିକୃତ ମସ୍ତିଷ୍କ, ଶୁଷ୍କପ୍ରାଣ, ନିଶ୍ଚେଷ୍ଟ ଅନ୍ଧବିଶ୍ୱାସୀ ଦାର୍ଶନିକର କଳ୍ପନାବସ୍ତୁ, ଅଥବା ସମାଜଧର୍ମର ବିରୁଦ୍ଧାଚାରୀ, ଆପଦଗ୍ରସ୍ତ, ଅନୁତପ୍ତ, ଦୁର୍ବଳପ୍ରାଣ ମଣିଷର ସାନ୍ତ୍ୱନା-ସହଚର । ଦେବତା ମିଛ । ଦେବତା କଳ୍ପନା-। ଦେବତା ଯଦି ସତ୍ୟ, ଦେବତା ଯଦି ବାସ୍ତବ, ତେବେ ଦେବତା ଦୁର୍ବୋଧ । ଦେବତାର ମଣିଷ ସଙ୍ଗେ ସମ୍ବନ୍ଧ ନାହିଁ । ମଣିଷ ଦେବତା ଦେବତା ହୋଇ ପାଗଳ; କିନ୍ତୁ ଦେବତା କେବେ ମଣିଷ କଥା ଭାବେ ନାହିଁ । ନୋହିଲେ ନିରୀହ, ସରଳ, ନିଃସହାୟ, ଦୁର୍ବଳ ଓଡ଼ିଆର ମୁଣ୍ଡରେ ଚଡ଼କ ପଡ଼ନ୍ତା କାହିଁକି ? ଅବୋଧ ଶିଶୁଟି ଉପରେ ଦେବତାର ଅଭିଶାପ !

 

କର୍ମଫଳ ସତ୍ୟ । କିନ୍ତୁ ଶିଶୁଟିର କର୍ମ ମୋଟେ ଆରମ୍ଭ ହୋଇନାହିଁ । ପୂର୍ବଜନ୍ମ ନିରାଟ ମିଛ । ତାହା ହେଲେ , ସଂସାର ପାଇଁ ଦେବଦତ୍ତ ଦଣ୍ଡ ଯଦି ଦୁଃଖ ଯନ୍ତ୍ରଣା ଧରିବାକୁ ହେବ, ତେବେ ଭୁକ୍ତଭୋଗୀ କେଉଁ ପାପର ଦଣ୍ଡସ୍ୱରୂପ ତାର ଆଜି ଏ ଦଶା, ବୁଝିପାରେ ନାହିଁ । ସଂସ୍କାର ହେବ କଅଣ ? ଶିଶୁର ବା ସଂସ୍କାର ହେବ କଅଣ ? ପାପପୂଣ୍ୟ ମିଛ କଳ୍ପନା । ପାପପୂଣ୍ୟର ଗଠନ ମଣିଷ, ଦେବତା ନୁହେଁ । ତେବେ ଓଡ଼ିଆ ପାପପୂଣ୍ୟ ଧରି ବସି, କଳ୍ପିତ ଦେବତାକୁ ଡରି ଶିଶୁକୁ ମରଣ ପାଖକୁ ଧ୍ୱଂସ ଆଡ଼କୁ ଜାଣି ଜାଣି ଠେଲିଦେଉଛି କାହିଁକି ? ଯେଉଁଦିନ ଓଡ଼ିଆ ଦେବତାର ବିରୁଦ୍ଧରେ ଯୁଦ୍ଧ କରି ଶିଖିବ, ସେଇଦିନ ସେ ହେବ ମଣିଷ । ଦୁଃଖଦୁର୍ଦ୍ଦଶା, ଦୁର୍ଭିକ୍ଷ ଅପସରି ରହିବ ।

 

ଜଗୁର ଆଉ ଚାହିଁ ଚାହିଁ ଭାବିବାର ସମୟ ନାହିଁ । ସନ୍ଧ୍ୟା ମାଡ଼ିଆସୁଛି । ମଣିଷର ଦେଖା ନାହିଁ । ହୁଏତ ଶିଶୁଟିକୁ ମରଣ ମୁହଁରେ ଛାଡ଼ି ଚାଲିଯିବାକୁ ହେବ, ଅଥବା ସାଙ୍ଗରେ ନେଇ ଉଦ୍ଧାର କରିବାର ଚେଷ୍ଟା କରିବାକୁ ହେବ । କିନ୍ତୁ ଶିଶୁଟିକୁ ସାଙ୍ଗରେ ନେଇ କଅଣ ଦେଇ ସେ ତାର ପ୍ରାଣ ବଞ୍ଚାଇବ ? ନିଜ ରକ୍ଷଣ ଅସମ୍ଭବ । ଖାଇବା ବିନା ଉଭୟେ ଏପରି ଦିନେ ଅପନ୍ତରାରେ ପଡ଼ି ମରିବେ ।

 

ଶିଶୁଟି ପୁଣି ଥରେ ମୁଣ୍ଡ ଟେକି ଭୟପୂର୍ଣ୍ଣ ଚାହାଣୀରେ ଜଗୁକୁ ଅନାଇଁଲା । ଜଗୁ ଆଉ ଭାବିବ କଅଣ ? ତାର ନିରୀହ କୋମଳ ଦୃଷ୍ଟିରେ ଜଗୁର କଠିନ ପ୍ରାଣ ବିଗଳିତ ହେଲା । ସେ ଧୈର୍ଯ୍ୟ ଧରି ରହିପାରିଲା ନାହିଁ । ମୃତ ନାରୀର ଛାତି ଉପରୁ ଶିଶୁଟିକୁ ଉଠାଇନେଇ କୋଳକଲା । ତାର ଭୀତ ପାଣ୍ଡୁର ମୁଖରେ ଚୁମ୍ୱନ ଦେଇ ଛାତି ଉପରେ ଭିଡ଼ି ଧରିଲା । ଚଳଚ୍ଚିତ୍ର ପରି ବେଣୁର ଛବି, ତାର କରୁଣାମୟୀ ଭାଉଜବୋହୂଙ୍କର ଛବି ଆଖି ଆଗରେ ନାଚିଗଲା । ଦୁଇ ଆଖି ଢଳ ଢଳ ହେଲା । ଜଗୁ ଧୀରେ ଧୀରେ ତାର ମୁଣ୍ଡ ଆଉଁସି କଅଁଳ ସ୍ୱରରେ କହିଲା, ତୋର ମା ତ ମରିଛିରେ ବାବୁ !

 

ପିଲାଟି କିଛି ବୁଝିଲା ନାହିଁ । ଅପରିଚିତ ଆଗନ୍ତୁକର ସ୍ନେହ ଆଦର, ମଧୁର କଥା ତାକୁ ଭୁଲାଇ ପାରିଲା ନାହିଁ । ତା ମାଆର ଛାତି ଉପରୁ ଯେ ତାକୁ ଏପରି ଭାବରେ ଉଠାଇନେଇଛି ତାକୁ ସେ ଭଲ ଆଖିରେ ଚାହାନ୍ତା କାହିଁକି ? ସେ ଭୟରେ ଜଗୁର ମୁହଁକୁ ଚାହିଁ ମୁହଁ ଫିଟାଇ କାନ୍ଦିବାକୁ ଲାଗିଲା । ଜଗୁ ଯେତେ ବୁଝାଇଲା, ଯେତେ ଆଦର ଯତ୍ନ କଲା, ସେ ଘେନିଲା ନାହିଁ । ଗୋଟାଏ ରାହା ଧରି ବିକଳ ସ୍ୱରରେ ଚିତ୍କାର କରି ହାତଗୋଡ଼ ବାଡ଼େଇବାକୁ ଲାଗିଲା । ଜଗୁ ତାକୁ କୋଳରେ ସ୍ଥିର କରି ଧରିପାରିଲା ନାହିଁ । ପିଲାଟି ଅଝଟ ହୋଇ ବାରମ୍ୱାର କୋଳରୁ ଓହ୍ଲାଇବାକୁ ଚେଷ୍ଟା କଲା । ଜଗୁ ତାକୁ ଛାଡ଼ିଲା ନାହିଁ ।

 

ଖରାରେ ଚାଲି ଚାଲି ସେ କ୍ଲାନ୍ତ ହୋଇପଡ଼ିଥିଲା । ଭୋକଶୋଷରେ ଦେହ ଝୋଲା ମାରିଯାଉଥାଏ । ଏଣେ ପୁଣି କେଜାଣି କାହିଁକି ପିଲାଟାର ଦେହ ଭକଭକ ଗନ୍ଧ ଛାଡ଼ୁଥାଏ । ଜଗୁ ତାକୁ କାନ୍ଧରୁ ଓହ୍ଲାଇ ତଳେ ଛାଡ଼ିଲା । ଶିଶୁଟି କାନ୍ଦି କାନ୍ଦି ତାର ମା ପାଖକୁ ଧାଇଁ ତାଆର ଛାତିରେ ମୁହଁ ଲୁଚାଇଲା । ଆହା ! ସନ୍ତାନର ଦୁର୍ଦ୍ଦଶା ଦେଖି ଶବ-ମାଆର ଦେହ ଚଳିଲା ନାହିଁ । ଆଦର କରି ସେ ଶିଶୁକୁ ପଦେ ମିଠା କଥା କହିଲା ନାହିଁ । ଶିଶୁର ଦେହରେ ସ୍ନେହର ହାତ ବୁଲାଇଲା ନାହିଁ । ଶବଟି ସାମାନ୍ୟ ଥରି ଉଠି ନିଶ୍ଚଳ ହେଲା ।

 

ଜଗୁ ପୁଣି ଭାବିବାକୁ ଲାଗିଲା, ଜାଣୁ ଜାଣୁ ଯେ ସ୍ୱର୍ଗର ଫୁଲ ପରି ଶିଶୁଟିକୁ ଶବର ଆଶ୍ରାରେ ଛାଡ଼ିଯିବ ? ଅବୋଧ ବାଳକ କିଛି ବୁଝିନାହିଁ । କିଛି ଜାଣି ନାହିଁ । ତା ପକ୍ଷରେ କାନ୍ଦିବା ନିତାନ୍ତ ସ୍ୱାଭାବିକ । ମଣିଷ ହୋଇ କଠୋର ପାଷାଣପରି ଶିଶୁଟିକୁ ଛାଡ଼ିଯିବ ?

 

ଜଗୁ ପିଲାର ଡେଣା ଧରି ସାମାନ୍ୟ ଉଠାଇ କହିଲା, ଆ ବାବୁ, ତୋର ମା ଯେ ମରିଛି-! ତାର କଣ୍ଠ ରୁଦ୍ଧ ହେଲା । ସେ ଆଉ କହିପାରିଲା ନାହିଁ । ଲୁହଭରା ଆଖିରେ ତାକୁ ଦୁନିଆଁଟା ଜାଲିଜାଲିଆ ଦେଖାଗଲା । ସେ ଆଖିର ଲୁହ ପୋଛିଲା ।

 

ବାଳକ କୋଳରୁ ଉଠି ଶବର ମୁହଁପାଖକୁ ଗଲା । ଓଠ ଫିଠାଇ ଶବଟିର ବିକୃତ ଭୟଙ୍କର ମୁହଁକୁ ଚାହିଁ; କଅଣ ଭାବି କେଜାଣି ଚିତ୍କାର କରି କାନ୍ଦିଉଠିଲା । ବାରମ୍ୱାର ଶବର ମୁହଁକୁ ଚାହିଁ ମୁହଁ ବୁଲାଇ ସେ ବେଳୁ ବେଳ ଅଧୀର ହୋଇ କାନ୍ଦିଲା । ମୁହଁରେ ତାର ଗୋଟିଏ ରାହା, ବୋଉ ଲୋ..... ।

 

ଜଗୁ ଦୂରରେ ଠିଆ ହୋଇ ଗେହ୍ଲେଇ କହିଲା, କାନ୍ଦ ନା ବାବୁ ତୁନି ହ ।

 

ସେ ତୁନି ହେଲା ନାହିଁ । ମୃତା ଜନନୀର ମୁହଁରେ ହାତ ବୁଲାଇ, ରାଗରେ ତାଆର ମୁଣ୍ଡରେ ଚାପୁଡ଼ା ମାରି ପୂର୍ବପରି ଉଚ୍ଛନ୍ନ ହୋଇ କାନ୍ଦିଲା । ଜଗୁ ଶବର ପାଖକୁ ଚାଲିଗଲା । ପିଲାଟି ବିପଦ ଆଶଙ୍କା କରି ଶବର ମୁହଁରେ ମୁହଁ ଲଗାଇ ପୂର୍ବ ପରି ବୋଉ ବୋଉ ହୋଇ କାନ୍ଦିଲା । ସେ ଦୃଶ୍ୟ ଦେଖି ଜଗୁ ହୃଦୟର ଦାରୁଣ ଦୁଃଖ ସହିପାରିଲା ନାହିଁ । ଦୀର୍ଘଶ୍ୱାସ ଛାଡ଼ି ମୁହଁ ବୁଲାଇଲା ! କାହିଁ, ପିଲାର କାନ୍ଦଣା ଶୁଣି ଦେବତାର ଆସନ ଥରିଲା ନାହିଁ, ଧରଣୀ ଫାଟିଲା ନାହିଁ, କି ଅନ୍ତରୀକ୍ଷ ବିଦୀର୍ଣ୍ଣ ହେଲା ନାହିଁ ? ମରୁଭୂମିର ଏକାକୀ ଯାତ୍ରୀ ପରି ଶିଶୁଟି ଶଶ୍ମାନ ଦେହରେ ଏକାକୀ ବସି କାନ୍ଦୁଛି । ତାର କାନ୍ଦଣା କଅଣ ନିକଟ ଗ୍ରାମରେ କାହାରି କାନରେ ବାଜୁନାହିଁ ? ଜଗୁ ସେହିଠାରେ ଅଚଳ ହୋଇ ଠିଆ ହୋଇଥାଏ ।

 

ସନ୍ଧ୍ୟା ହେଲା । କାହାରି ଦେଖା ମିଳିଲା ନାହିଁ । ଶିଶୁଟି ପୂର୍ବପରି କାନ୍ଦୁଥାଏ । ଦୂର ତୋଟାରୁ ବିଲୁଆ ପଲର ଚିତ୍କାର ଶୁଣାଗଲା । ଜଗୁ ଭାବିବାକୁ ଲାଗିଲା, କର୍ତ୍ତବ୍ୟ କଅଣ ? ଭୋକରେ ପେଟ ଗର୍ଜି ଉଠିଲା । ମୁଣ୍ଡ ଘୂରିଗଲା । ନା, ଆଉ ରହିହେବ ନାହିଁ । ଜୀବନରକ୍ଷା ହିଁ ତା ଉପସ୍ଥିତ କର୍ତ୍ତବ୍ୟ । ତେବେ ସେ ତା’ର ମନର କୋମଳ ପ୍ରବୃତ୍ତିକୁ ପ୍ରଶ୍ରୟ ଦେଇ ଦୁର୍ବଳତାକୁ ମନରେ ସ୍ଥାନ ଦେଉଛ କାହିଁକି ? ସେ ଯେ ଜୀବନ ଚାହେଁ । କେତେ ଘଟଣା ତ ତା ଆଖିରେ ପଡ଼ିବ । ସେ ଯଦି ନିଜକୁ ଭୁଲି ସେଥିରେ ନିଜକୁ ନିଯୁକ୍ତ କରିବାକୁ ବସେ, ତେବେ ସେ ଦାରୁଣ ଦୁର୍ଭିକ୍ଷକୁ ଜୟ କରିପାରିବ ନାହିଁ । ପୃଥିବୀ ପ୍ରଳୟ ହେଉ, ତଥାପି ସେ ବଞ୍ଚିବାକୁ ଚାହେଁ ।

 

ଜଗୁ ନିର୍ଦ୍ଦୟ ଦୃଷ୍ଟିରେ କାନ୍ଦିଲା ଶିଶୁକୁ ଚାହିଁଲା । ପୁଣି ତାର ମନର ଦୁର୍ବଳତା ସବୁ ପ୍ରକାର ତକକୁ ପଛରେ ପକାଇ ଉପରକୁ ଉଠିଲା । ସେ ଆଖି ଫେରାଇ ଦୂରକୁ ଘୁଞ୍ଚିଆସିଲା । ସ୍ୱାର୍ଥ ପାଇଁ, ଜୀବନ ପାଇଁ ସେ ଶିଶୁଟିକୁ ମରଣର ଦ୍ୱାର ଦେଶରେ ଛାଡ଼ି ନିଶ୍ଚୟ ଆଜି ଚାଲିଯିବ । ତାକୁ ସାଙ୍ଗରେ ନେଇ ବନ୍ଧନ, ଦାୟିତ୍ୱ ବଢ଼ାଇ ଜୀବନକୁ ଭାରଗ୍ରସ୍ତ, ବିପନ୍ନ କରିବ କାହିଁକି ?

 

ଦୁର୍ଭିକ୍ଷ ଆସିଲା । ଅସାବଧାନ, ଅଦୂରଦର୍ଶୀ ଓଡ଼ିଆର ଶହ ଶହ ଅମୂଲ୍ୟ ଦେହ ମାଟିରେ ମିଶିଲାଣି, ଆହୁରି କେତେ ମିଶିବ । ଶହ ଶହ ନିରୀହ ଶିଶୁକୁସୁମ ଅକାଳରେ ଶୁଖି ମାଟିରେ ଝଡ଼ିଲେଣି । ଏହି ବାକଳଟି ସେ ସଂଖ୍ୟାକୁ ଟିକିଏ ବଢ଼ାଇବ । ଏତେ କ୍ଷତି ଯେ ସହିଛି, ସେ ଆଉ ଟିକିଏ ସହିପାରିବ ନାହିଁ ? ଜାଣୁ ଜାଣୁ ସେ କାହିଁକି ତାର ବନ୍ଧନ ବଢ଼ାଇବ ?

 

ଜଗୁ ଫେରି ଚାହିଁଲା ନାହିଁ । ବାଡ଼ିରେ କଣ୍ଟା ଆଡ଼େଇ ସେ ପୁଣି ଗୋହିରୀକୁ ଫେରିଆସିଲା । ଶିଶୁଟିକୁ ପୁଣି ଚାହିଁଲା । ସେ କାନ୍ଦ ବନ୍ଦ କରି ଆଡ଼ ଚକ୍ଷୁରେ ଜଗୁକୁ ଅନାଇଛି । ଆଖି ଆଖିର ମିଳନ ସଙ୍ଗେ ମୁହଁ ବୁଲାଇ ପୁଣି ତାର ମାଆର ମୃତ ମସ୍ତକରେ ମୁହଁ ଲୁଚାଇଲା । ଜଗୁ ଛାତିରେ ହାତ ଚାପି ମୁହଁ ପୋତିଲା ।

 

ପୁଣି ଏ ଦୁର୍ବଳତା କାହିଁକି ? ଜଗୁ ମରିଛି, ଅନେକ ଦିନରୁ ମରିଛି । ଜଗୁର ପ୍ରେତାତ୍ମା ଆଜି ମଣିଷର କୋମଳତା ଦୁର୍ବଳତାକୁ ନିର୍ବାସିତ କରି ମରଣ ବିରୁଦ୍ଧରେ ଅଭିଯାନ କରି ବାହାରିଛି-। ସେ ଚାହେଁ ଜୀବନ-। କେବଳ ଜୀବନ ପାଇଁ ସେ ଏହିପରି ସହସ୍ର ଶିଶୁକୁସୁମ ଗୋଡ଼ରେ ଦଳି ଚାଲିବ । ସେ ମଣିଷ ନୁହେ, ସେ ପ୍ରେତ । ଜଗୁ ଦ୍ରୁତପଦରେ ଖଣ୍ଡେଦୂର ଆଗକୁ ଚାଲିଗଲା । ଅନ୍ଧାର ମାଡ଼ିଆସୁଛି । ବିଲୁଆ କୁକୁରଙ୍କ ବିକଟ କୋଳାହଳ ବେଳୁବେଳ ନିକଟତର ହେଉଛି ।

 

ଜଗୁ ଅଧାବାଟରେ ଚମକି ଠିଆହେଲା । ନା, ଅସମ୍ଭବ ! ସେ ଏଡ଼େ ନିର୍ମମ କାମ କରିବ ନାହିଁ । ସେ ମଣିଷ । ଜୀବନଟା ବରଂ ଯାଉ, ସେ ଫେରିଯିବ । ଶିଶୁକୁ କୋଳକରି ଆଣିବ । ମରିବାର କଥା ତ, ଏପରି କଲବଲ ହୋଇ ଜୀଅନ୍ତା ବିଲୁଆ କୁକୁରଙ୍କ ଆହାର ହୋଇ ମରିବାକୁ ତାକୁ ସେ ଛାଡ଼ିଦେବ ନାହିଁ । ଖାଇବାକୁ ନ ପାଇ ଯଦି ସେ ତାଆରି କୋଳରେ ମରେ, ତେବେ ସେ ତାକୁ ମଶାଣି ଭୂଇଁରେ ଶୁଆଇଦେବ, ନିଶ୍ଚିନ୍ତ ହେବ ।

 

ଜଗୁର ଦୁଇ ଆଖିରୁ ଦୁଇ ଧାର ତତଲା ଲୁହ ଗଡ଼ିଲା । ଗୋଡ଼ ଚଳିଲା ନାହିଁ ।

ପୁଣି ସେହି ଦୁର୍ବଳତା । ଭୀଷଣ ପରୀକ୍ଷା !

 

ଅତି ନିକଟରୁ, କେଜାଣି କେଉଁ ବୁଦା ଉହାଡ଼ରୁ ବିଲୁଆ ଡାକି ଉଠିଲା । ସଙ୍ଗେ ସଙ୍ଗେ ଚିତ୍କାର କରିଉଠିଲା ଶିଶୁଟି । ଭୟରେ ଜଗୁ ଚମକି ଚାହିଁଲା ପଛକୁ । ଅନ୍ଧାର ଘୋଟିଆସିଲାଣି । ଛାତି ଦାଉଁ ଦାଉଁ ପଡ଼ିଲା । ନା, ମଣିଷ ନୁହେଁ ।

 

ଦୁଇ କାନରେ ଦୁଇ ହାତ ଚାପିଧରି ସେ ଲକ୍ଷ୍ୟଭ୍ରଷ୍ଟ ମୃଗଶିଶୁପରି ମୁହୂର୍ତ୍ତେ ନ ରହି ଦଉଡ଼ି ଦଉଡ଼ି ଅନ୍ଧାର ଭିତରେ ଲୁଚିଗଲା ।

 

ବେଳ ବୁଡ଼ି ଆସୁଛି । ମଠ ପଛ ଫୁଲ ବଗିଚାରେ ଗୋଟିଏ ପାଖରେ ଏକୁଟିଆ ବସି ଉମା ଗୁନ୍ଥୁଚି ମଲ୍ଲୀକଢ଼ । ନିଜ ହାତରେ ତୋଳିଥିବା ଦରଫୁଟା ମଲ୍ଲୀକଢ଼ି ଗୁଡ଼ିକ ଆଗରେ ପରା ହୋଇଥିବା ଖଣ୍ଡେ କଦଳୀପତ୍ରରେ ଗଦା କରି ରଖିଛି । ଆଜି ତା ମନରେ ଆନନ୍ଦ । ରାଧୀ କହିଛି, ତୁ ଝଅଟ କାମ ସାର ଲୋ ଲକ୍ଷ୍ମୀ, ସଞ୍ଜ ଗଡ଼ିଗଲେ ବଡ଼ ଦେଉଳକୁ ଯାଇ ଜଗନ୍ନାଥ ଦର୍ଶନ କରିବା-। ସେଇଥିପାଇଁ ସେ ଆଜି ମନ ଫୂର୍ତ୍ତିରେ ସହଳ ସହଳ କାମ ଶେଷ କରିବାକୁ ବସିଛି । ଲକ୍ଷ୍ମୀଠାକୁରାଣୀଙ୍କ ପାଇଁ ଖଣ୍ଡେ ବଡ଼ ମାଳ ଗୁନ୍ଥି ସାରିଲାଣି । ଲକ୍ଷ୍ମୀକାନ୍ତଙ୍କ ପାଇଁ ଧରିଥିବା ମାଳଟି ଶେଷ କଲେ ନିଶ୍ଚିନ୍ତ ।

 

ରାଧୀ ଆସି କହିଲା, ମାଳଗୁନ୍ଥା ସରିବ ନାହିଁ କି ଲକ୍ଷ୍ମୀ ? ମନ୍ଦିରକୁ ଯିବା ପରା !

 

ଉମା ମୁଣ୍ଡ ଟେକି ଚାହିଁଲା । ଅସ୍ତଗାମୀ ସୂର୍ଯ୍ୟର ଶେଷ ରକ୍ତରେଖା ପତ୍ର ସନ୍ଧିରେ ଛପି ଛପି ଆସି ତାଆର ସୁନ୍ଦର ମୁହଁକୁ ରକ୍ତରାଗରେ ଧୋଇ ଦେଇଗଲା । ଅଯତ୍ନ ବିକ୍ଷିପ୍ତ କେଶରାଶିକୁ ହାତରେ ସଜାଡ଼ି, ଶାଢ଼ୀର ପଣତ ମୁଣ୍ଡରେ ଦେଇ ସେ କହିଲା, ହଁ ସଇଲା ତ ।

 

ମୁଗ୍‌ଧ ଚକ୍ଷୁରେ ରାଧୀ ତା ଆଖିକୁ ଚାହିଁ କହିଲା, ଆଲୋ ଅଲରା ମୁଣ୍ଡ ବନ୍ଧା ହେବ ନାହିଁ ?

 

ଆଜି ଥାଉ ।

ଛି, କେଡ଼େ ଅସନା ଦିଶୁଛି ।

 

ରାଧୀ ଜାଣେ, ଅଲରାମୁଣ୍ଡୀ ଲକ୍ଷ୍ମୀ ତାକୁ ଭାରି ଭଲ ଦିଶେ । କଅଣ ଭାବି କହିଲା, ହଉ ହଉ । ଟିକିଏ ରହି ଉମାର ବେକକୁ ଚାହିଁ ସେ ମନକୁ ମନ କହିଲା, ଖାଲି ବେକଟା । ନିଜ ବେକରୁ ହରଡ଼ଫାଳିଆ ସୁନା ହାରଟା ଖୋଲି ସେ ନଇଁପଡ଼ି ଉମାର ବେକରେ ପିନ୍ଧାଉଣୁ ଉମା କହିଲା, ଥାଉ ମା, ତୁ ନାଇଛୁ, ମୋର କଅଣ ହେବ ?

 

ରାଧୀ ମାନିଲା ନାହିଁ । ହାର ପିନ୍ଧାଉଣୁ କହିଲା ଆଲୋ, ଏ ବୁଢ଼ୀ ବେକରେ ସୁନାହାର କଅଣ ସୁନ୍ଦର ଦିଶିବ ? ଏ ବେକକୁ ରୁଦ୍ରାକ୍ଷମାଳ ମାନିବ । ହାର ପିନ୍ଧାଇ ଆଖି ଢଳ ଢଳ କରି ସେ କହିଲା, କେମିତି ଘେନିଲା, ଦେଖିଲୁ । ଉମାର ଆଖି ଛଳ ଛଳ ହେଲା ।

 

ବାଡ଼ିଆଡ଼ କବାଟକୁ ସାମାନ୍ୟ ଠେଲି ମୁଣ୍ଡ ଗଳାଇ ଅଧିକାରୀ ସଦାନନ୍ଦ ଡାକ ଛାଡ଼ିଲେ, ମା ।

 

ଉମା ଓ ରାଧୀ କବାଟ ଆଡ଼କୁ ଚାହିଁଲେ । ସଦାନନ୍ଦ ମୁଣ୍ଡ ଟାଣିନେଇ ନେପଥ୍ୟରୁ କହିଲେ, ବଡ଼ ଦେଉଳକୁ ଯିବାର କଥା ପରା ?

 

ହସ ହସ ହୋଇ ରାଧୀ କହିଲା, ସଦାନନ୍ଦ ଡାକୁଛି । ଆସ ବାପ ଏଣିକି ।

 

Unknown

ସଦାନନ୍ଦଙ୍କୁ ବଗିଚା ଭିତରକୁ ଆସିବାର ଦେଖି ଉମା ଅଧାଗୁନ୍ଥା ହାରଟି ରଖି ଆଡ଼ ହୋଇ ବସିଲା । ସଦାନନ୍ଦ କରେଇ ହୋଇ ଠିଆହୋଇ ଗମ୍ଭୀର ଭାବରେ କହିଲେ, ଯଦି ଦେଉଳକୁ ଯିବାର କଥା, ଟିକିଏ ଆଗରୁ ଗଲେ ସୁବିଧା । ଏ କାଙ୍ଗାଳଗୁଡ଼ା ଯାହା ହେଉଛନ୍ତି....

 

ରାଧୀ କହିଲା, ଯେତେ ଖାଇଲେ ବି ତାଙ୍କୁ ନିଅଣ୍ଟ ।

 

ମୁଡ଼ୁକି ହସି ସଦାନନ୍ଦ କହିଲେ, ଦିନକୁ ଦିନ ତାଙ୍କର ସଂଖ୍ୟା ବଢ଼ୁଛି । ଏତେ ଲୋକଙ୍କୁ ଖାଇବାକୁ ଦେବା କି ସହଜ କଥା ? ଛତରମାନଙ୍କରେ ଲୋକ ଖୁନ୍ଦି ହୋଇଗଲେଣି । କିଏ ଖାଇବାକୁ ପାଉଛି ତ କିଏ ପାଉ ନାହିଁ । ଘରେ ଘରେ ଚୋରି ହେଉଛି ।

 

ରାଧି କହିଲା, ମରନ୍ତୁ ଆମର କଅଣ ଥାଏ ? ତମେ ଆମ ସାଙ୍ଗରେ ଯିବଟି ?

 

ସଦାନନ୍ଦ କହିଲେ, ମୋର ବେଳ ନାହିଁ । ଯଦି କହୁଚ, ଯିବି ।

 

ଶୁଣ୍‌ଲୋ ଲକ୍ଷ୍ମୀ, କହି ରାଧୀ ମୁହଁ ବୁଲାଇ ଅବଗୁଣ୍ଠନବତୀ ଉମାକୁ ଚାହିଁଲା । ହସି ହସି କହିଲା, କିଲୋ ଇଏ କଣ ? ଛୋପରୀଟା ! ସଦାନନ୍ଦ ତୋଓର ଭାଇ, ତାକୁ ପୁଣି ଆଡ଼ ? ଆଲୋ, ମଠର ଅଧିକାରୀ ତୋର ବଡ଼ ଭାଇ, ତାଙ୍କର ଗୋଡ଼ତଳେ ପଡ଼ ।

 

ଲାଜରେ ଉମା ସଢ଼ିଗଲା, ଉଠିଲା ନାହିଁ ।

 

କୃତ୍ରିମ କ୍ରୋଧରେ ରାଧୀ କହିଲା, ମଲାମର ! କିଲୋ, ଛତରରେ ପଶି, ଗଛମୂଳେ ଛିଣ୍ଡାକନା ପନ୍ଧି ବସିଥିଲେ ଆଜି କାହାକୁ ଆଡ଼ ହୁଅନ୍ତୁ ବା ? ଉଠ୍‌ ପ୍ରଣାମ କର । ରାଧୀ ନିଜ ହାତରେ ଉମାର ଓଢ଼ଣା କାଢ଼ି ତାର ବାହୁ ଧରି ଉଠାଇଲା ।

 

କଟୁ କଥା ଶୁଣି ଉମାର ଲଜ୍ଜାରକ୍ତ ହସହସ ମୁହଁଟି ପାଣ୍ଡୁର, ଗମ୍ଭୀର ହେଲା । ମୁହଁରେ ଝାଳ ବିନ୍ଦୁ ବିନ୍ଦୁ ହୋଇ ଫୁଟି ଉଠିଲା । ସେ ଦୁଃଖରେ ଭୟରେ ମୁଣ୍ଡ ନୁଆଁଇ ପ୍ରଣାମ କରି ରାଧୀ ପଛକୁ ଘୁଞ୍ଚିଗଲା । ମୁଣ୍ଡର ଓଢ଼ଣା ଆଉ ଟାଣିଲା ନାହିଁ ।

 

ରାଧୀ ସଦାନନ୍ଦକୁ କହିଲା, ପିଲାଦିନୁ ତମକୁ ଏଇ କୋଳରେ ବଢ଼ାଇ ଆଣିଛି । ରାଣ୍ଡି ବ୍ରାହ୍ମଣୀ । ପୁଅପତି ଜାଣେ ନାହିଁ । ସଦାନନ୍ଦକୁ ମୁଁ ପୁଅ ପରି ମଣେ ।

 

ମୁଁ କଅଣ ତତେ ମା ପରି ମାନେ ନାହିଁ ?

ନାହିଁ କରୁଛି ? ମୋର ଏ ଜିଭ ରହିବଟି ?

ସଦାନନ୍ଦ ହସିଲେ ।

 

ରାଧୀ କହିଲା, ସେଇ କଥା ମୁଁ ଲକ୍ଷ୍ମୀକୁ କହୁଥିଲି । ତାକୁ ମହନ୍ତ ମହାରାଜ ବାଟରୁ ଆଣିଛନ୍ତି ମୋ ପାଇଁ । ମୁଁ ତାକୁ ଝିଅ କରିଛି । ସେ ତମର ସାନ ଭଉଣୀଟିଏ । ତା ପ୍ରତି ସୁଦୃଷ୍ଟି ରଖ । ସେ ଆଜି ମଝି ଦରିଆରେ ଭାସୁଛି । ତମେ ଦୟା କଲେ ସେ କୂଳରେ ଲାଗିବ । ସତ୍‌ପାତ୍ରରେ ତାକୁ ଛନ୍ଦିଦେଲେ ତାର ଦୁଃଖ ଯିବ । ତମର ଧର୍ମ ହେବ ।

 

ସଦାନନ୍ଦ କହିଲେ, ମହନ୍ତବାବା ମତେ ସବୁ କହୁଥିଲେ ।

 

ଶୁଣିଲୁ ! ଆଲୋ, ସଦାନନ୍ଦ ଦେବତା ପରି ପିଲା । ତାକୁ ଭାଇ ପରି ମଣି ସବୁବେଳେ ତା’ଠାରୁ କିଛି ସଦ୍‌ଗୁଣ ଶିଖିଲେ ତୁ ନିଜେ ପବିତ୍ର, ନିର୍ମଳ ହେବୁ । ତୋର ଅଳସ ସମୟ ସୁଖରେ କଟିବ । ଯେ କେତୋଟି ଦିନ ଏଠି ଅଛୁ, ଆଡ଼ ହୋଇ କରଛଡ଼ା ଦେଇ ରହିଲେ ତୁ ଆଉ ଶିଖିବୁ କଅଣ ? ତୋତେ ସତ୍‌ଶିକ୍ଷା ଦେବ କିଏ ?

 

ରାଧୀ ସଦାନନ୍ଦକୁ କହିଲା, ଲକ୍ଷ୍ମୀ ତମକୁ ଲାଗିଲା, ବାବା । ମହନ୍ତ ତାକୁ ନରକବାଟରୁ ଉଦ୍ଧାରିଆଣି ମୋତେ ସମର୍ପିଛନ୍ତି । ମୁଁ ଆଜି ତାକୁ ତୋତେ ସମର୍ପିଦେଲି । ତୋର ଉଚ୍ଚ ପବିତ୍ର ଆଦର୍ଶ ଦେଖି, ତୋଠୁଁ ସଦୁପଦେଶ ପାଇ ସେ ସତ୍‌ମାର୍ଗରେ ଚାଲିବ । ତୋଓରି ଦୟାରୁ କୂଳରେ ଲାଗିବ, ଏତିକି ମୋର ଆଶା ।

 

ସଦାନନ୍ଦ ଉମାର ଗମ୍ଭୀର ମୁହଁକୁ ଚାହିଁ କହିଲେ, ଲକ୍ଷ୍ମୀକାନ୍ତଙ୍କ ଇଚ୍ଛା !

ସଦାନନ୍ଦ ପ୍ରସ୍ଥାନ କଲେ ।

 

ରାଧୀ କହିଲା, ଆଲୋ ଲକ୍ଷ୍ମୀ, ସଦାନନ୍ଦ ଭାରି ଭଲ ପିଲା । ଆଗେ ସବୁଦିନେ ଦି ପହରେ ଆସି ମୋ ପାଖରେ ବସି ରାମାୟଣ ପଢ଼େ, ବୁଝି ନ ପାରିଲେ ବୁଝାଇଦିଏ । ଏତିକି କଥା ସେ ଜାଣେ ଲୋ ମା ! ତୁ ମୋ ପାଖକୁ ଆସିଲାଦିନୁ ସେ ଲାଜରେ ଆସୁନାହିଁ । ଭାରି ସରମ ତାର-। କାଲିଠୁଁ ତାକୁ ପୁଣି ଆସି ରାମାୟଣ ପଢ଼ିବାକୁ କହିବି । ଲାଜ କରୁଥିଲେ ତ କରୁଥିବୁ, ଶିଖିବୁ କଅଣ ? ଶୁଣିଲେ ବୁଝିଲେ ସିନା ଶିଖିବୁ ଲୋ !

 

ଉମା ଏତେବେଳେ ମୁହଁ ଖୋଲି କହିଲା, କଅଣ ଶିଖିବି, ମା ?

 

ରାଧୀ କହିଲା, ସେ କଥା ତୁ ସଦାନନ୍ଦକୁ ପଚାରିବୁ । ମୁଁ ମାଇପୀ ଲୋକ, କି ଜାଣେ ? ତୁ ଫୁଲଗୁନ୍ଥା ଜଲଦି ସାର ତ, ମୁଁ ଆସୁଛି । ରାଧୀ ଚାଲିଗଲା ।

 

ରାଧୀ ଜାଣେ, ମଣିଷ ଯେତେ ଭଲ ହେଲେ ବି ପ୍ରଲୋଭନରେ ପଡ଼ିଲେ ଭୁଲେ । ଯେତେ ସାବଧାନରେ ଚାଲିଲେ ମଧ୍ୟ ଗୋଡ଼ ଖସେ ଅଜାଣତରେ । କୌଣସି ପ୍ରକାର ବାଧାକୁ ଯୌବନର ପ୍ରବଳ ଉତ୍ତେଜନା ମାନି ରହେ ନାହିଁ । ନିମ୍ନଗାମୀ ଜଳସ୍ରୋତ ପରି ତରୁଣ ମନର ଗତି ସହଜରେ ଅଟକି ରହେ ନାହିଁ । ଉମା ତାର ମୁଣ୍ଡ ଉପରେ ବୋଝ । ଜାଣି ଜାଣି ସେ ନିଜର ଜୀବନ ଅରମାରେ ଛାଡ଼ିଛି । ଦେବତାର ଅଭିଶାପ ହେଉ କି ପୂର୍ବଜନ୍ମର କର୍ମଫଳ ହେଉ, ତାର ଜୀବନଟା ବ୍ୟର୍ଥରେ, ଅନୁତାପରେ କଟିଗଲା । ଏ ଜୀବନର କର୍ମ ପାଇଁ ପରଜୀବନରେ ଆହୁରି କେତେ ହୀନସ୍ତା ହେବାକୁ ହେବ, କିଏ ଜାଣେ ? କିନ୍ତୁ ଏ ନିରାଶ୍ରୟା ନିରୀହା ବାଳିକାଟିକୁ ଯଦି ପ୍ରଲୋଭନର କବଳରୁ ଉଦ୍ଧାର କରିପାରେ, ତେବେ ତାର ଅସୀମ ପାପର ଗୁରୁଭାର ସାମାନ୍ୟ କମିବ ।

 

କଅଣ ଆଶଙ୍କା କେଜାଣି, ସଦାନନ୍ଦ ଓ ଉମା ମଧ୍ୟରେ ସେ ପବିତ୍ର ଭାଇଭଉଣୀ ସମ୍ୱନ୍ଧ ସ୍ଥିର କରିଗଲା । ତାଆର ଧାରଣା, ମଣିଷ ଯଦି ନିଆଁ ପରି ତେଜିୟାନ୍‌ ଆଉ ଆଲୁଅ ପରି ମୁକ୍ତ ନିର୍ମଳ ହୁଏ, ସବୁ ପ୍ରଲୋଭନ, ସବୁ ପାପ ତା ନିକଟରୁ ଦୂରରୁ ଅପସରିଯାଏ । ଜଳ ପରି ତରଳ ଶୀତଳ ହୋଇ ଅନ୍ଧାର ଭିତରେ ଛପି ରହିଲେ ସହଜରେ ଲୋକ ଚକ୍ଷୁର ଅନ୍ତରାଳରେ କଳୁଷିତ ହେବା ସମ୍ଭବ । ନିଆଁ ଲିଭେ, ତଥାପି ସେ ଦେହରେ କଳଙ୍କ ରଖିଦିଏ ନାହିଁ ? ରାଧୀ ଏହି କଥା ନୀତି ଉମାକୁ କହି ସାବଧାନ କରେ ।

 

ରାଧୀ ଚାଲିଗଲା ପରେ ଉମା ପୂର୍ବସ୍ଥାନରେ ବସି ପୁଣି ଫୁଲ ଗୁନ୍ଥିବାରେ ଲାଗିଲା, କିନ୍ତୁ ମନ ଲାଗିଲା ନାହିଁ । ରାଧି କାହିଁକି ଏପରି ଗୋଟାଏ ଛୋଟ ଅଭିନୟ ସୃଷ୍ଟି କଲା, ସେ ଅନୁମାନ କରିପାରିଲା ନାହିଁ । ରାଧୀକୁ ସେ ଭଲ ପାଉ, ନ ପାଉ, ରାଧୀକୁ ଦେଖିଲେ ତା’ର ମନରେ ଭକ୍ତି ଆସୁ କି ନ ଆସୁ, ସେ ଜାଣେ, ସେ ତାକୁ ଭୟ କରେ । ତା କଥାରୁ ବାହାର ହେଲେ ଉମାର ଯେ ମଠରେ ସ୍ଥାନ ନାହିଁ, ସେକଥା ସେ ଭଲ କରି ଜାଣେ । ତା ପୂର୍ବରୁ ତାଆରି ପରି ତ କେତେ ଅନାଥ ଆସି ମଠରେ ସ୍ଥାନ ନେଇଛନ୍ତି, କିନ୍ତୁ ରାଧୀକି, ସନ୍ତୁଷ୍ଟ କରି ନ ପାରି ସମସ୍ତଙ୍କୁ ଦିନେ ମଠରୁ ବିଦାୟ ନେବାକୁ ପଡ଼ିଛି । ଏ କଥା ରାଧୀ ମୁହଁରୁ ଶୁଣିଛି ।

 

ଅଭିନୟ କଅଣ ହେଲା ? ରାଧୀର ଆଦେଶ ତ ଅନ୍ୟାୟ ଅସଙ୍ଗତ ନୁହେଁ । ସଦାନନ୍ଦ ଅଧିକାରୀ ଯେ ପ୍ରକାର ଲୋକ ହେଉନ୍ତୁ ପଛେ, ସେ ମଠର ମାଲିକ । ତାଙ୍କ ପାଖରୁ ଅଲଗା ହୋଇ, ତାଙ୍କୁ କରଛଡ଼ା ଦେଇ ଚଳିବା ଅସମ୍ଭବ । ସେ ମଠର ଆଶ୍ରିତା, ବାଟର ଅନାଥ । ସମସ୍ତଙ୍କୁ ଆପଣାର କରି ଚଳିବା ତା ପକ୍ଷରେ ଉଚିତ । ସେ କାହିଁକି ସଙ୍କୁଚିତ ହୋଇ ଆଡ଼ ହୋଇ ବସିବ ?

 

ତା ଚିନ୍ତାରେ ବାଧା ଦେଇ ସଦାନନ୍ଦ କବାଟ ଆଡ଼େଇ ଭିତରକୁ ଆସି ପୁଣି ଡାକିଲେ, ମା !

 

ରାଧୀ ଦେଖିବାକୁ ନ ପାଇ ସେ ଉମା ନିକଟକୁ ଆସି ସହଜ କଣ୍ଠରେ ପଚାରିଲେ, ମା କାହିଁ ଗଲା କି ?

 

ଉମା ସଙ୍କୋଚ କରି କହିଲା, ସେ ବର୍ତ୍ତମାନ କୁଆଡ଼େ ଗଲା ।

କୁଆଡ଼େ ?

ସେଇବାଟେ ଭିତରକୁ ଗଲା । ଏହିକ୍ଷଣି ଆସିବ ।

 

ମୁଁ ଆଉ ରହିପାରିବି ନାହିଁ । ସେ ଆସିଲେ କହିବ, ମୁଁ ମନ୍ଦିରକୁ ଯାଇ ପାରିବି ନାହିଁ । ଜରୁରୀ କାମରେ ମୁଁ ଯାଉଛି । ଫେରୁ ଫେରୁ ରାତି ବେଶୀ ହେବ ।

 

ସଦାନନ୍ଦ ଫେରିଯିବାକୁ ଉଦ୍ୟତ ହେବାରୁ ଉମା ପଚାରିଲା, କଅଣ ଜରୁରୀ କାମ ଅଛି-?

 

ସଦାନନ୍ଦ ପ୍ରଫୁଲ୍ଲ ବଦନରେ କହିଲେ, ନାହିଁ, ସେପରି କିଛି ନୁହେଁ । ତେବେ ଯେତେବେଳେ ହେଲେ ଯିବାକୁ ପଡ଼ିବ ତ । ଦିନକୁ ଦିନ କାଙ୍ଗାଳଗୁଡ଼ା ପଲ ପଲ ହୋଇ ସହରରେ ପଶୁଛନ୍ତି । ଉପଦ୍ରବ କରୁଛନ୍ତି । ଖାଇବାକୁ ନ ପାଇ ଏଠି ସେଠି ପଡ଼ି ଯିଏ ମରିବାର ମରୁଚନ୍ତି । ଯେଉଁମାନେ ଖାଇବାକୁ ପାଉଛନ୍ତି, ରଙ୍କାଳିଆ ହୋଇ ଏତେ ବେଶୀ ଗିଳୁଛନ୍ତି ଯେ, ହଇଜା ଧରୁଛି, ମରୁଛନ୍ତି । ସହର ତମାମ ହଇଜା ବ୍ୟାପି ଗଲାଣି । କଥା ଅଧା ରଖି ସଦାନନ୍ଦ ଉମାର ସୁନ୍ଦର ଶାନ୍ତ ଗମ୍ଭୀର ମୁହଁକୁ ଚାହିଁ ରହିଲେ ।

 

ଉମା କହିଲା, ଅସମୟ ଭାଇ, ଏତେ ରାତିଯାଏ ପଦାରେ ରହିବା ଭଲ ନୁହେଁ ।

 

ଭାଇ ସମ୍ୱୋଧନରେ ଚମକିଉଠି ଅନ୍ୟଆଡ଼କୁ ଦୃଷ୍ଟି ଫେରାଇ ସେ ଟିକିଏ ବିବ୍ରତ ହେଲେ । କହିଲେ, କର୍ତ୍ତବ୍ୟ ! ଲୋକଗୁଡ଼ାଙ୍କର କିଛି ଗୋଟିଏ ବ୍ୟବସ୍ଥା କରିବାକୁ ହେବ । ସରକାରୀ ଅନ୍ନଛତ୍ର ନରେନ୍ଦ୍ର କୂଳରେ ଖୋଲି ଦିନକୁ ଯେତିକି ଖଇରାତ୍‌ କରିବାର ସେମାନେ କରୁଛନ୍ତି । ତେବେ, ଏତେ ଲୋକ ଭିତରେ କିଏ ପାଉଛି, କିଏ ନ ପାଉଛି, ଦେଖିବା ଅସମ୍ଭବ । ଆମେ ସବୁ ମିଶି ସ୍ୱର୍ଗଦ୍ୱାର ପାଖରେ ଯେଉଁ ଛତର ଖୋଲିଛୁଁ, ତାର ଅବସ୍ଥା ବି ଠିକ୍‌ ସେହିପରି । ଏଇ ବିଷୟରେ ମହନ୍ତମାନଙ୍କ ସାଙ୍ଗରେ କଥାବାର୍ତ୍ତା କରି କିଛି ଗୋଟାଏ କରିବାର କଥା । କଅଣ କଲେ ଅଳ୍ପ ହେଉ, ବହୁତ ହେଉ, ସମସ୍ତେ ମୁଠିଏ ମୁଠିଏ ଖାଇବାକୁ ପାଇବେ । ଦିନଟିଏ ହେଳା କଲେ ଶହ ଶହ ଲୋକ ମରି ଶୋଇବେ ।

 

ଉମା ସଦାନନ୍ଦକୁ ଚାହିଁ ରହିଥିଲା ଏକ ଦୃଷ୍ଟିରେ । ରୂପଟି ଯେପରି ସୁନ୍ଦର, ଗୁଣ ମଧ୍ୟ ତତୋଧିକ ସୁନ୍ଦର । ଦେବପ୍ରାଣ ଯୁବକ । ଦୁଃଖୀରଙ୍କୀଙ୍କ ପାଇଁ ତାଙ୍କର ପ୍ରାଣ ବିକଳ ହେଉଛି । ସଦାନନ୍ଦ ଦୃଷ୍ଟି ଫେରାଇବାର ଦେଖି ଉମା ଫୁଲ ସଜାଡ଼ୁ ସଜାଡ଼ୁ କହିଲା, ଏତେ ଲୋକଙ୍କର ଜୀବନ ମରଣ ଯାହାର ଯିବା ନ ଯିବା ଉପରେ ନିର୍ଭର କରେ, ତାକୁ ଅନୁରୋଧ କରି ଅଟକାଇ ରଖିବା ଉଚିତ ନୁହେଁ । ବରଂ ଆମର ଯିବା ନ ହେଲେ ନାହିଁ ।

 

କାହିଁକି ଲୋ ଉମା ? ତୋର ଫୁଲଗୁନ୍ଥା ଆଜି ସରିବ ନାହିଁକି -କହି ରାଧୀ ଆସି ଏଠାରେ ମିଳିଲା । ସଦାନନ୍ଦଙ୍କୁ ଉମା ପାଖରେ ଠିଆ ହୋଇଥିବାର ଦେଖି ସନ୍ଦେହର ଛାୟା ତା ଆଖି ଆଗକୁ ଆସୁ ଆସୁ ସଙ୍ଗେ ସଙ୍ଗେ ଅନ୍ତର୍ହିତ ହେଲା । ସେ ହସ ହସ ମୁହଁରେ କହିଲା, ଭାଇଭଉଣୀଙ୍କର କଅଣ ଏତେ ଗପ ପଡ଼ିଛି ? ସଦାନନ୍ଦଙ୍କୁ କହିଲା, ମତେ ଖୋଜୁଥିଲୁ, ବାବା ?

 

ସଦାନନ୍ଦ ଉତ୍ତର ଦେବା ଆଗରୁ ଉମା କହିଲା, ସେ ଯାଇ ପାରିବେ ନାହିଁ ବୋଲି ତତେ କହିବାକୁ ଆସିଥିଲେ ।

 

ସଂଶୋଧନ କରି ରାଧୀ କହିଲା, ସେ କଅଣ ଲୋ ? କହ ଭାଇ । ସଦାନନ୍ଦ ଆଡ଼କୁ ଦୃଷ୍ଟି ଫେରାଇ କହିଲା କାହିଁକିରେ ବାବୁ, କଅଣ ପୁଣି ବିଗିଡ଼ିଲା ?

 

ସଦାନନ୍ଦ କହିଲେ, ମୋର ଜରୁରୀ କାମ ଅଛି ଆଜି । ସେହିକଥା ଲକ୍ଷ୍ମୀକୁ ବୁଝାଇ କହୁଥିଲି ।

 

ଉମାର ମୁହଁ ଲାଲ ହୋଇଗଲା । ସେ କହିଲା, ଆମେ କଅଣ ଏକୁଟିଆ ଯିବା, ମା ? ମୁଁ କହିଲା, ଆମର ଯିବା ନ ହେଉ ପଛେ– ।

 

ରାଧୀ କହିଲା, ସବୁଦିନ ତମର କାମ ଥାଏ, ରାତି ଅଧରେ ଫେର । ଆଜି ଏବେ ସେ କାମଟା ବନ୍ଦ ଥାଉ । ଲକ୍ଷ୍ମୀ ତୋର ସାନ ଭଉଣୀ, ଏତେ କରି କହୁଛି । ଆଉ କାହାକୁ ସାଙ୍ଗରେ ନେଇ ଚାଲିଯାନ୍ତି । ତୁ ଗଲେ ଲୋକ ଭିଡ଼ ଥିଲେ ପାଖେଇ ଯିବେ ।

 

ସଦାନନ୍ଦ ତୁନି ରହିଲେ ।

 

ରାଧୀ ପୁଣି କହିଲା, ଲକ୍ଷ୍ମୀ ପରା ତତେ ଏତେ ଆଡ଼ ହେଉଥିଲା ? ଦେଖିଲୁ, ଦେଉଳକୁ ଯିବ ବୋଲି ମୋର ପଦେ କଥାରେ ସବୁ ସଙ୍କୋଚ ଫିଙ୍ଗିଛି । ଭଲ କଥା, ଭାଇଭଉଣୀର ପବିତ୍ର ସମ୍ୱନ୍ଧ ଭିତରେ ସଙ୍କୋଚ, ଆବିଳତା ରହିବା ଭଲ ନୁହେଁ । ପରଦା ଭିତରେ, ଆଢ଼ୁଆଳରେ ପାପ ଆବର୍ଜନା ଥାଏରେ, ବାପ !

 

ଦୁହେଁ ନିଜକୁ ଅପ୍ରସ୍ତୁତ ମଣିଲେ । ଉମା ଓଢ଼ଣା ଟାଣିଲା ।

 

ରାଧୀ ଉମାର ମୁହଁ ଟେକିଧରି ପୁଣି କହିଲା ଦେଖିଲୁ, ଲକ୍ଷ୍ମୀର ମୁହଁଟି କେଡ଼େ ସୁନ୍ଦର ! ସେ କଅଣ ତୋର ଭଉଣୀ ହେବାକୁ ଉପଯୁକ୍ତ ନୁହେଁ ? ତୁ ତାର ଅନୁରୋଧ ଭାଙ୍ଗି ଦେଉଛୁ ?

 

ଉମା ମୁଖନତ କରି ଆଡ଼ ହେଲା । ସଦାନନ୍ଦ ଲଜ୍ଜାରେ ବିବ୍ରତ ହୋଇ କହିଲା, ଥାଉ ମା, ଭାଇ ଆଖିକି ଭଉଣୀ ସବୁବେଳେ ସୁନ୍ଦର ଦିଶେ ।

 

ରାଧୀର ଆଖିରେ ପ୍ରେମାଶ୍ରୁ ଢଳ ଢଳ ହେଲା । ସେ ଗଦ୍‌ଗଦ୍‍ କଣ୍ଠରେ କହିଲା, ତୋ ମୁହଁରୁ ମୁଁ ସେତିକି ଶୁଣିବାକୁ ଚାହେଁରେ ! ସାଙ୍ଗରେ ଯିବାକୁ ତୁ ମନା କରିପାରିବୁ ନାହିଁ, ତୋ ଭଉଣୀ ମନରେ କଷ୍ଟ ହେବ ।

 

ମୁହଁ ସଞ୍ଜବେଳ । ଜଗୁ ପେଟ ବିକଳରେ ଗାଁ ଭିତରକୁ ପଶିଲା । ଏ କଅଣ ? ଜୀଅନ୍ତା ମଣିଷର ଦେଖା ତ ଦୂରର କଥା, ଘରଭିତରୁ କାହାରି ସ୍ୱରଶବ୍ଦ ଶୁଣା ଯାଉ ନାହିଁ । ଦୂର ମଶାଣିରୁ ବିଲୁଆ, କୁକୁର, ପେଚା ଓ ହୁଁ ହୁଁକା ଚଢ଼େଇଙ୍କର ଶବ୍ଦ ଗାଁର ନିର୍ଜନତାକୁ ଆହୁରି ଭୟଙ୍କର କରୁଛି । ଘର ଆଗରେ ଠିଆହୋଇ କରୁଣ କଣ୍ଠରେ ଡାକ ଛାଡ଼ିଲେ ମଧ୍ୟ କେହି ଜବାବ ଦେଉନାହିଁ । ବିଚିତ୍ର କଥା !

 

ଜଗୁ ପେଟର ଜ୍ୱାଳା ସହିପାରିଲା ନାହିଁ । ଚୋରପରି ଏଣେତେଣେ ଚାହିଁ ସେ ଘର ଘର କରି ପଶି ଆହାର ଅନ୍ୱେଷଣ କଲା । କେହି ନାହିଁ । ଘରଗୁଡ଼ା ମୁକୁଳା ପଡ଼ିଛି । ଠାଏ ଠାଏ ଘର ଭିତରେ ମୁର୍ଦ୍ଦାର ପଡ଼ି ସଢ଼ୁଛନ୍ତି । ଦୁର୍ଗନ୍ଧ କେଉଁ ଘରେ ବା ଚାଳରେ ଦଉଡ଼ା ଦେଇ କୂଳର ଝିଅବୋହୂ ଲଙ୍ଗଳା ହୋଇ ମରି ଝୁଲୁଛନ୍ତି ।

 

ଜଗୁର ଆଖିରେ ଏ ଦୃଶ୍ୟ ପଡ଼ିବାରୁ ଭୟରେ ଚମକି ପଛକୁ ଫେରୁଥାଏ । କଅଣ କରିବ ? ମୁଠିଏ ଖାଇବା ବିନା ଏହି ମଶାଣି ଭିତରେ ତାକୁ ବି ମରି ଶୋଇବାକୁ ପଡ଼ିବ ? ଜୀବନରକ୍ଷାର ସବୁ ଚେଷ୍ଟା ବିଫଳ ହେବ ? ସେ ଆଗକୁ ଚାଲିଲା । ବାଟଘାଟ ଯେଉଁଠି ଆଖି ପକାଇଲା ସେଠି ଦେଖିଲା, ମଣିଷ ଶବ । ସତେ କି ସେ ଆଜି ପ୍ରେତପୁରୀ ଭିତରେ ବିଚରଣ କରୁଛି । କଥା କଅଣ ? ଗୋଟାଏ ଗାଁଆର ଲୋକ ସମସ୍ତେ ମରି ଶୋଇଲେ ? କେହି ଜଣେ ବଞ୍ଚି ରହିଲା ନାହିଁ ?

 

ଜଗୁ ଟଳି ଟଳି ଆସି ବାଟକଡ଼ର କୂଅ ପାଖରେ ପହଞ୍ଚିଲା । ଯାହାହେଉ, ମୁନ୍ଦାଏ ପାଣି ପିଇ ପ୍ରାଣ ବଞ୍ଚାଇବ । ପାଣି କାଢ଼ିବାର ଉପାୟ ? ସେ କୂଅ ଫାନ୍ଦକୁ ଆଉଜି ଅନ୍ଧାରରେ ମୁଣ୍ଡ ନୁଆଁଇ ଭିତରକୁ ଚାହିଁଲା । ଆଶାକୁଳ ଦୃଷ୍ଟି । କୂଅ ଭିତରେ ଘୋର ଅନ୍ଧାର । ସଢ଼ା ଗନ୍ଧରେ ମୁହଁ ରଖି ହେଉନାହିଁ । ଭିତରୁ କାହାର କ୍ଷୀଣ କୁନ୍ଥନ ପଦାକୁ ଆସୁଛି । ସେ ମୁହଁ ଫେରାଇ ଆଗକୁ ଚାଲିଲା ।

 

ସେ ଭୂତପ୍ରେତଙ୍କୁ ଡରେ ନାହିଁ । ତାଆରି ପରି କେହି ହତଭାଗ୍ୟ ପାଣି ପିଇବାକୁ ଆସି କୂଅରେ ଝୁଙ୍କି ପଡ଼ିଛି । କିମ୍ୱା ଦୁର୍ଭିକ୍ଷର ଅତ୍ୟାଚାର, ପେଟର ଜ୍ୱାଳା, କି ରୋଗର ଯନ୍ତ୍ରଣା ସହି ନ ପାରି କୂଅରେ ଝାସ ଦେଇଛି । ପ୍ରାଣ ଯାଇନାହିଁ । ଦୁର୍ବଳ ଅବଶ ଦେହ, କ୍ଳାନ୍ତ ବ୍ୟଥିତ ମନ ଘେନି ପରକୁ ବିପଦରୁ ମୃତ୍ୟୁମୁଖରୁ ଉଦ୍ଧାର କରିବାର ସାହାସ, ଶକ୍ତି ତାର ଲୋପ ହୋଇଛି । ନିଜର ଜୀବନରକ୍ଷା ଏକମାତ୍ର ଚିନ୍ତା ।

 

ଗାଁଆଟି ଛୋଟ । ଘରଦ୍ୱାରର ଅବସ୍ଥା ଦେଖି ବୁଝାପଡ଼ୁଛି ଯେ, ଭଲ ଦିନରେ ଲୋକେ ସୁଖରେ, ଆନନ୍ଦରେ ରହୁଥିଲେ । ହୁଏତ ହଇଜା ଡରରେ, ପେଟ ପାଇଁ, ଜୀବନ ବଞ୍ଚାଇବାକୁ, ଲୋକେ ଘରଦ୍ୱାର ଛାଡ଼ି ପଳାଇଛନ୍ତି । ଆତ୍ମୀୟସ୍ୱଜନ ତାଙ୍କର ମରିଛନ୍ତି କିମ୍ୱା ମୁମୂର୍ଷୁ ହୋଇ ପଡ଼ିଛନ୍ତି । ତେଣିକି ଆଖି ଫେରାଇବାକୁ ବେଳ ନାହିଁ । ନିଜ କଥା ନିଜକୁ ଅସମ୍ଭାଳ ।

 

ଅନ୍ଧାର ଘୋଟିଗଲା । ଜଗୁର ଗୋଡ଼ ରହିଲା । ସେ ଆଗକୁ ନ ଯାଇ ପାଖ ଘରର ପିଣ୍ଡା ଉପରେ ଲମ୍ୱ ହୋଇ ଶୋଇଲା । ଏତେ ଦିନକେ ସେ ନିଜର ଜୀବନ ବଞ୍ଚାଇବା ବିଷୟରେ ସନ୍ଦିହାନ ହେଲା । ଜୀବନଟା ତାର ଶେଷକୁ ଅପନ୍ତରାରେ ପଡ଼ି ଅଣହେଳାରେ ଯିବ । କେହି ଦେଖିବେ ନାହିଁ । ତା କଥା କେହି ଜାଣିବେ ନାହିଁ । କେହି ଶୁଣିବେ ନାହିଁ ।

 

ଦୁଇ ଆଖିରେ ଲୁହରେ ଭରିଗଲା । ଆହା, ତାର ସ୍ନେହମୟୀ ଭାଉଜ, ପ୍ରାଣପ୍ରତିମା ପୁତୁରା ବେଣୁର କଥା ଶୁଣି ପାରିଲା ନାହିଁ । ତାଆରି ଧାନ ଖାଇ ଗାଁ ଲୋକେ ସୁଖରେ ରହିଲେ । ତାଆରି ଦାନ ଚୋରି କରି ନେତୀ ଦୁର୍ଭିକ୍ଷକୁ ଗୋଡ଼ରେ ଦଳି ଆନନ୍ଦରେ ବେଳ କାଟୁଥିବ । ମନୁଷ୍ୟତ୍ୱକୁ ପଛରେ ପକାଇ, ଚରିତ୍ର ସତୀତ୍ୱକୁ ଉଦର ଆଗରେ ବଳି ଦେଇ ଉମା ଆଜି ସୁଖୀ । ଆଉ ସେ ନିର୍ବୋଧ, ବଡ଼ପଣରେ ଟେକ ରଖିବାକୁ ଯାଇ, ପିତୃଆଜ୍ଞା ପାଳନ କରିବାକୁ ଯାଇ, ଆଜି ମଶାଣିରେ ଶୋଇଛି ମରଣର ପ୍ରତୀକ୍ଷାରେ ।

 

ନିବିଡ଼ ଅନ୍ଧାର ଭେଦ କରି ଅବଶ ଆଖି ଆଗରେ ଛୋଟ ଆଲୋକରେଖା ଦେଖାଦେଲା- ଟିକିଏ ଦୂରରେ । ଆନନ୍ଦରେ ଆତ୍ମହରା ହୋଇ ସେ ଉଠି ବସିଲା । ନିରାଶ ମନ କ୍ଷଣକ ପାଇଁ ଉତ୍‌ଫୁଲ୍ଲ ହୋଇଉଠିଲା । ଦୁର୍ବଳ ଦେହରେ ଶକ୍ତିର ସଂଚାର ହେଲା । ଜୀବନର ଆଶା ଏକାଥରକେ ଲିଭି ଯାଇ ନାହିଁ ତେବେ ! ଏ ମଶାଣିରେ ଜୀବନ୍ତ ମଣିଷ କେହି ଅଛି !

 

ସେ ପିଣ୍ଡାରୁ ଓହ୍ଲାଇ ସେହି କ୍ଷୀଣ ଆଲୋକକୁ ଲକ୍ଷ୍ୟକରି ଚାଲିଲା । ଦୁର୍ବଳତାରୁ ଗତି ଶିଥିଳ । ଗୋଡ଼ ବାଟରେ ନ ପଡ଼ି ଅବାଟରେ ପଡ଼ୁଛି । ଖଣ୍ଡେଦୂର ଆସି ସେ ଗୋଟାଏ ଶବକୁ ଝୁଣ୍ଟି ପଡ଼ିଲା ମୁହଁମାଡ଼ି । କପାଳରେ ତୀବ୍ର ବେଦନା ଅନୁଭବ କଲା । ତଳୁ ଉଠିବାକୁ ଦେହରେ ଶକ୍ତି ନାହିଁ । ଏହା କଅଣ ଶବର ଆକର୍ଷଣ, ମରଣର ନିମନ୍ତ୍ରଣ ? ଏତେ ଶୀଘ୍ର, ଏଡ଼େ ସହଜରେ ସେ ଆତ୍ମସର୍ମପଣ କରିବ ? ନିଜକୁ ବିଜିତ ବୋଲି ମାନିନେବ ? ନା, ସେ ତ ବର୍ତ୍ତମାନ ବି ଜୀବିତ ।

 

ଅପରିଚିତ ଶବ ଉପରେ ଆଣ୍ଠୁ ଭରାଦେଇ ଉଠି ଠିଆ ହେଲା । ନିକଟରେ ଦୀପର ଆଲୁଅ ପୂର୍ବପରି ଥରି ଥରି ଜଳୁଛି । ସେ ଜୀବନ ଆଶାରେ ଉତ୍ସାହିତ ହୋଇ ଆଲୁଅକୁ ଚାହିଁ କମ୍ପିତ ପଦରେ ଚାଲିଲା ।

 

ନିଃଶବ୍ଦରେ ପାଖରେ ପହଞ୍ଚି ଦେଖିଲା, ଛୋଟ କୁଡ଼ିଆଟିଏ । କବାଟ ଦରଆଉଜା । ତାଆରି ଭିତରେ ଗୋଟିଏ ରୁଖା ଉପରେ ଦୀପଟିଏ ଜଳୁଛି । ସେ ଧୀରେ ଧୀରେ ପାକକୁ ଯାଇ କବାଟ ଫାଙ୍କରେ ଭିତରକୁ ଚାହିଁଲା । ଖଣ୍ଡେ ଛିଣ୍ଡା ସପ ଉପରେ ଲୋକଟିଏ ଶୋଇଛି । ତା ମୁଣ୍ଡ ପାଖରେ ସ୍ତ୍ରୀଲୋକଟି ବସି ଧୀରେ ଧୀରେ ଦେହ ଆଉଁସି ଦେଉଛି । ସ୍ତ୍ରୀଲୋକର ପାଖରେ ଖଣ୍ଡେ ଭଙ୍ଗା ପଥର ଥାଳିଆରେ ଅଧ ଥାଳିଆଏ ହେବ ଧୋବ ଫରଫର ଭାତ । ସଦ୍ୟ ଗଳା ହୋଇଥିବାରୁ ଉପରୁ ବାମ୍ଫ ଉଠୁଛି । ପାଖରେ ଗୋଟିଏ ଠେକି, ସମ୍ଭବତଃ ପାଣି ଅଛି ।

ଜଗୁର ଜଠରାଗ୍ନି ଦି ଗୁଣ ତେଜରେ ଜଳି ଉଠିଲା । ତାକୁ ତିନିପୁର ଅନ୍ଧାର ଦିଶିଲା । ଏହି ରନ୍ଧାଭାତରୁ ଯଦି ମୁଠିଏ ତାକୁ ଦିଅନ୍ତା ! ନା, ଚାହିଁ ରହିଲେ ହେବ ନାହିଁ । ଜାଣି ଜାଣି କୋମଳ ଶିଶୁକୁ ମରଣ ଦୁଆରେ ଛାଡ଼ି ଆସିଛି । ମୁମୂର୍ଷୁ କ୍ଷୁଧାର୍ତ୍ତର ମୁଖର ଗ୍ରାସ କାଢ଼ିନେଲେ ସିନା ତାର ପରୀକ୍ଷା ପୂର୍ଣ୍ଣ ହେବ ! ଜଗୁର ମଣିଷପଣିଆ ଲୋପ ହୋଇଛି ବୋଲି ସେ ଜାଣିବ ! ଆଉ ଡେରି କାହିଁକି ?

ଏତେ ବଡ଼ ଅନ୍ୟାୟ କରିବାକୁ ଗୋଡ଼ ଚଳିଲା ନାହିଁ । ସେ ଆଖି ବୁଜି ଦ୍ୱାରବନ୍ଧରେ ମୁଣ୍ଡ ମାଡ଼ି ଠିଆ ହୋଇ ଘର ଭିତରୁ ବାହାରୁଥିବା ବ୍ୟସ୍ତତାସୂଚକ କଥାଗୁଡ଼ାକ ଶୁଣିଲା ।

ସ୍ତ୍ରୀଲୋକଟି ମୃଦୁ କଣ୍ଠରେ କହିଲା, ଉଠ୍‍ ବାବା, କେତେ କଷ୍ଟରେ ଭାତ ମୁଠିକ ଫୁଟାଇଛି । ଟିକିଏ ଶକ୍ତି ହେଲେ କାଲି ସକାଳୁ ଗୋପ ଯିବା ପରା !

କ୍ଷୀଣ କଣ୍ଠରେ ଲୋକଟି, କହିଲା ଗୋପ ଯିବା ? ଉହୁଁ, ମୁଁ ଯାଇପାରିବି ନାହିଁ ।

ବାଟ ଦି କୋଶ, ଯାଇ ପାରିବୁ ନାହିଁ, ବୁଢ଼ୀ ତାର ପୁଅର ମୁଣ୍ଡ ଉପରେ ହାତ ରଖି କହିଲା, ତୋର କଅଣ ହୋଇଛି କି ? କଦଳୀମୁଣ୍ଡା ସିଝା ଦି ଦିନ କାଳ ଖାଇ ପେଟ ଗରମ ହୋଇଯାଇଛି । ଝାଡ଼ା ଦି ତିନିଟା ତ ହୋଇଛି । ଦୋରନ୍ଧା ଭାତମୁଠିକ ଖାଇଦେ, ସବୁ ଭଲ ହୋଇଯିବ । ଉଠିଲୁ ବାପ !

ରୋଗୀ ଉତ୍ତର ଦେଲା ନାହି ।

ଜଗୁ କବାଟ ଖୋଲି ଭିତରକୁ ପଶିଲା । ତାକୁ ଦେଖି ବୁଢ଼ୀ ଅସ୍ତବ୍ୟସ୍ତ ହୋଇ ମୁହଁ ଫେରାଇ ସନ୍ଦେହପୂର୍ଣ୍ଣ ଚାହାଣୀରେ ପଚାରିଲା, କିଏରେ ?

ଜଗୁ ଥରିଲା କଣ୍ଠରେ ଉତ୍ତର ଦେଲା, ମୁଁ ଜଣେ ବାଟୋଇ । ଗୋପ ଯାଉଛି ।

ଗୋପ ଯିବା ଲୋକ ମୋ ଘରେ କିଆଁ ?

ଅନ୍ଧାର ହୋଇଗଲା ।

ଅନ୍ଧାର ହେଲା ତ ମୁଁ କଅଣ କରିବି ? ଯା, ଆଉ କେଉଁଠିକି ।

ଗାଆଁରେ ତ ଜୀଅନ୍ତା ଲୋକ କେହି ନାହିଁ ।

ଲୋକଗୁଡ଼ା ସିନା ହଇଜାରେ ମଲେ, ଯେ ରହିଲେ ଗାଁ ଛାଡ଼ି ପଳାଇଲେ, ତାଙ୍କ ଘର ତ ପଡ଼ିଛି । କାହା ପିଣ୍ତାରେ ରାତିଟା କଟାଇଦେଲେ ହେଲା ।

ଜଗୁ ହତାଶ ହେଲା । ଆକୁଳ ଦୃଷ୍ଟିରେ ଭାତ ଥାଳିକୁ ଚାହିଁ ରହି କହିଲା, କେତେ ଦିନ ହେଲା ମୋ ପେଟରେ ଦାନା ପଡ଼ିନାହିଁ ମା । ଭୋକରେ ମୋର ପ୍ରାଣ ଛାଡ଼ିଯାଉଛି ।

ବୁଢ଼ୀ ଜଗୁର ମନକଥା ଅନୁମାନ କରି ସତର୍କ ହୋଇ ଥାଳିଟିକୁ ନିଜ କୋଳଆଡ଼କୁ ଘୁଞ୍ଚାଇନେଇ କହିଲା, ପ୍ରାଣ ଛାଡ଼ିଗଲେ ମୁଁ କଅଣ କରିବି ? ପୁଅ ମୋର ବାଧକା ପଡ଼ିଛି ଯେ କେତେ କଷ୍ଟରେ ମୁଠିଏ ଭାତ ଫୁଟାଇଛି ।

ଭାତ ମାଗୁନାହିଁ । ମତେ ଗଣ୍ଡିଏ ଚାଉଳ ଦେଲେ ମୁଁ ଚୋବାଇ ରାତିଟା କଟାଇବି ।

ଚାଉଳ କାହୁଁ ପାଇବିରେ ? ଘର ଯାକ ଖୋଜ । ପଥି ପାଇଁ ମୁଠିଏ ଚାଉଳ ଲାଗି ଗାଆଁରେ ଏମୁଣ୍ଡୁ ସେମୁଣ୍ଡୁ ଘରେ ଘରେ ପଶି ଖୋଜିଲି, କାହିଁ ପାଇଲି ନାହିଁ । ଗୋଟିଏ ମଲା ମଣିଷର କାନିରେ ମୁଠାଏ ଚାଉଳ ବନ୍ଧା ହୋଇଥିଲା । ସେତକ ଆଣି ପୁଅ ପଥି କରିବି ବୋଲି ଫୁଟାଇ ରଖିଛି ।

 

ଜଗୁ ପଚାରିଲା, କଅଣ ହୋଇଛି ତମ ପୁଅର ?

ଝାଡ଼ା ହେଉଛି ବାପା, ସକାଳୁ ।

ହଇଜା ?

 

ବୁଢ଼ୀର ସର୍ବାଙ୍ଗ ଥରିଉଠିଲା କ୍ରୋଧରେ । ଭୟରେ ମୁହଁ କଳାକାଠ ପଡ଼ିଗଲା । ବୁଢ଼ୀ ରହି ରହି କହିଲା, ନାଇଁ ନାଇଁ, ସେ କଥା ନୁହେଁ, ଏଇ ଟିକିଏ ଝାଡ଼ା, ଥରେ ଅଧେ ବାନ୍ତି । ବୁଢ଼ୀ ଟିକିଏ ରହି କାନ୍ଦି କାନ୍ଦି ପୁଅ ମୁହଁରେ ମୁହଁ ଲଗାଇ କହିଲା, ନାଇଁ ନାଇଁ, ସେ କଥା ନୁହେଁ ।

 

ଜଗୁ ରୋଗୀର ମୁହଁ ଓ ଘରର ଅବସ୍ଥା ଦେଖି ସଙ୍ଗେ ସଙ୍ଗେ ବୁଝିପାରିଲା, ଘଟଣା କେତେ ଦୂରରେ ଆସି ପହଞ୍ଚିଲାଣି । ହୁଏତ ଆଉ ଘଣ୍ଟାଏ କି ଦି ଘଣ୍ଟା ଭିତରେ ରୋଗୀଟିର ଶେଷ ନିଃଶ୍ୱାସ ଯିବ । ତଥାପି କରୁଣାମୟୀ ମା ଅଶୁଭ କଥା ମନରେ ଆଣିବାକୁ ପ୍ରସ୍ତୁତ ନୁହେଁ । ଧନ୍ୟ ମାଆର ସ୍ନେହ ! ସେହି ସ୍ୱର୍ଗୀୟ ସ୍ନେହରୁ ଜଗୁ ଆବାଲ୍ୟରୁ ବଞ୍ଚିତ ।

 

ସେ ଭାବିବାକୁ ଲାଗିଲା, ଜୀବନରକ୍ଷା ପାଇଁ ଅକ୍ଳେଶରେ ସେ ଏମାନଙ୍କର ମୁଖର ଗ୍ରାସ ଅପହରଣ କରିପାରେ, କିନ୍ତୁ ସେ କଅଣ ସତରେ ଏତେ ହୀନ, ଏଡ଼େ ଦାରୁଣ ହୋଇଛି ? ବିପନ୍ନକୁ ସାହାଯ୍ୟ କରିବା ପରିବର୍ତ୍ତେ ବିପନ୍ନକୁ ମରଣ ମୁହଁକୁ ଠେଲିଦେବ ସ୍ୱାର୍ଥ ପାଇଁ ? ଜୀବନ ସମସ୍ତଙ୍କର ଏକା । ଦୁଇଟି ପ୍ରାଣୀର ଜୀବନ ନେଇ ନିଜକୁ ବଞ୍ଚାଇ ରଖିବାରେ କି ସାର୍ଥକତା ଅଛି ? ନା, ସେ ମଣିଷ, ସେ ପାଷାଣ୍ଡ ନୁହେଁ ।

 

ବୁଢ଼ୀ କାନ୍ଦି କାନ୍ଦି ପୁଅକୁ କହିଲା, ଉଠ୍ ବାପ, ପେଟରେ ଦାନା ପଡ଼ିନାହିଁ ବୋଲି ତୋର ଆଖିଗୁଡ଼ା ଭିତରକୁ ପଶିଗଲାଣି, ମୁହଁଟା କଳା ଦିଶୁଛି । ଉଠ୍ ବାପ୍ !

 

ରୋଗୀ ଧୀରେ ଧୀରେ କହିଲା, ମୋ ଆଶା ଛାଡ଼ ମା, ଓଃ...

ସେ କଥା କହନା ପୁଅ... । ବୁଢ଼ୀ ତାର ଛାତିରେ ମୁହଁ ଲୁଚାଇ କାନ୍ଦିବାକୁ ଲାଗିଲା ।

 

ସେ କରୁଣ ଦୃଶ୍ୟ ଦେଖି ମଧ୍ୟ ଜଗୁର ମନ ତରଳିଲା ନାହିଁ । କ୍ଷୁଧାରେ ତାର ପ୍ରାଣ ଛାଡ଼ିଯାଉଛି ।

 

ଜଗୁ କହିଲା, ବ୍ୟସ୍ତ ହୁଅନା, ପୁଅ ତମର ଭଲ ହୋଇଯିବ ।

 

ବୁଢ଼ୀ ମୁଣ୍ଡ ଟେକି ଜଗୁକୁ ଚାହିଁ କହିଲା, ସତରେ, ପୁଅ ଭଲ ହୋଇଯିବ ? ହଉରେ, ତୋ ତୁଣ୍ଡ ସୁତୁଣ୍ଡ ହଉ ।

 

ଜଗୁ ଅତି ଆକୁଳ କଣ୍ଠରେ ଅନୁରୋଧ କଲା, ମା, ସେଇ ଭାତରୁ ମୁଠିଏ ମୋତେ ଦେଇପାରିବ ନାହିଁ ? ତମରି ଆଗରେ ଭୋକରେ ଯେ ମୋର ପ୍ରାଣ ଛାଡ଼ିଯିବ ।

 

ବୁଢ଼ୀ ଦୀର୍ଘଶ୍ୱାସ ଛାଡ଼ିଲା ।

ଜଗୁ କହିଲା, ମୁଁ କଅଣ ତମର ପୁଅ ନୁହେଁ ?

ବୁଢ଼ୀ ଭାତଥାଳିଟା କୋଳ ତଳକୁ ନେଇ କହିଲା, ମୁଠିଏ ବୋଲି ତ ଭାତ !

ପେଜ ଟୋପାକ ?

ମୁଁ ନିଜେ ପିଇଛି ।

ଜଗୁ ଟିକିଏ ରହି କହିଲା, ପାଣି ମୁନ୍ଦାଏ ପିଇବାକୁ ଦିଅ ତେବେ ।

 

ବୁଢ଼ୀ ପାଣି ଠେକିଟି ଆଗକୁ କାନ୍ଥଆଡ଼କୁ ଘୁଞ୍ଚାଇ ଆଣି କହିଲା, ଚଳେ ବୋଲି ପାଣି, ତତେ ଦେଲେ ପିଲାଟିର ପାଟିରେ ଦେବି କଅଣ ? ଘଡ଼ିକି ଘଡ଼ି ତା ତଣ୍ଟି ଶୁଖିଯାଉଛି । ରୋଗୀଟି ପାଣି ପାଣି ବୋଲି ଚିତ୍କାର କଲା । ବୁଢ଼ୀ ଠେକିରେ ହାତ ବୁଡ଼ାଇ ଅଳ୍ପ ପାଣି ନେଇ ତା ମୁହଁରେ ଦେଇ କହିଲା, ଉଠ୍‌ରେ, ଭାତ ଦୋଟି ଖାଇଦେଇ ପାଣି ପି ।

 

ବୁଢ଼ୀ ଥାଳିରୁ ମୁଠିଏ ଭାତ ନେଇ ରୋଗୀର ପାଟିରେ ଦେଲା । କିନ୍ତୁ ରୋଗୀର ଢୋକିବାର ଶକ୍ତି ନାହିଁ । ସେ ମୁଖ ବିକୃତ କରି ଭାତତକ ପାଟିରୁ କାଢ଼ି ପକାଇଲା । ବୁଢ଼ୀ ବ୍ୟସ୍ତ ହୋଇ କଢ଼ା ଭାତତକ ପୁଣି ନେଇ ଥାଳିରେ ରଖିଲା ।

 

ଜଗୁ ଅଚଳ ଭାବରେ ଠିଆ ହୋଇ ସବୁ ଦେଖୁଥିଲା । ସେ ଆଉ ଧୈର୍ଯ୍ୟ ଧରି ରହିପାରିଲା ନାହିଁ । ଆଖି ଆଗରେ ଖାଦ୍ୟ ଥାଉଁ ଥାଉଁ ସେ କଅଣ ଭୋକରେ ଛଟପଟ ହୋଇ ମରନ୍ତା ?

 

କ୍ଷଣକ ପାଇଁ ସେ ତାର ବିବେକ କଥା ଭୁଲିଗଲା । ପେଟ ଗର୍ଜି ଉଠିଲା । ସେ ଭଲମନ୍ଦ ବିବେଚନା କରିବାକୁ ବେଳ ପାଇଲା ନାହିଁ । କ୍ଷୂଧିତ ଶାର୍ଦ୍ଦୂଳ ପରି ଲମ୍ଫ ଦେଇ ବୁଢ଼ୀକି ଟାଣି ଘରର ଗୋଟିଏ କଣରେ କଚାଡ଼ି ଦେଲା । ମୁହୂର୍ତ୍ତେ ବିଳମ୍ବ ନ କରି ଗୋଟିଏ ହାତରେ ଭାତଥାଳି ଓ ଆର ହାତରେ ପାଣି ଠେକିଟି ଧରି ଦ୍ରୁତବେଗରେ ଘରଭିତରୁ ପଦାକୁ ଧାଇଁ ଅନ୍ଧାରକୁ ଚାଲିଗଲା ।

 

–୩୦–

 

ଉମା ହାତରେ ଚାଙ୍ଗୁଡ଼ି ଧରି ଗୋଟିଏ ବୁଦାପାଖରୁ ଆର ବୁଦାପାଖକୁ ଯାଇ ମଲ୍ଲୀକଢ଼ ତୋଳି ଚାଙ୍ଗୁଡ଼ାରେ ରଖୁଛି । ବଡ଼ି ସକାଳ । ଖରା ଆସିନାହିଁ । ପାଖ ପୋଖରୀରୁ ତେଣ୍ଡାରେ ବଗିଚାକୁ ପାଣି ବୋହୁଥିବା ଲୋକଟି ହାତ ବନ୍ଦ କରି ବିସ୍ମିତ ହୋଇ ତାଆଡ଼କୁ ଅନାଇଲା । ଉମାର ନଜର ନାହିଁ । ଫୁଲ ତୋଳୁ ତୋଳୁ ସେ କେତେ କଥା ଭାବିଯାଉଛି, ନିଜର କଥା, ନିଜ ରୂପର କଥା-। ତା ରୂପକୁ ସମସ୍ତେ ପ୍ରଶଂସା କଲେ । ରୂପର ପ୍ରଭାବ ଦୁନିଆରେ ଅଳ୍ପ ନୁହେଁ ତେବେ ! ରୂପ ଥିଲେ ଏହିପରି କେତେ ଦୁର୍ଭିକ୍ଷ ନାରୀ ଅକ୍ଳେଶରେ ପଛରେ ପକାଇ ଆନନ୍ଦରେ ହସି ହସି ଆଗକୁ ଯାଇପାରେ ତେବେ !

 

ନିଜ ଭାବନାରେ ନିଜେ ଆନନ୍ଦ ଅନୁଭବ କରି ଉମା ମନକୁ ମନ ହସିଲା । ସଦ୍ୟଫୁଟା ମଲ୍ଲୀଫୁଲ ପରି ତାର ଉଜ୍ଜ୍ୱଳ ସୁନ୍ଦର ମୁହଁଟି ବିକଶିତ ହୋଇଉଠିଲା । ପରକ୍ଷଣରେ ଖରା-ମଉଳା ମଲ୍ଲୀଫୁଲ ପରି ମୁହଁଟି ମଳିନ ହେଲା । ମନେ ପଡ଼ିଲା, ଗତ କେତେଦିନର କଥା ।

 

ଅଧିକାରୀ ସଦାନନ୍ଦ, ଯାହାଙ୍କୁ ସେ ଭାଇ ବୋଲି ଡାକେ, ତାଙ୍କର ବ୍ୟବହାର ପ୍ରକୃତରେ ନିର୍ମଳ ? ସବୁଦିନେ ଦୁଇ ପ୍ରହରରେ ରାଧୀ ପାଖରେ ବସି ସଦାନନ୍ଦ ରାମାୟଣ ପଢ଼ି ବୁଝାନ୍ତି । ସେ ମୁଗ୍ଧ ତନ୍ମୟ ହୋଇ ସବୁ ଶୁଣେ । ବୁଝି ନ ପାରିଲେ ସଦାନନ୍ଦଙ୍କୁ ପଚାରେ । ସେ ସ୍ନେହରେ ଆଗ୍ରହରେ ଭଲକରି ବୁଝାଇଦିଅନ୍ତି । ଆଦର କରି ପିଠିରେ ଚାପୁଡ଼ାଟାଏ ମାରି ଗେହ୍ଲାରେ କହନ୍ତି, ଓଲମୀଟା ।

 

ରାଧୀ ଦେଖେ, କୃତଜ୍ଞତାରେ, ଆନନ୍ଦରେ ଦୁଇ ଆଖି ଲୁହରେ ଭରିଯାଏ । ହସି ହସି କହେ, ତୋର ଏ ଭଉଣୀଟା ଭାରି ଓଲୁରେ, ମାଡ଼ ନ ଖାଇଲେ ତାର ବୁଦ୍ଧି ହୁଏ ନାହିଁ । ସଦାନନ୍ଦ ହସନ୍ତି । ଉମା ଲାଜରେ ରାଧୀ ପିଠିଆଡ଼େ ମୁହଁ ଲୁଚାଏ ।

 

ସତେ, ସଦାନନ୍ଦ ତାକୁ ଭଉଣୀ ପରି ସ୍ନେହ କରନ୍ତି ? ତାଙ୍କର ଆଖି ଦୁଇଟା ଯେ ଭିନ୍ନ କଥା କହେ । ସେ ବାଉରିଆ ଆଖିରେ ଯେଉଁ ପିପାସା, ଉଦ୍‌ବିଗ୍ନତା ଦେଖିଥିଲା, ଭାଇ ସଦାନନ୍ଦର ଆଖିରେ ସେ ଠିକ୍ ସେହିପରି କଅଣ ଦେଖେ ।

 

ସେ ବ୍ରହ୍ମଚାରୀ । ଆକର୍ଷଣର ବହୁତ ଦୁରରେ । ହୁଏ ତ ଉମା ଭୁଲ ବୁଝିଛି ।

 

ସଦାନନ୍ଦର ମଧୁର ସ୍ପର୍ଶରେ ଅଙ୍ଗେ ଅଙ୍ଗେ ବିଜୁଳି ଖେଳିଯାଏ କାହିଁକି ? ମୁହଁରେ ଭାଇ ବୋଲି ସମ୍ବୋଧନ କରେ, ଅନ୍ତରରେ ଭାଇ ବୋଲି ତାଙ୍କୁ ଗ୍ରହଣ କରି ନେଇଛି; ତଥାପି ଏ ଚମକ ପ୍ରାଣରେ ଆସେ କାହିଁକି ? ଉମା ନିଜ ଭାବନାରେ ତନ୍ମୟ ହୋଇ ଫୁଲ ତୋଳୁଛି । ବାହାରର ଜ୍ଞାନ ନାହିଁ । ଲୋକଟି ପାଣିବୁହା ବନ୍ଦ କରି ଧୀରେ ଧୀରେ ତା ପାଖକୁ ଆସିଲା । ଉମାର ଚିନ୍ତିତ ମୁହଁକୁ ନିରେଖି ଚାହିଁ ସେ କହିଉଠିଲା, ଉମା ନା ?

 

ଉମା ଚମକି ଚାହିଁଲା, ଆଗରେ ବଇଆ ବାଉରି ! ବିସ୍ମୟ ଆନନ୍ଦରେ ପ୍ରାଣ ପୂର୍ଣ୍ଣ ହେଲା-। ମେଘମୁକ୍ତ ଚନ୍ଦ୍ରମା ପରି ପ୍ରଫୁଲ୍ଲ ବଦନରେ ସେ କହିଲା, ତୁ ଏଠି ବଇଆ ?

 

ବଇଆ କହିଲା, ପେଟ ବିକଳରେ ମୁଁ ଛତରକୁ ଆସିନାହିଁ ଉମା, ମୁଁ ଆସିଛି- । କଥା ଅଧା ରଖିଦେଲା ।

 

ଜଗୁଭାଇର ଖବର କଅଣ ?

 

ତାଙ୍କରି ଖବର ନେବାକୁ ମୁଁ ଘର ଛାଡ଼ି ତାଙ୍କୁ ଖୋଜି ଖୋଜି ବାହାରିଛି । ଗାଁ ଲୋକେ ମେଳି ହୋଇ ତାଙ୍କର ଧାନ ଚାଉଳ ବୋହି ନେଇଗଲେ । ଘରେ ନିଆଁ ଲଗାଇଦେଲେ ।

 

କଅଣ କହୁଛୁ ତୁ ବଇଆ ? ମୁଁ ଏସବୁ କିଛି ଜାଣେ ନାହିଁ । ମୋତେ ସବୁ କଥା ଭଲ କରି କହ ତ !

 

ବଇଆ ଠିକେ ଠିକେ ଉମା ଆଗରେ ସବୁ କଥା କହିଲା । ଶେଷକୁ ଆଖିରେ ଲୁହଭରି କହିଲା, ସେ ତ ରାତି ରାତି କୁଆଡ଼େ ପଳେଇ ଆସିଲେ । ପରଦିନ ମୁଁ ଯାଇଁ ଗାଁ ଲୋକଙ୍କୁ ଭଲ ରକମ ଗୋଟାଏ ଧମକ ଦେଲି । ମୋ କଥାରେ କେହି କାନ ଦେଲେ ନାହିଁ । ମୁଁ ଆଉ କଅଣ କରନ୍ତି ?

 

କଅଣ କଲୁ ତୁ ? ଉଦ୍‌ବିଗ୍ନ ହୋଇ ଉମା ପଚାରିଲା ।

 

ସେମାନେ ଯେପରି ମୋର ବୁଢ଼ା ଖାମିଦକୁ ପୋଡ଼ି ମାରି ବଅଁଶଟାଯାକଙ୍କୁ ଛତରକୁ ଠେଲିଦେଲେ, ମୁଁ ବି ସେମିତି ଦିନେ ରାତିଅଧରେ ନିଆଁଲୁହା ଧରି ବାହାରି ପଡ଼ିଲି ।

 

ସେଇଠୁଁ ?

 

ଯାହା କରିବାକୁ ପାଞ୍ଚିଥିଲି, କଲି । ଗୋଟାଏ ଘର ବି ବାକୀ ରଖିଲି ନାହିଁ । ଆଗରୁ ତ ପିଲାଛୁଆଙ୍କୁ ଛତରକୁ ପଠାଇ ଦେଇଥିଲି । ମୁଁ ଥିଲି ଏକୁଟିଆ । ଗହୀର ମଝିରେ ଠିଆ ହୋଇ ମୁଁ ଚାହିଁ ରହିଥାଏ । ନିଆଁ ଶିଖା ଉପରକୁ ଉଠିଲା । ମୁଁ ମନ ଖୁସିରେ ରାତି ପାହାନ୍ତାରୁ ଗାଁ ଛାଡ଼ିଲି ।

 

ଭଲ କରିନୁ ବଇଆ ! ବ୍ୟସ୍ତ ହୋଇ ଉମା କହିଲା ।

 

କାହିଁକି ? ଖରାପଟା କଅଣ କଲି ? ଯେଉଁମାନେ ମେଳି ହୋଇ ଆମର ପିଲାଛୁଆଙ୍କୁ ଛତରକୁ ଠେଲିଲେ, ଆମରି ମାଲରେ ଗଉଁ ଧରି ଆମ ନେହୁରା ରଖିଲେ ନାହିଁ, ସେମାନେ ନିଶ୍ଚିନ୍ତରେ ଗାଁଆରେ ବସି ଭୋଜନ ମାରନ୍ତେ ?

 

ଉମା କହିଲା, ସେମାନେ କଲେ ପେଟ ବିକଳରେ ।

ମୁଁ ମନ ବିକଳରେ କଲି, ଉମା !

ଉମା ଚିନ୍ତିତ ହୋଇ କହିଲା, ସେମାନେ ଅମଣିଷ, ଅନ୍ଧ ବୋଲି ତ, ତୁ ନୋହୁଁ ।

 

ମୁଁ ଅଛୁଆଁ ବାଉରି, ଅରଣା ପଶୁ । ଯେଉଁମାନେ ମଣିଷ ଚରାନ୍ତି, ସେମାନଙ୍କ ବୁଦ୍ଧି ଲୋପ ହେଲା, ସେମାନେ ହେଲେ ଅନ୍ଧ । ମୁଁ ବାଉରି ପିଲା, ପଶୁ ଚରାଇବା ଲୋକ, ମୋତେ ଯାହା ଦିଶିଲା ମୁଁ କଲି ।

 

ଆମ ଘରର ହାଲ ?

 

ନିଆଁହୁଳା କହିବା । ମୁଁ ଜଗୁବାବୁଙ୍କୁ ଖୋଜି ଖୋଜି ପୁରୀ ଆସି ମଠରେ ଜୁଟିଛି । ଏଇଠି କାମଦାମ କରି ଖାଉଛି । ତାଙ୍କର ତ କାହିଁ ଦେଖା ନାହିଁ ?

 

ଉମା କଅଣ କହିବ କହିବ ହୋଇ ତୁନି ରହିଲା । ବଇଆ ହସ ହସ ହୋଇ କହିଲା, ତମେ ଏହି ମହନ୍ତଙ୍କ ଆଶ୍ରା ଧରି ରହିଲ ପରା ! ଭଲ କାମ । ଆମ ଗାଁଆରୁ କେହି ହେଲେ ଜଣେ ଧର୍ମ କାର୍ଯ୍ୟରେ ଯାଉ !

 

ବଇଆର ପରିହାସ କଥା ଶୁଣି ଉମା ହାଡ଼ରେ ନିଆଁ ଲାଗିଲା । ସେ ନିଜକୁ ସମ୍ଭାଳି ନେଇ କହିଲା, ଯିଏ ଯାହା କରିବ, ସେ ତାର ଫଳ ଭୋଗିବ । ସେଥିରେ ତୋର କଅଣ ଥାଏରେ-? ଯା, ତୁ ତୋ କାମ କର । ଘୃଣାରେ ଉମା ମୁହଁ ଫେରାଇ ଫୁଲତୋଳାରେ ମନ ଦେଲା-। ଦୁଇ ଆଖିରୁ ଝର ଝର ଲୁହ ଝରିବାକୁ ଲାଗିଲା ।

 

ବଇଆ ତେଣ୍ଡା ପାଖକୁ ଚାଲି ଯାଉ ଯାଉ ମନକୁ ମନ ଗୁଣୁ ଗୁଣୁ ହୋଇ କହିବାକୁ ଲାଗିଲା, ମରମ କହିଲେ ଲୋକ ମରେ ତ ! ଯାହାର ଯେଉଁ ପ୍ରକୃତି, ସେ କି ସହଜେ ଛାଡ଼େ ?

 

ଉମା ପ୍ରତିବାଦ କଲା ନାହିଁ । ବାଉରି ଟୋକା, ତା ସାଙ୍ଗରେ ବଢ଼ିଲେ ନିଜର ମାନ ଯିବା କଥା । ହଉ, ଯିଏ ଯାହା ଭାବୁଛି ଭାବୁ । ଯିଏ ଯାହା କହୁଛି, କହୁ । କାହା କଥାରେ ସେ କାହିଁକି ପ୍ରତିବାଦ କରିବ ? ନିଜକୁ ଯାହା ଭଲ ଦିଶୁଛି ସେ କରୁଛି ।

 

ଉମା ଫୁଲତୋଳା ଶେଷ କରି ପାଖ ଆମ୍ବଗଛ ତଳେ ବସି ଫୁଲ ଗୁନ୍ଥିବାରେ ମନ ଦେଲା । କିନ୍ତୁ ଫୁଲଗୁନ୍ଥାରେ ମନ ଲାଗିଲା ନାହିଁ । ଜଗୁଭାଇର କଥା ମନପ୍ରାଣକୁ ବ୍ୟଥିତ କଲା । ଆହା, ଜଗୁଭାଇ, ନରିପୁର ପଧାନଙ୍କ ପୁଅ, ବଡ଼ଲୋକ, ତାଆର ପୁଣି ଏ ଅବସ୍ଥା । ପେଟ ଦାଉରେ ଛତର ଯୋଗ ! ସେଦିନ ସେ ଯାହାକୁ ତୋଟାଭିତରେ ଯାଉଥିବାର ଦେଖିଥିଲା ସେହି ତେବେ ତାର ଜଗୁଭାଇ ! କେଡ଼େ ଭୁଲ ନ କରିଛି ସେ !

 

ଆଖି ଲୁହରେ ଫୁଲମାଳ ଭିଜିଲା । ଉମା ଜଗୁଭାଇର ଚିନ୍ତାରେ ନିଜକୁ ମଧ୍ୟ ଭୁଲିଲା । ଅତୀତର କେତେ ସୁଖସ୍ମୃତି ମନଭିତରେ ଖେଳିଗଲା । ସେହି ଜଗୁଭାଇ ! ପର ପାଇଁ ପ୍ରାଣ କାନ୍ଦି ଉଠେ, ଉମାର ଆଖିରେ ଲୁହ ଦେଖିଲେ ତାର ଆଖିପତା ଓଦା ହୋଇଆସେ । ବାପା ମା ଛେଉଣ୍ଡ ଉମା ପାଇଁ ସେ କେତେ ଗାଳିମନ୍ଦ, କେତେ ଟାହିଟାପରା, କେତେ ଅପମାନ ସହିଛି । ଦିନେ କେବେ ଛଳ କରିନାହିଁ । ବରଂ ଲୋକଙ୍କ କଥାକୁ କାନରେ ନ ଦେଇ ମାନ ଅପମାନକୁ ଗୋଡ଼ରେ ଠେଲି, ସେ ଉମାକୁ ଛାତିରେ ରଖିଛି, କଣିକାଏ ମହାପ୍ରସାଦ ପାଇଁ ।

 

ସେହି ଜଗୁଭାଇ । ଆଜି ଧନସମ୍ପଦ, ଆତ୍ମୀୟ ସ୍ୱଜନ ସମସ୍ତଙ୍କୁ ହରାଇ ପେଟ ପାଇଁ ଗାଁ ଗାଁ ବୁଲି ଛତର ଉଣ୍ଡୁଥିବ । ଆଉ ସେ ଆନନ୍ଦରେ ନିଶ୍ଚିନ୍ତରେ ପରର ଅନ୍ନ ସେବା କରି ମଠରେ ବସିଛି । ରୂପର ପ୍ରଭାବରେ ପରକୁ ଆପଣାର କରି ଆଖିର ଚାହାଣୀ ଓ ଓଠର ହସରେ ବାନ୍ଧି ରଖଛି ଅପରିଚିତଙ୍କୁ ! ନିଜ ଉପରେ ଉମାର ଘୃଣା ଆସିଲା ।

 

କିଏ ଜଣେ ପଛରୁ ଆସି ଦୁଇ ଆଖି ବୁଜି ଧରିଲା । ଉମା ଚମକି ପଡ଼ିଲା । ଘୃଣାରେ, କ୍ରୋଧରେ ସେ ଫୁଲମାଳଟା ଚାଙ୍ଗୁଡ଼ି ଦେହରେ ପକାଇ ଆଗନ୍ତୁକର ଦୁଇ ହାତକୁ ଛିଞ୍ଚାଡ଼ିଦେଲା । ରାଗ ଗରଗର ହୋଇ ମୁହଁ ଓଲଟାଇ ଦେଖିଲା, ସଦନନ୍ଦ । ଭୟରେ, ଲାଜରେ ମୁହଁଟି ଶେତା ପଡ଼ିଯାଇଛି । ଯେ ଯାହାକୁ ଆଶା କରିଥିଲା ତାକୁ ହିଁ ପଛରେ ଦେଖି ଲାଜରେ ହୋଇ ଦୁଃଖମିଶା ସ୍ୱରରେ କହିଲା, ଭାଇ ! ତାଙ୍କର ଦୁଇ ହାତକୁ ଧରି ମୃଦୁ ହସି କହିଲା, ମୁଁ ଜାଣି ନଥିଲି ।

 

ସଦାନନ୍ଦଙ୍କର ମୁହଁକୁ ପୁଣି ପ୍ରଫୁଲ୍ଲତା ଫେରି ଆସିଲା । ସେ ଉମାର ଲୁହଭରା ଆଖିକୁ ଚାହିଁ ବିସ୍ମିତ ହୋଇ କହିଲେ, ତୋ ଆଖିରେ ଲୁହ ଯେ ଲକ୍ଷ୍ମୀ ?

 

ଉମା ଉତ୍ତର ଦେଲା ନାହିଁ । ମୁହଁ ପୋତି ବସିଲା । ସଦାନନ୍ଦ ତା ମୁଣ୍ଡ ଟେକି ହାତରେ ଆଖିର ଲୁହ ପୋଛି କହିଲେ, ଲକ୍ଷ୍ମୀ, ଲୁହବୁହା ମୁହଁଟା ତୋର ବେଶୀ ସୁନ୍ଦର ଦିଶେ । ସେଇଥିପାଇଁ (ତା ଗାଲରେ ଚାପୁଡ଼ା ମାରି) ତତେ ମୁଁ ଚାପୁଡ଼ା ମାରି ସବୁଦିନ କନ୍ଦାଇବାକୁ ଚେଷ୍ଟା କରେ ।

 

ଉମାର ଦେହ ପୁଲକରେ ଥରି ଉଠିଲା । ସେ ଦୀର୍ଘଶ୍ୱାସ ଛାଡ଼ି ସମାନ୍ୟ ଘୁଞ୍ଚିଆସି ଅଳସ କଣ୍ଠରେ କହିଲା, ଭାଇ ଆଖିକି କଅଣ ଭଉଣୀ ସୁନ୍ଦର ଦିଶେ ?

 

ହଁ ଲୋ ଲକ୍ଷ୍ମୀ, ସବୁବେଳେ ।

ଟିକିଏ ରହି ପଚାରିଲେ, ଆଚ୍ଛା, କହ ତୋ ଆଖିରେ ଲୁହ କାହିଁକି ?

 

ଉମା ଆଙ୍ଗୁଠିରେ ବଇଆକୁ ଦେଖାଇ କହିଲା, ଏଇ ଲୋକଟା ମୋତେ ଅପମାନ ଦେଇଛି । ଉମାର ଆଖି ପୁଣି ସଜଳ ହେଲା ।

 

ସଦାନନ୍ଦ ଠିଆ ହୋଇ କହିଲେ, ସତେ, ଏତେ ସାହସ ! ତୋତେ ସେ କଅଣ କହିଲା-?

 

ମୁଁ ମଠରେ ଅଛି ବୋଲି ସେ ମୋ ନାମରେ– ।

 

ସଦାନନ୍ଦଙ୍କର ଦୁଇ ଆଖିରୁ ନିଆଁ ବାହାରିଲା । ସେ ଦାନ୍ତ ଚୋବାଇ ହାତ ଠାରି ବଇଆକୁ ପାଖକୁ ଡ଼ାକିଲା । ବଇଆ ହସି ହସି ପାଖକୁ ଆସିଲା । ସେ କ୍ରୁଦ୍ଧ ହୋଇ କହିଲେ, ହଇରେ, ବାଟର ଭିକାରୀଟା ତୁ, ତୋର ଏଡ଼େ ସାହସ !

 

ବଇଆ ହାତ ଯୋଡ଼ି କହିଲା, କଅଣ ଆଜ୍ଞା ?

ତୁ ଲକ୍ଷ୍ମୀକୁ କଅଣ କହିଲୁ ?

ଉମାକୁ ? ମିଛ କହିନାହିଁ ।

ତୁ ଜାଣୁ ସେ ଏଠି କିପରି ଅଛି ?

ବଇଆ ଟିକିଏ ଭାବିଲା । କହିଲା, ମୁଁ ତ ଆଜି ଆଖିରେ ଦେଖିଲି ।

 

ସଦାନନ୍ଦ ରାଗିଯାଇ କହିଲେ, ଭାରି ସାହସ ତ ! ପତର ଗୋଟେଇବାକୁ ଆସି ତୋଟା ମୂଲ୍ୟ କରିବାକୁ ତୋତେ କିଏ ଅଧିକାର ଦେଲା ?

 

ମୁଁ ଉମାକୁ ଚିହ୍ନେ, ଆଜ୍ଞା !

ଚୁପ୍ ।

ମୋର ଖାମିଦପୁଅ ଜଗୁ ୟାରି ପାଲରେ ପଡ଼ି ବାୟା ହୋଇଥିଲା ।

ଉମା ଆଖି ରଙ୍ଗ କରି କହିଲା, ବଇଆ ! ପର ଝିଅ ନାଆଁରେ ମିଛ କହନା ରେ !

ମିଛ କହୁଛି ମୁଁ ? ମନକୁ ପଚାରିଲୁ, ଘରୁ ତୋ ଦାଦି ତତେ ତଡ଼ିଦେଲା କାହିଁକି ?

 

ସଦାନନ୍ଦ ଜିଜ୍ଞାସୁ ନେତ୍ରରେ ଉମାର ଘର୍ମାକ୍ତ ମୁହଁକୁ ଚାହିଁଲେ । ଉମା ଦୁଃଖପୂର୍ଣ୍ଣ କରୁଣ ସ୍ୱରରେ କହିଲା, ଜଗୁଭାଇ ମୋର ମହାପ୍ରସାଦ ଭାଇ । ଲୋକେ ସହି ନ ପାରି ଅପବାଦ ରଟାଇଲେ ।

 

ତୁ ତ କାହାରି ଅନିଷ୍ଟ କରି ନ ଥିଲୁ ? ବଇଆ କହିଲା ।

ତୋର କି ଅନିଷ୍ଟ କରିଛି ମୁଁ, ବଇଆ ?

 

ଉମାର କରୁଣ କଣ୍ଠରୁ ବଇଆ ତା ମନକଥା ବୁଝିଲା । କଥା ରୋକିନେଇ ସଦାନନ୍ଦର ଗମ୍ଭୀର ମୁହଁ, ଅନୁତପ୍ତ ଆଖିକୁ ଚାହିଁ, କଥାର ଢଙ୍ଗ ବଦଳାଇ କହିଲା, କିଛି ନାହିଁ । ତୁ ଜାଣୁ, ବଇଆ ବାଉରି ପିଲା, କାହାରି ନୁହେଁ । ଗାଁ ଲୋକ ବୋଲି ରହସ୍ୟରେ ପଦେ କଅଣ କହିଦେଲି ବୋଲି ସାଙ୍ଗେ ସାଙ୍ଗେ ଯାଇ ଖାମିଦ ଆଗରେ ଗୁହାରି ! ମୁଁ ତ ବାବୁ, ଡମ୍ପାଙ୍କ ବଡ଼ବାପା । ତୁ ମୋ ନାଁରେ କହିଲୁ, ମୁଲାଜା ଛାଡ଼ିଲୁ । ମୋତେ ବି ପାଣିରେ ସର ପକେଇ ଆସେ ।

 

ସଦାନନ୍ଦଙ୍କ ମୁଖର ଭାବ ବଦଳିଗଲା । ସେ କଅଁଳେଇ କହିଲେ, ଯେତେ ହେଲେ ସ୍ତ୍ରୀପିଲା ! ମିଛ କଥା କହି ତାଙ୍କ ମନରେ କଷ୍ଟ ଦେବା ଭଲ ନୁହେଁ ।

 

ଭଲମନ୍ଦ ବୁଝେ ନାହିଁ । ମୁଁ ବଇଆ, ତମ୍ପ ସାପ । ଲାଙ୍ଗୁଡ଼ରେ ହାତ ମାରିଲେ ଯେଉଁଠି ହେଲେ ଚୋଟେ ହାଣିବି । ତମେ ଖାମିଦ ହୁଅ ପଛେ, ଦିନଟାରେ ମୋ ଦି ଆଖି ଆଗରେ ....ଛି, । ବଇଆର ଆଖିରେ ବେଆଡ଼ା କଥା ଯାଏ ନାହିଁ ।

 

ସଦନନ୍ଦ ରାଗିଯାଇ କହିଲେ, ନିକଲ୍ ବଦମାସ୍ । ତୋ ପରି ଲୋକ ମୋର ଦରକାର ନାହିଁ ।

 

ବଇଆ ଚାଲି ଯାଉଣୁ କହିଲା, ଏଁ ମରମ କହିଲି ପରା ! ମୋ ବୋପାଲୋ ! ମହନ୍ତ ହୋଇଛନ୍ତି ।

 

ସଦାନନ୍ଦ କଅଣ ମନରେ ପାଞ୍ଚି କହିଲେ, ଆରେ ହେ, ଶୁଣ୍ ଶୁଣ୍, ତୁ ଜାଣୁ, ଲକ୍ଷ୍ମୀ ମୋର ଭଉଣୀ ?

 

ବଇଆ ଅଟକି କହିଲା, ହୋଇଥିବ ସାଆନ୍ତେ ତୁଣ୍ଡରେ । ୟା ବି ଜାଣେ ଆମ ଗାଁ ଉମା, ବାସୁ ଗୁଡ଼ିଆର ଝିଅ, ପରମହଂସ ମଠରେ ଥାଏ ମହନ୍ତଙ୍କ ପାଖରେ ।

 

ହଉ ଯା, ଯା । ଗାଁରେ କହି ବୁଲିବୁ । କାଲିଠୁଁ ତୋର ଏଠିକି ଆସିବା ଦରକାର ନାହିଁ ।

 

କାଲିଠୁଁ କାହିଁକି ? ଏଇ ଆଜିଠୁଁ । ଏଇ ଅବିକା, ତମ ଆଖି ଆଗରେ । ତମ ଭଳି ସାଆନ୍ତ ମୋର ଲୋଡ଼ା ନାହିଁ । ମୋ ସାଆନ୍ତ ଯେ ସେ, ଥରେ ଭେଟ ହେଲେ ସବୁ କହିବି । ବଇଆ ବାଡ଼ି କବାଟ ଖୋଲି ବାହାରକୁ ଗଲା ।

 

ଅଧିକାରୀ ଉପହାସ କରି ପଛରେ କହିଲେ, କଅଣ କରିବ ତୋ ସାଆନ୍ତ ମୋର ? ଉମା ଆଡ଼କୁ ଚାହିଁ ଦେଖିଲେ, ତା ମୁହଁରେ ସରସତା ନାହିଁ । ଆଖିର ଜ୍ୟୋତି ଲିଭି ଯାଇଛି । କପାଳରେ ଝାଳବିନ୍ଦୁ ଫୁଟି ଉଠିଛି । ଓଠ ସାମାନ୍ୟ ଥରି ଉଠୁଛି ।

 

ତୋର ଫୁଲତୋଳା ସରିବ ନାହିଁ କି ଆଜି ଲକ୍ଷ୍ମୀ, କହି ରାଧୀ ଆସି ସେଠାରେ ପହଞ୍ଚିଲା ।

 

ଉମା ଆଖିର ଲୁହ ପୋଛି ମୁହଁ ଉପରକୁ ପ୍ରଫୁଲ୍ଲତାର ପରଦା ଟାଣି, ଓଠରେ ହସ ଫୁଟାଇ, ଥରିଲା କଣ୍ଠରେ କହିଲା, ସରିଲାଣି ମା ।

 

କେଡ଼େ ଖରା ହେଲାଣି, ଦେଖିଲୁ । ମହନ୍ତ ବାବା ଡାକୁଛନ୍ତି ତେଣେ ।

 

ମୁଁ କଅଣ କରିବି ? ତୋର ଏଇ ଚଗଲା ପୁଅଟା ମୋର ସଙ୍ଗରେ କେମିତି ଲାଗିଛି ଦେଖ୍ ତ !

 

ମୋ ପୁଅ, ଆଉ ତୋର ଭାଇ ନୁହେଁ ପରା ! ରାଧୀ ହସ ହସ ମୁହଁରେ ସଦାନନ୍ଦଙ୍କୁ ଚାହିଁଲା ।

 

ନା ନା, କହି ଉମା ମୁଖ ଗମ୍ଭୀର କଲା ।

କାହିଁକି ଏତେ ରାଗ ତୋର ? ହଇରେ ସଦେଇ.... ।

 

ସଦାନନ୍ଦ ହସ ହସ ହୋଇ କହିଲେ, ମୁଁ କଅଣ କରିବି କହ ତ ? ମୁଁ କହିଲି, ତୁ କାନ୍ଦିଲେ ତୋ ମୁହଁଟା ଭାରି ସୁନ୍ଦର ଦିଶେ ।

 

ହଁ, ତା ବୋଲି ମୋତେ ମାରିବ ?

 

ରାଧୀ ହସିବ କେତେ ! ଏଡ଼େ ପିଲା ଦି’ଟା, ୟାଙ୍କ ଭିତରେ ପୁଣି ଖୂରିଖଳବ । ଆନନ୍ଦରେ ତାର ପ୍ରାଣ ପୂରିଉଠିଲା । ସେ ଏହି କଜିଆ ଭିତରେ ସ୍ନେହଭଣ୍ଡାର ପୂରି ରହିଥିବାର ଦେଖିଲା । ଦୁଇଟି ସରଳମତି ବାଳକ ବାଳିକା ସଂସାରର ଜଟିଳତା କୁଟିଳତା ଜାଣନ୍ତି ନାହିଁ, କଳଙ୍କ ଦୁଶ୍ଚିନ୍ତା ବୁଝନ୍ତି ନାହିଁ । ଜ୍ୟୋତ୍ସ୍ନା ପରି ନିର୍ମଳ ଚରିତ୍ର, ଶିଶୁ ପରି ଶୁଦ୍ଧ ବ୍ୟବହାର, ନିଷ୍କପଟ ଖୋଲା କଥା । ବାହାରେ ଯୁବକ ଯୁବତୀ, ମନ ଭିତରେ ଶିଶୁ, ଦୁଇଟି ଲଙ୍ଗଳା ଶିଶୁ । ଭାଗ୍ୟବତୀ ସେ । ପୁତ୍ରକନ୍ୟାର ଜନନୀ ନୁହେଁ, କିନ୍ତୁ ପୁତ୍ରକନ୍ୟାର ଅଭାବ ନାହିଁ । ସଦାନନ୍ଦ, ଲକ୍ଷ୍ମୀ ତା ଆଖିରେ ସେମାନେ କାଲିକାର ପିଲା, ନିର୍ବୋଧ ବାଳକ ବାଳିକା । ଏଦିନେ ବି କଳିକଜିଆ ।

 

ଦୁଇ ଆଖିରୁ ଦରଦର ହୋଇ ଲୁହ ଝରିଲା । ସେ ଦୁଇ ହାତ ବଢ଼ାଇ ଦୁଇଟି ଶିଶୁର ମୁଣ୍ଡ ବକ୍ଷ ଉପରକୁ ଆଉଜାଇ ଆଣି ସ୍ନେହାର୍ଦ୍ର କଣ୍ଠରେ କହିଲା, ଅବୋଧ ପିଲା ଦିଓଟି, ଏଦିନେ କଜିଆ କଲେ କି ସଂସାର ଆଖିରେ ସାଜିବ ରେ.... ? ସେ ଦିନର ବୟସ ଯେ ଆଉ ନାହିଁ । ଦୁଇଟି ମୁଣ୍ଡକୁ ଛାତି ଉପରେ ଚାପିଧରି ଆଖି ବୁଜି କହିଲା, ଚିରଦିନ ତମର ସ୍ୱଭାବ ଚରିତ୍ର ଏହିପରି ସରଳ, ପବିତ୍ର ଥାଉ ।

 

ରାଧୀର ବକ୍ଷରୁ ମୁଣ୍ଡ ଖସାଇ ସଦାନନ୍ଦ ଓ ଉମା ନିର୍ବାକ୍ ନିସ୍ପନ୍ଦ ହୋଇ କ୍ଷଣକାଳ ଠିଆ ହୋଇ ରହିଲେ । କାହାରି ତୁଣ୍ଡରୁ ଭାଷା ବାହାରିଲା ନାହିଁ । କାହାରି ଚକ୍ଷୁ ଉପରକୁ ହେଲା ନାହିଁ । ରାଧୀ ଅଞ୍ଚଳରେ ମୁହଁ ପୋଛିଲା ।

 

ଆଗରେ ଯେଉଁ ଅନ୍ଧାରିଆ ତୋଟା ଦିଶୁଛି, ତା ସେପାଖେ ଗୋପ । ବାଟ ପାଏ ହୁଏ ନ ହୁଏ । ଏତିକି କହି ସିପାହୀ ଜଣକ ନାଗରା ଜୋତା ମସ୍ ମସ୍ କରି ବାଟେ ବାଟେ ଚାଲିଲା । ଜଗୁର ଇଚ୍ଛା ଥିଲା, ତାକୁ ଆଉ ଦି ଚାରି ପଦ କଥା ପଚାରି ଅନ୍ନଛତ୍ରର ହାଲ୍‍ଚାଲ୍‍ ବୁଝିବ । କିନ୍ତୁ ଡରରେ ସେ ପୁଲିସ ମଣିଷକୁ ପଚାରି ପାରିଲା ନାହିଁ । ସେ ଗଛମୂଳରୁ ଉଠି ବାଡ଼ି ଖଣ୍ଡିଏ କାନ୍ଧରେ ପକାଇ ଆଗକୁ ଚାଲିଲା । ଗୋପ ଯେତିକି ପାଖେଇ ଆସୁଥାଏ, ମନଟା ଆଶା ନୈରାଶ୍ୟ ଦ୍ୱନ୍ଦ୍ୱରେ ସେତିକି ଅସ୍ଥିର ହୋଇ ଉଠୁଥାଏ । ବେଳକୁ ବେଳ କାଙ୍ଗାଳଙ୍କର ସଂଖ୍ୟା ବେଶୀ ବେଶୀ ତା ଆଖିରେ ପଡ଼ୁଥାଏ । ଯୁଆଡ଼କୁ ଚାହେଁ ତେଣେ କାଙ୍ଗାଳ । ଦେହରେ ରକ୍ତ ମାଂସ ନାହିଁ, ହାଡ଼ ଉପରେ କେଇ ଧାଡ଼ି ଶିର ଦଉଡ଼ି । ତା ଉପରେ ଶୁଖିଲା ଚମ । ଆଖିଗୁଡ଼ା କୋରଡ଼ । ବାଉଁଶ କାଠି ପରି ହାତଗୋଡ଼ । ଛାତିର ପଞ୍ଜରାହାଡ଼ ବାରି ହୋଇ ପଡୁଛି । ପେଟ ବୋଲି କିଛି ନାହିଁ, ଏପାଖ ଚମ ଖଣ୍ଡ ପିଠି ପାଖ ବେଁଶିରା ହାଡ଼ ଦେହରେ ଲାଗିଯାଇଛି । ତା ଉପରେ ଜୀବନଯନ୍ତ୍ର ହୃତ୍‍ପିଣ୍ଡଟା ଠକ୍ ଠକ୍ ହେଉଛି । ଆଉ କଲିଜା, ଫୁଲକଲିଜା ସତେ କି ପବନର ଧକ୍କାରେ ପଡ଼ୁଛି ଉଠୁଛି । ତଳ ପେଟରେ ଅନ୍ତବୁଜୁଳାଟି ସାମାନ୍ୟ ଉପରକୁ ଉଠିଛି । ଆଖି ପିଞ୍ଛଡ଼ା ପଡ଼ୁଛି କି ନାହିଁ, କୋରଡ଼ ଭିତରୁ ଜାଣି ହେଉନାହିଁ । ନିଃଶ୍ୱାସ ଆତଯାତ ହେଉଥିବା ଛାତିର ପଞ୍ଜରାକାଠି ଥରି ଉଠୁଛି ।

 

ଯୁଆଡ଼େ ଚାହିଁଲେ ସେହି ଏକ ଦୃଶ୍ୟ । ରାସ୍ତାକଡ଼, ଗଛମୂଳ, ଦୂର ପଡ଼ିଆ, ସବୁଠି ଏକ କଥା । ସ୍ତ୍ରୀ ପୁରୁଷ ସବୁ ସମାନ । ମାତୃତ୍ୱର ପରିଚାୟକ ଚମ ଦିଖଣ୍ଡି କାହାରି ପଞ୍ଜରା ଭିତରେ ଲୁଚିଯାଇଛି, କାହାରି ବା ସାମାନ୍ୟ ଓହଳି ପଡ଼ିଛି । କାହାରି ଛାତିରେ ଦୁଧଖିଆ କଅଁଳ ପିଲା, ଚମ ଖଣ୍ଡ ପାଟିରେ ଦେଇ ଆଖି ବୁଜି ପଡ଼ିଛି ।

 

ଜଗୁ ଏହିସବୁ ଦୃଶ୍ୟ ଦେଖି ଦେଖି ଖଣ୍ଡେଦୂର ଚାଲିଆସିଲା । ଯୁଆଡ଼େ ଆଖି ଫେରାଇଲେ ପ୍ରେତପୁରୀର କରୁଣ ଦୃଶ୍ୟ । ପ୍ରାୟ ସମସ୍ତେ ଲଙ୍ଗଳା । କାହାରି କାହାରି ଦେହରେ ଚାଖଣ୍ଡେ ଚଉଡ଼ାର ଖଣ୍ଡେ ଖଣ୍ଡେ କନା; ମଣିଷର ନଗ୍ନତା ଘୋଡ଼ାଇବାକୁ ନିଅଣ୍ଟ । ସେ ଦିଗକୁ କାହାରି ନଜର ନାହିଁ । ଜୀବନମରଣର ତୁମୁଳ ସଂଗ୍ରାମ । ଲଜ୍ଜା ରହିବ କେଉଁଠି ? ସମସ୍ତେ ସମଦଶାପନ୍ନ, ସମସ୍ତେ ଅପରିଚିତ, କାହାକୁ ଲାଜ, କରିବ କିଏ ?

 

ଏହି କଙ୍କାଳ ଭିତରେ ଲୁଚି ରହିଛି ଖାରବେଳ, ପୁରୁଷୋତ୍ତମ, ମୁକୁନ୍ଦର ଆତ୍ମା । ଏହି ପ୍ରେତଦଳ ଭିତରେ ବୋଇତବାହୀ ସାଧବପୁଅ ଛପି ଛପି ବୁଲୁଛି । କାହିଁ ତାଙ୍କର ବିଜୟୋନ୍ନତ ମୁକୁଟ ? କାହିଁ ତାଙ୍କର ରତ୍ନଗର୍ଭା ତରୀସମୂହ ? ସାଧବଲଳନା ସୁନାଗଦା ଉପରେ ପାଦ ଚାଳି ରତ୍ନଦୀପ ଧରି ବୋଇତ ବନ୍ଦାଇଯିବ ନାହିଁ । ମୁଠିଏ ଅନ୍ନ ପାଇଁ ଅତୀତର ମାନସମ୍ଭ୍ରମ ହଜାଇ, ଗଛମୂଳରେ ବସି ହାତ ପାତିବ !

 

ଜଗୁ ସେହି ପ୍ରେତପଲ ଭିତରେ ପଶି ଅନ୍ନଛତ୍ର ପାଖକୁ ଆସିଲା । ଗୋଟିଏ ଖୋଲା ମଇଦାନ ଉପରେ ଧାଡ଼ି ଧାଡ଼ି ହୋଇ ଛୋଟବଡ଼ ତମ୍ବୁ ପଡ଼ିଛି । ତା’ ଭିତରେ ସରକାରୀ କର୍ମଚାରୀ ଓ କେତେ ଜଣ ସିପାହୀ ରହିଛନ୍ତି । ତମ୍ବୁ ଆଗରେ ଦୁଇ ଧାଡ଼ି ଝାଟିମାଟି କାନ୍ଥଦିଆ ଚାଳଘର । ଆଗ ଧାଉଡ଼ିରେ ପୂଜାରୀ ଚାକରମାନେ ରହିଛନ୍ତି । ପଛ ଧାଡ଼ିରେ ସରଞ୍ଜାମ ସବୁ ଜମା ହୁଏ । ଡାହାଣ ହାତିରେ ବଡ଼ ବଡ଼ ନାଲିଘର ତଳେ କେତେ ଗଦା ଚିରା ଶୁଖିଲା କାଠ ଜମା ହୋଇଛି । କଡ଼କୁ କୂଅ । କୂଅ ସେ ପାଖରେ ଧାଡ଼ିଏ ରୋଷ ଘର, ବରଡ଼ା ପତ୍ରରେ ତିଆରି । ମଇଦାନ ଚାରି ପାଖରେ ବାଉଁଶ କଣିରେ ନିବୁଜ ବାଡ଼ । ଦୁଇ ତିନି ଜାଗାରେ ତାଟି କବାଟ । ଭିତରେ ପୋଲିସ ପହରା । ଖଣ୍ଡେଦୂର ଛାଡ଼ି ରାସ୍ତା କଡ଼ର ବଡ଼ ଆମ୍ବତୋଟା ଆଗରେ କାଙ୍ଗାଳମାନଙ୍କ ରହିବାପାଇଁ ବରଡ଼ା ତାଟି, ବାଉଁଶ ପଟିର ଅସଂଖ୍ୟ ଲମ୍ବା ଲମ୍ବା ଘର । କିଛି ଦୂର ଛାଡ଼ି ଗୋଟିଏ ବଡ଼ ପଙ୍କୁଆ ଦଳୁଆ ପୋଖରୀ । ଆଡ଼ି ଉପରେ ଛଡ଼ା ଛଡ଼ା କେଇଟି ଦରମଲା ନଡ଼ିଆଗଛ, ତାଳଗଛ । କେତେ ଜଣ କାଙ୍ଗାଳ ଆଡ଼ି ଉପରେ ଆଶ୍ରୟ ନେଇଛନ୍ତି ।

 

ଜଗୁ ସବୁ ଦେଖି ଦେଖି ପୋଖରୀ କୂଳରେ ପହଞ୍ଚିଲା । ପାଣି ଦେଖି ତାର ଲୋଭ ହେଲା । ପଟ୍ଟନାୟକଙ୍କ ଉଆସ ଛାଡ଼ିଲାଦିନୁ ଦେହରେ ତାର ପାଣି ପଡ଼ି ନାହିଁ । ଯାହା ହେଉ, ଆଜି ସେ ମନ ଶାନ୍ତିକରି ପୋଖରୀରେ ଗଧୋଇବ ।

 

ଜଗୁ ଧୀରେ ଧୀରେ ପାହାଚ ଓହ୍ଲାଇ କୂଳକୁ ଆସିଲା । କୂଳଟା ଅତି ମଇଳା ହୋଇଛି । ଛିଣ୍ଡା କନା, ଭଙ୍ଗା ଖପରାରେ ପୂର୍ଣ୍ଣ । ସେ କୂଳେ କୂଳେ ପାଣିର ଚାରିପାଖରେ ବୁଲିଆସିଲା । ସବୁଠାରେ ଏକା ଅବସ୍ଥା । ଚାଇଁଚାଇଁଆ ଦିପହର ଖରା, ଦେହ ସହୁନାହିଁ । ଚାହିଁ ବସିଲେ କିଛି ଲାଭ ନାହିଁ । ଶୀଘ୍ର କାମ ଶେଷ କରି ନ ଗଲେ ତେଣେ ଭାତ ଲାଗିଯିବ ।

 

ସେ ଧୀରେ ଧୀରେ ପୋଖରୀ ଭିତରକୁ ଓହ୍ଲାଇଲା । ପାଣି ଉପରେ ସେହିପରି ମଇଳା ଭାସୁଛି । ସେ ଦୁଇ ହାତରେ ପାଣିକୁ ଦୁଇ ପାଖକୁ ଆଡ଼େଇ ପୋଖରୀ ମଝିକୁ ଆସିଲା । ପାଣି ମୋଟେ ଛାତିଏ । ତଳେ ଆଣ୍ଠୁଏ ପଙ୍କ । ଯାହା ହେଉ, ତା ପରି ତ କେତେ ନରକଙ୍କାଳ ସେହି ପାଣିରେ ଗୋଧୋଉଛନ୍ତି । ସେହି ଉଦ୍ଦେଶ୍ୟରେ ହୁଡ଼ା ଉପରେ କେତେ ଲୋକ ବସିଛନ୍ତି । କେହି କେହି କୂଳକୁ ଆସି ମୁହଁ ଲଗାଇ ପିଉଛନ୍ତି । ଜଗୁ ମୁଣ୍ଡ ବୁଡ଼ାଇ ଭଲ କରି ଗାଧୋଇଲା । ପାଣିର ପଙ୍କୁଆ ଗନ୍ଧ ତାକୁ ହଟାଇ ପାରିଲା ନାହିଁ । ସେ ଗାଧୁଆ ଶେଷ କରି ତୁଠକୁ ଫେରିଲା । ବାଡ଼ି ଖଣ୍ଡ କାନ୍ଧରେ ପକାଇ ହୁଡ଼ା ଉପରକୁ ଉଠିଲା । ଦେଖିଲା, କାଙ୍ଗାଳମାନେ ଜଣ ଜଣ କରି ଛତରମୁହାଁ ହୋଇ ଫେରୁଛନ୍ତି ।

 

କିଛି ଦୂରରେ ହୁଡ଼ା ଉପରେ ଡେଙ୍ଗା ଦରମଲା ନଡ଼ିଆଗଛ ତଳେ ଗୋଟିଏ କରୁଣ ଦୃଶ୍ୟ ତା ଆଖିରେ ପଡ଼ିଲା । ସ୍ତ୍ରୀଲୋକଟିଏ, ସଂପୂର୍ଣ୍ଣ ଲଙ୍ଗଳା, ଗଛକୁ ଆଉଜି ବସିଛି । ଦେହରେ ହାଡ଼ ଛଡ଼ା ଆଉ କିଛି ନାହିଁ । ଆଗରେ ଖଣ୍ଡେ ଛେଲୁଆ ରଖା ହୋଇଛି । ଛେଲୁଆ ପାଖରେ ଦୁଇତିନି ବର୍ଷର ଶିଶୁଟିଏ । ଅବସ୍ଥା ଅତି ଖରାପ । ଚିଁ ଚିଁ ହୋଇ ଚିତ୍କାର କରୁଛି । ଦୁଇଟା ସବଳକାୟ କୁକୁର ଛେଲୁଆରୁ ଭାତତକ ଶେଷ କରି ଶିଶୁଟିକୁ ଆକ୍ରମଣ କରୁଛନ୍ତି । ଦରମରା ମାଆ କୁକୁର ଦୁଇଟାକୁ ଘଉଡ଼ିବାକୁ ହାତ ଟେକି ପାଟି କରି ଉଠୁଛି; କିନ୍ତୁ ଆହା, ଦୁର୍ବଳ ହାତଟିକୁ ଉଠାଇବାର ଶକ୍ତି ନାହିଁ । ଅତି କଷ୍ଟରେ ଉପରକୁ ଉଠାଉ ଉଠାଉ ତଳକୁ ପୁଣି ଖସିପଡ଼ୁଛି । ତାର କ୍ଷୀଣ ସ୍ୱରଟି ଶିଶୁର ଆକୁଳ ଚିତ୍କାର ଭିତରେ ମିଶି ଯାଉଛି । ଆଉ କେତୋଟି କାଙ୍ଗାଳ ଦୂରରୁ ଏ କରୁଣ ଦୃଶ୍ୟଟିକୁ ଭୀତିପୂର୍ଣ୍ଣ ଚକ୍ଷୁରେ ଚାହିଁ ରହିଛନ୍ତି । ପାଖକୁ ଯିବାକୁ ସାହସ ହେଉନାହିଁ, ଶକ୍ତି ପାଉନାହିଁ ।

 

ଜଗୁର ଆଉ ଡେରି କରିବାକୁ ବେଳ ନାହିଁ । ଟିକିଏ ହେଳାକଲେ ରକ୍ତମୁଖା କୁକୁର ଦୁଇଟା ପିଲାଟିକୁ ଜୀଅନ୍ତା ଖାଇଦେବେ । ଜଗୁ ଠେଙ୍ଗାଟିକୁ ଉପରକୁ ଟେକି ଏକ ନିଃଶ୍ୱାସରେ ପାଖକୁ ଧାଇଁଲା । ତଥାପି କୁକୁର ଦିଟା ଭୟରେ ପଳାଇଲେ ନାହିଁ । ତାର ଠେଙ୍ଗା ପାହାରରେ ଗୋଟାଏ କୁକୁରର ମୁଣ୍ଡ ଫାଟିଲା । ସେ ଛଟପଟ ହୋଇ ହୁଡ଼ା ଉପରୁ ତଳକୁ ଗଡ଼ି ପଡ଼ିଲା । ଆରଟା ଭୟରେ ଚିତ୍କାର କରି ବିଜୁଳି ବେଗରେ ପଳାଇଲା ।

 

ଜଗୁ କରୁଣାର୍ଦ୍ର ଚକ୍ଷୁରେ ଶିଶୁଟିକୁ ଚାହିଁଲା । ବିଶେଷ କ୍ଷତି ହୋଇନାହିଁ । ସେ ଫେରି ଆସିବାକୁ ମୁହଁ ଫେରାଇଲା, କିନ୍ତୁ କିଏ ଅତି ଅସ୍ପଷ୍ଟ ସ୍ୱରରେ ତାକୁ ପଛରୁ ଡାକିଲା, ଜଗୁରେ, ବାପ..... ।

 

ଜଗୁ ଅଟକିଲା । ସେହି କଙ୍କାଳସାର ସ୍ତ୍ରୀଲୋକଟିକୁ ଚାହିଁଲାକ୍ଷଣି ସେ ଅତି କଷ୍ଟରେ ମୁଣ୍ଡ ଟେକି କ୍ଷୀଣକଣ୍ଠରେ କହିଲା, ଚିହ୍ନି ପାରୁ ନାହୁଁ ବାପ ?

 

ଧଇଁ ସଇଁ ହୋଇ ଘନ ନିଃଶ୍ୱାସ ନେଇ କହିଲା, ତୋର, ତୋର ମାଉସୀ ମୁଁ, ରେଣୁବୋଉ । ଏଇ ରେଣୁ !

 

ଆଶ୍ଚର୍ଯ୍ୟରେ ଜଗୁର ଦୁଇଡୋଳା ସ୍ଥିର ହେଲା । ଭ୍ରୂଲତା ଉପରକୁ ଉଠିଲା । ବିସ୍ମୟସୂଚକ ସ୍ୱରରେ କହିଲା, ତମେ କାହିଁକି ଏଠି, ଏପରି ଅବସ୍ଥାରେ ?

 

ପୂର୍ବପରି ସେ କହିଲା, ପାପର ଫଳ । ଘରେ ନିଆଁ ଲଗାଇ ବଇଆ ଗାଁଯାକ ପୋଡ଼ିଜାଳି ଦେଇଛି ।

 

ବଇଆ ନିଆଁ ଲଗାଇ ଗାଁ ଯାକ ପୋଡ଼ି ପକାଇଛି ? ହାଃ ହାଃ ....!

 

ରେଣୁବୋଉ ମୌନ ହେଲେ । କେତେବେଳେ ଶୁଖିଲା ଓଠ ଥରାଇ କହିଲେ, ରେଣୁବାପା କୁଆଡ଼େ ଛାଡ଼ି ପଳାଇଲେ । ମୋର ବେଳ ହେଲାଣି । ରେଣୁ ତତେ ଲାଗିଲା .... ।

 

ଜଗୁ ରେଣୁକୁ ଚାହିଁ ଭାବିବାକୁ ଲାଗିଲା, ରେଣୁର ବେଳ ଆହୁରି ପାଖେଇ ଆସିଲାଣି । ସେ କାହିଁକି ତାର ଦାୟିତ୍ୱ ଗ୍ରହଣ କରି ନିଜେ ବିପଦରେ ପଡ଼ିବ ? ଜାଣି ଜାଣି ବନ୍ଧନ ଆଣି ଗଳାରେ ଲଗାଇବ ? ନା, ଦୁର୍ବଳତାକୁ ମନରେ ପ୍ରଶୟ ଦେବ ନାହିଁ ? ଜଗୁ ଥରେ ମାତ୍ର ଆଡ଼ ଆଖିରେ ରେଣୁକୁ ଚାହିଁ ଉତ୍ତର ନ ଦେଇ ସେଠାରୁ ଚାଲି ଆସିଲା ।

 

ଛତର ପାଖକୁ ଆସିଲା । ଦେଖିଲା, କାଙ୍ଗାଳ ଗୁଡ଼ିକ ଧାଡ଼ି ଧାଡ଼ି ହୋଇ ବସି ଚିତ୍କାର କରୁଛନ୍ତି । କିଏ ବା ହାତରେ ଛେଲୁଆ ଧରିଛି, କେହି କେହି ପତର ଧରି ପରଷୁଣିର ଅପେକ୍ଷାରେ ମୌନ ହୋଇ ବସିଛନ୍ତି । କୌଣସି ହତଭାଗ୍ୟ ମୁମୂର୍ଷର ସେତକର ବି ଅଭାବ । ଖଣ୍ଡେ ଚିରାକନା ଭୂଇଁ ଉପରେ ପାରି ବସିଛି । କେହି ବା ତଳୁ ଧୂଳି ଝାଡ଼ି ପରିଷ୍କାର କରି ମୁଠିଏ ଅନ୍ନ ପାଇଁ ଚାହିଁ ରହିଛି । କେହି କେହି କେବଳ ଆଞ୍ଜୁଳା କରି ହାତ ପାତି ବସିଛନ୍ତି । ଜଗୁ ଭାବିବାକୁ ଲାଗିଲା, ଏହି ହତଭାଗ୍ୟ ଦରମରା କାଙ୍ଗାଳମାନଙ୍କ ମଝିରେ ବସି ମୁଠିଏ ଭାତ ପାଇଁ ହାତ ପାତିବ ? ତାକୁ ଦେଖିଲାକ୍ଷଣି ଲୋକେ ଦୂର୍‌ଦୂର୍‌ କରି ତଡ଼ିବେ । କିନ୍ତୁ, ଏଣେ କ୍ଷୁଧାର ପ୍ରବଳ ତାଡ଼ନା ସହି ହେଉନାହିଁ ।

 

ସେ ସେହି କାଙ୍ଗାଳମାନଙ୍କର ମଝିରେ ବସି ଅନ୍ନବଣ୍ଟନକାରୀମାନଙ୍କର ଅପେକ୍ଷାରେ ଚାହିଁ ରହିଲା । କିଛି ସମୟ ପରେ କେତେ ଜଣ ଲୋକ କାଖରେ ଭାତଭରା ବଡ଼ ବଡ଼ ବେତା ଧରି କାଙ୍ଗାଳମାନଙ୍କ ଭିତରେ ବାଣ୍ଟି ହୋଇଗଲେ । ସେମାନଙ୍କୁ ଦେଖିଲାକ୍ଷଣି ଲୋକେ ଆନନ୍ଦ ଆଗ୍ରହରେ କୋଳାହଳ କରି ଉଠିଲେ । କେହି କେହି ଉଠି ଠିଆ ହେଲେ ।

 

ଜଗୁ ଉଠି ଠିଆ ହେଲା, କିନ୍ତୁ ସୂପକାରର ପଛରେ ଆସୁଥିବା ସିପାହୀ ଜଣକ ତାର ସୁଦୀର୍ଘ ଠେଙ୍ଗାଟା ଉପରକୁ ଟେକି ଚିତ୍କାର କରି ଉଠିଲା, ବସ, ବସ, ଗୋଳମାଳ କଲେ ଭାତ ଦିଆଯିବ ନାହିଁ ।

 

ଲୋକେ ଭୟରେ ପୁଣି ନିଜ ନିଜ ସ୍ଥାନରେ ବସିଲେ । ଚିତ୍କାର କରିବାକୁ ଲାଗିଲେ । ଲୋକଙ୍କର ଭୟ କରିବାର ଯଥେଷ୍ଟ କାରଣ ଅଛି । ଏହି ଗୋପରେ ଯେତେବେଳେ ନୂଆ ନୂଆ ଅନ୍ନଛତ୍ର ଖୋଲାହେଲା, ଲୋକଙ୍କୁ ଶାନ୍ତଶିଷ୍ଟ ଭାବରେ ମୁଠିଏ ଅନ୍ନ ଦେବା ଅସମ୍ଭବ ହୋଇପଡ଼ିଲା-। ସେତେବେଳେ ଏପରି ସୁବିଧା କରାଯାଇ ପାରି ନ ଥିଲା । ଖୋଲା ଜାଗାରେ ବସାଇ ଲୋକଙ୍କୁ ଗଛମୂଳରେ ଖାଇବାକୁ ଦେବାର କଥା । ଲୋକଙ୍କୁ ସମ୍ଭାଳେ କିଏ ? ଭୋକିଲା ପେଟରେ ଜୀବନ ବିକଳରେ ସେମାନେ ଉଚ୍ଛୃଙ୍ଖଳ ହୋଇପଡ଼ିଲେ । ଶାନ୍ତ ଭାବରେ ଅପେକ୍ଷା କରି ବସିବା ତାଙ୍କ ପକ୍ଷରେ ଅସମ୍ଭବ ।

 

ଲୋକେ ହୋ ହୋ ହୋଇ ଭାତ ବାଣ୍ଟୁଥିବା ଲୋକଙ୍କ ଉପରେ ଏକ ସଙ୍ଗରେ ଯାଇ ପଡ଼ୁଥିଲେ । ଲୋକଭିଡ଼ରେ, ଠେଲାଠେଲିରେ ଦୁର୍ବଳ ଅନ୍ଧଲୋକ ତଳେ ପଡ଼ି ପ୍ରତିଦିନ ମରିବା ତ ସ୍ୱାଭାବିକ କଥା । ଲୋକମାନଙ୍କ ଆକ୍ରମଣକୁ ଡରି, ପରଷୁଣିମାନେ ହାଣ୍ଡିକୁଣ୍ଢେଇ ଛାଡ଼ି ପ୍ରାଣ ବିକଳରେ ଦୂରକୁ ପଳାଇ ଯାଉଥିଲେ । ଦିନେ ବଡ଼ ସାହେବ ଆଖି ଆଗରେ ଏପରି ଘଟଣା ଦେଖି ଚାଉଳ ବାଣ୍ଟିବାକୁ ଆଦେଶ କରିଗଲେ ।

 

ଆଦେଶମତେ ଚାଉଲ ବଣ୍ଟାଗଲା । ରୋଷାଇ କରି ଖାଇବାକୁ ସେମାନଙ୍କୁ ସବୁ ସୁବିଧା କରି ଦିଆଗଲା । କିନ୍ତୁ, କେହି କେବେ ରୋଷାଇ କଲେ ନାହିଁ । ଚାଉଳ ପାଇବା ସଙ୍ଗେ ସଙ୍ଗେ ଅଧୀର ହୋଇ କଞ୍ଚା ଚୋବାଇଲେ । ଦେଖାଗଲା, ଚାଉଳ ବଣ୍ଟା ଦ୍ୱାରା ଲୋକଙ୍କର କ୍ଷତି ଛଡ଼ା ଉପକାର ହେଲା ନାହିଁ । ତତଲା ପେଟରେ କଞ୍ଚା ଚାଉଳ ପଡ଼ି ନାନାପ୍ରକାର ପେଟରୋଗ ଆରମ୍ଭ ହେଲା । ହଇଜା ଆମାଶୟ ବ୍ୟାପିଗଲା । ଲୋକେ ଉଦର ରୋଗରେ ପ୍ରତିଦିନ ମରିବାକୁ ଲାଗିଲେ । ମରଣର ସଂଖ୍ୟା କ୍ରମେ ବଢ଼ିବାକୁ ଲାଗିଲା । ଦୁର୍ବଳ ପାଖରୁ ସବଳର ଚାଉଳ ଚୋରି ତ ସ୍ୱାଭାବିକ କଥା ।

 

ଏ ସବୁ ବିଷୟ ଦେଖି କିଛିଦିନ ପରେ ପୁଣି ଚାଉଳବଣ୍ଟା ବନ୍ଦ କରି ପୂର୍ବ ପରି ଭାତବଣ୍ଟା ଆରମ୍ଭ କରାଗଲା । ବଣ୍ଟନର ରୀତି ବଦଳାଇବାକୁ ହେଲା । ବିନା ପୋଲିସ ପହରାରେ ପୂଝାରୀମାନେ ଅନ୍ନ ବିତରଣ କରିବାକୁ ରାଜି ନ ହେବାରୁ ବାଧ୍ୟ ହୋଇ ସେମାନଙ୍କର କଥା ରଖାଗଲା । କାର୍ଯ୍ୟ ଶୃଙ୍ଖଳାରେ ଚାଲିଲା ।

 

କାର୍ଯ୍ୟ ସୁଶୃଙ୍ଖଳ ହୋଇ ଚାଲିଲା ବୋଲି ଯେ ଲୋକେ ନ ମଲେ, ଏପରି ମନେ କରିବା ଠିକ୍ ନୁହେଁ । ବରଂ ଦିନକୁ ଦିନ ଯେପରି ଲୋକସଂଖ୍ୟା ବଢ଼ିବାକୁ ଲାଗିଲା, ଲୋକଙ୍କ ଅବସ୍ଥା ମଧ୍ୟ ବେଳକୁ ବେଳ ଅଧିକ ଖରାପ ହେଲା । ଖରା ତାତିରେ ଗଛରୁ ବାଦୁଡ଼ି ମରି ଝଡ଼ିଲା ପରି ଲୋକେ ଶହ ଶହ ହୋଇ ମରିବାକୁ ଲାଗିଲେ । ଟିକିଏ ବେଶୀ ଗରମ ହେଲେ କିମ୍ବା ଅସରାଏ ବର୍ଷା କି ସାମନ୍ୟ ଶୀତ ପଡ଼ିଲେ ଲୋକଙ୍କର ମୃତ୍ୟୁସଂଖ୍ୟା ଆହୁରି ବେଶୀ ବଢ଼ିଯାଏ । ଅନ୍ନଛତ୍ର ବାଟ, ଗଛମୂଳ, ଖୋଲା ପଡ଼ିଆ, ସବୁଠି ଲୋକେ ମରି ଶୁଅନ୍ତି । କେବଳ ମୁର୍ଦ୍ଦାର ସଫା କରି ଗାଡ଼ିରେ ବୋହି ନେଇ, ଗାଁ ବାହାରେ ଖୋଳା ହୋଇଥିବା ଖାତରେ ପକାଇ ଆସିବାକୁ ନିଯୁକ୍ତ ମେହେନ୍ତରଙ୍କର ବେଳ ଅଣ୍ଟିଲା ନାହିଁ ।

 

ଲୋକେ ଭୟରେ ନିଜ ନିଜ ସ୍ଥାନରେ ବସିଲେ । ଜଗୁ ଅନ୍ନର ଅପେକ୍ଷାରେ ତୁନି ହୋଇ ବସି ରହିଲା । ପରଷୁଣୀ ଡଙ୍କାଏ ଡଙ୍କାଏ ଭାତ ଲୋକଙ୍କୁ ବାଣ୍ଟି ଜଗୁ ଆଗରେ ପହଞ୍ଚିଲା । କିନ୍ତୁ ଜଗୁର ମୁହଁକୁ ଚାହିଁ ତାର ଦୟା ହେଲା ନାହିଁ । ସେ ରୁକ୍ଷ ସ୍ୱରରେ କହିଲା, ଆରେ ତୁଟା କିଏ ମ....-? ତା ପରେ ସେ ଜଗୁକୁ ଛାଡ଼ି ଆଗକୁ ଯାଇ ଅନ୍ୟମାନଙ୍କୁ ପରଷିଲା ।

 

ଜଗୁ ଏହାର ଅର୍ଥ ବୁଝି ନ ପାରି ମୁଠାଏ ଭାତ ପାଇଁ ପରଷୁଣିକୁ ଅନୁରୋଧ କଲା । କିନ୍ତୁ ସେ ନାଲି ଆଖି ଦେଖାଇ କହିଲା, କୋଢ଼ିଟାଏ କିରେ ! ଏଡ଼େ ବଡ଼ ଗଣ୍ଡି ବୋହିଛୁ, ଯା ଯା, କାମ କରି ଖାଇବୁ ।

 

ଜଗୁ କହିଲା, ଏତେ ଲୋକ କଅଣ କାମ କରି ଖାଉଛନ୍ତି ?

ସିପାହୀ ଉତ୍ତର ଦେଲା, ସେମାନେ ଅପାରଗ ।

ଜଗୁ କହିଲା, ସବୁଦିନେ ଅପାରଗ ନ ଥିଲେ । ଖାଇବା ବିନା ଆଜି ତାଙ୍କର ଏ ଦଶା ।

 

ତା କଥାର ଉତ୍ତର ଦେବାକୁ କାହାରି ମନ ହେଲା ନାହିଁ । ତା ପାଇଁ କେହି ଅଟକି ରହିଲେ ନାହିଁ । ଜଗୁ ହତାଶ ହେଲା । ଚାରିଆଡ଼େ କାଙ୍ଗାଳମାନେ ମହା ମଉଜରେ ଭାତ ଖାଉଛନ୍ତି-। ଏକା ସେହି ତାର ଅଦମ୍ୟ କ୍ଷୁଧାକୁ ପେଟରେ ଧରି ୟା ତା ପାଟିକି ସନ୍ତୁଷ୍ଟ ନୟନରେ ଚାହିଁ ଡହଳ ବିକଳ ହେଉଛି । ସେ କଅଣ ଏଡ଼ିକି ନିର୍ବୋଧ ?

 

କଅଣ ମନରେ ପାଞ୍ଚି, ତା ପାଖରେ ବସି ଖାଉଥିବା ଶିଶୁଟିର ଭାତ ଛଡ଼ାଇ ଆଣି ଖାଇଲା । କାନ୍ଦ କାନ୍ଦ ହୋଇ ଭୟରେ ପିଲାଟି କେବଳ ୟା ତା ମୁହଁକୁ ଚାହିଁଲା । ମାତ୍ର କେହି ତା ଦୁଃଖ ବୁଝିଲେ ନାହିଁ । ଖାଇବାରେ ସମସ୍ତେ ବ୍ୟସ୍ତ । ଜଗୁ ସେତକ ଶେଷ କରି ଜଣକ ପରେ ଜଣେ ଏହିପରି ଦୁଇ ତିନୋଟି ଦୁର୍ବଳ କାଙ୍ଗାଳଙ୍କର ମୁଖର ଗ୍ରାସ ଛଡ଼ାଇ ଖାଇଲା । ଲୋକେ ଉଭୟେ ବିବ୍ରତ ହୋଇ କୋଳାହଳ କରି ଉଠିଲେ । ଜଗୁ ଡରିବାର ଲୋକ ନୁହେଁ । ଲୋକଙ୍କର ଆକୁଳ ଚିତ୍କାର ଶୁଣି ଦୁଇଜଣ ସିପାହୀ ଆସି ଲାଠିର ଭୟ ଦେଖାଇ ତାକୁ ଗିରଫ କରି ରଖିଲେ ।

 

ଦୁଇ ଦିନ କଟିଲା । ଜଗୁର ଦୁରବସ୍ଥା ଦେଖି ଉପର ହାକିମଙ୍କ ହୁକୁମ ପାଇ ଦୁଇଜଣ ସିପାହୀ ତା ଗୋଡ଼ ହାତର ବନ୍ଧନ ଖୋଲିଲେ । ତାକୁ ମୁକ୍ତି ଦେଇ ରୁକ୍ଷ ସ୍ୱରରେ କହିଲେ, ତୁ ବଡ଼ ବଦ୍‌ମାସ୍‍ । ଅନ୍ନଛତ୍ର ଭିତରେ ପଶି ଯଦି ପୁଣି ବଦମାସୀ, ବଳାବଳି ଆରମ୍ଭ କରୁ, ତେବେ ପୁଣି ଏହିପରି ଦଣ୍ଡ ଦିଆଯିବ । ଯଦି ଭଲ ଦଶା ଅଛି, ଭଲରେ ଭଲରେ ଏଠୁ ଚାଲିଯାଇ ଅନ୍ୟ କେଉଁଠି କାମକରି ଖା । ଚାଲିଯା ଏଠାରୁ ।

 

ସେ କିଛି ଉତ୍ତର ନ ଦେଇ ପାଖରେ ଠିଆ ହୋଇଥିବା ସିପାହୀ ଦୁହିଙ୍କୁ ଚାହିଁ ଭାବିବାକୁ ଲାଗିଲା, ପେଟ ପାଇଁ ମୁଠିଏ ଭାତ ଛଡ଼ାଇ ଖାଇଲା ବୋଲି ତା ଉପରେ ଏଡ଼େ ବଡ଼ ଦଣ୍ଡ ! ଦୁଇ ଦିନ ଦୁଇ ରାତି ଅନଶନରେ ତାକୁ ଗୋଟାଏ ଖୁଣ୍ଟରେ ବାନ୍ଧି ରଖିଲେ । ମାଗିଲେ ମୁନ୍ଦାଏ ପାଣି ସୁଦ୍ଧା ପିଇବାକୁ ଦେଲେ ନାହିଁ । ବର୍ଷା ହେଲା, ବର୍ଷାମାଡ଼ ମଧ୍ୟ ପିଠିରେ ତାକୁ ସହିବାକୁ ହେଲା ! ଏହା ତ ଜୀବନର ମହାଶିକ୍ଷା । ମଣିଷ ହୋଇ ଜୀବନ ଧରି ରହିବାକୁ ହେଲେ ଦୁର୍ବଳ ଉପରେ ଅତ୍ୟାଚାର କରି ମଣିଷର ରକ୍ତ ପଇବା ଦରକାର !

 

ସିପାହୀ କହିଲା, କିରେ ଠିଆ ହୋଇ ରହିଲୁ ଯେ.... !

ମୋତେ ମୁଠିଏ ଖାଇବାକୁ ଦେଇପାରିବ ?

ତୋ ପରି କୋଢ଼ିଆକୁ ? ଯା କାମ କରି ଖାଇବୁ ।

ମୋତେ କାମ ଦିଅ, ମୁଁ କରିବାକୁ ରାଜି !

ଏଠି କାମଦାମ ନାହିଁ । ଯା, ଆଉ କେଉଁଠି ଦେଖ... ।

ସେ ହତାଶ ହେଲା । ଅନୁରୋଧ କଲା, ମୋର ବାଡ଼ିଖଣ୍ଡି ମୋତେ ଫେରାଇ ଦିଅ ।

ପୁଣି ଦୁର୍ବଳ ଲୋକଙ୍କୁ ଡରାଇ ଭାତ ଛଡ଼ାଇ ଖାଇବୁ, ନା ? ବାଡ଼ି ଦିଆଯିବ ନାହିଁ ।

 

ଜଗୁ ଯେତେ ପ୍ରାର୍ଥନା କଲା, କେହି ତା କଥା ଶୁଣିଲେ ନାହିଁ । ସେ ହତାଶ ହୋଇ ଦୁଃଖରେ ସେଠାରୁ ଚାଲି ଆସିଲା । କାଙ୍ଗାଳପଲ ଅତିକ୍ରମ କରି କିପରି ସେ ଅନ୍ନଛତ୍ରର ହତା ଭିତରୁ ବାହାରିଯିବ, ତାର ତର ସହିଲା ନାହିଁ । ତାକୁ ଦେଖିଲାକ୍ଷଣି ଲୋକେ ଭୟରେ ଆଡ଼ ହେଲେ । କେହି କେହି ସାହସୀ ଲୋକ ତାକୁ ଅକଥ୍ୟ ଭାଷାରେ ଗାଳିଗୁଲଜ କଲେ । ଅଭିଶାପ ଦେଲେ ।

 

ସେ ନୀରବରେ ତଳକୁ ମୁଣ୍ଡ ପୋତି କାଙ୍ଗାଳ ପଲ ଭିତରେ ପଶି ରାସ୍ତା ଉପରକୁ ଆସିଲା । ଭାବିଲା, କ୍ଷଣକର ଅବିବେକିତା ପାଇଁ ଜାଣି ଜାଣି ସେ ତାର ଆଶା ପୋଡ଼ିଛି । ଏଣିକି ଜୀବନରକ୍ଷାର ଆଉ ଉପାୟ ନାହିଁ । ଗୋପର ଅନ୍ନଛତ୍ରରୁ ଅନ୍ନ ପାଇବାର ଉପାୟ ନାହିଁ ।

 

ସେ ଖଣ୍ଡେ ଦୂର ଆସି ଗୋଟାଏ ଗଛତଳେ ବସି ବର୍ତ୍ତମାନ ଓ ଭବିଷ୍ୟତ ସମ୍ବନ୍ଧରେ ଚିନ୍ତା କଲା । କୂଳକିନାରା ପାଇଲା ନାହିଁ । ପାଖ ଗଛମୂଳରୁ ଡାମରାକାଉ ରାବି ଉଠିଲା । ସେ ଆଖି ଫେରାଇ ଦେଖିଲା, ଗଛତଳେ ଜଣେ କାଙ୍ଗାଳ ଶୋଇଛି । ତା ମୁହଁ ପାଖରେ ଖଣ୍ଡେ ଖପରା ଦେହରେ ଡଙ୍କାଏ ହେବ ଭାତ ରଖା ହୋଇଛି । କାଉଟି ବସି ଭାତକୁ ଖୁମ୍ପୁଛି । ସେ ପାଖକୁ ଗଲା । ଦେଖିଲା, ଓଦା ଭୂଇଁ ଉପରେ କଙ୍କାଳସାର କାଙ୍ଗାଳଟି ଭାତ ଖପରା ପାଖରେ ମୁହଁ ମାଡ଼ି ମରି ପଡ଼ିଛି । ସେ ଆଶ୍ଚର୍ଯ୍ୟ ମନେ କଲା ନାହିଁ । ବସିବା ଶକ୍ତି ରହିତ ଲୋକେ ତ ପୁଣି ଭାତ ଲୋଭରେ ଘୁସୁରି ଘୁସୁରି ଛତରକୁ ଯିବାର ସେ ଦେଖିଛି ।

 

ଜଗୁ ପାଖକୁ ଯିବାରୁ କାଉଟି ଭାତ ଛାଡ଼ି ଉଡ଼ିଗଲା । ଦୁଇଦିନର ଉପାସ । ଭଲମନ୍ଦ ଭାବିବାକୁ ସେ ଚାହିଁ ବସନ୍ତା ନାହିଁ । ବାରି ବସିଲେ ପ୍ରାଣ ରହିବ ନାହିଁ । ସେ ଥରେ ଏପାଖ ସେପାଖ ଚାହିଁ ଚଞ୍ଚଳ ଭାତ ଖପରାଟି ଟାଣି ଆଣିଲା । ଆହା, ପ୍ରେତର ଦାନ, ମୃତର ଉଚ୍ଛିଷ୍ଟ । ସେ ଆଜି ଏତକ ଖାଇ ପ୍ରାଣ ବଞ୍ଚାଇବ । ଜଗୁ ଦୁଷ୍ଟ, ଜଗୁ ଦୁର୍ଦ୍ଦାନ୍ତ, ଅମଣିଷ ବୋଲି ମୃତ ମଣିଷଟି ତାକୁ ତିରସ୍କାର କରିବ ନାହିଁ । ତା ନାମରେ ଅଭିଯୋଗ ଆଣିବ ନାହିଁ ।

 

ଜଗୁ ଏକ ନିଃଶ୍ୱାସରେ ଭାତତକ ଖାଇ ଶେଷ କଲା । ପାଣି ଖୋଜିବାକୁ ତାକୁ ବେଶୀ ଦୂର ଯିବାକୁ ପଡ଼ିଲା ନାହିଁ । ପାଖରେ ଗୋଟିଏ ଛୋଟ ଖାଲରେ ବରଷା ପାଣି ପୂର୍ଣ୍ଣ ଅଛି । ସେ ଚଳା ଚଳା କରି ସେଥିରୁ ପାଣି ଆଣି ହାତରେ ମୁହଁ ଲଗାଇ ପିଇଲା । ଶାନ୍ତିରେ ଦୀର୍ଘଶ୍ୱାସ ଛାଡ଼ି ମନକୁ ମନ କହିଲା, ଏଥର ଆଉ ଚିନ୍ତା ନାହିଁ । ନିର୍ବିଘ୍ନରେ ପୁଣି ସେ ଦୁଇଦିନ କଟାଇ ପାରିବ, ତେଣିକି ଦେଖାଯିବ । ଦିପହରର ଦେହଜଳା ଖରା ମାଡ଼ି ଆସୁଛି । ଟିକିଏ ବିଶ୍ରାମ ନ ନେଲେ ଦୁଇ ଦିନର ଅନିଦ୍ରା ଜନିତ ଅବସାଦ ଦୂର ହେବନାହିଁ । ସେ ରାସ୍ତାକଡ଼ର ଓଦା ଭୂଇଁ ଉପରେ କାନି ପାରି ଆଖି ବୁଜି ଶୋଇଲା ।

 

ନିଦ ମାଡ଼ି ଆସୁଛି । ସହସା ତା ନିଦ ଭାଙ୍ଗିଲା ଗୋଟାଏ ବଳଦଗାଡ଼ିର କେଁ କେଁ ଶବ୍ଦରେ । ସେ ଉଠି ବସିଲା । ଦେଖିଲା, ଦୁଇଜଣ ଗାଡ଼ୁଆନ ବଳଦ ଅଡ଼ାଇ ଅତି କଷ୍ଟରେ ଗୋଟାଏ ଗାଡ଼ିକୁ ବାଲି ରାସ୍ତାରେ ଠେଲି ଠେଲି ଆଣୁଛନ୍ତି । ଛାଇ ତଳ ଦେଖି ତାଆରି ଆଗରେ ଗଛ ମୂଳରେ ଶଗଡ଼ ବନ୍ଦ କଲେ । ବୋଧହୁଏ ବିଶ୍ରାମ ନେବେ । ଶଗଡ଼ରେ ବୋଝେଇ ହୋଇଛି, କେବଳ ମୁର୍ଦ୍ଦାର । ନିର୍ଦ୍ଦୟ ଭାବରେ ଗାଡ଼ୁଆନ ଦୁଇଜଣ ଗାଡ଼ିରେ କାଠ ବୋଝେଇ କଲା ପରି ଶବ ବୋଝେଇ କରିଛନ୍ତି । ଓଜନ ସହି ନ ପାରି ଗାଡ଼ିର ଅଖ, ଦଣ୍ଡା କଟମଟ ଡାକୁଛି । ସତେ କି ଏହିକ୍ଷଣି ଭାଙ୍ଗିପଡ଼ିବ । ଦୁର୍ଗନ୍ଧରେ ପାଖରେ ରହି ହେଉନାହିଁ ।

 

ଜଗୁ ବିସ୍ମୟରେ ଶଗଡ଼ରେ ଗଦା ହୋଇଥିବା ଶବଗୁଡ଼ିକୁ ଚାହିଁ ରହିଲା । ଲୋକ ଦୁଇଜଣ ବଳଦ ଫିଟାଉ ଫିଟାଉ କଥାବାର୍ତ୍ତା ହେବାକୁ ଲାଗିଲେ–

 

ଆଉ ପାରିବା ନାହିଁରେ ଭୀମା ! ଏ ଖେପକୁ ଧରି ଚାରିଖେପ ହେଲା ।

 

ଗଦାଏ ବାଟ, ଦି ପା ହେବ । ଦି ଜଣ ଲୋକ ଆମେ, କାହାଁତକ୍‌ କରିବା ? ଲୋକେ ଘର ଛାଡ଼ି ଶହ ଶହ ହୋଇ ନିତି ଆସି ଏଠି ପଶୁଛନ୍ତି । ଖାଇବି, ଖାଇବି ହୋଇ ଶହ ଶହ ନିତି ମରୁଛନ୍ତି । କିଏ କେଉଁଠି ମଲା, ତାଙ୍କୁ ଖୋଜି ବୋହି ଆଣି ଗାଡ଼ିରେ ଲଦିବା କଅଣ ସହଜ କଥା ! ମରିବାକୁ ଯିଏ ସୁକ୍‌ସୁକ୍‌ ହେଉଛି ତାକୁ ବି ଆଣିବାର ଅଧିକାର ନାହିଁ । ଗୋଟାଏ କେଉଁଠି ଯଦି ଭୁଲରେ ରହିଗଲା ସେଥିକି ଗାଳି । କଅଣ କରିବା କହିଲୁ ?

 

ଆଉ କଣ କରିବା ? ଚାକିରୀ କରିଥାଇଁ । ଆରେ, ଏ ଦରମଲା କାଙ୍ଗାଳଗୁଡ଼ା ଯଦି ଆଗରୁ ଯାଇ ଗାତରେ ଶୁଅନ୍ତେ ତେବେ ଆମକୁ ଏତେ କଷ୍ଟ ପଡ଼ନ୍ତା ନାହିଁ ।

 

ତତେ ନବଜ ଲାଗିଛି, ନାହିଁ ରେ ?

 

ଆରେ, ନବଜ ନୁହେଁ, ସତ କହୁଛି । ଦେଖୁନୁ, ଲୋକଙ୍କ ଅବସ୍ଥା । ସଞ୍ଜରେ ଯେ ଭଲରେ ଶୋଉଛି, ଟିକିଏ ବର୍ଷାରେ କି ଟିକିଏ ଶୀତ ହେଲେ ସକାଳକୁ ସେ ମରିଛି । ସମସ୍ତେ ତ ମରିବେ, ମଝିରେ ଆମେ ହିଁ ହଇରାଣ ହେଉଛୁଁ । ଚାଲିଥାଉ କେତେ ଦିନ ଚାଲିଛି ।

 

ସେମାନଙ୍କର ଗଳ୍ପରେ ବାଧା ଦେବାକୁ ପଛରେ ଜଣେ ସିପାହୀ ଆସି ଗର୍ଜ୍ଜନ କରି କହିଲା, କି ରେ, ଲାସ୍ ଗାଡ଼ି ରାସ୍ତାରେ ଅଟକାଇଲ କାହିଁକି ?

 

ଲୋକ ଦିଜଣ ତ୍ରସ୍ତ ହୋଇ କହିଲେ, ଦିଟା ବଳଦକୁ ଶକତ ବୋଝେଇ ହୋଇଛି ଟାଣି ପାରୁ ନାହାନ୍ତି । ବଳଦ ଖୋଲା ତାଙ୍କର ବନ୍ଦ ହେଲା ।

 

ସିପାହୀ ଚଦିଲା ପରି କହିଲା, ଶକତ୍‌ ବୋଝ ? ଆହୁରି ତ ଅନେକ ଲାସ୍ ଏଠି ସେଠି ପଡ଼ି ସଢ଼ୁଛନ୍ତି । ସେତକ କାହାପାଇଁ ଛାଡ଼ି ଆସିଲ ?

 

ଶଗଡ଼ ଆଉ ଭରା ସହିବ ନାହିଁ.... ।

ଶୀଘ୍ର ଏତକ ଖଲାସ କରି ଆଉ ଖେପେ କର ।

 

ଲୋକ ଦିଓଟି ଉତ୍ତର ନ ଦେଇ ବଳଦ ଅଡ଼ାଇଲେ । ସିପାହୀ ଥରେ ଜଗୁଆଡ଼କୁ ଚାହିଁ ଫେରିଗଲା ।

 

ଖରା ତାତି ନଇଁ ଆସିଲା । ଜଗୁ ଗଛ ମୂଳରୁ ଉଠି ପୁଣି ଛତର ଉଦ୍ଦେଶ୍ୟରେ ଗଲା । ଦେଖାଯାଉ, ଏଥର ଯଦି କେହି ତା ଉପରେ ଦୟା କରେ । ସବୁବେଳେ ଲୋକଙ୍କ ମନ ସମାନ ନ ଥିବ । କେଜାଣି ଯଦି କାହାର ମନ ତରଳେ, ତାକୁ ଦୟାକରି ମୁଠିଏ ଖାଇବାକୁ ଦେବ ।

 

ତାକୁ ଦେଖିଲାକ୍ଷଣି ଲୋକେ ପୁଣି ଭୟରେ ଚିତ୍କାର କରି ଶାନ୍ତିରକ୍ଷକ ପୋଲିସ କର୍ମଚାରୀଙ୍କ ସାହାଯ୍ୟ ଲୋଡ଼ିଲେ । ଜଣେ କନେଷ୍ଟବଳ ଆସି ବାକୁ ଧମକ ଦେଇ କହିଲା, ଦେଖ୍, ତୋର ଏ ଗୋପ ଧର୍ମଶାଳାରେ ସ୍ଥାନ ନାହିଁ । ତୁ ଆଜି ଏଠାରୁ ଯା ! କାଲି ସକାଳେ ତୋର ଦେଖା ମିଳିଲେ ପୁଣି .... ।

 

ମୋର ଦୋଷ କଅଣ ?

ଦୋଷ ମୁଁ ଜାଣେ ନାହିଁ । ଲୋକେ ତୋତେ ଦେଖିଲେ ଡରୁଛନ୍ତି ।

ମୁଁ ବାଘ-ସାପ ନୁହେଁ ।

ସେ କଥା ହାକିମ ଜାଣନ୍ତି । ତାଙ୍କର ହୁକୁମ ମାନିବା ମୋର ବିଧି ।

 

ଜଗୁ ପ୍ରତିବାଦ କଲା ନାହିଁ । ଯାହା ହେଉ, କଷ୍ଟେମଷ୍ଟେ ସେ ଚାରିଦିନ ଅନ୍ନଛତ୍ର ବାହାରେ କଟାଇଲା । କେତେଦିନ ସେ ଆଉ ଶବର ଉଚ୍ଛିଷ୍ଟ, କାଉ କୁକୁରଙ୍କ ଖାଦ୍ୟ ଖାଇ ବଞ୍ଚିବ-? କେତେ ଦିନ ବା ଛପି ଛପି ଅପାରଗ, ନିରୀହ କାଙ୍ଗାଳର ମୁଖର ଗ୍ରାସ ଅପହରଣ କରି ଚଳିବ-? ସତ କଥା, ଗୋପରେ ତା ପାଇଁ ସ୍ଥାନ ନାହଁ । ସେ ଆଉ ଏଠି ରହିବା ଉଚିତ ମଣୁନାହିଁ । ସାରା ଓଡ଼ିଶାର ପୂଣ୍ୟଭୂମି ପୁରୀ, ଜଗନ୍ନାଥ ମହାପ୍ରଭୁଙ୍କର ତୀର୍ଥସ୍ଥଳୀ, ସେହିଠାକୁ ଗଲେ ନିଶ୍ଚୟ ସେ ତାର ଜୀବନ ରଖିପାରିବ ।

 

ଦିନେ ରାତି ଅଧରେ ଅତି ସାହସରେ ସେ ଛପି ଛପି ଅନ୍ନଛତ୍ରର ଭଣ୍ଡାରରୁ ଚୋରି କଲା । ସମସ୍ତଙ୍କ ଅଦେଖାରେ ପାହାନ୍ତରୁ ଉଠି ପୁରୀଆଡ଼େ ଯାତ୍ରା କଲା ।

 

ଅଧବାଟରେ ମୁକୁନ୍ଦପୁର ଗ୍ରାମରେ ତାକୁ ଦଶ ଦିନ ଅଟକି ରହିବାକୁ ପଡ଼ିଥିଲା । ଦୁର୍ଭିକ୍ଷ ଓ ମଡ଼କ ସଙ୍ଗେ ଯୋଗ ଦେଇ ଉତ୍କଳ ଖଣ୍ଡରେ ପ୍ରଳୟ ଆଣିବାକୁ ଭୀଷଣ ବନ୍ୟା ଆସି ଦେଶସାରା ଧୋଇ ନେଇଗଲା । ମଣିଷ କ୍ଷୁଦ୍ର ଜୀବ ପ୍ରକୃତିର ପ୍ରଳୟଲୀଳା ବିରୁଦ୍ଧରେ ଯୁଦ୍ଧ କରି ସେ ବା କେତେ ଦୂର ବିଜୟୀ ହୋଇପାରିବ ? ନୂଆ ବର୍ଷରେ ନୂଆ ଫସଲ କାଟି ପ୍ରାଣ ବଞ୍ଚାଇବାକୁ ଯେଉଁମାନେ ଆଶା କରିଥିଲେ, ସେମାନେ ନିରାଶ ହେଲେ ।

 

ଅଗଷ୍ଟ ମାସର ମଝିଆମଝି । ଦୁର୍ବଳ ନଈବନ୍ଧ ସବୁ ଭାଙ୍ଗି ବଢ଼ିପାଣି ଫସଲ ନଷ୍ଟ କରିଦେଲେ । କେତେ ଘର, କେତେ ଗାଈଗୋରୁ, ଜୀବନ୍ତ ମଣିଷ ବଢ଼ି ପାଣିରେ ଭାସିଗଲେ । ଜଗୁ ସେସବୁ ଦୁଇ ଆଖିରେ ଦେଖିଛି । ଆଶ୍ରୟ ଅଭାବରେ ଲୋକେ ଗଛ ଉପରେ ଚଢ଼ି ଆଶ୍ରା ନେଇଥିଲେ । ଆଖି ଆଗରେ କେତେ ଗଛ ସୁଅର ତୋଡ଼ରେ ପାଣି ଉପରକୁ ଢଳି ପଡ଼ିଲେ । ଆଶ୍ରିତ ଲୋକଙ୍କୁ ବଢ଼ିପାଣିର ଛାତି ଉପରେ ନିରକ୍ଷ କରି ଭସାଇ ଦେଲେ ।

 

ଭୀଷଣ ବର୍ଷା, ଝଡ଼, ତୋପାନ । ଯେଉଁମାନେ ଗଛ ଉପରେ ଆଶ୍ରୟ ନେଇ ନିଜକୁ ଭାଗ୍ୟବାନ ମନେ କରିଥିଲେ, ସେମାନଙ୍କର ଅବସ୍ଥା କହିଲେ ନ ସରେ । ଝଡ଼ବର୍ଷାର ଫଳରୁ ସେମାନେ ରୁଗ୍‍ଣ ହୋଇ, ଖାଇବା ବିନା ଦୁର୍ବଳ, ଶକ୍ତିହୀନ ହୋଇ ବନ୍ୟାର ଉଦରରେ ଅଜଣା ଅଶୁଣା ଶୀତଳ ସମାଧି ନେଲେ ।

 

ଯୁଆଡ଼େ ଚାହିଁଲେ ପାଣି, କେବଳ ପାଣି । ଆଖି ପାଉନାହିଁ । ସତେ କି ପ୍ରକୃତିର ପ୍ରଳୟତାଣ୍ଡବ ଶେଷ କରିବାକୁ ବଙ୍ଗୋପସାଗର ବେଳାଭୂମି ଅତିକ୍ରମ କରି ମାଡ଼ି ଆସିଛି ! ଦୂରରୁ ବଡ଼ ବଡ଼ ଗଛର ଅଗ ଛଡ଼ା ଆଉ କିଛି ଦିଶୁ ନାହିଁ । ବେଳେ ବେଳେ ଭାସିଯାଉଥିବା ଗଛ ବା ଘରର ଚାଳ ଉପରୁ ବିପନ୍ନର ବ୍ୟର୍ଥ କରୁଣ, ଆକୁଳ ଅନୁରୋଧ ଅନ୍ତରୀକ୍ଷକୁ ଉଠୁଛି । ସାହା ହେବ କିଏ ?

 

ଯେଉଁମାନେ ଆଶାମୁଖରେ ଅନ୍ନଛତ୍ରକୁ ଚାହିଁ ରହିଥିଲେ, ସେମାନଙ୍କ ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼ିଲା । ସମୁଦ୍ର ମଝିରେ ଦ୍ୱୀପ ପରି ଉଚ୍ଚ ଉଚ୍ଚ ଗାଁ ଗୁଡ଼ିକର ଚାରିପାଖରେ ବଢ଼ିପାଣି ଘେରି ରହିଛି । ବାଟଘାଟରେ ସୁଅ ପଡ଼ିଛି । ନାଗମୁଣ୍ଡ ଦିଖଣ୍ଡ ହେବ । ଗାଁ ଛାଡ଼ି ପାଣି ଭିତରକୁ ଗୋଡ଼ ବଢ଼ାଇବାକୁ ସାହସ ପାଉନାହିଁ । ନିରୂପାୟ ହୋଇ ଲୋକେ ଆଶ୍ରୟ ସ୍ଥାନରେ ଖାଇବା ବିନା ମଲେ ।

 

ମୁକୁନ୍ଦପୁର ଗ୍ରାମରେ ଜଗୁର ସହଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ଏହିପରି ଖାଇବା ବିନା ମଲେ । ଅବଶିଷ୍ଟ ଲୋକେ ବର୍ଷା, ଝଡ଼, ଶୀତ ସହି ନ ପାରି ଜ୍ୱର ପ୍ରଭୃତି ନାନାପ୍ରକାର ରୋଗରେ ପଡ଼ି ଘାଣ୍ଟି ହୋଇ ଶେଷକୁ ପ୍ରାଣ ହରାଇଲେ ।

 

ଜଗୁର ସବଳ ସୁସ୍ଥ ଦେହ ଏହିଠାରେ ଭାଙ୍ଗିଲା । ତିନି ଚାରି ଦିନ ପରେ ବଢ଼ିପାଣି ଗ୍ରାମ ଭିତରୁ ବାହାରି ଯିବାରୁ ଗଛ ଉପରୁ ଓହ୍ଲାଇ ଓଦା ପଟୁପକା ଭୂଇଁ ଉପରେ ଆଶ୍ରା ଲୋଡ଼ିଲା । କିନ୍ତୁ ପ୍ରବଳ ବର୍ଷା ତୋଫାନ ସହି ତାକୁ ଭୟଙ୍କର ଜ୍ୱର ହେଲା । ଅପନ୍ତରାରେ ରୋଗୀସେବା ଦୂରର କଥା, ଆହା ବୋଲି ପଦେ କହିବାକୁ କେହି ସାହା ନାହିଁ । ଓଦା ଭୂଇଁ ଉପରେ ଉପାସ ଭୋକରେ ପଡ଼ି ପଡ଼ି ସେ ଭାବିଲା, ତାର ପ୍ରାଣବାୟୁ ଏହିଠାରେ ଉଡ଼ିଯିବ ।

 

ଦୁଇ ଚାରି ଦିନ ପରେ ସେ ଆରୋଗ୍ୟ ଲାଭ କଲା । ଦୁର୍ବଳତାରୁ ଦେହ ଚଳୁନାହିଁ । ତାକୁ ଏକୁଟିଆ ଛାଡ଼ି ଜଣ ଜଣ ହୋଇ କାଙ୍ଗାଳମାନେ ପାଣି ବର୍ଷା ନ ମାନି ପୁରୀ ଉଦ୍ଦେଶ୍ୟରେ ଚାଲି ଯାଉଛନ୍ତି । ଅନେକ ଦିନରୁ ପାଣି ଛଡ଼ା ପେଟରେ ଖାଦ୍ୟ ପଡ଼ି ନାହିଁ । ପୁରୀ ଯିବାକୁ ଗୋଡ଼ ଚଳୁ ନାହିଁ ।

 

ସେ ଖାଦ୍ୟ ଅନ୍ୱେଷଣରେ ଧୀରେ ଧୀରେ ଭଙ୍ଗା ଛିନ୍‍ଛତର ଗ୍ରାମର ଏଣେତେଣେ ବୁଲିବାକୁ ଲାଗିଲା । ଏଡ଼େ ବଡ଼ ଗାଁ । ଘରଦ୍ୱାର ସବୁ ଭାଙ୍ଗି ପଡ଼ିଛି । ପଥର ମୂଳଦୁଆ ଉପରେ କେଉଁଠି ବା ଘରର ଚାଳ ମାଡ଼ି ବସିଛି । ଖାଦ୍ୟ ଥିଲେ ବି ମିଳୁଛି କେଉଁଠି ? ପର ମୁହଁରୁ ଖାଦ୍ୟ ଛଡ଼ାଇ ଖାଇବାକୁ ବି ତା ଦେହରେ ଆଉ ଶକ୍ତି ନାହିଁ ।

 

ଜଗୁ ଟଳି ଟଳି ପଙ୍କ, କାଦୁଅ ପାଣି ଭିତରେ ପଶି ଯାଉଁ ଯାଉଁ ଗୋଟିଏ ଭଙ୍ଗାଚାଳ ଉହାଡ଼ରୁ ଧୂଆଁ ଉଠୁଥିବାର ଦେଖିଲା । ଆନନ୍ଦରେ ଉତ୍‍ଫୁଲ୍ଲ ହୋଇଉଠିଲା । ଲୋକେ ଭାତ ରାନ୍ଧି ଖାଆନ୍ତୁ ପଛେ, ତା ଭାଗରେ ପେଜ ମୁନ୍ଦିଏ ପଡ଼ିବ ତ । ପେଜ ଟୋପାଏ ମାଗିଲେ କଅଣ ସେମାନେ ଦେବେ ନାହିଁ ? ସେ ଉଚ୍ଚ ପିଣ୍ଡାର ପଥର ଦେହରେ ହାତ ଭରା ଦେଇ ଧୂଆଁ ଉଠୁଥିବା ଜାଗାକୁ ଲକ୍ଷ୍ୟ କରି ଚାଲିଲା ।

 

ପାଖକୁ ଆସି ସେ ଯାହା ଦେଖିଲା, ଆଖିକି ବିଶ୍ୱାସ କରିପାରିଲା ନାହିଁ । ଚୁଲି ଉପରେ ଛୋଟ ଆଟିକାରେ ପାଣି ଫୁଟୁଛି । ପାଖରେ ବସି ଠିକ୍‍ ତାରି ପରି ଜଣେ ଦୁର୍ଭିକ୍ଷ ପ୍ରପୀଡ଼ିତ ଲୋକ ବତା କେଇଖଣ୍ଡି ଚୁଲିରେ ମୋହିଁ ଫୁଟିଲା ପାଣିକି ଏକଦୃଷ୍ଟିରେ ଚାହିଁ ରହିଛି । ଟିକିଏ ଦୂରରେ ଅଣଉହାଡ଼ରେ ଆହୁରି ଜଣେ ଲୋକ ହାତରେ ଖଣ୍ଡେ କଟୁରୀ ଧରି ବସିଛି । ଆଗରେ ଓଦା ଭୂଇଁ ଉପରେ ଲମ୍ବ ହୋଇ ପଡ଼ିଛି ଗୋଟାଏ ଶବ । ତାଆରି ଗୋଟିଏ ହାତ କଟା ହୋଇ କାଙ୍ଗାଳାର କୋଡ଼ ଉପରେ ରଖା ହୋଇଛି ।

 

ବିଜୁଳି ବେଗରେ ଜଗୁର ମୁଣ୍ଡ ଭିତରେ କେତେ କଥା ଖେଳିଗଲା । ସେ ପିଲାଦିନେ କେତେ ଅସୁର କେତେ ରାକ୍ଷସ ଗଳ୍ପ ଶୁଣିଥିଲା । କିନ୍ତୁ ଆଖି ଆଗରେ ଏପରି ଭୟଙ୍କର ଘୃଣିତ ଦୃଶ୍ୟ ଦେଖିବ ବୋଲି ସେ କେବେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲା । ଯାହାକୁ ଆଖି ଆଗରେ ଦେଖୁଛି, ସେମାନେ ଭୀଷଣକାୟ ରାକ୍ଷସ ନୁହନ୍ତି, ତାଆରି ପରି ଦୁର୍ବଳ ଶକ୍ତିହୀନ ଭୋକିଲା ମଣିଷ-! ପେଟ ପାଇଁ ମଣିଷ ଶେଷକୁ ମଣିଷ ମାଉଁସ ଖାଇବ !

 

ଜଗୁକୁ ଦେଖି ଚୁଲି ପାଖରେ ବସିଥିବା ଲୋକଟି ବ୍ୟସ୍ତ ହେଲା ପରି ଉଠିଆସି ପଚାରିଲା, କିଏ ରେ ?

 

ଜଗୁ କହିଲା, ତମରି ପରି ଜଣେ କାଙ୍ଗାଳ ମୁଁ, କିଛି ଖାଇବା ଆଶାରେ ଆସିଛି ।

 

ଦୂରରେ ବସିଥିବା ଲୋକଟି ଜଗୁର କଥା ଶୁଣିପାରି ଶବର କଟା ହାତଟିକୁ ହାତରେ ଧରି ପାଖକୁ ଆସି କହିଲା, ହାଃ ହା.... । ଖାଇବାକୁ କଅଣ ଅଭାବ ଅଛି ରେ ?

 

ଜଗୁ ବିସ୍ମିତ ହୋଇ ତା ମୁହଁକୁ ଚାହିଁଲା ।

 

ଲୋକଟି ପୂର୍ବପରି କହିଲା, ବିଲୁଆ କୁକୁର ତ ବେଶ୍‌ ନିଶ୍ଚିତରେ ଅଛନ୍ତି । ଖାଇବାର ଅଭାବ ନାହିଁ ତାଙ୍କର । ମଣିଷ ହୋଇ ଆମେ ଉପାସରେ ମରିବା ?

 

ଜଗୁ ଥଙ୍ଗେଇ ଥଙ୍ଗେଇ କହିଲା, ତା ବୋଲି କଅଣ...?

ବାଧା ଦେଇ ଲୋକଟି କହିଲା, ତା ବୋଲି କଅଣ ଉପାୟ ଥାଉଣୁ ମରି ଶୋଇବା ?

ମଣିଷ ମାଂସ ?

ଆଉ କଣ ?

 

ପାଣି କାଦୁଅ ଅତିକ୍ରମ କରି ସେ ଆସି ପୁରୀ ସହରରେ ପହଞ୍ଚିଲା । ସଞ୍ଜ ଗଡ଼ିଯାଇଛି-। ତ୍ରୟୋଦଶୀର ନିର୍ମଳ ଜହ୍ନ ମେଘମୁକ୍ତ ଆକାଶ କୋଳକୁ ଉଠିଲାଣି । ଆଉ ପାଦେ ମାତ୍ର ଚାଲିବାକୁ ତାର ଶକ୍ତି ନାହିଁ । ଭୋକରେ ପେଟ ଭିତରେ ସତେ କି କିଏ ମଣାଣି ନିଆଁ ଜଳାଇ ଦେଇଛି । ତଥାପି, ତାଆର ପ୍ରାଣ ପୁଲକରେ ନାଚି ଉଠିଲା । ଜଗନ୍ନାଥଙ୍କ ପୁରୀ ତୀର୍ଥଭୂମି । ଏହିଠାରେ ତାର ଜୀବନମରଣର ଶେଷ ସଂଗ୍ରାମ । ସେ ବଡ଼ଦାଣ୍ଡ କଡ଼ରେ ବସି, ବଡ଼ ଦେଉଳର ପତିତପାବନ ବାନାକୁ ଏକଦୃଷ୍ଟିରେ ଚାହିଁ ରହିଲା ।

 

ଦୀପ ଶିଖାର କ୍ଷୀଣ ଥରିଲା ଆଲୁଅରେ ଛୋଟ କୋଠରୀଟି ଅଳ୍ପ ଆଲୋକିତ ହୋଇଛି-। ଚଟାଣ ଉପରେ ଖଣ୍ଡେ ପୁରୁଣା ମସିଣା ପାରି ନିଘୋଡ଼ ନିଦରେ ଶୋଇଛି ଉମା । ଦୁଆର ବନ୍ଧରେ ଠିଆ ହୋଇ ସଦାନନ୍ଦ ଏକ ଦୃଷ୍ଟିରେ ତାର ସୁନ୍ଦର ସଜଫୁଟା ମଲ୍ଲୀଫୁଲ ପରି ମୁହଁଟିକୁ ଘଡ଼ିଏ କାଳ ଚାହିଁ ରହିଲେ । ତାଙ୍କର ବକ୍ଷପଞ୍ଜର ଥରାଇ ଅଧୀର ନିଶ୍ୱାସ ବାରମ୍ବାର ବହି ଯାଉଥାଏ ।

 

ସଞ୍ଜପହର । ଲକ୍ଷ୍ମୀ ନିଦ୍ରିତ କାହିଁକି ? ଅସୁସ୍ଥ ନୁହେଁ ତ ? ଇଚ୍ଛା ହେଉଥାଏ, ଘର ଭିତରକୁ ଯାଇ ତାର କପାଳରେ ହାତ ରଖି ଉତ୍ତାପ ପରୀକ୍ଷା କରିବେ । ଅଜଣା ଭୟରେ ଛାତି ଥରିଉଠେ । ଗୋଡ଼ ଚଳେ ନାହିଁ । କି ଚିନ୍ତାରେ କେଜାଣି, ସେ ସନ୍ଦିହାନ ହୋଇ ପଛକୁ ଚାହାନ୍ତି । ଭୟାକୁଳ ନେତ୍ର । ପୁଣି କଅଣ ଭାବି ଘର ଭିତରକୁ ପାଦ ପକାଇବାକୁ ଗୋଡ଼ ଟେକନ୍ତି । ଗୋଡ଼ ଫେରିଆସେ । ସଦାନନ୍ଦ ଫେରିଗଲେ ।

 

ଲକ୍ଷ୍ମୀ ଆଖିପତା ଖୋଲି ଚାହିଁଲା । କି ଚିନ୍ତାରେ ତାର ନାଲି ଓଠରେ ବିଜୁଳିର ଆଭା, ବିଜୁଳିର ସ୍ପନ୍ଦନ ଖେଳିଗଲା । ନାକପୁଡ଼ା ଫୁଲି ଫୁଲି ଉଠିଲା ବାରମ୍ବାର । ଉଦ୍‍ଗତ ଦୀର୍ଘଶ୍ୱାସକୁ ଚାପି ଚାପି ବାହାରକୁ ଛାଡ଼ି ସେ ପୁଣି ଧୀରେ ଧୀରେ ଆଖି ବୁଜିଲା । ହୃଦୟବୀଣାର ତରୁଣ ତନ୍ତ୍ରୀରେ ବାଜି ଉଠିଲା ମଧୁର ଅବୋଧ୍ୟ ମନଭୁଲାଣି ରାଗିଣୀ । ସେ ବୁଝି ବୁଝିଲା ନାହିଁ, ଜାଣି ଜାଣିଲା ନାହିଁ ।

 

ସଦାନନ୍ଦ ଫେରି ଆସିଲେ । ମୁହଁ ପ୍ରଫୁଲ୍ଲ ଦିଶୁଛି । ସେ ଧୀରେ ଧୀରେ ଘର ଭିତରକୁ ପଶିଲେ । ଭୟରେ ପଦାକୁ ଚାହିଁ ତାଙ୍କର ଦୃଷ୍ଟି ନ୍ୟସ୍ତ କଲେ ଉମାର ଛଳନା-ନିଦ୍ରିତ ମୁହଁ ଉପରେ । ଲକ୍ଷ୍ମୀ ଏଡ଼େ ସୁନ୍ଦର । କେତେ ଥର ସେ ତାକୁ ଦେଖିଛନ୍ତି, ସ୍ଥିର ଚକ୍ଷୁରେ ନୁହେଁ, ଚଞ୍ଚଳ ଚାହାଣୀରେ; କିନ୍ତୁ ତାଙ୍କ ଆଖିରେ ସେ କେବେ ଏଡ଼େ ସୁନ୍ଦର ଦିଶିନାହିଁ ।

 

ଉତ୍ତେଜିତ ସଦାନନ୍ଦଙ୍କର ତୃଷାର୍ତ୍ତ ମୁଖଟି ତଳକୁ ନଇଁ ଆସିଲା । ଉମାର ନିଦ୍ରିତ ଗଣ୍ଡ ସାମାନ୍ୟ ଥରି ଉଠିଲା । ନିଦ୍ରିତ ଆଖିପତା ପୁଲକି ଉଠିଲା । କପାଳରେ ରକ୍ତ ଆଭା ଉକୁଟିଲା ।

 

ସଦାନନ୍ଦ ମୁହଁ ଟେକି ଚଞ୍ଚଳ ଚାହାଁଣୀରେ ଥରେ ଚାରିଆଡ଼କୁ ଚାହିଁଲେ । କେହି ନାହିଁ । ଅନ୍ତରର ପିପାସା କମିଲା ନାହିଁ । ଆହୁରି ଥରେ ଦୁଇଟି ଅଧର ନିକଟତର ହେଲା ।

 

କଅଣ କରୁଛୁ ସଦେଇ ?

ରାଧୀ ଆସି ତା ପଛରେ ପହଞ୍ଚିଗଲା ।

 

ରାଧୀର କଣ୍ଠସ୍ୱର ଶୁଣି ଉମା ଅସ୍ତବ୍ୟସ୍ତ ହୋଇ ଉଠିବସିଲା । ହାତ ପାପୁଲିରେ ଆଖି ମଳି ମଳି ଭଙ୍ଗା ମୋଟା କଣ୍ଠରେ କହିଲା, ତୋଓର ପୁଅକୁ ଦେଖିଲୁ... ?

 

ରାଧୀର ପ୍ରଫୁଲ୍ଲ ମୁହଁରେ ସନ୍ଦେହର ଛାୟାପାତ ହେଲା । ସେ ଦୁଃଖମିଶା ସ୍ୱରରେ କହିଲା, ଏଁ ?

 

ଉମା କହିଲା, ମୋତେ ଖାଲି ସଦାବେଳେ ବିରକ୍ତ କରୁଛି ।

ବିରକ୍ତ କରୁଛି ?

ତାର ସନ୍ଦେହ ବଉଦ ଘନୀଭୂତ ହେଲା ।

ହଁ ଲୋ, ଦେଖିଲୁ ମୁଁ ଶୋଇଛି, ସେ ଆସି ମୋର କାନ ଫୁଙ୍କୁଛନ୍ତି ।

 

ତାର ମନରେ ଜମାଟବନ୍ଧା ବଉଦା ଦକ୍ଷିଣା ପବନରେ ଦୂରକୁ ଭାସିଗଲା । ସେ କହିଲା, ହଇରେ ସଦା... ।

 

ସଦାନନ୍ଦଙ୍କର ପିଣ୍ଡରେ ପ୍ରାଣ ପଶିଲା । ସେ ଛେପ ଢୋକି କହିଲେ, ଆଚ୍ଛା, ଦେଖ ମା, ସଞ୍ଜପହରୁ କିଏ ଶୁଏ କହ ତ ? ଛଟାଗାଳି ଶୋଇଛି ସେ ।

 

କୃତ୍ରିମ କ୍ରୋଧରେ ଉମା ପ୍ରତିବାଦ କଲା, ତୁମକୁ କହି ଛଟା ଗାଳିଥିଲି ପରା !

ନୁହେଁ ତ ଆଉ କଅଣ ? ଏତେ ଡାକି ଡାକି ଥକିଲି । ତୋ ନିଦ ଭାଙ୍ଗୁନି କାହିଁକି ?

 

ଉମା କହିଲା, ମା, ମୁଁ କେଡ଼େ ଭୟଙ୍କର ସ୍ପପ୍ନଟାଏ ଦେଖୁଥିଲି । ସାରା ଦିପହରଟା ସଦେଇ ଭାଇ ଅଶୋକ ବନରେ ସତୀ ସୀତାଙ୍କ ଦୁଃଖ କଥା କହୁଥିଲେ । ମୋତେ ଛାଇନିଦ ମାଡ଼ିବା ସଙ୍ଗେ ସଙ୍ଗେ ମୁଁ ସ୍ୱପ୍ନରେ ଖାଲି ସେହି ସବୁ କଥା ଦେଖୁଥିଲି । ନିଦ ଭାଙ୍ଗିଦେଲେ ।

 

ରାଧୀ ତିଆରି କହିଲା, ଛିଃ ସଦେଇ, ଶୋଇଲା ଲୋକର ନିଦ ଏପରି ଭାଙ୍ଗନ୍ତି ?

ଦିହେଁ ନୀରବ ହେଲେ ।

ରାଧୀ ପୁଣି କହିଲା, ଆରେ, ତମକୁ ମହନ୍ତ ବାବା ଡାକୁଛନ୍ତି ।

 

ଉମା ଓ ସଦାନନ୍ଦ ରାଧୀ ସଙ୍ଗରେ ମହନ୍ତଙ୍କ ପାଖକୁ ଗଲେ । ମହନ୍ତ ଆଶୀର୍ବାଦ କରି କହିଲେ, ମଠ ବାହାରେ ପୁରୀ ସହରର ବାଟଘାଟରେ ଯେ ତୁମର ଶହ ଶହ କାଙ୍ଗାଳ ଭାଇଭଉଣୀ ଉପାସ ଭୋକରେ ଆର୍ତ୍ତନାଦ କରୁଛନ୍ତି, ତାଙ୍କ ଡାକ ତମର କାନରେ ପଡ଼ୁନାହିଁ ?

ସଦାନନ୍ଦ ନିରୁତ୍ତର ରହିଲେ ।

ମହନ୍ତ କହିଲେ, ଲକ୍ଷ୍ମୀ, କେବଳ ନାରାୟଣଙ୍କ ସେବା କରି ଦିନରାତି କାଟିଲେ ତୋର କର୍ତ୍ତବ୍ୟ ସରିଲା ବୋଲି ମନେ କରିବୁ ନାହିଁ । ଘର ବାହାରେ କେତେ ନରନାରାୟଣ ତୋଓରି ହାତକୁ ଅନାଇଁ ରହିଛନ୍ତି । ସେମାନଙ୍କ ପାଇଁ କିଛି କରିବା ତୋଓର ଉଚିତ ନୁହଁ କି ?

ଉମା ପଚାରିଲା, କଅଣ କରିବାକୁ କହୁଛନ୍ତି ?

ମହନ୍ତ କହିଲେ, କହିବି କଅଣ ? ପୁରୀ ସହରରେ ଯେତେ କାଙ୍ଗାଳ ଅଛନ୍ତି ସମସ୍ତଙ୍କର ଦୁଃଖ ଦୂର କରିବାକୁ ଶକ୍ତିସଙ୍ଗତି ତୁମର ନାହିଁ । ତଥାପି, ଯଥାଶକ୍ତି ସେମାନଙ୍କ ମଧ୍ୟରୁ ଅନ୍ତତଃ କେତେ ଜଣଙ୍କର ଦୁଃଖ ତ ଦୂର କରିପାରିବ !

ସଦାନନ୍ଦ କହିଲେ, ମୁଁ ସେଇଥିପାଇଁ ଆଗରୁ କହୁଥିଲି, ମଠରେ ଅନ୍ନଛତ୍ର ଖୋଲାଯାଉ-। ଆପଣ ମୋ କଥା ମୂଳରୁ ଭାଙ୍ଗିଲେ ।

ମହନ୍ତ କହିଲେ, ଅନ୍ନଛତ୍ରର ଅଭାବ ନାହିଁ, ଅଭାବ ହେଉଛି ସେବାଶୁଶ୍ରୁଷାର । ଲୋକେ ଭାତ ଖାଇ ମଧ୍ୟ ଅଣହେଳାରେ ଅପନ୍ତରାରେ ପଡ଼ି ମରୁଛନ୍ତି । ସେଆଡ଼କୁ କାହାରି ଦୁଷ୍ଟି ଥିବାର ଦେଖା ଯାଉନାହିଁ । ତୁମେମାନେ ଏହି ଦିଗରେ ଲୋକଙ୍କୁ ସାହାଯ୍ୟ କରିପାର ।

ରାଧୀ କହିଲା, ଠିକ୍ ତ । ଚାଲ, ମୁଁ ବି ତମମାନଙ୍କ ସାଙ୍ଗରେ ଯୋଗ ଦେବି । ମଠରେ ବସି ମହନ୍ତ ମହାରାଜ ଲକ୍ଷ୍ମୀନାରାୟଣଙ୍କ ସେବା କରୁଥାଆନ୍ତୁ । ଆମ୍ଭେମାନେ ବାଟଘାଟରେ ପଡ଼ିଥିବା ରୋଗୀଙ୍କର ସେବା କରିବା । କିନ୍ତୁ ଏଥିପାଇଁ ଆମର ଅନେକ ଜିନିଷ ଲୋଡ଼ା ପଡ଼ିବ ଯେ ।

ମହନ୍ତ ପଚାରିଲେ, କଅଣ ଲୋଡ଼ା ପଡ଼ିବ ?

ରାଧୀ କହିଲା, ରୋଗୀମାନଙ୍କୁ ବୋହି ଆଣିବାକୁ ଆମର ଚାରିଜଣ ଲୋକ ଦରକାର । ମୁର୍ଦ୍ଦାରବୁହା ବଳଦଗାଡ଼ି ପରି ଆମର ବି ଗୋଟାଏ ରୋଗୀବୁହା ବଳଦ ଗାଡ଼ି ଲୋଡ଼ା ।

ସଦାନନ୍ଦ ସେ ସବୁର ଆୟୋଜନ କରିବେ ।

ସଦାନନ୍ଦ ପଚାରିଲେ, ବନ୍ଦେବସ୍ତ କଅଣ କରାଯିବ ?

 

ମହନ୍ତ କହିଲେ, କାହିଁକି ? ମଠକୁ ଲାଗି ଯେଉଁସବୁ ଖୋଲା ଘରଗୁଡ଼ା ପଡ଼ିଛି ସେଇଠି ରୋଗୀମାନଙ୍କର ରହିବାର ଆୟୋଜନ କର । ତା ହେଲେ ମୁଁ ବି ତମମାନଙ୍କୁ ସାହାଯ୍ୟ କରିପାରିବି ।

 

ଉମା ଖୁସି ହୋଇ କହିଲା, ତା ହେଲେ ଆମେ ଆଉ ଭାବିବୁଁ କାହିଁକି ? ଆପଣଙ୍କର ଯାହା ଆଦେଶ ହେବ ଆମେ ଏଇଠି ତାହାହିଁ କରିବୁଁ ।

 

ମହନ୍ତ କହିଲେ, ଅତି ଚଲାଖ ଝିଅ ଏକା ତୁ ! ଏଇଠି ବସି ସବୁ କରିବାକୁ ବସିଛୁ, ନା ! ସେ କଥା ହେବ ନାହିଁ ଲୋ, ପାଗଳି ! ପରଉପରେ ନିର୍ଭର କରି ମଠରେ ତୁନି ହୋଇ ବସି ରହିଲେ ଚଳିବ ନାହିଁ । ନିଜେ ଯାଇ ପୁରୀ ସହରର ଗଳିଗଳି ବୁଲି ରୋଗୀ ଖୋଜି ଆଣିବାକୁ ହେବ । ପାରିବୁ ନାହିଁ ?

 

ଏକୁଟିଆ ?

କାହିଁକି, ଡର ମାଡ଼ିବ କି ?

ବାବା, ବାଟରୁ ଆସିଛି, ମୁଁ, ବାଟକୁ ଡରିବି ?

 

ମହନ୍ତ ହସି ହସି କହିଲେ, ସେଇ କଥା ସବୁବେଳେ ମନେ ରଖିବୁ । ବାଟରୁ ଆସିଛୁ ତୁ, ବାଟରେ ଯେଉଁମାନେ ରୁଗ୍‌ଣ ଅଚଳ ହୋଇ ପଡ଼ିଛନ୍ତି, ସେମାନଙ୍କୁ ନିଜର ମନେ କରିବୁ ।

 

ଉମାର ପ୍ରାଣ ଭିତରେ ଗୋପନ ବେଦନା ରହି ରହି ଗୁମରି ଉଠିଲା । ମହନ୍ତ ତାର ମନର ବ୍ୟଥା ବୁଝିଲା ପରି କହିଲେ, ତୋର ଭାଇ ତୋତେ ପ୍ରତି ପଦରେ ସାହାଯ୍ୟ କରିବ । ତୋଓରି ସଙ୍ଗରେ ସେ ମଧ୍ୟ ଥିବ । ପାରିବ ନାହିଁ ସଦାନନ୍ଦ ? ସଦାନନ୍ଦ କହିଲେ, ଆପଣଙ୍କର ଆଦେଶ ନିଶ୍ଚୟ ପାରିବି ।

 

ମହାନ୍ତଙ୍କର ଆଦେଶ ପାଇ ସେମାନେ ଚାଲିଆସିଲେ । ମଠକୁ ଲାଗି ଯାତ୍ରୀମାନଙ୍କ ରହିବା ସକାଶେ ଯେଉଁସବୁ ଘର ଖାଲି ପଡ଼ିଥିଲା, ଦିନ କେଇଟାରେ ସେ ସବୁ ରୁଗ୍‌ଣ, ମୁମୂର୍ଷ କାଙ୍ଗାଳଙ୍କ ଦ୍ୱାରା ପୂର୍ଣ୍ଣ ହେଲା । ରାଧୀ, ସଦାନନ୍ଦ ଓ ଉମା ଆହାର ନିଦ୍ରା ଭୁଲି ନରନାରାୟଣଙ୍କ ସେବାରେ ମନପ୍ରାଣ ଢାଳିଦେଲେ । ନିଜେ ମହନ୍ତ ସେମାନଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ଉତ୍ସାହିତ କରିବାକୁ ଲାଗିଲେ । ଜାତିଧର୍ମ ନିର୍ବିଶେଷରେ ଲୋକଙ୍କର ଏକାଠି ରହିବାର ବ୍ୟବସ୍ଥା କରାଗଲା । କିନ୍ତୁ, ସ୍ଥାନ ଅଭାବରୁ ଜାଣି ଜାଣି ମଧ୍ୟ ଅନେକ ଲୋକଙ୍କୁ ସାହାଯ୍ୟ ଦେଇ ହେଲା ନାହିଁ ।

 

ଉମା ଦିନେ ବ୍ୟସ୍ତ ହୋଇ କହିଲା, ବାବା, ଘରଗୁଡ଼ାକ ସବୁ ପୂରିଗଲାଣି । ସହରର ଅନ୍ଦିସନ୍ଧି ବୁଲି ଆମେ ରୋଗୀ ଦେଖି ମଧ୍ୟ ଆଖି ଫେରାଉଛୁ ।

 

ମହନ୍ତ ହସି ହସି ସ୍ନେହରେ ତାର ମୁଣ୍ଡ ଆଉଁସି କହିଲେ, ଆଲୋ ଘରପୋଡ଼ିରୁ କଅଣ କୁଟା ଖିଅ ସାର ନୁହେଁ ? ଯେଉଁମାନଙ୍କୁ ଆଶ୍ରୟ ଦେଇସାରିଛୁ, ସେମାନଙ୍କୁ ଆଗ ବଞ୍ଚାଇ ରଖ । ମୁଁ ନୂଆଘର ବରାଦ କରୁଛି ।

 

ଜଗୁର ଚାଲିବାର ଆଉ ଶକ୍ତି ନାହିଁ । ଦୂର୍ବଳ ଦେହ ଠିଆହେଲେ ଥରୁଛି । ଗୋଡ଼ ଚଳୁନାହିଁ । ଅନ୍ନଛତ୍ରର ଭିଡ଼ ଭିତରେ ପଶି ଠେଲାଠେଲି ସେହି ମୁଠିଏ ଭାତ ପାଇବା ତା ପକ୍ଷରେ ଆଉ ସମ୍ଭବ ନୁହେଁ । ଲୋକଙ୍କର ଦ୍ୱାର ଦ୍ୱାର ବୁଲି କିଛି ଖାଇବାକୁ ମାଗିଲେ, ପାଇବା ପରିବର୍ତ୍ତେ କଟୁକଥା ଶୁଣି ମନ କ୍ରୋଧ କରିବାକୁ ହେଉଛି । ପତିତପାବନ ବାନା ତଳେ ଆଶ୍ରୟ ନେଇ ମଧ୍ୟ ଲୋକଙ୍କର ଦୁଃଖ ଦୂର ହେଉନାହିଁ । କିନ୍ତୁ ଜଗନ୍ନାଥଙ୍କର ନିତି ମଣୋହି ବନ୍ଦ ନାହିଁ । ସବୁଦିନ ପରି ଏବେ ମଧ୍ୟ ଧୂପ ଉପରେ ଧୂପ ଚାଲିଛି । ସେବାକାରୀମାନଙ୍କ ଘଣ୍ଟାମର୍ଦ୍ଦଳ ଶବ୍ଦରେ ବଡ଼ଦେଉଳରେ ବେଢ଼ା ମୁଖରିତ ହେଉଛି । ମଣିଷର ମନଗଢ଼ା ହାତ ଗଢ଼ା ଜଡ଼, ଅଚଳ, ପଙ୍ଗୁ, ଅନ୍ଧ, ମୂକ ଭଗବାନ୍ ଦେଉଳକାରାରେ ନିର୍ଜୀବ ନିସ୍ତେଜ ହୋଇ ବସିଛନ୍ତି । ମଣିଷର ଦୁଃଖଦୁର୍ଦ୍ଦଶାର କଥା ଭାବିବାକୁ ତାଙ୍କୁ ଅବସର ନାହିଁ । ପାଷାଣକାରାର ଦୁର୍ଭେଦ୍ୟ କାନ୍ଥ ଭେଦକରି ପାଖକୁ ଯାଉଥିବା ପତିତର କ୍ଷୀଣ ଆର୍ତ୍ତନାଦ ପଣ୍ଡା ପଢ଼ିଆରୀଙ୍କର ସ୍ତୁତିଗାନ ଓ ଖୋଳ କରତାଳର ଶବ୍ଦ ଭିତରେ ବିଲୀନ ହେଉଛି ।

 

ଜଗୁ ଦେହର ଭାରା ସହି ନ ପାରି ରାସ୍ତା ଉପରେ ବସିପଡ଼ିଲା । ନା, ଆଉ ଜଗନ୍ନାଥଙ୍କ ମନ୍ଦିର ଆଗକୁ ଯାଇ କିଛି ଲାଭ ନାହିଁ । କିଏ ଥରେ ପଣ୍ଡାମାନଙ୍କୁ ଆକ୍ରମଣ କରି ମହାପ୍ରସାଦ ଉଡ଼ାଇଥିଲା ବୋଲି ସବୁ କାଙ୍ଗାଳ ହେଲେ ଚୋର, ଡକାୟତ, ଅବିଶ୍ୱାସୀ । ପଣ୍ଡାମାନଙ୍କର ପ୍ରଥମ ତାଡ଼ନା ଏହିମାନଙ୍କ ଉପରେ । ଦୟା ଧର୍ମ କଥା ପଚାରୁଛି କିଏ ? ଦେବତା ତ ସେବକ ପଣ୍ଡାଙ୍କର, ସେ କାହିଁକି ଦରିଦ୍ର ବିପନ୍ନର ସହାୟ ହେବେ ?

 

ଅଭିମାନରେ ଜଗୁର ମନ ଭରିଗଲା । ଜୀବନ ପାଇଁ ଅବସ୍ଥାର ବିରୁଦ୍ଧରେ ସେ ଯୁଦ୍ଧ କରି କରି ମରଣର ଅତି ନିକଟକୁ ଚାଲି ଆସିଛି । ବାଟକଡ଼ରେ ଶହ ଶହ କାଙ୍ଗାଳ ନିତି ମରି ଶୋଉଛନ୍ତି । ସେ ମଧ୍ୟ ମରି ଶୋଇ ନାହିଁ । ତେବେ, ଦେବତାର ଆଶ୍ରୟ ଲୋଡ଼ିବ କାହିଁକି, କେଉଁ ଭରସାରେ ?

 

ତାଆରି ପରି କେତେ ଲୋକେ ରାସ୍ତା କଡ଼ରେ ପଡ଼ିଛନ୍ତି । କେହି ବାଡ଼ି ଧରି, ନୋହିଲେ ପିଣ୍ଡା ଭରା ଦେଇ ଧୀରେ ଧୀରେ ଆଗକୁ ଯାଉଛନ୍ତି । କାହାରି କାହାରି ଠିଆ ହେବାର ଶକ୍ତି ନାହିଁ । ରାସ୍ତାକଡ଼ରେ ଘୁଷୁରି ଘୁଷୁରି ଚାଲୁଛନ୍ତି । ଧୂଳି ଉପରୁ ଧାନଟାଏ ଚାଉଳଟାଏ ଗୋଟାଇ ପାଟିରେ ପକାଉଛନ୍ତି । କେତେଜଣ ରାସ୍ତା ଉପରେ ଏଣ୍ଡୁଅ ପରି ଘୁଷୁରି ଘୁଷୁରି ଚାଲିଛନ୍ତି । କେଉଁଠି ଗୋବର ବା ଘୋଡ଼ାଗୁହକୁ ଆଙ୍ଗୁଠିରେ ଖେଳାଇ ଦରହଜମ ବିରି କୋଳଥ ବାଛି ଖାଉଛନ୍ତି । ଏମାନଙ୍କର ପୁଣି ବଞ୍ଚିବାର ଆଶା ଅଛି । ଜଗୁ କାହିଁକି ହତାଶ ହେବ ?

 

ସେ ବଡ଼ଦାଣ୍ଡରୁ ବାଟ ଭାଙ୍ଗି ଗୋଟିଏ ଛୋଟ ଗଳି ଭିତରକୁ ଗଲା । ଭାବିଥିଲା, ଗଳି ରାସ୍ତାରେ କାଙ୍ଗାଳ ନ ଥିବେ । କିନ୍ତୁ ଦେଖିଲା ଓଲଟା । ଗଳିର ଦୁଇପାଖ ଉଚ୍ଚ ଘରର ଛାଇତଳେ କେତେ ଜଣ କାଙ୍ଗାଳ ଆଶ୍ରା ନେଇଛନ୍ତି ।

 

ସେ ଆଗକୁ ଚାଲିଲା । ଖଣ୍ଡେଦୂର ଯାଇ ଦେଖିଲା, ରାସ୍ତା ପାଖରେ ଗୋଟିଏ ଛୋଟ ଚାଳଘରର ଝରକା ଫାଙ୍କରୁ ଧୂଆଁ ବାହାରୁଛି । ଝରକା ତଳ ରାସ୍ତାକଡ଼ ନୟନଯୋଡ଼ିକୁ ଆସିଥିବା ଛୋଟ ନାଳବାଟେ ପେଜ ତୋରାଣି ବାହାରି ଗଳଗଳ ହୋଇ ନାଳରେ ପଡ଼ୁଛି । ଜଗୁ ପ୍ରଲୋଭନ ସମ୍ଭାଳି ପାରିଲା ନାହିଁ । ସେହିଠାରେ ବସିପଡ଼ି ଆଞ୍ଜୁଳାରେ ପେଜ ଧରି ପିଇବାକୁ ଲାଗିଲା । ତା ଦେଖାଦେଖି ପାଖରେ ଅଧାଶୁଆ ଠାଣିରେ ବସିଥିବା କେତେଜଣ କାଙ୍ଗାଳ ଆସି ତା ଖାଦ୍ୟରେ ଭାଗୀ ହେଲେ । କେଇଟା ବୁଲାକୁକୁର ମଧ୍ୟ ଦାନ୍ତ ଦେଖାଇ ଭାଉଁ ଭାଉଁ ହୋଇ ସେମାନଙ୍କର କର୍ଯ୍ୟରେ ବାଧା ଦେବାକୁ ବସିଲେ ।

 

ଜଗୁ ପଛକୁ ହଟି ଆସି ଭାବିବାକୁ ଲାଗିଲା, ଆହା, ରାସ୍ତାକଡ଼ର ପେଜ ପାଣି ଟୋପାକ ପାଇଁ ବି ଝଗଡ଼ା, ମଣିଷ କୁକୁର ଭିତରେ । କାଙ୍ଗାଳମାନେ ନିଜ ନିଜ ଭିତରେ ପେଜ ପାଇଁ କଜିଆ କରିବାକୁ ଲାଗିଲେ । ଜଗୁ ଆଡ଼ ହୋଇ ଠିଆ ହୋଇ ନିରାଶ ଆଖିରେ ସୋମାନଙ୍କୁ ଚାହିଁ ରହିଲା । କେତେବେଳକେ ଘରର ଝରକା ଖୋଲିଲା । କାଠ ରେଲିଂ ଆର ପାଖରୁ ଜଣେ ପରିଚିତା ରମଣୀର ବିରସ ଶୁଖିଲା ମୁହଁ, ଲୁହଭରା ପ୍ରଭାହୀନ ଆଖିଦିଓଟି ଦେଖି ସେ ବିସ୍ମିତ ହୋଇ କରୁଣ ଆଖିରେ ସେହି ଆଡ଼କୁ ଚାହିଁ ରହିଲା । ଦେଖି ଦେଖି ତାର ମନ ବୋଧ ହେଲା ନାହିଁ । ମନର ସଂଶୟ ତୁଟିଲା ନାହିଁ । ବେଣୁବୋଉ, ତାଆରି ସ୍ନେହମୟୀ ଭାଉଜ ! ସେ କାହିଁକି ତାଙ୍କ ବାପଘର ଛାଡ଼ି ଏତେ ଦୂରରେ ପୁରୀ ସହରରେ ଆସି ରହନ୍ତେ ? ବେଣୁ ରହିଲା କେଉଁଠି ?

 

ସେ ପୁଣି ସେହି ନାରୀର ଦୁର୍ବଳ ଲୋତକାପ୍ଳତୁ ମୁହଁକୁ ଚାହିଁଲା । ତାର ସନ୍ଦେହ ତୁଟିଲା-। ଶୁଖିଲା ଆଖି କୋଣରେ ଜଳକଣା ଦେଖାଦେଲା । ଅନ୍ତର ଭିତରେ ଗୁରୁ ବେଦନା ଅନୁଭବ କଲା । ଭାବିଲା ତୁମେ ବି ଆସି ପଶିଲ ଛତରରେ । ପଧାନ ବଂଶର ଶେଷ ସମ୍ବଳ ବେଣୁଟି କାହିଁ-?

 

କିଏ ଜଣେ ଘର ଭିତରୁ ଗର୍ଜିଉଠିଲା, କିଲୋ, ଦିନ ଆସି ଦିଘଡ଼ି ହେଲା, ବାସନ ମଜା ନାହିଁ, ଘରଦ୍ୱାର ଖରକା ନାହିଁ । ମଲାରେ, ତତେ କଅଣ ଛତରରୁ ଆଣିଥିଲି ସାଆନ୍ତାଣୀ ସଜେଇ ପୋଷିବାକୁ ?

 

ଆଖି ମଳି ମଳି କରୁଣ କଣ୍ଠରେ ବେଣୁବୋଉ କହିଲେ, ଯାଉଛି... ।

 

ଆଲୋ, କେତେ ଯାଉ ଖାଉଛୁ ବା, ଝରକା ପାଖରେ କୋଉ ଗେରସ୍ତକୁ ଚାହିଁଛୁ ଲୋ-?

 

ବିରକ୍ତିରେ ନାକ ଫୁଲାଇ ସେ କହିଲେ, ପେଟ ପାଇଁ ବେଶ୍ୟାଘରେ ପଶିଲି ବୋଲି ମୁଁ ବେଶ୍ୟା ନୁହେଁ ଯେ ଝରକା ବାଟେ ଚାହିଁ ତମରି ପରି ପରପିଲାକୁ ଆଖି ଠାରିବି । ପୁଅ ମୋର ହଜିଛି । ତିନି ଦିନ ହେଲା ଫେରିନାହିଁ । ଝରକା ବାଟେ ଚାହିଁଲି ବୋଲି ଦୋଷ ହେଲା ?

 

ତୋ ପୁଅକୁ ତେଣେ ବାଡ଼ି ଖାଇଲାଣି । କିଲୋ, ବଞ୍ଚିଥିଲେ ତ ଆସିବ ବଳେ ।

ତୁମର ଯଦି ପୁଅପତି ଥାଆନ୍ତେ ତୁମେ ଏମିତି କହନ୍ତ ନାହିଁ ।

 

ତୋଅରି ପରି ତ କେତେ ସତୀସାବିତ୍ରୀ ପୁଅପତିଙ୍କ ଗଳାରେ ଛୁରୀ ଦେଇ ପେଟ ପାଇଁ ବାରଦ୍ୱାର ହେଉଛନ୍ତି, କେତେ ଚାତର କାଢ଼ୁଛୁ ବା ! ଏତିକି କହି ମୁଖରା ସ୍ତ୍ରୀଲୋକଟି ଝରକା ବାଟେ ପଦାକୁ ଚାହିଁଲା । କାଙ୍ଗାଳମାନଙ୍କୁ ଝରକା ତଳେ ଦେଖି ରାଗରେ ପାଟି କରି କହି ଉଠିଲା, ଯେତେ ଖାଇଲେ ୟାଙ୍କର ପେଟ ପୂରୁନାହିଁ ଲୋ ମା, ଯେଉଁଠି ଯାହା ହାବୁଡ଼ୁଛି ଖାଇ ମରୁଛନ୍ତି ।

 

ଜଣେ କାଙ୍ଗାଳ ଅନୁନୟ କଲା ମା, ମୁଠିଏ ଖାଇବାକୁ ଦିଅ ।

 

ସେ ହସି ହସି କହିଲା, ଓହୋ ରେ, କି କଅଁଳ କଥା ? ମରି ଯାଉଥାଏଁ ଲୋ ! ବାପ ଜମେଇ ରଖିଛି । ଯା, ଛତରକୁ ଯା । ମୋ ଘରତଳେ କାହିଁକି ରେ ? ପୋତା ମାଲ ପଡ଼ିଛି କି ? କହୁ କହୁ ଝରକା ବନ୍ଦ କଲା ।

 

ଜଗୁ ଭାବିବାକୁ ଲାଗିଲା, ବେଣୁ, ତାର ସ୍ନେହର ପୁତୁରାଟି, ତିନି ଦିନ ହେବ ଘରକୁ ତା ମା ପାଖକୁ ଫେରିନାହିଁ । ପୁରୀ ସହର ବଜାର ଜାଗା । ହଜାର ହଜାର ଲୋକ ଚଳପ୍ରଚଳ ହେଉଛନ୍ତି । କୁଆଡ଼େ ହଜିଲା, କେଉଁଠି ରହିଲା, କିଏ କହିବ ?

 

ତାର ଇଚ୍ଛା ହେଲା, ଝରକା ପାଖରେ ଭାଉଜବୋଉଙ୍କୁ ଡାକି ସବୁ କଥା ପଚାରି ବୁଝିବ-। କେତେ ଦିନର ଉପାସିଆଟା ସେ, ଆଗ କିଛି ଖାଇବାକୁ ମାଗିବ । କିନ୍ତୁ ସାହସ ହେଲା ନାହିଁ । ଯଦି ପୁଣି ସେହି ସ୍ତ୍ରୀ ଲୋକଟା ଆସେ, ତେବେ ତ ସର୍ବନାଶ ! ହୁଏତ ସନ୍ଦେହ କରି ଯଦି ତା ଭାଉଜବୋହୂଙ୍କୁ ତଡ଼ିଦିଏ !

 

ନା, କୁଳାଙ୍ଗାରଟା ସେ, ସେମାନଙ୍କୁ ସୁଖରେ ରଖି ମୁଠିଏ ଖାଇବାକୁ ଦେଇ ପାରିଲା ନାହିଁ । ସେମାନେ ଘର ଛାଡ଼ି ପଟେ ପାଇଁ ପରର ଆଶ୍ରା ନେଇଛନ୍ତି । ସୁଖରେ ହେଉ କି ଦୁଃଖରେ ହେଉ, ଦିନ ତାଙ୍କର କଟିଯାଉଛି ତ । ସେ କାହିଁକି ପ୍ରତିବନ୍ଧକ ହେବ ? ଯେଉଁଠି ହେଲେ, ବଞ୍ଚି ରହିଥାନ୍ତୁ ।

 

ଜଗୁ ଏହିସବୁ କଥା ଭାବି ଭାବି ବାଡ଼ି କବାଟ ପାଖକୁ ଆସି ଛାଇତଳ ଦେଖି କାହାର ଅପେକ୍ଷା କରି ବସିଲା, ରାସ୍ତା କଡ଼ରେ । ଆଖିପତା ମାଡ଼ି ମାଡ଼ି ପଡ଼ିଲା । ସେ ବସି ଘୁମାଇବାକୁ ଲାଗିଲା ।

 

ବାଡ଼ି କବାଟ ଖୋଲିବାର ଶବ୍ଦ ହେଲା । ସେ ଆଖି ଖୋଲିଲା । ସେ କଳିହୁଡ଼ୀ ସ୍ତ୍ରୀଲୋକଟି କବାଟକୁ ଦରଆଉଜା କରି ରାସ୍ତା ଉପରେ ତାରି ଆଗରେ ଠିଆ ହୋଇଥିବା ଜଣେ ଯୁବକ ସଙ୍ଗରେ ହସି ହସି କଥାଭାଷା ହେଉଛି । ଜଗୁ ପୁଣି ଆଖି ବୁଜିଲା କିନ୍ତୁ ଦୁହିଁଙ୍କର କଥାବାର୍ତ୍ତା ତା କାନରେ ପଡ଼ୁଥାଏ ।

 

ଯୁବତୀଟି କହିଲା, ଆଜିକାଲି ଆପଣଙ୍କର ଦେଖାଦର୍ଶନ ମିଳୁନାହିଁ । ଲୋକେ ପୁଣି ଏପରି ଭୁଲନ୍ତି ।

 

ଯୁବକ ଅନ୍ୟମନସ୍କ ହୋଇ କହିଲେ, ବେଳ ମିଳୁଛି କେଉଁଠି ? ସବୁବେଳେ ତ କାର୍ଯ୍ୟବ୍ୟସ୍ତ ।

 

ସେଥିପାଇଁ ଲୁଚି ଲୁଚି ପଳାଉଥିଲ ପରା ? ଭାଗ୍ୟକୁ ମୁଁ ଦେଖିଲି ।

ମୋତେ ମୋଟେ ବେଳ ହେଉନାହିଁ ।

ଲକ୍ଷ୍ମୀକୁ ଚାହିଁ ଚାହିଁ ? ନୂଆ ମୁହଁ ଦେଖିଲେ ଲୋକେ ପୁରୁଣାକୁ ଏମିତି ଭୁଲନ୍ତି ?

କିଛିକ୍ଷଣ ରହି ଯୁବକ କହିଲେ, ଯଦି ତାହା ହିଁ ହୁଏ, କ୍ଷତି କଅଣ ?

ଲାଭକ୍ଷତି କଥା ମୁଁ କହୁଛି ? ଆଚ୍ଛା, ସେ କଅଣ ଏଡ଼େ ସୁନ୍ଦର ?

ଲତିକା ବାଈଠୁଁ ନିଶ୍ଚୟ ସୁନ୍ଦର ।

 

ହଁ, ହେବ ନାହିଁ କାହିଁକି ? ଲତିକାବାଈ ଘସରା ପଇସା, ମଦଘଡ଼ା । କିନ୍ତୁ ଲତିକା ଛତରଖାଈ ନୁହେଁ, ଗଛତଳୁ ଆସିନାହିଁ ।

 

ସେ ଛତରଖାଈ ହେଲେ ବି ତୁ ତା ଗୋଡ଼ତଳକୁ ।

 

ତମ ପରି କେତେ ଏହି ଗୋଡ଼ତଳେ ମୁଣ୍ଡିଆ ମାରି ଯାଇଛନ୍ତି । ଆଜି ହେଲି ଅସାର । ମନ କଲେ ସେହିପରି, ସେହି ଉମା ଗୁଡ଼ିଆଣୀ ପରି ଦି ପଣ ଝିଅ ମୁଁ ବାଟରୁ ଗୋଟାଇ ଆଣନ୍ତି । ଛିଃ ଛିଃ..... !

 

ଉମା ଗୁଡ଼ିଆଣୀ ନାମ ଶୁଣି ଜଗୁର ମଲା ହାଡ଼ରେ ମଳୟ ଲାଗିଲା ସତେ । ସେ ଆଖି ଖୋଲି ଯୁବକଟିକୁ ଚାହିଁଲା ବିସ୍ମୟଭରା ଚାହାଣୀରେ । ଯୁବକ ଆଶ୍ଚର୍ଯ୍ୟାନ୍ୱିତ ହୋଇ ପଚାରିଲା, ଲକ୍ଷ୍ମୀ ଯେ ଉମା, ଏ କଥା ତୁ ଜାଣିଲୁ କେମିତି ?

 

ଲତିକାବାଈକି ଅଛପା କଅଣ ?

ମିଛ ସତ କରି ତୋ ଆଗରେ ଏତେ କଥା କିଏ ବକିଛି ?

ସେହି ନିଜେ, ସେଦିନ ଜଗନ୍ନାଥ ମନ୍ଦିରରେ ।

ଯୁବକ ତୁନି ରହିଲା ।

 

ଲତିକାବାଈ ପେଟଭିତରୁ କଥା କାଢେ, ଜଣ ତ ! ମୋ ଆଗରେ ସେ ସବୁ ଗପିଛି । ଯେତେ ସେବା କଲେ ତମେ ତା ମନ ପାଇବ ନାହିଁ, କହୁଛି । ତା ମନର ମଣିଷ ଆଉ ଜଣେ ଅଛି-। ଗୋଟାଏ ମରୀଚିକା ପଛରେ ଧାଇଁଛ ଆଜି, କାଲି ପୁଣି ଲତିକା ପାଖକୁ ଫେରିବ ।

 

ଯୁବକର ମୁହଁଟି ଶୁଖିଗଲା । ସେ ଭୀତିଜଡ଼ିତ କଣ୍ଠରେ କହିଲା, ଭାରି ଜଣେ ତୁ ଲତିକା, ତୁ ଏତେ କଥା କିପରି ଜାଣିଲୁ ? ତା ମନର ମଣିଷଟା ପୁଣି କିଏ ?

 

କହିବି, ହଁ କହିବି । କିନ୍ତୁ ତୁମେ ଆଗ କହ ତ, ଏ ବାହାର ଆଡ଼ମ୍ବର ଲୋକଦେଖାଣ ଭାଇଭଉଣୀ ସମ୍ବନ୍ଧରେ ଛଳନା କରିଛ, କାହା ଆଖିରେ ଧୂଳି ଦେବାକୁ ?

 

ଛଳନା ନୁହେଁ ।

ନୁହେଁ ତ କଣ ଆଉ ?

ଚୁପ୍, ନିଜ ପରି ସଭିଙ୍କୁ ମନେକର ନା ।

 

ବେଶ୍, ଯଦି ଛଳନା ନୁହେଁ, ତେବେ ତା ମନର ମଣିଷଟାକୁ ଚିହ୍ନିବାକୁ ତମେ ଏତେ ଉଦ୍‌ବିଗ୍ନ କାହିଁକି ? ତୁମର ଲାଭ କଅଣ ?

 

କ୍ଷତି କିଛି ନାହିଁ । ଜାଣିଲେ ସୁଖୀ ହେବି ।

 

କହିବି ଶୁଣ । ତାଙ୍କ ଗାଁର ପଧାନପୁଅ କିଏ, ଲୋକଦେଖାଣ ମହାପ୍ରସାଦ ଦିଆ ଭାଇ । ତା ନାମଟି କଅଣ ତ, ଅଃ, କେଡ଼େ ସୁନ୍ଦର ନାମଟି, ଜିଭ ଅଗରେ ଅଛି ! ସେ ଘର ଛାଡ଼ି ଛତରରେ ପଶିଛି । ପେଟ ଦାଉ...., କଅଣ ତ ତା ନାମଟି ! ମଧୁ, ରାଧୁ, ଉହୁଁ ରଘୁ, ଜଗୁ । ଠିକ୍ ଠିକ୍ ଜଗୁ, ଜଗବନ୍ଧୁ ।

 

ଯୁବକ ସଦାନନ୍ଦ ଚିନ୍ତିତ ଦେଖାଗଲେ ।

 

କେତେ ଦିନ ତଳର ଗୋଟିଏ ଛୋଟ ଘଟଣା ତାଙ୍କର ମନେ ପଡ଼ିଲା । ସେ ଶୂନ୍ୟଚକ୍ଷୁରେ ଲତିକାର ମୁହଁକୁ ଚାହିଁ ରହିଲେ ।

 

ଏଣେ ନିର୍ବାକ୍ ନିସ୍ପନ୍ଦ ହୋଇ ଯେ ବାଟକଡ଼ରୁ କାଙ୍ଗାଳଟାଏ ଏକ ଦୃଷ୍ଟିରେ ତାଙ୍କ ମୁହଁକୁ ଚାହିଁ ରହିଛି, ସେ କଥା ସେ ଦେଖି ମଧ୍ୟ ଦେଖିଲେ ନାହିଁ । ଦୁର୍ବଳ ଦରମରା ଭିକାରୀଟା, ସେ ପୁରର ପ୍ରେତ ପରି ଦିଶୁଛି । ତା ଆଖିରୁ ଯେ ଦିଟୋପା ତତଲା ଲୁହ କି ଦୁଃଖରେ କେଜାଣି ଝଡ଼ି ପଡ଼ିଲା ରାସ୍ତାକଡ଼ ଧୂଳି ଉପରେ, ସେ କଥା କିଏ ବା କାହିଁକି ବୁଝିବାକୁ ଚେଷ୍ଟା କରିବ ?

 

ଲତିକା କହିଲା, ଆଶ୍ଚର୍ଯ୍ୟ ଲାଗୁଛି, ଏତେ କଥା କେମିତି ଜାଣିଲି ? ବଡ଼ ସହଜ । ଦିନକର ଦେଖା, କେତେ ପ୍ରାଣଖୋଲା ଦୁଃଖ ସୁଖ ! ସରଳ ପିଲାଟି । ଅତୀତ, ବର୍ତ୍ତମାନ ଖୋଲା ଭାଷାରେ ସବୁ ସେ କହିଗଲା ମୋ ଆଗରେ । କଥା କଥାକେ ଜଗୁଭାଇର ସ୍ନେହ ମମତା ବଖାଣୁଥାଏ । ଆଖି ତାର ଲୁହରେ ପୂରି ଯାଉଥାଏ.... ?

 

ସବୁ ଠିକ୍ କିନ୍ତୁ ତୋ ମନରେ କୁଚିନ୍ତା ପଶିଲା କାହିଁକି ଲତିକା ?

 

ମୁଁ ଯେ କୁ, ତମେ ଯେ କୁ । ଦୁନିଆଟା କୁ ଆଡ଼କୁ ଧାଏଁ ଆଗ । ନୋହିଲେ, ଜଗନ୍ନାଥଙ୍କୁ ତମେ ଉମା ମୁହଁରେ ଦର୍ଶନ କରୁଥାନ୍ତ ? ସେଦିନ ମନ୍ଦିରରେ ଏତେ ଲୋକଙ୍କ ଆଗରେ ? ଲୁଚି ଲୁଚି ସବୁ ଦେଖିଛି । ମୋତେ ଛପାଇବ....? କିନ୍ତୁ ଯାହାର ସେବା କରୁଛ, ସେ ତ ଖୋଲା ଚଢ଼େଇ । ଗଛ ଅଗରୁ ଯେତେବେଳେ ତା ସାଙ୍ଗ ଚଢ଼େଇଟି ରାବି ଉଠିବ, ତାକୁ ଅଟକାଇ ପାରିବ ତମେ ? ସେ ନିଶ୍ଚୟ ଉଡ଼ିଯିବ ।

 

ଯୁବକ କହିଲା, ଉଡ଼ିପାରିବ ନାହିଁ ଲୋ, ଲତିକା, ତା ଗୋଡ଼ରେ ଶିକୁଳି ଲାଗିଛି । ତାର ସାଥୀ ଚଢ଼େଇଟି ହୁଏ ତ ଆଜି ଚରା ନ ପାଇ ମରିଛି ! ଫେରିବ ନାହିଁ, ଫେରିବ ନାହଁ ! ଏତିକି କହି ଯୁବକଟି ଉତ୍ତେଜିତ ହୋଇ ଫେରି ସବେଗେ ପ୍ରସ୍ଥାନ କଲା ।

 

ଲତିକା କବାଟ ବନ୍ଦକଲା ।

 

ବାଟ କଡ଼ର କାଙ୍ଗାଳଟା ମୁଣ୍ଡର ଫୁର୍‍ଫୁର୍ ବାଳ ଟାଣୁ ଟାଣୁ ଆଖି ବିସ୍ତାରି ମନକୁ ମନ ଗୁଣିହେଲା, ଫେରିବ ନାହିଁ, ଫେରିବ ନାହିଁ...... । ତା ପରେ କଅଣ ବିଚାରି ସେ ପାଗଳ ପରି ଢଳି ଢଳି ଆଗକୁ ଚାଲିଲା ।

 

ନିଜ ଦେହକୁ ଜଗିରଖି କାମ କରିବାକୁ ହେବ ଲକ୍ଷ୍ମୀ, ଏତେ ରାତିଯାଏ ଅନିଦ୍ରା ରହିବା ଠିକ୍ ନୁହେଁ, କହି ମହନ୍ତ ଲକ୍ଷ୍ମୀର ମୁଣ୍ଡ ଆଉଁସିଲେ । ସେ ପୁଣି କହିଲେ, ଯା, ଶୋଇପଡ଼ ଏଥର ।

 

ଉମା ଆନନ୍ଦରେ କହିଲା, ବାବା, ଏ ହତଭାଗ୍ୟ ରୋଗୀଗୁଡ଼ିଙ୍କୁ ନିଜ ପରି ମଣିବାକୁ ଆପଣ ଉପଦେଶ ଦେଇଛନ୍ତି । ଏମାନଙ୍କୁ ଦୁଃଖ ଯନ୍ତ୍ରଣାରେ ସନ୍ତୁଳି ହେବାକୁ ଛାଡ଼ିଦେଇ ମୁଁ ଯାଇ ଆରାମରେ ଶୋଇବି କିପରି ? ମୋଓରି ହାତରେ ଟୋପାଏ ସାଗୁ କି ବାର୍ଲି ଖାଇବାକୁ ସେମାନେ କିପରି ଆକୁଳ ହୋଇ ଚାହିଁ ରହିଛନ୍ତି, ଦେଖନ୍ତୁ ତ !

 

ଆଲୋ ପାଗଳି, ଏଇ କେଇଟା ଦିନରେ ତୋର ଚେହେରା କେଡ଼େ ଖରାପ ହୋଇଗଲାଣି, ତୁ ବୁଝିପାରୁଛୁ ? ଚାକରବାକର ତ ଅଛନ୍ତି ।

 

ମୋ ଚେହେରା ଏମାନଙ୍କଠାରୁ ବଳି ପଡ଼ି ନାହିଁ । ଚାକରବାକର ଏମାନଙ୍କୁ ନିଜ ପରି ମନେ କରିବେ ନାହିଁ ।

 

ତତେ ମୁଁ କଥାରେ ପାରିବି ନାହିଁଲୋ ଲକ୍ଷ୍ମୀ, ରାଧୀ କାହିଁ ?

ସେ ଶୋଇବାକୁ ଗଲେଣି ।

ସଦାନନ୍ଦ ?

କେଜାଣି ! ହୁଏ ତ ରାତିଅଧରେ କେଉଁଠି ରୋଗୀ ଖୋଜି ବୁଲୁଥିବେ ।

 

ଧନ୍ୟ ତମେ ଭାଇଭଉଣୀ ଦିଓଟି । ଆଚ୍ଛା, କଅଣ କରୁଚ କର । ବେଶୀ ଡେରି ଆଉ କରିବୁ ନାହିଁ । ଅନାଥ ପିଲାଗୁଡ଼ିଙ୍କ ପାଇଁ ତୋର କଅଁଳ ମନଟି ଯେପରି ବିକଳ ହୁଏ, ମୋର ଅନାଥ ଝିଅଟି ପରା ତୁ, ତୋଓରି ଦୁଃଖ ଦେଖିଲେ ମୋ ମନରେ ସେହିପରି କଷ୍ଟ ହୁଏ ଯେ ! ମହନ୍ତ ସେଠାରୁ ଚାଲିଆସିଲେ । ତାଙ୍କର ମନ ଉମା ଆଡ଼କୁ ଆହୁରି ନଇଁ ଆସିଲା ।

 

ଉମା ଘରକୁ ଘର ପଶି ଜଣ ଜଣ କରି ରୋଗୀଙ୍କର ଖବର ବୁଝିଲା । କାହାର ଦେହରୁ ଲୁଗା ଖସିଯାଇଛି, ନିଦରେ ବ୍ୟାଘାତ ନ ଆଣି ତାକୁ ଯତ୍ନରେ ଘୋଡ଼ାଇଦେଲା କାହାର ତଣ୍ଟି ଶୁଖିଯାଉଛି, ନିଜେ ହାତରେ ବାର୍ଲି ପେଇଦେଲା । କାହାର ମୁଣ୍ଡ ବଥାଉଛି, ନିଜେ ଯାଇ ମୁଣ୍ଡ ଚିପିଦେଲା । ସତେ କି ମୂର୍ତ୍ତିମତୀ ଦୟା ! ଲୋକଙ୍କର ଦୁଃଖ ଦୂର କରିବାକୁ ନିଜେ ଆସି ଆର୍ବିଭାବ ହୋଇଛନ୍ତି ! ଆଖିରେ ଲୁହଭରା କରୁଣ ଚାହାଣି ! ତା ହାତର କୋମଳ ପରଶ, କଣ୍ଠର ମଧୁର କଣ୍ଠର ମଧୁର ସହାନୁଭୂତି ଭରା ମିଠା କଥାରେ ମରଣମୁଖୀ କଙ୍କଳସାର ରୁଗ୍‌ଣ ମଣିଷର ଦରମରା ହାଡ଼ରେ ସତେ କି ଜୀବନ ସଞ୍ଚରି ଉଠୁଛି ।

 

ରାତି ଅଧିକ ହେଲାଣି । ଉମା ରୋଗୀମାନଙ୍କର ଦାୟିତ୍ୱ କେତେଜଣ ଚାକରଙ୍କ ଉପରେ ନ୍ୟସ୍ତ କରି ପଦାକୁ ଆସିଲା । ଥଣ୍ଡା ପବନରେ ତାର ଦେହମନ ଶାନ୍ତ ହେଲା । ଆଖିପତା ମାଡ଼ି ପଡ଼ିଲା । ଏଥର ଶୋଇବାକୁ ଯିବାର କଥା । ଆଜି ସଞ୍ଜ ପହରୁ ସଦାନନ୍ଦ ଭାଇଙ୍କର ଦେଖା ନାହିଁ କାହିଁକି ? ସେ କଅଣ ଏତେବେଳଯାଏ କେବଳ ରୋଗୀ ଖୋଜି ବୁଲୁଛନ୍ତି ? ନା, ଆଉ ଅପେକ୍ଷା କରିହେବ ନାହିଁ । ହୁଏ ତ ସେ ଆସି ସାରିବେଣି ।

 

ଉମା ମଠକୁ ଫେରିଲା । ମହନ୍ତ ବାବାଙ୍କ ଉପର ଖଞ୍ଜାର ଶୋଇବାଘରୁ ଆଲୁଅ ଲିଭିଲାଣି । ବୋଧହୁଏ ସେ ଶୋଇଲେଣି । ସେ ନିଃଶବ୍ଦରେ ତଳ ଖଞ୍ଜାକୁ ଆସିଲା । ତାର ଓ ରାଧୀର ଶୋଇବା ଘରର ଆଲୁଅ ମିଞ୍ଜି ମିଞ୍ଜି ଜଳୁଛି । ହୁଏ ତ ରାଧୀ ତାଆରି ଅପେକ୍ଷାରେ ଚେଇଁ ରହିଛି । ଏଣେ ଡାହାଣହାତି ଅଧିକାରୀ ସଦାନନ୍ଦଙ୍କର କୋଠରିଟା ଅନ୍ଧାର ଦିଶୁଚି । ସେ ଫେରିନାହାନ୍ତି ପରା ! ଆଗରେ ଲକ୍ଷ୍ମୀନାରାୟଣଙ୍କର ଛୋଟ ମନ୍ଦିର । ପହଡ଼ ପଡ଼ିଛି । ମୁଖଶିଆଳୀର ଗରୁଡ଼ସ୍ତମ୍ଭ ପାଖରେ ରଖା ହୋଇଥିବା ଘିଅ ଦୀପଟିର ସଳିତା ଗର୍ଭକୁ ଜଳି ଆସିଲାଣି । ଦେବତାଙ୍କୁ ପ୍ରଣାମ ନ କରି ସେ ଶୋଇବାକୁ ଯିବ ନାହିଁ ।

 

ଲକ୍ଷ୍ମୀ ମନ୍ଦିରକୁ ଯାଇ ଗରୁଡ଼ସ୍ତମ୍ଭ ପାଖରେ ମୁଣ୍ଡ ନୁଆଇଁ ଠାକୁରଙ୍କୁ ପ୍ରଣାମ କରି ଉଠି ଠିଆହେଲା । ଫେରିଆସିବାକୁ ମନକରି ପଛକୁ ମୁହଁ ବୁଲାଇ ଲିଭି ଆସୁଥିବା ଦୀପର ଥରିଲା ଆଲୁଅରେ ଦେଖିଲା, ପାହାଚ ପାଖରେ ଅଧେ ଅନ୍ଧାର ଅଧେ ଆଲୁଅରେ ତୁନି ହୋଇ ଠିଆ ହୋଇଛନ୍ତି ସଦାନନ୍ଦ । ତାର ଛାତିର ସ୍ପନ୍ଦନ ଟିକିଏ ଦ୍ରୂତତର ହୋଇଉଠିଲା । ସେ ଧୀରେ ଧୀରେ ପାହାଚ ଆଡ଼କୁ ଆସିଲା ।

 

ସଦାନନ୍ଦ ମନ୍ଦିର ଭିତରକୁ ଆସିଲେ । ଉମା ତାଙ୍କର ଗମ୍ଭୀର ଜ୍ୟୋତିହୀନ ମୁହଁକୁ ଚାହିଁ ପଚାରିଲା, ସଞ୍ଜ ପହରରୁ ତମର ଦେଖାନାହିଁ ଯେ ? ରୋଗୀ ଖୋଜି ଖୋଜି ଏମିତି ରାତି ଅଧ କଲ !

 

ସଦାନନ୍ଦ କହିଲେ, ମୁଁ ଆଜି ଘରୁ କୁଆଡ଼େ ଯାଇନାହିଁ ।

ତେବେ କଅଣ କରୁଥିଲେ ? ଆଶ୍ଚର୍ଯ୍ୟ ହୋଇ ଉମା ପଚାରିଲା ।

ଶୋଇଥିଲି, ଉମା !

 

ଶୋଇଥିଲେ ? କାହିଁକି ? ଦେହ ଭଲ ନାହିଁ ? ଉମା ସଦାନନ୍ଦର ହାତ ଧରିଲା, ସତେ କି ସେ ରୋଗ ପରୀକ୍ଷା କରୁଛି । ଦରଲିଭା ଦୀପ ଆଲୁଅଟା ଛାଏଁ ଛାଏଁ ଦପ୍‌କରି ଲିଭିଭଲା ।

 

ସଦାନନ୍ଦର ଉମାର ହାତଟିକୁ ନିଜ ହାତରେ ମୁଠାଇ ଧରିଲେ । ବ୍ୟଗ୍ରକଣ୍ଠରେ କହିଲେ, ଦେହ ମୋର ଭଲ ଅଛି ଲକ୍ଷ୍ମୀ, କେବଳ ମନ ଭଲ ନାହିଁ, ମନ ।

 

ମନଟା ଭଲ ନାହିଁ ? କାହିକିଁ ?

 

ସଦାନନ୍ଦ ଉତ୍ତର ଦେଇପାରିଲେ ନାହିଁ । ଉମାର ହାତରେ ଉଷ୍ଣ ଚାପଦେଇ ଭଙ୍ଗା କଣ୍ଠରେ କହିଲେ, ତତେ ଗୋଟିଏ କଥା ପଚାରିବି, ଲକ୍ଷ୍ମୀ ?

 

ଉମା ପରିହାସ କରି କହିଲା, ପଚାରିବାକୁ ଅନୁମତି କେବେ ଲୋଡ଼ା ନାହିଁ ତ ଭାଇ ?

ନା, କିଛି ନାହିଁ, କହି ସଦାନନ୍ଦ ଦୀର୍ଘଶାସ ଛାଡ଼ିଲେ ।

ଉମା ପଚାରିଲା, କହୁନା ?

ସନ୍ଦାନନ୍ଦ ପଚାରିଲେ, ତୋର କଅଣ ବିଶ୍ୱାସ ଅଛି ଯେ ମୁ୍ଁ ତତେ ଭଲ ପାଏ ?

ଉମା ଉତ୍ତର ଦେଲା, ସେ କଥା ତମେ କହି ପାରିବ ।

ତୋଓର ଧାରଣା କଅଣ ?

 

କହି ପାରିବି ନାହିଁ । ଟିକିଏ ରହି ପୁଣି କହିଲା, ମୁଁ ଭାବେ, ଭଲ ପାଇବା ସ୍ୱାର୍ଥର ରୂପାନ୍ତର ।

 

ସ୍ୱାର୍ଥ ? ଠିକ୍‌କଥା । କିନ୍ତୁ ମୋଓର ସ୍ୱାର୍ଥ କଅଣ, ତୁ ଜାଣୁ କି ?

କିପରି ଜାଣିବି ?

 

ତୁ ନିଶ୍ଚୟ ଜାଣୁ । ଯେ ସ୍ନେହ କରେ, ସେ କଅଣ ସ୍ନେହ ପାଇବାକୁ ନିଶା କରେ ନାହିଁ-? ତାଙ୍କର କଣ୍ଠସ୍ୱର ଥରି ଉଠିଲା ।

 

ଉମା କହିଲା, ଆଶା କରିବା ଅନୁଚିତ ନୁହେଁ । ମୁଁ ଯେ ସ୍ନେହକାଙ୍ଗାଳୁଣୀ ।

ବ୍ୟଗ୍ର କଣ୍ଠରେ ସଦାନନ୍ଦ ପଚାରିଲେ, ତେବେ.....ତେବେ, ତୁ ମୋତେ ସ୍ନେହ କରୁ ?

ଉମା ନୀରବ ରହିଲା ।

 

ସଦାନନ୍ଦ ଉମାର ଦୁଇ ହାତ ଧରିଲେ । ତାଙ୍କର ଉଷ୍ଣ ହାତର ପରଶ ପାଇ ଉମା ଆତ୍ମହରା ହେଲା । ତାର ତରୁଣ ରକ୍ତରେ ବିଜୁଳିର ଚମକ ଖେଳିଲା । ଅସ୍ପଷ୍ଟ ସ୍ୱରରେ ସେ ରହି ରହି କହିଲା, କାହିଁକି, ମୋର କେଉଁ ବ୍ୟବହାର ତମ ମନରେ ଅନ୍ୟ ଧାରଣା ଆଣିଛି ?

 

ଉତ୍ତେଜିତ ଉମାର ମୁହଁଟି ସଦାନନ୍ଦଙ୍କର ଥରିଲା ଛାତି ଉପରକୁ ଆଉଜି ଆସିଲା ।

 

–୩୫–

 

କ୍ଷୁଧା, ଅନନ୍ତ କ୍ଷୁଧା, ତୃପ୍ତି ନାହିଁ । ଯେତେ ଯେଉଁଠି ପାଇଲା ଖାଇଲେ ମଧ୍ୟ ଜଗୁର କ୍ଷୁଧା ମେଣ୍ଟିଲା ନାହିଁ । ଓଲେଈ ଗାଈ ପରି ସବୁଥିରେ ମୁହଁ ମାରିବା ହେଲା ତାର ଅଭ୍ୟାସ । ମରଣର ନିମନ୍ତ୍ରଣ ଆସିଲାଣି । ଦୁର୍ବଳ ଦେହପିଞ୍ଜର ଛାଡ଼ି ସ୍ୱାଧୀନ ଅମର ଆତ୍ମା ମୁକ୍ତ ଆକାଶରୁ ଉଡ଼ିଯିବାକୁ ବସିଲାଣି । ତଥାପି ତା’ର ମନ ସେ ନିମନ୍ତ୍ରଣ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । ଦୁର୍ବଳ ମାନବର କ୍ଷୀଣ ହୃତ୍‌ସ୍ପନ୍ଦନକୁ ଗୋଡ଼ରେ ଦଳି, ମଣିଷର ରକ୍ତରେ ମୁହଁ ହାତ ପଖାଳି ଯେ ଜୀବନର ଅଭିଯାନରେ ମରଣକୁ ଜୟ କରି ମୁଣ୍ଡ ଟେକିଛି ବୋଲି ମଣିଥିଲା, ସେ ଆଜି ବାଟର ଧୂଳିକଣା ସଙ୍ଗେ ସମାନ ହୋଇଛି । ସବଳର ପଦପ୍ରହାର ମୁଣ୍ଡରେ ସହିଛି । ଅବସ୍ଥାର ଝଞ୍ଜା ବାୟୁରେ ଇତସ୍ତତଃ ଘୂରି ବୁଲୁଛି ।

ବାଟ କଡ଼ର ନର୍ଦ୍ଦମା ନାନା ଆବର୍ଜନାରେ ପୂର୍ଣ୍ଣ । ଦୁର୍ଗନ୍ଧରେ ପାଖରେ ଠିଆହୋଇ ହେଉ ନାହିଁ । ପେଟ ବିକଳରେ ସ୍ତ୍ରୀଲୋକଟିଏ ନରକର ନାମାନ୍ତର ସେହି ନର୍ଦ୍ଦମା ପାଣିକୁ ହାତରେ ଘାଣ୍ଟୁଛି । ମଶା ପଲ ଭାଉଁ ଭାଉଁ ହୋଇ ଉଡ଼ି ତାର ଦେହରେ ମୁହଁରେ ବସୁଛନ୍ତି । ମାଛିଗୁଡ଼ା ଭଣ ଭଣ ହୋଇ ଏ ପାଖ ସେ ପାଖ ଉଡ଼ି ବୁଲୁଛନ୍ତି । ଛୋଟ ଛୋଟ ଲାଙ୍ଗୁଳା ପୋକ ତାର ଦେହ ହାତରେ ଚଢ଼ି ସଲସଲ ହେଉଛନ୍ତି । ସେ ଦିଗକୁ ତାର ଲକ୍ଷ୍ୟ ନାହିଁ । ମୁଣ୍ଡର ଅଡ଼ୁଆ ଅଲରା ଦରପାକଲା ବାଳଗୁଡ଼ା ଲଙ୍ଗଳା ହାଡ଼ମୟ ପିଠି ଅଧରେ ପଡ଼ିଛି । ନର୍ଦ୍ଦମା ପାଣିରୁ ହାତ ଉଠାଇ ବାଳଭିତରେ ଆଙ୍ଗୁଠି ଭରି ଉକୁଣୀ କାମୁଡ଼ାରୁ ରକ୍ଷା ପାଇବାକୁ ମୁଣ୍ଡ କୁଣ୍ଡାଉଛି । ମନକୁ ମନ ଭୁଟ୍‌ଭୁଟ୍‌ ହୋଇ କହୁଛି, ଗାରୁ ଗାରୁ ହୋଇ ଉଠୁଛି । ନର୍ଦ୍ଦମାର ବଦ୍ଧ ପାଣିରୁ କଅଣ ଛାଣି ପାଟିରେ ଥୋଉଛି । ଭୟରେ ଏପାଖ ସେପାଖକୁ ଚାହୁଁଛି । ତାକୁ ବାଧା ଦେବାକୁ ତାହାର ଖାଦ୍ୟରୁ ବାଣ୍ଟ ନେବାକୁ ପାଖରେ ଅନ୍ୟ କୌଣସି କାଙ୍ଗାଳ ନାହାନ୍ତି । କୁକୁର ପଲ ମଧ୍ୟ ତାକୁ ପରିତ୍ୟାଗ କରିଛନ୍ତି-

ଜଗୁ ଲୋଭ ସମ୍ଭାଳି ପାରିଲା ନାହିଁ । ଆଖି ଆଗରେ ଖାଦ୍ୟ, ବିନା ଆୟାସରେ ମିଳିବ-। ପାଇଲା ମାଲ ସେ ଛାଡ଼ିଦେଇ ଯିବ ନାହିଁ । ସେ ଧରେ ଧୀରେ ନର୍ଦ୍ଦମା ପାଖକୁ ଗଲା । ତାକୁ ଦେଖିଲାକ୍ଷଣି ସ୍ତ୍ରୀଲୋକଟି ମୁଖ ବିକୃତ କରି ବିରକ୍ତ ହୋଇ କହିବାକୁ ଲାଗିଲା–ମଲା ମୋର, ଏ ଗୁଡ଼ା କିଏ ଲୋ ? ବସେଇ ଦେବେ ନାହିଁ ଲୋ ମା ! ତମ ବୋପାର ମୁଁ କଅଣ ଧାରେ କି ରେ-? ମୋ ପଛରେ ସଦାବେଳେ ଗୋଡ଼େଇଛ ? ସୁନାରୂପା ଗହଣାଗାଣ୍ଠି ଯାହା ଥିଲା, ସବୁ ତ ଛଡ଼ାଇନେଲ, ଆଉ କଅଣ ଅଛିରେ ?

ପରିଚିତାର କଣ୍ଠସ୍ୱର ଶୁଣି ଜଗୁ ତାକୁ ନିରୀଖି ଚାହିଁ ପଚାରିଲା, କାହାକୁ କହୁଛୁ ତୁ ?

ସେ ଜଗୁର ମୁହଁକୁ କଟମଟ କରି ଚାହିଁ କହିଲା, ତତେ କାହିଁକି, ସମସ୍ତଙ୍କୁ । ଆଉ କଅଣ ଅଛି ମୋ ପାଖକୁ ଆସୁଛ ? ମୁଁ ଯେମିତି ବିଶ୍ୱାସରେ ବିଷ ଦେଇ ଆଣିଥିଲି, ସେମିତି ସବୁ ନେଇଛ । ତା ବୋଲି କଅଣ ଏ ନର୍ଦ୍ଦମାର ପଙ୍କପାଣି ମୋ ମୁହଁରୁ କାଢ଼ିନେବୁ ?

ନେତୀ, ନେତୀ, ମୁଁ ସେହି ଲୋ, ମୁଁ ସେହି ।

କିଏ ବା ତୁ, ମରୁନୁ ।

ହଁ, ମରିବି । ଗଳାରେ ତୁ ଛୁରୀ ଦେଇ ଆସିଥିଲୁ । ତଥାପି ଜଗୁ ମରି ନ ଥିଲା, କେବେ ତୋଠୁଁ ଭାଗବାଣ୍ଟ ଚାହିଁ ନ ଥିଲା । ଆଜି ବି ସେ ତୋର ନର୍ଦ୍ଦମାର ଭାଗ ଚାହୁଁ ନାହିଁ । ସେ ମରିବାକୁ ଚାହୁଁଛି- କହୁ କହୁ ଜଗୁର ଦୁର୍ବଳ କଣ୍ଠ ରୁଦ୍ଧ ହୋଇଆସିଲା ।

ନେତୀ ନିର୍ବାକ ହୋଇ ଜଗୁର ମୁହଁକୁ ଚାହିଁ ରହିଲା । ତାଆର ଶୁଖିଲା କୋରଡ଼ ଆଖିରେ ତତଲା ଲୁହ ଭରିଗଲା । ସେ ଅସ୍ପଷ୍ଟ ଥରିଲା ସ୍ୱରରେ କହିଲା, ଶେଷକୁ ତୁ ବି ଆଇଲୁ ! ନା, ତୁ ଜଗୁ ନୋହୁଁ, ପଧାନ ପୁଅ ଜଗୁ ନୁହଁ । ସେ ମୁହଁରେ ହାତ ଘୋଡ଼ାଇ ମୁଣ୍ଡ ହଲାଇଲା । ଦୁର୍ବଳ ଦେହ ଥରିବାକୁ ଲାଗିଲା । ନିଜ ମୁଣ୍ଡର ଭାରା ସହି ନ ପାରି ନର୍ଦ୍ଦମା କଡ଼ ଭୂଇଁ ଉପରେ ମୁହଁ ନୋଇଁଲା । ହାତ କାଢ଼ି ଚାହିଁଲା, ଜଗୁ ଟଳି ଟଳି ଚାଲି ଯାଉଛି ।

କ୍ଷୀଣ କଣ୍ଠରେ ଡାକ ଛାଡ଼ିଲା, ଜଗୁ ଜଗୁ– ।

ନିଜର ସ୍ୱର ନିଜକୁ ବି ଶୁଭିଲା ନାହିଁ । ଜଗୁ ଚାଲି ଯାଉଛି । ସେ ଜୁଳୁଜୁଳୁ କରି ଅନାଇଁ ରହିଲା ।

ଉଦୁଉଦିଆ ଦିପହର ।

ପୁରୀ ସହରର ନାନାସ୍ଥାନ ବୁଲି ଜଗୁ ଆସି ଲୋକନାଥଙ୍କ ପାଖରେ ମିଳିଲା । ମନ୍ଦିର ପଛପାଖ ପୋଖରୀ କୂଳରେ ତଆରି ପରି କେତେ କାଙ୍ଗାଳ ପଡ଼ିଛନ୍ତି । ମହାପ୍ରଭୁଙ୍କ ଆଶ୍ରା ନେଇଛନ୍ତି । ସେ ମଧ୍ୟ ପୋଖରୀରୁ ପେଟେ ପାଣି ପିଇ ପୋଖରୀ ହୁଡ଼ାରେ ବସି ଦମ୍‌ ନେଲା ।

ଛାଇନିଦ ମାଡ଼ି ଆସୁଛି, ଲୋକଙ୍କର କୋଳହଳରେ ସେ ଆଖି ମେଲିଲା । ପୋଖରୀ ସେପାଖ ବାଲି ପଡ଼ିଆ ଭିତରୁ ଜଣେ କାଙ୍ଗାଳ ବାହାରି ଆସୁଛି; ହାତରେ ଧରିଛି ମଣିଷର ଖଣ୍ଡିଆ ହାତ, କହୁଣୀ ପାଖରୁ ଛିଣ୍ଡା ।

କି ଭୟଙ୍କର, କି ଘୃଣିତ ସେ ଦୃଶ୍ୟ ! ଲୋକଟି ସେହି ହାତକୁ ପାଟିରେ ଲଗାଉଛି, ଚାଟି ଚାଟି ଖାଉଛି । ଲୋକେ ଆଶ୍ଚର୍ଯ୍ୟ ହୋଇ ତାକୁ ଓ ତାଆରି କାର୍ଯ୍ୟକୁ ଚାହିଁ ରହିଛନ୍ତି । କେହି ତାକୁ କିଛି କହୁ ନାହାନ୍ତି । ସେ ଆଗକୁ ଆଗକୁ ଚାଲୁଛି । ଲୋକେ ଭୟରେ ହେଉ ବା ଘୃଣାରେ ହେଉ, ତାକୁ ବାଟ ଛାଡ଼ି ଘୁଞ୍ଚି ଯାଉଛନ୍ତି । ଅନ୍ୟମାନଙ୍କୁ ଏ ଘଟଣା ନୂଆ ବା ଆଶ୍ଚର୍ଯ୍ୟକର ଲାଗିପାରେ, କିନ୍ତୁ ଜଗୁ ପକ୍ଷରେ ଏ ଦୃଶ୍ୟ ନୂଆ ନୁହେଁ । ପେଟ ବିକଳରେ ସେଦିନ ସେ ଏହିପରି ଗୋଟିଏ ପ୍ରଲୋଭନରେ ପଡ଼ିଥିଲା । କୌଣସିମତେ ଆତ୍ମରକ୍ଷା କରି ପଳାଇ ଆସିଥିଲା । ଆଜି ସେ ଏହି ପ୍ରଲୋଭନକୁ ଏଡ଼ି ପାରିଲା ନାହିଁ । ନର୍ଦ୍ଦମାର ପଚାପାଣି ଆବର୍ଜନା ଘାଣ୍ଟି ପ୍ରାଣ ରଖିବା ପରିବର୍ତ୍ତେ ମଲା ମଣିଷର କଞ୍ଚା ମାଂସ ଖାଇବା ଭଲ ।

ଜଗୁ ପୋଖରୀ ହୁଡ଼ାରୁ ଉଠି ଲୋକଟିର ପାଖକୁ ଗଲା । ପଚାରିଲା, ମଣିଷ ମାଂସ ଖାଇ ପ୍ରାଣ ରଖିବା କି ଉଚିତ, ଭାଇ ?

ଲୋକଟି ଖଣ୍ଡିଆ ହାତରୁ ପୁଳିଏ କାମୁଡ଼ି କହିଲା, ପ୍ରାଣ ରଖିବାର କଥା, ଉଚିତ ଅନୁଚିତ ଜାଣେ ନାହିଁ ।

ଜଗୁ ଆଉ କିଛି ପଚାରିଲା ନାହିଁ । ଲୋକଟି ଆସିଥିବା ଦିଗକୁ ଲକ୍ଷ୍ୟକରି ସେ ଚାଲିଲା-

ଆଗରେ ବାଲିପଡ଼ିଆ, କେତେ ଦୂର ଲମ୍ୱି ଯାଇଛି, ଆଖି ପାଉନାହିଁ । ମଝିରେ ମଝିରେ ଗୋଠଖଣ୍ଡିଆ ଗାଈ ପରି ଝାଉଁ କି କାଜୁବାଦାମ ଗଛ ଉପରକୁ ମୁଣ୍ଡ ଟେକି ଉଠିଛି ବାଲିଗଦା ଉହାଡ଼ରୁ । ଜଗୁ କିଛିଦୂର ଯାଇ ଗୋଟିଏ ବାଲିଗଦା ଉପରୁ ଦେଖିଲା, ଅଳ୍ପ ଦୂରରେ ଏକୁଟିଆ କାଜୁବାଦାମ ଗଛତଳେ ତିନି ଚାରି ଜଣ ଲୋକ କାହାକୁ ଘେରି ବସିଛନ୍ତି । ସେ ଉତ୍ସାହରେ ପାଖକୁ ଗଲା । ପିଲାର ଶବଟିଏ । ଲୋକେ ତାକୁ ଘେରି ବସିଛନ୍ତି । ଜଗୁକୁ ଦେଖି ସେମାନେ ଭୟରେ ଉଠି ଠିଆ ହେଲେ ।

ଜଗୁ ଆଗ ବଳି ପଡ଼ି କହିଲା, ମୁଁ ତୁମଠୁଁ ଭାଗ ନେବାକୁ ଚାହେଁ ଭାଇ !

ସେମାନେ ସନ୍ଦେହରେ ଜଗୁର ମୁହଁକୁ ଚାହିଁଲେ, ପରସ୍ପରକୁ ଅନାଅନି ହେଲେ । ଜଗୁ ସେମାନଙ୍କ ଆଡ଼କୁ ନ ଅନାଇଁ ବାଲି ଉପରେ ମୁହଁମାଡ଼ି ପଡ଼ିଥିବା ଛ, ସାତ ବର୍ଷର ଶିଶୁଟି ପାଖରେ ବସିପଡ଼ିଲା । ଦୁର୍ବଳ ଦେହଟି ତତଲା ବାଲି ଉପରେ ପଡ଼ିଛି । ମୁଣ୍ଡ ଉପରେ ଖଣ୍ଡେ ଦନ୍ଥରା ଛୁରୀ, ରକ୍ତବୋଳା ବାଲିରୁ ଠାଏ ରକ୍ତରେ ଓଦା ହେଲା ପରି ଦିଶୁଛି । ଶବର ଗୋଟିଏ ହାତ କହୁଣୀ ପାଖରୁ କିଏ ଛିଣ୍ଡାଇ ନେଇଛି । ବୋଧହୁଏ, ସେହି ଲୋକଟି ।

ଜଗୁ ଥରିଲା ହାତରେ ଛୁରୀଟି ବାଲି ଉପରୁ ଉଠାଇ ଧରିଲା । ଦୂରକୁ ହଟି ଯାଇଥିବା ଲୋକଗୁଡ଼ିକ ପୁଣି ପାଖକୁ ଲାଗି ଆସିଲେ ।

ଜଗୁ କ୍ଷୀଣ କଣ୍ଠରେ କହିଲା, ନିଆଁର ସାହାଯ୍ୟ ନେଲେ ।

କିଏ ଜଣେ ବାଧା ଦାଇ କହିଲା, ଓଃ, ବଡ଼ ଡେରି ।

ଆଉ ଜଣେ କହିଲା, ସିପେଇ ଜଗିଛନ୍ତି ।

ଜଗୁ ଚିନ୍ତିତ ହେଲା । ପେଟଜ୍ୱାଳାରେ ଲୋକେ ଅଧୀର ହୋଇ ପୁଣି ଶିଶୁ ଶବଟିକୁ ଘେରି ବସିଲେ । ଜଗୁ ଛୁରୀଟି ରଖି ଶବଟିର ମୁଣ୍ଡ ଓଲଟାଇ ଦେଲା । ଶବଟିର ମୁହଁକୁ ଚାହିଁବାକ୍ଷଣି ସେ ଚିତ୍କାର କରି ଚମକି ଉଠିଲା । ଦୁର୍ବଳ ଦେହରେ ତାର ଶକ୍ତି ଆସିଲା କାହୁଁ କେଜାଣି, ସେ କୁଦାମାରି ଖଣ୍ଡେ ଦୂରକୁ ଘୁଞ୍ଚିଆସି ଆଖି ବିସ୍ତାରି ଠିଆ ହେଲା । ଗୋଡ଼ହାତ ଥରିବାକୁ ଲାଗିଲା । ହାତରୁ ଛୁରୀ ଖଣ୍ଡ ତଳେ ଖସି ପଡ଼ିଲା । ସେ କଟମଟ କରି ଅପଲକ ନେତ୍ରରେ ଶବର ମୁହଁକୁ ଚାହିଁ ରହିଲା ।

ଲୋକେ କାରଣ ବୁଝି ନ ପାରି ଦୂରକୁ ଘୁଞ୍ଚି ଠିଆ ହେଲେ ।

ଜଗୁରୁ ଦୁଇ ଆଖିରୁ ଲୁହଧାର ଝରିବାକୁ ଲାଗିଲା । ସେ ଆଉ ଧୈର୍ଯ୍ୟ ଧରି ଅପେକ୍ଷା କରି ରହିପାରିଲା ନାହିଁ । ପାଗଳ ପରି ଆଗକୁ ଛୁଟିଆସି ସେ ପୁଣି ସେହି ଶବ ପାଖରେ ବସିପଡ଼ିଲା । ମୁଣ୍ଡ ନୁଆଇଁ ଶିଶୁର କଠିନ କପାଳରେ ବାରମ୍ୱାର ଚୁମ୍ୱନ କରି ଆଖି ଲୁହରେ ତାର ଶୀତଳ ଦେହ ଭସାଇଦେଲା ।

ଦୂରରେ ଠିଆ ହୋଇଥିବା ଲୋକଗୁଡ଼ିକ ସେଠାରୁ ଖସି ଚାଲିଗଲେ, ସମୁଦ୍ରକୂଳକୁ ।

ଆହା, ପଧାନକୁଳର ଶେଷ ସମ୍ୱଳ ବେଣୁଟି । ଭାଗ୍ୟଦୋଷରୁ ତାର ଆଜି ଏ ଅବସ୍ଥା ନା, ଭାଗ୍ୟଦୋଷରୁ ନୁହେଁ, ତାଆରି ଦୋଷରୁ, ନେତୀ ଦୋଷରୁ, ପଧାନଙ୍କ ଦୋଷରୁ ସେ ହେଲା କ୍ଷୁଧିତ କାଙ୍ଗାଳଙ୍କର ଆହାର । ପଧାନବଂଶ ଲୋପ ହେଲା । ଜଗୁ ବେଣୁର ଶବଟି କାନ୍ଧରେ ପକାଇଲା । ତଆର ଶୁଖିଲା ଆଖିରୁ ତତଲା ଲୁହ ନିଃଶେଷ ହେଲା । ଦୁର୍ବଳ ଛାତିର ଅସରନ୍ତି କୋହ ଅଟକି ରହିଲା । ସେ ଶବଟିକୁ ପୁଣି ତଳେ ଶୁଆଇଲା । ଭାବିବାକୁ ଲାଗିଲା, ସେ ବଞ୍ଚିବାକୁ ଚାହେଁ, ପଧାନବଂଶକୁ ଧରାପୃଷ୍ଠରୁ ଲୋପ କରିବାକୁ ଚାହେଁ ନାହିଁ । ସେ ବଞ୍ଚିବ, ଅବଶ୍ୟ ବଞ୍ଚିବ ।

ଆଖିରୁ ଲୁହ ପୋଛି, ଏକମୁହାଁ ହୋଇ ଲୋକନାଥଙ୍କ ମନ୍ଦିର ଆଡ଼େ ଚାଲିଲା । ପଛକୁ ଫେରି ଚାହିଁଲା ନାହିଁ ।

ସଞ୍ଜ ବୁଡ଼ିଆସୁଛି । ମେଘଫଉଜ ସାରା ଆକାଶ ଘୋଟି ଗଲାଣି । କାଙ୍ଗାଳମାନେ ନିଜ ନିଜର ସୁବିଧା ଦେଖି ଯିଏ ଯେଉଁଠି ଆଶ୍ରା ନେବାର ବ୍ୟବସ୍ଥା କଲେଣି । କେବଳ ହତଭାଗ୍ୟ ଜଗୁଟି, ବଡ଼ଦାଣ୍ଡର ଗୋଟିଏ କଡ଼ରେ ଧୂଳି ଉପରେ ଶୋଇଛି । ଉଠିବାର କି ବୁଲିବାର ଶକ୍ତି ନାହିଁ-। ଘୁଷୁରି ଘୁଷୁରି ପାଖ ପିଣ୍ଡାର ଓଳିତଳେ ଆଶ୍ରା ନେବାକୁ ମଧ୍ୟ ବଳ ପାଉନାହିଁ ।

ଲୋକନାଥଙ୍କ ପାଖରୁ ଆସୁ ଆସୁ ତାଠାରୁ ଦି ଚାରିଟା ଝାଡ଼ା ବୋହିଗଲା । ତାରି ଫଳରୁ ଜଗରୁ ଏ ଅବସ୍ଥା । ମୁଣ୍ଡର ଲମ୍ୱା ଝାମ୍ପୁରା ଅଲରା ବାଳଗୁଡ଼ା ରକ୍ତହୀନ ଶୁଖିଲା ମୁହଁକୁ ଘୋଡ଼ାଇ ରଖିଛି । ଶୁଖିଲା ମୁହଁ, କୋରଡ଼ ଆଖି ଦେଖି ତାକୁ ଆଉ ଜଗୁ ବୋଲି ଚିହ୍ନି ହେଉନାହିଁ । ଫୁଙ୍ଗା ଦେହରେ ସେ ରାସ୍ତା କଡ଼ର ଧୂଳି ଉପରେ ଗଡ଼ୁଛି । ସଞ୍ଜଘଡ଼ିର ଶୀତଳ ବାଆରେ ଲୋମମୂଳ ଟାଙ୍କୁରି ଉଠୁଛି ।

ଶବବୁହା ବଳଦଗାଡ଼ି ତାଆରି ପାଖରେ ବଡ଼ଦାଣ୍ଡ ଉପରେ ଠିଆ ହେଲା । କେତେ ଶବ ସେ ଗାଡ଼ିରେ ଲଦା ହୋଇଛି । ଜଣେ ଲୋକ ଗାଡ଼ିର ଦଣ୍ଡା ଛାଡ଼ି ଜଗୁ ନିକଟକୁ ଆସି ନଇଁପଡ଼ି ତା ମୁହଁକୁ ଚାହିଁ କହିଲା, ଲୋକଟା ବଞ୍ଚିଛିରେ !

ଆଉ ଜଣେ ଲୋକ ପାଖକୁ ଆସି ବିରକ୍ତ ହେଲା ପରି କହିଲା, ବଞ୍ଚିଛି, ତ ବଞ୍ଚିଛି, ଦେଖୁଛୁ ନା, କେମିତି ବର୍ଷା ଉଠେଇ ଆସିଲାଣି ? ଗୋଟାଏ ଅସରାରେ ଦଫା ଶେଷ ହେବ । ଡେରି କାହିଁକି, ଧର, ଉଠା ।

ଉହୁଁ, ଭଲ ହେବ ନାହିଁ ।

ଆରେ ଧର, ଆଉ ଥରେ ପୁଣି କିଏ ଆସିବ ?

ଲୋକଟି ଜଗୁର ମୁଣ୍ଡ ଧରି ଉଠାଇଲା । ଆର ଜଣକ ଗୋଡ଼ ଧରି ଉଠାଉ ଉଠାଉ କହିଲା, ପାପ ହେବରେ ।

ରଖ ତୋ ପାପ ।

ସେ ଜଗୁର ମୁଣ୍ଡକୁ ଉପରକୁ ଟେକିଲା ।

ଜଗୁ କିଛି ବୁଝିପାରି ନ ଥିଲା । ଦି’ଟା ଲୋକ ତାର ଗୋଡ଼ ମୁଣ୍ଡ ଧରି ଉଠାଉଛନ୍ତି କାହିଁକି ? ସେ ଆଖି ଖୋଲି ମଳିନ ହୋଇ ଆସୁଥିବା ଶେଷ ଦିବାଲୋକରେ ଶବଭରା ବଳଦ ଗାଡ଼ିଟାଏ ଆଗରେ ଦେଖିଲା । ଭୟରେ କରୁଣ କ୍ଷୀଣ ସ୍ୱରରେ ପଚାରିଲା, ତମେ ସବୁ କିଏ ?

ଜଗୁର ଅଚଳ ଦେହଟିକୁ ରାସ୍ତା ଉପରେ ଗାଡ଼ି କଡ଼ରେ ଶୁଆର ଜଣେ ଉତ୍ତର ଦେଲା, ଆମେ ମଡ଼ାଚଣ୍ଡିଆ ଭାଇ ।

ଜଗୁ ରାସ୍ତା ଉପରେ ଶୋଇ ବେଦନା ଅନୁଭବ କଲା । ମୁହଁ ବିକୃତ କରି ପଚାରିଲା, ମୋତେ ନେଉଛ କୁଆଡ଼େ ?

ବୁଝିପାରୁନୁ ? ମଶାଣିକି !

କାହିଁକି ଭାଇ ? ମୁଁ ଏବେ ବି ବଞ୍ଚିଛି !

ମଶାଣି ଖାଲରେ ତୋ ପରି କେତେ ଲୋକ ଶୋଇଛନ୍ତି । ତୁ ବି ତାଙ୍କରି ଭିତରେ ରହି ତାଙ୍କରି ପାଖରେ ଆଖିବୁଜି ଶୋଇପଡ଼ିବୁ ଚିରଦିନ ।

ସେମାନେ ତାର ଗୋଡ଼ମୁଣ୍ଡ ଧରି ଉଠାଇବାକୁ ଚେଷ୍ଟା କଲେ । ଜଗୁ ଗୋଡ଼ ଟାଣି ଆଣି କହିଲା, ମୁଁ ବଞ୍ଚବିରେ ଭାଇ !

ବର୍ଷା ମାଡ଼ିଆସୁଛି । ତୋତେ ହଇଜା ହେଲାଣି । ମଜବୁତ, ଟିକିଏ ଡେରି ହେବ । ମଶାଣି ପାଖରେ ଶୋଇବୁ । ମଣିଷ ଜୀବନ ପାଣି ଫୋଟକା, ଭାଙ୍ଗିଲା କହୁ କହୁ ଭାଙ୍ଗେ ।

ସେ କାନ୍ଦଣା ସ୍ୱରରେ କହିଲା, ମୁଁ ମରିନାହିଁ, ମୁଁ ମଶାଣିକି ଯିବି ନାହି । ଜୁହାର କରୁଛି । ମତେ ଛାଡ଼ିଦିଅ । ତମର ଧର୍ମ ହେବ ।

ମରିବାକୁ ତୋର ବେଶୀ ଡେରି ନାହିଁ ।

ଜଗୁର ପ୍ରତିବାଦ ସତ୍ୱେ ସେମାନେ ତାର ଦୁର୍ବଳ ଦେହଟିକୁ ନେଇ ଶଗଡ଼ ଉପରେ ପକାଇଲେ । ତାର କହିବାକୁ କି ଉଠି ବସିବାକୁ ଆଉ ଶକ୍ତି ନ ଥିଲା । ସଂଜ୍ଞାହୀନ ହୋଇ ଗାଡ଼ି ଉପରେ ପଡ଼ି ରହିଲା । ଗାଡ଼ି ମଶାଣି ଉଦ୍ଦେଶ୍ୟରେ ଚଳାଇବାକୁ ସେମାନେ ପ୍ରସ୍ତୁତ ହେଲେ ।

ରାସ୍ତା କଡ଼ରେ ଦୂରେଇ ଠିଆ ହୋଇଥିବା ଯୁବକଟି ଆଗକୁ ଆସି ଗାଡ଼ି ଅଟକାଇବାକୁ ହାତ ଟେକିଲେ ।

 

–୩୬–

 

ସନ୍ଧ୍ୟା ପରେ ଉମା ଓ ସଦାନନ୍ଦଙ୍କୁ ପାଖକୁ ଡାକି ରାଧୀ କହିଲା, ମୋର ଦେହ ଆଜି ଭଲ ଲାଗୁନାହିଁ । ମୁଁ ରୋଗୀ ଦେଖିବାକୁ ଯାଇପାରିବି ନାହିଁ । ତେମେ ଦିହେଁ ଆଜି କଅଣ କରୁଛ କର ।

ଉମା କହିଲା, ଚଲାଖ ଏକା ତୁ ! ତତେ ଆବୋରି ବସିବାକୁ କିଏ କହିଥିଲା କି ? ମୁଁ ତ ସମସ୍ତଙ୍କୁ ଦେଖୁଥିଲି, ତୁ କହିଲାକୁ ସିନା ରୋଗୀ ବଣ୍ଟା ହେଲା । ଏତେବେଳକୁ ପୁଣି କାହିଁକି ପଛାଉଛୁ ?

ରାଧୀ କହିଲା, ତୋଓରି ମୁଁ ଏହା କରିଥିଲି । ଦିନ ନାହିଁ, ରାତି ନାହିଁ, ଖିଆପିଆ ସବୁ ଭୁଲି ରୋଗୀଙ୍କର ସେବା କରି ତୋର ମୁହଁ କଳାକାଠ ପଡ଼ିଗଲା । ହଉ ତେବେ ଲୋ, ନ କଲେ ନାହିଁ, ମୁଁ ମୋ କାମ ତୁଲାଇବି ।

ଉମା ଲାଜରା ହୋଇ କହିଲା, ତୁ ଯା ଶୋଇବୁ, ମୁଁ ସବୁ କରିବି । ଏତିକି କହି ଉମା ସେଠାରୁ ଚାଲି ଆସିଲା । ସଦାନନ୍ଦ ତାର ଅନୁଗମନ କଲେ ।

ରାତି ଦି ଘଡ଼ି ହେବ । ଘରକୁ ଘର ପଶି ଉମା ରୋଗୀମାନଙ୍କର ଅବସ୍ଥା ଦେଖି ପ୍ରତିକାରର ବ୍ୟବସ୍ଥା କରି କରି ଆସୁଛି । ସଦାନନ୍ଦ ତାର ପଛେ ପଛେ ସାହାଯ୍ୟ କରିବାକୁ ଯାଉଛନ୍ତି ।

ଅଧାଆଲୁଅ ବାରଣ୍ଡା କଡ଼ରେ ସଦାନନ୍ଦ ଉମାର ହାତ ଧରି କହିଲେ, ଉମା, ଛାଇ ପରି ମୁଁ ଆଜି ତୋଓରି ପଛେ ପଛେ କାହିଁକି ରହିଛି, ତୁ ଜାଣୁ ନାହିଁ ? ମଫସଲ ଗାଁର ସାଧାରଣ ହାଟୁଆ ଘରର ଝିଅଟାଏ ତୁ । ତୋ ଠାରେ ଏତେ ଗୁଣ ଲୋ ! ପରକୁ ତୁ ଆପଣାର କରି ସେବା କରିପାରୁ-? ଭୟ, ସଂକୋଚ, ଆଳସ୍ୟ ତୋଠି ଟିକିଏ ହୋଇ ନାହିଁ ।

ଥାଉ ଥାଉ, ଏତେ ଗୁଡ଼ାଏ ପ୍ରଶଂସା ମୋର ଦରକାର ନାହିଁ, କହି ଉମା ହସିଲା । ମନରେ ଅଜଣା ସନ୍ଦେହ ଉଦି ଉଠିଲା । ସଦାନନ୍ଦଙ୍କ ମୁହଁରୁ ଉମା ଶବ୍ଦଟି ଶୁଣି ସେ ଦୁଇ ପାଦ ଆଗକୁ ଯାଇ ପୁଣି କହିଲା, ରୋଗୀଙ୍କର କାମ ତ ସରିଲା, ଚାଲ ଏଥର ମାଆର ଦେହ କିପରି ଅଛି ଦେଖି ଆସିବା । ମୋଓର ଦେହ ବି ଆଜି କାହିଁକି ଭଲ ଲାଗୁନାହିଁ ।

ସଦାନନ୍ଦ କହିଲେ, ଏ ଯେଉଁ ତିନିଦିନିଆ ଝଡ଼ିବର୍ଷା, ଯେତେ ସାବଧାନରେ ରହିଲେ ବି ଭଲ ଲୋକର ଦେହ ଖରାପ ହେବାର କଥା । ଶୀଘ୍ର କାମ ସାରି ଟିକିଏ ଶୋଇପଡ଼ିବୁ, ଉମା ! ମୁଁ ତୋ ରୋଗୀଙ୍କୁ ଜଗି ରହିବି ରାତିସାରା ।

ଉମା କହିଲା, ସମସ୍ତଙ୍କୁ ତ ଦେଖିସାରିଲି ।

ସେ ଘରେ ଯେଉଁ ରୋଗୀଟା ଅଛି ?

କିଏ ଗୋଟାଏ ଅଛି କି ? ମୁଁ ଜାଣେ ନାହିଁ ।

ମଜାର କଥା ଲୋ ଉମା । ତିନିଦିନ ତଳେ ଦି ଜଣ ହାଡ଼ି ବଞ୍ଚିଲା ଲୋକଟାକୁ ମଢ଼ ଗାଡ଼ିରେ ପକାଇ ମଶାଣିକି ନେଉଥିଲେ । ଭାଗ୍ୟକୁ ମୋର ହାବୁଡ଼େ ପଡ଼ିଲା । ନୋହିଲେ ଆଜି ସେ ସଢ଼ି ପଚି ମାଟିରେ ମିଶନ୍ତାଣି ।

ବଞ୍ଚିଥିଲା ବୋଲି ହାଡ଼ିମାନେ ଜାଣନ୍ତି ନାହିଁ ?

ଜାଣନ୍ତି । ସେ ନିଜେ ମରି ନାହିଁ ବୋଲି ଡକା ଛାଡ଼ୁଥାଏ ।

ତେବେ ବି ?

ହଁ, ଲୋ । କେଡ଼େ ନିର୍ଦ୍ଦୟ ସେମାନେ ! ଯାହା ହେଉ, ଲୋକଟାକୁ ଉଦ୍ଧାରି ଆଣିଲି । ଜାଗା ଅଭାବରୁ ତାକୁ ମଆର ସେଇ ଏକୁଟିଆ ଘରେ ରଖିଛି । ଭଲ ଅଛି ।

ମୁଁ ତାକୁ ଆଜିଯାଏ ଦେଖି ନାହିଁ । ତମେ ବି ମତେ ଏ କଥା ଆଜିଯାଏ କହି ନାହଁ !

ମନେ ନ ଥିଲା । ଆ, ତାକୁ ଦେଖି ଆସିବୁ ।

ଉମାକୁ ସଙ୍ଗରେ ନେଇ ସଦାନନ୍ଦ ରୋଗୀ ଥିବା ଘର ଭିତରକୁ ଗଲେ । ଛୋଟ କୋଠରୀଟିର କଡ଼ରେ ତକ୍ତପୋଷ ଉପରେ ଲୋକଟି ଲମ୍ୱ ହୋଇ ଶୋଇଛି । ଗୋଡ଼ରୁ ମୁଣ୍ଡଯାଏ ଘୋଡ଼ା ହୋଇଛି ଖଣ୍ଡେ ସରୁ ବିଛଣା ଚଦର । କାନ୍ଥ ଠଣାରେ ଦୀପ ଜଳୁଛି । ଖୋଲାକାନ୍ଥ ଆଲମାରୀରେ କେତେଗୁଡ଼ିଏ ମାଟିର ପାତ୍ର ରଖା ହୋଇଛି । ପାଖରେ କେହି ନାହିଁ ।

ଉମା ଓ ସଦାନନ୍ଦ ଓ ରୋଗୀ ନିକଟକୁ ଯାଇ ତାର ଆବୃତ ଦେହ ମୁହଁକୁ ଚାହିଁ ରହିଲେ-। ସଦାନନ୍ଦ ଧୀରେ ଧୀରେ କହିଲେ, ନିଦ ହୋଇ ଯାଇଛି ପରା !

ଉମା କହିଲେ, ହଁ ଉଠାଇବା ଦରକାର ନାହିଁ, ଚାଲ ଫେରିଯିବା ।

ସଦାନନ୍ଦ କଅଣ ଭାବି କହିଲେ, ଏ ଘର ସେ ଘର ନସରପସର ହୋଇ ଗୋଡ଼ ଥକି ଗଲାଣି । ଚାଲ, ସେହି ଖଟ ଉପରେ ଟିକିଏ ବସିବା ।

କୋଠରୀ ବାହାରେ ବରାଣ୍ତାରେ ଖଣ୍ଡେ ଖଟ ପଡ଼ିଥିଲା । ଦୁହେିଁ ତାଆରି ଉପରେ ବସିଲେ ।

ଉମା କହିଲା, ଅପେଷା କର । ରୋଗୀର ନିଦ ଭାଙ୍ଗିଲେ ତାକୁ ମନ୍ଦାଏ ବାର୍ଲିପାଣି ପେଇ ଶୋଇବାକୁ ଯିବା । କିଛିକ୍ଷଣ ତୁନି ରହି କହିଲା, ତମେ କ୍ଳାନ୍ତ ହୋଇ ପଡ଼ିଲଣି, ରାତି ବି ବେଶି ହେଲାଣି, ଯାଅ, ଶୋଇପଡ଼ିବ । ମୁଁ ଡେରିକରି ଯିବି ।

ତୁ ବି କ୍ଳାନ୍ତ ହୋଇଛୁ । ବରଂ ତୁ ଯା, ମୁଁ ରହୁଛି ।

ନା, ତା ହେବନାହିଁ ।

ତେବେ ଦୁଇଜଣ ରହିବା ।

ଦୁହେଁ ନୀରବରେ ବସି ରହିଲେ । କିଛି ସମୟ ପରେ ସଦାନନ୍ଦ ମୁହଁ ଖୋଲିଲେ, ଉମା, ସତ କହିଲୁ, ଘରକୁ ଫେରିଯିବାକୁ ମନ ହେଉ ନାହିଁ ?

ଉମା ବିସ୍ମିତ ହେଲା । ହଠାତ୍ ସଦାନନ୍ଦ ଏପରି ଗୋଟିଏ ପ୍ରଶ୍ନ ପଚାରିବେ ବୋଲି ସେ ଆଶା କରି ନ ଥିଲା । ଡରି ଡରି କହିଲା, ଅନାଥା ମୁଁ, ମୋର ଘର ସଙ୍ଗେ କି ସମ୍ୱନ୍ଧ ?

ସଦାନନ୍ଦ କହିଲେ, ଯଦି ତୋର କେହି ଆପଣାର ଲୋକେ ଆସି ତୋତେ ଘରକୁ ଫେରାଇ ନେବାକୁ ଚାହେଁ, ତୁ ଆମକୁ ଛାଡ଼ି ତାଆରି ସଙ୍ଗେ ଚାଲିଯିବୁ ?

ଉମା କହିଲା, ମୋର ଆତ୍ମୀୟସ୍ୱଜନ କେହି ନାହାନ୍ତି । ଯେଉଁମାନେ ଥିଲେ, ସେମାନେ ଶତ୍ରୁଠୁଁ ବଳି ପର । ଆଜି ଦୁର୍ଭିକ୍ଷର ଦାଉରୁ ସେମାନେ ବାଟର ଭିକାରୀ । ମୁଁ ଜାଣେ, ମୋ ପାଇଁ କାହାରି ମନ ତଟେ ନାହିଁ । କେହି ମୋତେ ଫେରାଇ ନେବାକୁ ବ୍ୟସ୍ତ ନୁହନ୍ତି । କିଛି ସମୟ ଚିନ୍ତା କରି କହିଲା, ପ୍ରାଣ ବିକଳରେ ପେଟ ପାଇଁ ମଠର ଆଶ୍ରୟ ନେଇଛି । କେତେ ଦିନ ଚାଲୁଛି ଚାଲୁ ।

ସଦାନନ୍ଦ କହିଲେ, ସଂସାରର ଜଞ୍ଜାଳରୁ ଦୂରରେ ରହି ସମୟ କାଟିବାକୁ ମୋର ଜୀବନକୁ ପାଣିଛଡ଼ାଇ ଦିଆ ହୋଇଛି । ପାରେ, ନ ପାରେ, ଜୀବନ ମନକୁ ସେହି ଭାବରେ ନିୟନ୍ତ୍ରିତ କରି ବେଳ କାଟିବାକୁ ହେବ । ତୁ ମଧ୍ୟ ଏହି ଆଦର୍ଶରେ ତୋର ଜୀବନକୁ ଚଳାଇପାରିବୁ-? ସଦାନନ୍ଦ ତଳକୁ ମୁହଁ କଲେ ।

ଉମା ସାମାନ୍ୟ ହସି କହିଲା, ହଁ, ତା ଛଡ଼ା ଅନ୍ୟ ଉପାୟ ନାହିଁ । ତେବେ ଆଦର୍ଶ କଅଣ ମୁଁ ବୁଝେ ନାହିଁ । ସେଇଟା ଗୋଟାଏ ଗଳ୍ପ । ସତୀ ସୀତାଙ୍କର ଆଦର୍ଶ ଚରିତ୍ରର କଥା କହୁ କହୁ ତମେ ମୋତେ ଗେଲ କରିଛ । ସତୀ ପାର୍ବତୀଙ୍କ ଆଦର୍ଶ କଥା କହି ତମରି ଛାତି ଉପରକୁ ମୁଁ ଆଉଜି ପଡ଼ିଛି, ତମରି ହାତର ପରଶ ପାଇଛି, କାହିଁକି କହ ତ ?

କହୁ କହୁ ଉମା ଅଟକିଗଲା । ସନ୍ଦେହପୂର୍ଣ୍ଣ ଚାହାଁଣୀରେ ରୋଗୀକୁ ଚାହିଁଲେ । ରୋଗୀଟି ଅସ୍ଥିର ହୋଇ ମୁହଁ ଉପରୁ ସରୁ ଚାଦର ହଟାଇ, ମୁହଁ ବୁଲାଇ ତାଙ୍କରି ଆଡ଼କୁ ଚାହିଁଛି ।

ଉମା ବ୍ୟସ୍ତ ହୋଇ ଉଠିଯାଇ ରୋଗୀର କପାଳର ହାତ ମାରିଲା । ରୋଗୀ ଆଖି ବୁଜି ଶୋଇଛି । ତାର ବୁର୍ବଳ ହାଡ଼ୁଆ ମୁହଁଟି ଦେଖି ମନ ଭିତରେ ଉଇଁ ଆସୁଥିବା ଅସ୍ପଷ୍ଟ ଚିନ୍ତା ଆପେ ଆପେ ତିରୋହିତ ହେଲା । ସେ ଧୀରେ ଧୀରେ ଚଦରଟି ତାର ମୁହଁ ଉପରକୁ ଟାଣି ପୁଣି ସଦାନନ୍ଦ ପାଖକୁ ଫେରି ଆସିଲା ।

ସଦାନନ୍ଦ ମୁଖ ଗମ୍ଭୀର କରି କଅଣ ଚିନ୍ତା କରୁଥିଲେ । ଉମା ହସି ହସି କହିଲା, କାହିଁକି, ସେ କଥା ତମେ ଭଲ କରି ଜାଣ, ମୁଁ ବି ଜାଣେ । ଉତ୍ତେଜନା ମୋହ ! ଅନ୍ୟର ଆଖିରେ ଧୂଳି ଦେବାକୁ ବାହାରର ଏ ଯେଉଁ ଭାଇ ଭଉଣୀ ସମ୍ୱନ୍ଧ ତମେ ପାତିଛ, ସେଇଟା ତ ମଣିଷର ମନରେ କାର୍ଯ୍ୟରେ ବାଧା ଆଣେ ନାହିଁ ବରଂ ତା ପାଇଁ ନରକର ବାଟ ସଫା କରିଦିଏ ।

ସଦାନନ୍ଦ ଆକୁଳ କଣ୍ଠରେ କହିଲେ, ତୁ ଏ ସବୁ ଆଜି କଅଣ କହୁଛୁ, ଉମା ?

ମିଛ କହି ନାହିଁ, ତୁମ ମନରେ କଷ୍ଟ ଦେଇଛି । ତୁମର ଆଶାରେ ବାଧା ପଡ଼ିଛି । କିନ୍ତୁ ମୁଁ ତ ନରକ ବରଣ କରିବାକୁ ଆଗେଇ ଆସିଛି ଜୀବନ ପାଇଁ, ପେଟ ପାଇଁ । ତମରି କାର୍ଯ୍ୟରେ ବାଧା ଦେବାକୁ ସାହସ କରି ପାରୁନାହିଁ । ତମର ଆଶ୍ରିତ ମୁଁ । ଉମାର ଦୁଇଆଖି ଲୁହରେ ଭରିଗଲା-

ସଦାନନ୍ଦ ଆର୍ଦ୍ର କଣ୍ଠରେ କହିଲେ, ଉମା, ସେପରି ଭାବିବା ତୋର ଭୁଲ । ତୁ ଜାଣୁ, ମୁଁ ତୋତେ କେତେ ଭଲ ପାଏ । ତୋ ବିନା ମୋର ରିକ୍ତ ହୃଦୟ ହାହାକାର କରି ଉଠେ ।

ଜାଣେ, ତମେ ଭଲ ପାଅ ମୋର ରୂପକୁ, ମୋର ଯୌବନକୁ ।

ତୋର ରୂପକୁ, ଯୌବନକୁ ?

ତା ଛଡ଼ା ଆଉ କଅଣ ? ମୋତେ ନେଇ ତମେ ସଂସାର କରିପାରିବ ନାହିଁ । ତମକୁ ଆଶ୍ରା କରି ମୁଁ ଦୁନିଆଁ ଆଗରେ ଲାଜରେ ମୁଣ୍ଡ ଟେକି ଚାଲି ପାରିବି ନାହିଁ ।

ସଂସାର ନ କରି କଅଣ ମଣିଷ ସୁଖ ଆନନ୍ଦରେ ବଞ୍ଚିପାରେ ନାହିଁ ?

ନ ପାରିବ କାହିଁକି ? ପରସ୍ପରର ସ୍ନେହ, ପରସ୍ପରଠାରେ ବିଶ୍ୱାସ ଉପରେ ସୁଖଦୁଃଖ ନିର୍ଭର କରେ ।

ଅତୀତକୁ ଭୁଲିଲେ ସିନା ମଣିଷ ସୁଖୀ ହୋଇପାରିବ !

ଅତୀତ ! ମୋର ତା ସଙ୍ଗେ କି ସମ୍ପର୍କ ?

ସେହି କଥା କହ । ଆଜି ତମ ଗାଁର ପଧାନ ପୁଅ ଜଗବନ୍ଧୁ ଯଦି ଫେରିଆସି ତୋତେ ଡାକେ ?

ଉମା ଚମକି ଉଠିଲା ।

ସେ ଦିଗକୁ ଲକ୍ଷ୍ୟ ନ କରି ସଦାନନ୍ଦ କହିବାକୁ ଲାଗିଲେ, ଯେବେ ଜଗବନ୍ଧୁ ଫେରିଆସେ ? ସେ ତୋତେ ଭଲ ପାଏ ।

ହଁ, ଜଗୁଭାଇ ମୋତେ ଭଲ ପାଆନ୍ତି ।

ତୁ ତାକୁ ଭଲ ପାଉ ତ ?

ସେ କି କେବେ ଫେରି ଆସିବେ ? ଦୁର୍ଭିକ୍ଷ ରାକ୍ଷସରେ ମୁହଁରୁ ସେ କି ଉଦ୍ଧାର ପାଇ ଫେରି ଆସିବେ ?

ଆସିଲେ ବା ତୋ ସଙ୍ଗେ ତାର ସମ୍ୱନ୍ଧ କଅଣ ? ସେ ତ ବାଟର କାଙ୍ଗାଳ, ନିଃସ୍ୱ !

ହଁ, ସେ ବାଟର କାଙ୍ଗଳ, ନିଃସ୍ୱ.... । ଉମା କଣ ଭାବିବାକୁ ଲାଗିଲା । ଦୁଇଆଖିରୁ ତତଲା ଲୁହ ଝରି ପଡ଼ିଲା । ସଦାନନ୍ଦ ନ ଦେଖିଲା ପରି ବ୍ୟଥାଭରା କଣ୍ଠରେ କହିଲେ, ରାତି ବେଶୀ ହେଲାଣି ଉମା, ଶୀଘ୍ର ରୋଗୀଟିକୁ ଖୁଆଇ ଦେ ।

ଉମା ନୀରବରେ ଖଟ ଉପରୁ ଉଠିଗଲା ।

ସଦାନନ୍ଦ ଖଟ ଉପରେ ବସି ଉମାର ପ୍ରତୀକ୍ଷାରେ ରହିଲେ ।

ରୋଗୀର ମୁହଁରୁ ଚାଦରଟି କାଢ଼ି ଉମା ଦେଖିଲା, ତାର ନିମୀଳିତ ଦୁଇ ଆଖି କୋଣରୁ ଲୁହଧାର ଗଡ଼ି ପଡ଼ୁଛି । ସେ ମୁଗ୍‌ଧ ନେତ୍ରରେ କ୍ଷଣକାଳ ତାଆରି ମୁହଁକୁ ଚାହିଁ ରହିଲା । ଧୀରେ ଧୀରେ ଲୁଗା କାନିରେ ତା ଆଖିରୁ ଲୁହ ପୋଛି ଦେଲା । ଉମାର ଦୁଇ ଆଖି ଲୁହରେ ଭରିଗଲା । ଅତୀତରେ ଗୋଟିଏ ଝାପ୍‌ସା ଛବି ତାର ଆଖି ଆଗରେ ଉଭା ହେଲା । ତା ମୁଖରୁ ଭାଷା ବାହାରିଲା ନାହିଁ ।

ରୋଗୀଟି ଆଖି ଖୋଲି କରୁଣ ଦୃଷ୍ଟିରେ ଉମାକୁ ଚାହିଁ ଅସ୍ପଷ୍ଟ ସ୍ୱରରେ କହିଲା, ଉମା–-। ଆଉ କହି ପାରିଲା ନାହିଁ । ଆଖି ବୁଜିଲା ।

ଉମାର ଆଉ ଚିହ୍ନିବାକୁ ବାକୀ ରହିଲା ନାହିଁ । ଅଧୀର ମନ ଦୁଃଖରେ କି ସୁଖରେ ପୂର୍ଣ୍ଣ ହେଲା । ପାଟିରୁ ବାହାରିଗଲା, ଥରିଲା ଡାକ, ଜଗୁଭାଇ !

ଜଗୁ ପୁଣି ଆଖି ଖୋଲିଲା । କ୍ଷୀଣ ସ୍ୱରରେ କହିଲା, ହଁ ଲୋ - ! ଲୁଚି ଲୁଚି ଚାଲି ଆସିଥିଲୁ ଉମା, ତୋତେ ନ ଦେଖିବାଯାଏ ମୁଁ ମରନ୍ତି କିପରି ?

ଉମା ସେହି ଦୁର୍ବଳ କଙ୍କାଳର ପାଟିରେ ହାତ ଚାପିଧରି ଥରିଲା କଣ୍ଠରେ କହିଲା, ଛିଇ-! ଉମାର ଲୁହଧୂଆ ମୁହଁଟି ଜଗବନ୍ଧୁର କପାଳ ଉପରକୁ ନଇଁ ଆସିଲା ।

Image